ଭିନ୍ନରାଗ
*******
ଡୋଳାମଣି ତ୍ରିପାଠୀ
**************
ଭଲ ଅସରାଏ ବର୍ଷି ଏଇ ଏଇ ଛାଡିଯାଇଛି। ସେକେଣ୍ଡ ଷ୍ଟେୟାର ଟେରେସରୁ ଖୁବ ଆକର୍ଷଣୀୟ ଲାଗୁଛି ଗନ୍ଧମାର୍ଦନ। ଲାଲିଆ-ସୁନେଲି ଫେଣ୍ଟାଫେଣ୍ଟି ରଙ୍ଗର ପାଟଟେ ନାଇ ମୋହିନୀ ସାଜିଛି ସାରା ଉପତ୍ଯକା। ନୀଳ ଆକାଶରେ ସପ୍ତରଙ୍ଗୀ ଇନ୍ଦ୍ରଧନୁ ଦିଗବଳୟକୁ ଛୁଇଁବ ଛୁଇଁବ ହେଉଛି। ହୁରହୁରିଆ ପବନର ପରଶ ଶୀତୁଆ ଅପରାହ୍ଣଟାକୁ ଆହୁରି ଶୀତୁଆ କରିଦେଉଛି। ଶାଲରୁ ଉଷୁମ ଟାଣି ବେଶ ଆରାମରେ ଅଛନ୍ତି ପିଠି, ବେକ ଆଉ କାନ୍ଧ। ବେସହାରା ଛାତି ଉପରେ ଦାଉ ସାଧୁଛି ଅଲାଜୁକ ହୁରହୁରିଆ ପବନ। ଛାଡୁନି ଜମା । ଥିରି ଥିରି ଛୁଇଁ ଯାଉଛି ତାଳୁରୁ ତଳିପା। ଶିର ଶିରେଇ ଯାଉଛି ଛାତି । ଜୋରକରି ଚୁମି ଯାଉଛି ଆଖି, ଓଠ। ବଡ କଲବଲ କଲାଣି । ନା, ଆଉ ସହି ହବନି।
ଚା’କପେ ନିହାତି ଦରକାର।
ଥରମସରୁ ପୂରା କପେ ଚା’ଢାଳିଲା ପଲ୍ଲବୀ।
ଚୁଷ୍କେ ଢୋକିନେଲା।
ଆଃ,କି ତୃପ୍ତି !
ଅନେଇ ଲାଗିଲା କପରୁ ଉଠୁଥିବା ବାମ୍ଫର କୁଣ୍ଡଳୀକୁ। ସୁନ୍ଦର ଲୀଳାୟିତ ଠାଣୀରେ ଉଠୁଛି ଉପରକୁ ଉପରକୁ। ଯେତେ ଯେତେ ଉପରକୁ ଉଠୁଛି; ସେତେ ସେତେ ପ୍ରସରି ଯାଉଛି। ଆହୁରି ଖେଳେଇ ହେଉଛି। ହଜି ଯାଉଛି ଇଥରରେ କ୍ରମଶଃ। ଯେମିତି ହଜି ଯାଇଥିଲା ପଲ୍ଲବୀ ସେଦିନ; ଚିନ୍ମୟଙ୍କ ଆଖିର ମାୟାରେ !
ଚିନ୍ମୟ।
ଆଃ !
ଏକ ମଧୁର ବେଦନାରେ ମନ୍ଥିହେଲା ହୃଦୟର କୋଣ ଅନୁକୋଣ। ହୃଦୟ ତନ୍ତ୍ରୀରେ ମଧୁପର ମଧୁର ଗୁଞ୍ଜନ। ତନୁଲତାରେ ଶିରିଶିରି ମଧୁର ଶିହରଣ। ଚା’ର ପ୍ରତି ଢୋକ ସହ ସଞ୍ଚରି ଯାଉଥିଲା ଦେହସାରା। ଅନୁଭବୁ ଥିଲା ପଲ୍ଲବୀ।
ଶେଷ ଢୋକ ଚା’ ସୁରୁକି ନେଇ କପଟାକୁ
ଟି’ ପୟ ଉପରେ ଥୋଇଲା ।
ଚିନ୍ମୟ ଆସିଥିଲେ ପ୍ରଥମକରି ସେଦିନ।
ଠିକ ଆଜିପରି ଏକ ବର୍ଷା ଭିଜା ଅପରାହ୍ଣ।
ଆସୁ ଆସୁ ଆବୋରି ନେଲେ ଗୋଟାପଣେ।
ଗେଟ ଖୋଲି ଭିତର ହତାରେ ପାଦ ଦେଉ ଦେଉ ଚାରିଆଖିର ମିଳନ।ତଳେ ଚିନ୍ମୟ ; ଉପର ଟେରେସରେ ପଲ୍ଲବୀ। ଆଖିରେ ଆଖି ମିଶିଗଲା ତ ଲାଖିଗଲା। ଆଖିରେ ଆଖିରେ ପିଇ ଲାଗିଥିଲା ପଲ୍ଲବୀ ।ତଥାପି ଶୋଷ ବାକି । ବଢୁଥିଲା ଆହୁରି ଆହୁରି। ଯୁଗ ଯୁଗରୁ ସାଇତା ଶୋଷ କାହାର ମେଣ୍ଟେ ଯେ ! ହଁ, ପଲ୍ଲବୀର ବି ମେଣ୍ଟୁ ନ ଥିଲା । ଉଛନ ମନ। ବଳିଲା ବାହୁ ଆଉ ପ୍ରସାରିତ ବକ୍ଷର ସମ୍ବୋହନରେ ବିସ୍ମରି ଯାଉଥିଲା ନିଜ ଅସ୍ତିତ୍ବ। ନିଜ ଅଜାଣତରେ ଭରସି ଯାଇଥିଲା ପଲ୍ଲବୀର ଉପାସୀ ଅନ୍ତଃକରଣ । ତନୁ ମନରେ ଲାଗି ସାରିଥିଲା ନିଆଁ। ଜଳୁଥିଲା ହୁତ୍ ହୁତ୍। ଇଚ୍ଛାମାନେ କଷମସେଇ ଯାଉଥିଲେ। ଜଳୁଥିଲେ ଆହୁରି ଆହୁରି । ସେଇମିତି ଛିଡା ହେଇଥାନ୍ତେ ସିଏ ଯୁଗ ଯୁଗ ଯାଏ; ଦେଖୁଥାନ୍ତା ପଲ୍ଲବୀ । ଜଳୁଥାନ୍ତା ନିତିପ୍ରତି; ପ୍ରତି ଅନୁକ୍ଷଣ। ଜଳିଜଳି ପାଉଁଶ ପାଲଟି ଯାଆନ୍ତା। ଲେସି ହୁଅନ୍ତେ ସିଏ ସାରା ସର୍ବାଙ୍ଗ । ସେଇ ପ୍ରଥମ ପୁରୁଷ।
ଆରେ ସେଇ ଗେଟରେ ଛିଡା ହେଇଛୁ କ’ଣ; ଭିତରକୁ ଆସୁନୁ।ବିନିଅପା ପାଟିକଲେ ତଳ ବାରଣ୍ଡାରୁ।
ବାସ୍ତବତାକୁ ଫେରିଲା ପଲ୍ଲବୀ। ସିଏ ଆସିଲେ ଅପା ପାଖକୁ।
ବିନି ଅପା ଓଡିଆ ଅଧ୍ଯାପିକା। ପଲ୍ଲବୀର ଇତିହାସ ବିଭାଗ। ଏଇ କଲେଜରେ ଜଏନ କଲା ଦିନ ହିଁ ବିନୋଦିନୀ ସାମନ୍ତରା ପଲ୍ଲବୀର ବିନି ଅପା ହୋଇଗଲେ। ପଲ୍ଲବୀଠୁ ତିନି ବରଷ ବଡ। ବଡ ସ୍ନେହ ରଙ୍କୁଣୀ।ଢେର ସ୍ନେହ ବୋଲି ବି ଜାଣନ୍ତି। ସିଏ ତଳେ ରୁହନ୍ତି। ତାଙ୍କ ସହ ରହିଛି ପନ୍ଦର ଦିନ। ଉପର ଘର ଖାଲି ହେବାର ଥାଏ। ବିନି ଅପାଙ୍କ ମାର୍ଫତରେ ମିଳିଗଲା ପଲ୍ଲବୀକୁ। ନହେଲେ ଆଜିକା ସମୟରେ ସୁରକ୍ଷିତ ଭଡାଘରଟେ ପାଇବା ତୁଚ୍ଛା ଆକାଶ କଇଁଆ। ଘର ମାଳିକ ବି ରୁହନ୍ତି ହତା ଭିତରେ। ବଡ ପରିବାର। ତାଙ୍କର ଅଲଗା ଖଞ୍ଜା। ଭଡ଼ାଟିଆଙ୍କ ଅଲଗା ମାତ୍ର ସଂପୂର୍ଣ୍ଣ ସୁରକ୍ଷିତ।
ବିନି ଅପା ଭଲ ପ୍ରେମ କବିତା ଲେଖନ୍ତି । ପଲ୍ଲବୀକୁ ଭାରି ଭଲ ଲାଗେ। ତା’ଙ୍କ ସବୁ କବିତାର ପ୍ରଥମ ପାଠିକା ପଲ୍ଲବୀ। ଚିନ୍ମୟ ପ୍ରେମିକ ପୁରୁଷ। କବିତା ହେଉ କି ଗପ;ତାଙ୍କ ସବୁ ସୃଷ୍ଟି ପ୍ରେମ ସରସର। ତାଙ୍କୁ ଖୁବ ପଢେ ପଲ୍ଲବୀ। ମତାମତ ଲେଖେ। ସାଙ୍ଗେ ସାଙ୍ଗେ ଉତ୍ତର ଆସେ। ଗୋଲାପ କଳିକାଟେ । ବାସ ସେତିକି। ଧାଡିଟିଏ ପାଇଁ ମନ ଆକୁଳ ହୁଏ । ମିଳେନି। ଏଇ କବି ଲେଖକ ଗୁଡା ବୋଧେ ଏମିତି। ସବୁକଥା ଅଧା ଅଧା। ବିନି ଅପା ବି ପଢନ୍ତି ଚିନ୍ମୟଙ୍କୁ। ନୂଆ କିଛି ବାହାରିଲେ ସିଏ ହିଁ ଆଣିକି ଦିଅନ୍ତି । ତାଙ୍କର ଢେର ଭାବ ଦୋସ୍ତି। ବିନି ଆପା ଚିନ୍ମୟଙ୍କୁ ଭାଇ କରିଛନ୍ତି।
ଆରଣ୍ଯକର ଅରଣ୍ଯ ଆସରକୁ ଚିନ୍ମୟ ଆସିବେ। ଏ ଖବରଟି ଦେବାସହ ପ୍ରସ୍ତାବଟେ ଦେଲେ ବିନି ଅପା। ଚାଲୁନୁ ମୋ ସାଥିରେ। ଗଳ୍ପ କବିତାରେ ଭିଜୁ ଭିଜୁ ଆରଣ୍ଯକ ଅନୁଭବଟେ ସାଉଁଟି ଆଣିବୁ। ଚିନ୍ମୟଙ୍କ ସହ ଚିହ୍ନା କରେଇଦେବି।
ମିଶିଲେ ଜାଣିବୁ ପ୍ରେମିକ କବିଟା ଗୋଟାପଣେ ପ୍ରେମ ଜରଜର। ଦେଖ,ଆଗରୁ କହିଦେଉଛି। ଥରକର ଦେଖାରେ ବି ମନ ଅବୋଲକରା ହୋଇ ଯାଇପାରେ। ଦୋଷ ଦେବୁନି ପଛରେ।
ଥରେ ଦେଖି ନିଜକୁ ଗୋଟାପଣେ ହାରି ସାରିଲିଣି ଗୋ ନାନୀ। ବିନି ନାନୀଙ୍କୁ ପ୍ରକାଶ୍ଯରେ କହି ପାରିଲାନି ପଲ୍ଲବୀ। ନିଜକୁ ନିଜେ ମନେ ମନେ ହୁରଗୁନି ହେଲା। ହଁ, ଅବଶ୍ଯ ଛୁଇଁ ହେଲା ଭଳି ପାଖରୁ ନୁହେଁ। ଛୁଇଁ ଦେଇଥିଲେ ତ ସେବେଠୁ ମରି ସାରନ୍ତାଣି। ନାନୀ ଉଦ୍ଦେଶ୍ୟରେ ପ୍ରଶ୍ନ ଫିଙ୍ଗିଲା;
ଆଉ ତୁମେ !?
ଆରେ ମୁଁ ତ ମୂଳରୁ ବାୟାଣୀ। କ’ଣ କେମିତି ଜାଣି ପାରିଲିନି। ପ୍ରେମକରି ପାରିଲିନି ଯାହା। ମୋର ଭାଇଟିଏ ନାହିଁ ତ। ସେଇଥିପାଇଁ ବୋଧହୁଏ ଭାଇ କରିନେଲି। ସେ ବି ଖୁସୀ ହେଲା ବଡ ଭଉଣୀଟେ ପାଇ।
ରବିବାର ସକାଳୁ ସକାଳୁ ଘସିମାଜି ତୟାର। ସଦ୍ଯ ମେଘ ରାଇଜରୁ ଉତୁରି ଆସିଛି ପରୀଟେ ସତେ ଅବା ! ଆଇନାରେ ନିଜକୁ ଦେଖୁ ଦେଖୁ ନିଜେ ଇ ଲୁଭେଇ ଯାଉଥାଏ। ଡେଣାରେ ପର ଖଞ୍ଜି ପାରନ୍ତା ହେଲେ। ଆଃ ! କେମିତି କେମିତି ଭାବଟେ ସଞ୍ଚରି ଯାଉଥାଏ। ବେପଥୁର ପରଶରେ ସଂଜ୍ଞା ହରାଇ ବସୁଥାଏ ପଲ୍ଲବୀ ! ବିନି ଅପାଙ୍କ ଟିପ୍ପଣୀରେ ପ୍ରକୃତିସ୍ଥ ହେଲା।
ଏ ମାଁ…,ମୋ ଭାଇଟାକୁ ଗୋଟା ଗିଳିଦେବରେ ଏ କାମିନୀ !
ଧେତ୍ !
ଲାଜେଇଗଲା ପଲ୍ଲବୀ।
ଆଖି ନଚେଇ କହିଲା;
ସିଏ ଆସିବେ ପରା ! ଦେଖିବିନି କେତେ ଟାଣ।
ହଉ ଦେଖିବା। କିଏ କାହାକୁ ଗିଳୁଛ। ଟାହି କଲେ ବିନିଅପା।
ଗେଟ ବାହାରେ ଟେମ୍ପୋ ହର୍ଣ୍ଣ ଦେଲା। ଦୁହେଁ ହସା ହସି ହୋଇ ଚାଲିଲେ ମନଭଙ୍ଗ।
ମନଭଙ୍ଗ ! ଗନ୍ଧମାର୍ଦନ ପାଦ ଦେଶରେ ଦୁଇଟି ମୁଣ୍ଡିଆ ପାହାଡକୁ ବାନ୍ଧି ବନ୍ଧଟେ ବନ୍ଧା ହୋଇଛି। ବନ୍ଧକୁ ଲାଗି ଘଞ୍ଚ ବନାନୀ। ବନ୍ଧରେ କାଚକେନ୍ଦୁ ପରି ଅକାତ ସ୍ବଚ୍ଛ ପାଣି। ଶିରି ଶିରି କୋହଳା ପବନରେ ମତୁଆଲା ସରୁ ଲହଡିଯାକ ଥିରି ଥିରି ଯାଇ ଚୁପକିନା ଚୁମି ଯାଉଥାନ୍ତି ପାହାଡର ପାଦକୁ ଜଣେ ପରେ ଜଣେ। ଛୁଉଁ ଛୁଉଁ ସରମି ଯାଉଥାନ୍ତି ତ ଘୁଞ୍ଚି ଆସୁଥାନ୍ତି ପଛକୁ ପଛକୁ।। ମନ ବୋଲ ମାନେନି; ହିଆ ଦହିହୁଏ ତ ପୁଣି ଧାଆନ୍ତି। କେହି କେହି ତ ଆଉ ଜଣକ ଉପରୁ ଚଢି ଯାଉଥାଆନ୍ତି ସବୁ ଲାଜ ମହତ ଛାଡି; ବଇଁଶୀ ସୁରେ ବାୟାଣି ଗୋପୀକୁଳ କଦମ୍ବ ବନକୁ ଧାଇଁଲାପରି।
ପାଣିରେ ପାଦ ଛପଛପ କଲା ପଲ୍ଲବୀ। ହାତରେ ପାଣି ଧରି ତୁଚ୍ଛାରେ ଛାଟିଲା। ଛିଞ୍ଚୁଡା ପାଣିରୁ କିଛି ଉଡି ଆସନ୍ତି ପବନ ସାହାରାରେ।ବିଞ୍ଚି ହୋଇଯାଆନ୍ତି ପଲ୍ଲବୀର ମୁହଁ ସାରା। ଚାଏଁ କି ଭେଦିଯାଏ କାକର ସରସର ପାଣି ଛିଟା।ଶାଢୀ ଓଦା ଓଦା। ଓଦା ହୋଇ ଯାଉଥାଏ ମନଟା ବି ସର ସର। ଆଖି ଖୋଜୁଥାଏ ଚିନ୍ମୟଙ୍କୁ।
କାହିଁ ସିଏ ?
ମନର ଭାବକୁ ଚାପି ନପାରି ପଚାରିଦିଏ ବିନି ଅପାଙ୍କୁ।
ବିନି ଅପା ନିରେଖି ଦେଖନ୍ତି ପଲ୍ଲବୀକୁ।
ଆରେ ଥୟ ଧର। ଏତିକି ଟିକିଏନାକୁ ଦମ୍ଭ ନେଇ ଭାବିଛୁ ମୋ ଭାଇର ଦମ୍ଭ ଭାଙ୍ଗିବୁ ବୋଲି ! ଏମିତି ହେଲେ ଜମାରୁ ପାରିବୁନିରେ…। ମୋ ଭାଇ ପୁରା ଇସ୍ପାତ। ଶୀତ କାକର କିଛି ଭେଦେନି ତାକୁ।
ଚାଲି ଯାଆନ୍ତି ବିନି ଅପା। ଭିଡର ଗହଗହ ଗହମତରେ ହଜି ଯାଆନ୍ତି। ଯାଇ ପାରେନି ପଲ୍ଲବୀ। କିଏ କିଛି ପଚାରିଲେ ସରୁ ଉତ୍ତରଟେ ଦେଇ ଚୁପ ହୋଇଯାଏ। ଖାଲି ଖୋଜୁଥାଏ ସେଇ ଦିଟା ଆଖିକୁ। ପାଏନି।
ପାଇଲାନି ସେଦିନ। ବିନିଅପା ଖବରଟା ଦେଲେ। ଉପର ହାକିମଙ୍କ ନିର୍ଦ୍ଦେଶ ମୁତାବକ ହଠାତ୍ ଦିଲ୍ଲୀ ଯିବାକୁ ବାଧ୍ଯ ହେଲେ। ତେଣୁ ଆଜି ଆସରକୁ ଆସି ପାରିବେନି ଚିନ୍ମୟ। ଖବରଟି ପରଷି ଦେଇ ପୁଣି ହଜିଗଲେ ଆସରର ଭିଡରେ। ଖବର ନୁହେଁ ତ ମହଣିକିଆ ଶିଳପୁଆଟେ ଥୋଇ ଦେଇଗଲେ ପଲ୍ଲବୀର ଛାତି ଉପରେ।
ଆଉ ସମ୍ଭାଳି ପାରୁ ନ ଥାଏ ପଲ୍ଲବୀ। ଆପେ ଆପେ ଝରି ପଡୁଥାଏ ଅଦିନିଆ ଶ୍ରାବଣୀ ନୟନ କୋଣରୁ। କେତେବେଳ ଯାଏ ସେମିତି ଲୁହ ଝରାଉଥିଲା କେଜାଣି; ଗୋଟିଏ କୋଣକୁ ଭିଡିନେଲେ ବିନିଅପା। ଆରେ, ଛୁଆଙ୍କ ପରି କ’ଣ ହେଉଛୁ ! କିଏ ଦେଖିଲେ ମାନ ମହତ ରହିବଟି !
ରଖୁନ… ତମ ମାନ ମହତ। ଭିତରେ ନିଆଁ ଜଳୁଛି। କୁଲା ଧରି ଢାପିବାକୁ କହୁଛ। ଭାବିଲା, ହେଲେ କିଛି ବି କହି ପାରିଲାନି ପଲ୍ଲବୀ। ଆଉ ଜମାରୁ ମନ ଲାଗୁ ନ ଥାଏ ସେଠାରେ। କୌଣସି ପ୍ରକାରେ ସମୟ ତକ ବିତେଇ ଦେବା କଥା।
ଅତୃପ୍ତ ମନକୁ ନେଇ ଘରକୁ ଫେରୁ ଫେରୁ ଗଡିଗଲା ଶେଜରେ। ଢେର ବେଳଯାଏ କାନ୍ଦିଲା। ନିଜ ଭାଗ୍ଯକୁ ନିନ୍ଦୁଥାଏ। ଆଉ ପଢିବନି ଚିନ୍ମୟଙ୍କ ଗପ କବିତା। ଯାହା ସାଇତି ରଖିଛି; ପୋଡି ଦେବ ସବୁଯାକ। ପୋଡିଯାଉ ସବୁ ସମ୍ବେଦନା।
ଥରମସରେ ଚା’ ଆଉ ଦି’ଟା କପ ଧରି ଆସିଲେ ବିନି ନାନୀ।ଉଠେଇଲେ ପଲ୍ଲବୀକୁ। ମୁଁ ଜାଣିଥିଲି ତୁ ଶୋଇ ଶୋଇ ଲୁହ ଗଡାଉ ଥିବୁ। ପ୍ରେମ ହେଲେ ଏମିତି ହୁଏରେ। ତଥାପି ଜିଇଁ ବାକୁ ହୁଏ। ଉଠ। ମୋ ସୁନା ଭଉଣୀଟା ପରା ! ମାଘକରେ କୋଉ ଶୀତ ଯାଏ ଯେ ଏମିତି ଭାଙ୍ଗି ପଡୁଛୁ ! ଧେତ୍ ବୋକି !! ଏତେ ଜଲଦି ହାରିଗଲେ ପାଇବୁ କେମିତି? କେତେ କେତେ ପ୍ରକାରେ ବୋଧଦେଇ ଉଠେଇଲେ ନାନୀ। ଚା’ଢାଳିଲେ।ପିଇଲେ ଦି’ଜଣ। ଟିକିଏ ହାଲକା ଲାଗିଲା।
ମନ ହାଲକା ହେଲା ତ ଫେର ଉଡିବ ଉଡିବ ହେଲା। ସ୍ଥିର କରିନେଲା ଏଥର ପଲ୍ଲବୀ।ତାଙ୍କୁ ନିଜର କରିବ ହିଁ କରିବ। ଚିଠି ଲେଖି ଖୋଲିଦେବ ନିଜକୁ। ଭାବିବେ ଯଦି ଭାବନ୍ତୁ ଅଲାଜୁକି ବୋଲି।
ମନର ମଣିଷ ପାଖରେ ଲାଜ ସରମ କ’ଣ ଯେ !
ହଁ, ପଲ୍ଲବୀ ମନେ ମନେ ଚିନ୍ମୟଙ୍କ ହେଇ ସାରିଥିଲା ଗୋଟାପଣେ।
ଚିଠିଲେଖେ ପଲ୍ଲବୀ। ଖୋଲି ଦିଏ ନିଜକୁ ପରଛା। ଉତ୍ତରକୁ ଅପେକ୍ଷା କରେନା। ବାରମ୍ବାର ଲେଖେ। କେତେକର ଉତ୍ତର ଆସେ କେତେର ଆସେନା। ପ୍ରଥମେ ପ୍ରଥମେ ଖାଲି ଫୁଲଟେ ଆସୁଥିଲା। ଏବେ ଧାଡିଏ ଅଧେ ଲେଖନ୍ତି। ଭରସା ପାଏ ପଲ୍ଲବୀ। ଆହୁରି ପଝରାଇ ଦିଏ ନିଜକୁ। ବହିଯାଏ ଝରଣାଟେ ହେଇ। କିଛି ଆଶା କିଛି ନିରାଶା ଭିତରେ ଗଡି ଚାଲେ ଜୀବନ। ଏମିତି ଗଡୁ ଗଡୁ ଦିନେ ବଡଦାଣ୍ଡ ଯାଏ ଗଡିଗଲା କି କ’ଣ;କାଳିଆ ସାଆନ୍ତେ ସାହାହେଲେ। ଚିଠିଟେ ପାଇଲା। ଲେଖିଥିଲେ ଚିନ୍ମୟ।
“ଆସନ୍ତା ରବିବାର ଅପରାହ୍ନ ପଲ୍ଲବୀଙ୍କୁ ସମର୍ପିତ।”
ମନ ଚଡେଇ କାନ୍ଧରେ ଗଜୁରି ଉଠିଲେ ବରକସ ହଳେ ଡେଣା। ପାଦ ଭୁଇଁ ଠୁ ଦି’ଇଞ୍ଚେ ଉପରକୁ।ସତେ ଅବା ଚଞ୍ଚୁରେ ଛୁଇଁ ହେବ ଆକାଶ। ସେଇ କେତେ ଦିନ କେତେ ଯୁଗର ଦହନରେ କଲବଲ ହେଲା ପଲ୍ଲବୀର ପିଆସି ପରାଣ !
ହେଲେ ସେ ଦହନ ଯେ ବାସ୍ନା ଭରା ! ଆହୁରି ଆହୁରି ଦହି ହେବାକୁ ଚାହେଁ ମନ।
ଆସିଲା ସେଇ ରବିବାରର । ଆସିଛନ୍ତି ମନ ମୋହନ। ତଳେ ବିନି ଅପା ପାଖରେ। ଇଚ୍ଛା ହେଉଛି ଧାଇଁ ଯିବାକୁ। ହାତଧରି କଢେଇ ଆଣିବ ତାଙ୍କୁ। ହାତ ଧରିବ !? ଇସ୍ …! ଧରିପାରିବ ତ;
ଥରି ଉଠିବନି ଥରଥର ! କେଜାଣି !? ଥରୁ ! କ’ଣ ହୋଇଯିବ ସେଉଠୁ। ମୁଠେଇ ନେବେନି ସିଏ ଢିଲାପଣକୁ !
ଇସ୍…! ନିଜେ ନିଜେ ଲାଜେଇଗଲା ପଲ୍ଲବୀ।
ଯାଇ ପାରି ନ ଥିଲା ତଳକୁ। ଅଭିସାରିକା ସାଜି ଚାହିଁ ରହିଥିଲା ତାଙ୍କ ଆସି ବାଟକୁ।
ଆସିଲେ ବିନି ନାନୀ ସାଥିରେ। ବସିଲେ ସାମ୍ନା ସାମ୍ନି ସୋଫାରେ। ବିନି ନାନୀ ସଁଅପି ଦେଇ କହିଲେ; ନେ..ଖୋଜି ଆଣିଛି ତୋ ହଜିଲା ଧନ। ସାଇତି ରଖ ଏବେ କରି ଯତନ !। ମୁଁ ଚାଲିଲି ଲୋ ମାଁ …;ପର ଭାଡିରେ ମୋ କି କାମ !
ଛି ରେ…! ବିନି ନାନୀଟା ବଡ ଅଲାଜୁକି। ଠିଆ ଠିଆ ସାରିଦେବେ ସବୁ ମାନ ମହତ ।
ଲାଜେଇ ଗଲା ପଲ୍ଲବୀ।
ନାନୀଙ୍କ ଫେରାବାଟ ଦେଖୁଥାଏ। ଅଟକେଇଲାନି ପଲ୍ଲବୀ।
କ’ଣ କରିବି କରିବି ହୋଇ
ଚା ‘କରିବାକୁ ଉଠିଲା ପଲ୍ଲବୀ।
ମୋର କଡା, ଜାଣିଲାପରି ଆଗତୁରା
କହିଦେଲେ ଚିନ୍ମୟ।
ଗୁଜୁରାତି ଗୁଣ୍ଡ ଦେଇ କଡା ମିଠା ଚା’ କଲା।
ଦି’ କପ ଚା’ସହ ଟ୍ରେ ଟିକୁ ଟି’ପୟ ଉପରେ ଥୋଇଲା। କପେ ବଢାଇ ଦେଉ ଦେଉ ଟିକିଏ ଛୁଇଁ ଦେଲା ଚିନ୍ମୟଙ୍କ ଆଙ୍ଗୁଠିକୁ। ଶିର ଶିରେଇ ଗଲା ଦେହ। ନିଜେ ନିଜେ ସରମି ଗଲା। ଛନ ଛନ ମନ ପ୍ରୀତିମଗ୍ନା। ସାମନାରେ ମନର ମଣିଷ। ହେଲେ ସିଧା ଚାହିଁ ପାରୁ ନ ଥାଏ। କଣେଇ କଣେଇ ଚାହୁଁ ଥାଏ। ଭିତରେ ଉଛୁଳା ଯମୁନା। ସତେ କି ଲଙ୍ଘିଯିବ କୂଳ। ହେଲେ ପାରୁ ନ ଥାଏ। ଚିନ୍ମୟ ଚା’କପରୁ ଶେଷ ଢୋକଟାକୁ ଶୋଷିନେଇ ଟି’ ପୟ ଉପରେ ରଖିଲେ କପ।
ମୁଗଧ ଚାହାଁଣୀଟେ ଖେଳେଇ କହିଲେ।
ଓ୍ବାଃ,ତୁମ ଚା’ରେ କି ତୃପ୍ତି।’
ଆତ୍ମା ପୁରା ଶାନ୍ତି।
ମୁହଁ ଟେକିଲା ପଲ୍ଲବୀ। ତାଙ୍କ ଓଠରେ ମୁଚୁକୁନ୍ଦ। ଚେଷ୍ଟାକରି ବି ଆଖି ଫେରାଇ ପାରୁ ନ ଥାଏ । ଏକ ଦୁର୍ବାର ବେପଥୁରେ ଭିଜି ଭିଜି ଯାଉଥାଏ । ମନ ସହ ତନ ବି ଅବଶ ଅବଶ ଲାଗୁଥାଏ।
କହିବାକୁ ଅନେକ କିଛି। ହେଲେ କିଛି ବୋଲି କିଛି କହି ପାରୁ ନ ଥାଏ।
ଚିନ୍ମୟ ହିଁ ଆରମ୍ଭ କଲେ। ସିଧା ସିଧା ଦର୍ଶନ।
ପଲ୍ଲବୀ ,ତୁମେ କେତେ ଜାଣିଛ ମତେ !?
ମୁହଁ,ଟେକିଲା ଫଲ୍ଲଵୀ। ଛଳ ଛଳ ଆଖି। କହିବାକୁ ଚାହୁଁଥିଲା। ଯେତିକି ଜାଣିଛି ସେଇ ଢେର। ଆଉ ଅଧିକା ଜାଣି କ’ଣ କରିବି ଯେ !
କହି ପାରିଲାନି କିଛି। ଦହି ହେଉଥାଏ ହିଆ।ଆଖି ଦି’ଟା ବରଷି ଯିବେ ଏଇକ୍ଷଣି। ଟ୍ରେରେ ଚା’କପଟା ଧରି ଉଠିଗଲା। ଓ୍ବାଶ ବେସିନରେ ଥୋଉ ଥୋଉ ଝରି ପଡୁଥିଲେ ଧାରା ଶିରାବଣ। କାଳେ ଜାଣିଯିବେ।କ’ଣ ନାଇଁ କ’ଣ ଭାବିବେ। ପଚାରିଲେ କି ଉତ୍ତର ଦେବ ! ଟେପ ଖୋଳିଲା। ଟେପ ପାଣି ଶବଦର ସହାରାରେ ସୁଁ ସୁଁ ହେଇ ଲାଗିଲା।
ତଥାପି ଜାଣିଗଲେ ଚିନ୍ମୟ। ପଛପଟୁ ପଲ୍ଲବୀ କାନ୍ଧକୁ ଧରି ପଚାରିଲେ।
ତୁମେ କାନ୍ଦୁଛ ପଲ୍ଲବୀ ? ପଲ୍ଲବୀ ସେମିତି ଛିଡା ହୋଇଥାଏ ପଛକରି।ସାହସ ହେଲାନି ବୁଲିବାକୁ। ବୁଲାଇ ଦେଲେ ଚିନ୍ମୟ। ଆଖିର ଲୁହ ପୋଛି ଦେଲେ। ମୁହଁ ଧୋଇ ଆସିବାକୁ ନିର୍ଦେଶ ଦେଇ ଯାଇ ସୋଫାରେ ବସିଲେ।
ବାଧ୍ଯ ଛାତ୍ରୀଟେ ପରି ମୁହଁ ଧୋଇ ଯାଇ ସାମ୍ନାରେ ବସିଲା ପଲ୍ଲବୀ।ଅନେକ କିଛି କହିଯିବାର ଅକୁହା ବେଦନା ଭରା ଆଖିରେ ଦେଖିଥାଏ ପଲ୍ଲବୀ ।ଆଜି ଯମୁନାରେ ଉଜାଣୀ । ବୁଝିଗଲେ ସିଏ।
ଭାବପ୍ରବଣତା ମନକୁ କୋମଳ କରେ। ସ୍ନେହ ସଂଚାରେ।ତଥାପି ସରହଦ ଭିତରେ ଥିବା ଯାଏ ଠିକ।ମାତ୍ରା ବଢିଲେ ଜିଇଁ ଦିଏନା କି ମରି ବି ହୁଏନା। ଭାବପ୍ରବଣତାର ଅଢୁଆଳରୁ ଡାକୁଥାଏ ଏକ ବାସ୍ତବ ଦୁନିଆଁ। ସେ ଡାକ ବି ଶୁଣିବା ନିହାତି ଦରକାର। କିଛି ଭାବ ଆଉ କିଛି ଅଭାବରେ ଫେଣ୍ଟାଫେଣ୍ଟି ଏ ଜୀବନ। ଭାଗମାପ ଠିକ ଥିବା ଯାଏ ସବୁ ଠିକ। ଏପଟ ସେପଟ ହେଲେ ଦୁନିଆଁ ରଖେଇ ଦିଏନା।
ଶୁଣୁଥାଏ ପଲ୍ଲବୀ। ଗୋଟିଏ ଗୋଟିଏ ଶବ୍ଦ ଭେଦି ଯାଉଥାଏ। ବଲବଲ ଅନେଇ ଥାଏ।
ପୁଣି ଯୋଡିଲେ ଚିନ୍ମୟ। ତୁମ ଭାବ ଡୋରିରେ ମୁଁ କେଉଁ ଅନାଦି କାଳରୁ ବନ୍ଧା । ସେଇଥି ପାଇଁ ତ ତୁମ ପ୍ରତ୍ଯେକଟି ମତାମତକୁ ଅନେଇ ବସିଥାଏ ସବୁଦିନ। ତୁମ ଡାକରେ ଏତେ ରାଗ ଥିଲା ଯେ ଆପେ ଟାଣି ହୋଇ ଆସିଲି । ତୁମ ହାତର ଚା’କପଟେ ପରମ ତୃପ୍ତିରେ ଭରିଦେଲା ମନପ୍ରାଣ। ସାରା ଜୀବନକୁ ଋଣୀ ରହିଲି। ମନେ ରହିବ ସବୁଦିନ ।
ଏତିକି ଯାଏ ଠିକ। ଆଉ ଆଗକୁ ଯାଇ ହୁଏନା। ଯିବା ବି ଠିକ ନୁହେଁ। ଏ ବନ୍ଧନ କେବେ ଛିଡିବନି କି ବଢିବନି। ମହମହ ବାସରେ ବାସ୍ନାୟିତ ହେଉଥିବା ସାରା ଜୀବନ।
ପୁଣି ଯଦି କେବେ ଦେଖାହୁଏ ପୁଣି ମିଶିବା ଠିକ ଏଇମିତି। ଚୌହଦି ଡେଇଁବାନି ତ ଜୀବନ ସାରା ଝୁରୁଥିବା ଜଣେ ଆରେକକୁ। ପାଇଲେ ନୁହେଁ; ପାଉ ପାଉ ନ ପାଇଲେ ହିଁ ଜୀବନ ଜୀବନ ପରି ଲାଗେ।
ବାସ୍ , କହି ସାରି ଉଠିଗଲେ ଚିନ୍ମୟ । ଓହ୍ଲାଇ ଗଲେ ପାହାଚ।ପଲ୍ଲବୀ ର ମନ ଧାଇଁ ଯାଉଥାଏ ପଛେ ପଛେ। ଦେହ କିନ୍ତୁ ସୋଫାକୁ ଆଦୌ ଛାଡିପାରୁ ନ ଥାଏ।
ବହୁ କଷ୍ଟରେ ଉଠି ଧାଇଁଲା ତଳକୁ। ରାଜରାସ୍ତାରେ କ୍ରମଶଃ ଅସ୍ପଷ୍ଟ ହୋଇ ଯାଉ ଥିବା ଚିନ୍ମୟକୁ ଲୁହ ଭରା ବିକଳ ଦୃଷ୍ଟି ତୋଳି ଚାହିଁ ରହିଥାନ୍ତି ବିନି ନାନୀ। ପଲ୍ଲବୀକୁ ଦେଖୁ ଦେଖୁ କୁଣ୍ଡେଇ ପକେଇଲେ।ପଲ୍ଲବୀ ବି ବିନିନାନୀଙ୍କୁ ଆବୋରି ନେଲା। ଲୁହରେ ଭିଜୁଥାଏ ଉଭୟଙ୍କ ଗଣ୍ଡଦେଶ।
ପ୍ରାପ୍ତି ଆଉ ଅପ୍ରାପ୍ତିର ମିଶାମିଶି ଭାବ ବତୁରା ନୟନରେ ପଲ୍ଲବୀକୁ କହିଲେ ;
ତୁ ବି ହାରିଗଲୁରେ…!ଶୂନ୍ଯକୁ ଦୃଷ୍ଟି ତୋଳି କହିଲେ, ସିଏ ସବୁବେଳେ ଏମିତି ବାୟାଟେରେ। ତାକୁ ନା ପାଇ ହୁଏ, ନା ହରେଇ ହୁଏ !
ନାହିଁ ନାହିଁ ରେ ସବୁ ପାଇର ଭାବଟେ ଆବୋରି ନେଉଥାଏ ପଲ୍ଲବୀର ସାରା ସତ୍ତାକୁ ! ସମଗ୍ର ସୃଷ୍ଟିକୁ ଓଦା ସରସର କରିଦେବା ଅଭିପ୍ରାୟରେ କ୍ରମଶଃ ବଢି ବଢି ଚାଳିଥାଏ ବର୍ଷା।
ପାଇକମାଳ(ବରଗଡ),
୯୯୩୮୫୫୨୪୬୭
*************