ଧର୍ମ ଓ ସଂସ୍କୃତିରେ ଶ୍ରୀକୃଷ୍ଣ
ଭଗବାନ ଶ୍ରୀକୃଷ୍ଣ ଗୋପାଳ ବଂଶଜ ଓ ଗୋପାଳମାନେ ଦେବାଦେବୀ ଭାବେ ଉଦ୍ଘୋଷିତ
ପୂରାଣ ମାନଙ୍କରେ ଭଗବାନ ଶ୍ରୀକୃଷ୍ଣ ଗୋପାଳ ବଂଶଜ ଓ ଗୋପାଳ ମାନେ ଦେବାଦେବୀ ଭବେ ଉଦ୍ଘୋଷିତ । ଏ ସଂପର୍କରେ ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମତ୍ ଭାଗବତରେ ସ୍ପଷ୍ଟ ଉଲ୍ଲେଖ ରହିଛି—
ଦେବେ ଉପୁଜିଛନ୍ତି ଅଂଶେ ।
ଗୋପ ନଗରେ ଭୋଜ ବଂଶେ ॥
ନନ୍ଦ ଯଶୋଦା ଆଦି ଯେତେ ॥
କହିବା ଏକେ ଏକେ କେତେ ॥
ଦେବକୀ ଦେବୀ ବସୁଦେବ
ଏ ଆଦି ଯେତେକ ଯାଦବ ॥
( ଶ୍ରୀମଦ୍ ଭାଗବତ,ଦଶମ ସ୍କନ୍ଧ,ଗୋପଲୀଳା,୨ୟ ଅଧାୟ )
ଭାଗବତର ଉକ୍ତ ପଂକ୍ତି ସୂଚାଇ ଦିଏ ଯେ, ନନ୍ଦ, ଯଶୋଦା, ବସୁଦେବ, ଦେବକୀ ପ୍ରମୁଖ ସମସ୍ତେ ଯାଦବ ଗୋଷ୍ଠୀର ଅନ୍ତର୍ଭୁକ୍ତ । ତେଣୁ ଯେଉଁମାନେ ବସୁଦେବ ଯାଦବ ଗୋଷ୍ଠୀର ନଥିଲେ ବୋଲି ଯୁକ୍ତି କରନ୍ତି, ସେମାନେ ଯଦୁବଂଶ ସମ୍ପର୍କରେ ବିଶେଷ ଜ୍ଞାନ ରଖନ୍ତି ନାହିିଁ ।
ସେହିପରି କୃଷ୍ଣଙ୍କ ମହାପ୍ରାୟାଣ ପରେ କୃଷ୍ଣ ବଂଶ ଅର୍ଥାତ ଯାଦବ ବଂଶ ସମୂଳେ ବିଲୁପ୍ତ ହୋଇ ଯିବାର ଏକ ଭ୍ରାନ୍ତ ମୂଳକ ଧାରଣା ଅନେକଙ୍କର ରହିଛି । ସେମାନେ ଜାଣିବା ଉଚିତ୍ ଯେ, ଯଦୁ ବଂଶ ସାତ ଭାଗରେ ବିଭକ୍ତ ଥିଲା । ଯଥା— ଯଦୁ, ମଧୁ, ଅନ୍ଧକ, କୁକ୍କୁର, ଦର୍ଶାହ, ବୃଷ୍ଣି ଓ ଭୋଜ ।
ଏପରିକି ଯାଦବ ବଂଶ ଧ୍ବଂସ ପାଇ ଥିବାରୁ କୃଷ୍ଣଙ୍କ ଅନ୍ତେ ମଥୁରରେ କେହି ଯାଦବ ରାଜା ହୋଇ ନ ଥିବାର ସେମାନେ କହି ଥାଆନ୍ତି ।
ଏ ସଂପର୍କରେ ଜଗନ୍ନାଥ ଦାସ କୃତ ଶ୍ରୀମତ୍ ଭଗବତର ନିମ୍ନ ପଙ୍କ୍ତି ଗୁଡ଼ିକ ପାଠ କରାଯାଉ ।
ଯେ ଅବା ରହିଲେ ଜୀବନେ
କୃଷ୍ଣର ଯେତେ ନାରୀମାନେ।।
ତାହାଙ୍କୁ ଘେନାଇ ଅର୍ଜୁନ
ପୁରେ ଯେ ଥିଲେ ପ୍ରଜାଜନ।।
ସକଳ ଘେନି ଏକ ମେଳେ
ତାରେ ମିଳିଲା ରାତ୍ର କାଳେ ।।
ଦେଖନ୍ତି ସର୍ବ ଲୋକ କୂଳେ
ତକ୍ଷଣେ ସମୁଦ୍ର ଉଲ୍ଲୋଳେ ।।
ବୁଡ଼ିଲା ଦ୍ବାରକା ନଗର
ଛାଡି କୃଷ୍ଣର ନିଜ ପୁର ।।
ଯେଣୁ ସେ କୃଷ୍ଣ ସନ୍ନିଧାନେ
ରହେ ପ୍ରଳୟ ଅବସାନେ ।।
ଏଣୁ ସେ ଦ୍ଵାରକା ନଗର
ସକାମ ଈଶ୍ଵର ମନ୍ଦିର ।।
ପରମ ପବିତ୍ର ମଙ୍ଗଳ
ଯହିଁ ବିଜୟ ଆଦିମୂଳ ।।
ଶୁଣ ସୁଜନ ପରୀକ୍ଷିତ
ଥିଲେ ଯେ ଅନିରୁଦ୍ଧ ସୁତ ।।
ବାଳକ ବଜ୍ର ତାର ନାମ
ତନୁ ସୁନ୍ଦର ଗୁଣଧାମ ।।
ତାହାକୁ କଲେ ତହିଁ ରାଜା
ସୁଖେ ପାଳିଲା ଜନ ପ୍ରଜା ।।
ଅର୍ଜୁନ ଛତ୍ର ଧରି ଶିରେ
ସେ ରାଜା ଦ୍ବାରକା ନଗରେ ।।
ମଙ୍ଗଳ ଅଭିଷେକ କରି
କୃଷ୍ଣ ବିଧବା ଯେତେ ନାରୀ ।।
ସକଳ ପରିଷଦ ଯେତେ
ଅର୍ଜୁନ ଗଲା ଇନ୍ଦ୍ରପ୍ରସ୍ଥେ। ।
( ଶ୍ରୀମଦ୍ ଭାଗବତ, ଏକାଦଶ ସ୍କନ୍ଧ, ଦ୍ବାତ୍ରିଶ ଅଧ୍ୟାୟ )
ଉପରୋକ୍ତ ଭାଗବତ ବାଣୀ ସୂଚାଇ ଦେଉଅଛି ଯେ, ଶ୍ରୀକୃଷ୍ଣଙ୍କର ବଂଶଧର ଅର୍ଥାତ୍ ନାତି ବଜ୍ରନାଭ ଜଳମଗ୍ନ ଦ୍ଵାରକା ନଗର ପରିତ୍ୟାଗ ପୂର୍ବକ ଦ୍ଵାରକାର ଅନ୍ୟ ଏକ ସ୍ଥାନରେ ରାଜା ଭାବରେ ଅଭିଷିକ୍ତ ହୋଇ ଶାସନ ଭାର ସମ୍ଭାଳିଥିଲେ । ତେଣୁ ଯାଦବ ବଂଶର ସଂପୂର୍ଣ ବିଲୋପ କାହାଣୀ ଈର୍ଷାଳୁମାନଙ୍କର ଏକ ବିଭ୍ରାନ୍ତିକର ପ୍ରଚାର ଅଟେ ।
ଗୋପାଳ ତଥା ଯାଦବ ଜାତିର ଏକ ମହାନ୍ ଶାସ୍ତ୍ର ସମ୍ମତ ତଥ୍ୟାବଳୀ ଏବଂ ପୁରାଣଶାସ୍ତ୍ର, ଇତିହାସକୁ ଠିକ୍ ଭାବେ ପାଠ ନକରି ମଥୁରାର ବସୁଦେବ ଏବଂ ଗୋପର ନନ୍ଦ ଦୁଇଟି ଭିନ୍ନ ଭିନ୍ନ ବଂଶ ବା ଜାତିର ବୋଲି ଓଡ଼ିଶାର ବହୁ ଲୋକ ଏପରିକି ପଣ୍ଡିତ ବୋଲଉଥିବା ବହୁ ବ୍ୟକ୍ତି ବିଶେଷଗଣ ମଧ୍ଯ ଯୁକ୍ତି ବାଢ଼ି ଥାଆନ୍ତି ।
ପ୍ରକୃତ ପକ୍ଷରେ ଉଭୟ ବସୁଦେବ ଓ ନନ୍ଦ ଗୋଟିଏ ପରିବାରର ଓ ଏକ କୁଟୁମ୍ବଭୁକ୍ତ ଥିଲେ । କିନ୍ତୁ ସେମାନଙ୍କର କର୍ମ ଭିନ୍ନ ଭିନ୍ନ ଥିଲା । ସେ ଯୁଗରେ ଜାତି ଜନ୍ମଗତ ଅଧିକାର ଲାଭ କରି ନଥିଲା । କେବଳ ବୃତ୍ତିଗତ ବିଚାରରେ ବିଭିନ୍ନ ବର୍ଣ୍ଣର ଅନ୍ତର୍ଭୁକ୍ତ ଥିଲା ।
ସେ ଯାହାହେଉ ଭାରତରେ ଶାନ୍ତି, ସଂହତି ଓ ଧର୍ମ ସଂସ୍ଥାପନ ଥିଲା ଯଦୁପତି ଶ୍ରୀକୃଷ୍ଣଙ୍କର ମୌଳିକ ନୀତି । ସେଥିପାଇଁ ସେ ଶିଶୁପାଳ, ଜରାସନ୍ଧ, ନାରକାସୁର ପରି ଦୁର୍ଦ୍ଦାନ୍ତ ଶାସକ ମାନଙ୍କୁ ମଧ୍ୟ କଳେବଳେ ଓ କୌଶଳେ ବିନାଶ କରିଥିଲେ ଏବଂ ମହାଭାରତ ଯୁଦ୍ଧ କୌରବ ଓ ପାଣ୍ଡବ ମାନଙ୍କ ମଧ୍ୟରେ ସଂଗଠିତ କରାଇଥିଲେ । ଫଳରେ ଦୁଷ୍ଟ ଓ ଖଳ ପ୍ରକୃତିର କୌରବ ବଂଶର ବିନାଶ ମଧ୍ଯ ଘଟିଥିଲା । ଭାରତ ଭୂମିରୁ ଅରାଜକତା ଦୂର ହୋଇ ଧର୍ମ ଏବଂ ସଂହତି ସ୍ଥାପନ କରାଯାଇ ସୁଶାସନ ବଳବତ୍ତର ହୋଇଥିଲା ଏବଂ ଅଖଣ୍ଡ ଭାରତ ଗଢି ଉଠିଲା ।
****
ଲେଖକ – ବିଶ୍ବେଶ୍ବର ଭୂତିଆ,
ଗୁଡିଆନାଳୀ, ଢେଙ୍କାନାଳ – 759001
( ବିଶ୍ବେଶ୍ବର ଭୁତିଆଙ୍କ ରଚିତ ପୁସ୍ତକ “ଯଦୁପତି ଶ୍ରୀକୃଷ୍ଣ ନ୍ୟାସ – ଏକ ଦୃଷ୍ଟିପାତ” ପୁସ୍ତକରୁ ଆନୀତ )
Please download e-Sulekha from the play store