ଭଗବାନଙ୍କ ହୟଗ୍ରୀବ ଅବତାର
==================
ଭଗବାନ ଶ୍ରୀମଦ୍ ଭଗବତ ଗୀତାରେ କହିଛନ୍ତି, “ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ “l ଶ୍ରୀମଦ୍ ଭାଗବତରେ ସରଳ ଭାବରେ ଏ ତତ୍ତ୍ୱକୁ ବୁଝାଇ କୁହାଗଲା, ” ଏମନ୍ତେ ନାନା ରୂପ ଧରି l ସଂସାରେ ରମେ ନରହରି ll ଦୁଷ୍ଟଙ୍କ ତେଜ, ବଳ ହରି l ସଂସାର ରଖେ ଦଇତାରୀ ll” ଭଗବାନଙ୍କ ଏପରି ଚବିଶ ଗୋଟି ଅବତାରର ବର୍ଣ୍ଣନା ଶ୍ରୀମଦ୍ ଭାଗବତରେ ରହିଛି l ଭାଗବତ ଛାଡ଼ି ଅନ୍ୟାନ୍ୟ
ବିଭିନ୍ନ ପୂରାଣ ମାନଙ୍କରେ ଧର୍ମ ସଂସ୍ଥାପନ ପାଇଁ ଶ୍ରୀବିଷ୍ଣୁ ହୟଗ୍ରୀବ ଅବତାର ଧାରଣ କରି ଥିବାର ବର୍ଣ୍ଣନା ରହିଛି l
ଏହି ଅବତାରରେ ଭଗବାନ ଶ୍ରୀ ବିଷ୍ଣୁଙ୍କ ରୂପ ଥିଲା ଶଙ୍ଖ, ଚକ୍ର, ଗଦା, ପଦ୍ମ ଧାରୀ ଚତୁର୍ଭୁଜ ମନୁଷ୍ୟ ଶରୀରରେ ଅଶ୍ୱ ମୁଖ, ଶରୀର ବର୍ଣ୍ଣ-ଶ୍ୱେତ, ସେ ଶ୍ୱେତପଦ୍ମ ଉପରେ ବିରାଜମାନ କରିଥିଲେ l ସେ ହେଉଛନ୍ତି ଅଜ୍ଞାନ ବିନାଶକାରୀ ଜ୍ଞାନର ପ୍ରତୀକ l ଶ୍ରୀବିଷ୍ଣୁଙ୍କ ଏହି ଅବତାର କଥା ଭିନ୍ନ ଭିନ୍ନ ଭାବେ ବର୍ଣ୍ଣିତ ହୋଇଛି ବିଭିନ୍ନ ପୁରାଣ ମାନଙ୍କରେ l ଭାଗବତର ଏକାଦଶସ୍କନ୍ଧରେ ଏହି ଅବତାରର ସୂଚନା ଦିଆଯାଇ କୁହାଯାଇଛି :-
ସେ ପୁଣି ହୟଗ୍ରୀବ ହେଲେ l
ସେ ରୂପେ ବେଦ ଉଦ୍ଧାରିଲେ ll
ସୃଷ୍ଟି ଆଦ୍ୟକାଳର କଥା l ପ୍ରାଣୀଙ୍କ ମଙ୍ଗଳ ଅର୍ଥେ ଭଗବାନ ବିଷ୍ଣୁ,ବ୍ରହ୍ମାଙ୍କୁ ଚତୁର୍ବେଦ ପ୍ରଦାନ କଲେ l ସେତେବେଳେ ମଧୁ ଏବଂ କୈଟଭ ନାମକ ଦୁଇଟି ଅସୁର ମହା ପରାକ୍ରମଶାଳୀ ହୋଇ ତ୍ରି ଭୁବନରେ ଆତଙ୍କ ଖେଳାଇ ଦେଇଥାନ୍ତି, ତାଙ୍କ ଉତ୍ପୀଡ଼ନରେ ଦେବଗଣ ପ୍ରମାଦ ଗଣୁଥାନ୍ତି l ଦୈତ୍ୟ ଦ୍ବୟ ଜାଣି ପାରିଲେ, ବେଦ ଶକ୍ତି ବଳରେ ବର୍ତ୍ତମାନ ଦେବତା ଓ ପ୍ରାଣୀମାନେ ବଳବାନ ହେବାରେ ଲାଗିଲେଣି l ତେଣୁ ସେମାନେ ବଳପୂର୍ବକ ବ୍ରହ୍ମାଙ୍କ ଠାରୁ ବେଦ ଛଡ଼ାଇ ନେଇ ପାତାଳପୁରରେ ଲୁଚାଇ ରଖିଲେ l
ବ୍ରହ୍ମା ବେଦଉଦ୍ଧାର ପାଇଁ ଶ୍ରୀବିଷ୍ଣୁଙ୍କ ଶରଣ ଭିକ୍ଷା କରିବାରୁ ବିଷ୍ଣୁ, ହୟଗ୍ରୀବ ଅବତାର ଧରି ରାକ୍ଷସ ମଧୁ ଓ କୈଟଭଙ୍କୁ ବଧକଲେ ଏବଂ ବେଦଉଦ୍ଧାର କରି ବ୍ରହ୍ମାଙ୍କୁ ପ୍ରଦାନ କଲେ l
ହୟଗ୍ରୀବ ଅବତାରଙ୍କ ବିଷୟରେ ଏକ ମନୋଜ୍ଞ ଉପାଖ୍ୟାନ ଦେବୀ ଭାଗବତରେ ଦେଖିବାକୁ ମିଳି ଥାଏ l ଏହି ବର୍ଣ୍ଣନା ଅନୁଯାୟୀ ହୟଗ୍ରୀବ ନାମକ ଏକଦା ଏକ ଅସୁରଥିଲା l ସେ ମହର୍ଷି କଶ୍ୟପଙ୍କ ପୁତ୍ର l ସେ କଠୋର ତପସ୍ୟା କରି ମାଆ ଦୁର୍ଗାଙ୍କୁ ପ୍ରସନ୍ନ କରି ବରଲାଭ କଲା,”କେବଳ ଅନ୍ୟ ଏକ ହୟଗ୍ରୀବ ଦ୍ୱାରା ସେ ମୃତ ହେବ”l ମାଆ ଦୁର୍ଗାଙ୍କ ବରରେ ବଳିୟାନ ରାକ୍ଷସ କ୍ରମେ ତିନି ଲୋକରେ ଆତଙ୍କ ସୃଷ୍ଟି କଲା l ଦ୍ୟୁଲୋକରେ ଦେବ ଗଣଙ୍କୁ ତାଙ୍କ ସ୍ଥାନରୁ ବିତାଡ଼ିତ କଲା l ସମସ୍ତ ଦେଵଗଣ ବିଷ୍ଣୁଙ୍କୁ ପ୍ରାର୍ଥନାକଲେ ହୟଗ୍ରୀବ ଦୈତ୍ୟ କବଳରୁ ରକ୍ଷାପାଇଁ l କିନ୍ତୁ ମା’ ଅମ୍ବିକାଙ୍କ ଶକ୍ତିଶାଳୀ ବର ନିକଟରେ ବିଷ୍ଣୁ ମଧ୍ୟ ହାର ମାନିଲେ l ଅସ୍ତ୍ରତ୍ୟାଗ ପୂର୍ବକ ସେ ବୈକୁଣ୍ଠକୁ ଫେରି ଗଲେ l ପ୍ରଭୁ ଶକ୍ତି ସଂଗ୍ରହ ନିମନ୍ତେ, ପଦ୍ମାସନରେ ବସି ଯୋଗାରୂଢ଼ ହେଲେ l ଦେଵଗଣ ଶତ ଚେଷ୍ଟା କରି ମଧ୍ୟ ତାଙ୍କୁ ଜାଗ୍ରତ କରାଇ ପାରିଲେ ନାହିଁ l ବେଦପତି ବ୍ରହ୍ମା ଏକ ଉପାୟ ଚିନ୍ତାକରି,ଯୋଗ ବଳରେ କେତେକ କୀଟ ସୃଷ୍ଟି କଲେ l ଉଦ୍ଦେଶ୍ୟ ଥିଲା, କୀଟ ମାନେ ବିଷ୍ଣୁଙ୍କ ଧନୁ ଗୁଣ କାଟିଦେଲେ ଏଥିରୁ ପ୍ରବଳଶବ୍ଦ ସୃଷ୍ଟି ହେବ ଓ ସେହି ଶବ୍ଦରେ ବିଷ୍ଣୁଙ୍କ ଯୋଗନିଦ୍ରା ଭଗ୍ନ ହେବ l
ଯୋଜନାନୁଯାୟୀ ଧନୁଟି ଗୁଣରୁ ଉନ୍ମୁକ୍ତ ହେବାରୁ ଭୀଷଣ ଶବ୍ଦ ହୋଇ ସମଗ୍ର ବିଶ୍ୱ ଥରି ଉଠିଲା ଓ ଧନୁର ଆଘାତରେ ଶ୍ରୀବିଷ୍ଣୁଙ୍କ ଶିରଚ୍ଛେଦ ହେଲା l ଏଥିରେ ଦେଵଗଣ ଆତଙ୍କିତ ହୋଇ ମା’ ଦୁର୍ଗାଙ୍କ ଶରଣ ପଶିଲେ l ମା’ ଯୋଗମାୟା ପ୍ରକଟ ହୋଇ ଦେବତା ମାନଙ୍କୁ କହିଲେ, ତୁମେ ଭୟଭୀତ ହୁଅ ନାହିଁ, ଯାହା ଘଟିଗଲା,ତାହା ପଛରେ ଏକ ଦୈବ ଉଦ୍ଦେଶ୍ୟ ନିହିତ ଅଛି l ଭଗବତୀଙ୍କ ନିର୍ଦ୍ଧେଶରେ ବ୍ରହ୍ମା ଏକ ଘୋଡ଼ାର ମସ୍ତକ ଆଣି ବିଷ୍ଣୁଙ୍କ ଶରୀର ସହ ଯୋଡ଼ିଦେଲେ l ଏପରି ଭଗବାନ ହୟଗ୍ରୀବ ଅବତାର ଧାରଣ କଲେ ଏବଂ ମାଆ ଦୁର୍ଗାଙ୍କ ବର ଅନୁଯାୟୀ, ଦୁଷ୍ଟ ହୟଗ୍ରୀବ ରାକ୍ଷସକୁ ନିଧନ କରି ବେଦ ଉଦ୍ଧାର କଲେ l
ଶ୍ରୀମଦ୍ ଭାଗବତରେ ପ୍ରଭୁଙ୍କ ହୟଗ୍ରୀବ ଅବତାର ବିଷୟରେ ବିଶେଷ ବର୍ଣ୍ଣନା ମିଳେନାହିଁ,କିନ୍ତୁ କୁହା ଯାଇଛି ଭଗବାନ ମଧୁ ଓ କୈଟଭ ନାମରେ ଦୁଇ ଦୈତ୍ୟଙ୍କ ବଧ ପାଇଁ ଏହି ଅବତାର ଧାରଣ କରି ଥିଲେ l ସଂସ୍କୃତ ଭାଗବତର ସପ୍ତମ ସ୍କନ୍ଧ ନବମ ଅଧ୍ୟାୟ ୩୭ ତମ ଶ୍ଳୋକରେ କୁହାଯାଇଛି :-
ତସ୍ମୈ ଭଵାନ୍ ହୟଶିରସ୍ତନୁବଂ ଚ ବିଭ୍ରତ୍ l
ବେଦଦ୍ରୁହାବତିବଲୌ ମଧୁକୈଟଭାଖ୍ୟଔ ll
ହତ୍ୱା ଅନୟଛୁତିଗଣାମ୍ ଅସ୍ତୁ ରଜସ୍ତମଶ୍ଚ l
ସତ୍ଵଂ ତଵ ପ୍ରୀୟତମାଂ ତନୁମାମ୍ ଅନନ୍ତି ll
ଏହି ଶ୍ଳୋକକୁ ଭାଗବତ କାର ଅତିବଡ଼ି ଜଗନ୍ନାଥ ଦାସ ଅତି ସରଳ ସାବଲୀଳ ଭାବେ ଆମ ଓଡ଼ିଆ ଭାଗବତରେ ବୁଝାଇ ଦେଇଛନ୍ତି :-
ରଜ ତାମସ ଗୁଣେ ଜାତ l
ମଧୁ କୈଟଭ ବେନି ଦୈତ୍ୟ ll
ଦେବ ହେଳନ ମହାଘୋର l
ତେଜ ପ୍ରଚଣ୍ଡ ଭୟଙ୍କର ll
ତାହାଙ୍କୁ ମାରି ଶ୍ରୁତିଗଣ l
ବ୍ରହ୍ମାଙ୍କୁ କଲୁ ସମର୍ପଣ ll
ଭଗବାନ ହୟଗ୍ରୀବ ଜ୍ଞାନର ପ୍ରତୀକ, ଜ୍ଞାନଦାତା l
ଆମ ଉତ୍କଳର କୌତୁକ କବି ଯଦୁମଣି ଭଗବାନ ହୟଗ୍ରୀବ ମନ୍ତ୍ର ସିଦ୍ଧ କରି ହୟଗ୍ରୀବଙ୍କ ପ୍ରସାଦରୁ ଜଣେ ପ୍ରତ୍ୟୁତ୍ପନ୍ନମତି କବିରେ ରୂପାନ୍ତରିତ ହୋଇ ଥିଲେ l ତାଙ୍କ ସମ୍ବନ୍ଧରେ ଏକ ଚମତ୍କାର କାହାଣୀ ରହିଛି l
କୁହାଯାଏ ଘୁମୁସରର ବିଖ୍ୟାତ ପଣ୍ଡିତ ଭଗବାନ ଶ୍ରୀକବିରାଜ ବାହିନୀ ପତି କବି ଯଦୁମଣିଙ୍କ ଗୁରୁ ଥିଲେ l ଗୁରୁ ଶ୍ରୀବାହିନୀପତି ଯଦୁମଣିଙ୍କୁ ଅଭୀଷ୍ଠ ସିଦ୍ଧି ପାଇଁ ହୟଗ୍ରୀବ ମନ୍ତ୍ର ସାଧନା ପାଇଁ ନିର୍ଦ୍ଦେଶ ଦେଲେ l ଏହିମନ୍ତ୍ର ଥିଲା, ‘ଓଁ ଅଭୀଷ୍ଠ ସିଦ୍ଧିମ୍ ମେ ଦେହି ଶରଣାଗତ ବତ୍ସଳମ୍’l ଏକ ଶହ ଦଶ ଦିନ ଏହି ମନ୍ତ୍ର ଜପ କରିବା ପରେ ଯଦୁମଣି ଜ୍ବରାକ୍ରାନ୍ତ ହୋଇ ଅବଶିଷ୍ଟ ଦଶଲକ୍ଷଥର ମନ୍ତ୍ରଜପ କରିପାରି ନଥିଲେ l ଏଣୁ, ସେ ଆରାଧ୍ୟଙ୍କ ଅନୁକମ୍ପା ଲାଭରୁ ବଞ୍ଚିତ ହୋଇ, ଜୀବନ ସାରା ଦାରିଦ୍ର୍ୟତା ମଧ୍ୟରେ କାଳ କଟାଇ ଥିଲେ l
ସେ ପରେ ସୁସ୍ଥହୋଇ ଗୁରୁ ଉପଦେଶ କ୍ରମେ ଶ୍ରୀ ହୟଗ୍ରୀବଙ୍କ ଏକାଦଶାକ୍ଷର ମନ୍ତ୍ର ” ଓଁ ହୟଗ୍ରୀବାୟ ନମଃ ସ୍ୱାହା ଓଁ ” ସାଧନା କଲେ l ଯଦୁମଣିଙ୍କ ଏହି ମନ୍ତ୍ର ଜପ ଆଷାଢ଼ ଶୁକ୍ଳ ଦଶମୀରେ ଶେଷହେଲା l ସେଦିନ ରାତିରେ କବି ଦେଖିଲେ ଶଙ୍ଖ,ଚକ୍ର, ଗଦା, ପଦ୍ମ ଧାରୀ ଅଶ୍ୱମୁଖ ପ୍ରଭୁ ହୟଗ୍ରୀବ ତାଙ୍କ ଆଗରେ ପ୍ରକଟହୋଇ ବର ଯାଚୁଛନ୍ତି l ପ୍ରଭୁଙ୍କ ଏପରି ରୁପକୁ ଦେଖି ଯଦୁମଣି ହସିଉଠି କହିଲେ,ହେ ପ୍ରଭୁ, ମୁଁ ଆପଣଙ୍କୁ କି ବର ମାଗିବି, ଆଗେ କୁହନ୍ତୁ, ଆପଣ ଚାରି ହାତରେ ତ ଚାରି ଆୟୁଧ ଧରିଛନ୍ତି, ତୁମ ନାକ ତ ସବୁବେଳେ ସୁଡ଼ୁ ସୁଡ଼ୁ ହେଉଛି, ତୁମେ ସିଂଘାଣି ପୁଣି କେମିତି ପୋଛୁଛ ?
ପ୍ରଭୁ ହସିଦେଇ କହିଲେ, ବତ୍ସ ! ତୁ ନିଶ୍ଚିନ୍ତ ପଣ୍ଡିତ ବୋଲାଇବୁ l ତୁ ମୋତେ ପରିହାସ କଲୁ, ତେଣୁ ତୁ ଜଣେ ହାସ୍ୟ ରସିକ କବି ଭାବେ ପ୍ରତିଷ୍ଠା ଲାଭ କରିବୁ l ଦେଖ ! ତୋ ପରିହାସରେ କୁପିତ ହୋଇ ପଦ୍ମାଳୟା ଲକ୍ଷ୍ମୀ ମୋ ବାମାଙ୍ଗରୁ ଚାଲି ଗଲେଣି l ତୋତେ ବୀଣାପାଣି ନିଶ୍ଚୟ ବରଦାୟକ ହେବେ l
ଏହିପରି ପ୍ରଭୁ ହୟଗ୍ରୀବଙ୍କ କୃପାରୁ କବି ଯଦୁମଣି ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ଜଣେ ହାସ୍ୟରସର କବି ଭାବେ ପ୍ରତିଷ୍ଠା ପାଇଥିଲେ l ସେ ଓଡ଼ିଶାର ଘରେ ଘରେ ଉତ୍କଳଘଣ୍ଟ ନାମରେ ପରିଚିତ l ହୟଗ୍ରୀବ ଭଗବାନଙ୍କ ଆଶିଷ କଥା ବର୍ଣ୍ଣନାକରି ସେ ନିଜେ କହିଛନ୍ତି :-
ହୟଗ୍ରୀବ ମହାପ୍ରଭୁ ପ୍ରତାପେ l
ଥୋଡ଼ା ନୁହେଁ ଲୋଡ଼ା କରନ୍ତି ନୃପେ ll
ଯୋଡ଼ାହେବା ମୋ ପ୍ରୈାଢି଼ କବିତାକୁ l
ବଳି ବଳି ରସ ଦାନୀ କର୍ଣ୍ଣକୁ ll
ଭଲେ ଭଲ, ଖଣ୍ଟେ ଖଣ୍ଟ ଯେ,
ନବ ଦୁର୍ବାଦଳ ଶ୍ୟାମଳ କୃପାରୁ,
ମୋ ନାମ ଉତ୍କଳ ଘଣ୍ଟ ଯେ ll
***
ପ୍ରଭୁ ଭକ୍ତର ସର୍ଵ ପାପ ହରଣ କରୁଥିବାରୁ ତାଙ୍କ ନାମ ହରି l ମୂରାସୁର ଦୈତ୍ୟକୁ ବଧ କରିଥିବାରୁ ତାଙ୍କ ନାମ, ମୁରାରୀ ଓ ମଧୁ, କୈଟଭ ଦୈତ୍ୟଙ୍କୁ ବଧ କରି ତାଙ୍କ ନାମ ମଧୁକୈଟଭାରୀ l
!!! ଓଁ ନମଃ ନାରାୟଣାୟଃ !!!
🙏🙏🙏
ଅର୍ଜୁନୀ ଚରଣ ବେହେରା
ମୋ -7693091971