ଭକ୍ତିର ଶକ୍ତି

Share it

ସ୍ୱାମୀ ବିବେକାନନ୍ଦଙ୍କ ବାଲ୍ୟ ଜୀବନର ଗୋଟିଏ ଘଟଣା । ବାଲ୍ୟକାଳରେ ସ୍ୱାମୀଜୀଙ୍କ ନାମ ଥିଲା ନରେନ୍ଦ୍ର । ଶ୍ରଦ୍ଧାରେ ସଭିଏଁ ଡାକୁଥିଲେ ନରେନ । ନରେନ ଛାତ୍ର ଥିବା ବେଳେ ତାଙ୍କୁ ଜଣେ ସଂସ୍କୃତ ପଣ୍ଡିତ ସଂସ୍କୃତ ଶିକ୍ଷାଦେଉଥିଲେ । ନାମ ତାଙ୍କର ପଣ୍ଡିତ ଶିବରାମ । ସେ ଥିଲେ ଜଣେ ଶିବଭକ୍ତ ଓ ଧୂରୀଣ ପଣ୍ଡିତ ।

ପଣ୍ଡିତ ଶିବରାମ ଘୋର ଅଭାବ ଅନାଟନ ମଧ୍ୟରେ ଗତି କରୁଥିଲେ ହେଁ ସେ ଏହା କେବେ କାହା ଆଗରେ ପ୍ରକାଶ କରୁନଥିଲେ ।

ଏକଦା ବେଶ କିଛିଦିନ ଧରି ପଣ୍ଡିତ ଶିବରାମଙ୍କ ପରିବାର ଅଭୁକ୍ତ ରହିଥାନ୍ତି,ମାତ୍ର ସେ କିଛି ଚିନ୍ତା ନକରି ସ୍ୱାଭାବିକ ଭାବେ ନରେନଙ୍କୁ ଶିକ୍ଷା ଦାନ କରି ଚାଲିଥାନ୍ତି । ସେଦିନ ସେ ପାଠ ପଢ଼ାଉଥାନ୍ତି ନରେନଙ୍କୁ, ଡାକବାଲା ଜଣେ ଆସି ପଣ୍ଡିତଜୀଙ୍କୁ ଦଶ ଟଙ୍କାର ମନି ଅର୍ଡରଟିଏ ଦେଇ ଚାଲିଗଲା । ଡାକଵାଲା ଦେଇଯାଇଥିବା ମନିଅର୍ଡର ରସିଦକୁ ପଢ଼ି, ଶିବରାମଙ୍କ ଆଖି ଛଳ ଛଳ ହୋଇଗଲା ।

ନରେନ ଏହା ଲକ୍ଷ୍ୟ କରି ପଚାରିଲେ, ଗୁରୁଜୀ ! ସେ ରସିଦଟିରେ କଅଣ ଲେଖାଅଛି ଯେ ଆପଣ ତାକୁ ପଢ଼ି ଏତେ ଭାଵ ପ୍ରବଣ ହୋଇ ପଡ଼ିଛନ୍ତି । କଅଣ କିଛି ଦୁଃଖଦ ଖବର ଅଛି କି?

ଗୁରୁଜୀ କହିଲେ, ପ୍ରିୟ ନରେନ, ନାଁ ସେମିତି କିଛି ନାହିଁ । ଈଶ୍ୱର କେଡ଼େ ଦୟାଵନ୍ତ ଏହିକଥା ଭାବି ମୁଁ କୃତଜ୍ଞତାରେ ଲୋତକାପ୍ଳୁତ ହୋଇ ଯାଇଛି ।

ଏତକ କହି ସାରି, କୌତୁହଳୀ ଛାତ୍ର ନରେନଙ୍କୁ ଗୁରୁଜୀ ରସିଦଟି ବଢ଼ାଇ ଦେଲେ ପଢ଼ିବା ପାଇଁ । ରସିଦଟିକୁ ପଢ଼ି ନରେନ ମଧ୍ୟ କାନ୍ଦି ପକାଇଲେ ।

ସେ ରସିଦରେ ଲେଖା ଥିଲା,” କାଲି ରାତିରେ ମୁଁ ନିଦ୍ରାମଗ୍ନ ଥିଲାବେଳେ ସ୍ବପ୍ନ ଦେଖିଲି, ଭଗବାନ ଭୋଳା ଶଙ୍କର ମୋତେ କହୁଛନ୍ତି, ମୋର ଜଣେ ଭକ୍ତ, ପଣ୍ଡିତ ଶିବଶଙ୍କର, କଲିକତାରେ ରହୁଛି । ସେ ଓ ତାଙ୍କ ପରିବାର ଗତ ତିନିଦିନଧରି ଅଭୁକ୍ତ ରହିଛନ୍ତି । ମୋର ସେ ଦରିଦ୍ର ଭକ୍ତକୁ ତୁମେ କିଛି ସାହାଯ୍ୟ କରନା ।

ଭଗବାନ ଶଙ୍କରଙ୍କ ଆଜ୍ଞାରେ ଏହି ଅର୍ଥ ପଠାଇଲି । ସାଦରେ ଗ୍ରହଣ କରିବେ । ମୁଁ ବାରାଣାସୀରେ ବାସ କରେ । ବାବା ବିଶ୍ୱନାଥ ମୋତେ ସ୍ୱପ୍ନରେ ଆପଣଙ୍କ ନାମ ଓ ଠିକଣା କହି ଦେଇଛନ୍ତି “।

ପ୍ରକାଶ ଥାଉ, ସେ ସମୟରେ ଦଶ ଟଙ୍କାର ମୂଲ୍ୟ ଅନେକ କିଛି ଥିଲା ।

ନରେନ ରସିଦଟିକୁ ପଢ଼ିସାରି କହିଲେ, ଗୁରୁଜୀ ଆପଣ ଏତେ ଅନାଟନ ମଧ୍ୟରେ ଗତି କରୁଛନ୍ତି, କିନ୍ତୁ ମୋତେ ଜଣାଇ ନାହାଁନ୍ତି କାହିଁକି ?

ଗୁରୁଜୀ କହିଲେ, ନରେନ ! ମୋର ଯତ୍ନ ଯେତେବେଳେ ପିତା ପରମାତ୍ମା ନେଉଛନ୍ତି ସେତେବେଳେ ଆଉ କାହାକୁ କହିବାର କି ଆବଶ୍ୟକତା ଅଛି !

ସ୍ୱାମୀ ବିବେକାନନ୍ଦ ସେଦିନ ଗୁରୁଜୀଙ୍କ କଥାଶୁଣି ସ୍ତମ୍ଭିଭୂତ ହୋଇଯାଇଥିଲେ । ଗୁରୁ ଭକ୍ତିରେ ତାଙ୍କ ମଥା ନଇଁ ଯାଇ ଥିଲା । ସେ ଅନୁଭବ କରିଥିଲେ ଭକ୍ତିର ଶକ୍ତି । ଈଶ୍ୱରାନୁରାଗର ସ୍ଫୁଲିଙ୍ଗଟିଏ ତାଙ୍କ ହୃଦୟ ମଧ୍ୟରେ ଅଙ୍କୁରିତ ହୋଇଥିଲା ।

ପରବର୍ତ୍ତୀ କାଳରେ ସେ ଈଶ୍ୱରୋପଲବ୍ଧି ଲାଭ କରି ମନୁଷ୍ୟ ସମାଜକୁ ବାର୍ତ୍ତା ଦେଇଥିଲେ :-
“Arise ! Awake ! And stop not till the goal is reached.”

🙏🙏🙏
ଅର୍ଜୁନୀ
————-
ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights