ଭକ୍ତର ବସ୍ତ୍ର ଛଡ଼ାଇନେଲେ ଶ୍ରୀରାଧା

Share it

ଭକ୍ତର ବସ୍ତ୍ର ଛଡ଼ାଇନେଲେ ଶ୍ରୀରାଧା
===================

ବହୁଦିନ ତଳର କଥା l ବର୍ସାନା ଶ୍ରୀରାଧାରାଣୀଙ୍କ ଜନ୍ମସ୍ଥାନ ନିକଟରେ ଜଣେ ସନ୍ଥ ବାସ କରୁଥିଲେ l ପ୍ରତିଦିନ ଭିକ୍ଷା କରି ଯାହା ମିଳେ ସେଇଥିରେ ଚଳି ଯାଆନ୍ତି l ବଡ଼ିଭୋରରୁ ଉଠି ସେ ଯମୁନାରେ ଯାଇ ସ୍ନାନକରନ୍ତି ଓ ସ୍ନାନସାରି ମନ୍ଦିର ଯାଇ ଶ୍ରୀରାଧାଙ୍କ ଦର୍ଶନ କରନ୍ତି l ଶ୍ରୀରାଧାଙ୍କ ଦର୍ଶନ ବିନା ସେ ଜଳ ତୁଳସୀ କଛି ମଧ୍ୟ ସ୍ପର୍ଶ କରନ୍ତି ନାହିଁ l ଏପରି ଥିଲା ସନ୍ଥଙ୍କ ଦିନଚର୍ଯ୍ୟା l

ଏପରି ଦିନଚର୍ଯ୍ୟାରେ ସନ୍ଥ ଆସି ବୃଦ୍ଧ ବୟସରେ ଉପନୀତ ହେଲେ,ତଥାପି ସେ ବହୁକଷ୍ଟରେ ଯାଇ ଶ୍ରୀରାଧାରାଣୀଙ୍କ ନିୟମିତ ଦର୍ଶନ କରନ୍ତି l ଦିନେ ତାଙ୍କ ମନକୁ ଭାବନା ଆସିଲା, ଆରେ ଭକ୍ତମାନେ ପ୍ରତିଦିନ ଆସି ରାଈ କିଶୋରୀଙ୍କୁ କେତେ କେତେ ନୈବେଦ୍ୟ ଦେଉଛନ୍ତି l କିଏ ଶାଢ଼ୀ ଦେଉଛି କିଏ ଚୁଡ଼ି l ପୁଣି କିଏ ଷୋଳ ଶୃଙ୍ଗାରରେ କିଶୋରୀଙ୍କୁ ଶୃଙ୍ଗାର କରୁଛି l ଆଃ ! ମୋ ଜୀବନଟା ବ୍ୟର୍ଥରେ ଗଲା, ମୁଁ ଆଜିପର୍ଯ୍ୟନ୍ତ ମୋ ଲାଡଲି ରାଈଙ୍କୁ କିଛି ଦେଇ ପାରିଲି ନାହିଁ l ନାଆଁ ଆଉ ନୁହେଁ l ଯାଉଛି ଏଥର, ରାଈ କିଶୋରୀ ପାଇଁ ସୁନ୍ଦର ବସ୍ତ୍ର ଖଣ୍ଡିଏ ଆଣିଦେବି, ଯାହାକୁ ପିନ୍ଧି ମୋ ଲାଡଲି ରାଈ ଖୁବ୍ ସୁନ୍ଦର ଦେଖାଯିବ l

ଏପରି ଭାବି ବୃଦ୍ଧସନ୍ଥ ଦିନେ ଠୁକୁଠୁକୁ ଚାଲି ଯାଇ ବଜାରରୁ ଝିଲିମିଲି ଚୁନରି କପଡ଼ା ଲେହଙ୍ଗା ରଙ୍ଗ ବେରଙ୍ଗର ଜରି, ବୋତାମ, ଆଦି କିଣି ଆଣିଲେ l ସେ କୁଟୀରରେ ବସି ବହୁ ଶ୍ରମକରି ନିଜ ହାତରେ ତାକୁ ସିଲାଇକଲେ l ଗୋଟିଏ ସୁନ୍ଦରବସ୍ତ୍ର ତିଆରି ହୋଇଗଲା l ବସ୍ତ୍ରଟିକୁ ତନ୍ନତନ୍ନ କରି ଦେଖିଗଲେ ବାବା l ତାଙ୍କ ଆନନ୍ଦ କହିଲେ ନ ସରେ l

ପରଦିନ ପ୍ରଭାତ ହେଲା l ସନ୍ଥ ଯମୁନା ସ୍ନାନ ସାରି ବାହାରିଲେ ଶ୍ରୀରାଧାଙ୍କ ଦର୍ଶନପାଇଁ l ହସ୍ତରେ ଅତି ଯତ୍ନରେ ଧରିଥାନ୍ତି, ହାତ ବୁଣା ବସ୍ତ୍ରଟିକୁ l ମନରେ ଅଫୁରନ୍ତ ଆନନ୍ଦ ଆଜି ମୋ ଲାଡଲୀ ଏହାକୁ ପିନ୍ଧି କେଡ଼େ ସୁନ୍ଦର ଦେଖାଯିବ l ବାବା ଚାଲିଛନ୍ତି ଏହି ସମୟରେ କୁଆଡ଼ୁ ଏକ କୁନି ଝିଅ ଆସି ତାଙ୍କ ପଥ ଓଗାଳି କହିଲା,’ ବାବା ! ଏତେ ସକାଳୁ ଶୀତରେ ଥରି ଥରି, ଆପଣ କୁଆଡ଼େ ଚାଲିଛନ୍ତି କି l ଆପଣ ଭାରିଖୁସି ଜଣା ପଡ଼ୁଛନ୍ତି,କଥା କଅଣ !’ ଝିଅଟିର କଥା ଶୁଣି ବାବା କହିଲେ, ଆଜି ମୋ କିଶୋରୀକୁ ଏ ନିଜ ହାତବୁଣା ଲୁଗା ଖଣ୍ଡକ ପିନ୍ଧାଇବି l ମୋର କେତେ ଦିନର ଅଭିଳାଷ ପୂରଣ ହେବ l ସେ ଖୁବ୍ ସୁନ୍ଦର ଦେଖାଯିବ l ଖୁସିହେବି ନାହିଁ l

ବାଳିକାଟି କହିଲା, ଆଚ୍ଛା ! କଥା ତାହେଲେ ଏମିତି l ହେଉ ! ମୋତେ ଟିକେ ତୁମ ଲୁଗାଟି ଦେଖାଇଲ l ଦେଖେ, ତୁମେ କେମିତି ବୁଣିଛ l ସନ୍ଥ ବଢ଼ାଇଦେଲେ ଲୁଗା ଖଣ୍ଡିକ ବାଳିକା ହାତକୁ l ଲୁଗାକୁ ଦେଖି ବାଳିକାଟି ଭାରି ଖୁସିହୋଇ କହିଲା, ବଡ଼ସୁନ୍ଦର ହେଇଛି ତ l ରାଧା ରାଣୀଙ୍କୁ ତ କେତେ ଲୋକ କେତେ କେତେ ବସ୍ତ୍ର ଅଳଙ୍କାର ଦେଉଛନ୍ତି l ତୁମେ ଏ ଲୁଗା ଖଣ୍ଡିକ ମୋତେ ଦେଉନ l ମୁଁ ପିନ୍ଧନ୍ତି ମୋର ନାହିଁ l

ବାବା କହିଲେ, ନାଆଁରେ ଝିଅ, ମୁଁ ଏଇଟି ନେଉଛି ତାକୁ ପିନ୍ଧେଇବି l ତୁ ଯଦି କହୁଛୁ,ତୋପାଇଁ ଆଉ ଖଣ୍ଡେ ଲୁଗା ମୁଁ କାଲି ବଜାର ଯାଇ କିଣି ଆଣିବି l ଏପରି କଥୋପକଥନ ଭିତରେ ବାଳିକାଟି, ନାଁ ମୁଁ ଏଇଟା ନେବି,ଏଇଟିକୁ ନେବି କହି, ଚମ୍ପଟ ମାରିଲା l

ସନ୍ଥ ମନମାରି ଯାଇ ମନ୍ଦିରରେ ପହଁଚିଲେ l ଘଣ୍ଟା ଘଣ୍ଟ ନାଦ ଭିତରେ ଯଥାସମୟରେ ମନ୍ଦିର ପହୁଡ଼ ଖୋଲିଲା l କିନ୍ତୁ ଏ କଅଣ ! ସନ୍ଥ ଦେଖୁଛନ୍ତି ସେ ଯେଉଁ ବସ୍ତ୍ର ଖଣ୍ଡକ ଆଣିଥିଲେ ରାଧାରାଣୀ ସେହି ବସ୍ତ୍ରରେ ଶୃଙ୍ଗାର ହୋଇ, ଭାରି ସୁନ୍ଦର ଦିଶୁଛନ୍ତି l

ବାବା, ଆଉ କୋହ ସମ୍ଭାଳି ପାରିଲେ ନାହିଁ l ଅଶ୍ରୁ ଗଦଗଦ ହୋଇ ସେ କହିଉଠିଲେ, ସତରେ ମାଆ ତୁମେ ଭକ୍ତ ମନୋବାଞ୍ଛା ପୂରଣ କାରିଣୀ l କେତେ ଦୟା ତୋର l ଟିକିଏ ସୁଦ୍ଧା ଧୈର୍ଯ୍ୟ ରଖିଲୁ ନାହିଁ l ନିଜେ ମୋ ହାତରୁ ବସ୍ତ୍ର ଛଡ଼ାଇ ନେଲୁ l

🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧


Share it

Leave a comment

Your email address will not be published. Required fields are marked *

Verified by MonsterInsights