ଭକତବନ୍ଧୁ ଦାମୋଦର : ସୁଦାମାଙ୍କ ଘର ଗୁଜୁରାଟର ପୋରବନ୍ଦର ସହରରେ ଥିଲା

Share it

ଦିବ୍ୟବନ୍ଧୁ କୃଷ୍ଣ ସୁଦାମା
=============

ବିଦ୍ୟାଶିକ୍ଷା ଓ ବିଦ୍ୟାର୍ଜନ ପ୍ରତ୍ୟକ ମାନବର ଏକ ସର୍ବକାଳର ଆବଶ୍ୟକତା । ସ୍ୱୟଂ ଭଗବାନ ରାମ ଅବତାରରେ ବଶିଷ୍ଟଙ୍କୁ, କୃଷ୍ଣ ଅବତାରରେ ମହର୍ଷି ସାନ୍ଦୀପନିଙ୍କୁ, ଗୁରୁ ଭାବେ ଗ୍ରହଣ କରି ମନୁଷ୍ୟକୁ ଏହା ଶିକ୍ଷାଦେଇଛନ୍ତି ।

ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଓ ବଳରାମ ଗୁରୁ ସାନ୍ଦୀପନିଙ୍କ ଗୁରୁକୁଳ ଠାରେ ରହି ବିଦ୍ୟାଶିକ୍ଷା କରୁଥିବାବେଳେ ତାଙ୍କର ପରମ ମିତ୍ର ଥିଲେ ବ୍ରାହ୍ମଣ ସୁଦାମା । ସର୍ବ ଶାସ୍ତ୍ରଜ୍ଞ ବ୍ରାହ୍ମଣ ସୁଦାମା ପ୍ରଭୁଙ୍କର ମିତ୍ର ହେବା ସହ ଥିଲେ ପ୍ରଭୁଙ୍କର ପରମ ଭକ୍ତ ।

ସାନ୍ଦୀପନିଙ୍କ ଗୁରୁକୁଳ ନିକଟରେ ଗୋଟିଏ ଗ୍ରାମ ଥିଲା । ଗ୍ରାମରେ ଜଣେ ଅତି ଗରିବ ବ୍ରାହ୍ମଣୀ ରହୁ ଥିଲେ । ଭିକ୍ଷାଟନରୁ ଯାହା ମିଳେ ସେଥିରେ ତାଙ୍କ ପରିବାର ଚଳିଯାଏ । ଦିନେ ବ୍ରାହ୍ମଣୀଙ୍କୁ ଭିକ୍ଷାରେ କିଛି ଚଣା ମିଳିଥିଲା । ତାକୁ ପୁଟୁଳିରେ ବାନ୍ଧି ସେ ଘରେ ରଖିଥିଲେ । ତା’ ପରଦିନ ସକାଳୁ ପିଲାଙ୍କୁ ବ୍ରହ୍ମଣୀ ଚଣା ଖାଇବାକୁ ଦେଇଥାନ୍ତେ ।

ଦୁର୍ଭାଗ୍ୟକୁ ସେଦିନ ରାତିରେ ତାଙ୍କ ଘରେ ଚୋରମାନେ ପଶି ପୁଟୁଳିରେ ଥିବା ସେ ଚଣାକୁ ସୁନାଭାବି ଚୋରାଇ ନେଲେ । ଚୋର ମାନେ ପଳାଇ ଯିବା ବେଳେ ଗାଁ ଲୋକଙ୍କ ହାବୁଡରେ ପଡିଗଲେ । ଗାଆଁ ଲୋକେ ଚୋରଙ୍କୁ ଗୋଡାଇଲେ। ସେମାନେ ଦୌଡ଼ି ଯାଇ ଋଷି ସାନ୍ଦିପନୀଙ୍କ ଆଶ୍ରମରେ ପଶିଗଲେ। ଚୋରି କରି ଆଣିଥିବା ଚଣାପୁଟୁଳିକୁ ଚୋରମାନେ ସେହି ଋଷିଙ୍କ ଆଶ୍ରମରେ ଛାଡି ପଳାଇଗଲେ। ପରଦିନ ସକାଳେ କୃଷ୍ଣ,ବଳରାମ ଏବଂ ସୁଦାମା ଆଶ୍ରମର ଗୋରୁ ମାନଙ୍କୁ ନେଇ ବଣକୁ ଚରାଇବା ନିମନ୍ତେ ବାହାରିଲେ। ଗଲାବେଳେ ଗୁରୁମାତା ସେହି ଚଣା ପୁଟୁଳିଟିକୁ ସୁଦାମାଙ୍କୁ ଦେଇ କହି ଥିଲେ ଭୋକ ଲାଗିଲେ ସମସ୍ତେ ବାଣ୍ଟି କରି ଖାଇବ।

ଚୋର ମାନେ ଚଣା ପୁଟୁଳିଟି ନେଇଯାଇ ଥିବାରୁ ବ୍ରାହ୍ମଣୀଙ୍କ ଘରେ ତା ପରଦିନ ସକାଳେ ଖାଇବା ପାଇଁ ଦାନାଟେ ବି ନଥାଏ । ସେ କ୍ରୋଧିତା ହୋଇ ଅଭିଶାପ ଦେଲେ, ସେହି ଚଣା ଯିଏ ଖାଇବ ସେ ତାଙ୍କରି ଭଳି ଦରିଦ୍ର ହୋଇଯିବ । ବିଦ୍ୱାନ ବ୍ରାହ୍ମଣ ସୁଦାମା ସେହି ଚଣା ଶାପଗ୍ରସ୍ତ ବୋଲି ଜାଣି ପାରି ଥିଲେ । ବନ୍ଧୁଙ୍କୁ ଦାରିଦ୍ର୍ୟତାରୁ ମୁକ୍ତ ରଖିବା ଲାଗି ସେ ଏକା ଏକା ସେହି ଚଣାତକ ଖାଇ ସାରିଦେଇ ଥିଲେ । କୃଷ୍ଣ ତାଙ୍କୁ ମାଗିଲା ବେଳକୁ ଆଉ ଚଣା ନଥିଲା । ଏହି କାରଣରୁ ବିପ୍ର ସୁଦାମା ନିଜପାଇଁ ଚିର ଦାରିଦ୍ର୍ୟ ବରି ନେଇଥିଲେ।

ଆଉ କେତେକ କାହାଣୀରେ ଶୁଣାଯାଏ ଯେ କୃଷ୍ଣଙ୍କ ପାଇଁ ଉଦ୍ଦିଷ୍ଟ ଚଣାକୁ ବିପ୍ର ସୁଦାମା ଚୋରାଇ ଖାଇ ଦେଇଥିବା କାରଣରୁ ତାଙ୍କ ଭାଗ୍ୟରେ ଚିର ଦାରିଦ୍ର୍ୟ ଲେଖା ହୋଇ ଯାଇଥିଲା ।

ବିଦ୍ୟା ସମାପ୍ତପରେ ଗୁରୁକୁଳରୁ ସମସ୍ତେ ବିଦାୟ ନେଇ ଚାଲିଗଲେ। ସୁଦାମା କାଳ କ୍ରମେ ବିବାହ କରି ପିଲାଛୁଆଙ୍କ ସହ ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ସୁଦାମାପୁରୀରେ ( ପୋରବନ୍ଦର ) କାଳାତିପାତ କରୁଥାନ୍ତି, ଭିକ୍ଷାରେ ଯାହା ମିଳେ ସେଥିରେ ତାଙ୍କ ପରିବାର ଚଳେ, ଦିନେ ଥିଲେ ଆରଦିନକୁ ନାହିଁ ।

ସେପଟେ କଂସ ନିଧନ ପରେ ଭଗବାନ ଶ୍ରୀକୃଷ୍ଣ ଜରାସନ୍ଧର ଅସହ୍ୟ ଆକ୍ରମଣରେ ଅତିଷ୍ଠ ହୋଇ ଯଦୁବଂଶୀଙ୍କୁ ସାଥିରେ ଧରି ସାଗର ପରିବେଷ୍ଟିତ ଐଶ୍ୱର୍ଯ୍ୟମୟୀ ନଗରୀ ଦ୍ୱାରିକା ନିର୍ମାଣକରି ତାଙ୍କ ଅଷ୍ଟ ପାଟବଂଶୀଙ୍କ ସହ ମହା ଐଶ୍ୱର୍ଯ୍ୟରେ ବାସ କରୁଥାନ୍ତି ।

ଉତ୍କଟ ଦାରିଦ୍ର୍ୟ ମଧ୍ୟରେ ପେଷି ହୋଇ ସୁଦାମାଙ୍କୁ ଦିନେ ପତ୍ନୀ ସୁଶୀଳା କହିଲେ,” ସ୍ବାମୀ ! ଯାଦବ ଶ୍ରେଷ୍ଠ ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି, ତୁମ ସଖା । ପ୍ରଭୁ ଭକ୍ତବତ୍ସଳ, ବ୍ରାହ୍ମଣଙ୍କ ହିତକାରୀ । ସାକ୍ଷାତ ଲକ୍ଷ୍ମୀ ସ୍ୱରୂପା ରୁକ୍ମିଣୀ ତାଙ୍କ ପତ୍ନୀ । ତାଙ୍କୁ ଯାଇ ତୁମେ ଆମର ଏ ଦାରିଦ୍ର୍ୟ କଥା ଜଣାଇଲେ, ସେ ଶରଣବତ୍ସଳ ପ୍ରଭୁ ନିଶ୍ଚୟ ଶୁଣନ୍ତେ ଏବଂ ଆମର ଦାରିଦ୍ର୍ୟ ଫେଡ଼ି ପାରନ୍ତେ । ସିଏ ଜଗତର ଗୁରୁ । ତାଙ୍କର ପାଦପଦ୍ମ ସ୍ମରଣ କରୁଥିବା ଵ୍ୟକ୍ତିକୁ ସେ ସବୁକିଛି ଏପରିକି ନିଜକୁ ମଧ୍ୟ ଦେଇପାରନ୍ତି ।”

ବିପ୍ରପତ୍ନୀ ଏହିଭଳି ବାରମ୍ବାର କହିବାରୁ ବ୍ରାହ୍ମଣ ସୁଦାମା ଟିକିଏ ହଁ ନାହିଁ ମଧ୍ୟରେ ପ୍ରସ୍ତୁତ ହେଲେ ଦ୍ଵାରକା ଯିବା ପାଇଁ । ସେ ତ ଭଗବାନଙ୍କ ପରମ ଭକ୍ତ ଥିଲେ, ଏଣୁ ମନେ ମନେ ସେ ବିଚାର କଲେ, କିଛି ନହେଉ ପଛକେ ଅନ୍ତତଃ ଭଗବାନଙ୍କ ଦର୍ଶନ ତ ହୋଇଯିବ !

କୃଷ୍ଣଙ୍କ ନିକଟକୁ ଯିବାକୁ ମନ ସ୍ଥିର କରି ପତ୍ନୀଙ୍କୁ କହିଲେ, “ହେ କଲ୍ୟାଣୀ, ଏତେଦିନ ପରେ ବନ୍ଧୁଙ୍କ ନିକଟକୁ ଯିବି, କ’ଣ ଖାଲି ହାତରେ ଯିବି, ତୁମେ ଘରେ କ’ଣ ଅଛି ଦିଅ ମୁଁ ବନ୍ଧୁଙ୍କୁ ନେଇ ଉପହାର ଦେବି ।” ଘରେ ତ କିଛି ନାହିଁ !!! ବ୍ରାହ୍ମଣୀ ପଡ଼ିଶା ଘରୁ ଚାରି ମୁଠା ଚୂଡ଼ା ମାଗି ଆଣି ଖଣ୍ଡେ କନାରେ ବାନ୍ଧି ସୁଦାମାଙ୍କ ହସ୍ତରେ ଧରାଇ ଦେଲେ ବନ୍ଧୁଙ୍କ ଉପହାର ପାଇଁ ।

ପୁଟୁଳାଟିକୁ ମଇଳା ଗାମୁଛାରେ ଗୁଡ଼ାଇ ଧରି ସୁଦାମା ଚାଲିଲେ ବାଲ୍ୟବନ୍ଧୁଙ୍କ ଘର ଦ୍ଵାରକା ଆଡ଼େ । ବାଟ ଯାକ ଚିନ୍ତା କେମିତି ଯାଇ ବନ୍ଧୁଙ୍କୁ ଭେଟ କରିବେ । ଦ୍ୱାରକାରେ ପହଞ୍ଚି ସେ ଅନ୍ୟ ବ୍ରାହ୍ମଣଙ୍କ ମେଳରେ ତିନିଟି ସେନାଛାଉଣୀ ଓ ତିନୋଟି ଅଗଣା ଅତିକ୍ରମ କଲେ । ତା’ ପରେ ସେ ଅନ୍ଧକ ଓ ଵୃଷ୍ଣିବଂଶୀ ଯାଦବ ମାନଙ୍କ ମହଲରେ ପ୍ରବେଶ କଲେ । ସେଠି ପହଞ୍ଚିବା ଏତେ ସହଜ ନ ଥିଲା । ଯେଉଁ ଠାରେ ଶ୍ରୀକୃଷ୍ଣଙ୍କ ଷୋହଳ ହଜାର ରାଣୀ ରହୁଥିଲେ ସେହି ଗୃହ ମଧ୍ୟରୁ ଏକ ଅତି ରମଣୀୟ ଗୃହ ମଧ୍ୟରେ ସେ ପ୍ରବେଶ କରି ପରମ ତୃପ୍ତି ଲାଭ କଲେ । ଶ୍ରୀକୃଷ୍ଣ ସେତେବେଳେ ତାଙ୍କ ପ୍ରିୟତମା ପତ୍ନୀ ରୁକ୍ମିଣୀଙ୍କ ସହ ପଲ୍ୟଙ୍କରେ ବସି ଥାନ୍ତି । ଦୂରରୁ ସେ ବ୍ରାହ୍ମଣଙ୍କୁ ଦେଖି ତାଙ୍କ ପାଖକୁ ଦୋଉଡ଼ି ଯାଇ ଅତି ଆନନ୍ଦରେ ଆଲିଙ୍ଗନକଲେ ।
ଭାଗବତ ଅନୁସାରେ :-
ଗୋବିନ୍ଦ ବିପ୍ର ମୁଖ ଦେଖି ।
ଉଠିଲେ ଆସନ ଉପେକ୍ଷି ।।
ପ୍ରିୟାର ସଙ୍ଗ ଛାଡ଼ି ହରି ।
ବିପ୍ରକୁ ଆଲିଙ୍ଗନ କରି ।।

ବିପ୍ରଙ୍କୁ କୋଳାଗ୍ରତ କରି ତାଙ୍କ ଚକ୍ଷୁରୁ ଧାର ଧାର ହୋଇ ଗଡ଼ି ପଡ଼ୁ ଥାଏ ଆନନ୍ଦାଶ୍ରୁ । ତାହା ପରେ ଲୋକ ପାବନ ଭଗବାନ ଶ୍ରୀକୃଷ୍ଣ ସେହି ବିପ୍ରଙ୍କୁ ପାଛୋଟି ନେଇ ପଲଙ୍କ ଉପରେ ବସାଇ ଦେଇ ତାଙ୍କୁ ପୂଜା କଲେ । ପବିତ୍ର ଜଳରେ ତାଙ୍କ ପଦ ପ୍ରକ୍ଷାଳନ କରି ପାଦୋଦକକୁ ମସ୍ତକରେ ଧାରଣ କଲେ । ଏହାପରେ ସୁଗନ୍ଧି ଧୂପ ଓ ଦୀପାଳିରେ ଶ୍ରୀକୃଷ୍ଣ ତାଙ୍କର ଆରତୀ କଲେ । ବିପ୍ରଙ୍କୁ ତାମ୍ବୁଳ ସେବା କରାଇ ତାଙ୍କର କୁଶଳ ଜିଜ୍ଞାସା କଲେ ।

ବ୍ରାହ୍ମଣ ଅତି ମଇଳା ଲୁଗା ଖଣ୍ଡେ ପିନ୍ଧି ଥାନ୍ତି । ଶରୀର ଖୁବ ଦୁର୍ବଳ,ଶିରା ମାନ ଦିଶିଯାଉ ଥାଏ । ଦେବୀ ରୁକ୍ମିଣୀ ମଧ୍ୟ ଚାମର ବ୍ୟଜନ କରି ତାଙ୍କ ସେବା କରିବାରେ ଲାଗିଲେ । ଭଗବାନ ଶ୍ରୀକୃଷ୍ଣ ବ୍ରାହ୍ମଣଙ୍କୁ ଅତି ପ୍ରେମରେ ପୂଜା କରୁଥିବା ଦେଖି ଅନ୍ତପୁରର ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥାନ୍ତି । ସେମାନେ କୁହା କୁହି ହେଲେ,”ଏହି ଶ୍ରୀହୀନ ଅଧମ ଭିକ୍ଷୁକ ଅବଧୂତ କି ଅବା ପୁଣ୍ୟ କରିଥିଲା ଯେ ତ୍ରିଲୋକର ସ୍ବାମୀ ତାଙ୍କର ପୂଜା କରିବାରେ ଲାଗିଛନ୍ତି। ”

ବ୍ରାହ୍ମଣ ଟିକିଏ ସାଷ୍ଟମ ହେଲା ପରେ, ଭଗବାନ ଶ୍ରୀକୃଷ୍ଣ ଓ ସେ ହାତ ଧରାଧରି ହୋଇ ଅତୀତର ସେହି ଗୁରୁ କୁଳରେ ଘଟିଥିବା ଘଟଣା ମାନଙ୍କର ସ୍ମୃତି ରୋମନ୍ଥନ କରିବାକୁ ଲାଗିଲେ । ବ୍ରାହ୍ମଣଙ୍କୁ ଶ୍ରୀକୃଷ୍ଣ କହିଲେ,” ସଖେ ! ଗୁରୁ ଦକ୍ଷିଣା ଦେଇ ଆମେ ଗୁରୁକୁଳ ଛାଡ଼ିବା ବହୁଦିନ ହୋଇଗଲାଣି, ନିଜର ଅନୁରୂପ ଭାର୍ଯ୍ୟା ବିବାହ କରିଛନ୍ତିକି ନାଁ। ମୁଁ ଜାଣେ ତୁମେ ବିଷୟ ବାସନା ଭୋଗ ବିଳାସ ପ୍ରତି ବୀତସ୍ପୃହ।

ତୁମର ମନେଅଛି ସଖା ଆମେ ଗୁରୁ କୁଳରେ ଯେଉଁ ଜ୍ଞାନ ଲାଭ କରି ଥିଲେ । ଏହି ସଂସାରରେ ତିନି ଜଣ ଗୁରୁ ଅଛନ୍ତି । ଜନ୍ମ ଦାତା ପିତା ମନୁଷ୍ୟର ଆଦ୍ୟ ଗୁରୁ । ଉପନୟନ ଆଦି ସଂସ୍କାର କରି ଯିଏ ବେଦ ଶିକ୍ଷା ଦ୍ୱାରା ସତ କର୍ମ କରିବାକୁ ଉପଦେଶ ଦିଅନ୍ତି ସେ ଦ୍ୱିତୀୟ ଗୁରୁ। ବର୍ଣ୍ଣାଶ୍ରମରେ ରହି ବ୍ରହ୍ମବିଦ୍ୟା କିପରି ଲାଭ କରି ହେବ ତାହା ଯିଏ ଶିକ୍ଷା ଦିଅନ୍ତି, ସେ ହେଉଛନ୍ତି ବ୍ରହ୍ମ ସ୍ୱରୂପ ତୃତୀୟ ଗୁରୁ ।

ସଖେ ଆମେ ଗୁରୁ ଗୃହରେ ଥିବା ବେଳେ ଗୁରୁମା ଦିନେ ଆମକୁ କାଠ ଆଣିବା ପାଇଁ ଜଙ୍ଗଲକୁ ପଠାଇ ଥିଲେ । ସେ ଦିନ ଯାହା ଘଟିଥିଲା ତୁମର ମନେ ଅଛି ତ? ସେଦିନ ଆମେ ଘୋର ଜଙ୍ଗଲରେ ଥିବାବେଳେ ଭୟଙ୍କର ଝଡ଼ଵର୍ଷା ହେଲା । ଆମେ ପଥ ହରାଇ ବସି ଥିଲେ । ସନ୍ଧ୍ୟା ହେବାରୁ ଗୁରୁ ଖୋଜି ଖୋଜି ଯାଇ ଆମକୁ ପାଇ ଥିଲେ । ସେଦିନ ଗୁରୁ ଆମକୁ କହିଲେ ସମସ୍ତଙ୍କ ପ୍ରୀୟ ହେଉଛି, ନିଜ ଶରୀର, କିନ୍ତୁ ତୁମେ ତୁମ ଶରୀରକୁ ଖାତିର ନକରି ମୋ ସେବାରେ ଲାଗିଛ । ମୁଁ ଅତି ସନ୍ତୁଷ୍ଟ, ତୁମେମାନେ ଯେଉଁ ଶାସ୍ତ୍ର ଅଧ୍ୟୟନ କରିଛ ତାହା ଇହ ଲୋକ, ପରଲୋକରେ ପୂର୍ଣ୍ଣ ମାତ୍ରାରେ ଫଳଦାୟୀ ହେଉ । ବାସ୍ତବିକ ଗୁରୁଙ୍କ ଋଣମୁକ୍ତ ହେବାକୁ ସତଶିକ୍ଷା ଦ୍ୱାରା ନିର୍ମଳ ଚିତ୍ତରେ ଗୁରୁଙ୍କ ନିକଟରେ ସମ୍ପୂର୍ଣ ସମର୍ପିତ ହେବାକୁ ପଡ଼ି ଥାଏ ।”

ଏହିପରି ବାଲ୍ୟ ବନ୍ଧୁ ଦ୍ବୟଙ୍କର ବହୁ ଅନ୍ତରଙ୍ଗ ଆଲୋଚନା ପରେ ସୁଦାମା କହିଲେ, “ଆପଣ ନିଜେ ବେଦମୟ ବ୍ରହ୍ମ, ଗୁରୁକୁଳରେ ବାସ କରିବା ଥିଲା ବିଡମ୍ବନା ମାତ୍ର”।

ଶ୍ରୀକୃଷ୍ଣ ଏବଂ ସୁଦାମାଙ୍କର ସେହି ମହାମିଳନକୁ ଭାଗବତ ଜୀବ ଓ ପରମଙ୍କ ମିଳନ ବୋଲି କହି ଲେଖିଛନ୍ତି :-
ସେ ପୁରେ ବିପ୍ର ପରବେଶେ ।
ଜୀବ ଯେସନେ ବ୍ରହ୍ମେ ମିଶେ ।।

ଏହାପରେ ଶ୍ରୀକୃଷ୍ଣ କହିଲେ,”ହେ ସଖେ ! ତୁମେ ମୋପାଇଁ ଘରୁ କ’ଣ ନିଶ୍ଚୟ ଆଣିଛ,ତାହା ତୁମେ ମୋତେ ଦେଉନା କାହିଁକି?ମୋତେ ଭକ୍ତିରେ ଯିଏ ଯାହା ଶ୍ରଦ୍ଧାରେ ଦିଏ, ମୁଁ ତାହା ଆଦରରେ ଗ୍ରହଣ କରିଥାଏ “।

ଏହା ଶୁଣି ସୁଦାମା ଅପ୍ରତିଭ ହୋଇ ଲୁଚାଇକି ରଖିଥିବା ସେହି ଚିରା କନାରେ ପୁଟୁଳି ହୋଇଥିବା ଚାରି ମୁଠା ଚୂଡ଼ାକୁ ସଙ୍କୋଚ ଚିତ୍ତରେ ଚାହୁଁଥାନ୍ତି । ଶ୍ରୀକୃଷ୍ଣ ବନ୍ଧୁ ସୁଦାମା କ’ଣ ଆଣିଛନ୍ତି କିନ୍ତୁ ଦେବାକୁ ସଙ୍କୋଚ କରୁଛନ୍ତି, ଏହା ଜାଣିପାରି ‘ଇଏ କଣ ‘ ବୋଲି କହି ତାଙ୍କ ହାତରୁ ସେ ଚୂଡ଼ା ପୁଟୁଳିଟି ଛଡାଇ ନେଲେ ଓ କହିଲେ, ହେ ସଖେ ! ତୁମେ ତ ମୋର ମନ ଜାଣି ଏହାକୁ ଆଣିଛ,ଏହା ଖାଲି ମୋତେ ନୁହେଁ,ଏହା ସାରା ସଂସାରକୁ ମଧ୍ୟ ତୃପ୍ତ କରି ପାରିବ ।

ଏହାକହି ଶ୍ରୀକୃଷ୍ଣ ସେହି ପୁଡ଼ିଆରୁ ମୁଠିଏ ଚୂଡ଼ା ନେଇ ପରମ ତୃପ୍ତିରେ ଚୋବାଇବାକୁ ଲାଗିଲେ । କିଛି ସମୟପରେ ଦେବୀ ରୁକ୍ମିଣୀ ମଧ୍ୟ ଆସି ସେ ଚୁଡ଼ାରୁ ଦୁଇ ମୁଠା ନେଇଗଲେ । ସୁଦାମା ଚକିତ ହୋଇ ଚାହିଁ ରହିଥାନ୍ତି।

ସେଦିନ ବ୍ରାହ୍ମଣ ସୁଦାମା ଶ୍ରୀକୃଷ୍ଣଙ୍କ ଭବନରେ ଖାଇପିଇ ସୁଖରେ ରାତିଟି କଟାଇଲେ । ସକାଳ ହେବାରୁ ଅତିଶୟ ସୁଖରେ ଆପ୍ୟାୟିତ ଦ୍ଵିଜ ସ୍ଵ ଗୃହକୁ ପ୍ରତ୍ୟାବର୍ତ୍ତନ କଲେ । ଶ୍ରୀକୃଷ୍ଣ ତାଙ୍କ ସହିତ କିଛି ବାଟ ଆସି ତାଙ୍କ ପାଦ ବନ୍ଦନା କରି ବିଦାୟ ଦେଲେ । ଦରିଦ୍ର ସୁଦାମାଙ୍କୁ କୃଷ୍ଣଙ୍କ ଦର୍ଶନରେ ଏତେ ତୃପ୍ତି ମିଳିଥିଲା ଯେ ସେ ତାଙ୍କୁ କିଛି ଧନ ମାଗିବା ଭୁଲିଯାଇଥିଲେ । ଫେରି ଆସିଲା ବେଳେ ସେ ଭାବୁଥାନ୍ତି, ” ଅହୋ ଭାଗ୍ୟ ! ମୁଁ ପାପୀ କେଉଁଠି ! ଭଗବାନ ଶ୍ରୀକୃଷ୍ଣ କେଉଁଠି ! ସେ ମୋତେ ଆଲିଙ୍ଗନ କରିଛନ୍ତି, ରୁକ୍ମିଣୀଙ୍କ ସହ ମୋର ପଦସେବା କରିଛନ୍ତି, ମୋତେ ପଲଙ୍କରେ ବସାଇ କୁଶଳ ଜିଜ୍ଞାସା କରିଛନ୍ତି । ଏହାହିଁ ପ୍ରାପ୍ତି । ଏହା ଠାରୁ ବଡ଼ ପ୍ରାପ୍ତି ଆଉ କ’ଣ ଥାଇ ପାରେ ।

ଇଏ ନିର୍ଦ୍ଧନ, ଧନ ପାଇଗଲେ ବୋଧ ହୁଏ ଆଉ ମୋତେ ମନେ ପକାଇବ ନାହିଁ, ଏହା ଭାବି ପ୍ରଭୁ ଦୟାମୟ ବୋଧହୁଏ ମୋତେ ସାମାନ୍ୟ ଧନ ବି ଦେଲେ ନାହିଁ ।”

ଏମିତି ଭାବି ଭାବି ସେ ଆସି ନିଜ ଘର ନିକଟରେ ପହଞ୍ଚି ଗଲେ। ପହଞ୍ଚି ସେ ଯାହା ଦେଖିଲେ ନିଜ ଆଖିକୁ ବିଶ୍ୱାସ କରି ପାରିଲେନାହିଁ ।ନିଜର ବାସ ସ୍ଥାନ ସେହି ଭଙ୍ଗା କୁଡ଼ିଆ ଜାଗାରେ ବନଉପବନ ପରିବେଷ୍ଟିତ ଏକ ବିଶାଳ ମନୋରମ ପ୍ରସାଦଟିଏ ଠିଆ ହୋଇଛି । ବେଶଭୂଷା ହୋଇ ପୁରୁଷ ଏବଂ ସୁନ୍ଦରୀ ରାମଣୀମାନେ ସେଠାରେ ଯିବା ଆସିବା କରୁଛନ୍ତି । ତାଙ୍କୁ ସେହି ଲୋକମାନେ ଗୀତବାଦ୍ୟ ସହ ପାଛୋଟି ନେଲେ ।

ଅତି ଆନନ୍ଦରେ ବ୍ରାହ୍ମଣୀ ଘରୁ ବାହାରି ଆସିଲେ,ତାଙ୍କ ଚକ୍ଷୁ ଲୋତକାପ୍ଳୁତ ଥାଏ । ଘର ଭିତରେ ଦେଖିଲେ ଦୁଗ୍ଧଫେନ ନିଭ ଗଜଦନ୍ତ ପଲଙ୍କ ଶଯ୍ୟା ମାନଙ୍କ ଉପରେ ସୁବର୍ଣ୍ଣ ଚଦରମାନ ପଡ଼ିଛି । ସେ ସ୍ତମ୍ଭିଭୂତ ହୋଇ ସ୍ଥିର ଚିତ୍ତରେ ଏସବୁ ଐଶ୍ୱର୍ଯ୍ୟର କାରଣ କଅଣ ଚିନ୍ତା କରିବାକୁ ଲାଗିଲେ । ଶେଷରେ ସେ ବୁଝିନେଲେ ଏହା ସେହି ଭଗବାନଙ୍କ ଦର୍ଶନର ଫଳ ।

ତା’ ପରେ ତାଙ୍କର ଆତ୍ମ ପ୍ରତ୍ୟୟ ଜାତ ହେଲା । ସେ ଭାବିଲେ ମୁଁ ମାତ୍ର ଚୂଡ଼ା ମୁଠିଏ ଭଗବାନଙ୍କୁ ଶ୍ରଦ୍ଧା ସହକାରେ ଦେଇଥିଲି । ସେ ସାଦରେ ତାକୁ ଗ୍ରହଣ କଲେ, ଜନ୍ମ ଜନ୍ମାନ୍ତରରେ ମୋତେ ତାଙ୍କରି ସଖ୍ୟ, ମୈତ୍ରୀ,ସୌହାର୍ଦ୍ୟ ମିଳିଥାଉ,ତାଙ୍କରି ଦାସ ହୋଇ ରହିଥାଏ । ଏ ଐଶ୍ୱର୍ଯ୍ୟର କି ଆବଶ୍ୟକ । ତାଙ୍କର ଓ ତାଙ୍କ ଭକ୍ତ ମାନଙ୍କର ସଙ୍ଗ ହିଁ ମୋର ଏକମାତ୍ର କାମ୍ୟ । ଧନ ହିଁ ଗର୍ବର କାରଣ । ମୁଁ ଅଵିଵେକୀ, ମୋର ଭକ୍ତିଭାବରେ ଅଭାବ ଘଟିଛି ନିଶ୍ଚୟ ।

ସେ ଦରିଦ୍ର ବ୍ରାହ୍ମଣ ସୁଦାମା ତ ଭଗବାନଙ୍କର ପରମ ଭକ୍ତ ଥିଲେ। ଏକଥା ଭାବି ଆଉ ସେ ସେହି ସବୁ ଐଶ୍ୱର୍ଯ୍ୟ ପ୍ରତି ଆସକ୍ତ ହେଲେ ନାହିଁ । ଅଳ୍ପକାଳ ପରେ ସେ ସମସ୍ତ ସଂସାର ବନ୍ଧନରୁ ମୁକ୍ତ ହୋଇ ବ୍ରହ୍ମବିଦମାନଙ୍କ ପରମ ଗତି ଭଗବତପଦ ଲାଭ କଲେ । ତାଙ୍କ ଦାରିଦ୍ର୍ୟ ଦୂର କରିଥିବାରୁ ସୁଦାମା ଶ୍ରଦ୍ଧାରେ ଭଗବାନଙ୍କର ନାମଟିଏ ଦେଇ ଥିଲେ “ଦାରିଦ୍ର୍ୟ ଭଞ୍ଜନ “।

ପ୍ରଭୁ ଶ୍ରୀହରି, ବ୍ରାହ୍ମଣ ମାନଙ୍କୁ ଦେବତା ଜ୍ଞାନରେ ଭକ୍ତି କରୁଥିଲେ ଏବଂ ବ୍ରାହ୍ମଣମାନଙ୍କ ଠାରୁ ଆଉ କେହି ଶ୍ରେଷ୍ଠ ନାହାଁନ୍ତି ବୋଲି ମନେ କରୁଥିଲେ । ବ୍ରାହ୍ମଣ ଭକ୍ତ ଭଗବାନ ଶ୍ରୀକୃଷ୍ଣଙ୍କର ଏହି ଦରିଦ୍ର ସୁଦାମା ବ୍ରାହ୍ମଣସେବା ଉପାଖ୍ୟାନ ଶ୍ରବଣ କଲେ ହୃଦୟରେ ଭକ୍ତିଭାବ ଜାଗ୍ରତ ହୁଏ ଏବଂ ମନୁଷ୍ୟ ସମସ୍ତ କର୍ମ ବନ୍ଧନରୁ ମୁକ୍ତ ହୋଇଯାଏ ।

ଏଣୁ ଭାଗବତରେ କୁହାଯାଇଛି :-
ଯା ନାମ ସର୍ବପାପ ହରେ ।
ସେ ବିପ୍ରପାଦ ବହେ ଶିରେ ।।

ଏହା ହେଉଛି, ଦ୍ୱାପର ଯୁଗର ସେହି ଦିବ୍ୟ ବନ୍ଧୁ କୃଷ୍ଣ ସୁଦାମାଙ୍କ କଥା । ଦ୍ୱାପର ଯାଇ କଳି ଯୁଗ ଆସିଯାଇଛି କିନ୍ତୁ ମାନବଜାତିର କର୍ଣ୍ଣ କୁହରରେ ଏବେ ବି ଗୁଞ୍ଜରିତ ହେଉଛି ସେହି ଅନନ୍ୟ ଦିବ୍ୟ ବନ୍ଧୁତ୍ୱର କଥା ଓ ଗାଥା । ଶ୍ରୀମଦ ଭାଗବତରେ ଭକ୍ତବତ୍ସଳ, ଭକ୍ତବନ୍ଧୁ ଭଗବାନଙ୍କ ସେହି ବନ୍ଧୁତ୍ୱ ଲୀଳାକୁ କୀର୍ତ୍ତନ କରି କୁହାଯାଇଛି :-

ଭକତବନ୍ଧୁ ଦାମୋଦର ।
ହୃଦେ ଲଗାଇ ବିପ୍ରବର ।।
ଆନନ୍ଦେ ପୁଣ ପୁଣ କୋଳ ।
ନୟନୁ ବହେ ଅଶ୍ରୁଜଳ ।।

ଓଁ କୃଷ୍ଣମ୍ ବନ୍ଦେ ଜଗତ ଗୁରୁମ୍
🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ – 7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights