ରିଣ୍ଝିଣି ( ଚାକୁଣ୍ଡା)
ଆମ୍ବର ଋତୁ ପରେ ଆମ୍ବ ଟାକୁଆର ଚୋପା ଛଡ଼େଇ ତାର ମୁହଁକୁ ଖେର୍ଖେସିଆ ଭୂଇଁରେ ଘସି ବଢ଼ିଆ ପେଏଁକାଳି ବଜେଇ ହୁଏ। କିନ୍ତୁ ବେଳେବେଳେ ବାଜେ ନାହିଁ। ମୋର କାନ୍ଦ ଆରମ୍ଭ ହେଇଯାଏ। କିଏ ବଜେଇବ ମୋ ପେଏଁକାଳି।
ହାତୀ ନେଏ ଘୋଡ଼ା ନେଏ
ମୋ ପେଏଁକାଳି ବଜେଇ ଦେ
ଭାଇ ଲଗାଏ ଯୋଗାଡ଼୍ । ଚାକୁଣ୍ଡା ବା ରିଣ୍ଝିଣି ପତ୍ରକୁ ଟାକୁଆ ମଝିରେ ପୂରେଇ ଫୁଙ୍କିଦିଏ। ବଡ଼ ବେସୁରା ହେଇ ବାଜେ ପେଏଁକାଳି , କିନ୍ତୁ ବାଜେ। ମୋର ମନ ବୁଝେ।
ଇଏ ତ ଗଲା ଗଲା ଛୁଆଖେଳ କଥା। ବର୍ଷା ଦିନରେ ରାସ୍ତାକଡ଼ରେ, ବନ୍ଧଆଡ଼ିରେ, ବିଲ ହିଡ଼ମାନଙ୍କରେ ଏଇ ଚାକୁଣ୍ଡା ଗଛ ବିର୍ବିରିଆ ହେଇ ବାହାରେ। ସୁନ୍ଦର ଶାଗୁଆ ମେଥି ଶାଗ ପରି ନରମ ପତ୍ର, ହଳଦିଆ ସୁନ୍ଦର ଫୁଲ ଓ ଲମ୍ବାଳିଆ ଛୁଇଁରେ ଭର୍ତ୍ତି ହେଇଯାଏ। ଏହି ଛଅ ପତ୍ରିଆ ଗଛ ପବନ ଦେଲେ ରିଣ୍ଝିଣ୍ , ରିଣ୍ଝିଣ୍ ଶବ୍ଦ କରେ। ତେଣୁ ଆମେ ତାକୁ ରିଣ୍ଝିଣି ଗଛ କହୁଥିଲୁ।
ଷଢ଼େଇକଳାରେ ମାଆ ପାଉଡ଼ୀଙ୍କ ଦୟାରୁ ପନିପରିବା ଓ ବିଭିନ୍ନ ପ୍ରକାରର ଶାଗମାଗର ଅଭାବ କେବେ ହେଇ ନାହିଁ। ତେଣୁ ଚାକୁଣ୍ଡା ଶାଗକୁ ଯେ ଖିଆଯାଇଥାଏ ଏକଥା ମୁଁ ମୋର ବିବାହ ପରେ ଜାଣିଲି। ତାକୁ କେବଳ ଔଷଧରୂପେ ବ୍ୟବହାର କରାଯାଏ ବୋଲି ଜଣାଥିଲା। ଚାକୁଣ୍ଡା ଶାଗକୁ ରସୁଣ ଓ ଶୁଖିଲା ଲଙ୍କା ଦେଇ ଭାଜିଲେ ସ୍ଵାଦିଷ୍ଟ ଲାଗେ। ଆମ ଅଞ୍ଚଳରେ କୋହ୍ଲ ସାନ୍ତାଳମାନେ ଏଇ ପତ୍ରକୁ ଶୁଖାଇ ଗୁଣ୍ଡ କରି ରଖିଥାନ୍ତି ଓ ତାକୁ ଖାଦ୍ୟ ରୂପେ ବ୍ୟବହାର କରିଥାନ୍ତି।
ଚାକୁଣ୍ଡାକୁ ସଂସ୍କୃତରେ ଚକ୍ରମର୍ଦ କୁହାଯାଏ। ଚର୍ମରେ ଚକା ଚକା ଜାଦୁ ପାଇଁ ଏହା ଅମୋଘ ଔଷଧ। ଲମ୍ବାଳିଆ ଛୁଇଁ ଛାଡ଼ି ଆଉ ଗୋଟିଏ ତେଲୁଣିପୋକ ପରି ଗୋଲ୍ ଚକା ଚକା ଛୁଇଁ ଫଳୁଥିବା ଚାକୁଣ୍ଡା ଗଛ ମିଳେ। ତାକୁ କସୌନ୍ଦି ବା କାଶୁନ୍ଦି କୁହାଯାଏ। ଏହା କାଶ ବନ୍ଦ କରିଥାଏ।
ପେଟ ରୋଗ, କୃମି ରୋଗ ଓ ହୃଦୟ ରୋଗରେ ମଧ୍ୟ ଏହା ଲାଭକାରୀ ବୋଲି ମୋ ବାପା କହୁଥିଲେ। ମୋ ମାଆ କବିରାଜୀ ଔଷଧରେ ବେଶି ବିଶ୍ଵାସ କରୁଥିଲା। ପ୍ରାୟତଃ, ମୁଥା, ପୋକଶୁଙ୍ଗା , ଗୁଳୁଞ୍ଚି, ବେଲ ଇତ୍ୟାଦିରେ ଚିକିତ୍ସା ବତାଉଥିଲେ ଆମ ଗାଁର କବିରାଜ ମାନେ।
ଆଜି ଆଉ ସେ ଯୁଗ ନାହିଁ। ରାସ୍ତାକଡ଼ରେ ଘାସ ନାହିଁ, ମୁଥା କୋଉଠୁ ଆସିବ? ଚାକୁଣ୍ଡା ଗଛ ଅନାବନା ଗଛ ପରି ନିଜେ ଉଠୁଛି ନିଜେ ମରୁଛି। ତେଣୁ ସେ ଗଜୁରିବା କମେଇ ଦେଲାଣି।
ପୋଷ୍ଟ ଭଲ ଲାଗିଲେ ଲାଇକ୍, ଶେୟର୍, ଫଲୋ କରିବେ। କମେଣ୍ଟ ମଧ୍ୟ ।
ଆରତୀ ସାହୁ
ଷଢ଼େଇକଳା
ଝାଡଖଣ୍ଡ