ବ୍ୟାକ୍ ଡେଟ୍ ରେ ବି ପୋଲ ଉଦ୍ଘାଟନ ହୁଏ

Share it

ବ୍ୟାକ୍ ଡେଟ୍ ରେ ବି
ପୋଲ ଉଦ୍ଘାଟନ ହୁଏ

ଯାଜପୁର ଜିଲ୍ଲାର ସୁଜନପୁର କଲେଜଠାରୁ ବାଲିଆ କଲେଜ ପର୍ଯ୍ଯନ୍ତ ରାସ୍ତାକୁ କାହିଁକି କେଜାଣି ମୁଁ ଶ୍ରଦ୍ଧାରେ କହେ – “ ଅଭିମନ୍ଯୁ ସାମନ୍ତସିଂହାର ରୋଡ୍ “ ।

ଏ ରାସ୍ତାର ପ୍ରାୟ ଠିକ୍ ମଝିରେ ମୋ ଗାଁ ଖରିପଡିଆ ପାଖରେ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ହୋଇଛି ‘ ଅଭିମନ୍ଯୁ ସାମନ୍ତସିଂହାର ସେତୁ ‘ । ଏ ସେତୁ ସମ୍ପୂର୍ଣ ହୋଇଛି ୨୦୧୬ ରେ, ଏ ଫର ଫର ଉଡୁଥିବା ବାନା ଉଡୁଛି ୨୦୧୬ ଅକ୍ଷୟ ତୃତୀୟା ଦିନରୁ, ମୁଁ, ମାଡାମ୍ ଓ ପିଲାମାନେ ଯେଉଁଦିନ ପ୍ରଥମ ଏ ବ୍ରିଜ୍ ଉପର ଦେଇ ଆମ ଗାଁକୁ ଗଲୁ ସେହି ଦିନ ଠାରୁ | ବ୍ରିଜଟିକୁ ଈଶ୍ୱରାର୍ପିତ ବିଶ୍ୱାର୍ପିତ ନକରି କେମନ୍ତ କରି ମୁଁ ସେ ବ୍ରିଜ୍ ଉପର ଦେଇ ମୋ ଗାଁକୁ ଯିବାକୁ ଖୁସି ହୋଇ ପାରିଥାଆନ୍ତି ଯେ !

ମୁଁ ସେମିତି କେବେ ବି କରିବାକୁ ଭଲ ପାଏନି, ତେଣୁ ମୋ ଗାଁର ପୁଅ ହିସାବରେ ମୋ ବାପା ମା ମୋ ଗାଁ ମୋ ଗାଁ ଲୋକ ଓ ଈଶ୍ବରଙ୍କ ଆଶୀର୍ବାଦରୁ ଗାଁ ପାଇଁ ମୁଁ ଯେଉଁସବୁ ଅନୁଷ୍ଛାନ ନିର୍ମାଣ କରାଇଥାଏ ସେ ସବୁକୁ ମୁଁ ପ୍ରଥମେ ଈଶ୍ୱରାର୍ପିତ କରିଦେଇ ଲୋକ ବ୍ୟବହାର ପାଇଁ ଉନ୍ମୁକ୍ତ କରିଦିଏ , କୋଉ ନେତା ମନ୍ତ୍ରୀଙ୍କ ଅବାଞ୍ଛିତ ନାମ ଫଳକକୁ ଅପେକ୍ଷା ରଖେନି କି ସେମାନେ ପରେ କେବେ ସେଠାରେ ସେମାନଙ୍କର ନାମ ଫଳକ ଲେଖିଲେ ମନା ବି କରେନି |

ପୋଲ ଆରମୁଣ୍ଡ ଗାଁର ନାଁ ରୁଦ୍ରପୁର, ମୋର ଆଉ ଏକ ଅତି ପ୍ରିୟ ଗାଁ । ରୁଦ୍ରପୁର ପଟରୁ ଏ ପୋଲଟିକୁ ଶୁଭ ଦୃଷ୍ଟିରେ ଚାହିଁଛନ୍ତି ମାରୁତିନନ୍ଦନ ମହାବୀର ହନୁମାନ ଓ ଖରିପଡିଆ ପଟରୁ ଫରଫର ଉଡୁଥିବା ଛତିଆବଟର ସିଦ୍ଧ ମହାପୁରୁଷ ହାଡି ଦାସଂକ ବଡଦେଉଳର ମଂଗଳ ବିଜୟ ବାନା ।

ମୁଁ ୨୦୧୮ ରଥଯାତ୍ରା ଦିନ ଗାଁକୁ ଯାଇଥିଲି । ଦେଖିଲି ପୋଲ ମୁଣ୍ଡରେ ସୁନ୍ଦର ଉଦ୍ଘାଟନ ଫଳକଟିଏ ଲାଗିଛି ।ଭାରି ଖୁସି ଲାଗିଲା, ଗାଡି ଅଟକାଇ ଘଡିଏ ଛିଡା ହେଲି । କେତୋଟି ଫଟୋ ଉଠାଇଲି ଖୁସିରେ ।

ସେ ଫଳକରେ ଯେଉଁସବୁ ନାମ ଗୁଡିକ ଲେଖା ହୋଇଛି, ସେ ସମ୍ପର୍କରେ ମୁଁ କିଛି କହିବାକୁ ଚାହୁଁନି, କାରଣ ସେମାନେ ସମସ୍ତେ ମାନ୍ଯଗଣ୍ଯ ବ୍ଯକ୍ତି ହୋଇଥିବେ ବୋଧହୁଏ ।

ସେଥିରୁ ଗୋଟାଏ ନାଁ ହେଲା ଶ୍ରୀମତୀ ରୀତା ତରେଇ,
ଆଉ ଗୋଟାଏ ନାଁ ହେଲା ଶ୍ରୀଯୁକ୍ତ ଦେବାଶୀଷ ନାୟକ, ଆଉ ଗୋଟିଏ ହେଲା ଶ୍ରୀଯୁକ୍ତ ନବୀନ ପଟନାୟକ,

ନକ୍ସାରେ ମୋ ଗାଁ ଦେଖି ନଥିବା କି ଜୀବଦ୍ଦଶାରେ ମୋ ଗାଁ ପୋଲମୁଣ୍ଡ ମାଟି ଛୁଇଁ ନଥିବା, କି ପୋଲ କେମିତି ହୁଏ , କାହିଁକି ହୁଏ ସେ ସମ୍ପର୍କୀତ ଚାଟଶାଳୀ ପଢା ବି ନଥିବା, ଏ ତିନି ମୂର୍ତ୍ତୀ ସେଠି ଗୋଟାଏ ଅକ୍ଟୋବର 2016 ବ୍ୟାକ୍ ଡେଟ୍ ଲେଖା ପାଣି ଛିଂଚା ଫଳକ ଖଣ୍ଡେ 2018ରେ କାହିଁକି ପୋତିଲେ, ମୁଁ ଆଜି ବି ବୁଝି ପାରୁନି | ଏହା କଣ ନିହାତି ଆବଶ୍ୟକ ଥିଲା ?

ଯଦି ନାଁ ଲେଖିବା ନିହାତି ଆବଶ୍ୟକ ତାହେଲେ ମୋ ବିଚାରରେ ଏବଂ ମୋର ଇଚ୍ଛା ହେଉଥିଲା ଏଠାରେ
ଶ୍ରୀଯୁକ୍ତ ଅରବିନ୍ଦ ବେହେରା, ଆଇ.ଏ.ଏସ୍.,
ତତ୍କାଳୀନ ସଚିବ, ଗ୍ରାମ୍ଯଉନ୍ନୟନ ବିଭାଗ,

ଶ୍ରୀଯୁକ୍ତ ରଂଗଲାଲ ଜାମୁଦା, ଆଇ. ଏ. ଏସ୍.
ପୂର୍ବତନ ଗ୍ରାମ୍ଯଉନ୍ନୟନ ସଚିବ,

ଇଂ ଶ୍ରାଯୁକ୍ତ ପ୍ରବୀର ପ୍ରଧାନ,
ତତ୍କାଳୀନ ସର୍ବୋଚ୍ଚ ଯଂତ୍ରୀ, ଗ୍ରାମ୍ଯଉନ୍ନୟନ ବିଭାଗ,

ସେତୁ କଂଟ୍ରାକ୍ଟର ସ୍ୱର୍ଗତ ପ୍ରହ୍ଲାଦ ମହାରଣା ,

ସେତୁର ପ୍ରଧାନ ଶ୍ରମିକ ଶ୍ରୀଯୁକ୍ତ ଧନେଶ୍ୱର ବେହେରାଂକ ନାମ ସେଠାରେ ଲେଖା ହୋଇ ଥାଆନ୍ତା କି ! ଏବଂ ତାହା ହିଁ ଉଚିତ ମଧ୍ୟ।

ଅବଶ୍ଯ ତାହା ହୋଇପାରିବ ନାହିଁ,
କାରଣ ସେପରି ବ୍ଯବସ୍ଥା ଆମ ସରକାରୀ ବ୍ଯବସ୍ଥାରେ ନାହିଁ ।

ସବୁଠୁ ଆଶ୍ଚର୍ଯ୍ଯର କଥା ସେପରି ବାସ୍ତବ ବ୍ଯବସ୍ଥାକୁ ଆମ ସରକାରୀ ବ୍ଯବସ୍ଥା ଘୋର ଅପସନ୍ଦ କରେ ମଧ୍ଯ,
ସତେ ଯେମିତି କରିବା ଲୋକମାନେ ଥାଆନ୍ତି କେବଳ କିଛି ଭୁଲ୍ ଭଟକା ହେଲେ ଗାଳି ଶୁଣିବାକୁ, ଦୋଷ ମୁଣ୍ଡେଇବାକୁ,
ଫୁଲମାଳ ତ କେବଳ ନେତାଂକର ଅଧୀକାରର ବିଷୟ !

ମୁଁ ବହୁତ ଖୁସି , ସତରେ ବହୁତ ଖୁସି, ମୋର ପ୍ରିୟ ଅଭିମନ୍ଯୁ ସାମନ୍ତସିଂହାର ସେତୁ ପାଇଁ।

କନ୍ତୁ ଦୁଃଖ ଏତିକି
ସୁଜନପୁର କଲେଜଠାରୁ ଖରିପଡିଆ କାଣ୍ଡିସାହି ଯଁପଡା ଦେଇ ବାଲିଆ ପର୍ଯ୍ୟନ୍ତ ରାସ୍ତାକୁ ( ଅଭିମନ୍ଯୁ ସାମନ୍ତ ସିଂହାର ରୋଡ୍ କୁ ) ୪0 ଫୁଟିଆ ରାସ୍ତା କରବାକୁ ମୁଁ ଦୁଇବର୍ଷ ପୂର୍ବରୁ କହି ସାରିଥିଲେ ମଧ୍ୟ ସେ ମେଧା ଚିଫ୍ ଇଂଜିନିୟର ଏ ପର୍ଯ୍ୟନ୍ତ କଥାଟାକୁ ଭେଦି ପାରୁନାହାନ୍ତି ବୋଧେ |

ମାତ୍ର ଏଇ ଦଶ କିଲୋମିଟର ରାସ୍ତା ଚାଳିଶି ଫୁଟିଆ ହୋଇଗଲେ ଏହା ଗୋଟାଏ Rural Agro Market Hub ହୋଇଯିବ |
ରାସ୍ତା ଚଉଡା ସରିବାର ତିନି ବର୍ଷ ଭିତରେ ଏ ରାସ୍ତା କଡରେ ହଜାରେ ଦୋକାନ ବା କୃଷି ମଣ୍ଡି ମନକୁ ମନ ହୋଇ ଯିବ, ଅର୍ଥାତ ହଜାରେ ପରିବାରର କର୍ମ ସଂସ୍ଥାନ, ଦାଦନ ଉପରେ ରୋକ୍ |

ଏ ଗୁପ୍ତ ଅର୍ଥନୀତି କଥା ତ ଇଂଜିନିୟରିଂ ପାଠରେ ସୁପ୍ତ ଲୁପ୍ତ ଅବସ୍ଥାରେ ଥାଏ, ତେଣୁ ତାଂକର ବି ଦୋଷ କିଛି ନାହିଁ, ଦୋଷ ମୋର , ଆଉଥରେ ଆଲୋଚନା କରିବା କଥା , ଯାଇନି | ଏବେ ଯିବି | ଏଇ ବର୍ଷ ହେବ |

ମୋତେ ଆସନ୍ତା ଦଶ ବର୍ଷ ଭିତରେ ସୁଜନପୁର ଠାରୁ ମୋର ଆଉ ଏକ ଅତି ପ୍ରିୟ ଗାଁ ଗୋଳକୁଣ୍ଡ ମଂଗଳା ପର୍ଯ୍ୟନ୍ତ ଘୋ ଘୋ କମ୍ପୁଥିବା ଗୋଟାଏ ବିରାଟ ବଜାର ଦିଶୁଛି,
ଏ ଦୃଶ୍ୟଟା ସରକାରଂକୁ ଆଜ ଦିନରେ ଦିଶୁନି, ଦର୍ଶନ କରେଇ ଦେବାକୁ ପଡିବ ।

ଲକ୍ଷ୍ମୀଧର ନାୟକ
My Facebook Post: 31.07.2019


Share it

Leave a comment

Your email address will not be published. Required fields are marked *

Verified by MonsterInsights