ବିଶ୍ଵବିନ୍ଧାଣୀ
ମଧୁମିତା ମିଶ୍ର
ସଚରାଚର ବିଶ୍ଵ ଏକ ମାନସ ପ୍ରସୂତ ସୃଷ୍ଟିମାତ୍ର।ବିଶ୍ଵନିୟନ୍ତାଙ୍କ ଇଙ୍ଗିତରେ ସୃଷ୍ଟି ସମ୍ଭବ ହୋଇଛି। ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ହିଁ ବିଶ୍ଵନିୟନ୍ତା କୁହାଯାଏ।ତେବେ ପୁରାଣ କଥା ଅନୁଯାୟୀ ବ୍ରହ୍ମା , ଶ୍ରୀବିଷ୍ଣୁଙ୍କର ନାଭିକମଳରୁ ଜାତ ହୋଇଛନ୍ତି।ଅତଏବ ଶ୍ରୀ ହରିବିଷ୍ଣୁ ବ୍ରହ୍ମାଙ୍କର ସୃଷ୍ଟିକର୍ତ୍ତା ବୋଲି ହୃଦୟଙ୍ଗମ ହୁଏ। ପୁଣି ଏଇୟା ମଧ୍ୟ ସ୍ପଷ୍ଟ ଚିତ୍ରଣ କରାଯାଇଛି ଯେ ନିଜେ ବ୍ରହ୍ମା ସୃଷ୍ଟିସଂଚାର କରିବା ପରେ ବିଷ୍ଣୁଙ୍କୁ ପାଳନ ଭାର ଏବଂ ମହାଦେବଙ୍କୁ ସୃଷ୍ଟିର ବିନାଶ ଭାର ପ୍ରଦାନ କରିଛନ୍ତି।ସମଗ୍ର ବିଶ୍ୱଙ୍କୁ ସୃଷ୍ଟି କରିଥିବାରୁ ତାଙ୍କୁ ବିଶ୍ଵକର୍ମା ମଧ୍ୟ କୁହାଯାଏ।ଏଣୁ କିଛି ତଥ୍ୟ ଅନୁଯାୟୀ ବିଶ୍ଵକର୍ମା ସ୍ଵୟଂ ବ୍ରହ୍ମଦେବ ବୋଲି ମଧ୍ୟ ବିଶ୍ଵାସ କରାଯାଏ।ଅନ୍ୟ କିଛି ତଥ୍ୟ ଅନୁସାରେ ଶ୍ରୀବିଶ୍ୱକର୍ମା ବ୍ରହ୍ମାଙ୍କ ନାଭିରୁ ସୃଷ୍ଟ ହୋଇଥିଲେ ଏବଂ ବ୍ରହ୍ମାଙ୍କୁ ସାହାଯ୍ୟ କରିଥିଲେ।ସେ ଯାହାବି ହେଉ ବିଶ୍ଵକର୍ମା ଦେବଶିଳ୍ପୀ ହିସାବରେ ଜଗତ ବିଖ୍ୟାତ। ସମ୍ପୂର୍ଣ୍ଣ ଜଗତର ପ୍ରତ୍ୟେକ ନିର୍ମାଣ ସେ ହିଁ କରିଛନ୍ତି ବୋଲି ତାଙ୍କର ସ୍ଥାନ ଦେବ ସମାଜରେ ସବୁବେଳେ ସ୍ଵତନ୍ତ୍ର ହୋଇରହିଛି।
ପୌରାଣିକ କଥା ଅନୁଯାୟୀ ଥରେ ବିଶ୍ଵକର୍ମା ଏକ ଦେବନର୍ତ୍ତକୀଙ୍କ ପ୍ରେମରେ ବଶୀଭୂତ ହେବାପରେ ଅଭିଶାପ ପାଇ ଧରାବକ୍ଷରେ ମାନବ ହୋଇ ଜନ୍ମ ନେଇଥିଲେ।ତାଙ୍କର ଅନେକ ପୁତ୍ର ଓ କନ୍ୟା ଜାତ ହୋଇଥିଲେ।କୁହାଯାଏ ଯେ ସେହି ସନ୍ତାନମାନେ ହିଁ ସ୍ୱର୍ଣ୍ଣକାର, ବଢେଇ,କମାର, କୁମ୍ଭକାର ଇତ୍ୟାଦି ଅନେକ ସ୍ୱରୁପରେ ସୃଷ୍ଟିହୋଇ ତାଙ୍କଠାରୁ ଶିକ୍ଷା ପାଇ ପ୍ରତ୍ୟେକ ନିର୍ମାଣ କାର୍ଯ୍ୟକୁ ଦୁନିଆରେ କରି ଚାଲିଛନ୍ତି। ସେଇଥିପାଇଁ ବିଶ୍ଵକର୍ମା ଏ ସମସ୍ତ ନିର୍ମାତାମାନଙ୍କର ଜନକ ବୋଲି ମଧ୍ୟ ପୂଜିତ ହୁଅନ୍ତି।ବୈଷୟିକ ଜ୍ଞାନ କୌଶଳ ହେଉ କିମ୍ବା ପାରମ୍ପରିକ ପଦ୍ଧତି…ନିର୍ମାଣ କାର୍ଯ୍ୟ ଆସିବା ମାତ୍ରେ ବିଶ୍ଵକର୍ମାଙ୍କୁ ହିଁ ସ୍ମରଣ କରାଯାଏ।
ଓଡିଶାର ପ୍ରାଣ ଶ୍ରୀଜଗନ୍ନାଥଙ୍କ ଦାରୁ ଯେତେବେଳେ ବାଙ୍କୀ ମୁହାଣରେ ଆସି ଲାଗିଥିଲା ; କୁହାଯାଏ ଯେ ସେତେବେଳେ ସେହି ଦାରୁରୁ ଦିଅଁ ତିଆରି କରିବା ପାଇଁ ପ୍ରତ୍ୟେକ ବଢେଇ ଚେଷ୍ଟା କରିଥିଲେ ହେଲେ କାହାରି ନିହାଣ ମୁନରେ ସେହି ଶକ୍ତି ନଥିଲା ଯାହା ଦିବ୍ୟ ଦାରୁ ଦେହରେ ଟିକେ ଗର୍ତ୍ତ ମଧ୍ୟ କରି ପାରନ୍ତେ…!!ସେତିକିବେଳେ ନିଜେ ବିଶ୍ଵକର୍ମା ଏକ ବୁଢ଼ା ବଢ଼େଇର ରୁପନେଇ ଆସିଥିଲେ ଏବଂ ଏକୋଇଶି ଦିନରେ ଏକ ବନ୍ଦ ଗମ୍ଭୀରା ଘର ଭିତରେ ଦାରୁକୁ ଦିଅଁ କରିବା କଥାକୁ କହିଥିଲେ ଆଉ ସର୍ତ୍ତ ରଖିଥିଲେ ଯେ ସେ ନ ବାହାରିବା ଯାଏଁ ଯେପରି ଗମ୍ଭୀରା ଦୁଆର ଖୋଲା ଯିବନି।କିନ୍ତୁ ବିଧିର ବିଧାନ ଆଗରେ କେହି କିଛି କରିପାରେ ନାହିଁ। ନିହାଣ ମୁନର ଶବ୍ଦ ଶୁଣି ନପାରି ରାଜା ଇନ୍ଦ୍ରଦ୍ୟୁମ୍ନ ଏବଂ ରାଣୀ ଗୁଣ୍ଡିଚା ଅନେକ ଅହେତୁକ ଅଶୁଭତାର ଆଶଙ୍କା କରି ଦୁଆର ଖୋଲି ଦେଇଥିଲେ ଏବଂ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଅଧାଗଢ଼ା ସ୍ଵରୁପରେ ଦେଖି ହତବମ୍ୱ ହୋଇଯାଇଥିଲେ।ପରେ ଅବଶ୍ୟ ଏହା ଈଶ୍ବରଙ୍କ ନିଷ୍ପତ୍ତି ମାନି ସ୍ବୀକାର କରି ବିଶ୍ବପ୍ରସିଦ୍ଧ ପ୍ରଭୁ ଶ୍ରୀଜଗନ୍ନାଥ,ବଳଭଦ୍ର,ସୁଭଦ୍ରାଙ୍କ ମୂର୍ତ୍ତି ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରିଥିଲେ। ପ୍ରଭୁଙ୍କ ମୂର୍ତ୍ତି ନିର୍ମାଣ କରିବାକୁ ଯେପରି ବିଶ୍ଵକର୍ମା ଆସି ନିଜର କର୍ତ୍ତବ୍ୟ କରି ଦେଇଥିଲେ ତାହା ସତରେ ଅବର୍ଣ୍ଣନୀୟ।
ଅନ୍ୟ ଏକ ରୋଚକ କଥା ଅନୁସାରେ ଲକ୍ଷ୍ମୀମାତା ଶ୍ରୀୟା ଚଣ୍ଡାଳୁଣୀ ଘରକୁ ଯାଇଥିବାରୁ ତାଙ୍କୁ ଯେତେବେଳେ ପ୍ରଭୁ ଶ୍ରୀଜଗନ୍ନାଥ ବଡ ଦେଉଳରୁ ବାହାରି ଯିବାକୁ କହିଥିଲେ; ମାତା ସେତେବେଳେ ବିଶ୍ଵକର୍ମାଙ୍କୁ ଆବାହନ କରିଥିଲେ ତାଙ୍କ ପାଇଁ ଏକ କୁଡିଆ ତୋଳେଇ ଦେବାକୁ।ବର୍ଣ୍ଣିତ କଥା ଅନୁଯାୟୀ ବିଶ୍ଵକର୍ମା କ୍ଷଣିକ ମଧ୍ୟରେ ସାତକୋଶ ପରିଧିରେ ଭବ୍ୟ ମନ୍ଦିର ତୋଳିଥିଲେ ହେଉଥିଲେ ସୁନା,ହୀରା, ନୀଳା, ପ୍ରବାଳ ଆଦି ବହୁମୂଲ୍ୟ ଧାତୁର ବ୍ୟବହାର କରାଯାଇଥିଲା।ଏହା ମଧ୍ୟ ବିଶ୍ଵ ସ୍ଥପତିଙ୍କର ଭବ୍ୟତାର ଏକ ଅନନ୍ୟ ଉଦାହରଣ ମାତ୍ର।
ପୁରାଣ କଥା ଅନୁସାରେ ବିଶ୍ୱକର୍ମା ଦେବୀ ସଂଜ୍ଞାଙ୍କର ଜନକ ଅଟନ୍ତି ଯିଏ ସୂର୍ଯ୍ୟଦେବଙ୍କ ଅର୍ଦ୍ଧାଙ୍ଗିନୀ ହୋଇଥିଲେ ମଧ୍ୟ ତାଙ୍କ ତେଜ ସହି ପାରୁନଥିଲେ।ତେବେ ସେ ନିଜ ପିତାଙ୍କର ଏକ ନୂତନ ପ୍ରୟୋଗର ଦ୍ରବଣକୁ ବ୍ୟବହାର କରି ନିଜ ଛାୟାଙ୍କୁ ଜୀବିତ କରିଥିଲେ ଏବଂ ତପସ୍ୟା କରି ସୂର୍ଯ୍ୟଙ୍କ ତେଜ ସହି ପାରିଥିଲେ।ଏଥିରୁ ଜଣାଯାଏ ଯେ ବିଶ୍ଵକର୍ମାଙ୍କ ଏକ ପ୍ରୟୋଗାଶାଳା ମଧ୍ୟ ଥିଲା ଯେଉଁଠି ସେ ଅନେକ ରସାୟନ ବିଦ୍ୟାର ପ୍ରୟୋଗ ମଧ୍ୟ କରୁଥିଲେ।ତେଣୁ ତାଙ୍କୁ ସମସ୍ତ ପ୍ରଯୁକ୍ତିବିଦ୍ୟା,ରସାୟନ ବିଦ୍ୟାର ପ୍ରତିଷ୍ଠାତା ମଧ୍ୟ କୁହାଯାଏ।
ଦେବତା ମାନଙ୍କର ଅସ୍ତ୍ରଶସ୍ତ୍ର ହେଉ ଅଥବା ଆୟଅଳଙ୍କାର; କୁହାଯାଏ ସବୁ ସେହି ବିଶ୍ଵକର୍ମା ହିଁ ତିଆରି କରିଛନ୍ତି।ତାଙ୍କ ବିନା ଏହି ସୃଷ୍ଟି ସମ୍ଭବ ନୁହେଁ। ଚତୁର୍ଭୁଜ,ଶ୍ବେତବର୍ଣ୍ଣ ଶରୀର ଧାରଣ କରିଥିବା ଏହି ଦେବତାଙ୍କର ବିଗ୍ରହ ନିକଟରେ ଶୋଭାପାଏ ଶ୍ୱେତ ହଂସ ନହେଲେ ଶ୍ଵେତହସ୍ତୀ।ତାଙ୍କ ହାତରେ ସର୍ବଦା ଏକ କାରିଗର ସଦୃଶ ଅସ୍ତ୍ର ମଧ୍ୟ ରହିଥାଏ।ଆଶ୍ୱିନ ମାସ କନ୍ୟା ସଂକ୍ରାନ୍ତି ଦିନ ପ୍ରଭୁ ଶ୍ରୀବିଶ୍ବକର୍ମା ଧରାବତରଣ କରିଥିବା କଥା ବିଶ୍ଵାସ କରାଯାଏ।ତେଣୁ ଏହିଦିନ ତାଙ୍କ ପୂଜାବିଧି ପାଳନ କରାଯାଏ।ବିଭିନ୍ନ ମେଢ଼ରେ ପ୍ରଭୁଙ୍କର ଆରାଧନା କରି ସବୁ ନିର୍ମାଣ କାର୍ଯ୍ୟ ନିର୍ଭିଘ୍ନରେ ହେବାକୁ ପ୍ରାର୍ଥନା କରାଯାଏ। ଏହିଦିନ ଯାନବାହାନ ପୂଜା କଲେ ସେସବୁ ଆକସ୍ମିକ ଦୁର୍ଘଟଣାରୁ ରକ୍ଷା ପାଆନ୍ତି ବୋଲି ମଧ୍ୟ ବିଶ୍ଵାସ କରାଯାଏ।ମୋଟାମୋଟି କହିବାକୁ ଗଲେ ବିଶ୍ଵକର୍ମା ପୂଜା ପ୍ରାୟ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଏକ ପ୍ରିୟ ଆରାଧନାର ସମୟ।ଯେଉଁ ବିଶ୍ୱବିନ୍ଧାଣୀ ମହାଦେବଙ୍କ ତ୍ରିଶୂଳ, ବିଷ୍ଣୁଙ୍କ ସୁଦର୍ଶନ, ଇନ୍ଦ୍ରଙ୍କ ବଜ୍ର ଏଵଂ ସବୁ ଦେବତାଙ୍କ ଆୟୁଧ ତଥା ଜଗତର ନାଥଙ୍କ ବିଗ୍ରହକୁ ମଧ୍ୟ ନିର୍ମାଣ କରିଛନ୍ତି ; ସମଗ୍ର ମାନବସମାଜ ତାଙ୍କ ଆଗରେ ନତମସ୍ତକ ହେବା ସର୍ବାଦୌ ବାଞ୍ଛନୀୟ।
© ମଧୁମିତା ମିଶ୍ର
ଭୁବନେଶ୍ୱର
୯୪୩୮୪୭୦୮୦୭
ବିଶ୍ଵକର୍ମା ପୁଜା ଉପଲକ୍ଷେ ବହୁତ ସୁନ୍ଦର ଲେଖାଟିଏ