ବିନା ବୋଲ୍ ବମ୍ ରେ ଭୀମ ମଧ୍ଯ ଶିବ ଆରାଧନା କରୁଥିଲେ

Share it

22nd July 2024

ମହାବଳୀ ଭୀମ ଓ ଅର୍ଜୁନ ଦୁହେଁ ମହାଭାରତର ପ୍ରଖ୍ୟାତ ଯୋଦ୍ଧା। ଭୀମ ମହାନ ଗଦାଧର ଭାବେ ଓ ଅର୍ଜୁନ ମହାନ୍ ଧନୁର୍ଦ୍ଧର ଭାବେ ଖ୍ୟାତ । ଦୁହେଁ ଥିଲେ ଭଗବାନ ଶଙ୍କରଙ୍କର ପରମଭକ୍ତ । ଅର୍ଜୁନ ମହାଦେବଙ୍କୁ ତୁଷ୍ଟକରି ପାଶୁପତ ଅସ୍ତ୍ର ଲାଭ କରି ଥିଲେ । ଭୀମ ମଧ୍ୟ ନିଷ୍ଠାର ସହ ଭଗବାନ୍ ଶିବଙ୍କ ପୁଜା କରୁଥଲେ ।

ଭୀମ ଓ ଅର୍ଜୁନଙ୍କ ପୁଜାପଦ୍ଧତି କିନ୍ତୁ ଥିଲା ପରସ୍ପର ଠାରୁ ଭିନ୍ନ । ଅର୍ଜୁନ ବୈଦିକ କର୍ମକାଣ୍ଡ ଲୋକାଚାର ପଦ୍ଧତିରେ ଶଙ୍କରଙ୍କ ପୂଜା କରୁଥିଲା ବେଳେ, ଭୀମ ପ୍ରତିଦିନ କେବଳ ମାତ୍ର କିଛି ସମୟ ଧ୍ୟାନସ୍ଥ ରହି ମହାଦେବଙ୍କ ମାନସିକ ପୂଜା କରୁଥିଲେ । ଭୀମଙ୍କର ଏଭଳି ସରଳ ପୂଜା କେହି ଜାଣି ପାରୁ ନଥିଲେ । ସେ ମହାଦେବଙ୍କର ଜଣେ ବଡ଼ଭକ୍ତ ବୋଲି ମଧ୍ୟ କେହି ଜାଣି ନଥାନ୍ତି ।

କିନ୍ତୁ ଏହା ଶ୍ରୀକୃଷ୍ଣ ଜାଣିଥିଲେ । ଶ୍ରୀକୃଷ୍ଣ ତ ପ୍ରିୟ ସଖା ଅର୍ଜୁନଙ୍କ ମତି ଗତିକୁ ପ୍ରତି ମୁହୂର୍ତ୍ତରେ ପରଖିଥାନ୍ତି । ପ୍ରଭୁ ଦିନେ ଲକ୍ଷ୍ୟ କଲେ ଶିବଙ୍କ ପୂଜା ଉପାସନା ନେଇ, ଅର୍ଜୁନଙ୍କ ମନରେ ଟିକିଏ ଅହଂଭାବ ଉଙ୍କିମାରୁଛି । ମନେ ମନେ ସେ ଭାବନ୍ତି, ଭାଇ ଭୀମ, ବୟସରେ ମୋ ଠାରୁ ବଡ଼,ଗଦାଯୁଦ୍ଧରେ ପ୍ରବୀଣ ମଧ୍ୟ । ମାତ୍ର ପୂଜା ପାଠରେ ମୁଁ ହିଁ ଅଗ୍ରଣୀ । ଶ୍ରୀକୃଷ୍ଣ ଅର୍ଜୁନଙ୍କ ଏହି ଅହଙ୍କାର ମନ ମଧ୍ୟରେ ରଖିଥାନ୍ତି।

ଦିନେ ସେ ଅର୍ଜୁନଙ୍କୁ କହିଲେ,ସଖେ ! କୈଳାଶକୁ ଯାଇଚାଲ ଭଗବାନ୍ ଶିବଙ୍କ ଦର୍ଶନ କରିଆସିବା । ସଖାଙ୍କ କଥା ଶୁଣି ଅର୍ଜୁନ ଅତି ଆନନ୍ଦରେ ସଙ୍ଗେ ସଙ୍ଗେ ବାହାରି ପଡ଼ିଲେ ଏବଂ କିଛି ସମୟ ଯାତ୍ରା ପରେ ଦୁହେଁ ଯାଇ ଶିବପୁରୀ କୈଳାଶରେ ପହଞ୍ଚି ଗଲେ । କୈଳାଶରେ ପହଞ୍ଚି ଅର୍ଜୁନ ଭକ୍ତିଗଦଗଦ ହୋଇ ଶିବ ଲିଙ୍ଗରେ ଲକ୍ଷେ ସ୍ଵର୍ଣ୍ଣଚମ୍ପା ଓ ଲକ୍ଷେ ବେଲପତ୍ର ଚଢ଼ାଇଲେ । ପୁଣି ଲକ୍ଷେକୁମ୍ଭ ଜାହ୍ନବୀ ଜଳରେ ଶିବ ଲିଙ୍ଗଙ୍କୁ ଜଳଶାୟୀ କଲେ ।

କୃଷ୍ଣ କହିଲେ, ସଖା ଚାଲ ପାଖରେ ରମଣୀୟ ମାନସରୋବର ରହିଛି ଟିକିଏ ଦର୍ଶନ କରି ଆସିବା । ସରୋବରର ହଂସ କାରଣ୍ଡବ କୁଜିତ ସ୍ୱଚ୍ଛ ଜଳରେ ଟିକିଏ ସ୍ନାନ କରି ମନ ପ୍ରଫୁଲ୍ଲିତ କରିବା ।

ଉଭୟ ମାନସରୋବର ଦିଗରେ ଅଗ୍ରସର ହେଉଥାନ୍ତି ହଠାତ୍ ଦେଖିଲେ ପର୍ବତାକାରର ସ୍ବର୍ଣ୍ଣଚମ୍ପା ଶଗଡ଼ରେ ଲଦା ହୋଇ ଆସୁଛି । ପୁଣି ଆଉ କିଛି ଶଗଡ଼ରେ ପର୍ବତାକାର ବେଲପତ୍ର ଲଦା ହୋଇଛି ଓ ଆଉ କେତେକ ଶଗଡ଼ରେ ଅସଂଖ୍ୟ କୁମ୍ଭ ଭର୍ତ୍ତି ଗଙ୍ଗାଜଳ ଲଦା ହୋଇଛି । ଏହା ଦେଖି ଅର୍ଜୁନଙ୍କ ବିସ୍ମୟର ସୀମା ରହିଲାନାହିଁ । ଆଶ୍ଚର୍ଯ୍ୟ ଅଭିଭୂତ ହୋଇ ସେ ଭାବୁଥାନ୍ତି, ଏସବୁ ଯାଉଛି କୁଆଡ଼େ ? ପୁଣି ଏହାକୁ କିଏ ପଠାଉଛି ?

ଏମିତି ଚିନ୍ତା କରି ସେ ଶଗଡ଼ିଆ ମାନଙ୍କୁ ଏକଥା ପଚାରିଲେ । ଶଗଡ଼ିଆ କହିଲେ, ବାଟ ଛାଡ଼ ହୋ, ତୁମ ପ୍ରଶ୍ନର ଉତ୍ତରଦେବାକୁ ଆମ ପାଖରେ ବେଳ ନାହିଁ । ରାତି ପାହିଲେ, ଲକ୍ଷେଚମ୍ପା, ଲକ୍ଷେ ବେଲ ପତ୍ର, ଲକ୍ଷେ କୁମ୍ଭ ଗଙ୍ଗାଜଳ, ମହାଦେବଙ୍କୁ ଲାଗି ହେବ। ଏବେ ପରା, ଭଗବାନ୍ ଶଙ୍କରଙ୍କ ଶ୍ରାବଣ ଅଭିଷେକ ଚାଲିଛି । ଏ କଥା କଅଣ ତୁମକୁ ଜଣା ନାହିଁ ? ସେଥି ପାଇଁ ଆମେ ନ ଖାଇ ନ ପିଇ କାମରେ ଲାଗି ପଡ଼ିଛୁ ।

ଅର୍ଜୁନ ଆହୁରି ଆଶ୍ଚର୍ଯ୍ୟ ହୋଇଗଲେ । ସେ ପୁଣି ନମ୍ର ହୋଇ ପଚାରିଲେ,”ଭାଇ ତେବେ ମୋତେ ଖାଲି ଟିକିଏ ବତାଇଦିଅ କେଉଁ ମହାତ୍ମା ଏ ସବୁର ଆୟୋଜନ କରିଛନ୍ତି” । ବିରକ୍ତ ହୋଇ ଶଗଡ଼ିଆ ମାନେ କହିଲେ, ଆହେ ତୁମେ ଜାଣିନାହଁ, ପ୍ରତିଦିନ ପା ମହାବଳୀ ଭୀମ, ମହାଦେବଙ୍କ ପାଇଁ ଏଭଳି ପୂଜା ସାମଗ୍ରୀ ପଠାଇଥାନ୍ତି । ଆମେ ବର୍ଷ ସାରା ତାଙ୍କରି କାମରେ ଲାଗି ରହିଛୁ ।

ଏହା ଶୁଣି ଅର୍ଜୁନ କୃଷ୍ଣଙ୍କ ଆଡେ଼ ବିସ୍ମୟ ବିସ୍ଫାରିତ ନେତ୍ରରେ ଚାହିଁଲେ। ପ୍ରଭୁଙ୍କ ଅଧରରେ ଫୁଟି ଉଠିଲା ସେହି ଭୁବନ ମୋହନ ହସ । ଶ୍ରୀକୃଷ୍ଣ କହିଲେ, ସଖେ ! ତୁମର ଜ୍ୟେଷ୍ଟ ଭ୍ରାତାଙ୍କ ଶିବଭକ୍ତି ଓ ଶିବ ପୂଜନ ଦେଖିଲ ତ ! ଏ ସବୁ ଦେଖି କଅଣ ତୁମେ ଆନନ୍ଦିତ ହେଉ ନାହଁ କି ?

ଯୋଡ଼ହସ୍ତ ହୋଇ ଅର୍ଜୁନ କହିଲେ,”ସଖା ! କର୍ମ କାଣ୍ଡରେ ବିଶ୍ୱାସ ନ ରଖି ମଧ୍ୟ, ଭାଇ ଭୀମସେନ କିପରି ମହାଦେବଙ୍କ ପୂଜା କରୁଛନ୍ତି, ତାହା ମୁଁ ସ୍ଵ ଚକ୍ଷୁରେ ଦେଖିଲି । ଆଜି ମୋର ସମସ୍ତ ଅହଙ୍କାର ଦୂର ହୋଇଛି । ଏପରି ଥିଲେ ଶିବଭକ୍ତ ଭୀମ ।

!!! ଜୟ ଶିବଶମ୍ଭୁ !!!

ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Join the Conversation

1 Comment

  1. କର୍ମକାଣ୍ଡ ବଢ଼ି ବଢ଼ି ଚାଲିଛି।

Leave a comment

Your email address will not be published. Required fields are marked *

Verified by MonsterInsights