ବିନା ଗୁଣର ପରିବା ବେଗୁନ୍ ?

Share it

ଆଜି ବାଇଗଣ ସମ୍ପର୍କିତ କେତେକ ରୋଚକ ତଥ୍ୟ ବିଷୟରେ ବନ୍ଧୁମାନଙ୍କୁ ଅବଗତ କରାଇବା ପୂର୍ବରୁ ତେନାଲିରାମାଙ୍କ ବାଇଗଣ ଚୋରି ପ୍ରସଙ୍ଗ ଉଲ୍ଲେଖ କରିବି।

ବିଜୟନଗର ରାଜା କୃଷ୍ଣ ଦେବରାୟଙ୍କ ଆଠଜଣ ପ୍ରମୁଖ ପରାମର୍ଶଦାତାଙ୍କ ଭିତରୁ ତେନାଲିରାମାଙ୍କ (୧୪୮୦-୧୫୨୮) ସ୍ଥାନ ସ୍ୱତନ୍ତ୍ର ଥିଲା । ଏକାଧାରରେ କବି, ବିଦୁଷକ ତଥା ବିଚକ୍ଷଣ କୂଟନୈତିକ ପ୍ରତିଭା ସମ୍ପନ୍ନ ଅମାତ୍ୟ ଜଣକ ଅନେକ ସମ୍ଭାବ୍ୟ ବିପଦରୁ ରାଜାଙ୍କୁ ରକ୍ଷା କରିଥିଲେ ।

ରାଜା କୃଷ୍ଣ ଦେବରାୟଙ୍କ ବାଇଗଣ ପରିବା ପ୍ରତି ଅହେତୁକ ଦୁର୍ବଳତା ଥିଲା । ଦେଶ ବିଦେଶରୁ ଉତ୍କୃଷ୍ଟ ମାନର ବାଇଗଣ ବିହନ ସଂଗ୍ରହ କରି ସେ ପ୍ରଜାମାନଙ୍କୁ ଯୋଗାଉ ଥିଲେ ତେବେ ଏକ ଦୁର୍ଲ୍ଲଭ ପ୍ରଜାତିର ବାଇଗଣ କେବଳ ରାଜଉଆସ ପରିସରରେ ଚାଷ ହେଉଥିଲା । ନିର୍ଦ୍ଦିଷ୍ଟ ପ୍ରଜାତିର ବାଇଗଣର ସ୍ୱାଦ ଓ ଗୁଣବତ୍ତା ଅତୁଳନୀୟ ଥିବାରୁ ରାଜାଙ୍କର ଖୁବ ପ୍ରିୟ ଥିଲା । କେବଳ ରାଜ-ପରିବାରର ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ ଥିବା, ଏହି ପରିବାଟି ବାହାରକୁ ନଯିବା ପାଇଁ ଶକ୍ତ କଟକଣା ଥିଲା। କଡା ସୁରକ୍ଷା ବଳୟ ଭିତରେ ବାଇଗଣ ଗଛର ଯତ୍ନ ନେବା ପାଇଁ ରାକର୍ମଚାରୀମାନେ ନିଯୁକ୍ତ ଥିଲେ । ରାଜାଙ୍କ ନିର୍ଦ୍ଦେଶରେ ପ୍ରତ୍ୟହ ବାଇଗଣ ଗଛର ଫୁଲ ଓ ଫଳର ହିସାବ ରଖା ଯାଉଥିଲା ।

ଏକଦା ତେନାଲିରାମା ରାଜ ଉଆସରେ ସ୍ୱାଦ୍ଦିଷ୍ଟ ବାଇଗଣ ବ୍ୟଞ୍ଜନ ଭୋଜନ କରି ,ପତ୍ନୀ କମଳାଙ୍କୁ ବାଇଗଣ ସ୍ବାଦ ବିଷୟରେ ସବିଶେଷ ବର୍ଣ୍ଣନା କରିଥିଲେ । ପତ୍ନୀ କୌତୁହଳୀ ହୋଇ ସ୍ଵାମୀଙ୍କୁ ରାଜ ଉଆସରୁ କିଛି ବାଇଗଣ ନେଇ ଆସିବାକୁ ଅନୁରୋଧ କରିଥଲେ । ସେଦିନ ରାତିରେ ତେନାଲିରାମା ଖୁବ୍ ସନ୍ତର୍ପଣରେ ପାଚିରି ଡେଇଁ ତିନୋଟି ବାଇଗଣ ଚୋରି କରି ଆଣିଲେ । ସୌଭାଗ୍ୟକୁ ସେତେେବେଳେ ତାଙ୍କୁ କେହି ଦେଖି ନଥିଲେ।

ପତ୍ନୀ ସ୍ଵାଦିଷ୍ଟ ବାଇଗଣ ତରକାରୀ ପ୍ରସ୍ତୁତ କରିବା ପରେ ରାତ୍ରୀଭୋଜନ ପାଇଁ ପ୍ରସ୍ତୁତି ଚାଲିଲା । ସେତେବଳକୁ ତାଙ୍କର ଏକମାତ୍ର ପୁତ୍ର ଭାସ୍କରକୁ ଖୋଜା ପଡ଼ିଲା। ପୁଅ ସ୍କୁଲରୁ ଫେରି ଛାତ ଉପରେ ସ୍କୁଲ ହୋମୱାର୍କ ସାରି ନିଦରେ ଶୋଇ ପଡ଼ିଥିଲା । ତେନାଲି ପୁଅକୁ ବାଇଗଣ ତରକାରି ଖୁଆଇବାକୁ ଚାହୁଁ ନଥିଲେ ତେବେ ପତ୍ନୀ ଜିଦ୍ ଧରିବାରୁ ସେ ପାଣି ବାଲିଟି ଟିଏ ନେଇ ଛାତ ଉପରକୁ ଗଲେ ଓ ଶୋଇଥିବା ପୁଅ ଉପରେ ପାଣି ଢ଼ାଳିଦେଇ କହିଲେ -“ପୁଅ ଉଠିଯା, ଉଠିଯା, ଜୋରରେ ବର୍ଷା ହେଉଛି। ଓଦା ସରସର ପୁଅକୁ ତଳକୁ ଆଣି ତାର ପୋଷାକ ବଦଳାଇ ସମସ୍ତେ ଖାଇ ବସିଲେ । ତରକାରିର ସ୍ଵାଦ ଅପୂର୍ବ ଥିଲା। ଖାଇଲା ବେଳେ ତେନାଲି ବାରମ୍ବାର କହୁଥିଲେ-“ଆଜି ବାହାରେ ଅଦିନିଆ ,ଭୀଷଣ ବର୍ଷା ହେଉଛି”।

ସକାଳୁ ସକାଳୁ ହୁରି ପଡ଼ିଗଲା ଯେ- ” ରାଜ ଉଆସରୁ ତିନୋଟି ବାଇଗଣ ଚୋରି ହୋଇ ଯାଇଛି”। ରାଜାଙ୍କ ସନ୍ଦେହ ଆଠଜଣ ମନ୍ତ୍ରୀଙ୍କ ଉପରେ କେନ୍ଦ୍ରୀଭୂତ ହେଲା । କାରଣ ରାଜ ଉଆସରେ ସେମାନଙ୍କର ଅବାଧ ବିଚରଣ ଥିଲା । ଅଧିକନ୍ତୁ ସେମାନେ ହିଁ ବାଇଗଣର ଅପୂର୍ବ ସ୍ୱାଦ ବିଷୟରେ ଅବଗତ ଥିଲେ । ସେ ତୁରନ୍ତ ମନ୍ତ୍ରୀ ମଣ୍ଡଳର ଜରୁରୀ ସଭା ଡକାଇ ଅସଲ ଚୋରକୁ ଧରିବାକୁ ନିର୍ଦ୍ଦେଶ ଦେଲେ । ଏହାର ଗୁରୁ ଦାୟିତ୍ବ ମୁଖ୍ୟ ଅମାତ୍ୟ ଅପ୍ପାଜୀଙ୍କ ଉପରେ ନ୍ୟସ୍ତ ହେଲା । ଅପାଜୀ ପ୍ରଥମରୁ ତେନାଲିଙ୍କୁ ସନ୍ଦେହ କଲେ କିନ୍ତୁ ଚୋର ଧରିବାକୁ ସାକ୍ଷୀ ପ୍ରମାଣ ଆବଶ୍ୟକ ହୋଇଥାଏ । ତେଣୁ ସେ ତେନାଲିଙ୍କୁ ଚୋରି ବାଇଗଣ ବିଷୟରେ ପଚାରିଲେ । ତେନାଲି ସ୍ପଷ୍ଟ ଭାବରେ ଉତ୍ତର ଦେଲେ ଯେ ସେ ଚୋରି ବାଇଗଣ ବିଷୟରେ କିଛି ଜାଣି ନାହାନ୍ତି।

ତୁରନ୍ତ ତେନାଲିଙ୍କ ପୁଅକୁ ସ୍କୁଲରୁ ଆଣି ରାଜ ଦରବାରରେ ହାଜର କରାଗଲା । ଅପ୍ପାଜୀ ପଚାରିଲେ -” ତୁମେ ଗତକାଲି ରାତିରେ କଣ ତରକାରି ଖାଇଛ ? ଭାସ୍କର ଉତ୍ତର ଦେଲା -” ବାଇଗଣ ତରକାରି । ଅପ୍ପାଜୀ ପୁନଶ୍ଚ ପ୍ରଶ୍ନ କଲେ -” ସ୍ଵାଦ କିପରି ଥିଲା ? ଭାସ୍କର କହିଲା -” ଅପୂର୍ବ। ଏପରି ସୁଆଦିଆ ବାଇଗଣ ମୋ ଜୀବନରେ ଖାଇ ନାହିଁ”। ଏଥିରେ ଆଉ କାହାର କିଛି ସନ୍ଦେହ କରିବାର ଅବକାଶ ନଥିଲା । ତେବେ ଚତୁର ତେନାଲି ନିଜର ପକ୍ଷ ରଖି କହିଲେ -” ହଜୁର, ସେ ଅବୋଧ ବାଳକ । ସ୍ଵପ୍ନରେ ଦେଖିଥିବା କଥାକୁ ସତ ବୋଲି କହୁଛି” କାରଣ ଦରବାରରେ ଖାଇଥିବା ସ୍ଵାଦିଷ୍ଟ ତରକାରି ବିଷୟରେ ଗତକାଲି ମୁଁ ମୋ ପୁଅ ଓ ସ୍ତ୍ରୀ କୁ କହିଥିଲି “।

ରାଜା ଭାସ୍କରଠାରୁ ଗତ ରାତିର ସବିଶେଷ ଘଟଣାକ୍ରମ ଜାଣିବାକୁ ଚାହିଁଲେ । ଭାସ୍କର ଉତ୍ତର ଦେଲା -” ପାଠ ପଢା ସାରି ମୁଁ ଛାତ ଉପରେ ଶୋଇ ପଡ଼ିଥିଲି । ଏହି ସମୟରେ ପ୍ରବଳ ବର୍ଷା ହେଲା । ମୋ ପ୍ୟାଣ୍ଟ୍ ସାର୍ଟ ଓଦା ହୋଇଗଲା । ତାପରେ ମୁଁ ପୋଷାକ ବଦଳାଇ ସୁଆଦିଆ ବାଇଗଣ ତରକାରି ଖାଇଲି “। ବାଳକଠାରୁ ଏହା ଶୁଣି ସମସ୍ତେ ସ୍ତବ୍ଧ ହୋଇଗଲେ । କାରଣ ପୂର୍ବ ରାତିରେ ଆଦୌ ବର୍ଷା ହୋଇନଥିଲା। ପିଲାଟି ସ୍ୱପ୍ନରେ ବାଇଗଣ ଖାଇଛି ବୋଲି ପ୍ରମାଣିତ ହୋଇଗଲା । ତେନାଲିରାମା ନିର୍ଦ୍ଦୋଷ ପ୍ରମାଣିତ ହେଲେ । ଅବଶ୍ୟ ପରେ ତେନାଲିରାମା ନିଜର ଦୋଷ ସ୍ୱୀକାର କରିଥିଲେ ଓ ରାଜା ତାଙ୍କୁ କ୍ଷମା କରି ଦେଇଥିଲେ।

କୋଳି ପରିବାରର ସଦସ୍ୟ ବାଇଗଣକୁ, ଏକ ଉତ୍କୃଷ୍ଟ ଓ ସ୍ୱାଦ୍ଦିଷ୍ଟ ପରିବାର ମାନ୍ୟତା ଦିଆଯାଇଛି । ଏହାର ମୂଳ ଉତ୍ପତ୍ତି ସ୍ଥଳ ଭାରତ । ପ୍ରାୟ ୨୦୦୦ ବର୍ଷତଳେ ଅବିଭକ୍ତ ଭାରତ-ବର୍ମା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପ୍ରଥମଥର ପାଇଁ ବାଇଗଣକୁ ଠାବ କରା ଯାଇଥିଲା । ପରେପରେ ଏହା ଦକ୍ଷିଣ-ପୂର୍ବ ଏସିଆ ଦେଶ ସମୂହ, ଆଫ୍ରିକା, ଇଉରୋପ ଓ ଆମେରିକା ମହାଦେଶକୁ ବ୍ୟାପୀ ଥିଲା । କେତେକ ବାଇଗଣକୁ ଆଫ୍ରିକା ଜଙ୍ଗଲରୁ ଠାବ ହୋଇ ଆମେରିକା ମହାଦେଶକୁ ଆସିଥିଲା ବୋଲି ଦାବି କରନ୍ତି ।

ବିଗତ ୧୫୦୦ ବର୍ଷ ଧରି ଏହା ଚାଇନା ଓ ଭାରତରେ ଚାଷ କରାଯାଉଛି । ସର୍ବାଧିକ ବାଇଗଣ ଚାଷ କରୁଥିବା ଦେଶମାନଙ୍କ ଭିତରେ ଚାଇନା, ଭାରତ, ଇଣ୍ଡୋନେସିଆ ଓ ଇରାନ ଭଳି ଦେଶମାନେ ଅଛନ୍ତି ।

ବିଭିନ୍ନ ଦେଶରେ ବାଇଗଣକୁ Brinjal, Aubergine, Melanjana, garden- egg, ବା Patilcan କହନ୍ତି । ହିନ୍ଦୀରେ ବୈଗନ୍, ବଙ୍ଗଳାରେ ବେଗୁନ, ତେଲୁଗୁରେ ଭଙ୍କାୟା ଓ ତାମିଲରେ କାତାରିବାୟୀ କହନ୍ତି । ବାଇଗଣର ବୈଜ୍ଞାନିକ ନାମ Solanum melongena।

ବାଇଗଣ ଗଛକୁ brinjal plant ନକହି egg plant କୁହାଯାଏ । ପ୍ରଥମେ, ପ୍ରାକୃତିକ ଭାବେ କେବଳ ଧଳାରଙ୍ଗର ବାଇଗଣ ଉପଲବ୍ଧ ହୋଇଥିଲା । କ୍ଷୁଦ୍ର ଅଣ୍ଡାକୃତି ବାଇଗଣ ଗୁଡିକ ଅବିକଳ ବତକ ଅଣ୍ଡା ଭଳି ଦେଖା ଯିବାରୁ ଏହାର ନାମ Egg plant ରଖାଗଲା ।

ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ମାତ୍ର ଦୁଇଟି ରଙ୍ଗ ଧଳା ଓ ବାଇଗଣୀ ରଙ୍ଗରେ ଉପଲବ୍ଧ ହେଉଥିଲା । ଏବେ କେବଳ ଭାରତରେ ଏହାର ୧୮ ପ୍ରଜାତି, ପ୍ରାୟ ସବୁ ରଙ୍ଗରେ ଉପଲବ୍ଧ । ବର୍ଷକୁ ତିନି ଥର ଚାଷ କରା ଯାଉଥିବା ଏହି ସ୍ୱାଦ୍ଦିଷ୍ଟ ପରିବାଟି, ବର୍ଷସାରା ବଜାରରେ ମିଳିଥାଏ । ଦେଶର କେତେକ ଅଞ୍ଚଳରେ ଏହା ବର୍ଷସାରା ଚାଷ ମଧ୍ଯ ହୁଏ । କେବଳ କୀଟନାଶକ ସମସ୍ୟାକୁ ବାଦ ଦେଲେ ଏହାର ଚାଷ ଅତ୍ୟନ୍ତ ସହଜ ଯାହାକି ୨- ୩ ମାସ ମଧ୍ୟରେ ଅମଳ- ଯୋଗ୍ୟ ହୋଇଥାଏ ।

ବାଇଗଣରେ ଥିବା ପୋଷକତତ୍ୱ ଗୁଡିକ ହେଲା, ଭିଟାମିନ, ଶ୍ୱେତସାର, ପୃଷ୍ଟିସାର, ଫାଇବର, ପଟାସିୟମ, ଫସଫରସ, ମ୍ୟାଗ୍ନେସିୟମ, କ୍ୟାଲସିୟମ ଓ ଆଇରନ । ଏହା ଶରୀରର ରକ୍ତ ପ୍ରବାହ ପ୍ରକ୍ରିୟାକୁ ସ୍ୱଭାବିକ କରିବା ସହିତ କ୍ଷତିକାରକ କୋଲେଷ୍ଟରାଲକୁ ନିୟନ୍ତ୍ରିତ କରିଥାଏ । ରାତିରେ ସୁନିଦ୍ରା ହୁଏ । ହୃଦଘାତ ଓ କ୍ୟାନ୍ସର ଭଳି ରୋଗ ଆଶଙ୍କାକୁ କମ କରିଥାଏ । ମେଦବୃଦ୍ଧି ହ୍ରାସ ଓ ଶରୀରର ଶର୍କରା ନିୟନ୍ତ୍ରଣ କରିବା କ୍ଷମତା ବାଇଗଣର ରହିଛି । ବାଇଗଣରେ ୯୨ ପ୍ରତିଶତ ଜଳ ଓ ୫୦ ଭାଗ ବାୟୁ ଥାଏ ।

କେତେକ ବାଇଗଣକୁ ପରିବା ଭିତରେ ‘ରାଜା’ ର ମାନ୍ୟତା ଦେଉଥିଲା ବେଳେ ଆଉ କେତେକ ଖାଇବାକୁ ନାକ ଟେକନ୍ତି । ଏହାର ମୁଖ୍ୟ କାରଣ ହେଉଛି ବାଇଗଣରେ ଥିବା ନିକୋଟିନର ମାତ୍ରା ଅନ୍ୟ ସବୁ ପନିପରିବା ଠାରୁ ଅଧିକ ଥାଏ ତେବେ ଏହାର ମାତ୍ରା ଅତ୍ୟନ୍ତ ନଗଣ୍ୟ ଓ ଶରୀରର କୋୖଣସି କ୍ଷତି ପହଞ୍ଚାଇ ନଥାଏ । ବାଇଗଣ ଅଧିକ ଖାଇଲେ ଚର୍ମରୋଗ ଓ ଆଥ୍ରାଇଟିସ ରୋଗ ହୁଏ ବୋଲି କେତେକ କହନ୍ତି ।

ବଙ୍ଗାଳି ଭାଇମାନେ ବାଇଗଣକୁ ବେଗୁନ କହନ୍ତି ଅର୍ଥାତ ବିନା ଗୁଣର ପରିବା ତେବେ ସେମାନଙ୍କର ଦହି-ବାଇଗଣ ଓ ଭଜା ଅତ୍ୟନ୍ତ ପ୍ରିୟ ।

>

ବାଇଗଣ ଗଛ କେବଳ ବରଫାବୃତ୍ତ ଅଞ୍ଚଳକୁ ଛାଡି ସବୁ ପ୍ରକାର ମୃତ୍ତିକାରେ ବଢିପାରେ ତେବେ ୩୫- ୪୫ ଡିଗ୍ରୀ ଉତ୍ତାପରେ ଏହା ଅଧିକ ଓ ଶୀଘ୍ର ଅମଳ ଦିଏ।

ଆମ ଦେଶରେ ପଶ୍ଚିମବଙ୍ଗ, ଓଡିଶା, ବିହାର ଆଦି ରାଜ୍ୟ ବାଇଗଣ ଚାଷରେ ଅଗ୍ରଣୀ ଥିଲାବେଳେ ଉତ୍ତର ପ୍ରଦେଶର ଫିରୋଜାବାଦ ଦେଶର ବୃହତ୍ତମ ବାଇଗଣ ବଜାର ଅଟେ ।

ତେବେ ଚାଇନା ବିଶ୍ୱର ସର୍ବାଧିକ ବାଇଗଣ ଉତ୍ପାଦନକାରୀ ରାଷ୍ଟ୍ର ଭାବେ ମାନ୍ୟତା ପାଇଛି । ବିଶ୍ୱର ସମୁଦାୟ ବାଇଗଣ ଅମଳର ୫୪ ପ୍ରତିଶତ କେବଳ ଏକାକୀ ଚାଇନା କରିଥାଏ ।

କାର୍ତ୍ତିକ ଚନ୍ଦ୍ର ପଣ୍ଡା
ଭୁବନେଶ୍ୱର
୦୩-୦୩-୨୦୨୪


Share it

Leave a comment

Your email address will not be published. Required fields are marked *

Verified by MonsterInsights