ବିଧାତା ଆମ୍ଭଙ୍କୁ କରନ୍ତା ନାରୀ, ବର ହୁଅନ୍ତେ ଏ କୋଦଣ୍ଡଧାରୀ

Share it

ବିଧାତା ଆମ୍ଭଙ୍କୁ କରନ୍ତା ନାରୀ
ବର ହୁଅନ୍ତେ ଏ କୋଦଣ୍ଡଧାରୀ

ଶ୍ରୀମଦ୍ଭାଗବତ ମହାପୁରାଣରେ ବର୍ଣ୍ଣିତ ଭଗବାନ ଶ୍ରୀକୃଷ୍ଣଙ୍କ ବୃନ୍ଦାବନରେ ଗୋପାଙ୍ଗନାମାନଙ୍କ ସହ ରଚିତ ରାସକ୍ରୀଡ଼ା ବା ଶରଦ ରାସ ଏକ ଅତ୍ୟନ୍ତ ତାତ୍ୱିକ ଉପାଖ୍ୟାନ । ଅତିବଡ଼ି ଶ୍ରୀଜଗନ୍ନାଥ ଦାସ ବିରଚିତ ଓଡ଼ିଆ ଭାଗବତର ଦଶମ ସ୍କନ୍ଧ ଗୋପ ଲୀଳାରେ, ତିରିଶିରୁ ଚଉତିରିଶ ଅଧ୍ୟାୟ ମଧ୍ୟରେ ଏହାର ଅତି ମନୋଜ୍ଞ ବର୍ଣ୍ଣନାରହିଛି । ପାଞ୍ଚଗୋଟି ଅଧ୍ୟାୟରେ ବର୍ଣ୍ଣିତ ହୋଇ ଏହା ରାସ ପଞ୍ଚାଧ୍ୟାୟୀ ଭାବେ ପରିଚିତ। ବ୍ୟାସଦେବଙ୍କ ରଚିତ ସଂସ୍କୃତ ଭାଗବତରେ ରାସ ବର୍ଣ୍ଣନା କରି କୁହାଯାଇଛି :-

ରାସୋତ୍ସବ ସମ୍ପ୍ରବ୍ରୁତ୍ତୋ ଗୋପୀ ମଣ୍ଡଳ ମଣ୍ଡିତଃ,
ଯୋଗେଶ୍ୱରେଣକୃଷ୍ଣେନ ତାସାଂମଧ୍ୟେ ଦ୍ବୟର୍ଦ୍ବୟୋ’

ଅର୍ଥ,ଯୋଗେଶ୍ୱର ଶ୍ରୀକୃଷ୍ଣ ଗୋପୀ ମଣ୍ଡଳ ମଧ୍ୟରେ ଆବିର୍ଭାବ ହୋଇ , ଗୋପୀ ଗୋଟିକୁ କୃଷ୍ଣ ଗୋଟିଏ- ଏମନ୍ତ ଯୁଗଳରୂପ ହୋଇ, ଗଳାରେ ହାତ ଛନ୍ଦି ନୃତ୍ୟ କରି ରାସ ରଚନା କରିଥିଲେ । ଷୋଳ ହଜାର ଗୋପୀକା ମଣ୍ଡଳ ଆକାରରେ ପରିଵୃତ୍ତ ହୋଇ ରାସ ମଣ୍ଡଳରେ ସମସ୍ତ ଗୋପୀଗଣ ଏକ ସମୟରେ ନିଜ ପ୍ରାଣପ୍ରିୟ କାହ୍ନୁଙ୍କ ସହ ରାସକ୍ରୀଡ଼ା କରିଥିଲେ । ରାସର ମୁଖ୍ୟ ନାୟିକା ଥିଲେ, ରାସେଶ୍ୱରୀ ରାଧାରାଣୀ।

ଶ୍ରୀରାଧା ଏକ ଭାବମୟୀ ତତ୍ତ୍ୱ । ଶ୍ରୀମଦ ଭାଗବତ ଭିତରେ ତାଙ୍କର ନାମ ଦେଖାଯାଏ ନାହିଁ । କିନ୍ତୁ ସେ ପ୍ରଚ୍ଛନ୍ନଭାବରେ ଭାଗବତରେ ପୁରି ରହିଛନ୍ତି । ଏହା ଏକ ତାତ୍ୱିକ ପ୍ରସଙ୍ଗ ।

ରାସ କାହାକୁ କୁହା ଯାଏ ? ଏହାର ଉତ୍ତର ଭାଗବତ ମହାପୁରାଣରେ ରହିଛି ଓ ବିଭିନ୍ନ ଟୀକାକାର ମାନଙ୍କ ଦ୍ୱାରା ବ୍ୟାଖ୍ୟା କରା ଯାଇଛି । ଏହାକୁ କବି ଅଭିମନ୍ୟୁ ସାମନ୍ତସିଂହାର ଅପ୍ରାକୃତ ପ୍ରେମ ବୋଲି ବର୍ଣ୍ଣନା କରି କହିଛନ୍ତି :-

ଅପ୍ରାକୃତ ପ୍ରେମ ମୂର୍ତ୍ତି ଜୟ ରାଧାହରି
ଅବ୍ୟକ୍ତ ଲୀଳାକୁ ବ୍ୟକ୍ତ କର ଅବତରି ।।
ଆଦି ଅନାଦି କାରଣ ସଗୁଣ ନିର୍ଗୁଣ
ଆତ୍ମାରାମ ସନାତନ ବ୍ରହ୍ମ ନିରୂପଣ ।।

ରାସକ୍ରୀଡ଼ା,ସାଧାରଣ ମାନବୀୟ ଦୈହିକ ପ୍ରେମ ନୁହେଁ । ଏହା ଏକ ମହା ସମର୍ପଣର ଭାବ । ରାସ ଅର୍ଥ ହେଲା ରସମୟ ଭଗବାନ ଶ୍ରୀକୃଷ୍ଣ ଅଥବା ପରମାତ୍ମାଙ୍କ ଭାବରେ ନିମଜ୍ଜିତ ହେବା । ବିଦ୍ୱାନ ମାନେ ରାସଲୀଳାକୁ ମହାଯୋଗ ବୋଲି ଅଭିହିତ କରିଛନ୍ତି । ଏହାର ଅର୍ଥ ହେଉଛି କାମ ବିଜୟ ବା ପ୍ରେମ ସମ୍ପର୍କ ରଖି ଅନାସକ୍ତରହିବା କଳା । ରାସ ରସ୍ ଧାତୁରୁ ନିଷ୍ପନ୍ନ ଏକ ଶବ୍ଦ ଯାହା ବୁଝାଏ ରସ୍ -ଶବ୍ଦକରିବା +ଅ -ଭାବ,ଅର୍ଥାତ, ଭାବ ମଧ୍ୟରେ ନିମଜ୍ଜିତ ହେବା ହିଁ ରାସ ।

ଶ୍ରୀ କୃଷ୍ଣଙ୍କର ଗୋପୀ ମାନଙ୍କ ସହ ବର୍ଣ୍ଣିତ ରାସ କ୍ରୀଡ଼ାକୁ ଯେଉଁ ମାନେ ଆଧ୍ୟାତ୍ମିକ ଏବଂ ପବିତ୍ର ଅର୍ଥରେ ଗ୍ରହଣ କରିଥାନ୍ତି ସେମାନେ ରାସକ୍ରୀଡ଼ା ବର୍ଣ୍ଣନାରୁ ବୁଝିଥାଆନ୍ତି ଯେ ଭଗବାନ ଶ୍ରୀକୃଷ୍ଣ ହେଉଛନ୍ତି ପୁରୁଷ ଓ ଶ୍ରୀରାଧା ପ୍ରକୃତି । ଷୋଳ ସହସ୍ର ବ୍ରଜବାଳା ଏହି ପୃଥିବୀର ଅସଂଖ୍ୟ ଭକ୍ତଙ୍କ ପ୍ରାଣ ।

ରାସ କ୍ରୀଡ଼ାରେ ରାଧାକୃଷ୍ଣ ମଧ୍ୟରେ ନୃତ୍ୟ କରନ୍ତି ଓ ତାଙ୍କୁ ପରିଵୃତ୍ତ ହୋଇ ମଣ୍ଡଳ ଆକାରରେ ଷୋଳ ସହସ୍ର ଗୋପୀ ନୃତ୍ୟ କରନ୍ତି । ପ୍ରତ୍ୟେକ ଗାପୀଙ୍କ ସଙ୍ଗେ ଗୋଟିଏ ଶ୍ରୀକୃଷ୍ଣ ବିରାଜିତ ହୋଇ ନୃତ୍ୟ କରୁ ଥାଆନ୍ତି । ଏହି ରାସ, ଜୀବ ପରମର ମିଳନ, ନିତ୍ୟପ୍ରତିଭାବେ ଗୋଲୋକରେ ସଂଘଟିତ ହୋଇ ଚାଲିଛି ।

ଏ ରାସ ହେଉଛି ନିତ୍ୟରାସ ଯାହା ଆମ ଅନ୍ତର୍ଜଗତ ଚେତନା ସ୍ତରରେ ଘଟେ । ନିଜ ଅନ୍ତର ମଧ୍ୟରେ ପରମାତ୍ମାଙ୍କୁ ସ୍ଥାନିତ କରାଇ ତାଙ୍କ ନିକଟରେ ସମର୍ପିତ ହୋଇ ତାଙ୍କୁ ପରିଵୃତ୍ତ ହୋଇ ବୁଲିବା ହେଉଛି ରାସ । ଗୋପୀଗଣ ଦେହ ଧାରିଣୀ ନାରୀ ନୁହଁନ୍ତି । ଏହା ଏକ ଭାବ। ରାସ କ୍ରୀଡ଼ା ହେଉଛି ଏକ ନିତ୍ୟ ଆନନ୍ଦମୟ ଅବସ୍ଥା ।

ଶ୍ରୀମଦ ଭାଗବତରେ ମହାରାଜ ପରୀକ୍ଷିତ ଶୁକ ମୁନିଙ୍କୁ ପ୍ରଶ୍ନ କରିଛନ୍ତି :-
ଧର୍ମ ପାଳକ ନରହରି
ସେ କିମ୍ପା ଅଧର୍ମ ଆଚରି ?
ଜଗତ ଜନ ଗୁରୁପିତା
ନୀତି ଅନୀତି ଅଧିଷ୍ଠାତା ।।
ଯା ନାମ ମୁକତି ପସରା
ସେ କିମ୍ପା କଲେ ପର ଦାରା ।।
ମହା ନିଶାରେ ଜଳେ ପଶି
କ୍ରୀଡା କଲେକ ବ୍ରହ୍ମରାଶି ।।
ବେଦ ବିରୋଧୀ କର୍ମ କରି
ନିଷେଧ ବନ୍ଧ ପରିହରି ।।

ଅର୍ଥାତ ହେ ମହାତ୍ମା ମୋତେ ବୁଝାଇ ଦିଅନ୍ତୁ, ପ୍ରଭୁ ପରଂବ୍ରହ୍ମ କିପରି ପରକୀୟା ପ୍ରୀତି ରୂପକ ଅନୀତି ଆଚରଣ କଲେ । ମହାମୁନି ଶୁକ ଏହାର ଉତ୍ତର ଦେଇ କହିଛନ୍ତି :-

ସତ୍ୟ ପୁରୁଷ ଆତ୍ମ ରତ
ଆବୋରି ଅଛଇ ଜଗତ ।।
ତୁ ଅବା ବେଦ କର୍ମ କହୁ
ବେଦ ପାଦରୁ ଜନ୍ମ ଯେହୁ ।।

ଶ୍ରୀମଦ ଭାଗବତର ଏହି ପ୍ରଶ୍ନୋତ୍ତର ପଦ୍ୟଗୁଡ଼ିକୁ ତର୍ଜମା କଲେ, ଆମେ ରାସକ୍ରୀଡା ସମ୍ବନ୍ଧରେ ସବୁ ପ୍ରଶ୍ନର ବୋଧହୁଏ ଉତ୍ତର ପାଇ ପାରିବା ।

ଶ୍ରୀକୃଷ୍ଣ ଗୋପୀମାନଙ୍କ ସହ ବୃନ୍ଦାବନରେ ତିନିଟି ରାସ କ୍ରୀଡା କରିଥିଲେ। ଏହା ହେଲା ପ୍ରାବୂଟ ବା ବର୍ଷାକାଳୀନ ରାସ, ଶରତ ରାସ ଓ ବସନ୍ତ ରାସ । ତିନୋଟି ଯାକ ରାସ ଯଥା କ୍ରମେ ଝୁଲଣ ପୂର୍ଣ୍ଣିମା, ରାଧା ଦାମୋଦର ରାସ, ବସନ୍ତ ରାସ ବା ଦୋଳ ଉତ୍ସବ ଭାବେ ପାଳନ କରାଯାଏ ।

ଭଗବାନଙ୍କର ନାମ ମାସ ବିଶେଷରେ ଭିନ୍ନଭିନ୍ନ । ସେ ଝୁଲଣରେ ଶ୍ରୀଧର, କାର୍ତ୍ତିକରେ ଦାମୋଦର ଓ ଫାଲଗୁନରେ ଗୋବିନ୍ଦ ନାମରେ ରାସ ରଚନା କରିଥିଲେ । ପଦ୍ମ ପୁରାଣରେ ବିଭିନ୍ନ ମାସରେ ଭଗବାନଙ୍କ ନାମର ବର୍ଣ୍ଣନା କରି କୁହାଯାଇଛି :-

କେଶବମ୍ ମାର୍ଗଶୀର୍ଷେ ତୁ
ପୋୖଷେ ନାରାୟଣଂ ବିଦୁଃ
ମାଧବମ୍ ମାଘମାସେ ତୁ
ଗୋବିନ୍ଦମ୍ ଚ ଫାଲ୍ଗୁନେ ।।
ଚୈତ୍ରେ ବିଷ୍ଣୁମ୍ ତଥା ଦଦ୍ୟାତ
ବୈଶାଖେ ମଧୁସୂଦନମ୍
ତ୍ରିବିକ୍ରମଂ ତଥା ଜ୍ୟେଷ୍ଠେ
ଆଷାଢ଼େ ବାମନଂ ବିଦୁଃ ।।
ଶ୍ରାବଣେ ଶ୍ରୀଧରଂ ବିଦ୍ଧି
ହୃଷିକେଶମ୍ ତୁ ଭାଦ୍ରବେ
ଆଶ୍ଵିନେ ପଦ୍ମନାଭଂ ଚ
ଉର୍ଜେ ଦାମୋଦରଂ ବିଦୁଃ ।।
ବିଷ୍ଣୋର୍ଦ୍ବାଦଶ ନାମାନି ଯ
ପଠେତ ପ୍ରୟତଃ ସୁଚିହଃ
ସର୍ବପାପ ବିନିର୍ମୁକ୍ତଓ,
ବିଷ୍ଣୁଲୋକଂ ସ ଗଛତି ।।

କାର୍ତ୍ତିକ ପୂର୍ଣ୍ଣିମାର ନିର୍ମଳ ପୂର୍ଣ୍ଣ ଚନ୍ଦ୍ର ରଜନୀରେ ଭଗବାନ ଶ୍ରୀକୃଷ୍ଣ ଯେଉଁ ରାସ କ୍ରୀଡା କରିଥିଲେ ତାହା ଶରଦ ରାସ, ଏବଂ କାର୍ତ୍ତିକ ପୂର୍ଣ୍ଣିମା ରାସ ପୂର୍ଣ୍ଣିମା ନାମରେ ପରିଚିତ । ବାସନ୍ତିକ ଫାଲଗୁନ ପୂର୍ଣ୍ଣିମାରେ ଭଗବାନ କରିଥିବା କ୍ରୀଡ଼ାକୁ ବସନ୍ତ ରାସ, ଦୋଳ, ଫଗୁ ରାସ ଆଦି ନାମରେ ଅଭିହିତ କରାଯାଏ । କାର୍ତ୍ତିକ ଶୁକ୍ଳ ଦ୍ୱାଦଶୀ ଓ ତ୍ରୟୋଦଶୀ ଦୁଇଦିନ ପୁରୀ ଶ୍ରୀମନ୍ଦିରରେ ରାସ ଉତ୍ସବ ରୂପେ ପାଳନ କରାଯାଏ । ଶ୍ରୀକୃଷ୍ଣ ଏବଂ ଗୋପୀ ମାନଙ୍କ ରାସ କ୍ରୀଡା ବ୍ରହ୍ମ ଓ ଜୀବର ସଂଯୋଗ ।

ପ୍ରଶ୍ନ ଉଠେ ଏହି ସୌଭାଗ୍ୟବତୀ ଗୋପୀମାନେ କିଏ, ଯେଉଁମାନେ ଭଗବାନଙ୍କ ଦିବ୍ୟ ରାସଲୀଳା ସାନ୍ନିଧ୍ୟ ଲାଭ କରିଥିଲେ । ରାସ ଲୀଳାର ସମ୍ପର୍କ ତ୍ରେତୟା ଓ ଦ୍ୱାପର ଦୁଇଯୁଗରେ ରହିଛି । ଗୋପି ମାନଙ୍କ ପୂର୍ବଜନ୍ମ ବୃତ୍ତାନ୍ତ ସମ୍ପର୍କରେ ଏକ ସୁନ୍ଦର ଉପାଖ୍ୟାନ ରହିଛି ।

ତ୍ରେତୟା ଯୁଗର କଥା । ପ୍ରଭୁ ଶ୍ରୀରାମ ପିତୃସତ୍ୟ ପାଳି ଚଉଦ ବର୍ଷ ବନବାସରେ ଦଣ୍ଡକାରଣ୍ୟରେ ବିଚରଣ କରୁଥାନ୍ତି । ସେହି ବନ୍ୟପ୍ରଦେଶରେ ବହୁ ମୁନି ଋଷି ନିବାସ କରି ତପସ୍ୟା ରତ ଥାଆନ୍ତି। ସେମାନେ କୋଟି କନ୍ଦର୍ପ କାନ୍ତି ଶୋଭା ଜିଣା ପ୍ରଭୁ ଶ୍ରୀରାମ ଅରଣ୍ୟରେ ବୁଲୁଥିଲା ବେଳେ ତାଙ୍କର ଲାବଣ୍ୟ ମୂର୍ତ୍ତି ଦେଖି ମୋହିତ ହୋଇ ପଡ଼ିଲେ । ସେମାନେ ବିଚାର କଲେ, ଯଦି ବିଧାତା ଆମ୍ଭଙ୍କୁ ନାରୀ କରି ଜନ୍ମ କରିଥାନ୍ତା, ଏ କମନୀୟ ଶୋଭା ପୁରୁଷ ଆମ୍ଭର ଯଦି ସ୍ବାମୀ ହୋଇଥାନ୍ତେ ଆମେ କେଡେ ସୌଭାଗ୍ୟବତୀ ହୋଇ ନଥାନ୍ତେ ସତେ ! କି ଲାଭ ଏହି ବ୍ରହ୍ମ ସାଧନାରେ । ଏଭଳି ପୁରୁଷ ପାଇଲେ କୌଣସି ବ୍ରହ୍ମ ପଦବୀର ଆବଶ୍ୟକତା ନାହିଁ । ବ୍ରହ୍ମସାଧନ କରୁ ଥିବା ମୁନିମାନେ ସ୍ୱୟଂ ବ୍ରହ୍ମଙ୍କୁ ଦେଖି ପ୍ରଲୋଭିତ ହେବେ ନାହିଁ କିପରି ? ଏହାକୁ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ବୈଦେହୀଶବିଳାଶରେ ବର୍ଣ୍ଣନା କରି ଲେଖିଛନ୍ତି :-

ବିଧାତା ଆମ୍ଭଙ୍କୁ କରନ୍ତା ନାରୀ
ବର ହୁଅନ୍ତେ ଏ କୋଦଣ୍ଡଧାରୀ ।।

ବ୍ରହ୍ମ ପଦବୀ ଫଳ ହେବ କିସ
ବହିବା କି କରି କାମିନୀ ବେଶ ।।

ପ୍ରଭୁ ଶ୍ରୀରାମ ମୁନି ମାନଙ୍କର ତାଙ୍କୁ ପାଇବା ପାଇଁ ବ୍ୟାକୁଳତା ଉପଲବ୍ଧି କରି ତାଙ୍କୁ ବରଦାନ କଲେ ତୁମ୍ଭ ମାନଙ୍କର ଏହି ଅଭିଳାଷ ପୂର୍ଣ୍ଣ ହେବ ଦ୍ୱାପର ଯୁଗରେ । ମୁଁ ସେତେବେଳେ ବ୍ରଜପୁରରେ ଶ୍ରୀକୃଷ୍ଣ ରୂପେ ଅବତୀର୍ଣ୍ଣ ହେବି, ତୁମ୍ଭେ ମାନେ ବ୍ରଜବାଳି ଗୋପୀ ରୂପେ ଜନ୍ମ ହେବ, ରାସକେଳି ମାଧ୍ୟମରେ ମୋର ସାନ୍ନିଧ୍ୟ ଲାଭ କରିବ । ଏ ଜନ୍ମରେ ମୁଁ ଏକପତ୍ନୀବ୍ରତରେ ଜାନକୀଙ୍କୁ ବଲ୍ଲଭୀ କରି ସାରିଛି । ବୈଦେହୀଶ ବିଳାସରେ ପୁଣି କୁହା ଯାଇଛି :-

ବଲ୍ଲଭୀ ତୁମ୍ଭେ ହୋଇବ ଦ୍ଵାପରେ
ବ୍ରଜେ ରହିବୁ ଆମ୍ଭେ କଂସ ଡରେ ।।
ବୃନ୍ଦାବନରେ ହେବ ରାସ କେଳି
ବଲ୍ଲଭୀ ଏକା ଏ ଦେହେ ମୈଥିଳି ।।

ତ୍ରେତୟା ଯୁଗର ଏହି ଦଣ୍ଡକାରଣ୍ୟ ନିବାସୀ ମୁନି ମାନେ ଦ୍ୱାପରରେ ଗୋପୀ ରୂପରେ ବ୍ରଜ ପୁରରେ ଜନ୍ମଲାଭ କରିଥିଲେ । ଭଗବାନଙ୍କୁ ପାଇବା ପାଇଁ ହେଲେ ଗୋପୀ ଭାବ ବା ସମ୍ପୂର୍ଣ୍ଣ ସମର୍ପଣ ଭାବହିଁ କୃଷ୍ଣଙ୍କୁ ବା ଭଗବାନଙ୍କୁ ପାଇବାର ମୂଳ ସୂତ୍ର । ପରମ ରସମୟ, ଭାବମୟ ଓ ତତ୍ତ୍ୱମୟ ଲୀଳା ଭଗବାନଙ୍କର ଏହି ରାସ ଲୀଳାକୁ ସ୍ଥୁଳ ବୁଦ୍ଧିରେ ବୁଝିବା ଅସମ୍ଭବ ।

ଉପସଂହାରରେ ଅତିବଡ଼ି କୃତ ଶ୍ରୀମଦ ଭାଗବତର ରାସ ପାଞ୍ଚାଧ୍ୟାୟୀରୁ କେଇପଦ ଉଦ୍ଧୃତି :-
ଶ୍ରୀମଦ ଭାଗବ
ଦଶମ ସ୍କନ୍ଧ, ତ୍ରିଂଶ ଅଧ୍ୟାୟ
————
ଶରଦ କାଳର ଯେ ଶଶୀ
ମଲ୍ଲିକା ପୁଷ୍ପ ପ୍ରାୟେ ଦିଶି ।।
ଦେଖି ସାନନ୍ଦ ଦାମୋଦର
ମାୟା ମନୁଷ୍ୟ ମାୟାଧର ।।
ଗୋବିନ୍ଦ ବିଚାରନ୍ତି ମନେ
ଆଜ ରମିବା ବୃନ୍ଦାବନେ ।।
ଷୋଳ ଶହସ୍ର ଗୋପ ନାରୀ
ମୋତେ ବରିଲେ ତପ କରି ।।
ମୁଁ ତାଙ୍କ ପୁରାଇବି ଆଶ
ସେ ମୋର ଭକତ ବିଶ୍ୱାସ ।।
ଅନେକ ଜନ୍ମ ତପ କରି
ଏବେ ହୋଇଲେ ଗୋପନାରୀ ।।
ରମିଣ ଦେବି ନିଜ ପୁର
ଆଜ ମୁଁ କରିବି ନିସ୍ତାର ।।
ଏତେ ବିଚାରି ବନମାଳୀ
ଘେନିଲେ ବିରହ ମୁରଲୀ ।।
ସ୍ୱଭାବେ ଶରଦର କାଳ
ପବନ ବହେ ପରିମଳ ।।
ଫୁଟିଲେ ଜଳ ସ୍ଥଳେ ଫୁଲ
ସୁଗନ୍ଧ ଶୀତଳ ଅମୁଲ୍ୟ ।।
ଗଗନେ ପ୍ରକାଶଇ ଶଶୀ
ନିର୍ମଳ ବିରାଜଇ ନିଶି ।।
ଚନ୍ଦ୍ର ମଣ୍ଡଳ ଅଖଣ୍ଡିତ
ଦେଖି ଉଷତ ଗୋପୀନାଥ ।।
ଲକ୍ଷ୍ମୀର ମୁଖ ପ୍ରାୟେ ଦିଶି
କିରଣେ ଦଶଦିଗ ତୋଷି ।।
କାଳିନ୍ଦୀକୁଳେ ବ୍ରହ୍ମରାଶି
କଦମ୍ବ ତରୁ ମୂଳେ ବସି ।।
ରଜନୀ ଚିରକାଳ କଲେ
ମାୟା ପଟଳ ପ୍ରକାଶିଲେ ।।
ବୋଇଲେ ହୁଅ ବ୍ରହ୍ମ ନିଶି
ସହସ୍ରଯୁଗ ଯାହା ଘୋଷି ।।
ତ୍ରିଭଙ୍ଗ ଛନ୍ଦେ ହୋଇ ଉଭା
ଚାରୁ ଅଧରେ ବେଣୁ ଶୋଭା ।।
ଗୋପୀଙ୍କ ନାମ ଧରି ଧୀରେ
ମୁରଲୀ ଡାକଇ ସୁସ୍ବରେ ।।
ଗୋପିଏ ଥିଲେ ନିଜ ପୁରେ
ନାଦ ଶୁଣିଲେ ଯେଝା ଘରେ ।।
ନାଦେ ମୋହିଲେ ବନମାଳୀ
ଷୋଳ ଶହସ୍ର ଗୋପ ବାଳି ।।
ଏକକୁ ଆରେକ ଲୁଚାଇ
ଧାଇଁଲେ ଅସମ୍ଭାଳ ହୋଇ ।।

ଓଁ ବସୁଦେବସୂତଂ ଦେବଂ କଂସଚାଣୁରମର୍ଦ୍ଧନମ୍
ଦେବକୀପରମାନନ୍ଦ କୃଷ୍ଣମ୍ ବନ୍ଦେ ଜଗଦଗୁରୁମ୍

🙏🙏🙏

ଅର୍ଜୁନୀ ଚରଣ ବେହେରା
ପୋଖରୀପୁଟ, ଭୁବନେଶ୍ୱର
ମୋ – 7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights