ବିଦୁଷୀ ମହିଳା ଲୋପାମୁଦ୍ରା

Share it

ଯୁଧିଷ୍ଠିରକର୍ତ୍ତୃକ ପାଣ୍ଡଵମାନେ ବନବାସ କାଳରେ ହିମାଳୟର ଘୋର ଅରଣ୍ୟରେ ଇତସ୍ତତଃ ଭ୍ରମଣ କରୁଥାନ୍ତି l ଦିନେ ଋଷି ଲୋମଶ ତାଙ୍କ ନିକଟରେ ଆସି ପହଞ୍ଚିଲେ l ସମୟ ଅପନୋଦନ ପାଇଁ ଧର୍ମ ରାଜ ଯୁଧିଷ୍ଠିର ସେତେବେଳେ ତୀର୍ଥାଟନ ନିମନ୍ତେ ମନସ୍ଥକରି ଥାଆନ୍ତି l କଳ୍ପଜୀବି ଋଷି ଲୋମଶଙ୍କୁ ଦେଖି ସେ ଅତ୍ୟନ୍ତ ଆନନ୍ଦିତ ହେଲେ ଏବଂ ତାଙ୍କ ପଦ ବନ୍ଦନା କରି ଯଥା ରୀତି ସତ୍କାର ପରେ ନିଜ ମନକଥା କହି ମୁନିଙ୍କୁ କହିଲେ,ବିଭିନ୍ନ ତୀର୍ଥସ୍ଥଳୀ ବିଷୟରେ ଆପଣଙ୍କୁ ବହୁ କଥା ଜଣା ଅଛି l ଏଣୁ ଆପଣ ମଧ୍ୟ ଆମ ସହିତ ଚାଲନ୍ତୁ,ଆପଣ ଆମକୁ ସବୁ ତୀର୍ଥମାନଙ୍କ ମହିମା ଶୁଣାଇ ଧନ୍ୟକରିବେ l ଏହା କହି, ଯୁଧିଷ୍ଠିର କର୍ତ୍ତୃକ ପାଣ୍ଡଵ ମାନେ ମୁନୀ ଲୋମଶଙ୍କ ସାଙ୍ଗ ହୋଇ ଯାଇ ମହର୍ଷି ଅଗସ୍ତ୍ୟଙ୍କ ଆଶ୍ରମରେ ପହଞ୍ଚିଲେ l ଲୋମଶ ଅଗସ୍ତ୍ୟ ଋଷିଙ୍କ ବିଷୟରେ ତାଙ୍କୁ କଥା ଶୁଣାଇ କହିଲେ l

କଠୋର ତପସ୍ୟାରେ ନିମଗ୍ନରହି ପରମାର୍ଥ ପ୍ରାପ୍ତି ନିମନ୍ତେ ମହର୍ଷି ଅଗସ୍ତ୍ୟ, ପ୍ରୌଢ଼ ଅବସ୍ଥା ପର୍ଯ୍ୟନ୍ତ ଗାର୍ହ୍ୟସ୍ତଜୀବନ ଆରମ୍ଭ କରିନଥିଲେ l ଥରେ ସେ ଦେଖିଲେ ତାଙ୍କ ପିତୃ ଗଣ ଅଧୋମୁଖ ଅବସ୍ଥାରେ ଏକ ଗର୍ତ୍ତରୁ ଝୁଲୁଛନ୍ତି l ଅଗସ୍ତ୍ୟ ତାଙ୍କୁ କିଏ ଏବଂ କାହିଁକି, ଏପରି ଅବସ୍ଥା ପ୍ରାପ୍ତ ହୋଇଛନ୍ତି ବୋଲି ପଚାରିବାରୁ ସେମାନେ କହିଲେ, ଆମେ ସବୁ ତୁମ ପିତୃପୁରୁଷ l ଆମ କୂଳରେ ତୁମେ ଏକମାତ୍ର ପୁତ୍ର ହୋଇ ଗୃହସ୍ଥାଶ୍ରମ କରୁ ନ ଥିବାରୁ ଆମେ ବଂଶ ନାଶ ଭୟରେ ଏପରି ଅବସ୍ଥାରେ ରହିଛୁ l ତୁମେ କେବଳ ଏହାର ପ୍ରତିକାର କରି ପାରିବ l
ଅଗସ୍ତ୍ୟ ପିତୃଗଣଙ୍କୁ ସାନ୍ତ୍ୱନାଦେଇ ନିଜପାଇଁ ଏକ କନ୍ୟା ସ୍ଥିର କରିବାକୁ ମନସ୍ଥକଲେ l କେତେଦିନ ପରେ ବିଦର୍ଭ ଦେଶର ସନ୍ତାନହୀନ ରାଜା ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ମହର୍ଷି ଅଗସ୍ତ୍ୟଙ୍କ ଆଶୀର୍ବାଦ ଭିକ୍ଷାକଲେ l ଅଗସ୍ତ୍ୟ କହିଲେ,ହେ ରାଜା! ତୁମେ ଅତି ଶୀଘ୍ର ଏକ କନ୍ୟା ରତ୍ନ ପ୍ରାପ୍ତ ହେବ l ତୁମେ ଏହା ପୂର୍ବରୁ ପ୍ରତିଶୃତି ଦିଅ ସେହି କନ୍ୟାକୁ ତୁମେ ମୋ ଛଡ଼ା ଅନ୍ୟକୁ ପ୍ରଦାନ କରିବ ନାହିଁ l ବିଦର୍ଭ ରାଜ ପରିସ୍ଥିତିକୁ ଚାହିଁ ପ୍ରତିଶ୍ରୁତି ବଦ୍ଧହେଲେ l

ଯଥାକାଳେ ବିଦର୍ଭ ରାଣୀଙ୍କ ଗର୍ଭରୁ ଏକ ସୁନ୍ଦରୀ କନ୍ୟା ଭୂମିଷ୍ଠ ହେଲା l ତାହାର ନାମକରଣ କରା ହେଲା ଲୋପାମୁଦ୍ରା l ବୟସବଢ଼ିବା ସଙ୍ଗେସଙ୍ଗେ ରାଜ କୁମାରୀ ଲୋପାମୁଦ୍ରାଙ୍କ ରୂପ ଗୁଣର ଖ୍ୟାତି ଚତୁର୍ଦିଗରେ ବ୍ୟାପି ଗଲା l କ୍ଷତ୍ରୀୟ ରାଜକୁମାର ମାନେ ତାଙ୍କ ପାଣିଗ୍ରହଣ ପାଇଁ ଲାଳାୟିତ ହୋଇ ଆସୁଥିଲେ ମଧ୍ୟ ବିଦର୍ଭର ରାଜା ଅଗସ୍ତ୍ୟ ଋଷିଙ୍କୁ ଦେଇଥିବା ପ୍ରତିଶୃତି ଦୃଷ୍ଟିରୁ, କନ୍ୟାର ସ୍ଵୟଂବର କରି ପାରୁନଥାନ୍ତି l

ଏମିତି ଅବସ୍ଥାରେ ଏକଦା ମହର୍ଷି ଅଗସ୍ତ୍ୟ ଆସି ପହଞ୍ଚି ରାଜାଙ୍କୁ ତାଙ୍କ ପୂର୍ବ ପ୍ରତିଶୃତି କଥା ମନେ ପକାଇ ଦେଲେ l ବିଦର୍ଭ ରାଜ, ଭୋଗ ଐଶ୍ୱର୍ଯ୍ୟ ମଧ୍ୟରେ ବଢ଼ି ଥିବା, ନିଜର ଅଲିଅଳୀ ରୂପବତୀ କନ୍ୟାକୁ,ବନଚାରୀ ଜଣେ ଭିକ୍ଷୁକ ହସ୍ତକୁ କିପରି ସମର୍ପି ଦେବେ ସେ ନେଇ ବଡ଼ ଚିନ୍ତାଗ୍ରସ୍ତ ହୋଇ ପଡ଼ିଲେ l ପୁଣି ଚିନ୍ତା,ଯଦି ଋଷିବର କ୍ରୁଦ୍ଧ ହୁଅନ୍ତି ତାହେଲେତ ସର୍ବନାଶ l ବିଦର୍ଭରାଣୀ ମଧ୍ୟ ସେହି ଚିନ୍ତାରେ ପଡ଼ିଲେ l ପିତାମାତାଙ୍କୁ ଏଭଳି ଚିନ୍ତିତ ଦେଖି ଲୋପାମୁଦ୍ରା କହିଲେ ଆପଣମାନେ ଚିନ୍ତା କରନ୍ତୁ ନାହିଁ, ମୁଁ ମହର୍ଷି ଅଗସ୍ତ୍ୟଙ୍କୁ ସ୍ୱାମୀରୂପେ ବରଣ କରୁଛି l

ଯଥାରୀତି ବିବାହ କାର୍ଯ୍ୟ ସମାପ୍ତ ହେଲା l ଋଷି ଅଗସ୍ତ୍ୟ ଲୋପାମୁଦ୍ରାଙ୍କୁ ଘେନି ଆଶ୍ରମ ଅଭିମୁଖେ ପ୍ରସ୍ଥାନ କଲାବେଳେ କହିଲେ, ହେ ରାଜନନ୍ଦିନୀ, ତୁମେ ଏବେ ଋଷିପତ୍ନୀ ହେଲ l ତୁମ ପକ୍ଷରେ ଏ ମୂଲ୍ୟବାନ ବସ୍ତ୍ର,ଅଳଙ୍କାର ଆଦି ପରିଧାନ ଉଚିତ ହେଉ ନାହିଁ l ତୁମେ ସେ ସବୁ ରଖି ଦେଇ ଆସ l ଲୋପାମୁଦ୍ରା ଅତୀବ ଆନନ୍ଦରେ ବଳ୍କଳ ମୃଗଚର୍ମ ପରିଧାନ କରି, ଋଷି ଅଗସ୍ତ୍ୟଙ୍କ ସାଙ୍ଗରେ ସଙ୍ଗୀ ହୋଇ ଚାଲିଲେ l

ଅଗସ୍ତ୍ୟ ଗଙ୍ଗା କୂଳରେ ପତ୍ନୀଙ୍କ ସହିତ ବାସକରି କଠୋର ତପସ୍ୟାରେ ନିମଗ୍ନ ହେଲେ l ଉଭୟଙ୍କ ମଧ୍ୟରେ କ୍ରମେ ଗଭୀର ପ୍ରେମ ଓ ଶ୍ରଦ୍ଧାଭାଵ ଜାତ ହେଲା l କିଛିକାଳ ଅନ୍ତେ ଅଗସ୍ତ୍ୟ ଲୋପାମୁଦ୍ରାଙ୍କ ନିଷ୍ଠା,ଆତ୍ମ ସଂଯମ,ସେବା, ସହିଷ୍ଣୁତାରେ ସନ୍ତୁଷ୍ଟ ହୋଇ ତାଙ୍କୁ ଉପଭୋଗ ପାଇଁ ଆମନ୍ତ୍ରଣ କଲେ l ଲୋପାମୁଦ୍ରା କହିଲେ, ମୁଁ ପିତୃ ଗୃହରେ ଯେପରି ଐଶ୍ୱର୍ଯ୍ୟ ମଧ୍ୟରେ ଥିଲି ତାହା ମୁଁ ଚାହେଁ l ଆପଣ ମଧ୍ୟ ମୂଲ୍ୟବାନ ବସ୍ତ୍ରାଦି ପରିଧାନ କରନ୍ତୁ,ତେବେ ଯାଇ ଆମେ ଜୀବନକୁ ଉପଭୋଗ କରିପାରିବା l ଅଗସ୍ତ୍ୟ କହିଲେ ହେଲେ ଏ ଅରଣ୍ୟବାସୀ ଋଷି ପାଖରେ କୁଆଡ଼ୁ ଧନ ଆସିବ l
ଲୋପାମୁଦ୍ରା ମହର୍ଷି ଅଗସ୍ତ୍ୟଙ୍କ ଅଲୌକିକ ଦିବ୍ୟ ଶକ୍ତି ବିଷୟ ଜାଣି ଥିଲେ l ମହର୍ଷି ଥିଲେ ବେଦଜ୍ଞ ଋଗ୍ବେଦୀୟ ମନ୍ତ୍ରର ସ୍ରଷ୍ଟା l ଲୋପାମୁଦ୍ରା କହିଲେ, ହେ ତପୋଧନ ! ଆପଣ ଇଛା କଲେ, ଆପଣଙ୍କ ଦିବ୍ୟଶକ୍ତି ବଳରେ ଏ ସଂସାରର ସମସ୍ତ ଐଶ୍ୱର୍ଯ୍ୟ ପ୍ରାପ୍ତ କରି ପାରିବେ l

ମହର୍ଷି ଅଗସ୍ତ୍ୟ, ଲୋପାମୁଦ୍ରାଙ୍କ ମନରେ କଷ୍ଟ ନଦେବା ପାଇଁ ଧନଆହରଣ ଉଦ୍ଦେଶ୍ୟରେ ଯାତ୍ରା କରି ଯାଇ, ରାଜା ଶ୍ରୁତର୍ବାଙ୍କ ନିକଟରେ ପହଞ୍ଚି କହିଲେ, ହେ ରାଜା, ଅନ୍ୟର କ୍ଷତି ବା ଅନ୍ୟ ପ୍ରତି ହିଂସା ଆଚରଣ ନ କରି ମୋତେ କିଛି ଧନ ଦାନ କର l ରାଜା ମହର୍ଷିଙ୍କୁ ଯଥା ମାନ୍ୟକରି କହିଲେ, ହେ ରୂଷିବର,ମୋର ରାଜକୋଷରେ ଯାହା ଆୟ ହେଉଛି ତାହା ବ୍ୟୟ ହେଉଛି, କିଛି ବଳକା ଧନ ରହୁ ନାହିଁ l ଆପଣଙ୍କୁ ଦାନ କଲେ, ମୋର ପ୍ରଜା ମାନଙ୍କୁ ଅଧିକ କଷ୍ଟହେବ l ଏହିପରି ସେ ଅନେକ ରାଜ୍ୟ ବୁଲି ସେହି ଗୋଟିଏ କଥା ଶୁଣିଲେ l

ଶେଷରେ ସେ ରାକ୍ଷସ ରାଜ ଇଲ୍ୱଳଙ୍କ ପାଖରେ ପହଂଚି ତାଙ୍କ ଦିବ୍ୟ ଶକ୍ତି ପ୍ରଦର୍ଶନ ବଳରେ ବହୁ ଧନ ଲାଭ କଲେ ଏବଂ ଲୋପାମୁଦ୍ରାଙ୍କ ଅଭିଳାଷ ପୂର୍ଣ୍ଣକରି ସୁଖରେ ବସବାସ କଲେ l

ଏପରି କିଛିକାଳ ଭୋଗଲାଳସା ଇଚ୍ଛାକରି ମହର୍ଷି ଅଗସ୍ତ୍ୟ ପୁଣି ଏଥିରୁ ମନ ଫେରାଇନେଇ ଗଭୀର ତପସ୍ୟାରେ ମଗ୍ନରହି ତାଙ୍କ ପୂର୍ବ ସାଧନା ଆରମ୍ଭ କରି ଦେଲେ l ସେ ସମସ୍ତ ଜଗତର ମଙ୍ଗଳପାଇଁ ଋଗ୍ବେଦର ସୁକ୍ଷ୍ମ ମନ୍ତ୍ର ଦ୍ରଷ୍ଟା ଭାବେ ବହୁ ବେଦମନ୍ତ୍ର ରଚନାକଲେ l ବିଦୁଷୀ ଲୋପାମୁଦ୍ରା ମଧ୍ୟ ତାଙ୍କର ଅନୁଗାମୀ ହୋଇ ତାଙ୍କ ସେବାରେ ଲାଗି ରହିଲେ ଯେପରି ତାଙ୍କ ସାଧନାରେ କୌଣସି ପ୍ରକାର ବିଘ୍ନ ନଘଟେ l କାଳ କ୍ରମେ ବିଦୁଷୀ ଲୋପାମୁଦ୍ରା ଋଷି ଅଗସ୍ତ୍ୟଙ୍କ ପଦାଙ୍କ ଅନୁସରଣ କରି ବେଦ ବିଦ୍ୟା ଜ୍ଞାନ ହାସଲକଲେ ଏବଂ ନିଜକୁ ଜଣେ ମନ୍ତ୍ରଦ୍ରଷ୍ଟା ଋଷିନୀ ଭାବେ ପ୍ରତିଷ୍ଠିତ କରାଇଲେ l

ଋଷି ଅଗସ୍ତ୍ୟଙ୍କପରି ଲୋପାମୁଦ୍ରା ମଧ୍ୟ ଋଗ୍ବେଦର ମନ୍ତ୍ର ମାନ ରଚନା କରି ଯାଇଛନ୍ତି l ତାଙ୍କ ରଚିତ ଋଗ୍ବେଦୀୟ ମନ୍ତ୍ର ଋଗ୍ବେଦର ପ୍ରଥମ ମଣ୍ଡଳ 179 ସୂକ୍ତରେ ମିଳିଥାଏ l ଭଗବତୀ ମାଆ ପାର୍ବତୀଙ୍କ ଉଦ୍ଦେଶ୍ୟରେ ମଧ୍ୟ ସେ ଅନେକ ଗୁଡ଼ିଏ ସ୍ତୋତ୍ରର ରଚନା କରି ଯାଇଛନ୍ତି l ଲୋପାମୁଦ୍ରାଙ୍କ ବିରଚିତ ଋକବେଦର ପ୍ରଥମ ମଣ୍ଡଳରେ ଛଅ ଗୋଟି ମନ୍ତ୍ର ରହିଛି l ତନ୍ମଧ୍ୟରୁ ପ୍ରଧାନ ଦୁଇଟି ହେଲା :-
1. ପୂର୍ବାରହଂ ଶରଦହଃ ଶଶ୍ରମାଣା
ଦୋଷାବସ୍ତର ଷସୋ ଜରୟଂତିଃ l
ମିନାତିଶ୍ରିୟଂ ଜରିମାତନୁନାପ୍ୟୁନୁ
ପତ୍ନୀବୃଷ୍ନୋ ଜଗମ୍ୟହଃ ll
2. ଯେ ଚିଦ୍ଦିହଃ ପୂର୍ବ ୠତସାପ
ଆସନ୍ତସାଙ୍ଗ ଦେବେଭିରବଦନ୍ମୃତାନି
ତେ ଚିଦବାସୁର୍ନହ୍ୟମ୍ ଥତମାପୂହଃ
ସମୁନୁପତ୍ନୀର୍ବୃଷାଭି ଜଗମ୍ୟୁ ll

ଲୋପାମୁଦ୍ରାଙ୍କ ରଚିତ ଏହି ମନ୍ତ୍ର ଗୁଡ଼ିକ ଶୁଣିଲା ପରେ ମହର୍ଷି ଅଗସ୍ତ୍ୟଙ୍କ ଭ୍ରମ ଦୂର ହୋଇଗଲା l ସେ ଅନୁଭବ କଲେ ଲୋପାମୁଦ୍ରାଙ୍କ ସାଂସାରିକ ଜୀବନ ପ୍ରତି ଅବହେଳାକରି ସେ ମସ୍ତବଡ଼ ଭୁଲ କରି ବସିଛନ୍ତି l ପୁଣି ଲୋପାମୁଦ୍ରାଙ୍କ ନିକଟତର ହୋଇ ସେ ଦାମ୍ପତ୍ୟ ଜୀବନ ଅତିବାହିତ କଲେ l ଫଳରେ ଲୋପାମୁଦ୍ରାଙ୍କ ଗର୍ଭରୁ ଜନ୍ମଲାଭ କଲେ ବିଦ୍ୱାନ ପୁତ୍ର ତ୍ରିଦାସ୍ୟୁ l କୁହାଯାଏ ତ୍ରିଦାସ୍ୟୁ ମାତୃ ଗର୍ଭରୁ ଲୋପାମୁଦ୍ରାଙ୍କ ବେଦୋଚ୍ଚାରଣ ଶୁଣି ଶୁଣି ଏହାକୁ ଅଭ୍ୟାସ କରିଥିଲେ l ମାତୃଗର୍ଭରୁ ଭୂମିଷ୍ଠ ହେବା ଅଳ୍ପସମୟ ପରେ ସେ ବେଦମନ୍ତ୍ର ଗାୟନ ଆରମ୍ଭ କରିଥିଲେ l ସେ ଭକ୍ତ ପ୍ରହଲ୍ଲାଦଙ୍କ ତୁଲ୍ୟ
ଶ୍ରୀହରିଙ୍କର ଜଣେ ପରମ ଭକ୍ତ ଥିଲେ l ବୈଦିକ ବେଦ ବିଦୁଷୀ ମୈତ୍ରେୟୀ, ଗାର୍ଗେୟୀ,ବିଶ୍ୱବାରା, ଆପାଲା,ଘୋଷା ଆଦିଙ୍କସହ ଲୋପାମୁଦ୍ରା ଜଣେ ମନ୍ତ୍ରଦ୍ରଷ୍ଟା ତଥା ମନ୍ତ୍ର ସ୍ରଷ୍ଟା ଋଷିନୀ ଭାବେ ଗଣ୍ୟ ହୋଇଥାନ୍ତି l

ମହର୍ଷି ଲୋମଶଙ୍କ ମୁଖରୁ ମହର୍ଷି ଅଗସ୍ତ୍ୟ ଏବଂ ଲୋପାମୁଦ୍ରାଙ୍କ କାହାଣୀ ଶୁଣି, ଯୁଧିଷ୍ଠିର କୃତ୍ତାର୍ଥ ହେଲେ l କିନ୍ତୁ ସେତେ ବେଳେ ଅଗସ୍ତ୍ୟଙ୍କ ସେହି ଆଶ୍ରମଟି ପରିତ୍ୟକ୍ତ ହୋଇ, ଖାଲି ପଡ଼ି ଥିବାରୁ ପାଣ୍ଡଵମାନେ ଋଷି ଲୋମଶଙ୍କୁ ଏହାର କାରଣ କଅଣ ବୋଲି ପଚାରିଲେ l ଲୋମଶ କହିଲେ, ମହର୍ଷି ଅଗସ୍ତ୍ୟ ଚିର କାଳ ପାଇଁ ଦକ୍ଷିଣକୁ ଚାଲି ଯାଇଛନ୍ତି l ତାଙ୍କ ଯିବା ପଛରେ ଏକ ରୋଚକ କାହାଣୀ ରହିଛି l
ଥରେ ହିମାଳୟଙ୍କସହ ପ୍ରତିଯୋଗିତାକରି ବିନ୍ଧ୍ୟ ପର୍ବତ ବଢ଼ିବାରେ ଲାଗିଲେ l ବିନ୍ଧ୍ୟ ପର୍ବତ ବଢ଼ି ଯାଇ ସୂର୍ଯ୍ୟଙ୍କୁ କହିଲେ,” ତୁମେ ମେରୁ ପର୍ବତକୁ ଯେଭଳି ପ୍ରଦକ୍ଷିଣକରୁଛ ମୋତେମଧ୍ୟ ସେହିପରି ପ୍ରଦକ୍ଷିଣ କର”l ସୂର୍ଯ୍ୟ କହିଲେ, ମୁଁ ଏହା କିପରି କରିପାରିବି l ମୋତେ ବିଧାତା ନିର୍ଦ୍ଦେଶ କରିଥିବା ପଥରେ ଯାତାୟାତ କରୁଛି l ମୁଁ ତୁମକୁ ପ୍ରଦକ୍ଷିଣ କଲେ ଏ ସଂସାର ଚାଲି ପାରିବ ନାହିଁ l ଏଥିରେ କ୍ରୁଦ୍ଧ ହୋଇ ବିନ୍ଧ୍ୟପର୍ବତ ଆହୁରି ବଢ଼ିଯାଇ ଚନ୍ଦ୍ର ସୂର୍ଯ୍ୟଙ୍କର ଗତି ରୋଧ କଲେ l ଫଳରେ ପୃଥିବୀ ଅନ୍ଧକାରାଚ୍ଛନ୍ନ ହେଲା l ଦେବତାମାନଙ୍କ ମଧ୍ୟରେ ଜୀବ ଜଗତ କ୍ଷୟ ହୋଇ ଯିବ ବୋଲି ଭାଳେଣି ପଡ଼ିଲା l ସମସ୍ତେ ଚିନ୍ତାକଲେ ପ୍ରତିକାର ନିମନ୍ତେ ବିନ୍ଧ୍ୟ ପର୍ବତଙ୍କୁ ଅନୁରୋଧ କରି, ଏଥିରୁ ନିରସ୍ତ କରିବେ,କିନ୍ତୁ ବିନ୍ଧ୍ୟ କାହାରି ଅନୁରୋଧ ଶୁଣିବେ ନାହିଁ ଆଶଙ୍କା କରି ସେମାନେ ଯାଇ ତ୍ରୈଲୋକ୍ୟ ପୂଜ୍ୟ ଅଗସ୍ତ୍ୟ ଋଷିଙ୍କ ଶରଣ ପଶିଲେ l ଅଗସ୍ତ୍ୟ ସସ୍ତ୍ରୀକ ଯାଇ ବିନ୍ଧ୍ୟପର୍ବତ ପାଖରେ ପହଞ୍ଚିଲେ l ପର୍ବତ ରାଜ ମହର୍ଷି ଅଗସ୍ତ୍ୟଙ୍କୁ ଖୁବ ସମ୍ମାନ କରୁ ଥିଲେ l ଏଣୁ ସେ ମୁନିଙ୍କ ଦର୍ଶନକରି ନତମସ୍ତକ ହୋଇ ପ୍ରଣାମ କଲେ l ଅଗସ୍ତ୍ୟ କହିଲେ,ପର୍ବତ ରାଜ ଆମ୍ଭେ ଦକ୍ଷିଣଦିଗକୁ ଯାତ୍ରା କରୁଛୁ l ତୁମେ ଆମକୁ ବାଟ ଦିଅ ଓ ଆମେ ଆସିବା ଯାଏ ଏହି ପରି ନତମସ୍ତକ ହୋଇ ରହିଥାଅ l ବିନ୍ଧ୍ୟ ପର୍ବତ ଅଗସ୍ତ୍ୟ ଋଷିଙ୍କ ଆଦେଶ ପାଳନ କରି ସେହିଦିନୁ ନତମସ୍ତକ ହୋଇରହିଛନ୍ତି ଏବଂ ସୃଷ୍ଟିରେ ଉପୁଜି ଥିବା ବାଧା ଦୂର ହୋଇ ଯାଇଛି l ମହର୍ଷି ଅଗସ୍ତ୍ୟ କିନ୍ତୁ ଆଉ ଫେରି ନାହାଁନ୍ତି l ସେବେଠାରୁ ତାଙ୍କ ଏହି ଆଶ୍ରମ ଏଠାରେ ଖାଲି ପଡ଼ିଛି l
ବେଦ ଦ୍ରଷ୍ଟା ଋଷି ଅଗସ୍ତ୍ୟ ଏବଂ ଲୋପାମୁଦ୍ରାଙ୍କ ଚରିତ ଶୁଣି ଯୁଧିଷ୍ଠିର ତଥା ପାଣ୍ଡଵ ଭାଇ ମାନେ ଅତୀବ ଖୁସିହେଲେ l ଏହାପରେ ଋଷି ଲୋମଶ ପାଣ୍ଡଵମାନଙ୍କୁ ଘେନି ରାମାୟଣ ଯୁଗରେ ପ୍ରସିଦ୍ଧ ଋଷି ଋଷ୍ୟଶୃଙ୍ଗଙ୍କ ଆଶ୍ରମରେ ପହଞ୍ଚିଲେ l

🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Join the Conversation

1 Comment

Leave a comment

Your email address will not be published. Required fields are marked *

Verified by MonsterInsights