================
ଚୈତ୍ରମାସ କୃଷ୍ଣପକ୍ଷ ତ୍ରୟୋଦଶୀତିଥିରେ ବିରଜା କ୍ଷେତ୍ର ଯାଜପୁରର ପବିତ୍ର ଦଶାଶ୍ୱମେଧ ଘାଟରେ ଉତ୍କଳଜାହ୍ନବୀ ବୈତରଣୀ ନଦୀରେ ପୁଣ୍ୟଦାୟୀ ବାରୁଣୀ ସ୍ନାନ ଅନୁଷ୍ଠିତ ହୁଏ l ଯେବେ ଚୈତ୍ରକୃଷ୍ଣ ତ୍ରୟୋଦଶୀ ଶନିବାର ବା ଶତଭିକ୍ଷା ନକ୍ଷତ୍ର ଯୁକ୍ତ ହୁଏ ଜ୍ୟୋତିଷ ମତରେ ଏହାକୁ ବାରୁଣୀ ଯୋଗ କୁହା ଯାଏ l ଯଦି ଶନିବାର ଓ ଶତଭିକ୍ଷା ନକ୍ଷତ୍ର ଉଭୟ ସେହିଦିନ ପଡ଼ିଥାଏ ତେବେ ଏହାକୁ ମହା ବାରୁଣୀ ଯୋଗ କୁହା ଯାଏ l
ଏହି ବାରୁଣୀ ଓ ମହା ବାରୁଣୀ ଯୋଗରେ ଗଙ୍ଗା ସ୍ନାନ କଲେ ଶହେ ସୂର୍ଯ୍ୟୋପରାଗ ଅନୁଷ୍ଠିତ ଧର୍ମ କାର୍ଯ୍ୟର ପୂଣ୍ୟ ଫଳ ମିଳେ ବୋଲି ବିଶ୍ୱାସ କରା ଯାଏ l ତୀର୍ଥରାଜ ମହୋଦଧିରେ ମଧ୍ୟ ଏହି ଦିନ ଲୋକ ମାନେ ବାରୁଣୀ ସ୍ନାନ କରନ୍ତି l ଅନ୍ୟାନ୍ୟ ନଦୀ, ହ୍ରଦ, ପୁଷ୍କରିଣୀ ମାନଙ୍କରେ ମଧ୍ୟ ସ୍ଥାନୀୟ ଲୋକ ବାରୁଣୀବୁଡ଼ ପକାନ୍ତି l ବୈତରଣୀ ପରେ ଆମ ରାଜ୍ୟ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ନଦୀର ବାରୁଣୀ ବୁଡ଼ର ପ୍ରସିଦ୍ଧି ରହିଛି l ମହୋଦଧି ସହ ପୁରୀ ସଦର ବରାଳ ବାଲୁଙ୍କେଶ୍ୱର ଶିବ ମନ୍ଦିର ନିକଟ ପୁଣ୍ୟତୋୟା ଭାର୍ଗବୀ ନଦୀରେ ମଧ୍ୟ ଏହି ଦିନ ବୁଡ଼ ପଡ଼େ l କ୍ଷୁଦ୍ରନଦୀ ହେଲେହେଁ ଭାର୍ଗବୀ ପୂର୍ବ କାଳରେ ଏକ ପୁଣ୍ୟତୋୟା ନଦୀ ଭାବରେ ପରିଚିତ ଥିଲା l ଏଣୁ ଉତ୍କଳମଣି ଲେଖିଥିଲେ :-
ଭାର୍ଗବୀ ସ୍ୱର୍ଗର ସୁଗମ ନିଃଶ୍ରେଣୀ l
ମନୋହର ଯାର ନୀଳ ନୀର ବେଣୀ ll
କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଠାରେ ପୁଣ୍ୟତୋୟା ବ୍ରାହ୍ମଣୀ ନଦୀର ସଙ୍ଗମ ସ୍ଥଳୀରେ ମଧ୍ୟ ବାରୁଣୀ ସ୍ନାନ ଅନୁଷ୍ଠିତ ହୁଏ l
କାହିଁ କେତେ କାଳରୁ ବିରଜା କ୍ଷେତ୍ର ଯାଜପୁର ନିକଟରେ କୁଳୁ କୁଳୁ ନାଦରେ ପ୍ରବାହିତ ହେଉଛି ବୈତରଣୀ ନଦୀ l ବାରାଣସୀ ସ୍ଥିତ ପବିତ୍ର ଗଙ୍ଗା ବାରୁଣୀ ଘାଟ ଭଳି ଉତ୍କଳ ଗଙ୍ଗା ଭାବେ ପରିଚିତ ପବିତ୍ର ବୈତରଣୀରେ ବାରୁଣୀ ସ୍ନାନ ମହା ପୂଣ୍ୟ ଦାୟୀ ବୋଲି ଦୃଢ଼ ବିଶ୍ୱାସ ରହିଛି l ପୁରାଣରେ ବିଶେଷ କରି ମାର୍କଣ୍ଡେୟ ପୁରାଣ ଓ ବ୍ରହ୍ମବୈବର୍ତ୍ତ ପୁରାଣ ବୈତରଣୀ ବିଷୟରେ ଅନେକ କଥାମାନ କହିଛନ୍ତି l ଏଥିରେ ପୁଣି ଗାଈ ଲାଙ୍ଗୁଳ ଧରି ତପ୍ତ ବୈତରଣୀ ନର୍କ ପାରହେବା କଥା କୁହା ଯାଇଛି l ବାରୁଣୀସ୍ନାନ ଭକ୍ତ ଏବଂ ଭଗବାନ ବା ଐଶ୍ୱରୀୟ ସତ୍ତାର ମିଳନ ସ୍ଥଳ l ବାରୁଣୀ ସ୍ନାନ ପାଇଁ ଉଭୟ ଉଭୟକୁ ଚାହିଁ ବସି ଥାନ୍ତି l ଏଣୁ ଗଙ୍ଗା ବାରୁଣୀ ସ୍ନାନକୁ ଲକ୍ଷ୍ୟ କରି ଭାଗବତରେ କୁହାଗଲା :-
ଗଙ୍ଗା ବିଚାରୁ ଅଛି ମନେ l
ବାରୁଣୀ ପଡ଼ିବ କେସନେ ll
ଆସିବେ ମୋର ଭକ୍ତ ଗଣ l
ମୋ ପାପ କରିବେ ମୋଚନ ll
ବୈତରଣୀ ଓ ବିରଜା ଭାରତର ପ୍ରାଚୀନ ତୀର୍ଥ ମାନଙ୍କ ମଧ୍ୟରେ ଅନ୍ୟତମ l ମହାଭାରତର ଆଦି, ସଭା,ବନ ଓ ଭୀଷ୍ମ ପର୍ବରେ ଏହି ତୀର୍ଥର ବର୍ଣ୍ଣନା ରହିଛି l ବାରୁଣୀ ଯୋଗରେ ବୈତରଣୀରେ ସ୍ନାନ କରି ଶ୍ରଦ୍ଧାଳୁ ମାନେ ପିତୃ ପୁରୁଷଙ୍କୁ ପିଣ୍ଡ ଦାନ ଓ ଗୋଦାନ ଦେବା ପରମ୍ପରା ରହିଛି l ବାରୁଣୀସ୍ନାନ ଉତ୍କଳର କୁମ୍ଭ ବୋଲି ଆଖ୍ୟାୟିତ ହୋଇ ଥାଏ l ବୈତରଣୀ ତୀରର ସପ୍ତ ମାତୃକା ମନ୍ଦିର ନିକଟ ମହାସ୍ମଶାନରେ ଶବସତ୍କାର ମୋକ୍ଷଦାୟୀ ବୋଲି ବିଚାର କରାଯାଏ l ମୃତକର ଅସ୍ଥିବିସର୍ଜନ ପାଇଁ ଯେଉଁମାନେ ପ୍ରୟାଗ ନ ଯାଇ ପାରନ୍ତି ସେମାନେ ବୈତରଣୀରେ ଅସ୍ଥି ବିସର୍ଜନ କରାଇ ଥାନ୍ତି l ଏଣୁ ଏଠାରେ ଅସ୍ଥିବିସର୍ଜନ ପ୍ରୟାଗସହ ତୁଲ୍ୟ ବୋଲି ମାନ୍ୟତା ରହିଛି l
ସ୍ନାନଯୋଗ :-
ବୈତରଣୀରେ ପଡୁଥିବା ଏ ସ୍ନାନ ଯୋଗକୁ ତିନି ଭାଗରେ ବିଭକ୍ତ କରା ଯାଇଛି l ତାହା ବାରୁଣୀ, ମହାବାରୁଣୀ ଓ ଅତି ମହା ବାରୁଣୀ l ଶତଭିଷା ନକ୍ଷତ୍ର ଯୁକ୍ତ ତିଥିକୁ ବାରୁଣୀ ବା ଯୋଗ ବାରୁଣୀ କୁହାଯାଏ l ମହାବାରୁଣୀ ସବୁ ବର୍ଷ ପଡ଼େ ନାହିଁ l ଯେଉଁବର୍ଷ ଶତଭିଷା ନକ୍ଷତ୍ରଯୁକ୍ତ ଚୈତ୍ର କୃଷ୍ଣପକ୍ଷ ତ୍ରୟୋଦଶୀ ଶନିବାର ପଡେ଼ ତାହା ହୋଇଥାଏ ମହାବାରୁଣୀ l ଦୁର୍ଲଭ ଏ ସ୍ନାନ ଯୋଗ ବହୁବର୍ଷ ବ୍ୟବଧାନରେ ପଡ଼ିଥାଏ l ଚୈତ୍ରଶୁକ୍ଳ ତ୍ରୟୋଦଶୀ ତିଥିରେ ଶତଭିଷା ନକ୍ଷତ୍ର ଯୁକ୍ତ ହୋଇ ଶନିବାର ଦିନ ଯଦି ଶୁଭଯୋଗ ଓ ଅମୃତଯୋଗ ଯୁକ୍ତ ହୁଏ, ତେବେ ତାହାକୁ ଅତି ମହାବାରୁଣୀ ଯୋଗ କୁହା ଯାଏ l
ବୈତରଣୀରେ ବାରୁଣୀ ସ୍ନାନ ହେଉଥିବା ଦଶାଶ୍ୱ ମେଧ ଘାଟ ନିକଟରେ ରହିଛି ଜଗନ୍ନାଥ ମନ୍ଦିର, ସପ୍ତ ମାତୃକା ମନ୍ଦିର, ଲକ୍ଷ୍ମୀ ମନ୍ଦିର, ମୁକ୍ତେଶ୍ୱର ଶିବମନ୍ଦିର,ସିଦ୍ଧିଗଣେଶ, ଶ୍ରୀବିଗ୍ରହ ଓ ନବଗ୍ରହ ମନ୍ଦିର ସହ ଅନେକ ତୀର୍ଥସ୍ଥଳୀ l ବୈତରଣୀରେ ବୁଡ଼ପକାଇ ଓ ପିଣ୍ଡଦାନ ପରେ ଶ୍ରଦ୍ଧାଳୁମାନେ ଏ ସମସ୍ତ ଦେବାଦେବୀଙ୍କୁ ଦର୍ଶନ କରିଥାନ୍ତି l
ପୌରାଣିକ କିମ୍ବଦନ୍ତୀ :-
ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ବେଦପତି ବ୍ରହ୍ମା ଓ ଭଗବାନ ନୃସିଂହଙ୍କ ମଧ୍ୟରେ ଏକଦା ନିଜ ବଡ଼ ପଣକୁ ନେଇ କଳହର ସୂତ୍ର ପାତ ହେଲା l ଏହି କଳହର ବିଚାର ପାଇଁ ଉଭୟ ଶଙ୍କରଙ୍କୁ ମଧ୍ୟସ୍ଥି କଲେ l ବିଚାରରେ ଶିବ ଗୋଟିଏ ସର୍ତ୍ତ ରଖିଲେ, “ମୋର ପାଦ ଠାରୁ ମସ୍ତକ ପର୍ଯ୍ୟନ୍ତ ଯିଏ ଯାଇ ଆଗ ଫେରି ଆସି ପାରିବ ତାକୁ ହିଁ ମୁଁ ସବୁଠାରୁ ବଡ଼ ବୋଲି ମାନିବି l ପ୍ରଭୁ ନୃସିଂହ ଶିବଙ୍କ ମସ୍ତକ ପର୍ଯ୍ୟନ୍ତ ନ ଯାଇ ଅଧାରୁ ଫେରି ଆସିଲେ l ଆସି ଶିବଙ୍କୁ କହିଲେ,ହେ ଦେବ ଦେବ ମହାଦେବ !!! ଆପଣଙ୍କ ପାଦରୁ ମସ୍ତକ ପର୍ଯ୍ୟନ୍ତ ଯିବାକୁ କେହି ବି ସମର୍ଥ ନୁହଁନ୍ତି,ଆପଣ ଅସୀମ l ବ୍ରହ୍ମା ନୃସିଂହ ଯାଇ ଥିବା ବାଟ ଠାରୁ କିଛି ବାଟ ଆଗକୁ ଯାଇ ବାଟରେ କେତକୀ ଫୁଲକୁ ଭେଟିଲେ l ଶିବଙ୍କ ମସ୍ତକପର୍ଯ୍ୟନ୍ତ ଯାଇଥିଲେ ବୋଲି ସେ କେତକୀ ଫୁଲକୁ ମିଛ ସାକ୍ଷ ଦେବା ପାଇଁ ଅନୁରୋଧ କରି ଫେରି ଆସିଲେ l ସେ ଆସି ଶିବଙ୍କୁ କହିଲେ ହେ ଦେବେଶ ! ଆପଣଙ୍କ ମସ୍ତକ ପର୍ଯ୍ୟନ୍ତ ମୁଁ ଯାଇ ଥିଲି ଓ ଆପଣଙ୍କ ମସ୍ତକରୁ କେତକୀ ପୁଷ୍ପ ଖସି ପଡୁ ଥିବାର ଦେଖିଛି l ଏହା ଆପଣ କେତକୀ ଫୁଲକୁ ପଚାରି ପାରନ୍ତି l ପୂର୍ବ ଯୋଜନାନୁଯାୟୀ ବ୍ରହ୍ମା, ଶିବଙ୍କ ପର୍ଯ୍ୟନ୍ତ ଆସିଛନ୍ତି ବୋଲି କେତକୀ ମହାଦେବଙ୍କୁ କହିଲା l ଶିବ କିନ୍ତୁ ଏହା ମିଛ ବୋଲି ଜାଣି ପାରିଲେ l ସେ ବ୍ରହ୍ମାଙ୍କୁ ମିଥ୍ୟାବାଦୀ ବୋଲି କହିଲେ l କ୍ରୋଧରେ ସେ ବ୍ରହ୍ମାଙ୍କୁ ଅପୂଜା ରହିବେ ବୋଲି ଅଭିଶାପ ଦେଲେ l କେତକୀ ଫୁଲକୁ ଅଭିଶାପ ଦେଲେ ତୁ କେବେ ମୋ ପୂଜାରେ ଲାଗି ପାରିବୁ ନାହିଁ l ବ୍ୟଥିତ ହୋଇ କେତକୀ ଶିବଙ୍କୁ ଅନୁରୋଧ କଲା, ହେ ପ୍ରଭୁ ! ମୋତେ ଆପଣଙ୍କ ସେବାରୁ ବଞ୍ଚିତ କରନ୍ତୁ ନାହିଁ l ଶଙ୍କର କେତକୀ ଫୁଲକୁ କହିଲେ ଏ ଅଭିଶାପ ନିଷ୍ଫଳ ଯିବ ନାହିଁ କିନ୍ତୁ ତୋର ପ୍ରାର୍ଥନା ଅନୁଯାୟୀ ସ୍ୱୀକାର କରୁଛି, ଶିବରାତ୍ରି ଗୋଟିଏ ଦିନରେ ତୁ ମୋ’ ଶିର ମଣ୍ଡନ କରିବୁ l ସେଥି ପାଇଁ ଶିବରାତ୍ରିରେ ଶିବଙ୍କ ପୂଜା ପାଇଁ କେତକୀ ଫୁଲର ବହୁ ଚାହିଦା ରହିଥାଏ l
ଏଣେ ଅଭିଶାପରୁ ମୁକ୍ତି ପାଇବା ନିମନ୍ତେ ବ୍ରହ୍ମା ଶିବଙ୍କ ନିକଟରେ ଆକୁଳ ପ୍ରାର୍ଥନା କରିବାରୁ ଶିବ ତାଙ୍କୁ କହିଲେ ପବିତ୍ର ବୈତରଣୀ ନଦୀ କୂଳରେ ଗୋଟିଏ ଯଜ୍ଞ କରି ଯଜ୍ଞପୁରୁଷ ଶ୍ରୀବିଷ୍ଣୁଙ୍କୁ ସନ୍ତୁଷ୍ଟ କରିପାରିଲେ ତୁମେ ଏ ଅଭିଶାପରୁ ମୁକ୍ତିପାଇବ l ବ୍ରହ୍ମା,ବିରଜା କ୍ଷେତ୍ରକୁ ଯଜ୍ଞ ସ୍ଥାନ ରୂପେ ନିରୂପଣ କରି ପୁଣ୍ୟତୋୟା ବୈତରଣୀଙ୍କୁ ଏହି କ୍ଷେତ୍ରରେ ପ୍ରବାହିତ ହେବାପାଇଁ ଅନୁରୋଧ କଲେ l ବ୍ରହ୍ମାଙ୍କ ସ୍ତୁତିରେ ସନ୍ତୁଷ୍ଟା ବୈତରଣୀ ସ୍ୱର୍ଗରୁ ଗୋନାସିକା ପର୍ବତରେ ଧରା ଅବତରଣ କରି ବ୍ରହ୍ମାଙ୍କ ପଛେ ପଛେ କୁଳୁକୁଳୁ ନାଦ କରି ଚାଲିଲେ l କିଛି ବାଟ ଗଲା ପରେ ବ୍ରହ୍ମାଙ୍କୁ କୁଳୁ କୁଳୁ ଶବ୍ଦ ନ ଶୁଭିବାରୁ ସେ ପଛକୁଫେରି ଦେଖିଲେ ବୈତରଣୀ କୁଆଡ଼େ ଅଦୃଶ୍ୟ ହୋଇ ଯାଇଛନ୍ତି l ବ୍ରହ୍ମା ତାଙ୍କୁ ପୁନର୍ବାର ପ୍ରକଟ ହେବା ପାଇଁ ଧ୍ୟାନରେ ବସି ଶୂନ୍ୟ ବାଣୀ ଶୁଣିବାକୁ ପାଇଲେ,ନିବିଡ଼ ଅରଣ୍ୟ ଭିତରେ ମା’ ବୈତରଣୀ ଜଣେ ରମଣୀଙ୍କ ନଗ୍ନରୂପ ଦର୍ଶନରେ ଭୟାତୁର ହୋଇ ଆତ୍ମ ଗୋପନ କରିଛନ୍ତି l ଯଦି ପ୍ରତି କୋଣରେ ଗୋଟିଏ କରି ଶିବ ଲିଙ୍ଗ ସ୍ଥାପନ କରାଯାଏ ତେବେ ଶିବ ଦର୍ଶନକରି ସେ ଭୟମୁକ୍ତ ହୋଇ ଯଜ୍ଞ ସ୍ଥାନକୁ ଯାଇ ପାରିବେ l
ତେଣୁ ବ୍ରହ୍ମା ଗୋନାସିକା ପର୍ବତର ଏକ କ୍ରୋଶ ଦୂରରେ ସର୍ବ ପ୍ରଥମ ଶିବଲିଙ୍ଗ ସ୍ଥାପନ କଲେ ବ୍ରହ୍ମେଶ୍ୱର l ତା’ ପରେ ପ୍ରତିକୋଣରେ କୁଶଳେଶ୍ୱର, ଅମ୍ବକେଶ୍ୱର, ଗତେଶ୍ୱର, ଲିଙ୍ଗେଶ୍ୱର, ଭୂତେଶ୍ୱର, ବିଲେଶ୍ୱର, ହନ୍ତେଶ୍ୱର ପ୍ରଭୃତି l ସବୁ ଶିବଲିଙ୍ଗ ସ୍ଥାପିତ ହେବା ପରେ ମାଆ ବୈତରଣୀ ପୁନଃ ପ୍ରବାହିତ ହୋଇ ବିରଜା କ୍ଷେତ୍ରକୁ ଆସିଲେ l ଏସବୁ ଲିଙ୍ଗମାନଙ୍କ ମଧ୍ୟରେ ଶେଷଲିଙ୍ଗ ହେଉଛନ୍ତି ସିଦ୍ଧେଶ୍ୱର l ଏହି ଠାରୁ ବ୍ରହ୍ମା, ବୈତରଣୀକୁ ଉତ୍ତର ବାହୀନୀ କରି ଦେଇ ଥିବାରୁ ସେଠାରୁ ଆଉ ଶିବଲିଙ୍ଗ ଦେଖିବା ପାଇଁ ମିଳେନାହିଁ l ବୈତରଣୀ ପ୍ରବାହିତ ହେବାରୁ ବ୍ରହ୍ମା ଦଶାଶ୍ୱମେଧଘାଟ ଠାରେ ଯଜ୍ଞ ସମାପ୍ତ କରି ଶାପମୁକ୍ତ ହୋଇଥିଲେ l
ଏହିଯଜ୍ଞରେ ସନ୍ତୁଷ୍ଟହୋଇ ଭଗବାନ ବିଷ୍ଣୁ ବରାହ ରୂପରେ ଆବିର୍ଭୁତ ହୋଇଥିଲେ l କ୍ଷେତ୍ରେଶ୍ବରୀ ମା’ ବିରଜା ମଧ୍ୟ ଏହି ବ୍ରହ୍ମଯଜ୍ଞ ସମ୍ଭୁତା l ଅଧୁନା ଯାଜପୁରରେ ବିରାଜମାନ କରୁଛନ୍ତି ବରାହନାଥ ଓ ମାଆ ବିରଜା l ଏଣୁ ଏ ବିରଜା ବା ବୈତରଣୀ ତୀର୍ଥ ଅତ୍ୟନ୍ତ ପବିତ୍ର l
ଦଶମ ଶତାବ୍ଦୀ, ଯଯାତିକେଶରୀ ମଗଧ ରାଜ୍ୟରୁ କିଶୋରାଵସ୍ଥାରେ ବିତାଡିତ ହୋଇ ଯାଜପୁରରେ ଆସି ପହଞ୍ଚିଥିଲେ l ବିରଜା ଦେବୀଙ୍କ ପ୍ରସାଦରୁ କାଳକ୍ରମେ ସେ ନିଜର ରାଜବଂଶ ସ୍ଥାପନ କଲେ ତତ୍କାଳୀନ ଉତ୍କଳ ରାଜଧାନୀ ଯାଜପୁର ଠାରେ l
ମା’ବିରଜାଙ୍କ ବାହନ ପଶୁରାଜସିଂହ ବା କେଶରୀ ଅନୁସାରେ ସେ ନିଜର ରାଜବଂଶକୁ ନାମିତ କରି ଥିଲେ କେଶରୀଵଂଶ ବୋଲି l ଶ୍ରୀ ଯଜ୍ଞବରାହଙ୍କ ନିକଟ ବୈତରଣୀ ଘାଟଠାରେ ଯଯାତି କେଶରୀ ଦଶଟି ଅଶ୍ୱମେଧ ଯଜ୍ଞ କରାଇଥିଲେ l ଏହି ଯଜ୍ଞ ନିମନ୍ତେ ଯଯାତି କାନ୍ୟକୁବ୍ଜରୁ ଦଶହଜାର ବ୍ରାହ୍ମଣ ଅଣାଇଥିଲେ ଏବଂ ଉତ୍କକରେ ସେମାନଙ୍କୁ ବାସ ଓ ଜମି ଦେଇ ବିଭିନ୍ନ ଶାସନ ମାନ ବସାଇ ଥିଲେ l ଦଶଟି ଅଶ୍ୱମେଧ ଯଜ୍ଞ ହୋଇ ଥିବା ହେତୁ ଏହା ଦଶାଶ୍ୱମେଧ ଘାଟ ନାମରେ ପରିଚିତ l
ଏହି ମହା ଯଜ୍ଞ ହୋଇଥିବାରୁ ଏହି ସ୍ଥାନ ପ୍ରଥମେ ଜାଗପୁର, ଯଜ୍ଞପୁର,ଯାଜନଗ୍ର ଆଦି ନାମରେ ନାମିତ ହୋଇ ଥିଲା ଯାହା ପରବର୍ତ୍ତୀ କାଳରେ ଯାଜପୁର ନାମ ହୋଇଛି l ଯଯାତିକେଶରୀ ବିରଜାଙ୍କ କୃପାଲାଭ କରି କେଶରୀ ବଂଶ ଏବଂ ଯାଜପୁରରେ ତାଙ୍କର ରାଜୁତି ସ୍ଥାପନା କରିଥିବା ଗାଥାକୁ ବର୍ଣ୍ଣନା କରି ଯଯାତିକେଶରୀ କାବ୍ୟରେ କବିବର ରାଧାନାଥ ରାୟ ଲେଖିଛନ୍ତି :-
ଅଖିଳ ଉତ୍କଳେ ସ୍ଥାପିବ ଯଯାତି
କୀର୍ତ୍ତିରାଜି ଅନଶ୍ୱର l
ନଦୀ ତୀରେ ମୋର ଅଧିଷ୍ଠାନ ବନେ
ରଚିବ ଦିବ୍ୟ ନଗର ll
ହେବ ଏ ଅବନୀ ଯଯାତିର ଯଶ
ବୀଜର ପ୍ରରୋହ ସ୍ଥଳୀ l
ଯୁଗେ ଯୁଗେ ଏହି ଯଯାତିର ଯଶ
ଗାଇବେ ହର୍ଷେ ଉତ୍କଳୀ ll
ବିଶ୍ୱାସ ରହିଛି, ବିରଜା କ୍ଷେତ୍ରରେ ବାରୁଣୀ ସ୍ନାନ କରି ପିତୃପୁରୁଷଙ୍କୁ ପିଣ୍ଡ ଦାନ କଲେ ପିତୃପୁରୁଷ ମୋକ୍ଷଲାଭ କରିବାସହ ମନୁଷ୍ୟ ଅଶେଷ କଳୁଷ ତଥା ପାତକରୁ ମୁକ୍ତିଲାଭ କରିଥାଏ କାରଣ ଏହା ଦେବଯଜ୍ଞ ଭୂମି l ଦେବ ଯଜ୍ଞ ଭୂମି ବିରଜା ତୀର୍ଥ ଯାଜପୁରକୁ ଲକ୍ଷ୍ୟ କରି କବିବର ରାଧାନାଥ ପୁଣି ଯଯାତି କେଶରୀ କାବ୍ୟରେ କହିଛନ୍ତି :-
ଦେବ ଯଜ୍ଞ ଭୂମି ସ୍ରୋତ ଯାର
ସପ୍ତ ମାତୃକା ମାଜଣା ପୂତ l
ସିକତିଳ ବକ୍ଷେ ଶ୍ରୀ ବରାହ ରୂପୀ
ବସନ୍ତି ଯାର ଅଚ୍ୟୁତ ll
ଜୟ ମାଆ ବିରଜା, ଜୟ ଭଗବାନ ଯଜ୍ଞ ବରାହ,
ଜୟ ପୁଣ୍ୟ ତୀର୍ଥ ବୈତରଣୀ !!!
ନମସ୍ତେ ଶ୍ରୀ ବରାହ ଦେବ
ନମସ୍ତେ ବିରଜା ଚଣ୍ଡୀ l
ତୋ ତୀର୍ଥେ ସ୍ନାହାନେ ନର
ଅଶେଷ ପାତକ ଖଣ୍ଡି ll
🙏🙏🙏
ଅର୍ଜୁନୀ
——————-
ମୋ – 7693091971
Thanks. Extremely useful for jajpurias.