ଉଷା ଅନିରୁଦ୍ଧଙ୍କ ବିବାହ

Share it

ଉଷା ଅନିରୁଦ୍ଧଙ୍କ ଵିଵାହ
=============

ଶ୍ରୀମଦ୍ଭାଗବତ ମହାପୁରାଣର କଥା । ଦାନବରାଜ ବଳିଙ୍କର ଏକ ଶହ ପୁତ୍ରଙ୍କ ମଧ୍ୟରେ ଜ୍ୟେଷ୍ଠ ଥିଲେ ଶିବଭକ୍ତ ବାଣାସୁର । ସେ ମନୋହର ଶୋଣିତପୁର ନଗରୀରେ ରାଜପଣ କରୁ ଥିଲେ । ପ୍ରବଳ ପ୍ରତାପୀ ବାଣାସୁରର ଶିବଙ୍କ ପ୍ରସାଦରୁ ହଜାର ବାହୁ ଥିଲା । ଦେବତାମାନେ ତା ନିକଟରେ କିଙ୍କର ପ୍ରାୟେ ଖଟୁ ଥିଲେ । ଭଗବାନ୍ ଶିବଙ୍କ ତାଣ୍ଡବନୃତ୍ୟବେଳେ ସେ ତାର ସେହି ସହସ୍ର ବାହୁରେ ବାଦ୍ୟନାଦ କରି ତାଙ୍କୁ ସନ୍ତୁଷ୍ଟ କରୁଥିଲା ।

ଏକଦା ଶିବ ତା ଉପରେ ପ୍ରସନ୍ନ ହୋଇ କହିଲେ, ତୁ କି ବର ଚାହୁଁଛୁ ମାଗ । ମନ୍ଦମତି ଅସୁର କହିଲା, ହେ ତ୍ରିଲୋଚନ, ତ୍ରିଜଗତର ସ୍ବାମୀ ! ଆପଣ ମୋର ପୁର ରକ୍ଷକ ହୋଇ ରୁହନ୍ତୁ ।

ଏପରି ଦିନ ଗଡ଼ିଚାଲିଲା । ଦିନେ ବାଣାସୁର ଶିବଙ୍କୁ ପ୍ରଣାମ କରି କହିଲା, ହେ ଦେବଦେବ ମହାଦେବ ! ଆପଣ ମୋତେ ହଜାରେ ବାହୁ ଦେଇଛନ୍ତି । ସେହି ବାହୁ ଗୁଡ଼ିକ ମୋ ପକ୍ଷରେ ଭାର ସ୍ୱରୂପ ହୋଇଛି। ମୋର ରଣକଣ୍ଡୁ ଜାତ ହେଉଛି । ମାତ୍ର, ମୁଁ ଦେଖୁଛି ମୋ ସହିତ ଲଢ଼ିବାପାଇଁ ଆପଣଙ୍କ ଛଡ଼ା ସମକକ୍ଷ ଯୋଦ୍ଧା ଆଉ କେହିନାହିଁ ।

ବାଣାସୁରର ମନୋଭାବ ଜାଣିପାରି ଶିବ ଅତ୍ୟନ୍ତ କ୍ରୁଦ୍ଧହୋଇ କହିଲେ, ମୁଢ଼ ! ଯେଉଁଦିନ ତୋ ରଥର ଧ୍ଵଜା ଭାଙ୍ଗିଯିବ ସେଦିନ ତୁ ମୋ ସହିତ ଲଢ଼ିବୁ ଓ ତୋର ଗର୍ବ ଖର୍ବହେବ ।

ବାଣାର ଉଷା ନାମରେ ଏକ ଅତୀବ ସୁନ୍ଦରୀ କନ୍ୟା ଥିଲା । ଉଷା ଦିନେ ଶ୍ରୀକୃଷ୍ଣଙ୍କ ନାତି ପ୍ରଦ୍ୟୁମ୍ନଙ୍କ ପୁତ୍ର ଅନିରୁଦ୍ଧଙ୍କ ସହ ବିହାରକରୁଥିବାର ସ୍ବପ୍ନ ଦେଖିଲା । କିନ୍ତୁ ଆଗରୁ ସେ କେବେ ଅନିରୁଦ୍ଧଙ୍କୁ ଜାଣି ନ ଥିଲା କି ସେ କିପରି ଦେଖି ନଥିଲା । ସ୍ବପ୍ନ ଦେଖି ନିଦରେ ସେ ବିଳିିବିଳେଇ ହୋଇ କହିଲା,’ହେ କାନ୍ତ ! ତୁମେ କୁଆଡ଼େ ଗଲ’ ।

କୁମ୍ଭାଟ ବୋଲି ବାଣାସୁରର ଜଣେ ମନ୍ତ୍ରୀ ଥିଲେ । ତାଙ୍କ ଝିଅ, ଚିତ୍ରଲେଖା ଥିଲା ଉଷାର ଅନ୍ତରଙ୍ଗ ସଖୀ । ସେ ପାଖରେ ଶୋଇଥିଲା। ଉଷା ଏପରି କହୁଥିବା ଦେଖି ସେ କହିଲା, ସଖୀ କାହାକୁ ଖୋଜୁଛ ତୁମେ ? ତୁମର ତ ଏ ଯାଏ ବିବାହ ହୋଇ ନାହିଁ । ପୁଣି ତୁମର କାନ୍ତ କିଏ ?

ଉଷା କହିଲେ, ହଁ ସଖୀ ମୁଁ ଜଣେ ନାରୀ ମନକୁ କିଣିନେଲା ପରି ଅତି ସୁନ୍ଦର ପୁରୁଷଙ୍କୁ ଦେଖିଲି, ସେ ମୋତେ ଛାଡ଼ିଦେଇ କୁଆଡ଼େ ଚାଲିଗଲେ । ମୁଁ ତାଙ୍କୁ ହିଁ ଖୋଜୁଛି । ସିଏ ମୋ ଚିତ୍ତକୁ ଚୋରାଇ ନେଇଛନ୍ତି ।

ଚିତ୍ରଲେଖା କହିଲେ, ହଉ ! ତେବେ ତୁମେ ମୋତେ ସେହି ଚିତ୍ତ ଚୋରକୁ ଥରେ ଚିହ୍ନାଇ ଦିଅ । ମୁଁ ତାଙ୍କୁ ନିଶ୍ଚୟ ଧରି ଆଣିବି । ଏପରି କହି ଚିତ୍ରଲେଖା ନିଜ ହାତରେ କେତେଗୁଡ଼ିଏ ଦେବ, ଦାନବ ଓ ଗନ୍ଧର୍ବଙ୍କ ଚିତ୍ର ଆଙ୍କି ତାଙ୍କୁ ଦେଖାଇଲେ । ତା ଭିତରେ ଖୋଜି ଖୋଜି ଉଷା ଗୋଟିଏ ଚିତ୍ରକୁ ବାଛି, କହିଲେ, ଏହି ହେଉଛନ୍ତି ସେହି ଚିତ୍ତଚୋର ।

ଚିତ୍ରଲେଖା ଜାଣି ପାରିଲା, ଇଏ ହେଉଛନ୍ତି କୃଷ୍ଣଙ୍କ ନାତିି ଅନିରୁଦ୍ଧ । ସେ ଜଣେ ଯୋଗିନୀ ଥିଲା । ଏଣୁ ଯୋଗବଳରେ ସେ ଦ୍ଵାରକା ଉଡ଼ିଯାଇ ଶୋଇଥିବା ଅନିରୁଦ୍ଧଙ୍କୁ ଉଠାଇ ଆଣି ଶୋଣିତପୁରରେ ଉଷାଙ୍କ ନିକଟରେ ପହଞ୍ଚାଇଦେଲା ।

ନିଜ ଇପ୍ସିତ ପୁରୁଷଙ୍କୁ ପାଇ ଉଷା ବହୁତ ଖୁସିହେଲେ । କୌଣସି ପୁରୁଷଙ୍କୁ ଉଷାଙ୍କ ପୁରକୁ ପ୍ରବେଶଅଧିକାର ନଥିଲା । ସେଇଠି ଗୁପ୍ତ ଭାବେ ଉଷା ଅନିରୁଦ୍ଧଙ୍କୁ ତାଙ୍କ ପ୍ରେମ ପାଶରେ ବନ୍ଦିକରି ରଖିଲେ । ଅନିରୁଦ୍ଧଙ୍କ ସହ ସମ୍ଭୋଗ ରତା ଉଷାଙ୍କ ଶରୀରରେ କ୍ରମେ ନାନା ବିଲକ୍ଷଣ ପ୍ରକାଶ ପାଇଲା । ଅନିରୁଦ୍ଧ ମଧ୍ୟ ସେଠି ଆନନ୍ଦରେ କେତେ ଦିନ ରହିଗଲେ କିଛି ଜାଣି ପାରିଲେ ନାହିଁ ।

ଅନ୍ତଃପୁରରେ ଉଷାର ଏପରି ବିଲକ୍ଷଣ ମାନ ଲକ୍ଷ୍ୟ କରି ରକ୍ଷୀଗଣ ଯାଇ ବାଣାସୁରକୁ ଖବର ଦେଲେ । ଖବର ପାଇ ବାଣାସୁର ସୈନ୍ୟସାମନ୍ତ ଧରି ଉଷାର ପୁରରେ ପ୍ରବେଶକରି ଦେଖିଲେ ଏକ ସୁନ୍ଦର ପୁରୁଷ ଉଷାଙ୍କସହ ବସି ପଶାଖେଳୁଛି । ସେ ବିସ୍ମିତ ହୋଇ ତାଙ୍କୁ ଧରିବା ପାଇଁ ଆଗେଇଗଲେ । ଅନିରୁଦ୍ଧ ଏହା ଦେଖି ଏକ ପରିଘ ଦ୍ଵାରା ତାଙ୍କର ସମସ୍ତ ସୈନ୍ୟଙ୍କୁ ମାରି ଘୋଉଡ଼େଇ ଦେଲେ । ଅସଂଖ୍ୟ ସୈନ୍ୟ କ୍ଷୟ ଦେଖି ବାଣାସୁର କୁପିତହୋଇ ତାଙ୍କୁ ନାଗପାଶରେ ବାନ୍ଧିପକାଇ ଘେନି ଚାଲିଲା । ଉଷା ତାଙ୍କ ବନ୍ଧନକୁ ଦେଖି ଶୋକରେ ଲୁହ ଗଡ଼ାଇବାକୁ ଲାଗିଲେ ।

ବର୍ଷା ଚାରି ମାସ କଟି ଗଲା । ଇଆଡ଼େ ଦ୍ଵାରିକାରେ ନିରୁଦ୍ଦିଷ୍ଟ ଅନିରୁଦ୍ଧଙ୍କୁ ଖୋଜା ଚାଲିଥାଏ । କୌଣସି ସନ୍ଧାନ ମିଳୁନଥାଏ । ଏତିକିବେଳେ ଦିନେ ଦେବର୍ଷି ନାରଦ ଦ୍ଵାରିକାରେ ପହଞ୍ଚି ଖବର ଦେଲେ ଅନିରୁଦ୍ଧ ଶୋଣିତ ପୁରରେ ବାଣାସୁର ଦ୍ୱାରା ବନ୍ଦି ହୋଇଛି ।

ଏହାଶୁଣି ଶ୍ରୀକୃଷ୍ଣ ବଳରାମ ଯଦୁବୀରମାନଙ୍କୁ ଧରି ଯାଇ ଶୋଣିତପୁର ଅବରୋଧ କଲେ । ସେମାନଙ୍କ ଆକ୍ରମଣରେ ଉଦ୍ୟାନ ଅଟ୍ଟାଳିକା ତୋରଣ ଗୋପୁର ଆଦି ଧରାଶାୟୀହେଲା । କୁପିତ ବାଣାସୁର, ସୈନ୍ୟ ସାମନ୍ତ ଧରି ଯୁଦ୍ଧକରିବାକୁ ବାହାରି ଆସିଲା । ବାଣା ସହିତ ମହାଦେବ ମଧ୍ୟ ପୁତ୍ର କାର୍ତ୍ତିକେୟ ଏବଂ ଶିବ ଗଣଙ୍କୁ ଧରି ବାହାରି ଆସିଲେ ।

ତାଙ୍କର ଶ୍ରୀକୃଷ୍ଣଙ୍କ ସହିତ ତୁମୁଳ ସଂଗ୍ରାମ ଲାଗିଲା । ଅନ୍ୟ ଯଦୁବୀର ମାନେ କାର୍ତ୍ତିକେୟ ଓ ଶିବ ଗଣଙ୍କ ସହ ଯୁଝୁଥାନ୍ତି । ବଳରାମଙ୍କ ଯୁଦ୍ଧ ଲାଗିଥାଏ କୁମ୍ଭାଣ୍ଡ ଓ କୂପକର୍ଣ୍ଣଙ୍କ ସହିତ । ଯାଦବ ସେନାଙ୍କ ପ୍ରଚଣ୍ଡ ଆକ୍ରମଣକୁ ଆଉ ସହିନପାରି ଅସୁର ସେନା ଛତ୍ରଭଙ୍ଗ ଦେଲେ ।

ବାଣାସୁର ଆଉ ସମ୍ଭାଳି ନପାରି ଶ୍ରୀକୃଷ୍ଣଙ୍କ ଉପରେ ତାର ସହସ୍ରବାହୁଦ୍ଵାରା ନାନା ବାଣ ନିକ୍ଷେପ କଲା । କିନ୍ତୁ ଶ୍ରୀକୃଷ୍ଣ ତାର ସବୁ ବାଣ ଓ ଅଶ୍ଵମାନଙ୍କୁ କାଟି ପକାଇ ଶଙ୍ଖଧ୍ଵନୀ କଲେ । ତା ରଥ ଧ୍ଵଜା ଭାଙ୍ଗିପଡ଼ି ଥିଲା ।

ପୁତ୍ରର ପ୍ରାଣ ରକ୍ଷା ପାଇଁ ବାଣାସୁରର ମାତା କୋଟରା ବାଳକୁ ମୁକୁଳା କରି ଉଲଗ୍ନ ହୋଇ ଆସି କୃଷ୍ଣଙ୍କ ଆଗରେ ଠିଆହୋଇ ପଡ଼ିଲା । ଉଲଗ୍ନ ସ୍ତ୍ରୀକୁ ଦେଖିବେ ନାହିଁ ବୋଲି, କୃଷ୍ଣ ମୁହଁ ବୁଲାଇ ଦେବାରୁ ବାଣାସୁର ଯୁଦ୍ଧଛାଡ଼ି ପ୍ରାଣ ବିକଳରେ ନଗର ମଧ୍ୟକୁ ଦୌଡ଼ି ପଳାଇ ଗଲା ।

ରୁଦ୍ରଗଣ ପଳାଇଯିବାରୁ ତିନୋଟିପାଦ ଓ ତିନିମୁଣ୍ଡ ଥିବା ରୁଦ୍ରଜ୍ଵର ଦଶ ଦିଗକୁ ଦହନ କରି ଶ୍ରୀକୃଷ୍ଣଙ୍କ ଆଡ଼େ ମାଡ଼ିଆସିଲା । ଏହା ଦେଖି ଶ୍ରୀକୃଷ୍ଣ ବୈଷ୍ଣବ ଜ୍ଵର ସୃଷ୍ଟି କଲେ । ଦୁହିଁଙ୍କ ମଧ୍ୟରେ ପ୍ରବଳ ସଂଗ୍ରାମ ହେଲା । ଶେଷକୁ ରୁଦ୍ର ଜ୍ୱର ପରାସ୍ତ ହୋଇ କୃଷ୍ଣଙ୍କ ଶରଣ ପଶିଲା ।

ଅନେକ ସ୍ତୁତି କରି ଶିବ ଭଗବାନ୍ ଶ୍ରୀକୃଷ୍ଣଙ୍କୁ କହିଲେ, ଏହି ବାଣାସୁର ମୋର ପରମ ଭକ୍ତ ଓ ମୋର ଆଶ୍ରିତ । ମୁଁ ତାକୁ ଅଭୟ ଦେଇଛି । ଆପଣ ଯେଉଁପରି ଏହାର ପ୍ରପିତାମହ ଦୈତ୍ୟରାଜ ପ୍ରଲ୍ଲାଦକୁ ଅନୁଗ୍ରହ କରିଥଲେ ଏହାକୁ ମଧ୍ୟ ସେପରି ଅନୁଗ୍ରହ କରନ୍ତୁ ।

ଶ୍ରୀକୃଷ୍ଣ କହିଲେ,ଆପଣ ବାଣକୁ ଅଭୟ ଦେଇଛନ୍ତି ମୁଁ ତାହାକୁ ସ୍ଵୀକାର କରୁଛି । ମୁଁ ପ୍ରହ୍ଲାଦର କୌଣସି ବଂଶ ଧରକୁ ମାରିବି ନାହିଁ ବୋଲି, ପୂର୍ବରୁ ପ୍ରହ୍ଲାଦକୁ ବର ଦେଇଛି । ଏଣୁ ଏ ମଧ୍ୟ ମୋର ଅବଧ୍ୟ । ଏହାର ଗର୍ବ ଖଣ୍ଡନପାଇଁ ମୁଁ ଏହାର ସହସ୍ର ବାହୁକୁ ଛେଦନ କରିଛି ଏବଂ ତାହାର ବିପୁଳ ସୈନ୍ୟବଳକୁ ସଂହାର କରିଛି । ଏବେ ଏହାର ଚାରିଟି ମାତ୍ର ଭୁଜ ଅଛି । ମୁଁ ବର ଦେଉଛି, ବାଣା ଅଜର ଅମର ଥାଇ ଆପଣଙ୍କ ମୁଖ୍ୟ ପାର୍ଷଦ ହୋଇ ରହିବ ।

ଶ୍ରୀକୃଷ୍ଣଙ୍କ ଠାରୁ ଅଭୟ ପାଇ, ବାଣାସୁର ଉଷା ଓ ଅନିରୁଦ୍ଧଙ୍କୁ ରଥରେ ବସାଇ ଆଣି, ତାଙ୍କୁ ସମର୍ପଣ କଲା । ଭଗଵାନ ଶିବଙ୍କ ଅନୁମତି ଘେନି, ଶ୍ରୀକୃଷ୍ଣ ଏକ ଆକ୍ଷୋହିଣୀ ସେନା ତଥା ସମସ୍ତ ଯଦୁବୀରଙ୍କ ସହ ଉଷା ଅନିରୁଦ୍ଧଙ୍କୁ ଧରି ଦ୍ୱାରିକା ଯାତ୍ରା କଲେ ।

ବାଣା ପରାଜୟ କରି, ଶ୍ରୀକୃଷ୍ଣ ଦ୍ଵାରକା ଫେରୁଛନ୍ତି ଜାଣି ସମସ୍ତ ଦ୍ଵାରିକା ନଗର ସୁସଜ୍ଜିତ ହୋଇ ରହି ଥିଲା । ଶ୍ରୀକୃଷ୍ଣ ପହଞ୍ଚିବା ମାତ୍ରେ, ଶଙ୍ଖ,ନାଗରା ଓ ଦୁନ୍ଦୁଭି ଧ୍ୱନୀରେ ଦ୍ୱାରକାନଗରୀ ପ୍ରକମ୍ପିତ ହେଲା । ପୂର ନାରୀ ମାନେ ଆସି, ବର କନ୍ୟାଙ୍କୁ ବନ୍ଦାପନା କଲେ,ଦ୍ୱିଜମାନେ ସ୍ବସ୍ତିବାଚନ ପୂର୍ବକ ବରକନ୍ୟାଙ୍କୁ ଆଶିଷଦେଲେ । ସେହି ଆନନ୍ଦମୟ ମୁହୂର୍ତ୍ତକୁ ଲକ୍ଷ୍ୟ କରି ଭାଗବତରେ ଅତିବଡ଼ି ଲେଖିଲେ :-
ମଙ୍ଗଳ ଦ୍ରବ୍ୟ କରେ ଘେନି
ଆନନ୍ଦେ ମିଳିଲେ କାମିନୀ ।।
ଶଙ୍ଖ ଶବଦ ବାଦ୍ୟ ସ୍ୱରେ
ଆଶିଷ ଦେଲେ ଦ୍ୱିଜବରେ ।।

ଅର୍ଜୁନୀ ଚରଣ ବେହେରା
ମୋ – ୭୬୯୩୦୯୧୯୭୧


Share it

Leave a comment

Your email address will not be published. Required fields are marked *

Verified by MonsterInsights