ବଡ କଠିନ ସେ ପ୍ରୀତି ପାଳିବା …

Share it

29th July 2024

କଲିଂ ବେଲ୍ ର ଘଣ୍ଟି ଶୁଣି ସୁନନ୍ଦା କବାଟ ଖୋଲିଲେ। ମହେଶ ବାବୁ ଘରେ ପ୍ରବେଶ କରୁ କରୁ କହିଲେ – ଦେଖ ସୁନା ତୁମ ପାଇଁ କଣ ଆଣିଛି”।

ସୁନନ୍ଦା କହିଲେ – ତୁମକୁ ତ ଅଫିସରୁ ସିଧା ଘରକୁ ଆସିବା କଥା, ପ୍ରତିଦିନ କଣ ସବୁ ମୋ ପାଇଁ ଧରିକି ଆସୁଛ? ଖାଲିଟାରେ ପଇସାର ଅପବ୍ୟୟ”।

– ଏ କି କଥା କହୁଛ ସୁନା, ମୁଁ ତୁମକୁ ଏତେ ଭଲ ପାଏ, ତେଣୁ ତୁମ ପାଇଁ….”

ପାଟିରୁ କଥା ଛଡ଼େଇ ଥଟ୍ଟାରେ ସୁନନ୍ଦା କହିଲେ – ଓଃ ଭଲ ପାଇବା ତୁମର ଦେଖିଛି। ତୁମେ କେତେ ରସିକ ତା କଣ ମୁଁ ଜାଣିନି। ମୁଁ ମଲେ ତୁମେ ନିଶ୍ଚୟ ଆଉ ଗୋଟେ ସୁନ୍ଦରୀକୁ ଖୋଜି କି ବାହା ହେଇ ପଡ଼ିବ”।

– ଦେଖ ଯାହା ବି କୁହ କିନ୍ତୁ ତୁମେ ଆଉ ଏ ମରିବା କଥା କେବେ କହିବନି। ମୋତେ ଜମାରୁ ପସନ୍ଦ ନାହିଁ। ତୁମ ବିନା କଣ ମୁଁ ବଞ୍ଚିପାରେ?”

ପୁଣି ମହେଶ କହିଲେ – ଛାଡ଼ ସେ ବାଜେ କଥା, ତୁମେ ଆଗ ଏ ଆଇସକ୍ରିମକୁ ଫ୍ରିଜ୍ ରେ ରଖିଲ ନ ହେଲେ ସବୁ ଏଇଠି ଝୋଳ ହେଇଯିବ। ମୁଁ ଗୋଡ଼ ହାତ ଧୋଇ, କପଡ଼ା ବଦଳି ଆସୁଛି, ମିଶିକି ଆଇସକ୍ରିମ ଖାଇବା।

ମହେଶ ସରକାରୀ କର୍ମଚାରୀ। ଆଉ ଦୁଇଟା ବର୍ଷ ପରେ ଚାକିରିରୁ ଅବସର ମିଳିଯିବ। ଦୁହିଁଙ୍କର ଗୋଟେ ପୁଅ ଆଉ ଗୋଟେ ଝିଅ। ଝିଅର ବିଭାଘର ହେଇସାରିଛି। ଝିଅ ଜ୍ବାଇଁ ବାଙ୍ଗାଲୋର ରେ ରୁହନ୍ତି। ପୁଅର ବିଭାଘର ମଧ୍ୟ ଦୁଇ ବର୍ଷ ତଳେ ସମ୍ପନ୍ନ ହୋଇଛି। ପୁଅ, ବୋହୁ ଆଉ ନାତି ସମସ୍ତେ ହାଇଦ୍ରାବାଦ୍ ରେ ରୁହନ୍ତି। ଏଇ କିଛି ଦିନ ତଳେ ଦୁହେଁ, ନାତିର ପ୍ରଥମ ଜନ୍ମ ଦିନ ମନେଇ ହାଇଦ୍ରାବାଦ୍ ରୁ ଫେରିଛନ୍ତି।

ମହେଶ ଗେହ୍ଲରେ ସୁନନ୍ଦାଙ୍କୁ ‘ସୁନା ‘ ବୋଲି ଡାକନ୍ତି ଆଉ ସୁନନ୍ଦା ବେଳେ ବେଳେ ଥଟ୍ଟାରେ ମହେଶ ବାବୁଙ୍କୁ ‘ ଭୋଲେନାଥ ‘ ଡାକନ୍ତି। ଦୁହିଁଙ୍କ ଭିତରେ ଅଗାଧ ପ୍ରେମ। ପରସ୍ପରକୁ ଛାଡ଼ି ମୁହୂର୍ତ୍ତେ ରହି ପାରିବେନି। ବର୍ତମାନ ଏମାନେ ଦୁହେଁ ଦୁନିଆର ଜଞ୍ଜାଳରୁ କିଛିଟା ମୁକ୍ତି ପାଇ ଆନନ୍ଦରେ ଦିନ କାଟୁଛନ୍ତି।

ସେଦିନର କଥା, ମହେଶ ବାବୁ ସୋଫାରେ ଚିନ୍ତିତ ମନରେ ବସିଥିଲେ ଆଉ ଭାବୁଥିଲେ – “ଆଜି କାଲି ସୁନାର ଦେହଟା ଜମା ଭଲ ରହୁନି। ଯେତେ ଡାକ୍ତରଙ୍କୁ ଦେଖେଇଲେ ମଧ୍ୟ କିଛି ଲାଭ ମିଳୁନି। କଣ କରେ କଟକ ବଡ଼ ଡ଼ାକ୍ତରଖାନାକୁ ନେଇଯାଏ, ସେଠି ହୁଏତ ଠିକ୍ ଉପଚାର ହେବ ।”

ଆଉ ବିଳମ୍ବ ନ କରି ମହେଶ, ସୁନନ୍ଦାଙ୍କୁ ନେଇ କଟକ ଗଲେ। ସେଠି ଡାକ୍ତର ଗୁଡ଼ାଏ ପରୀକ୍ଷା କଲେ। ରିପୋର୍ଟ ଆସିବା ଦିନ ଦୁହେଁ ପୁଣି କଟକ ଗଲେ। ଡାକ୍ତର କେବଳ ମହେଶଙ୍କୁ ଭିତରକୁ ଡକେଇଲେ। ଡାକ୍ତର ମହେଶଙ୍କୁ କହିଲେ – “ବହୁତ୍ ଦୁଃଖର ଖବର, ରେପୋର୍ଟରେ କର୍କଟ ରୋଗର ପୁଷ୍ଟି ହେଇଛି। ରୋଗ ବର୍ତମାନ ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି। ରୋଗୀ ପାଖରେ ସମୟ ଖୁବ୍ କମ୍। ଆପଣଙ୍କୁ ଧର୍ଯ୍ୟ ରଖିବାକୁ ହେବ। ଆଉ କଉଠି ଦେଖେଇ ଲାଭ ମଧ୍ୟ ନାହିଁ। ତେଣୁ ଯଥା ସମ୍ଭବ ତାଙ୍କୁ ଖୁସି ଦେଇ, ତାଙ୍କର ସବୁ ଇଚ୍ଛା ପୂରଣ କରି, ପାଖରେ ରଖନ୍ତୁ।”

ମହେଶଙ୍କ ଆଖି ସାମନାରେ ଅନ୍ଧକାର ଛାଇ ଗଲା। ସେ କଣ କରିବେ, ସୁନନ୍ଦାକୁ କଣ କହିବେ କିଛି ବୁଝି ପାରୁନଥିଲେ। ଆଖିର ଲୁହକୁ ପୋଛି କ୍ୟାବିନରୁ ବାହାରିଲେ। ବାଟ ସାରା ଚୁପ୍। କଣ ବା ସେ କଥା ହେବେ। ସୁନନ୍ଦା ବାରମ୍ବାର ପଚାରୁ ଥାଆନ୍ତି – ଡାକ୍ତର କଣ କହିଲେ? ତମେ ମୋତେ କିଛି କହୁନ କଣ ପାଇଁ? ତୁମ ମୁହଁଟା ଏତେ ଶୁଖି ଯାଇଛି କଣ ପାଇଁ? କିଛି କଥା ହେଉନ କଣ ମୋତେ କିଛି ସାଙ୍ଘାତିକ ବେମାରୀ ହେଲାକି? “ନିଜ ଦେହଟା ଭଲ ଲାଗୁନି ବୋଲି ମିଛ କହିକି କୌଣସି ମୋତେ ପରିସ୍ଥିତିକୁ ସମ୍ଭାଳିଲେ ମହେଶ।

ଘରକୁ ଫେରି ସେଦିନ ମଉକା ଦେଖି ମହେଶ ବାବୁ ଘର ବାହାର ଅଗଣାରୁ ଚୁପ୍ କିନା ପୁଅ ଆଉ ଝିଅଙ୍କୁ ଫୋନରେ ସୁନନ୍ଦାର ବେମାରୀ କଥା ଜଣାଇଲେ ଆଉ ମାଆ ଯେପରି ଜାଣିନପାରେ ସେଥିପାଇଁ ସତର୍କ କରିଦେଲେ। କିନ୍ତୁ ଏହା ଭିତରେ କେତେବେଳେ ସୁନନ୍ଦା ଆସି ପଛରୁ ସବୁ ଶୁଣୁଛନ୍ତି ସେକଥା ମହେଶ ଜାଣି ପାରିଲେନି। ସୁନନ୍ଦା ସବୁ ଶୁଣି ଚୁପ୍ କିନା ଘର ଭିତରକୁ ଚାଲିଗଲେ।

ସେଦିନ ରାତିରେ ଦୁହେଁ ଶୋଇ ପାରିଲେନି।
ମହେଶ ଭାବୁଥିଲେ, “ଯାହାର ହାତ ଧରି ୩୦ ବର୍ଷ ଏତେ ହସ ଖୁସିରେ ବିତେଇଦେଲି, ଯାହାର ପାଉଁଜିର ରୁଣୁ ଝୁଣୁ ଶବ୍ଦରେ ଘରଟା ଝଙ୍କାରିତ, ଯାହାର ମଧୁର ଶବ୍ଦରେ ଘରଟା ସଙ୍ଗୀତମୟ, ଯିଏ ତୁଳସୀ ଚଉଁରାରେ ପ୍ରତିଦିନ ସଞ୍ଜ ଦୀପ ଜାଳି ପରିବାର ପାଇଁ ଶୁଭ ମନାସେ, ମୋର ସବୁ ସୁଖ ଦୁଃଖର ସାଥି, ତା ବିନା କେମିତି ରହିବି? ”

ସୁନନ୍ଦା ଭାବୁଥିଲେ, “ମୁଁ ଗଲାପରେ ୟାଙ୍କର ଧ୍ୟାନ କିଏ ରଖିବ। ଠିକ୍ ସମୟରେ ଔଷଧ କିଏ ଦେବ, ଇଏ ତ ସବୁ ଭୁଲି ଯାଆନ୍ତି। ଦେହ ଖରାପ ହେଲେ କିଏ ଯତ୍ନ ନେବ। ଏମିତି କେତେ କଣ ।”

ଧୀରେ ଧୀରେ ସୁନନ୍ଦାଙ୍କ ଦେହ ଆହୁରି ଖରାପ ହେବାକୁ ଲାଗିଲା। ଚଲା ବୁଲାରେ ଅସମର୍ଥତା ଯୋଗୁ ପୁରା ସମୟ ବିଛଣାରେ କଟିଲା। ମହେଶ ଅଫିସରୁ ଛୁଟି ନେଇ ଘରେ ରହିବାକୁ ଲାଗିଲେ।

ସବୁଦିନ ପରି ସେଦିନ ମଧ୍ୟ ମହେଶ ବାବୁ, ସୁନନ୍ଦାଙ୍କର ନିତ୍ୟକର୍ମ କରେଇ କିଛି ତରଳ ଖାଦ୍ୟ ଖୁଏଇବାକୁ ଲାଗିଲେ କିନ୍ତୁ ସୁନନ୍ଦା, ମହେଶଙ୍କର ହାତ କୁ ଧରି ରୋକିଦେଲେ ଆଉ ଧିରେ ଧିରେ କହିଲେ, – ଆଜି ବୋଧେ ମୋର ଅନ୍ତିମ ଦିନ। ମୋତେ ଭଲ ଭାବରେ ସଜେଇ ବଧୂ ବେଶରେ ବିଦା କରିବ।”

– ସୁନା, ତୁମେ କଣ କହୁଛ, ତୁମର କିଛି ହେବନି, ମୁଁ ପରା ଅଛି ତୁମକୁ ଯମ ମୁହଁରୁ ଫେରେଇ ଆଣିବି।”

– ମୋର ଭୋଲେନାଥ, ତୁମେ କେତେ ମହାନ୍, ମୋର ସୌଭାଗ୍ୟ କି ତୁମକୁ ସ୍ବାମୀ ଭାବରେ ପାଇଛି। ହେ ମହାପ୍ରଭୁ ଏତିକି ବିନତୀ ରଖ, ଜନ୍ମ ଜନ୍ମାନ୍ତର ମୋତେ ଯେ କୌଣସି ରୂପ ହେଉନା କାହିଁକି ୟାଙ୍କରି ପତ୍ନୀ ହେବାର ସୌଭାଗ୍ୟ ଦିଅ।”

– ତମେ ଆଜି କଣ ସବୁ କହି ଚାଲିଛ, ତୁମେ ଶୀଘ୍ର ଭଲ ହେଇଯିବ।”

– ମୋତେ ମିଛଟାରେ ଶ୍ୱାନ୍ତନା ଦେଉଛ। ଗୋଟେ କଥା ତୁମଠୁ ଏତେଦିନ ଧରି ଲୁଚେଇ ରଖିଥିଲି, ମୁଁ ସେଦିନ ସବୁ ଶୁଣିଥିଲି ଯେତେବେଳେ ତୁମେ ପୁଅକୁ, ମୋ ବେମାରୀ କଥା କହୁଥିଲ।”

– ସୁନା, ମାନେ ତମେ ସବୁ ଜାଣିଛ?”

– ହଁ, ଆଉ ଗୋଟେ କଥା କିଛି ଦିନ ତଳେ ତମେ ଅଫିସ୍ ଯାଇଥିଲ ବେଳେ ତୁମ ପାଇଁ ଗୋଟେ ଚିଠି ଲେଖିକି ମୋ ଆଲମିରା ରେ ରଖିଛି। ରାଣ ଅଛି, ତୁମେ ସେ ଚିଠି ମୋ ମଲା ପରେ ହିଁ ପଢ଼ିବ।”
ତାପରେ ସୁନନ୍ଦା ମହେଶଙ୍କ ହାତକୁ ଜାବୁଡ଼ି ଧରିବାକୁ ଚେଷ୍ଟା କରୁ କରୁ ହାତଟି ଶିଥିଳ ହେଇଗଲା।

ସୁନନ୍ଦା ସବୁଦିନ ପାଇଁ ଆରପାରିକୁ ଚାଲିଗଲେ, ଯଉଠୁ କେହି କେଭେ ଫେରିନି। ମହେଶ ନିଃସହାୟ ଭାବେ ସୁନନ୍ଦାଙ୍କୁ ଧରି କାନ୍ଦୁଥାନ୍ତି।

ଧୀରେ ଧୀରେ ସାଇ ପଡ଼ିଶା ରୁ ସମସ୍ତେ ଆସି ଜମା ହେଲେ। ଅନ୍ତିମ ସଂସ୍କାର ପାଇଁ ସଭିଏଁ ବ୍ୟବସ୍ଥାରେ ଲାଗିଗଲେ। ନିଜକୁ କୌଣସି ମୋତେ ସମ୍ଭାଳି ମହେଶ ବାବୁ, ପୁଅ ଆଉ ଝିଅଙ୍କୁ ଫୋନ୍ କରି ଏଇ ଖବର ଦେଲେ। ଏତିକି ବେଳେ ସୁନନ୍ଦାଙ୍କ ଚିଠି କଥା ମନେ ପଡ଼ିଗଲା ଆଉ ସେ ସଙ୍ଗେ ସଙ୍ଗେ ସୁନନ୍ଦାର ଆଲମାରୀ ପାଖକୁ ଦୌଡ଼ିଗଲେ। ଚିଠିକୁ ଆଣି ସୁନନ୍ଦା ପାଖରେ ବସିଲେ। କମ୍ପିତ ହାତରେ ଚିଠି ଖୋଲି ପଢ଼ିବାକୁ ଲାଗିଲେ….

ମୋର ପ୍ରିୟ ଭୋଲେନାଥ,
ଆଜି ମୋ ହୃଦୟରେ ପଥର ରଖି ଏ ଚିଠି ଟି ଲେଖୁଛି। ଏ ଚିଠି ପଢିଲା ବେଳକୁ ମୁଁ ଆଉ ଏ ଦୁନିଆରେ ନ ଥିବି। ହେଇପାରେ ମୋ ମର ଶରୀରଟି ଏବେ ଅଗଣାରେ ରଖା ହେଇଥିବ। ଚାରିପଟୁ କାନ୍ଦଣାର ଶବ୍ଦ ଶୁଣା ଯାଉଥିବ। ତୁମେ ଏକା ହେଇଯିବ ଏକଥା ଭାବିକି ମୋତେ ଭାରି କଷ୍ଟ ହେଉଛି। ପୁଅ ଆଉ ଝିଅ ଫ୍ଲାଇଟ୍ ଧରି ଆସୁଥିବେ। ସେମାନେ ମୋ ମୃତ ଶରୀରକୁ ଦେଖି ବହୁତ କାନ୍ଦିବେ, ତୁମେ ସେମାନଙ୍କୁ ବୁଝେଇବ, ସ୍ୱାନ୍ତନା ଦେବ। ତୁମେ ବହୁତ୍ ଜିଦ୍ଦି, ମୋ କଥା ଜମା ଶୁଣନି। ଔଷଧ ସମୟରେ ଖାଇବ। ଭୁଲରେ ବି ମିଠା ଖାଇବନି। ବାହାରେ ହୋଟେଲ ରେ ବେଶୀ ଖାଇବନି। ରୁମାଲ, ଚାବି, ନିଜ ଜିନିଷ ସବୁ ବ୍ୟବସ୍ଥିତ ରଖିବ। ଏବେ ମୁଁ ନ ଥିବି ଯେ, ତୁମେ ଚିଲ୍ଲେଇଲେ ଆଣିକି ଦେବି। “ଉଠ ସକାଳ ହେଲା ଆଉ କେତେ ଶୋଇବ” କହିକି ଆଉ କେହି ତୁମକୁ ଉଠେଇବେନି। ତୁମେ ଘଡ଼ି ରେ ଆଲାର୍ମ ଦେଇକି ଶୋଇବ। ହଁ ଆଉ ଗୋଟେ କଥା, ପୁଅ ବୋହୁ କୁ ଗାଳି ଦେବନି। ନାତି କୁ ବହୁତ ଗେହ୍ଲ କରିବ। ବୋହୁ ଯାହାଦେବ ଖାଇଦେବ। ବେଶି ନଖରା କରିବନି। ଯଦି ସେବାରେ କିଛି ଉଣା ହେଲା ଚୁପ୍ ଚାପ୍ ସହିଯିବ।

ଯାହାର ଜନ୍ମ ହେଇଛି, ତାହାର ମୃତ୍ୟୁ ସୁନିଶ୍ଚିତ। ଏହା ପ୍ରକୃତିର ନିୟମ। ଧୀରେ ଧୀରେ ମୋତେ ଭୁଲିବାକୁ ଚେଷ୍ଟା କରିବ। ମୋ ବିନା ରହିବାକୁ ଶିଖିବ। ପୁଣି ନିଜକୁ କାମରେ ଢାଳି ଜୀବନଟାକୁ ବ୍ୟସ୍ତତା ଭିତରେ ରଖିବ। ମୋ ଦ୍ଵାରା ଯଦି କିଛି ଭୁଲ ହେଇ ଯାଇଥିବ ତେବେ ମୋତେ କ୍ଷମା କରିଦେବ। ମୋତେ ଭୁଲ ବୁଝିବନି।

ଖୁସିରେ ରହିବ। ମନ ଦୁଃଖ କରିବନି। ମୁଁ ସବୁଦିନ ପାଇଁ ଯାଉଛି। ମୋତେ ଏବେ ଯିବାକୁ ଦିଅ।
ତୁମର ପ୍ରିୟ …ସୁନା

ମହେଶ, ସୁନନ୍ଦାଙ୍କୁ ଜାବୁଡ଼ି ଧରି ଭୋ ଭୋ କାନ୍ଦୁଥିଲେ। ତାଙ୍କର ବିକକ କ୍ରନ୍ଦନ ବାତାବରଣକୁ ଆହୁରି କରୁଣ କରିଦେଇଥିଲା। ଏକ ପତିବ୍ରତା ପତ୍ନୀ, ସଂସ୍କାରୀ ବୋହୁ, ଯତ୍ନଶୀଳ ମାଆର ଅନ୍ତିମ ବିଦାୟ ବେଳାରେ ସତେ ଯେମିତି ପୁରା ପ୍ରକୃତି କାନ୍ଦୁଥିଲା।

ମହେଶ ଯାହାକୁ ଏତେ ଭଲ ପାଏ ଆଜି ତାହାର ଚିତା ଜଳୁଛି। ତାହାର ମର ଶରୀରକୁ ଏଠି ପାଉଁଶ ହେବାର ଦେଖୁଛି ।

କୁମାର ସୁବ୍ରତ ରଥ,
ରିଙ୍ଗ ରୋଡ – ୨, ବିଳାସପୁର, ଛତିଶଗଡ।


Share it

Leave a comment

Your email address will not be published. Required fields are marked *

Verified by MonsterInsights