ବିଜୁଳି କନ୍ୟା

Share it

ବିଜୁଳି କନ୍ୟା
===========

ଭଊଣୀ ଦେବକୀର ଅଷ୍ଟମ ଗର୍ଭ ସନ୍ତାନ ହସ୍ତରେ କଂସର ମୃତ୍ୟୁ ! ଏହି ଶୁନ୍ୟ ବାଣୀ ଶୁଣିଲା ପରେ କଂସ, ଦେବକୀ ବସୁଦେବଙ୍କୁ ଶାଙ୍କୋଳୀ ପକାଇ ନେଇ ବନ୍ଦିଶାଳାରେ ରଖିଲା l ସେଇଠି ରଖି ସେ ଗୋଟି ଗୋଟି କରି, ତାଙ୍କର ଛଅଟି ପୁଅଙ୍କୁ ମାରି ପକାଇଲା l ଦେବକୀ ସେହି ସନ୍ତାନ ମାନଙ୍କୁ ଝୁରି ଝୁରି, ନିଷ୍ଠୁର ଭାଇ, କଂସର ବର୍ବରତାରେ ପ୍ରମାଦ ଗଣୁଥାନ୍ତି l ଅଷ୍ଟମ ଗର୍ଭରେ ଜନ୍ମନେବେ ଭଗବାନ କୃଷ୍ଣ l ଶ୍ରୀବିଷ୍ଣୁ ଦେବତା ମାନଙ୍କୁ ଦେଇଥିବା କଥା ଅନୁଯାୟୀ ବିଷ୍ଣୁକଳା ନେଇ ପ୍ରଥମେ ଜନ୍ମ ନେବେ ଅନନ୍ତ l ଛଅଟି ପୁତ୍ରଙ୍କୁ ହରାଇ, ଦେବକୀ ବିକଳ ହେଉଥାନ୍ତି l ଦେବକୀ ଦେବୀଙ୍କ ବିକଳରେ ଦୟା ସାଗର ଭଗବାନ ଅନନ୍ତ ରୂପ ଧାରଣ କରି ମାଆ ଦେବକୀଙ୍କ ଉଦରରେ ବିଜେ କଲେ l ଧରା ଭାର ଉଶ୍ୱାସ ପାଇଁ ଜନ୍ମନେବେ ବଳରାମ l

ସପ୍ତମ ଗର୍ଭରେ ଆସି ସଞ୍ଚାର ହେଲେ ବଳରାମ l
ଆଠ ମାସ ବିତି ଗଲା l ଦେବକୀ ନିଜ ଶରୀରକୁ ଚାହିଁ ବିକଳ ହେଉଥାନ୍ତି,’ହେ ପ୍ରଭୁ, କେତେ ଆଉ କଷଣ ସହିବି l କେତେ ପାତକ ମୁଁ କରିଛି ଛଅଟି ପୁତ୍ର ଜନ୍ମକରି ସୁଦ୍ଧା, ତାଙ୍କର ମୁଖ ଦର୍ଶନ କରିବା ଭାଗ୍ୟ ମୋର ନୋହିଲା l

ଶରଣ ରକ୍ଷଣ ଭଗବାନ, ମାଆ ଦେଵକୀଙ୍କ ମନ କଥା ଜାଣିଲେ l ପ୍ରଭୁ ଚିନ୍ତା କଲେ,ଏହି ସନ୍ତାନକୁ କଂସ ପ୍ରତାପରୁ ରକ୍ଷାକରିବାକୁ ପଡ଼ିବ l ଗୋଲକ ବିହାରୀ ବିଷ୍ଣୁ ମା’ ଯୋଗମାୟାଙ୍କୁ ନିର୍ଦ୍ଦେଶ କଲେ ତୁମ୍ଭେ ମାୟା ବିସ୍ତାର କରି ଏ ଗର୍ଭକୁ ହରଣ କରି ନିଅ l ତାହାକୁ ନେଇ ଗୋକୁଳ ନନ୍ଦଗୃହରେ ଥିବା ବସୁଦେବଙ୍କ ଅନ୍ୟତମା ପତ୍ନୀ ମାଆ ରୋହିଣୀଙ୍କ ଗର୍ଭରେ ସଂସ୍ଥାପିତକର l ପୁଣି ଭଗବାନ ମାଆଙ୍କୁ କହିଲେ ତୁମେ ମାଆ ଯଶୋଦାଙ୍କ ଗର୍ଭରେ ଯାଇ ଜନ୍ମ ନିଅ l ମୁଁ ତୁମ ପଛରେ ଯାଉଛି :-
ଜନ୍ମିବୁ ଯଶୋଦା ଉଦରେ l
ମୁଁ ପୁଣି ଯିବି ମଞ୍ଚ ପୁରେ ll

ମାତା ଦେବକୀଙ୍କ ସପ୍ତମ ଗର୍ଭରୁ ବଳରାମ ମାଆ ଯୋଗମାୟାଙ୍କ ମାୟାବଳରେ ଶୂନ୍ୟରେ ଆକର୍ଷିତ ହୋଇ ରୋହିଣୀଙ୍କ ଗର୍ଭରେ ସଂସ୍ଥାପିତ ହେଲେ l ଦୈବୀମାୟାରୁ ଏହାର ରହସ୍ୟ କାହାକୁ ଗୋଚର ହେଲାନାହିଁ l କଂସ,ଦେବକୀ, ବସୁଦେବ ସମସ୍ତେ ଜାଣିଲେ ଏ ଗର୍ଭ ଶୂନ୍ୟ ହୋଇଗଲା l

ସେଦିନ ଥାଏ ଭାଦ୍ରବ କୃଷ୍ଣଅଷ୍ଟମୀ ରୋହିଣୀବୃଷ ନକ୍ଷତ୍ର ଯୋଗ l ଚାରି ମେଘ ମିଳି ବୃଷ୍ଟି କରୁଛନ୍ତି l ନିଶାର୍ଦ୍ଧ,ଆକାଶରେ ନିଶାକର ଉଦୟ ହୋଇଛନ୍ତି, ଦେବକୀଙ୍କ ଗର୍ଭରୁ କାରାଗୃହରେ ଭୂମିଷ୍ଠ ହେଲେ ଭଗବାନ ଶ୍ରୀକୃଷ୍ଣ l ସେପଟେ ଗୋକୁଳରେ ମାଆ ଯଶୋଦାଙ୍କ ଗର୍ଭରୁ ଜନ୍ମ ହେଲେ, ମାଆ ଅମ୍ବିକା l ନୀଳମଣିକାନ୍ତି ଯୁକ୍ତ ପୁତ୍ର କୃଷ୍ଣଙ୍କୁ ପାଇ ଦେବକୀ, ବସୁଦେବ ଆନନ୍ଦାତିଶଯ୍ୟରେ ବ୍ୟସ୍ତ ହୋଇ ପଡ଼ି ଥାନ୍ତି କଂସ ଚିନ୍ତାରେ l ଏହି ସମୟରେ ଭଗବାନ ନିଜକୁ ପ୍ରକଟ କରି କହିଲେ, ଆଉ କହିତେ ନାହିଁ ବେଳ l ମୋତେ ଘେନିଣ ବେଗେ ଚଳ ll ନନ୍ଦର ଘରେ ମୋତେ ଥୋଇ,କନ୍ୟାକୁ ଆଣ ପାଲଟାଇ l
ଆଉ କାଳ ବିଳମ୍ବ ନକରି ବସୁଦେବ ବାଳକୃଷ୍ଣଙ୍କୁ ଶିରରେ ବସାଇ, ଚାଲିଲେ ଗୋକୁଳକୁ l ପଥରେ ବହୁ ବାଧା, କିନ୍ତୁ ହରି ମାୟାରେ ସେସବୁ ଆପଣା ଛାଏଁ ଦୂର ହୋଇ ବସୁଦେବ ପହଞ୍ଚିଗଲେ ଗୋପ ପୁରରେ l ନନ୍ଦ ଗୃହରେ ପଶି ଦେଖିଲେ ସମସ୍ତେ ଅଚେତନ ନିଦ୍ରାରେ ନିଦ୍ରିତ l ଯଶୋଦା ଦେବୀଙ୍କ ପାଖରେ ଶୋଇଛି, ସଦ୍ୟଜାତ ସୁନ୍ଦରୀ କନ୍ୟାଟିଏ ଓ ଯଶୋଦା ମଧ୍ୟ ଅଚେତନ ନିଦ୍ରାରେ l କୁଆଡ଼େ କିଛି ସୋର ଶବ୍ଦ ନାହିଁ l ଅପୂର୍ଵ ସୁଯୋଗ l ଚାରି ଆଡେ଼ ଟିକିଏ ଅନାଇ ଦେଇ, ସେ ଶିଶୁ ପୁତ୍ରଟିକୁ ଯଶୋଦାଙ୍କ ପାଖରେ ଶୁଆଇ ଦେଲେ ଏବଂ ଚୁପ କରି କନ୍ୟାଟିକୁ ଘେନି ପଳାଇ ଆସିଲେ l

ସକାଳ ହେଲାରୁ “ନନ୍ଦରାଜାଙ୍କର ପୁଅ ହୋଇଛି” ବୋଲି ଗୋକୁଳରେ ଚହଳ ପଡ଼ି ଗଲା ” ଅପୁଆ ଘରେ ପୁଅ ହୋଇଛି” l ଗୋକୁଳରେ ଲାଗି ଗଲା ଆନନ୍ଦ ଉତ୍ସବ, ଗୋପୀ ଗୋପାଳଙ୍କ ସୁଅ ଛୁଟିଲା ନନ୍ଦ ଭବନକୁ l

ଏଣେ ବସୁଦେବ କନ୍ୟାକୁ ଘେନିଆସି ଦେବକୀଙ୍କ ପାଖରେ ଶୁଆଇ ଦେଲେ l ବର୍ତ୍ତମାନ ଦେବକାର୍ଯ୍ୟ ସମାପ୍ତ l ପୁନଶ୍ଚ ସବୁସ୍ଥିତି ପୂର୍ବବତ ହୋଇ ଗଲା l ଦୈବୀମାୟାରେ ଅପ୍ରତ୍ୟାଶିତଭାବେ ସବୁ ଘଟଣା ନିମିଷକେ ଘଟିଗଲା l ମାୟା ପ୍ରଭାବରୁ, କାହାରି ସଜ୍ଞାନରେ ଏ ଘଟଣାର ଲେଶମାତ୍ର ଛାପ ରହିଲା ନାହିଁ l କାରା ଗୃହରେ ଶୁଣାଗଲା, କନ୍ୟାର କ୍ରନ୍ଦନ ଓ ବସୁଦେବଙ୍କ ପାଦରେ ଲାଗିଗଲା ଶିକୁଳି l

ଲାଗିଲା ଚରଣେ ଶାଙ୍କୋଳି l
ଦୁହିତା ଛାଡ଼ିଲା ବୋବାଳି ll

କଂସ ନିକଟରେ ସମ୍ବାଦ ପହଞ୍ଚିଲା,” ଦେବକୀଙ୍କ ଅଷ୍ଟମ ଗର୍ଭରେ ଗୋଟିଏ କନ୍ୟା ଜନ୍ମ ହୋଇଛି” l

କଂସ ଆଶ୍ଚର୍ଯ୍ୟ l ଏ କଅଣ ? ଅଷ୍ଟମ ଗର୍ଭ ସନ୍ତାନ ଗଲା କୁଆଡ଼େ? ଇଏ ତ କନ୍ୟା ? ତଥାପି ତାର ବିଶ୍ୱାସ ହେଲା ନାହିଁ l ନାରଦଙ୍କ ବାକ୍ୟ ତ ମିଥ୍ୟା ଯିବନାହିଁ l ଅଷ୍ଟମଗର୍ଭ ସନ୍ତାନ ମୋ ଶତ୍ରୁ l କନ୍ୟା ହେଉ ପଛେ ଏହାକୁ ମାରିଦେବି l

ରକ୍ତମୁଖା ହୋଇ କରବାଳ ହସ୍ତରେ ପହଞ୍ଚି ଗଲା ଯାଇ କାରା କୋଠରୀରେ l ଦେବକୀ ଆଉ କ’ଣ କରିବେ l ତାଙ୍କ କୋଳରୁ ଟାଣି ଆଣିଲା କନ୍ୟାକୁ କ୍ରୁର କଂସ l ଶିଳାରେ ବୁଲାଇ ପିଟନ୍ତେ କନ୍ୟା ତା ହାତରୁ ବିଜୁଳିପ୍ରାୟ ଖସି ଯାଇ ଆକାଶ ମାର୍ଗରେ ଥାଇ ସତର୍କବାଣୀ ଶୁଣାଇ କଂସକୁ କହିଲେ, ରେ ମୁଢ଼ ! ତୋ ମରଣ ନିକଟ ହୋଇଆସିଲା l ତତେ ଯିଏ ମାରିବ,ସିଏ ଯାଇ ପହଞ୍ଚି ସାରିଲାଣି ଗୋପ ପୁରରେ l ତୁ ନିଜ ମଙ୍ଗଳ ଚାହୁଁଛୁ ତ, ଏବେ ମଧ୍ୟ ସମୟ ଅଛି, ଡେରି ନ କରି, ତୁ ଏବେ ଶ୍ରୀହରିଙ୍କ ଶରଣ ପଶ l
ଯେଉଁ ଦେବୀ ଏ ସମସ୍ତ ଜଗତର ସଂହାର କର୍ତ୍ତ୍ରୀ ତାଙ୍କୁ ମୁଢ଼ କଂସ ମାରିବାକୁ ପ୍ରୟାସ କରୁଛି ଏହାହିଁ ତ ବିଡମ୍ବନା l ମହାମାୟା ବିଦ୍ୟୁତ ପ୍ରାୟ କଂସର ହାତରୁ ଖସି ଯାଇ ଅଷ୍ଟ ଭୁଜା ରୂପରେ ଆକାଶର ବିଦ୍ୟୁତର ଝଲକରେ ଚତୁର୍ଦ୍ଦିଗକୁ ଉଦ୍ଭାସିତ କରୁ ଥାନ୍ତି, କଂସ ଆଁ କରି ଚାହିଁ ରହିଥାଏ, ଆଉ ମନେ ମନେ ବିଳି ବିଳେଇ ହେଉଥାଏ, “କିଏ? କିଏ ତୁ ବିଜୁଳି କନ୍ୟା ! ଶ୍ରୀମଦ୍ଭାଗବତ କହିଲେ :-

କଂସର ହସ୍ତରୁ ଉଛୁଳି l
ଆକାଶେ ଯେସନେ ବିଜୁଳି ll
ତେଜେ ଦଶ ଦିଗ ବିରାଜେ l
ବେନି ଚରଣ ଅଷ୍ଟ ଭୁଜେ ll

ଦେବୀ ସତର୍କ ବାଣୀ ଶୁଣେଇ, କଂସକୁ କହିଲେ, ରେ ପାପୀଷ୍ଠ ! ତୋ’ର ବଇରୀ ସ୍ଵୟଂ ଚକ୍ରଧାରୀ ବିଷ୍ଣୁ ଜନ୍ମ ହୋଇ ସାରିଲେଣି l ଭଲଗତି ଅଛିତ ତୁ ଏବେ ସେହି ଦୟାମୟ ହରିଙ୍କ ଭଜନ କର l ଏଇଥିରେ ହିଁ ତୋର ମଙ୍ଗଳ l

କିନ୍ତୁ କଂସ ଦେବୀଙ୍କ ସତର୍କ ବାଣୀକୁ ହୃଦୟଙ୍ଗମ କରି ମଧ୍ୟ ପାଳନ କଲା ନାହିଁ l ଭଗବାନ କୃଷ୍ଣଙ୍କ ହସ୍ତରେ ସେ ଶେଷରେ ପରମ ଗତି ପ୍ରାପ୍ତ ହେଲା l “ମଞ୍ଚାରୁ ପଡ଼ି ମାମୁଁ ମଲା l ମୋତେ ତ ଦଇବ ରଖିଲା” l

ଏ ସମସ୍ତ ମାୟା ରଟିଥିବା, ତଥା କଂସକୁ ସତର୍କ ବାଣୀ ଶୁଣାଇ ଥିବା ମାଆ ବିଜୁଳି କନ୍ୟା ହେଲେ ଆଦ୍ୟାଶକ୍ତି l ଯଶୋଦା ଗର୍ଭ ସମ୍ଭୁତା ସେହି ମାଆ ଯୋଗମାୟା ବିନ୍ଧ୍ୟବାସିନୀ ଭାବେ ବିନ୍ଧ୍ୟ ପର୍ବତ ଉପରେ ବାସ କରୁଛନ୍ତି l ମହାଭାରତର ବିରାଟ ପର୍ବରେ ଧର୍ମରାଜ ଯୁଧିଷ୍ଠିର ମା’ ବିନ୍ଧ୍ୟବାସିନୀଙ୍କୁ ସ୍ତୁତି କରି କହିଛନ୍ତି :-

ବିନ୍ଧ୍ୟେ ଚୈବ ନଗ ଶ୍ରେଷ୍ଠେ
ତଵ ସ୍ଥାନହି ଶାଶ୍ୱତମ୍ !!!

ମହାମାୟା ପୁଣି ଆକାଶ ମାର୍ଗରୁ ଅସୁର କଂସକୁ କହିଲେ, ରେ ଅଧମ ତୁ ଧର୍ମ, କର୍ମ ଭୁଲି ଏହାଙ୍କୁ ବହୁ କଷଣ ଦେଲୁ l ତାଙ୍କର ଛଅ ଛଅଟି ପୁତ୍ରଙ୍କୁ ମାଇଲୁ l ତୋର ଶତ୍ରୁ ତ ସ୍ୱୟଂ ଚକ୍ରଧର,ଏହାଙ୍କୁ କଷ୍ଟ ଦେଇ ତୋର ପାପ ଭାରକୁ ଆଉ ବଢ଼ା ନାଁ l ଶୀଘ୍ର ଏହାଙ୍କୁ ମୁକ୍ତି ଦେ’ l ଏତେକ କହି, ଦେବୀ ମହାମାୟା ଏକ ବିଦ୍ୟୁତ ଝଟକ ସହିତ ଅନ୍ତର୍ହିତ ହୋଇଗଲେ l କଂସ ଦେବୀଙ୍କ ଉପଦେଶକୁ କିଛି ମାତ୍ରେ ବୁଝିଲା :-

ସଂସାରେ କଲି ଅପଯଶ l
ନରକେ ହୋଇବି ପ୍ରବେଶ ll
ଦେହ ବହିଲେ ନିଶ୍ଚେ ମରି l
ସଂସାର ନୁହଁଇ କାହାରି ll

କଂସ ଦେବକୀ ବସୁଦେବଙ୍କୁ ବନ୍ଦୀ ଶାଳାରୁ ମୁକ୍ତ କରି ଚିନ୍ତା କଲା l ନାିଁ ! ଏବେ ମୋ ରାସ୍ତା ସେହି ପିଲାଟାକୁ ଖୋଜି ମାରିବି l

!!! ଜୟ ମାଆ ଅମ୍ବିକେ !!!
🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights