ବାଘ ଖିଆ ମଣିଷ

Share it

31st July 2024

ଆରତୀ ସାହୁ

– ମୋ ବଣରେ କିଏ ରେ ?

– ମୁଁ ଗୋ ମାମୁଁ , ତୁମର ଭଣଜା ।

ମୋ ଜେଜେମା କହୁଥିଲା ଏ ଗପଟା । ଆମେ ସବୁ ଭାଇ ଭଉଣୀ ନିଶ ଫୁଲେଇ ଏଉଁ ଛାତି ଚଉଡ଼ା କରୁଥିଲୁ । ବର୍ତ୍ତମାନ ତ ମୋର ଜରାବସ୍ଥା । ଭାଇ ଭଉଣୀ ସାଙ୍ଗ ସାଥି ଆଉ କେହି ନାହାନ୍ତି ।

ଟୁଆଁ ଟୁଇଁ ନାହାନ୍ତି । ସେ ଗପ ଶୁଣିବା ପାଇଁ ନାତି ନାତୁଣୀ ବି ନାହାନ୍ତି । ପୋଡ଼ପିଠା ବି ନାହିଁ ।

ମୁଁ ବାଘ । ବାଘୁଣୀ ମଲାଣି କେଉଁ ଦିନରୁ ମଣିଷର ଗୁଳି ଖାଇ । ଛୁଆ ପିଲା ମାନେ ସବୁ ଆମଦାନୀ ରପ୍ତାନୀ ହେଇ କେଉଁ ( ଅ) ଭୟାରଣ୍ୟରେ ଅଛନ୍ତି ନା ମରିଛନ୍ତି ଜଣା ନାହିଁ । ମୋତେ ବି ଥରେ ରପ୍ତାନୀ କରା ହେଇଥିଲା , ଚୋରାରେ । ମୁଁ ଭାରତୀୟ ବାଘ । ହେମାଳ ସହି ପାରିଲି ନାହିଁ । ଆକୁ ଗୋଡେଇଲି , ତାକୁ କାମୁଡ଼ିଲି । ମଣିଷ ରକ୍ତ ଗୁଡ଼। ଦୂଷିତ ହେଇ ଯାଇଛି । ଗନ୍ଧେଇଲା , କାପୁରୁଷିଆ , ବିଶ୍ଵାସ ଘାତକିଆ । ଖାଇ ନାହିଁ ମୁଁ ମଣିଷକୁ । ମଣିଷ ଖାଇବା ପାଇଁ ତ ମଣିଷ ବଣରେ ମଣିଷ ନିଅଣ୍ଟ । ମଣିଷ ଖିଆ ମଣିଷକୁ କିଏ ସେ ଖାଇବ ? ପୁଣି ଆସିଲି ଆମଦାନୀ ହେଇ । ମଝିରେ ଅନେକ ଲୋକଙ୍କର ଫାଇଦା ହେଲା । ସେତିକି ବେଳେ ମୁଁ ମୋ ବଣକୁ ଦେଖିବି ବୋଲି ଉଡାଜାହାଜରୁ ତଳକୁ ଅନେଇଲି । କାହିଁ ମୋ ବଣ ? ତଳେ ତ ଖାଲି ମଣିଷ ବଣ । କଳା ମଣିଷ , ଧଳା ମଣିଷ , ଡେଙ୍ଗା ମଣିଷ , ବାଙ୍ଗରା ମଣିଷ । ଖାଲି ମଣିଷ ଆଉ ମଣିଷ , ମଣିଷ ବଣ !! ସେହି ଦିନଠାରୁ ଆଉ ବଞ୍ଚିବା ପାଇଁ ମୋର ଇଚ୍ଛା ନାହିଁ । ମୋର କେତେ ଭାଇ , ସାଙ୍ଗସାଥୀ ଅଖିଆ ଅପିଆ ପ୍ରାଣ ଦେଲେ ଏମିତି ନିରାଶ ହେଇ । ହେଲେ ମୁଁ ତ ବଞ୍ଚିଛି ଆଜି ଯାଏ ।

ମୁଁ ଲୁଚିବା ପାଇଁ ଗଛ ଉହାଡ଼ ନାହିଁ , ଗୁମ୍ଫା କନ୍ଦରା ନାହିଁ । ତଥାପି ମୁଁ ବଞ୍ଚିଛି । କିଏ ଜଣେ କହୁଥିଲା , ବାଘ ମରିଯିବ ପଛେ ଘାସ ଖଇବ ନାହିଁ । ମୁଁ ଘାସ ଖାଉଛି । ଭୋକ ବିକଳରେ । ହରିଣ , ବାରହା , ଠେକୁଆ ସବୁ ତ ମଣିଷ ଘେରରେ । ବଣରେ ଗଛ ନାହିଁ , ବଣରେ ଖାଦ୍ୟ ନାହିଁ । ମଣିଷ ମାଂସର ବାସନା ଆଉ ମାତାଲ କରୁ ନାହିଁ । ଭୟ ଲାଗୁଛି । ସେହି ଭୟରେ ସେଦିନ ସେ ପାଗଳ ଲୋକଟାକୁ ଟାଣି ନେଇଥିଲି ଯେତେବେଳେ ସେ ଡେଇଁ ପଡ଼ିଲା ମୋ ସାମନାରେ । ତାର ଜୀବନ ନେବାକୁ ଇଚ୍ଛା ନଥିଲା । ତାର ସେ ଯୋଡ଼ହସ୍ତ ସହ କାତର ଦୃଷ୍ଟି ବର୍ତ୍ତମାନ ବି ମୋତେ କଷ୍ଟ ଦିଏ ।

କିନ୍ତୁ ସତକଥା , ମଣିଷକୁ ମୋର ପ୍ରାଣରେ ଭୟ । ତାର ଟେର୍ ପାଇଲେ କୁଆଡ଼େ ଛପିବାକୁ ମନ ହେଉଛି ଟୁଆଁ ଟୁଇଁ ଯେମିତି ଛପିଥିଲେ , ପଟିଆ ଭିତରେ , ମାଠିଆ ଭିତରେ । ବଡ଼ ମାରାତ୍ମକ ଏ ମଣିଷ । ବଂଶ ନିପାତ କରି ସାରି ସଂଖ୍ୟା ଗଣନା କରୁଛି , ଗଣିଲା ବାଲା ବି କାଇଦାରେ ଛାଲ ,ଦାନ୍ତ , ନେଇଯାଇ ମିଛ ଗଣନା ଲେଖି ଦେଉଛନ୍ତି ସଲାସୁତର ହେଇ ।

ସେଦିନ ବାଟବଣା ହେଇ ଗୋଟାଏ ମଣିଷ ବଣ ଭିତରେ ପଶି ଯାଇଥିଲି । ମୋ ଦପଦପି ଆଖିରୁ ବି ଅଧିକ ତେଜୀୟାନ୍ ଇଲେକ୍ଟ୍ରିକ ଆଲୋକରେ ଅନ୍ଧ ହେଇ ଯାଉଥିଲି ମୁଁ ।

– ମୋ ବଣରେ କିଏ ରେ ?

ଗର୍ଜନ ଶୁଭୁଥିଲା ।

– ମୁଁ ରେ ଭଣଜା , ତୋର ମାମୁଁ ।

– ମାମୁଁ ? ଭଣଜା ???

କିଏ ମାମୁଁ , କିଏ ଭଣଜା ବେ ? କଣ ଏସବୁ ?? ତୁ ତ ବାଘ । ଆ , ଆଜି ଧରା ଦେଇଛୁ । ପଶ୍ ଏ ଜାଲରେ ।

ମୁଁ ଭାବିଲି , ମାମୁଁ , ଭଣଜା , କକା , ପିଇସୀ , ମାଉସୀ ଶବ୍ଦ ସବୁ ତ ବିଲୁପ୍ତ ହେଇ ଯାଇଛନ୍ତି ଆମ ବାଘ ସିଂହ ବଂଶ ପରିକା । ଏମାନେ ମମ୍ମୀ ଡେଡି ସମ୍ପର୍କ ବି ଭଲ ଭାବରେ ଜାଣୁ ନାହାନ୍ତି । ଆଉ ମୁଁ ତ ସହଜେ ବାଘ । ମୋ ସହିତ ପୁଣି କି ସମ୍ପର୍କ ?

ଗୋଟିଏ ସିଂହ ସିନା ସେତେବେଳେ ଠେକୁଆ କଥାରେ ବୋକା ବନି କୂଅ ଭିତରକୁ ଡେଇଁ ପଡ଼ିଥିଲା । ସେଇ ଲାଜରେ କେତେ ଦିନ ପର୍ଯ୍ୟନ୍ତ ସିଂହ ଗୋଷ୍ଠୀ ମୁହଁ ଲୁଚେଇ ଥିଲେ । ଆଉ ଆଜି ବଚାଖୁଚା ସିଂହ ମାନେ ମାଙ୍କଡ଼କୁ କହୁଛନ୍ତି , ମୋର ଗୋଡ଼ ଟାଣ , ମଜା ଲାଗୁଛି ।

ପରିବର୍ତ୍ତନ , ସମୟର ଖେଳ !!! ଯୁଆଡେ ବର୍ଷା ସିଆଡେ ଛତା ।

ପୋଡ଼ପିଠା ମହମହ ବାସନା ହେଲା , ଡୁଙ୍ଗି ଦେଖିଲି । ଲାଳ ବୋହିଲା । ଏତେଦିନ ପରେ ପୋଡ଼ପିଠା ? ପଥର ଟାଙ୍ଗର ନଥିବ ତ ତା ଭିତରେ ? ନଥିବ ନିଶ୍ଚେ । ମୁଁ ତ ଅଡାକୁଆ ହେଇ ଆସିଛି । ଡାକି ଆଣିଥିଲେ ସିନା ପିଠାରେ ଗୋଡି଼ ପଥର ପୂରେଇ ଥାନ୍ତେ , ରଡ଼ରାଡ଼ ମୋ ଦାନ୍ତ ଭାଙ୍ଗି ଥାଆନ୍ତା । ହେଃ , ମୁଁ ପରା ବୁଢ଼ା ହେଲିଣି , ମୋର କଣ ଆଉ ଦାନ୍ତ ଅଛି ? କୁଦା ମାରି ଚଢ଼ି ବସିଲି ଓଳି ଉପରେ । ଓର ଉଣ୍ଡି ପଶିଗଲି ଝରକା ଦେଇ । ମହା ଆନନ୍ଦରେ କଅଁଳିଆ ପିଠାରେ ଅବଶିଷ୍ଟ ଦୁଇଟା କଳଦାନ୍ତ ଗଳେଇ ଦେଇଛି ତ , କୁଆଡ଼େ ଥିଲା ମଣିଷ ଧସି ଆସିଲା ,

– ମୋ ବଣରେ କିଏ ରେ ,

– ମୁଁ ରେ ଭଣଜା , ତୋର ମାମୁଁ ।

-ରଖ୍ ତୋ ଭଣଜା, ରଖ୍ ତୋ ମାମୁଁ, ଆଜି ଧରା ଦେଇଛି ଗୁଣମଣୀ। ପଶ୍ ଏ ପିଞ୍ଜରା ଭିତରେ ।

ଲାଙ୍ଗୁଡ଼ ଜାକି ପଶିଗଲି ମୁଁ ଶାନ୍ତ ସୁଧାର ଗାଈଟିଏ ପରି । ମିଟ୍ ମିଟ୍ ଦେଖୁଥିଲି ମୁଁ ଏହି ବାଘଖିଆ ମଣିଷ ମାନଙ୍କୁ ।

ସେ ବାଘଖିଆ ମଣିଷ ମାନେ, ପରସ୍ପରକୁ ଅଭିବାଦନ ଜଣଉଥିଲେ ।

ହେପି ଟାଇଗର ଡେ, ହେପି ଟାଇଗର ଡେ । ସେଭ ଦ ଟାଇଗର, ସେଭ ଦ ଟାଇଗର ।


ଆରତୀ ସାହୁ ( ଆଶା )
ନୂଆଦିଲ୍ଲୀ


Share it

Join the Conversation

1 Comment

Leave a comment

Your email address will not be published. Required fields are marked *

Verified by MonsterInsights