ବାଘମାମୁଁ ଓଷା

Share it

ରେଖା ପଞ୍ଚମୀ
( ବାଘମାମୁଁ ଓଷା )
==============

ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୁର୍ତ୍ତିଙ୍କ ମୁଖ ମଣ୍ଡଳ ଶୋଭା ବର୍ଦ୍ଧନ ପାଇଁ ଲାଗି ହୋଇଥାଏ ରତ୍ନଚିତା ଓ ରାହୁ ରେଖା l ଠାକୁର ମାନେ ସ୍ନାନ ପୂର୍ଣ୍ଣମୀ ଦିନ ସ୍ନାନ ବେଦୀକୁ ଯିବା ପୂର୍ବରୁ ଏହାକୁ ଉଲାଗି କରି ରଖା ଯାଇଥାଏl ମହାପ୍ରଭୁ ସ୍ନାନଯାତ୍ରା, ଅଣସର ନୀତି ଓ ଘୋଷ ଯାତ୍ରା ସାରି ରତ୍ନ ସିଂହାସନରେ ବିଜେ ହେଲା ପରେ, ଚିତାଲାଗି ଅମାବାସ୍ୟା ଦିନ ଲାଗି ହୋଇଥାଏ ରତ୍ନଚିତା l

କିନ୍ତୁ ମହାପ୍ରଭୁଙ୍କ ଶ୍ରୀମୁଖ ମଣ୍ଡନ କରିଥାଏ ରାହୁରେଖା ଭାଦ୍ରବ କୃଷ୍ଣପଞ୍ଚମୀ ଦିନ l ଏହି ଦିବସଟି ତେଣୁ ରେଖାପଞ୍ଚମୀ ଭାବେ ପରିଚିତ l ବିଗ୍ରହମାନଙ୍କ ଶ୍ରୀମୁଖରେ ଲାଗି ହେଉ ଥିବା ସ୍ବର୍ଣ୍ଣ ନିର୍ମିତ ଏକ ବଳୟ ପଟିକୁ ରାହୁରେଖା କୁହାଯାଏ l

ମହାପ୍ରଭୁଙ୍କ ରାହୁରେଖାଲାଗି ଦୃଷ୍ଟିରୁ ଏହା ରେଖା ପଞ୍ଚମୀ l କିନ୍ତୁ ଏହା ମଧ୍ୟ ରକ୍ଷା ପଞ୍ଚମୀ ନାମରେ ଆମ ଓଷା ଓ ବ୍ରତମାନଙ୍କରେ ପରିଚିତ l ପଛରେ ରହିଛି ଓଡ଼ିଶାର କେତେ ଗୁଡ଼ିଏ ସ୍ଥାନରେ ପାଳିତ ହେଉଥିବା ଏକ ବିଶେଷ ଦ୍ୱାର ପୂଜା ନୀତି l ଗୃହ ରକ୍ଷା ପାଇଁ ହେଉଥିବା ଏହି ପୂଜାକୁ ରକ୍ଷାପଞ୍ଚମୀ ପୂଜା କୁହାଯାଏ l ରକ୍ଷାପଞ୍ଚମୀର ପୂଜା ଗୃହକର୍ତ୍ତା ମାନେ ସର୍ପ, ହିଂସ୍ରପଶୁ, ଭୂତ, ପିଶାଚମାନଙ୍କ ଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ କରିଥାନ୍ତି l

ଏହି ପୂଜାର ଉପାସ୍ୟ ଦେବ ଶ୍ରୀ ବଟୁକଭୈରବ l ଶ୍ରୀ ବଟୁକ ଭୈରବଙ୍କ ମୂର୍ତ୍ତୀ ଶିଵ ମନ୍ଦିର ମାନଙ୍କ ଦ୍ୱାର ଦେଶରେ ସ୍ଥାପିତ ହୋଇଥିବା ଦେଖାଯାଏ l

ଶିବ ନଗରୀ ଉଜ୍ଜୟିନୀ ଓ ବାରଣାସୀର ଭୈରବ ମନ୍ଦିର ବହୁ ବିଖ୍ୟାତl ଭୈରବ ଶବ୍ଦର ଅର୍ଥ, ଯିଏ ଭରଣକରିଥାନ୍ତି ବା ଯିଏ ବିଶ୍ୱ ବ୍ରହ୍ମାଣ୍ଡର ରକ୍ଷକ l ଶିବପୁରାଣ ବର୍ଣ୍ଣିତ ୬୪ ଭୈରବଙ୍କ ମଧ୍ୟରୁ ବଟୁକ ଭୈରବ ଅନ୍ୟତମ l ଚତୁର୍ଭୁଜ ଓ ତ୍ରିନେତ୍ର ବିଶିଷ୍ଟ ବଟୁକଭୈରବ ଏକ ଉଲଗ୍ନ ମୂର୍ତ୍ତି l ତାଙ୍କ କଟିରେ କଟିସୂତ୍ର ଭାବେ ସାପ ରହି ଥାଏ l ତାଙ୍କ ହସ୍ତରେ ସେ ଧାରଣ କରିଥାନ୍ତି ଶୂଳ, ସର୍ପ, ଡ଼ମ୍ବରୁ ଓ ମାଂସ ଖଣ୍ଡ l ତାଙ୍କ ସହିତ ରହିଥାନ୍ତି, ଗଣେଶ l ତାଙ୍କର ବାହନ ଶ୍ଵାନ l ଏବଂ ତାଙ୍କର ଚତୁର୍ପାଶ୍ୱରେ ବେଢ଼ି ରହିଥାନ୍ତି ଭୁତ ପିଶାଚଗଣ l

ବିଶ୍ୱାସ କରାଯାଏ ବଟୁକ ଭୈରବଙ୍କ ପୂଜନଦ୍ୱାରା ଗୃହ ଭୟମୁକ୍ତ ହୋଇଥାଏ l ଏଥିପାଇଁ ବାସ ଗୃହ ପ୍ରବେଶ ଦ୍ୱାରରେ ଗଣେଶଙ୍କ ଏବଂ ପଛ ଦ୍ୱାରରେ ବଟୁକଭୈରବଙ୍କ ମୂର୍ତ୍ତି ଅଙ୍କନ କରାଯାଏ l

ବଟୁକ ଭୈରବଙ୍କ ଧ୍ୟାନ ମନ୍ତ୍ର ହେଉଛି :-
ଦ୍ୱାରଦେବ ନମସ୍ତୁଭ୍ୟଂ ନମସ୍ତେ ନନ୍ଦିକେଶ୍ୱର l
ମାଂ ଭାଦ୍ର କୃଷ୍ଣପଞ୍ଚମ୍ୟାଂ ରକ୍ଷ ରକ୍ଷ ମହେଶ୍ୱର ll
ଘଣ୍ଟାକର୍ଣ୍ଣ ମହାବୀର ସର୍ବ ବ୍ୟାଧିନିବାରଣ l
ସର୍ବୋପଦ୍ରବସଂଘାତ ବିଦ୍ରାବଣହରପ୍ରିୟ ll

କଣ୍ଠେ ଯସ୍ୟ ମହାନୀଳଂ ଭୂଷଣ ଯସ୍ୟ ପନ୍ନଗାଃ l
ତେଚ୍ଚାଂସି ତସ୍ୟ ଦେବସ୍ୟ ରକ୍ଷନ୍ତୁ ମମ ମନ୍ଦିରଂ ll
ଯେନବଦ୍ଧୋ ବଳିରାଜା ଦାନବେନ୍ଦ୍ରୋମହାସୁରଃ l
ତେନ ତ୍ୱାମପି ବଧ୍ନାମି ରକ୍ଷମାଚରମାଚଳ ll

ବିଧି ମତେ ଏହି ମନ୍ତ୍ରକୁ ଏକ ତାଳପତ୍ରରେ ଲେଖି ଦୂବ ଓ ଅରୁଆ ଚାଉଳ ସହ ବାନ୍ଧି ଦ୍ୱାର ବନ୍ଧରେ ଝୁଲାଇ ଦିଆଯାଏ l ରାତ୍ରିରେ ଗୃହସ୍ଥ ବିଭିନ୍ନ ଅନ୍ନ ବ୍ୟଞ୍ଜନ ରାନ୍ଧି ବାଡ଼ି ଦ୍ୱାରରେ ପଶୁପକ୍ଷୀ, ହିଂସ୍ରଜନ୍ତୁ, ସର୍ପ ଓ ପିଶାଚମାନଙ୍କ ଉଦ୍ଦେଶ୍ୟରେ ସମର୍ପଣ କରନ୍ତି l
ଦାଣ୍ଡ ଚାଳ ଓ ବାଡ଼ି ଚାଳରେ ରକ୍ଷାକାଣ୍ଡ ଗୋଟିଏ ବସାଯାଏ l
ବାଡ଼ି ପଟେ ବାଘ ବାଘୁଣୀଙ୍କ ଉଦ୍ଦେଶ୍ୟରେ ପିଠା ଖଣ୍ଡମାନ ପକାଇଦିଆ ଯାଉଥିବାରୁ ଗ୍ରାମାଞ୍ଚଳରେ ଲୋକେ ଏହାକୁ ବାଘମାମୁଁଙ୍କ ପୂଜା ବା ବାଘମାମୁଁ ଓଷା ବୋଲି କହିଥାନ୍ତି l

!!! ଓଁ ଭୈରବାୟଃ ନମଃ ନମଃ !!!
🙏🙏🙏


ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights