ଆମ୍ବ ବଉଳ ଜ୍ୟୋତିଷ ପାଞ୍ଜି, ଅଧା ମିଛ ଅଧା କାଞ୍ଜି

Share it

ବକୁଳ ଅମାବାସ୍ୟାରେ କୌଣସି ଦେବା ଦେବୀଙ୍କୁ ପୂଜା କରା ନ ଯାଇ ଆମ୍ବ ଗଛ ଓ ବଉଳକୁ ପୂଜା କରାଯାଏ । ଜି.ଗ୍ରୋମ୍ସ 1805 ରେ ପୁରୀ କଲେକ୍ଟର ଥିଲେ । ସେ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ତେତିଶ ଗୋଟି ଯାତ୍ରା ବିଧାନ କରିଥିଲେ । ଏହି ଯାତ୍ରା ଭିତରେ ବକୁଳ ଲାଗି ଅନ୍ୟତମ ।

ହିନ୍ଦୁ ପରମ୍ପରାରେ ଆମ୍ବ ଓ ଆମ୍ବ ଡାଳର ବହୁତ ମହତ୍ୱ ଅଛି । ଆମ୍ବଡାଳୁଆ ଓ ପଇଡ଼ କଳସ ବା ଘଟସ୍ଥାପନ ଉପଲକ୍ଷେ ଏକ ଅପରିହାର୍ଯ୍ୟ ବସ୍ତୁ । ବିଭିନ୍ନ ମେଳାସ୍ଥଳୀ ଓ ସ୍ୱାଗତ ତୋରଣକୁ ଆମ୍ବ ଡାଳଦ୍ୱାରା ସଜା ଯାଇଥାଏ । ଦୋଳଯାତ ବେଳେ ପ୍ରଭୁ ଶ୍ରୀଦୋଳଗୋବିନ୍ଦଙ୍କ ଶ୍ରୀହସ୍ତରେ ଆମ୍ବ କଷି ଲଗା ଆମ୍ବଡାଳ ଶୋଭା ପାଏ । ପୁଣି ଫଳମାନଙ୍କ ରାଜା ହେଉଛି ଆମ୍ବ । ଆମ୍ବର ଅନ୍ୟ ନାମ ଆମ୍ର, ଚୂତ, ସହକାର, ରସାଳ ।

ସ୍ତ୍ରୀ ଲୋକେ ଓ କୁମାରୀ ଝିଅମାନେ ବଉଳ ବସି ବନ୍ଧୁତ୍ୱ ବାନ୍ଧିବା ପରମ୍ପରା ରହିଛି । ଆମ୍ବ ଏକ ଅତ୍ୟନ୍ତ ପବିତ୍ର ବୃକ୍ଷ । ବିଭିନ୍ନ ମାଙ୍ଗଳିକ କାର୍ଯ୍ୟମାନଙ୍କରେ ଆମ୍ବପତ୍ର ବ୍ୟବହାର ହେତୁ ଏହା ଅନ୍ୟାନ୍ୟ ବୃକ୍ଷ ଯଥା ତୁଳସୀ, ବେଲ ଅଁଳା, ଅଶ୍ୱସ୍ତ, ବର, ପଳାଶ, କଦଳୀ ଇତ୍ୟାଦି ଭଳି ପୂଜନୀୟ ।

ବୃକ୍ଷପୂଜା ପରମ୍ପରାରେ ଆମ୍ବ ଗଛକୁ ପୂଜା କରିବାର ପର୍ବ ହେଉଛି ବଉଳ ଵା ବକୁଳ ଲାଗି ଅମାବାସ୍ୟା । ଏହାର ଅନ୍ୟ ନାମ ବୋଉଳ ଅମାବାସ୍ୟା । ପୌଷ ମାସର ଅମାବାସ୍ୟା ବକୁଳ ଅମାବାସ୍ୟା ନାମରେ ଖ୍ୟାତ ।

ଏହି ଅମାବାସ୍ୟା ବେଳକୁ ଶୀତର ପ୍ରକୋପ କମି ଆସିଥାଏ, ଆମ୍ବ ଗଛରେ ବଉଳ ଅଙ୍କୁରିତ ହୋଇ ଋତୁରାଜ ବସନ୍ତକୁ ସ୍ୱାଗତ କରୁ ଥାଏ । ଏ ବେଳ ପ୍ରକୃତିକୁ ଲକ୍ଷ୍ୟକରି ପାର୍ବତୀ କାବ୍ୟରେ କବିବର ରାଧାନାଥ ରାୟ ଲେଖିଛନ୍ତି :-

ଅତି ମନୋହର କାଳ ଶୀତଋତୁ
ଧରା ଛାଡ଼ି ଛାଡ଼ି ନାହିଁ ।
ପଲ୍ଲବ ପାଟଳ ମଧୁ ଋତୁ ରାଟ
ଧରା ମାଡ଼ି ମାଡ଼ି ନାହିଁ ।।
ଥରେଥରେ ଚୋରା ମଳୟ ଚୋରାଇ
ଆସି ଚୁମ୍ବିଯାଏ ଧରା ।
ଛାୟାରେ ଲାଗଇ ଶୀତ ପୁଣି ଗଲେ
ଖରାକୁ କାଟଇ ଖରା ।।

ବକୁଳଅମାବାସ୍ୟା ଦିନ ଚୁତତରୁ ବା ଆମ୍ବ ଗଛକୁ ପୂଜା କରାଯାଏ । ଭୋଗ ସାମଗ୍ରୀ ଭାବେ ଗଇଁଠା ପିଠା ଏବଂ ବଉଳକୁ ବ୍ୟବହାରକରାଯାଏ । ଆମ୍ବ ମୂଳେ ପୂଜାଲଗାଇ ଗଇଁଠା ପିଠାକୁ ବୃକ୍ଷ ଉପରେ ନିକ୍ଷେପ କରା ଯାଇଥାଏ । ଗଇଁଠା ଗଛରୁ ଯେଉଁ ଭଳି ପଡ଼େ ସେହି ଭଳି ଆମ୍ବ ଫଳି ଗଛରୁ ପତିତ ହେବା ନିମନ୍ତେ କାମନା କରା ଯାଏ ।

ଲୋକକଥା ରହିଛି
“ଆମ୍ବ ବଉଳ ଜ୍ୟୋତିଷ ପାଞ୍ଜି,
ଅଧା ମିଛ ଅଧା କାଞ୍ଜି” ।

ଅର୍ଥ ଆମ୍ବଗଛରେ ଧରିଥିବା ବଉଳ ହିସାବରେ ଆମ୍ବ ଫଳିବା ଉପରେ ଆଶଙ୍କା ଥାଏ ଯେମିତି ଜ୍ୟୋତିଷ ପାଞ୍ଜି ଅଧା ସତ ଅଧା ମିଛ । ତେଣୁ ବଉଳ ପୂଜାରେ ଆମ୍ବ ଠିକଭାବେ ଫଳିବା ପାଇଁ କାମନା କରାଯାଏ ।

ବକୁଳ ଅମାବାସ୍ୟା ଠାରୁ ଆମ୍ବ ଅଙ୍କୁର ଧାରଣ କରି ଫାଲଗୁନମାସ ବେଳକୁ ଏହା ପୂର୍ଣ୍ଣ କୁସୁମିତ ହୋଇଥାଏ ।

ଭକ୍ତକବି ମଧୁସୂଦନଙ୍କ ଭାଷାରେ:-
ଆମ୍ବ ବଉଳଇ ଫଗୁଣ ମାସେ ।
ଦିଗ ଚହଟଇ ତାର ସୁବାସେ ।।

ବକୁଳ ଅମାବାସ୍ୟାରେ କୌଣସି ଦେବା ଦେବୀଙ୍କୁ ପୂଜା କରା ନ ଯାଇ ଆମ୍ବ ଗଛ ଓ ବଉଳକୁ ପୂଜା କରାଯାଏ । ଏ ପୂଜାରେ କୌଣସି ପୁରୋହିତଙ୍କ ଆବଶ୍ୟକତା ନ ଥାଏ । ବଉଳ ପୂଜା କରି ଆମ୍ବ ଗଛକୁ ପ୍ରାର୍ଥନା କରିବା ସହ ଏ ପୂଜାରେ ବସନ୍ତ ଋତୁକୁ ସ୍ୱାଗତ କରାଯାଏ । ହେଲେ ଶୀତ ପୁରା ଛାଡ଼ି ନଥାଏ । ଶୀତକୁ ବିଦାୟ ଦିଆଯାଏ ଅଗିରା ପୁର୍ଣିମାରେ ଅଗି ଜାଳି । ଏଣୁ ଲୋକକଥା ଅଛି :-

ଆମ୍ବ ଗଛେ ବଉଳ ଲୋ ଲିମ୍ବ ଗଛେ ଫୁଲ
ଅଗି ଜଳେ ଶୀତକାଳେ ବାଜିଉଠେ ଢୋଲ

ଏଥିରେ କୌଣସି ଦେବା ଦେବୀଙ୍କ ପୂଜା କରା ନ ଯାଉଥିଲେ ମଧ୍ୟ ଭୋଗକୁ ଭଗବାନଙ୍କୁ ସମର୍ପଣ କରାଯାଏ । ଶ୍ରୀମନ୍ଦିରରେ ମଧ୍ୟ ବକୁଳଲାଗି ନୀତି ପାଳିତ ହୋଇଥାଏ ।

ଜି.ଗ୍ରୋମ୍ସ 1805 ରେ ପୁରୀ କଲେକ୍ଟର ଥିଲେ । ସେ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ତେତିଶ ଗୋଟି ଯାତ୍ରା ବିଧାନ କରିଥିଲେ । ଏହି ଯାତ୍ରା ଭିତରେ ବକୁଳ ଲାଗି ଅନ୍ୟତମ ।

ବାମଦେବ ସଂହିତାରେ ମଧ୍ୟ ମହାପ୍ରଭୁଙ୍କ ବକୁଳ ଲାଗି ବିଷୟରେ ସୂଚନା ରହିଛି :-

ପୋୖଷେ ମାସି ଦର୍ଶକେ ବା ପ୍ରାତଃ କାଳାର୍ଚ୍ଚନେପ୍ରିୟେ ।
ଲାଙ୍ଗଳି ଖଣ୍ଡ ଯୁକ୍ତାଶ୍ଚ ପୂପାମ୍ ଶ୍ଚ ବର୍ତୁଳଂଶ୍ଚ ହି
ପୂଜା କାଳେପି ତାଂ ଦଦ୍ୟାତ ତଥା ଚୁତାଙ୍କୁରୈ ସହ ।
ତତୋ ବନ୍ଦାପନାଂ କୁର୍ଯ୍ୟାତ ଯେ ପଶ୍ୟନ୍ତି ନରୋତ୍ତମଃ ।
ତେ ଗଛନ୍ତି ହରେସ୍ଥାନଂଯୋଗୀଣାମପି ଦୁର୍ଲଭମ୍ ।

ଏହି ଅନୁସାରେ ବିଶ୍ୱାସ ରହିଛି ପ୍ରଭୁ ଅଚ୍ୟୁତଙ୍କୁ ଚ୍ୟୁତ ଅଙ୍କୁର ଅର୍ପଣର ନୀତି ପାଳିତ ହେଉଥିବା ବେଳେ ଯେଉଁ ମନୁଷ୍ୟ ମହାପ୍ରଭୁଙ୍କୁ ଦର୍ଶନ କରେ ସେ ଯୋଗୀ ମାନଙ୍କ ପାଇଁ ଦୁର୍ଲଭ ବୈକୁଣ୍ଠ ପ୍ରାପ୍ତ ହୋଇଥାଏ ।

ଋତୁରାଜ ବସନ୍ତ ଭଗବାନଙ୍କ ଅତି ପ୍ରିୟ । ଶ୍ରୀମଦ୍ଭଗବତ ଗୀତାରେ ସ୍ୱୟଂ ଭଗବାନ କହିଛନ୍ତ, “ଋତୁନାଂ କୁସୁମାକରଃ “।

ବଉଳ କଢ଼ ବାସ୍ନା ବସନ୍ତକୁ ଆହ୍ୱାନ ଦେଇଥାଏ । ବକୁଳଲାଗି ଅମାବାସ୍ୟା ପ୍ରକୃତି ପୂଜାର ନିଦର୍ଶନ । ବଉଳର ବାସ୍ନା ଏହି ସମୟରେ ଜନ ମାନସକୁ ମନ୍ତ୍ର ମୁଗ୍ଧ କରିଥାଏ । ବଉଳ ପୂଜା କରି, ବଉଳ ଯେ ଦିନେ ରସାଳ ଫଳ ସୃଷ୍ଟି କରିବ ଏହି ଭାବନାରେ ଜନ ଗଣ ଉନ୍ମାଦିତ ହୋଇ ଥାନ୍ତି ।

ଏକ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ହେଲା,ଏ ବକୁଳଲାଗି ଅମାବାସ୍ୟା ଦିନ ଭଗବାନ ଗ୍ରହଣ କରିଥିବା ଦଶ ଅବତାର ମଧ୍ୟରୁ ତୃତୀୟ ଅବତାର, ଶ୍ରୀବରାହ ଵା ଶୂକର ଅବତାର ଗ୍ରହଣ କରିଥିଲେ । ପ୍ରଭୁ ବରାହ ସୃଷ୍ଟି କର୍ତ୍ତା ପିତାମହ ବ୍ରହ୍ମାଙ୍କ ନାକ ପୁଡ଼ାରୁ ଜାତ ହୋଇ ପ୍ରତାପୀ ରାକ୍ଷସ, ହିରଣ୍ୟାକ୍ଷକୁ ବଦ୍ଧ କରି ଦନ୍ତ୍ୟ ଅଗ୍ରରେ ଧାରଣ କରି ରସାତଳରେ ନିମଗ୍ନ ପୃଥିବୀକୁ ଉଦ୍ଧାର କରିଥିଲେ । ଗୀତ ଗୋବିନ୍ଦରେ ମହାକବି ଜୟଦେବ ଗୋସ୍ୱାମୀ ଲେଖିଛନ୍ତି :-
ବସତି ଦଶନଶିଖରେ ଧରଣୀ ତବ ଲଗ୍ନା ।
ଶଶିନି କଳଙ୍କ କଳେବ ନିମଗ୍ନା ।
କେଶବ ଧୃତ, ଶୂକର ରୂପ,
ଜୟ ଜଗଦୀଶ ହରେ ।।

ଯାଜପୁରର ବୈତରଣୀ ନଦୀ ତଟରେ ଭଗବାନ ଯଜ୍ଞ ବରାହ ବା ବରାହ ନାଥଙ୍କ ମନ୍ଦିର ରହିଛି । ଯାଜପୁରର ଏହି ପୀଠରେ ଭଗବାନ ବରାହଙ୍କ ଜନ୍ମ ଉତ୍ସବ ସମାରୋହରେ ବକୁଳ ଅମାବାସ୍ୟା ଦିନ ପାଳିତ ହୋଇ ଥାଏ । ଏଠାରେ ବେଦପତି ବ୍ରହ୍ମା କରିଥିବା ଯଜ୍ଞରୁ ଦେବୀ ବିରଜା ଆବିର୍ଭୁତା ହୋଇଥିଲେ । କିନ୍ତୁ ପ୍ରଥମରେ ବରାହ ଭଗବାନ ଆବିର୍ଭୁତ ହୋଇଥିଲେ । ଏଣୁ ତାଙ୍କୁ ଯଜ୍ଞ ବରାହ କୁହାଯାଏ ।

ଆମ୍ବ ଗଛରେ ବଉଳ ପଲ୍ଲବିତ ହେଲେ ବଉଳ ଖାଇ କାମଦେବ ଦୂତ ବସନ୍ତ ବିଳାସୀ କୋକିଳ ମାନେ ନିଜ କଣ୍ଠ ପରିଷ୍କାର କରି ପଞ୍ଚମ ତାନର ଅଭ୍ୟାସ ଆରମ୍ଭ କରି ଦିଅନ୍ତି । କୋକିଳ ମାନେ ଉଚ୍ଚ ତାନରେ ଗୀତ ଗାଇ ଯୁବତୀ କୋକିଳାକୁ ଆକର୍ଷିତ କରିବାକୁ ପ୍ରସ୍ତୁତ ହୁଅନ୍ତି ।

ପଲ୍ଲୀକବି ନନ୍ଦ କିଶୋର ବଳ ଏହାକୁ ମନୋଜ୍ଞ ଭାଷାରେ ବର୍ଣ୍ଣନା କରି ଲେଖିଛନ୍ତି :-

ଶୀତ ଅନ୍ତେ ଆସେ ମଧୁର ବସନ୍ତ,
ବହେ ଦକ୍ଷିଣା ପବନ
ଆମ୍ବ ବଉଳର ଗହଳେ କୋଇଲି
କରଇ କଳ ଗାୟନ ।
ବଉଳ ଖାଇଣ କୋକିଳ ମଧୁରେ
ଗାଆନ୍ତି ଆନନ୍ଦ ଭୋଳେ
ଦେଖୁ ଦେଖୁ ଆମ୍ବ ଚଣା କଷି ହୋଇ
ଲେନ୍ତି ଲେନ୍ତି ହୋଇ ଦୋଳେ ।
ବନ ପ୍ରିୟ ଯୁବା ସହକାର ଶାଖେ
ଘନ ଉଚ୍ଚ ମଧୁ ତାନେ
ଗାଆନ୍ତେ ଆସିଣ ବାଛିଣ ବରନ୍ତି
ତରୁଣୀ କୋକିଳା ମାନେ ।

ପୁଣି ଆମ୍ବ ବଉଳ ଓ ଆମ୍ର କୁଞ୍ଜରେ କୋକିଳର ପଞ୍ଚମ ତାନରେ ଗୀତକୁ ଲକ୍ଷ୍ୟ କରି, ଭକ୍ତକବି ମଧୁସୂଦନ ରାଓ କହିଛନ୍ତି :-

ନବୀନ ପଲ୍ଲଵ ନବ କୁସୁମ
ଧରିଅଛି ଦେହେ ରସାଳ ଦ୍ରୁମ ।
ଡାଳେ ବସି ପିକ ଆନନ୍ଦ ଗୀତ
ଗାଇଣ ମଧୁରେ ହରଇ ଚିତ୍ତ ।

ଓଡ଼ିଆର କୌଣସି ପର୍ବ ତା’ର ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଛାଡ଼ି ହୁଏନାହିଁ । ଶ୍ରୀମନ୍ଦିରରେ ବି ବକୁଳ ଲାଗି ନୀତି ଅନୁଷ୍ଠିତ ହୋଇ ଥାଏ । ନୀତି ଅବସରରେ ମହାପ୍ରଭୁଙ୍କୁ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ ବଉଳ ଗଇଁଠା ଲାଗି କରାଯାଏ । ତାଟରେ ଆମ୍ବ ବଉଳର ଗଇଁଠା ମହାପ୍ରଭୁଙ୍କ ଠାରେ ଲାଗି କରା ହୁଏ ।

ପରମ୍ପରା ଅନୁଯାୟୀ ଏହି ଦିନର ଆଳତି ବଢ଼ିବା ପରେ ଶ୍ରୀଜିଉଙ୍କୁ ଆଜ୍ଞା ମାଳ ଲାଗି କରା ଯାଇଥାଏ । ବଲ୍ଲଭ ଭୋଗ ନୀତି ଶେଷ ହେବା ପରେ ସକାଳ ଧୂପ ନୀତି ଆରମ୍ଭ ହୁଏ । ସକାଳ ଧୂପ ଉଠିଲା ପରେ ରୋଷ ଘରୁ ବଉଳ ଗଇଁଠା ତାଟ ଶ୍ରୀଛାମୁକୁ ଆସି ପ୍ରସାଦ ଲାଗି ନୀତି ବଢ଼ି ଥାଏ । ଷୋଡ଼ଶ ଉପଚାର ପରେ ଟେରା ଫିଟା ଯାଇ ଆଳତି କରା ଯାଇଥାଏ । ତାଟ ଭିତରେ ଥାଇ ତିନି ବାଡ଼ରେ ବନ୍ଦାପନା ନୀତି ଅନୁଷ୍ଠିତ ହୁଏ । ଏହା ପରେ ଦକ୍ଷିଣ ଘରୁ ଶ୍ରୀ ନାରାୟଣ ରତ୍ନ ସିଂହାସନକୁ ବିଜେ କରନ୍ତି । ଶ୍ରୀ ଜୀଉଙ୍କୁ ଲାଗି ଆଜ୍ଞା ମାଳ ପାଇବା ପରେ ଶ୍ରୀ ନାରାୟଣ ସାଗରବିଜେ ପାଇଁ ପାଲିଙ୍କିରେ ବିଜେ କରିଥାନ୍ତି । ଏହା ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ବିଧାନ ମୁତାବକ ପାଳିତ ହୋଇ ଥାଏ । ଶ୍ରୀ ନାରାୟଣ ସାଗର ବିଜେ ନୀତି ସାରି ପୁନର୍ବାର ଦକ୍ଷିଣଘର ବିଜେ କରନ୍ତି । ଏହିଠାରେ ବକୁଳ ଲାଗି ନୀତି ସମ୍ପୂର୍ଣ୍ଣ ହୋଇଥାଏ ।

ଧନ୍ୟ ପ୍ରଭୁ ବିଶ୍ୱକାରଣଙ୍କ ସୃଷ୍ଟି । ଧନ୍ୟ ଏହି ଋତୁ ଆବର୍ତ୍ତନର ଲୀଳା । ବକୁଳ ଲାଗି ଅମାବାସ୍ୟାର ପବିତ୍ର ତିଥିରେ ଆସନ୍ତୁ ସେହି ଲୀଳା ମୟ ବିଶ୍ୱ ସ୍ରଷ୍ଟା, ବିଶ୍ୱକର୍ତ୍ତା ପ୍ରଭୁଙ୍କୁ ପ୍ରାର୍ଥନା କରିବା ସମସ୍ତଙ୍କ ଜୀବନରେ ମଧୁମୟ ମଧୁର ବସନ୍ତର ଆଗମନ ହେଉ । ସମସ୍ତଙ୍କ ପ୍ରାଣ ନବ ଉନ୍ମାଦନା ଓ ନବ ପୁଲକରେ ପଲ୍ଲବିତ ହେଉ । ଦୋଳ ଗୋବିନ୍ଦଙ୍କ ମଧୁର ବଂଶୀର ମୂର୍ଚ୍ଛନା ସବୁରି ହୃଦୟ ତନ୍ତ୍ରୀରେ ଗୁଞ୍ଜରିତ ହେଉ । ଭକ୍ତକବି ମଧୁ ସୂଦନ ରାଓଙ୍କ ଭାଷାରେ ପ୍ରଭୁଙ୍କୁ ପ୍ରଣତି ଜଣାଇବା :-

  ଶୀତ ଅନ୍ତେ ପୁଣି ଆସିବ ମଧୁମୟ ବସନ୍ତ
ଧନ୍ୟ ଧନ୍ୟ ବିଶ୍ୱକାରଣ ତୋର ଦୟା ଅନନ୍ତ ।

🙏🙏🙏


ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights