ଜୁଆଙ୍ଗ ଅଗଣା ନଗଡା : ଯେଉଁଠି ସମସ୍ତେ ଯୁଆନ
– ଡାକ୍ତର ରବିନାରାୟଣ ସେନାପତି
ସତକୁ ବୁଢାଲୋକ ପ୍ରାୟ ନାହାନ୍ତି। ଯାହାଙ୍କୁ ବୁଢ଼ା କୁହାଯାଉଛି ସେମାନେ ପଚାଶ ଟପି ନଥିବେ।
୨୦୦୭ ମସିହାର ପ୍ରଥମେ ଯାଇଥିଲି ନଗଡା। ରାତିଟିଏ ରହିଥିଲା ଆମ ଦଳ। ସହାୟତା ଦେଇଥିଲେ ଟିଏସଆରଡିଏସ ଟାଟା ମାଇନସ। ଏହାର ତତ୍କାଳୀନ ମୂଖ୍ୟ ଡ଼ା ଆଇ ବିନୋଦ ଥିଲେ ବେଶ୍ ସହଯୋଗୀ ଜଣେ ମଣିଷ। ଆମ ସୁପରଭାଇଜର ସ୍ୱର୍ଗତଃ ମନ୍ମଥ ମୁର୍ମୁ ସବୁଥର ପରି ସେଥର ଯାଉଥାନ୍ତି ଏ କଷ୍ଟସାଧ୍ୟ ଅଞ୍ଚଳକୁ ପଲ୍ସ ପୋଲିଓ କାର୍ଯ୍ୟକ୍ରମର ମାଧ୍ୟମରେ ଅନେକ ସ୍ବାସ୍ଥ୍ୟ ବାର୍ତ୍ତା ଓ ଔଷଧପତ୍ର ଦେବାକୁ। ଆମ୍ଭେ ସାମିଲ ହେଲୁ ଦଳରେ।
ଅନେକ ନାହିଁ ନାହିଁର କଥା ନଗଡା ବାବଦରେ କୁହାଯାଇଛି। ସେସବୁ ଅବଶ୍ୟ ସତ୍ୟ ଓ ଏହାର ପ୍ରତିକାର ଆବଶ୍ୟକତା ଥିଲା। କିନ୍ତୁ କିଛି କ’ଣ ଭଲ କଥା ନଥିଲା ନଗଡାରେ ଏହାର ପରିବେଶ ଓ ନିରୀହ ପଣ ବାଦ?
ସେମିତି କିଛି ମାର୍ମିକ କଥା ଅନୁଭବ କରିଥିଲି।
ଗାଁରେ ଥାଏ ଏକ କୋଠଘର। ଅନ୍ୟ ଘର ମାନଙ୍କ ତୁଳନାରେ ବେଶ୍ ପ୍ରଶସ୍ତ। ଲୋକ ସଂସ୍କୃତିର ଘରଟିଏ ଗାଁ ବାଲାଏ ଗଢ଼ିଛନ୍ତି କୌଣସି ସରକାରୀ ନୁହେଁ। ଘରେ କବାଟ ନାହିଁ ଅବା ସଦା ମୁକୁଳା ସେ ଦ୍ବାର ସଠିକ ମନେ ନାହିଁ। ସେଇଠି ନିଆଁ, ପାଣି, ଚାଉଳ ଓ କାଠ ଅଛି। ଉଲୁଗୁଣିରୁ ଝୁଲୁଛି ଅନେକ ବଡ଼ ବଡ଼ ପରାତ ଭଳି ଚାଙ୍ଗୁ ବାଦ୍ୟ। ଆମ ପାଇଁ ପ୍ରସ୍ତୁତ ନୁହେଁ ଏହା ସଦା ପ୍ରସ୍ତୁତ ଆଗନ୍ତୁକ, ପଥଚାରୀ, ଅତିଥି ଅବା ସରକାରୀ କର୍ମଚାରୀଙ୍କ ପାଇଁ। ଏହା କରୁଣତମ ଦାରିଦ୍ର୍ୟ ମଧ୍ୟରେ ଏକ ଅଭାବନୀୟ ସୁନ୍ଦର ବ୍ୟବସ୍ଥା। ମୋର ଈର୍ଷା ହେଲା।
ଆମ ଗାଆଁରେ ପିଲାବେଳେ ଗଡ଼ ମଧୁପୁର କମାଗଡରୁ ଆସିଥିବା ଯାତ୍ରା ଦଳ ଆମର ଏକ ଦୁଇ ବଖରିଆ ମାଟି ଘରେ ରହିଥିଲେ ସତ୍ୟ କିନ୍ତୁ ସେଥିରେ ଜଣାପଡ଼ୁଥିଲା ଏକ ବ୍ୟକ୍ତିଗତ ସାହାଯ୍ୟର ଅହଂ ଭାବ। ଆମ ମଧ୍ୟମ ଭାବେ ବିକଶିତ ଶିକ୍ଷିତ ଗ୍ରାମରେ ମଧ୍ୟ ଏକ ସୁନିର୍ଦ୍ଦିଷ୍ଟ ଅତିଥି ଗୃହ ନଥିଲା ସେତେବେଳେ। ମଠ ଇତ୍ୟାଦି ଏ କିସମର ନୁହେଁ। କୋଠଘରେ ପ୍ରବେଶ କଲେ ମନେହେଲା ଯେମିତି ଏହା ଉପରେ ଗାଁ ବାଲାଙ୍କର ନୁହେଁ କେବଳ ଆମର ଅଧିକାର ରହିଛି।
ସମୟ ଥାଏ ଶୀତ ଋତୁର। ବେଶ୍ ଥଣ୍ଡା ସେଠି। ବଡ଼ କାଠଗଣ୍ଡିରେ ଅସରନ୍ତି ଧୁନି। ଘର ବାହାରେ ପ୍ରଶସ୍ତ ଅଗଣା ଯାହା ଗାଆଁର ରାସ୍ତାରୁ ରୂପାନ୍ତରିତ। ସେଇଠି ଆମେ ଅଗି ଜାଳିଲୁ। ଗ୍ରାମର ପୁରୁଷ ଲୋକମାନେ ଓ ଧାଙ୍ଗଡ଼ା ମାନେ କ୍ରମଶଃ ଆସିବାକୁ ଲାଗିଲେ। ଧାଙ୍ଗଡା କହିଲେ ସମସ୍ତେ କିଶୋର। ଯୁବ ବୟସ ନସରୁଣୁ ସମସ୍ତେ ବାହା ହୋଇଯାଉଥିବାରୁ ଯୁବା ଧାଙ୍ଗଡା କାହୁଁ ମିଳିବେ ଯେ? କୋଠଘରଟି ଧାଙ୍ଗଡା ବସା ମଧ୍ୟ। ଗରିବ ମଣିଷର ଏତେ ଘର କାହିଁ? ହଁ, ବାହା ହେଲେ ଯାହିଁ ତାହିଁ ଘରଟିଏ ତୋଳେଇ ଦିଅନ୍ତି ପରିବାର ଲୋକେ। ଯେ ନ ପାରିବେ, ଗାଁ ଲୋକେ ମିଳିମିଶି ସାହାଯ୍ୟ କରନ୍ତି। ସେମିତି ବହୁତ ଘରର ଆବଶ୍ୟକତା ହୁଏ ନି। ସତକୁ ବୁଢାଲୋକ ପ୍ରାୟ ନାହାନ୍ତି। ଯାହାଙ୍କୁ ବୁଢ଼ା କୁହାଯାଉଛି ସେମାନେ ପଚାଶ ଟପି ନଥିବେ। ଜନସଂଖ୍ୟା ଦୁର୍ଭାଗ୍ୟଜନକ ଭାବେ ପ୍ରକୃତି ନିୟନ୍ତ୍ରିତ।
କଥା ଅନ୍ୟଆଡେ ଲମ୍ବିଗଲା। ଧାଙ୍ଗଡା ମାନଙ୍କ ଅଭିଯୋଗ ନଥିଲା ଯେ ଆମେ ଜବରଦଖଲ କରିଛୁ ତାଙ୍କ ଘର। ସମସ୍ତେ ଲାଜକୁଳା। ସହଜରେ ଚାଙ୍ଗୁ ଧରୁନଥିଲେ। ମୁରବିମାନେ କହିଲେ। ଆମେ ମାନେ ଅନୁରୋଧ କଲୁ। ଏ ପିଲା ତାକୁ କହୁଥାଏ, ସେ ପିଲା ତାକୁ। ପାଗ ଭିଡିବାକୁ ଲାଗିଗଲା ପ୍ରାୟ ଏକ ଘଣ୍ଟା। ମୋର ଧାର୍ଯ୍ୟଚ୍ୟୁତି ହେଉଥାଏ। ମୁଁ ବିଶ୍ବାସ କରୁନଥାଏ ଏମାନେ ବାଜା ବଜାଇବେ ବୋଲି। କେହିଜଣେ ଚାଙ୍ଗୁଟିଏ ଆଣି ତା’ର ଫିତା ଭିଡୁ ଭିଡୁ ଚଟର ଚଟର ଆରମ୍ଭ କଲା। ଏକରୁ ଦୁଇ ଓ ଦୁଇରୁ ଚାରି ଓ କ୍ରମେ କ୍ରମେ ସବୁ ଚାଙ୍ଗୁ ଉଲୁଗୁଣିରୁ ଓହ୍ଲାଇ ଆସିଲେ। କେତେବେଳେ ସେସବୁ ସମବେତ ତାଳ ସୃଷ୍ଟି କଲେ ଜାଣି ହେଲାନି। ସମସ୍ତେ ଜୁଆଙ୍ଗ। ସେମାନଙ୍କର ହୁଏତ ନିଜସ୍ଵ ଭିନ୍ନ ଭାଷା ନାହିଁ ଅଥବା ଯଦି ବି ଥିବ ତାହା କାଳର କରାଳରେ ନିରୁଦ୍ଦିଷ୍ଟ।
ସେମାନେ ଯାହା କହୁଥାନ୍ତି ବା ଗାଇବା ଆରମ୍ଭ କରୁଥାନ୍ତି ତାହା ବୁଝି ହେଉଥାଏ କିଛି କିଛି। ମନେହେଲା ସେମାନେ ଆହ୍ବାନ କରୁଛନ୍ତି ଧାଙ୍ଗିଡି ମାନଙ୍କୁ ଏକ ଦୋ ତିନ୍ ଚାର୍ କମ୍ ଅନ୍ ଟୁ ଡାନ୍ସ ଫ୍ଲୋର୍। ଛୋଟିଆ ବସ୍ତିରେ ଏ ଧାଙ୍ଗିଡି ମାନେ ସେମାନଙ୍କ ଭଉଣୀ ବା ସେମିତି କିଛି ହୋଇଥିବେ। ମତୁଆଲା ବାଦ୍ୟ କିନ୍ତୁ ହଠାତ୍ ସମସ୍ତଙ୍କୁ ପରିଚୟ ଦିଏ ଧାଙ୍ଗଡା ଓ ଧାଙ୍ଗିଡି। କିଶୋର ଓ କିଶୋରୀ।
କେହି କାହାକୁ ଡାକିବାକୁ ଯାଏନି ନନ୍ଦିଘୋଷ ଭିଡିବାକୁ। ଅନେକ ସମୟ ବାଜା ବାଜିବା ପରେ ଯାଇ ହାତରୁ ସାପ ବାହାରିଲା ପ୍ରାୟ ଅନ୍ଧକାର ଭେଦ କରି ବାହାରି ଆସିଲେ ଜୁଆଙ୍ଗ କନ୍ୟା ମାନେ। ଅଣ୍ଟାରେ ଶାଢ଼ୀ ଭିଡ଼ି, ହାତରେ ବୋଝେ ବୋଝେ ଚୁଡିଥାଇ। ନଇଁପଡ଼ି ହାତ ତଳକୁ ଝୁଲାଇ ଚାଙ୍ଗୁର ତାଳେ ତାଳେ ଗୁଡ଼ିକୁ ଖନକେଇ ପାଦରେ ପାଦ ମିଳାଇ ଆଗ ପଛ ନାଚିବା ଅତି ସାଧାରଣ ମନେ ହେଲେ ମଧ୍ୟ ଅସାଧାରଣ ଐକ୍ୟ ଥିଲା ସେ ନୃତ୍ୟରେ।
ଗୀତଟି ଏମିତି ଥିଲା…. ଆଜଦିନ କଞ୍ଚା ନାଟୁଆଳି, କାଲଦିନ କଞ୍ଚା ନାଟୁଆଳି…. ପୁଅଟିଏ ଝିଅକୁ କହୁଛି ଯେ ସୁକିନ୍ଦା ଶିବମନ୍ଦିରକୁ ସେ ତାକୁ ବୁଲାଇନେବ ଜାଗର ଯାତ୍ରାରେ ଓ ସେଇଠି ସେ ତାକୁ ହାତୀ ଘୋଡ଼ା ସବୁକିଛି ଆଣି ଦେବ। ତାକୁ ରାଣୀ କରିବ। ପ୍ରଚୁର ଭଲ ପାଇବ। ସେଇଠି ରାତି ହୋଇଥିଲା ସଂଧ୍ୟା ଛଅରେ। ରାତିକୁ ନାଚଗୀତ ପାକଳ କରିଥିଲା ପ୍ରାୟ ରାତି ଦଶଟାରେ। ଆରମ୍ଭ କେମିତି ହେଲା ମନେଅଛି, ଶେଷ କେମିତି ହେଲା ମନେ ନାହିଁ। ମଝିରେ ନିଆଁ ଚଟାଣରେ ମସିଣା ଏହାର ଚାରିକଡେ। ସବୁ ଧାଙ୍ଗଡା ଓ ଆମେମାନେ ଶ୍ରମକ୍ଳାନ୍ତ ଶୋଇ ପଡ଼ିଲୁ।
ସକାଳେ ଝରଣାର ସୁଶୀତଳ ଜଳରେ ଗାଧୋଇ ପଡି ଚାଲିଲୁ ଗୁଇଆ ଶାଳ। କହିବା ବାହୁଲ୍ୟ ଏ ପାହାଡ଼ ଉପରୁ ଅଞ୍ଚଳଟିର ମୂଖ୍ୟ ଗ୍ରାମ ହେଲା ଗୁଇଆ ଶାଳ ଓ ଏ ନାମରେ ଅଞ୍ଚଳ ପରିଚିତ। ନଗଡା ଅବଶ୍ୟ ଏବେ ନାମ ଡାକ ହେଲା। ସେ ପୁଣି ଉପର ନଗଡା, ମଝି ନଗଡା ଓ ତଳ ନଗଡା। ଆମେ ଥିଲୁ ତଳ ନଗଡାରେ।
ଜାଣେନି କ’ଣ ସବୁ ଉନ୍ନତି ଘଟିଛି। ମୁଁ ତୃତୀୟ ଥର ଯାଇଥିଲି ୨୦୧୨ରେ ସେତେବେଳ ପର୍ଯ୍ୟନ୍ତ ସେମିତି କିଛି ପରିବର୍ତ୍ତନ ହୋଇନଥିଲା। ଏବେ କୁଆଡେ଼ ବହୁତ ପରିବର୍ତ୍ତନ ହୋଇଛି। ଏତେ ପରିବର୍ତ୍ତନ ଯେ ପିଲାଏ ଝରଣାର ପାଣିକୁ ଫିଙ୍ଗା ଯାଇଥିବା ବୋତଲରେ ଧୋଇଧାଇ ପୁରାଇ ଅତିଥି ମାନଙ୍କୁ ଦେଇ ଲୋଭିଲା ଅନାଉଛନ୍ତି।
ଜାଣେନି ଉନ୍ନତି ଏ କୋଠଘର ଉପରେ କ’ଣ ପ୍ରଭାବ ପକାଇଛି? ଯଦି ଏ ମଣିଷଟି ସେଇଠି କିଛି ନିର୍ଣ୍ଣାୟକ ଭୂମିକାରେ ଥାଆନ୍ତା ତା’ହେଲେ ବିକାଶ ଆରମ୍ଭ କରିଥାନ୍ତା ଏ କୋଠଘରୁ। ସେମିତି ହୋଇଛି କି ନାହିଁ କହି ପାରିବି ନାହିଁ। ଅପହଞ୍ଚ ଆଉ ନୁହେଁ ନଗଡା ତଥାପି କାହିଁକି ଭୟ ଲାଗୁଛି ସେଠାକୁ ଯିବାକୁ। ପାଇବି ତ ଖୋଜି ସେ ସମ୍ଭ୍ରାନ୍ତ କୋଠଘର?
Dr Rabinarayan Senapati Mob : 92388 55237