ଫୁଟିଯାଏ ଚାଳ ଛାତି

Share it

Mo Kabita
13th August 2024

ଜହ୍ଲାଦ !
-ନିରଞ୍ଜନ ସେଠୀ

ମୁକ୍ତି ମଶାଲ ହାତେ ମୁଁ ଧରି
ଯେତେ ଚିତ୍କାର କଲେ
ମୁକ୍ତ ନୁହେଁ ମୁଁ କାଳ କଂକାଳେ
ରକ୍ତ ମାଉଁସ ଜଳେ !

ହାଟେ ବାଟେ ଘାଟେ ସବୁଠି ଶୁଭଇ
ମୁକ୍ତିର ହାହାକାର
ମୁକ୍ତି ମୁଲକ ସୁପ୍ତ ସମାଧି
ଛାତିରେ ଚାଟୁକାର !

ଶୋଷକ-ଟିଙ୍କ ଶୋଷିତ ରକ୍ତ
ଶୋଷି ଚାଲେ ଅହର୍ନିଶ
ଯେତେ ଶୋଷିଲେ ବି ମେଣ୍ଟେ ନାହିଁ ଶୋଷ
ବଢ଼ି ଚାଲେ ଅବସୋସ !

ରକ୍ତ ପିପାସୁ ଲୁଣ୍ଠନକାରୀ
ହାତରେ ଲଣ୍ଠନ ଧରି
ନିଗାଡି ପିଅନ୍ତି କଲିଜା ଚିପୁଡ଼ି
ଆଖି ଥାଉଁ ଅନ୍ଧ କରି !

ଜେଲ ଜରିମାନା ଦାରୁଣ ବେଦନା
ଅର୍ଥ ପିପାସୁଙ୍କ ହାତେ
ଜିଅନ୍ତା ମଣିଷ ଜୁଇରେ ଜଳଇ
ଆସେନା ମଣିଷ ହିତେ !

ଭୋକ ଭୁକି ଭୁକି ଵନିଯାଏ ଯେବେ
ବାରୁଦ ଗଦାର ବହ୍ନି
ଛିନ୍ନ ଛତ୍ର ହୁଏ ଚତୁର୍ପାଶ୍ୱ ତାର
କେହି ପାରନ୍ତିନି ଚିହ୍ନି !

ମାଟି ତଳେ ଲୌହ କୋଲପ ଶାଙ୍କୁଳି
ଟ୍ରେଜେରୀ ଉପରେ ଶୋଇ
କୁମ୍ଭକର୍ଣ୍ଣ ନିଦ୍ରା ଆଚ୍ଛାଦିତ କରେ
ଜହ୍ଲାଦ ମାରଇ ହାଇ !

ବିଶ୍ୱ ନିୟନ୍ତାର ବଜ୍ର କମାଣ
ଫେଲ ବି ମାରେ ଏଠି
କଂକ୍ରିଟ ଘର ଫୁଟେ ନାହିଁ କେବେ
ଫୁଟିଯାଏ ଚାଳ ଛାତି !

ଶୋଷଣ କଷଣ ଦାବାନଳେ ଜଳେ
ଶୋଷିତର ମାଟି ହାଣ୍ଡି
ସୂନା ପିତ୍ତଳର ଗରା ଭର୍ତ୍ତି ଦେଖ
କେତେ ଖାଇଛନ୍ତି ତଣ୍ଡି !
କେତେ ଖାଇଛନ୍ତି ତଣ୍ଡି !
———


– ନିରଞ୍ଜନ ସେଠୀ


Share it

Leave a comment

Your email address will not be published. Required fields are marked *

Verified by MonsterInsights