ପୋଲାଭରମ୍ – ଓଡିଶାର ସ୍ବାର୍ଥ ଦେଖିବ କିଏ ?

Share it

ପୋଲାଭରମ୍ – ଓଡିଶାର ସ୍ବାର୍ଥ ଦେଖିବ କିଏ ?

ସୁଧାଂଶୁ ଶେଖର ଧଡା

ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାପରେ ଆନ୍ଧ୍ର, ଓଡିଶା, ଛତିଶଗଡ ଏବଂ ତେଲେଙ୍ଗାନାର ୬୦୦ରୁ ଅଧିକ ଗାଁ ବୁଡିବାର ସମ୍ଭାବନା ଦେଖାଦେଲାଣି। ସର୍ବାଧିକ ୧୬୦ରୁ ଅଧିକ ଗାଁ ଓଡିଶାର ବୁଡିବ।

ଏହି ପ୍ରକଳ୍ପ ଦ୍ବାରା ଓଡିଶାର ବିପୁଳ କ୍ଷତି ହେବାକୁ ଥିବାବେଳେ ଓଡିଶା କଣ ଲାଭ ପାଇବ – ସେ ବିଷୟରେ କିଛିହେଲେ ତଥ୍ୟ ନାହିଁ।

ଏ କ୍ଷେତ୍ରରେ ଉଭୟ ଆନ୍ଧ୍ର ଏବଂ ଓଡିଶା ସରକାର ଏକ ମିଳିତ ଆଲୋଚନାର ଉଦ୍ୟମ କରିବାର ଆବଶ୍ୟକତା ଥିଲାବେଳେ ଓଡିଶା ସରକାର ଅଚିନ୍ତାରେ ଥିବା ପରି ମନେ ହେଉଥିବାବେଳେ ସରକାରଙ୍କ ଜଲସମ୍ପଦ ବିଭାଗ ଅଚେତନ ଅବସ୍ଥାରେ ଥିବାପରି ପ୍ରତୀୟମାନ ହେଉଛି। ଜଳସମ୍ପଦ ବିଭାଗ ଏହା ଉପରେ ଏକ ଶ୍ୱେତପତ୍ର ପ୍ରକାଶକରି ଏ ସମ୍ପର୍କୀତ ବିସ୍ମୃତ ତଥ୍ଯ ଓଡିଶାର ଜନସାଧାରଣଙ୍କ ଅବଗତି ନିମନ୍ତେ ସାର୍ବଜନୀନ କରିବା ନିହାତି ଆବଶ୍ଯକ। – ଲକ୍ଷ୍ମୀଧର ନାୟକ, ସମ୍ପାଦକ, e-sulekha.com

ଗୋଦାବରୀ ନଦୀ ମହାରାଷ୍ଟ୍ରର ନାସିକ ଜିଲ୍ଲାରୁ ବାହାରି ପଶ୍ଚିମଘାଟ ପର୍ବତମାଳା ଅତିକ୍ରମ ପରେ ଆନ୍ଧ୍ର ପ୍ରଦେଶଦେଇ ବଙ୍ଗୋପସାଗରରେ ମିଶିଛି । ଓଡିଶାର କୋରାପୁଟ, ମାଲକାନଗିରି ଜିଲ୍ଲାରେ ପ୍ରବାହୀତ ଶାବେରୀ ଓ ସିଲେରୁ ନଦୀ ଆନ୍ଧ୍ରପ୍ରଦେଶ ସୀମା ଭିତରେ ଗୋଦାବରୀ ନଦୀସହ ମିଶିଛି । ଗତ ୨୦୦୪ ମସିହାଠାରୁ ଆନ୍ଧ୍ରପ୍ରଦେଶର ପୋଳାଭରମ୍ ଠାରେ ଗୋଦାବରୀ ନଦୀ ଉପରେ ଏକ ବୃହତ୍ ବହୁମୁଖୀ ଜଳଭଣ୍ଡାର ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଛି । ଏହି ଜଳଭଣ୍ଡାରକୁନେଇ ଓଡିଶାର ମାଲକାନଗିରି ଜିଲ୍ଲାର ୧୬୨ରୁ ଉର୍ଦ୍ଧ୍ବ ଗାଁ ବୁଡିଯିବା ସମ୍ଭାବନା ଦେଖାଦେଲାଣି । ଏହା ମାଲକାନଗିରିର ସମ୍ଭାବ୍ୟ ବୁଡି ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି।

ଏହି ପ୍ରକଳ୍ପ ପ୍ରଥମେ ଇନ୍ଦିରାସାଗର ନାମରେ ନାମିତ ହୋଇଥିଲା। ପଶ୍ଚିମ ଗୋଦାବରୀ ଜିଲ୍ଲାର ରାମାୟାପେଟବର୍ତ୍ତମାନ ହେଉଛି ଆଲ୍ଲୁଉରୀ ସୀତାରାମ ରାଜୁ। ୨୦୦୪ ମସିହାରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଆସନ୍ତା ୨୦୨୯ ମସିହା ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷହୋଇ କାର୍ଯ୍ୟକ୍ଷମହେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟର ଅନୁମୋଦନ କ୍ରମେ ଆନ୍ଧ୍ରପ୍ରଦେଶ ଜଳସମ୍ପଦ ବିଭାଗ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି।

ଏହା ଏକ ରାଷ୍ଟ୍ରୀୟ ବହୁମୁଖୀ ନଦୀବନ୍ଧ ପ୍ରକଳ୍ପ। ଏଥିରୁ ୯୬୦ ମେଗାଓ୍ବାଟ୍ ବିଦ୍ୟୁତ୍ ଉତ୍ପାଦନ ଲକ୍ଷ୍ୟ ସହିତ ଜଳ ସେଚନ, ବନ୍ୟା ନିୟନ୍ତ୍ରଣ, କ୍ରୀଷ୍ଣା ନଦୀ ସହିତ କେନାଲ ସଂଯୋଗୀକରଣ, ବିଶାଖାପାଟଣା ସହରକୁ ପାନୀୟ ଜଳ ଯୋଗାଣ, ଭାଇଜାଗ୍ ଇସ୍ପାତ କାରଖାନାକୁ ଜଳ ଯୋଗାଣ ଲକ୍ଷ୍ୟ ରହିଛି।

ଏଥିରେ ୪୮ ଟି ସ୍ଲୁଇସ୍ ଗେଟ ରହିବ। ଜାତୀୟ ନଦୀ ସଂଯୋଗୀକରଣ ଯୋଜନା ଅଧିନରେ ଏହି ନଦୀବନ୍ଧ ପ୍ରକଳ୍ପକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ପ୍ରକଳ୍ପରେ ବନ୍ଧର ଉଚ୍ଚତା ୪୫. ୭୨ ମିଟର କରାଯିବା କଥା ଜଣାପଡିବାପରଠାରୁ ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି । ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାପରେ ଆନ୍ଧ୍ର, ଓଡିଶା, ଛତିଶଗଡ ଏବଂ ତେଲେଙ୍ଗାନାର ୬୦୦ରୁ ଅଧିକ ଗାଁ ବୁଡିବାର ସମ୍ଭାବନା ଦେଖାଦେଲାଣି। ସର୍ବାଧିକ ୧୬୦ରୁ ଅଧିକ ଗାଁ ଓଡିଶାର ବୁଡିବ।

ଏହି ପ୍ରକଳ୍ପକୁ ନେଇ ବିବାଦ ଏଇଠୁ ଆରମ୍ଭ। ପ୍ରସ୍ତାବିତ ପ୍ରକଳ୍ପର ଉପର ମୁଣ୍ଡରେ ମାଲକାନଗିରିର କାଲିମେଳା, ପଡିଆ, ମାଥିଲି ଏବଂ କୋରୁକୋଣ୍ଡା ତହସିଲର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଯିବ। ବିସ୍ତୀର୍ଣ୍ଣ ଅଞ୍ଚଳ ପଛୁଆ ପାଣିରେ ବୁଡିଯିବ। ଶାବେରୀ ଓ ସିଲେରୁ ନଦୀର ଗୋଦାବରୀସହ ସଙ୍ଗମ ସ୍ଥଳର ତଳମୁଣ୍ଡରେ ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାରୁ ବର୍ଷାଜଳ ନିଷ୍କାସନ ହେବା କ୍ଷେତ୍ରରେ ଗୁରୁତର ପ୍ରତିବନ୍ଧକ ସୃଷ୍ଟି ହେବ। ଏହାର ପରିଣାମ ଭୋଗିବେ ଏହି ଚାରି ତହସିଲର ପାଖାପାଖି ୨୦୦ ଗାଁ ର ଲୋକେ। ସମ୍ଭାବ୍ୟ ବୁଡି ଅଞ୍ଚଳର ସର୍ଭେ ଏପର୍ଯ୍ଯନ୍ତ କରାଯାଇ ନଥିବାରୁ ଗାଁ ର ସଂଖ୍ୟା ନିର୍ଦ୍ଦିଷ୍ଟ ହୋଇପାରୁନାହିଁ। ଏହି ଚାରି ତହସିଲ ଅଞ୍ଚଳର ଛୋଟ ନାଳସବୁର ପାଣି ମଧ୍ୟ ଖଲାସ ହେବାରେ ଅସୁବିଧା ସୃ୍ଷ୍ଟିହେବ।

ପ୍ରକଳ୍ପଠାରୁ ସମୁଦ୍ର ଦୂରତା ପ୍ରାୟ ୪୦ କିଲୋମିଟର। ବଡ ଜୁଆର ଆସିଲେ ବର୍ଷାଜଳ ମଧ୍ୟ ନିଷ୍କାସନ ହେବନାହିଁ। ଏହି ପ୍ରକଳ୍ପର ପ୍ରସଙ୍ଗ ଉଠି ନଥିବା ସମୟରେ ୧୯୮୬ ମସିହାରେ ପ୍ରବଳ ବର୍ଷାଜନିତ ବନ୍ୟାରେ ଏବଂ ୨୦୦୬ ମସିହାର ପ୍ରବଳ ବର୍ଷାରେ ହୋଇଥିବା ବନ୍ୟାରେ ଏହି ଚାରି ତହସିଲର ୧୩୦ଟି ଗାଁ ବୁଡିଥିଲା। ସେତେବେଳେ ବର୍ଷା ଓ ବନ୍ୟା ଜଳ ଗୋଦାବରୀ ନଦୀ ମାଧ୍ୟମରେ ସମୁଦ୍ରକୁ ଖଲାସ ହୋଇଯାଇଥିଲା। ଏବେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ସ୍ଥାୟୀଭାବେ ସିଲେରୁ ଓ ଶାବେରୀ ଜଳରେ ଓଡିଶାର ବିସ୍ତୀର୍ଣ୍ଣ ଅଞ୍ଚଳ ବୁଡିବ। ବନ୍ଧର ଉଚ୍ଚତାକୁ ନେଇ ଅଧିକ ଅଞ୍ଚଳ ବୁଡିବ। ଛତିଶଗଡ ରାଜ୍ୟର ପ୍ରାୟ ୬୦ଟି ଗ୍ରାମ ଜଳଭଣ୍ଡାର ଭିତରକୁ ଚାଲିଯିବ ।

ଏଭଳି ଏକ ନିଶ୍ଚିତ ଜଳପ୍ରଳୟକକୁ ଓଡିଶାର ପ୍ରାୟ ଲକ୍ଷେ କୋଡିଏ ହଜାର ଲୋକ ସମ୍ମୁଖୀନ ହେଉଥିବା ସମୟରେ ଏହି ଲୋକଙ୍କ ସମସ୍ୟା ସମାଧାନର ଉଦ୍ୟମ ମଧ୍ୟ ହୋଇନାହିଁ । ଯେକୌଣସି ପ୍ରକଳ୍ପରେ ଲୋକଙ୍କର କ୍ଷତି ହେବାର ସମ୍ଭାବନା ଥିଲେ ଗ୍ରାମସଭା ଆୟୋଜନ କରାଯାଇ ଲୋକଙ୍କ ମତାମତ ସଂଗ୍ରହ କରାଯାଏ। ଆଉମାତ୍ର ପାଞ୍ଚ ବର୍ଷ ଭିତରେ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବାକୁ ଯାଉଥିବା ସମୟରେ ଏପର୍ଯ୍ଯନ୍ତ ସମ୍ଭାବ୍ୟ କ୍ଷତିଗ୍ରସ୍ତଙ୍କ କ୍ଷତିପୂରଣ ଏବଂ ଥଇଥାନ ବିଷୟରେ କୌଣସି ଶୋରଶବ୍ଦ ନାହିଁ। ଏହି ଥଇଥାନ ଏବଂ କ୍ଷତିପୂରଣ କିଏଦେବ , ତାହାମଧ୍ୟ ସ୍ଥିରହୋଇନାହିଁ

ଏହି ପ୍ରକଳ୍ପର ଅତଳ ପାଣିତଳେ ବିସ୍ତୀର୍ଣ୍ଣ ଜଙ୍ଗଲ, ଏକ କୋଇଲାଖଣି ଅଞ୍ଚଳ, ଭଦ୍ରାଚଳମ୍ ସ୍ଥିତ ପ୍ରତ୍ନତାତ୍ତ୍ବିକ ମୂଲ୍ୟ ସମ୍ବଳିତ ପ୍ରାୟ ୫୦୦ ବର୍ଷର ପ୍ରାଚୀନ ରାମ ମନ୍ଦିର, ଅନେକ ପ୍ରାଚୀନ କିର୍ତ୍ତୀ ଓ କୃଷିକ୍ଷେତ୍ର ବୁଡିବ।

ଜଳଭଣ୍ଡାରର ପଛୁଆ ପାଣି ଓଡିଶାର ପ୍ରଭୂତ କ୍ଷତି କରିବାକୁ ଯାଉଥିବା ସ୍ଥଳେ ଏହି ପାଣିର ସଦୁପଯୋଗ ଓଡିଶା କରି ନପାରିବାଭଳି ଆଡିବନ୍ଧ ଦିଆଯିବା ପ୍ରସ୍ତାବ ପ୍ରକଳ୍ପ ସହିତ ରହିଥିବା ସମ୍ଭାବ୍ୟ କ୍ଷତିଗ୍ରସ୍ତମାନେ ପ୍ରକାଶ କରନ୍ତି। ଆଡିବନ୍ଧ ଦିଆଗଲେ ୧୬୦ ଗାଁ ବାଦ୍ ଆହୁରି ଆଧିକ ଗାଁ’ର ବିସ୍ତୀର୍ଣ୍ଣ ଅଞ୍ଚଳରୁ ବର୍ଷାଜଳ ନିଷ୍କାସନ ହୋଇନପାରି ସ୍ଥାୟୀଭାବେ ପାଟରେ ପରିଣତ ହୋଇଯିବ।

ଏହି ପ୍ରକଳ୍ପ ଦ୍ବାରା ଓଡିଶାର ବିପୁଳ କ୍ଷତି ହେବାକୁ ଥିବାବେଳେ ଓଡିଶା କଣ ଲାଭ ପାଇବ ସେ ବିଷୟରେ କିଛିହେଲେ ତଥ୍ୟ ନାହିଁ। ଅନ୍ୟ ପକ୍ଷରେ କୋଡିଏ ବର୍ଷତଳେ ଗୋଦାବରୀ ଅବବାହିକାରେ ଆନ୍ଧ୍ରର ଯେଉଁ ଆଞ୍ଚଳକୁ ଜଳସେଚନ ସୁବିଧା କରାଯିବାର ନକ୍ସା କରାଯାଇଥିଲା, ଏବେ ସେସବୁ ଅଞ୍ଚଳ ଉଠାଜଳସେଚନ ମାଧ୍ୟମରେ ଜଳସେଚିତ ହୋଇସାରିଲାଣି। ଏହି ପ୍ରକଳ୍ପ ମାଧ୍ୟମରେ ଜଳସେଚନର ଆବଶ୍ୟକତା ଏବେ ନାହିଁ।

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ- କ୍ଷତିପୂରଣ ଓ ଥଇଥାନ ବ୍ୟବସ୍ଥା ନଥାଇ ଦେଶର ସର୍ବ ବୃହତ୍ ପ୍ରକଳ୍ପର ଡିପିଆର୍ ପ୍ରସ୍ତୁତ ହେଲା କିପରି ? ଏଠାରେ ଓଡିଶାର ଲକ୍ଷେ କୋଡିଏ ହଜାର ଲୋକଙ୍କ ମାନବିକ ଅଧିକାରର ପ୍ରଶ୍ନ ଉଠୁଛି। ସେମାନଙ୍କ ସମ୍ପର୍ତ୍ତିର ଅଧିକାର ଓ ସୁରକ୍ଷାର ପ୍ରଶ୍ନ ଉଠୁଛି। ସମ୍ବିଧାନର ଧାରା ୩୦୦ କୁ ନେଇ ଲକ୍ଷାଧିକ ନାଗରିକଙ୍କ ଜୀବନ ଜୀବିକା ଓ ଆବାସ ଉପରେ ପ୍ରଶ୍ନବାଚୀ ଉଠୁଛି।

ସିଲେରୁ ସାବେରୀ ଏବଂ ଗୋଦାବରୀ ଅବବାହିକାର ଓଡ଼ିଶାରେ ଥିବା ଲକ୍ଷେ କୋଡିଏ ହଜାର ପର୍ଯ୍ୟନ୍ତ ଲୋକଙ୍କ ଘରକୁ ପାଣିରେ ବୁଡେଇ ଦେବାର ସମ୍ଭାବନା ଥିବାବେଳେ ସେମାନଙ୍କ କ୍ଷତି ପୂରଣ ଓ ଥଇଥାନର ବ୍ୟବସ୍ଥା ନରହିବା ଆଶ୍ଚର୍ଯ୍ୟର କଥା। କେବଳ ସେତିକି ନୁହେଁ ଚାରୋଟି ତହସିଲ ଅଞ୍ଚଳ ବୁଡିଗଲେ ବର୍ଷକୁ କୋଟି କୋଟି ଟଙ୍କାର ରାଜସ୍ବ କ୍ଷତି ଓଡିଶା ସହିବ। ଓଡିଶାରେ ଏହି କ୍ଷତିର ଭରଣା କିଭଳି ହେବ ତାହାର ଉତ୍ତର କାହା ନିକଟରେ ନାହିଁ। ରାଜ୍ୟରେ ହୀରାକୁଦ ନଦୀବନ୍ଧ ଏବଂ ରେଙ୍ଗାଲି ନଦୀବନ୍ଧ ପ୍ରକଳ୍ପର ବାସଚ୍ୟୁତଙ୍କ ସମେତ ଆହୁରି ଅନେକ ନଦୀବନ୍ଧ ଯୋଜନା ଗୁଡିକର ବାସଚ୍ୟୁତମାନେ ଦଶନ୍ଧି ଦଶନ୍ଧି ଧରି ବିଭିନ୍ନ ମଞ୍ଚରେ ନିଜର ଦାବୀ ଉପସ୍ଥାପନ ପରେ କ୍ଷତି ପୂରଣ ଓ ଥଇଥାନ ବ୍ୟବସ୍ଥା ହେଉଛି। ଏବେ ବାସଚ୍ୟୁତ ମାନଙ୍କ ସମସ୍ୟା କ୍ଷେତ୍ରରେ ପୋଳାଭରମ୍ କୁ ନେଇ ଆଉଏକ ଅଧ୍ୟାୟ ଯୋଡ଼ା ହେବାକୁ ଯାଉଛି।

ପୋଳାଭରମ୍ ଏକ କେନ୍ଦ୍ରୀୟ ପ୍ରକଳ୍ପ, କେନ୍ଦ୍ର ସରକାର ଏଥିପାଇଁ ଅର୍ଥ ମଞ୍ଜୁର କରୁଛନ୍ତି। ଆନ୍ଧ୍ର ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରୁଛନ୍ତି । ଏଣୁ ଆନ୍ଧ୍ର ସରକାର ଡିପିଆରରେ ରହିଥିବା ନିର୍ଦେଶ ପାଳନ କରି ନିଜ ରାଜ୍ୟର କ୍ଷତିଗ୍ରସ୍ତ ମାନଙ୍କୁ କ୍ଷତି ପୂରଣ ଦେଉଥିବାବେଳେ ଓଡିଶା ପ୍ରତି ଆଖି ବୁଜି ଦେଇପାରିବେ ନାହିଁ। ଓଡିଶାର କ୍ଷତିଗ୍ରସ୍ତ ମାନଙ୍କୁ ମଧ୍ୟ ଆନ୍ଧ୍ର ସରକାର ଥଇଥାନ ବ୍ୟବସ୍ଥା ସହିତ କ୍ଷତି ପୂରଣ ଦେବା ଆବଶ୍ୟକ।


ସୁଧାଂଶୁ ଶେଖର ଧଡା
ଜାଗମରା, ଖଣ୍ଡଗିରି, ଭୁବନେଶ୍ବର,
ମୋ: ୯୩୩୭୦୧୫୮୮୨

********* ************* ********

ଏ କ୍ଷେତ୍ରରେ ଉଭୟ ଆନ୍ଧ୍ର ଏବଂ ଓଡିଶା ସରକାର ଏକ ମିଳିତ ଆଲୋଚନାର ଉଦ୍ୟମ କରିବାର ଆବଶ୍ୟକତା ଥିଲାବେଳେ ଓଡିଶା ସରକାର ଅଚିନ୍ତାରେ ଥିବା ପରି ମନେ ହେଉଥିବାବେଳେ ସରକାରଙ୍କ ଜଲସମ୍ପଦ ବିଭାଗ ଅଚେତନ ଅବସ୍ଥାରେ ଥିବାପରି ପ୍ରତୀୟମାନ ହେଉଛି। ଜଳସମ୍ପଦ ବିଭାଗ ଏହା ଉପରେ ଏକ ଶ୍ୱେତପତ୍ର ପ୍ରକାଶକରି ଏ ସମ୍ପର୍କୀତ ବିସ୍ମୃତ ତଥ୍ଯ ଓଡିଶାର ଜନସାଧାରଣଙ୍କ ଅବଗତି ନିମନ୍ତେ ସାର୍ବଜନୀନ କରିବା ନିହାତି ଆବଶ୍ଯକ। – ଲକ୍ଷ୍ମୀଧର ନାୟକ, ସମ୍ପାଦକ, e-sulekha.com


Share it

Leave a comment

Your email address will not be published. Required fields are marked *

Verified by MonsterInsights