ପ୍ରଶଂସକ ଜାତି ସଦା ବିରଳ

Share it

ଶୁଣିଥିଲି ଶତ୍ରୁ ମଦନା ପଦିଆ
ୟା ନାଁ ପଡିଲେ ସେ ମାରେ ଡିଆଁ
ବୁଝି ପାରିଲିନି ମଦନା ମରଣେ
ପଦିଆଟା ଏତେ କାନ୍ଦୁଛି କିଆଁ॥
ଯେତିକି ଜାଣିଛି କାମିକା ପଦିଆ
କାମଟିଏ ନେଲେ ମରିକି କରେ
ପର କାମକୁ ସେ ନିଜ କାମ ଭାବେ
କୋଠକାମେ ଥାଏ ସଦା ଆଗରେ॥

ନିକମା ମଦନା କୁଟା ଉଠାଏନା
କିନ୍ତୁ ବିଶାରଦ ଖୁଣିବା କାମେ
ପଦିଆ ପାଦକୁ ଟାକି ରହିଥାଏ
ବୁଲିଲେ ବୋଳିବ କାଳି ତା ନାମେ॥

ମଦନ ମରଣେ ପଦିଆ କାନ୍ଦୁଛି
କୁତୁହଳି ନେଇ ମାଡି ମୁଁ ଗଲି
ଶତ୍ରୁ ମଲା ପରେ କାହିଁକି କାନ୍ଦୁଛୁ
ଖୋଲି ସତ କହ, ପଚାରିଦେଲି॥
ପଦିଆ ସେ ଦିନ ଯାହା ଶୁଣେଇଲା
ଲାଗିଲା ଶୁଣୁଛି ପୁରାଣ କଥା
ଏମିତି ଲୋକ ବି ଏ କାଳେ ଅଛନ୍ତି
ଶତ୍ରୁ ଭଲପଣ କରନ୍ତି ଚିନ୍ତା॥

ପଦିଆ କହିଲା, “ମଦନାଟା ସିନା
ଖୋଳୁଥିଲା ଗୋଇ ପଛରେ ମୋର
ସତ କହୁଛିରେ ତା ନିନ୍ଦା ଡରରେ
ହାତ ଗୋଡ ମୋର ଥିଲେ ଚଞ୍ଚଳ॥
ଭଦ୍ରଲୋକ ସାଜି ଘରେ ସେ ନ ବସି
ନିନ୍ଦାକର୍ମରେ ସେ ଥିଲା ସବଳ
କାନ୍ଦେ ସେଥି ପାଇଁ , ଅନ୍ୟ କାରଣଟି
“ପ୍ରଶଂସକ ଜାତି ସଦା ବିରଳ!!”
-୦-୦-୦-୦-୦-୦-୦-୦-୦-୦

ତ୍ରିଲୋଚନ ପଣ୍ଡା


Share it

Join the Conversation

1 Comment

  1. ସୁଲେଖା କବିତାଗୁଡ଼ିକୁ ପସନ୍ଦ କରି ଧାରାବାହିକ ଭାବେ ପ୍ରକାଶ କରୁଥିବାରୁ ହୃଦୟରୁ କୃତଜ୍ଞତା ଜଣାଉଛି।।

Leave a comment

Your email address will not be published. Required fields are marked *

Verified by MonsterInsights