ପ୍ରଳମ୍ବାରି ଶ୍ରୀବଳରାମ

Share it

ପ୍ରଳମ୍ବାରି ଶ୍ରୀବଳରାମ
==============

ଗୋପ ପୁରରେ ଗୋପୀ ଗୋପାଳମାନେ ବାଳକ କୃଷ୍ଣ ବଳରାମଙ୍କର ଅଦ୍ଭୁତ ଲୀଳା କ୍ରୀଡ଼ା ଓ କର୍ମ ମାନଙ୍କୁ ପ୍ରଶଂସା ପୂର୍ବକ ପରମ ଆନନ୍ଦରେ ବାସ କରୁଥାନ୍ତି l ଋତୁ ଆବର୍ତ୍ତନରେ କ୍ରମେ ଗ୍ରୀଷ୍ମ ଋତୁ ଧରାରେ ପ୍ରବେଶ କଲା l ମାତ୍ର, ସ୍ୱୟଂ ଭଗବାନ ଗୋକୁଳ, ବୃନ୍ଦାବନରେ କ୍ରୀଡ଼ା କରୁଥିବାରୁ ଗ୍ରୀଷ୍ମ ସେଠାରେ ବସନ୍ତ ଋତୁ ପରି ବୋଧ ହେଉଥିଲା l ଝରଣାମାନଙ୍କ ଝର୍ଝର ନାଦରେ ଝିଙ୍କାରି ମାନଙ୍କ କର୍କଶ ସ୍ୱର ଲୁଚି ଯାଉଥିଲା l ଝରଣା ମାନଙ୍କରୁ ନିର୍ଗତ ଶୀତଳ ଜଳକଣା ଯୋଗୁଁ ବୃକ୍ଷଲତାମାନେ ସୁନ୍ଦର ସବୁଜ ଶ୍ରୀ ଧାରଣ କରିଥିଲେl ବୃନ୍ଦାବନ ଭୂମି ଘାସ ଆଛାଦିତ ହୋଇ ହରିତ ବର୍ଣ୍ଣ ଧାରଣ କରି ଥାଏ l ସମ୍ପୂର୍ଣ୍ଣ ବୃନ୍ଦାବନର ବନ ଭୂମି ପକ୍ଷୀ ମାନଙ୍କ ସଂଗୀତରେ ମୁଖରିତ ହେଉଥାଏ l ମୃଗ ଆଦି ବନ୍ୟଜୀବମାନେ ସ୍ଵଚ୍ଛନ୍ଦରେ ବିଚରଣ କରୁ ଥାନ୍ତି l

ଏହି ଭଳି ଏକ ମଧୁମୟ ସମୟରେ କୃଷ୍ଣ ବଳରାମ ଗୋପ ସଖା ମାନଙ୍କ ଗହଣରେ ଗାଈ ମାନଙ୍କୁ ନେଇ ବନ ବିହାର ନିମିତ୍ତ ବୃନ୍ଦାବନରେ ପ୍ରବେଶ କଲେ l କୃଷ୍ଣ ଆନନ୍ଦରେ ବେଣୁ ବଜାଇ ଚାଲୁଥିଲେ, ଦୁଇଭାଈ ନିଜ ଶରୀରକୁ ବନ ପୁଷ୍ପ, ଲତା, ବୃକ୍ଷଡାଳ ଓ ମୟୁର ଚୂଳ ଆଦିରେ ସଜାଇ ଦେଇଥାନ୍ତି l ମହାନନ୍ଦରେ ସେମାନେ ନୃତ୍ୟ କରି କରି ବୃନ୍ଦାବନରେ ପ୍ରବେଶ କଲେ l

କୃଷ୍ଣ ବଳରାମ ଗୋପବାଳକ ମାନଙ୍କ ସହ କ୍ରୀଡ଼ା କୌତୁକରେ ମାତି, ବୃନ୍ଦାବନର ଘଞ୍ଚ ବନରେ ଏ ବନକୁ ସେ ବନ ବୁଲୁଥାନ୍ତି l ଭଗବାନଙ୍କ ଏପରି ବାଲ୍ୟ କ୍ରୀଡ଼ା ଚାଲିଥାଏ, ଏହି ସମୟରେ ଦିନେ ଗୋପବାଳକ ବେଶ ଧରି, କଂସ ପ୍ରେରିତ ପ୍ରଳମ୍ବ ନାମକ ଏକ ଅସୁର ବୃନ୍ଦାବନରେ ଆସି ପହଞ୍ଚିଲା l ଉଦ୍ଦେଶ୍ୟ ଥାଏ, ଶ୍ରୀକୃଷ୍ଣ ବଳରାମ ଦୁଇ ଭାଇଙ୍କୁ ଅପହରଣ କରି ନେବ l

ସର୍ବାନ୍ତର୍ଯ୍ୟାମୀ ଭଗବାନ ଶ୍ରୀକୃଷ୍ଣ ପ୍ରଳମ୍ବାସୁରର ମନ୍ଦ ଉଦ୍ଦେଶ୍ୟ ଜାଣି ପାରି ଯାଇ ତା ସହିତ ମିତ୍ର ହୋଇ ଗଲେ l ତା’ ପରେ ଗୋପାଳ ବାଳକମାନଙ୍କୁ କୃଷ୍ଣ ଡାକି କହିଲେ ଚାଲ ଆମେ ଦୁଇଦଳ ହୋଇ ଖେଳିବା l ଏହାଶୁଣି କୃଷ୍ଣଙ୍କ ସଙ୍ଗେ କେଇଜଣ, ବଳରାମଙ୍କ ସଙ୍ଗେ କେଇ ଜଣ ମିଶି ସବୁ ବାଳକ ମାନେ ଦୁଇ ଦଳ ହୋଇ, କ୍ରୀଡ଼ା ଆରମ୍ଭକଲେ l ସେ କ୍ରୀଡ଼ାରେ ସର୍ତ୍ତ ରହିଲା, ଯେଉଁ ଦଳ ହାରିବ ସେ ଦଳ ଅନ୍ୟଦଳ ପିଲାଙ୍କୁ ପିଠିରେ ବସାଇ କିଛି ଦୂର ନେଇ ଯିବ l

କ୍ରୀଡ଼ାରେ କୃଷ୍ଣଙ୍କ ଦଳ, କେତେ ବେଳେ ହାରି ଯାଉଥାନ୍ତି ତ ପୁଣି କେବେ ଜିତି ଯାଉଥାନ୍ତି l ଏପରି କୃଷ୍ଣ କାହା ପିଠି ଉପରେ ବସି, ବା କାହାକୁ ପିଠିରେ ବୋହି ଚାଲି ଚାଲି ଯାଇ ଭାଣ୍ଡିର ନାମକ ବଟବୃକ୍ଷ ନିକଟରେ ପହଞ୍ଚିଲେ l ଥରେ ପ୍ରଭୁ ବଳରାମଙ୍କ ଦଳରେ ଥିବା କୃଷ୍ଣସଖା ଶ୍ରୀଦାମ ଓ ବୃଷଭଙ୍କର ଜୟ ହେଲା l ଶ୍ରୀକୃଷ୍ଣ ଓ ତାଙ୍କ ଦଳ ଦୁହିଙ୍କୁ ପିଠିରେ ବସାଇ ଚାଲିଲେ l

କୃଷ୍ଣ, ଶ୍ରୀଦାମଙ୍କୁ l ଭଦ୍ରସେନ ବୃଷଭଙ୍କୁ l ପ୍ରଳମ୍ବ ବଳରାମଙ୍କୁ ପିଠିରେ ବସାଇ ଚାଲିଥାନ୍ତି l ପ୍ରଳମ୍ବ ବଳରାମଙ୍କୁ ଯେଉଁଠି ଓହ୍ଲେଇ ଦେବା କଥା ସେଠି ନଓଲ୍ହାଇ ଦେଇ ଆଗକୁ ଜୋରରେ ଦଉଡ଼ିବାକୁ ଲାଗିଲା ତାଙ୍କୁ କୁଆଡ଼େ ନେଇଯିବା ପାଇଁ l

ବଳରାମ ରାକ୍ଷସର ମନ୍ଦ ଉଦ୍ଦେଶ୍ୟ ଜାଣି, ପର୍ବତ ପରି ଭାରି ହୋଇଗଲେ l ପ୍ରଳମ୍ବାସୁର ତାଙ୍କୁ ଆଉ ବୋହି ନପାରି ନିଜର ପ୍ରକୃତ ରୂପ ପ୍ରକାଶ କଲା l ସୁବର୍ଣ୍ଣ ଅଳଙ୍କାର ଧାରଣକରି ସେ କଳା ମେଘରେ ବିଜୁଳି ଭଳି ଚମକୁଥାଏ ଓ ଭୟଙ୍କର ଦେଖାଯାଉ ଥାଏ l ପ୍ରବଳବେଗରେ ସେ ଉପରକୁ ଉଠିଗଲା l ତା’ର ସେହି ବିଶାଳ ଶରୀରକୁ ଦେଖି, ବଳରାମ ପ୍ରଥମେ ଟିକିଏ ଶଙ୍କିଗଲେ l ତାଙ୍କୁ ପ୍ରଳମ୍ୱାସୁର ଧରି ଆକାଶ ମାର୍ଗରେ ପଳାଇବାକୁ ଲାଗିଲା l ବଳରାମ ଏତିକି ବେଳେ ତା ମୁଣ୍ଡରେ ଏକ ଶକ୍ତ ମୁଷ୍ଟି ପ୍ରହାର କଲେ l ସେହି ବଜ୍ରମୁଷ୍ଟି ଆଘାତରେ ତା ମୁଣ୍ଡ ଶତ ଖଣ୍ଡରେ ବିଭକ୍ତ ହେଲା l
ରକ୍ତବାନ୍ତି କରି ଆର୍ତ୍ତନାଦ ପୂର୍ବକ ରାକ୍ଷସର ଶରୀର ଭୂମିରେ ଲୋଟିପଡ଼ିଲା l

ବଳଶାଳୀ ବଳରାମଙ୍କ ଦ୍ୱାରା ପ୍ରଳମ୍ବ ନିହତ ହେବା ଦେଖି ଗୋପବାଳକ ମାନେ ଅତି ଆନନ୍ଦରେ ନୃତ୍ୟ କରିବାକୁ ଲାଗିଲେ ଓ ତାଙ୍କୁ ଆଲିଙ୍ଗନପୂର୍ବକ ବହୁ ପ୍ରଶଂସା କଲେ l ସ୍ୱର୍ଗରୁ ଦେବତାମାନେ ପୁଷ୍ପବୃଷ୍ଟି କରି ବଳରାମଙ୍କ ଜୟ ଜୟକାର କଲେ l

ପ୍ରଳମ୍ବାସୁରକୁ ବଧ କରି ଶ୍ରୀବଳରାମଙ୍କ ଗୋଟିଏ ନାମ ହେଲା ପ୍ରଳମ୍ବାରୀ l କବି ଅମର ସିଂହ କୃତ ଅମରକୋଷରେ ବଳରାମଙ୍କ ବିଭିନ୍ନ ନାମ ଅଛି l ତନ୍ମଧ୍ୟରେ ଗୋଟିଏ ନାମ ହେଉଛି ‘ପ୍ରଳମ୍ୱଘ୍ନୋ’ l ସେ ଅନନ୍ତ, ଅନନ୍ତକୋଟି ବ୍ରହ୍ମାଣ୍ଡର ନାୟକ l ସେ ମହାବଳି l ତାଙ୍କ ବଳର ତୁଳନା ନାହିଁ l

ଶ୍ରୀମଦ୍ଭାଗବତ ଦଶମ ସ୍କନ୍ଧ ଊନବିଂଶ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି ଶ୍ରୀବଳଦେବଙ୍କ ପ୍ରଳମ୍ବାସୁର ବଧ ଲୀଳା l ଏହି କଥାବସ୍ତୁକୁ ଆଧାର କରି ଭାଦ୍ରକୃଷ୍ଣ ଦ୍ୱାଦଶୀରେ ଶ୍ରୀମନ୍ଦିରରେ ଓ ଶ୍ରୀବଳଦେବ ଜୀଉ ମନ୍ଦିର, ତୁଳସୀକ୍ଷେତ୍ର, କେନ୍ଦ୍ରାପଡ଼ାରେ ଅନୁଷ୍ଠିତ ହୋଇଥାଏ ବଳଦେବଙ୍କ ପ୍ରଳମ୍ବାସୁରବଧ ବେଶ l

ବଡ଼ଠାକୁରଙ୍କ ଏ ଅଦ୍ଭୁତ ଲୀଳା ଶ୍ରବଣରେ ପ୍ରାଣୀ ମାନଙ୍କର ଅଶେଷ ମଙ୍ଗଳ ହୋଇଥାଏ l ଅତିବଡ଼ି ଜଗନ୍ନାଥ ଦାସଙ୍କ ଭାଷାରେ:-

ସେ ରାମ ଚରଣେ ବିଶ୍ୱାସ l
କହଇ ଜଗନ୍ନାଥ ଦାସ ll

🙏🙏🙏


ଅର୍ଜୁନୀ ଚରଣ ବେହେରା
ମୋ – 7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights