ରେଡିଓ ସିଲୋନ୍, ସକାଳ ସାତରୁ ସାଢ଼େ ସାତଟା ପୁରୁଣା ଗୀତର ସମୟ। ପ୍ରୋଗ୍ରାମ୍ରେ ସମାପନ ସ୍ପର୍ଶ (ଫିନିଶିଂ ଟଚ୍)ଦେଉଥିଲେ ସବୁ ଶବ୍ଦରେ ଚନ୍ଦ୍ରବିନ୍ଦୁ ଲଗେଇ ନାକରେ ଗୀତ ଗାଉଥିବା ଶ୍ରୀ କେ ଏଲ୍ ସହଗଲ୍ । ସେତେବେଳେ ଯଦିଓ ତାଙ୍କ ସ୍ଵର ଭଲ ଲାଗୁ ନଥିଲା, ପଛକୁ କିନ୍ତୁ ସହଗଲ୍ ପ୍ରେମୀ ହେଇ ଯାଇଥିଲି। ତାଙ୍କର ଗୋଟେ ଗୀତ ଥିଲା,
ପ୍ରେମ୍ ନଗର୍ ମେ ବନାଉଙ୍ଗି ଘର ମୈ
ସଜାକେ ଘର ସଂସାର,
ପ୍ରେମ୍ କା ଆଁଗନ ପ୍ରେମ୍ କା ଛତ୍ ଔର୍
ପ୍ରେମ୍ କା ହୋଗା ଦ୍ଵାର୍।
ପ୍ରେମ୍ କି ରୋଟି ପ୍ରେମ୍ କି ଚଟନି
ପ୍ରେମ୍ ମେ ସୁଖ୍ କା ସାର୍
ସତରେ ବି ଯେ ପ୍ରେମର ଚଟନି ଲଗେଇ ପ୍ରେମର ରୁଟି ପରଟା ଯେ ଖାଇ ହୁଏ ଏକଥା ଜାଣିଲି ଦିଲ୍ଲୀ ଆସିବା ପରେ।
ସ୍ଵପ୍ନ ନଗରୀ, ରୌପ୍ୟ ନଗରୀ ରାଜଧାନୀ ଦିଲ୍ଲୀରେ ନୂଆ ନୂଆ ଘରକରା, ମନେ ପଡ଼ିଲେ ସେ ଗୀତଟା ଛାଁ କୁ ଗୁଣୁଗୁଣେଇ ହେଇ ଯାଏ।
ପତିଦେବଙ୍କର ଡିଣ୍ଡା, ଏକୁଟିଆ ବାଆଁରା ପକ୍ଷୀ ପରି ରହୁଥିବା ଖାଲି ଖାଲି ଘରେ ପ୍ରେମ ସାବିତ୍ କରିବା ପାଇଁ ପାଇଁ କିଛି ହେଲେ ସରଞ୍ଜାମ ନଥିଲା। ଘର କରଣା ବୋଇଲେ କୁକର୍, ଡେଗ୍ଚି , ତାଓ୍ଵା ବେଲଣା ବାସ୍। ପଲିଥିନ୍ ଭିତରେ ଚାଉଳ, ଅଟା, ହରଡ଼ ଡାଲି, ଜୀରା, ସୋରିଷ, ଲୁଣ, ହଳଦି, ତେଲ ଆଉ ଚିନି। ପ୍ରାଥମିକ ଭାବେ ସମୁଦାୟ ଏତିକି ବେସିକ୍ ଦ୍ରବ୍ୟରେ ମୋର ପ୍ରେମର ସଂସାର ଆଉ ପ୍ରେମକୁ ରାନ୍ଧିବା ପାଇଁ , ପ୍ରେମକୁ ବାନ୍ଧିବା ପାଇଁ ରୋଷେଇ ଘର।
ଏଠାରେ ତ ସେ ମେସ୍ରେ ଖାଇ ତାସ୍ରେ ବସିବା ଲୋକ ଥିଲେ । ଘରେ ତ ବୋଲ ବର୍ଗାଣ କରିବା ପାଇଁ, ଠାଁ ପାଣି ସଜାଡ଼ି ଭାତ ତୁଣ ରାନ୍ଧି ପରସିବା ପାଇଁ , ମାଆ , ଖୁଡ଼ୀ , ଭଉଣୀ ଇତ୍ୟାଦି ଦେଦାର୍ ଲୋକ । ତେଣୁ ପ୍ରେମର ରୋଷେଇ ସଜାଡ଼ିବାର ଦାୟିତ୍ଵରେ ସଫା ସଳଖ ଏକୁଟିଆ ମୁଁ । ଇରେ , ମୁଁ କୋଉ ନଅ ତିଅଣ , ଛଅ ଭଜା କରି ବାପଭାଇଙ୍କୁ ଆପ୍ୟାୟିତ କରୁଥିଲି ? ମୋ ପାଇଁ ପରା ସାଧବଝିଅ ତଅପୋଇ ପରି ତା ତଳକୁ ତା ତଳ ହେଇ ଭାଉଜମାନେ ଖଞ୍ଜା ହେଇଥିଲେ। କୋଉଠି ଟିକେ ଫାଙ୍କ କି ହୁଗୁଳା ମାରିବା ପାଇଁ ତ ମୋ ନାନୀ ଥିଲା। ମୁଁ ମୋର ବହି, ନହେଲେ କଣ୍ଢେଇ। ଅତି ବେଶୀରେ ଫୁଲ ପତ୍ର ଆଉଁସିବା, ଘରଦ୍ୱାର ସଜାଡ଼ିବା, ପୁତୁରା ଝିଆରୀଙ୍କୁ ଆକଟ କରିବା କାମ ତକ ମୋର। ରୋଷେଇଘରେ ମୋର ପଦରଜ ପଡ଼ିବା ମାନେ କ୍ଷୀରରୁ ସର ଉଭେଇବ ନହେଲେ ଚିନିଡବା ଫାଙ୍କା ପଡ଼ି ପିମ୍ପୁଡ଼ି ଧାର ଲାଗିବା। ତେଣୁ ରୋଷେଇ ଘର ମୋର ପାଇଁ ନିଷିଦ୍ଧ।
ଆଉ ଦେଖିଲା ବେଳକୁ ଏଇ ପ୍ରେମ ନଗରୀରେ ସମ୍ପୂର୍ଣ୍ଣ ରୋଷେଇ ଘର ମୋର ବିଭାଗ ବୋଲି ଅଲିଖିତ, ଅଦସ୍ତଖତ ଷ୍ଟାମ୍ପ ପେପର୍ ?
ଏଥର ପ୍ରେମର ଅନ୍ନ ବ୍ୟଞ୍ଜନ ରାନ୍ଧି ପ୍ରେମରେ ବଳେଇ ଖୁଏଇବା କାମଟି ମୋର ନୌଶିଖିଆ କାନ୍ଧରେ। ଶାଶୁମା ଟିକେ ଶିଖେଇ ଶାଖେଇ ମଜଭୁତ କରି ଦେଇଥିଲେ ବି ଗାଁ ପରିବାକୁ ଦିଲ୍ଲୀ ପରିବା ଛାଡ଼ିବ। କଦଳୀ ପତ୍ରଠଉଁ ଟିକେ ସାନ ପାଳଙ୍ଗ ପତ୍ର, ବୋଇତାଳୁଠୁ ଟିକେ ସାନ ବାଇଗଣ ଆଉ ସବୁ ବି ସେମିତି ସେମିତି।
ପ୍ରେମର ରୋଷେଇଘରେ ପ୍ରେମର ରାନ୍ଧଣା ଆରମ୍ଭ ହେଲା। କୁକର୍ ଚଢ଼ିଲା। ତେଲ ଦେଇ ଜୀରା କଞ୍ଚାଲଙ୍କା ପଡ଼ିଲା। ତାପରେ ଆଳୁ, ଟମାଟୋ ସହିତ ପାଳଙ୍ଗ ଶହିଦ ହେଲେ କୁକର୍ ଭିତରକୁ ଡେଇଁ। କୁକର୍ ବିଜୟ ସିଟି ବଜେଇଲା।
ବର୍ତ୍ତମାନ ଫଳ ବାହାରିବାର ସମୟ। ପତିଙ୍କୁ କାୟୋମନବାକ୍ୟରେ ତୁଷ୍ଟ କରିବାର ଶପଥଗ୍ରହଣ କରା ହେଇଛି ବେଦୀ ଉପରେ।
ପ୍ରେମର ମାନଚିତ୍ରିୟା ରୁଟି ସହିତ ପ୍ରେମର ପାଳଙ୍ଗ ତୁଣ କମ୍ ଚଟନି।
– ବଢ଼ିଆ ହେଇଛି। ବାଃ
ଆଃ, ୟୁରେକା ମୋମେଣ୍ଟ, ଆଲେକଜାଣ୍ଡାର ପୃଥିବୀ ଜୟ କରି ଯେତିକି ଫୁଲି ନଥିବେ ମୁଁ କିନ୍ତୁ ତାଠାରୁ ଢେର୍ ଫୁଲି ସାରିଥିଲି।
ବର୍ତ୍ତମାନ କିନ୍ତୁ ସେଇ ଇୟୁରେକା ମୋମେଣ୍ଟ କଥା ଭାବିଲେ ଦେହ ଶୀତେଇ ଉଠେ, ସୀତା ପାତାଳୀ କଥା ମନେ ପଡ଼େ । ଇଃ ! କି କଦର୍ଯ୍ୟ ରାନ୍ଧୁଥିଲି ମୁଁ । ମୁଁ ସିନା ମୋ ନିଜର ରୋଷେଇ ବୋଲି ଖାଇବାକୁ ବାଧ୍ୟ ଥିଲି କିନ୍ତୁ ଇଏ?
ଆରତୀ ସାହୁ