ପାରିବାରିକ ଋଣରୁ ମୁକ୍ତି ପାଇବାର ଉପାୟ

Share it

*ପାରିବାରିକ ଋଣରୁ ମୁକ୍ତି ପାଇବାର ଉପାୟ*

ପୁରାଣ ହେଉଛି ଭାରତୀୟ ସଂସ୍କୃତିର ଅମୂଲ୍ୟ ନିଧି। ପୁରାଣରେ ମାନବଜୀବନକୁ ଉନ୍ନ‌ତ କରିବା ଭଳି ଅନେକ ସରଳ, ସରସ, ସୁନ୍ଦର ଓ ବିଚିତ୍ର ବିଚିତ୍ର କାହାଣୀରେ ପରିପୂର୍ଣ୍ଣ । ସେହି କାହାଣୀଗୁଡ଼ିକର ଉଦ୍ଦେଶ୍ୟ ରାଗ-ଦ୍ବେଷରୁ ମୁକ୍ତ ହୋଇ ସ୍ବକର୍ତ୍ତବ୍ୟ ପାଳନ କରିବାରେ ଓ ଭଗବାନଙ୍କୁ ପ୍ରାପ୍ତ କରିବାରେ ନିହିତ । ପଦ୍ମପୁରାଣର ଭୂମିଖଣ୍ଡରେ ଏହିପରି ଗୋଟିଏ କଥା ଅଛି ।

ଅମରକଣ୍ଟକ ତୀର୍ଥରେ ସୋମଶର୍ମା ନାମକ ଜଣେ ବ୍ରାହ୍ମଣ ଥିଲେ। ତାଙ୍କ ପତ୍ନୀର ନାମ ସୁମନା । ସେ ବଡ଼ ସାଧ୍ୱୀ ଓ ପତିବ୍ରତା ଥିଲେ। ତାଙ୍କର କୌଣସି ସନ୍ତାନ ନ ଥିଲା ଏବଂ ତାଙ୍କ ପାଖରେ ଧନର ମଧ୍ୟ ଅଭାବ ଥିଲା। ସନ୍ତାନ ଓ ଧନ ଅଭାବରୁ ସୋମଶର୍ମା ବହୁତ ଦୁଃଖୀ ରହୁଥିଲେ।

ଦିନେ ନିଜ ପତିଙ୍କୁ ଅତ୍ୟନ୍ତ ଚିନ୍ତିତ ଦେଖି ସୁମନା କହିଲେ—ପ୍ରାଣନାଥ! ତୁମେ ଚିନ୍ତା ଛାଡ଼ିଦିଅ; କାରଣ ଚିନ୍ତା ସମାନ ଅନ୍ୟ କୌଣସି ଦୁଃଖ ନାହିଁ । ସ୍ତ୍ରୀ, ପୁତ୍ର ଓ ଧନ ପାଇଁ ତ କଦାପି ଚିନ୍ତା କରିବା ଉଚିତ ନୁହେଁ। ଏହି ସଂସାରରେ ଋଣାନୁବନ୍ଧ ଯୋଗୁଁ ଅର୍ଥାତ୍ କାହାର ଋଣ ପରିଶୋଧ କରିବା ପାଇଁ ଏବଂ କାହାଠାରୁ ଋଣ ଆଦାୟ କରିବା ପାଇଁ ହିଁ ଜୀବର ଜନ୍ମ ହୁଏ । ମାତା, ପିତା, ସ୍ତ୍ରୀ, ପୁତ୍ର, ଭାଇ, ମିତ୍ର, ସେବକ ପ୍ରଭୃତି ସମସ୍ତେ ନିଜ ନିଜର ଋଣାନୁବନ୍ଧ ଯୋଗୁଁ ହିଁ ଏହି ପୃଥିବୀରେ ଜନ୍ମ ନେଇ ଆମକୁ ପ୍ରାପ୍ତ ହୁଅନ୍ତି । କେବଳ ମନୁଷ୍ୟ ନୁହେଁ, ପଶୁପକ୍ଷୀ ମଧ୍ୟ ଋଣାନୁବନ୍ଧରୁ ହିଁ ଆସନ୍ତି।

ସଂସାରରେ ଶତ୍ରୁ, ମିତ୍ର ଓ ଉଦାସୀନ— ଏପରି ତିନି ପ୍ରକାରର ପୁତ୍ର ଥାଆନ୍ତି। ଶତ୍ରୁ ସ୍ଵଭାବର ପୁତ୍ର ଦୁଇ ପ୍ରକାର।

ପ୍ରଥମତଃ, ପୂର୍ବଜନ୍ମରେ ଯଦି କେହି କାହାଠାରୁ ଋଣ ନେଇଥାଏ, କିନ୍ତୁ ପରିଶୋଧ କରି ନ ଥାଏ, ତେବେ ପରଜନ୍ମରେ ଋଣ ଦେଇଥିବା ବ୍ୟକ୍ତି ସେହି ଋଣୀ ବ୍ୟକ୍ତିର ପୁତ୍ର ହୁଏ।

ଦ୍ବିତୀୟତଃ, ପୂର୍ବଜନ୍ମରେ ଯଦି କେହି କାହା ନିକଟରେ କିଛି ବନ୍ଧକ ଦ୍ରବ୍ୟ ରଖିଥାଏ, କିନ୍ତୁ ବନ୍ଧକ ଫେରାଇବାର ସମୟ ଆସିଲେ ସେ ବନ୍ଧକ ନ ଫେରାଇ ଅପହରଣ କରେ, ତେବେ ପରଜନ୍ମରେ ବନ୍ଧକ ରଖିଥିବା ବ୍ୟକ୍ତି ବନ୍ଧକ ଦ୍ରବ୍ୟକୁ ଅପହରଣ କରିଥିବା ବ୍ୟକ୍ତିର ପୁତ୍ର ହୁଏ।

ଏହି ଦୁଇ ପ୍ରକାରର ପୁତ୍ର ପିଲାବେଳୁ ପିତାମାତାଙ୍କ ସଙ୍ଗରେ ଶତ୍ରୁତା ରଖନ୍ତି ଏବଂ ଶତ୍ରୁପରି ବ୍ୟବହାର କରନ୍ତି। ବଡ଼ ହୋଇଗଲେ ସେମାନେ ପିତାମାତାଙ୍କର ସମ୍ପତ୍ତିକୁ ବୃଥାରେ ନଷ୍ଟ କରନ୍ତି।

ବିବାହ ହୋଇଯିବା ପରେ ସେମାନେ କହନ୍ତି—‘‘ଏ ଘର, ବିଲ, ଧନ ଆଦି ସବୁ ମୋର, ତୁମେ ମନା କରିବାକୁ କିଏ ?’” ଏହିପରିଭାବରେ ସେମାନେ ପିତାମାତାଙ୍କୁ ନାନାପ୍ରକାର କଷ୍ଟ ଦିଅନ୍ତି। ପିତାମାତାଙ୍କ ମୃତ୍ୟୁ ପରେ ସେମାନଙ୍କ ପାଇଁ ଶ୍ରାଦ୍ଧତର୍ପଣ କରନ୍ତି ନାହିଁ।

କିନ୍ତୁ, ମିତ୍ର ସ୍ଵଭାବର ପୁତ୍ର ପିଲାଦିନରୁ ପିତାମାତାଙ୍କର ହିତାକାଂକ୍ଷୀ ହୁଏ। ସେ ପିତାମାତାଙ୍କୁ ସର୍ବଦା ସନ୍ତୁଷ୍ଟ ରଖେ, ସ୍ନେହ ଓ ମଧୁର ବଚନ କହି ସେମାନଙ୍କୁ ପ୍ରସନ୍ନ ରଖିବା ପାଇଁ ଚେଷ୍ଟା କରେ। ପିତାମାତାଙ୍କ ମୃତ୍ୟୁ ପରେ ସେ ସେମାନଙ୍କ ପାଇଁ ଶ୍ରାଦ୍ଧତର୍ପଣ, ତୀର୍ଥଯାତ୍ରା, ଦାନ ଆଦି ମଧ୍ୟ କରେ।

“ଉଦାସୀନ” ସ୍ଵଭାବର ପୁତ୍ର ସର୍ବଦା ଉଦାସୀନଭାବରେ ରହେ। ସେ କିଛି ଦିଏ ନାହିଁ କି କିଛି ନିଏ ନାହିଁ; କେବେ ରୁଷ୍ଟ (ରାଗ )ହୁଏ ନାହିଁ କି କେବେ ସନ୍ତୁଷ୍ଟ ହୁଏ ନାହିଁ; ସୁଖ ଦିଏ ନାହିଁ କି ଦୁଃଖ ଦିଏ ନାହିଁ ।

ଧରାଯାଉ କୌଣସି ବ୍ୟକ୍ତି କୌଣସି ସନ୍ଥଙ୍କର ବହୁତ ସେବା କରୁଛି । ଅନ୍ତ ସମୟରେ ଅର୍ଥାତ୍ ମଲା ସମୟରେ କୌଣସି କାରଣରୁ ସନ୍ଥଙ୍କର ଯଦି ସେହି ସେବକ କଥା ମନେପଡ଼େ, ତେବେ ସେ ସେହି ସେବକ ଘରେ ପୁତ୍ରରୂପରେ ଜନ୍ମ ହୁଅନ୍ତି ଏବଂ ଉଦାସୀନ ଭାବରେ ରହନ୍ତି ।

ପୁତ୍ର ଯେପରି ତିନି ପ୍ରକାରର ହୋଇଥାଆନ୍ତି, ମାତା, ପିତା, ପତ୍ନୀ, ପୁତ୍ର, ଭାଇ ପ୍ରଭୃତି ଏବଂ ଚାକର, ପଡ଼ୋଶୀ, ମିତ୍ର ତଥା ଗାଈ, ମଇଁଷି, ଘୋଡ଼ା ପ୍ରଭୃତି ମଧ୍ୟ ସେହିପରି ତିନି ପ୍ରକାରର (ଶତ୍ରୁ, ମିତ୍ର ଓ ଉଦାସୀନ) ହୋଇଥାଆନ୍ତି। ଆମ ସହିତ ଏ ସମସ୍ତଙ୍କର ସମ୍ବନ୍ଧ କେବଳ ଋଣାନୁବନ୍ଧ ଯୋଗୁଁ ହିଁ ହୋଇଥାଏ ।

ସ୍ଵାମୀ ! ଯାହାକୁ ଯେତେ ଧନ ମିଳିବାର ଥାଏ, ବିନା ପରିଶ୍ରମରେ ମଧ୍ୟ ତାକୁ ସେତିକି ଧନ ମିଳିଯାଏ ଏବଂ ଧନ ନଷ୍ଟ ହେବାର ସମୟ ଆସିଲେ ଯେତେ ରକ୍ଷା କଲେ ମଧ୍ୟ ତାହା ନଷ୍ଟ ହୋଇଯାଏ—ଏହା ବୁଝି ତୁମେ ଧନ ପାଇଁ ଚିନ୍ତା କରିବା ଉଚିତ ନୁହେଁ। ବାସ୍ତବରେ ଧର୍ମ ପାଳନରୁ ହିଁ ପୁତ୍ର ଓ ଧନ ଉଭୟର ପ୍ରାପ୍ତି ହୁଏ। ଧର୍ମାଚରଣ କରୁଥିବା ମନୁଷ୍ୟ ହିଁ ସଂସାରରେ ସୁଖ ପାଏ । ତେଣୁ ଧର୍ମ ଆଚରଣ କର ।ଯେଉଁ ମନୁଷ୍ୟ କାୟମନୋବାକ୍ୟରେ ଧର୍ମାଚରଣ କରେ, ତା’ପାଇଁ ସଂସାରରେ କୌଣସି ବସ୍ତୁ ଦୁର୍ଲଭ ହୋଇ ରହେ ନାହିଁ।

ଏପରି କହିସାରି ସୁମନା ବିସ୍ତାରପୂର୍ବକ ଧର୍ମର ସ୍ଵରୂପ ତଥା ତାହାର ଅଙ୍ଗ ଗୁଡ଼ିକୁ ବର୍ଣ୍ଣନା କଲେ । ତାହା ଶୁଣି ସୋମଶର୍ମା ପଚାରିଲେ– ‘‘ତୁମକୁ ଏତେ ଗୂଢ଼ ତତ୍ତ୍ଵର ଜ୍ଞାନ ପ୍ରାପ୍ତ ହେଲା କିପରି ?’” ସୁମନା କହିଲେ— ‘‘ତୁମେ ତ ଜାଣିଛ ଯେ, ମୋର ପିତା ବଡ଼ ଧର୍ମାତ୍ମା ଓ ଶାସ୍ତ୍ରଜ୍ଞ ଥିଲେ, ଯଦ୍ବାରା ସାଧୁମାନେ ମଧ୍ୟ ତାଙ୍କୁ ଆଦର କରୁଥିଲେ। ସେ ନିଜେ ମଧ୍ୟ ବଡ଼ ବଡ଼ ସନ୍ଥଙ୍କ ନିକଟକୁ ଯାଉଥିଲେ ଓ ସତ୍ସଙ୍ଗ କରୁଥିଲେ। ମୁଁ ତାଙ୍କର ଗୋଟିଏ ବୋଲି ଝିଅ; ତେଣୁ ସେ ମୋ ଉପରେ ଅଧିକ ସ୍ନେହ ରଖୁଥିଲେ ଏବଂ ନିଜ ସଙ୍ଗରେ ମୋତେ ମଧ୍ୟ ସତ୍ସଙ୍ଗକୁ ନେଉଥିଲେ। ଏହିପରି ସତ୍ସଙ୍ଗ ପ୍ରଭାବରୁ ମୋତେ ମଧ୍ୟ ଧର୍ମର ତତ୍ତ୍ଵ ସମ୍ବନ୍ଧରେ ଜ୍ଞାନ ହେଲା।”

ଏସବୁ କଥା ଶୁଣି ସୋମଶର୍ମା ପୁତ୍ରପ୍ରାପ୍ତିର ଉପାୟ ପଚାରିଲେ। ସୁମନା କହିଲେ—‘“ତୁମେ ମହାମୁନି ବଶିଷ୍ଠଙ୍କ ନିକଟକୁ ଯାଇ ତାଙ୍କୁ ପ୍ରାର୍ଥନା କର। ତାଙ୍କ କୃପାରୁ ତୁମକୁ ଗୁଣବାନ୍ ପୁତ୍ରଟିଏ ପ୍ରାପ୍ତ ହୋଇ ପାରିବ।’’

ପତ୍ନୀ କଥା ଶୁଣି ସୋମଶର୍ମା ବଶିଷ୍ଠଙ୍କ ନିକଟକୁ ଗଲେ । ସେ ବଶିଷ୍ଠ ଙ୍କୁ ପଚାରିଲେ— ‘“କେଉଁ ପାପ ଯୋଗୁଁ ମୋତେ ପୁତ୍ର ଓ ଧନ ଅଭାବରେ କଷ୍ଟ ଭୋଗିବାକୁ ପଡ଼ୁଛି ?’’

ବଶିଷ୍ଠ କହିଲେ— ‘‘ପୂର୍ବଜନ୍ମରେ ତୁମେ ବଡ଼ ଲୋଭୀ ଥିଲ ଏବଂ ଅନ୍ୟମାନଙ୍କ ସହିତ ଦ୍ବେଷଭାବ ରଖୁଥିଲ । ତୁମେ କେବେହେଲେ ତୀର୍ଥଯାତ୍ରା, ଦେବପୂଜନ, ଦାନ ଆଦି ଶୁଭ କର୍ମ କରି ନାହଁ । ଶ୍ରାଦ୍ଧ ଦିନ ଆସିଲେ ତୁମେ ଘରୁ ବାହାରକୁ ଚାଲିଯାଉଥିଲ। ଧନ ହିଁ ତୁମର ସର୍ବସ୍ଵ ହୋଇଥିଲା । ତୁମେ ଦିନରାତି ଧନ ଚିନ୍ତାରେ ବୁଡ଼ି ରହୁଥିଲ। ତୁମକୁ କୋଟି କୋଟି ସ୍ଵର୍ଣ୍ଣମୁଦ୍ରା ମିଳିଗଲା, ତଥାପି ତୁମର ତୃଷ୍ଣା ମେଣ୍ଟିଲା ନାହିଁ, ବରଂ ଅଧିକାଧିକ ବଢ଼ି ଚାଲିଲା ।

ତୁମେ ଜୀବନସାରା ଯେତେ ଧନ ଉପାର୍ଜନ କରିଥିଲ, ସବୁ ମାଟିତଳେ ପୋତିଦେଲ । ସ୍ତ୍ରୀ ଓ ପୁତ୍ରମାନେ ପଚାରୁଥାଆନ୍ତି; କିନ୍ତୁ ତୁମେ ସେମାନଙ୍କୁ ଧନ ଦେଲ ନାହିଁ କି ଧନ କେଉଁଠି ଅଛି କହିଲ ନାହିଁ। ଧନଲୋଭରେ ପଡ଼ି ତୁମେ ପୁତ୍ରସ୍ନେହ ମଧ୍ୟ ଭୁଲିଗଲ। ସେହି ସବୁ କର୍ମ ଯୋଗୁଁ ତୁମେ ଏ ଜନ୍ମରେ ଦରିଦ୍ର ଓ ପୁତ୍ରହୀନ ହେଲା।

ଅବଶ୍ୟ, ତୁମେ ଥରେ ଖୁସି ମନରେ ତୁମ ଘରକୁ ଅତିଥିରୂପେ ଆସିଥିବା ଜଣେ ବିଷ୍ଣୁଭକ୍ତ ଓ ଜଣେ ଧର୍ମାତ୍ମାଙ୍କର ସେବା କରିଥିଲ। ତା’ଛଡ଼ା ତୁମେ ସପତ୍ନୀକ ଏକାଦଶୀ ବ୍ରତ ପାଳନ କରି ଭଗବାନ ବିଷ୍ଣୁଙ୍କୁ ପୂଜା ମଧ୍ୟ କରିଥିଲ । ଏହି କାରଣରୁ ତୁମକୁ ଉତ୍ତମ ବ୍ରାହ୍ମଣ କୁଳରେ ଜନ୍ମ ମିଳିଲା। ବିପ୍ରବର ! ଉତ୍ତମ ସ୍ତ୍ରୀ, ପୁତ୍ର, କୁଳ, ରାଜ୍ୟ, ସୁଖ, ମୋକ୍ଷ ପ୍ରଭୃତି ଦୁର୍ଲଭ ବସ୍ତୁଗୁଡ଼ିକର ପ୍ରାପ୍ତି ବିଷ୍ଣୁଙ୍କ କୃପାରୁ ହିଁ ହୁଏ। ତେଣୁ ତୁମେ ଭଗବାନ ବିଷ୍ଣୁଙ୍କର ଶରଣ ଯାଅ ଏବଂ ତାଙ୍କର ଭଜନ କର ।”

ବଶିଷ୍ଠ ଏପରି ବୁଝାଇବାରୁ ସୋମଶର୍ମା ସପତ୍ନୀକ ତତ୍ପରତାର ସହ ମନପ୍ରାଣ ଦେଇ ଭଗବାନଙ୍କ ଭଜନରେ ମଜ୍ଜି ରହିଲେ। ଉଠାବସା କଲାବେଳେ, ଚାଲବୁଲ କଲାବେଳେ, ସବୁ ସମୟରେ ସେ ଦୁହିଁଙ୍କର ଲକ୍ଷ୍ୟ ଭଗବାନଙ୍କ ପ୍ରତି ଥାଏ। ବଡ଼ ବଡ଼ ବିଘ୍ନ ଆସିଲେ ମଧ୍ୟ ସେ ଦୁହେଁ ନିଜ ସାଧନାରୁ ବିଚଳିତ ହେଉ ନ ଥିଲେ। ଏହିପରି ସେ ଦୁହିଁଙ୍କର ନିଷ୍ଠା ଦେଖି ଭଗବାନ ତାଙ୍କ ସମ୍ମୁଖରେ ଆବିର୍ଭୂତ ହେଲେ।
ଭଗବାନଙ୍କ ବରଦାନରୁ ସେ ଦୁହିଁଙ୍କୁ ମନୁଷ୍ୟ ଲୋକରେ ଉତ୍ତମ ଭୋଗ ଓ ଧନ ପ୍ରାପ୍ତ ହେଲା। ପୁତ୍ରଟିଏ ମଧ୍ୟ ହେଲା। ସୋମଶର୍ମାଙ୍କ ପୁତ୍ରର ନାମ ଥିଲା “ସୁବ୍ରତ” । ସୁବ୍ରତ ବାଲ୍ୟକାଳରୁ ଭଗବାନଙ୍କର ଅନନ୍ୟ ଭକ୍ତ ଥିଲା। ଖେଳବୁଲ କଲାବେଳେ ତା’ ମନ ଭଗବାନ ବିଷ୍ଣୁଙ୍କ ଧ୍ୟାନରେ ମଗ୍ନ ରହୁଥାଏ ।

ମାଆ ସୁମନା ତାକୁ ଖାଇବାକୁ ଡାକିଲେ ସେ କହେ–‘‘ମାଆ ! ଭଗବାନଙ୍କ ଧ୍ୟାନ ଅମୃତ ସଦୃଶ, ସର୍ବଥା ତାହାକୁ ପାନ କରି ତୃପ୍ତ ରହୁଛି !’’ ତାକୁ କିଛି ମିଠାଇ , ଖାଇବାକୁ ଦେଲେ ପ୍ରଥମେ ସେ ଭଗବାନଙ୍କୁ ଅର୍ପଣ କରି କହେ— ‘‘ଏଥିରେ ଭଗବାନ ତୃପ୍ତ ହୁଅନ୍ତୁ ।” ସେ ଶୋଇଲା ବେଳେ ଭଗବାନଙ୍କୁ ଚିନ୍ତନ କରି କହେ— ‘‘ମୁଁ ଯୋଗନିଦ୍ରାପରାୟଣ ଭଗବାନ ଶ୍ରୀକୃଷ୍ଣଙ୍କର ଶରଣାପନ୍ନ ।’’ ଏହିପରି ଭୋଜନ, ବସ୍ତ୍ରଧାରଣ, ଶୟନ ଓ ଜାଗରଣ ପ୍ରତ୍ୟେକ ସମୟର ସେ ଭଗବାନଙ୍କ ଚିନ୍ତନରେ ମନ ଦେଉଥିଲା ଏବଂ ସମସ୍ତ ବସ୍ତୁକୁ ଭଗବାନଙ୍କୁ ଅର୍ପଣ କରୁଥିଲା।

ଯୁବାବସ୍ଥା ହେବାପରେ ବି ସେ ଭୋଗରେ ଆସକ୍ତ ନ ହୋଇ, ଭୋଗ ତ୍ୟାଗ କରି ଭଗବାନଙ୍କ ଭଜନରେ ମଗ୍ନ ରହିଲା। ତା’ର ଏପରି ଭକ୍ତିରେ ପ୍ରସନ୍ନ ହୋଇ ଭଗବାନ ବିଷ୍ଣୁ ତା’ ଆଗରେ ଆବିର୍ଭୂତ ହେଲେ। ଭଗବାନ ତାକୁ ବର ମାଗିବାକୁ କହିବାରୁ ସେ କହିଲା— “ପ୍ରଭୁ ! ଯଦି ଆପଣ ମୋ ଉପରେ ପ୍ରସନ୍ନ, ତେବେ ମୋର ପିତାମାତାଙ୍କୁ ସଶରୀରେ ଆପଣଙ୍କ ପରମଧାମକୁ ନେଇଯାଆନ୍ତୁ ଏବଂ ମୋ ସହିତ ମୋ ପତ୍ନୀକୁ ମଧ୍ୟ ଆପଣଙ୍କ ଧାମକୁ ନେଇଯାଆନ୍ତୁ।’” ଭଗବାନ ସୁବ୍ରତଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ‘ତଥାସ୍ତୁ’ କହିଲେ। ଏହିଭଳି ପୁତ୍ରର ଭକ୍ତି ପ୍ରଭାବରୁ ସୋମଶର୍ମା ଓ ସୁମନା ମଧ୍ୟ ଭଗବଦ୍ଧାମ ପ୍ରାପ୍ତ ହେଲେ ।

ଏହି ଆଖ୍ୟାନରେ ଗୋଟିଏ ବିଶେଷ କଥା ହେଲା, ସଂସାରରେ କାହାର ଋଣ ପରିଶୋଧ କରିବା ପାଇଁ ଏବଂ କାହାଠାରୁ ଋଣ ଆଦାୟ କରିବା ପାଇଁ ହିଁ ଜନ୍ମ ମିଳେ; କାରଣ ଏ ଜୀବ ଅନେକଙ୍କ ଠାରୁ ନେଇଛି ଏବଂ ଅନେକଙ୍କୁ ଦେଇଛି। ‘ନେବା-ଦେବା’ର ଏପରି ବ୍ୟବହାର ଅନେକ ଜନ୍ମରୁ ହୋଇ ଆସୁଛି। ଏହାକୁ ସ୍ଥଗିତ ନ କଲା ପର୍ଯ୍ୟନ୍ତ ଜନ୍ମମରଣରୁ ମୁକ୍ତି ମିଳିବା ସମ୍ଭବ ନୁହେଁ।

ସଂସାରରେ ଯେଉଁମାନଙ୍କ ସହିତ ଆମର ସମ୍ବନ୍ଧ ଅଛି, ସେହି ମାତା, ପିତା, ସ୍ତ୍ରୀ, ପୁତ୍ର ତଥା ପଶୁ, ପକ୍ଷୀ ଆଦି ସମସ୍ତେ ‘ଦେବା-ନେବା’ ପାଇଁ ହିଁ ଆସିଛନ୍ତି । ତେଣୁ ମନୁଷ୍ୟ ସେମାନଙ୍କ ପ୍ରତି ମୋହ ଓ ମମତା ନ କରି ନିଜର କର୍ତ୍ତବ୍ୟ ପାଳନ କରୁ ଅର୍ଥାତ୍ ସେମାନଙ୍କର ସେବା କରୁ, ସେମାନଙ୍କୁ ଯଥାଶକ୍ତି ସୁଖ ଦେଉ | ଏଠାରେ ସନ୍ଦେହ ହୋଇପାରେ, ଯଦି ଆମେ ଅନ୍ୟ କାହା ସହିତ ଶତ୍ରୁ ପରି ବ୍ୟବହାର କରୁଛେ, ତେବେ ଆମକୁ ଦୋଷ ଲାଗୁଛି କାହିଁକି ?

ଏପରି ବ୍ୟବହାର ତ ଆମେ ପୂର୍ବଜନ୍ମର ତେବେ ଋଣାନୁବନ୍ଧ ଯୋଗୁଁ କରୁ ? ଏହାର ସମାଧାନ ହେଲା, ମନୁଷ୍ୟଶରୀର ହେଉଛି ବିବେକପ୍ରଧାନ। ତେଣୁ ନିଜ ବିବେକକୁ ମହତ୍ତ୍ଵ ଦେଇ ଆମ ସହିତ ମନ୍ଦ ବ୍ୟବହାର କରୁଥିବା ବ୍ୟକ୍ତିକୁ ଆମେ କ୍ଷମା କରିଦେଇ ପାରିବା ଏବଂ ପ୍ରତିବଦଳରେ ତା’ସହିତ ଉତ୍ତମ ବ୍ୟବହାର କରି ପାରିବା ।

ମନୁଷ୍ୟଶରୀର ପ୍ରତିଶୋଧ ନେବା ପାଇଁ ମିଳି ନାହିଁ, ବରଂ ଜନ୍ମମୃତ୍ୟୁରୁ ସବୁଦିନ ଲାଗି ମୁକ୍ତ ହେବା ପାଇଁ ମିଳିଛି। ଯଦି ଆମେ ପୂର୍ବଜନ୍ମର ଋଣାନୁବନ୍ଧ ଅନୁସାରେ ‘ଦେବା-ନେବା’ର ବ୍ୟବହାର କରୁଥିବା, ତେ କଦାପି ଜନ୍ମମରଣରୁ ମୁକ୍ତ ହୋଇ ପାରିବା ନାହିଁ। ‘ଦେବା-ନେବା’ ବ୍ୟବହାର ସ୍ଥଗିତ କରିବାର ଉପାୟ ହେଉଛି, ନିଃସ୍ବାର୍ଥଭାବରେ ଅନ୍ୟମାନଙ୍କ ହିତ ପାଇଁ କର୍ମ କରିବା। ଅନ୍ୟମାନଙ୍କ ହିତ ଉଦ୍ଦେଶ୍ୟରେ କର୍ମ କଲେ ପୂର୍ବର ଋଣ ସମାପ୍ତ ହୋଇଯାଏ ଏବଂ ପ୍ରତିବଦଳରେ କିଛି ଆଶା ନ ରଖିଲେ ନୂତନ ଋଣ ଉତ୍ପନ୍ନ ହୁଏ ନାହିଁ। ଏହିଭଳି ଋଣରୁ ମୁକ୍ତ ହୋଇଗଲେ ମନୁଷ୍ୟ ଜନ୍ମମରଣରୁ ମୁକ୍ତ ହୋଇଯାଏ ।

ଯଦି ମନୁଷ୍ୟ ଭକ୍ତ ସୁବ୍ରତ ପରି ସର୍ବଭାବରେ ଭଗବାନଙ୍କ ଭଜନରେ ମନ ଦିଏ, ତେବେ ତା’ର ସମସ୍ତ ଋଣ ସମାପ୍ତ ହୋଇଯିବ । ଅର୍ଥାତ୍ ସେ କାହାର ହେଲେ ଋଣୀ ହୋଇ ରହିବ ନାହିଁ । ଭଗବଦ୍‌ ଭଜନ ପ୍ରଭାବରୁ ସେ ସମସ୍ତ ଋଣରୁ ମୁକ୍ତ ହୋଇ ହୋଇ ସବୁଦିନ ପାଇଁ ଜନ୍ମମରଣ ଚକ୍ରରୁ ମୁକୁଳିଯିବ ଏବଂ ଭଗବାନଙ୍କ ପରମଧାମ ପ୍ରାପ୍ତ ହେବ।

ଦିଲ୍ଲୀପ କୁମାର ସାହୁ,
କନ୍ଧମାଳ


Share it

Join the Conversation

1 Comment

Leave a comment

Leave a Reply to Arjuni Charan Behera Cancel reply

Your email address will not be published. Required fields are marked *

Verified by MonsterInsights