ପ୍ରାଣବନ୍ଧୁ ଗନ୍ଧ ନାସିକା ଚିହ୍ନେ
ତ୍ରିଲୋଚନ
ପାଠ ପଢାଠାରୁ ଗାଡିଚଢା ବନ୍ଧୁ
ଦେହ ଅସୁଖରେ ପଡିଛି ଶୁଣି
ଉଛୁର ନକରି ବାହାରି ପଡିଲି
ଆଶଙ୍କାରେ କେତେ ମନରେ ଗୁଣି॥
ପହଞ୍ଚି ଦେଖିଲି ଘର ଠିଆ ମେଲା
ବନ୍ଧୁଙ୍କ ଘରଣୀ ନାହାନ୍ତି ଘରେ
ପିଲେ ତ ବାହାରେ ବନ୍ଧୁ ଅସୁଖରେ
ଉଇଁଲା ଅଧିକ ଶଙ୍କା ମନରେ॥
ଚମକି ପଡିଲି, “ଆ ଭିତରକୁ,”
କହୁଅଛି ବନ୍ଧୁ,”ଡେରି କରନା,
ଗାଡି ଡାକି ଦେ,ସେ ଫେରି ଆସିଲେ
ଯଥା ଶୀଘ୍ର ଯିବା ଡାକ୍ତର ଖାନା॥
ଡାକ୍ତର ଦେଖେଇ ପରୀକ୍ଷା କରେଇ
ଫେରିବା ବାଟରେ ପଚାରି ଦେଲି
ପାଟି ମୋ ଖୋଲିବା ଆଗରୁ କେମିତି
ଜାଣି ପାରିଲୁ ମୁଁ ଆସିଛି ବୋଲି?
ପାନେ ଓଷନେଇ ବିଛଣାରେ ଶୋଇ
ଲାଗିବାରୁ ଦେହ ହାଲୁକା ଟିକେ
କହିଲା ବନ୍ଧୁ ମୋ,”ପାଠଛାଡ଼ିଦେଲେ
ମଣିଷ ସଂସାରୁ ବହୁତ ଶିଖେ।।
ଚଳଣି ପାଇଁକି ପରିବା ନଥିଲା
ପାଖ କେବିନରୁ ଆଣିବା ପାଇଁ
ଅଗତ୍ୟା ଘରଣୀ ଯାଇଥିଲା ମୋର
ଦୁଆର କବାଟ ନ ଆଉଜେଇ॥
ତୋ ଆସିବା ଆଗେ ପଡି ବିଛଣାରେ
ଆଖି ବୁଜିଥିଲି ବଡ କଷ୍ଟରେ
ସହସା କେମିତି ଆଖି ଖୋଲିଗଲା
ଲାଗିଲା କେହି ତ ଅଛି ଦୁଆରେ॥”
ଶେଷରେ କହିଲା, “ଜାଣିନୁ ଏତିକି
ଏତେ କାଳ ମିଶି ଚଳିଲେ ଦୁହେଁ
ଦେହବନ୍ଧୁ ରୂପ ଆଖି ସିନା ଚିହ୍ନେ
ପ୍ରାଣବନ୍ଧୁ ଗନ୍ଧ ନାସିକା ଚିହ୍ନେ॥”
+୦+୦-୦+୦+୦+୦+୦+୦+୦+
ତ୍ରିଲୋଚନ ପଣ୍ଡା