ପୁନର୍ନବା

Share it

  ** ପୁନର୍ନବା **

  
ଟ୍ରଲି ବାକ୍ସରେ ସବୁ ସଜଡ଼ା ହେଇଗଲା। ପଚିଶ ହଜାରିଆ ସମ୍ବଲପୁରୀ ପାଟଠୁ ଆରମ୍ଭ କରି ଗୋଟିଏ ହୀରା ସେଟ୍ ଆଉ ଯେତେକ କସ୍ମେଟିକ୍ସ୍। କଳ୍ପନା ତା ସହିତ ଆଉ ଗୋଟିଏ ଛୋଟ କିନ୍ତୁ ଓଜନିଆ ଟ୍ରଲି ନେଉଥିଲେ। ଦେବବ୍ରତ ପଚାରିଲେ,

-ଏଥିରେ କଣ ଅଛି ଯେ, ଏତେ ଓଜନିଆ?
-ବହି
ସଂକ୍ଷିପ୍ତ ଉତ୍ତର ଦେଲେ କଳ୍ପନା

– ମାଆ, ଏତେ ଗହଣାଗାଣ୍ଠି, ଲୁଗାପଟା କଣ ହେବ, ସୀମା ଭଲ ଲେଖାଲେଖି କରେ। ପଢ଼େ ମଧ୍ୟ ବହୁତ। ତାକୁ ବରଂ ପ୍ରାଚୀନ ଲେଖକ ମାନଙ୍କର କିଛି ବହି ଦେଲେ ସେ ବେଶି ଖୁସି ହେବ।

  ଆୟୁଷ କଥା ଶୁଣି କଳ୍ପନା ମନରେ ଏକ ଖୁସିବାସିଆ ଈର୍ଷା ଭାବ ଖେଳିଗଲା। ଏକ ଉଦାସ ହତାଶା ହୃଦୟକୁ ଆଚ୍ଛନ୍ନ କଲା ପୁଅର ଔଦାର୍ଯ୍ୟ ଦେଖି।

ଆୟୁଷକୁ ଡାକି ନେଇଗଲେ ବାଡ଼ିଆଡ଼େ ଥିବା ତାଙ୍କ ଆଉଟ୍ ହାଉସ‌ କୁ।

– ଦେଖିଲୁ, କି କି ବହି ସୀମାକୁ ପସନ୍ଦ ଆସିବ?

   କହି ବୁଢ଼ିଆଣୀ ଜାଲ, ଅଳନ୍ଧୁ ହାତରେ ଆଡ଼େଇ ଆଗେଇ ଗଲେ ଏକ ଲୁହା ଟ୍ରଙ୍କ ଆଡ଼କୁ। ଟ୍ରଙ୍କ ଖୋଲୁଥିଲା ବେଳେ ଆୟୁଷ ସ୍ପଷ୍ଟ ଦେଖିଲା ତା ମାଆର ହାତ ଦୁଇଟା ଥରୁଛି ଏକ୍ସାଇଟ୍‌ମେଣ୍ଟରେ ।

– ମାଆ, ଏତେ ଗୁଡ଼ିଏ ବହି ? କାହାର ଏସବୁ।

  କଳ୍ପନାଙ୍କ ଆଖି ଜାଲୁଜାଲୁଆ ହେଇ ଯାଉଥିଲା। ବହିପଢ଼ା ନିଶା କେତେ ଥିଲା ତାଙ୍କର। ପଢ଼ାବହି ଭିତରେ ରଖି ଗଳ୍ପ, ଉପନ୍ୟାସ, କବିତା ବହି ପଢ଼ୁଥିଲେ। କେତେ ଗଳ୍ପ, କବିତା ଲେଖୁଥିଲେ। ତାଙ୍କ ଲେଖା ନଥିଲେ ସ୍କୁଲ୍, କଲେଜ ମେଗାଜିନ ଫିକା ଲାଗୁଥିଲା ସାଙ୍ଗ ମାନଙ୍କୁ।

ଫକୀର ମୋହନଙ୍କ ଛ ମାଣ ଆଠଗୁଣ୍ଠ ଓ କାଳିନ୍ଦୀ ଚରଣଙ୍କ ମାଟିର ମଣିଷ ବହିକୁ ହାତରେ ଆଉଁଶି ଆଣି କହୁଥିଲେ।

  – ଏସବୁ ମୋର୍ ବହି ଏବେ କିନ୍ତୁ ସୀମାର।

ଆୟୁଷର ପ୍ରଶ୍ନୀଳ ଦୃଷ୍ଟିକୁ ଏଡ଼େଇ ଯାଇ ପୁଣି କହିଥିଲେ,

– ମୋତେ କଥା ଦେ ଏ ବହି ସବୁ ଯେମିତି ଆଉ କେବେ ଆଉଟ୍ ହାଉସ୍‌କୁ ନ ଆସନ୍ତି। ଏଇଟା ତୋର ଦାୟିତ୍ଵ।


ଆରତୀ ସାହୁ,
ନୂଆଦିଲ୍ଲୀ


Share it

Join the Conversation

1 Comment

Leave a comment

Your email address will not be published. Required fields are marked *

Verified by MonsterInsights