ପାନଖିଆ ଜଗବନ୍ଧୁ କେଡ଼େ ତୋ ଚାତର ! ..

Share it

ପ୍ରତ୍ୟେକ ଧୂପବେଳେ 7 ଖଣ୍ଡ, ଚନ୍ଦନଲାଗି ବେଳେ 21ଖଣ୍ଡ, ବଡ଼ ସିଂହାର ଓ ପହୁଡ଼ ଆଳତି ପୂର୍ବରୁ 6 ଖଣ୍ଡ ଏବଂ ପହଡ଼ ସମୟରେ 50 ଟି ତାମ୍ବୁଳ ଖଣ୍ଡପାନ ମହାପ୍ରଭୁଙ୍କୁ ଅର୍ପଣ କରାଯାଏ ।
ସ୍ୱପ୍ନାଦେଶ ଦେଇ ମହାପ୍ରଭୁ ବଡ଼ପଣ୍ଡାଙ୍କୁ ଜଣାଇ ଦେଲେ ସେ ଜଗତ ସେଠକୁ କୁହ, ଏତେ ବିପୁଳ ଭୋଗ କି ଦରକାର, ମୋତେ ଖଣ୍ଡେ ଗଜମୋତି ଚୂନ ଦିଆ ବିଡ଼ିଆ ପାନ ଦେଉ ।

ଭକ୍ତ ଚିନ୍ତାମଣି, ପରମ ପାବନ କ୍ଷେତ୍ର ଶ୍ରୀକ୍ଷେତ୍ର ନୀଳା ଚଳରେ ପୂଜିତ, ଶ୍ରୀଜଗନ୍ନାଥ ବିଶ୍ୱ ବନ୍ଦିତ । ତାଙ୍କର ରୂପ, ଲୀଳା, ପୂଜା, ରୀତି, ନୀତି ମଧ୍ୟରେ ପୁରି ରହିଛି ବହୁତ ରହସ୍ୟ । ସେ ହେଉଛନ୍ତି ଲୀଳାମୟ, ଐଶ୍ୱର୍ଯ୍ୟମୟ ଏବଂ ମାଧୁର୍ଯ୍ୟମୟ ଠାକୁର । ତାଙ୍କର ସେବା ପୂଜା ବିଧିରେ ରାଜକୀୟ ରୀତୀମାନ ରହିବା ସହିତ ବିଭିନ୍ନ ମାନବୀୟ ଲୀଳାର ମଧ୍ୟ ପରି ପ୍ରକାଶ ହୋଇଥାଏ ।

ମହାପ୍ରଭୁଙ୍କୁ ପ୍ରତ୍ୟହ ଷାଠିଏ ପଉଟି ଓ ଛପନ ଭୋଗରେ ମଣୋହି କରାଯାଉ ଥିଲେହେଁ ଆହୁରି କିଛି ମଣୋହି ରହିଛି ଯାହା ମହାପ୍ରଭୁଙ୍କୁ ସ୍ୱତନ୍ତ୍ର ଭାବେ ଅର୍ପଣ କରାଯାଏ । ତାମ୍ବୁଳ ମଣୋହି ବା ବିଡ଼ିଆ ପାନ ମଣୋହି ଏହି ସ୍ୱତନ୍ତ୍ର ମଣୋହି ମାନଙ୍କ ମଧ୍ୟରେ ଅନ୍ୟତମ ।

ଓଡ଼ିଆ ସଂସ୍କୃତିରେ ପାନ ଓ ଶ୍ରୀଜଗନ୍ନାଥଙ୍କ ପାନ ମଣୋହି ସେବା ଓତୋପ୍ରୋତ ଭାବେ ଜଡ଼ିତ । ବୋଧହୁଏ ପାନପ୍ରିୟ ଓଡ଼ିଆଙ୍କ ପାଇଁ ତାର ଠାକୁର ମଧ୍ୟ ପାନ ରସିକ ଏବଂ ଏଥିପାଇଁ ହୁଏତ ଓଡ଼ିଶାରେ ପ୍ରତି ପୂଜାରେ ପାନ ଏକ ଅପରିହାର୍ଯ୍ୟ ଦ୍ରବ୍ୟ ।

ପିଲାର ଏକୋଇଶା ପୂଜାରେ ପାନରେ ସତ୍ୟନାରାୟଣ ଦେବଙ୍କ ଆସ୍ଥାନ ସ୍ଥାପନା କରାଯାଏ । ପାନ ଦେଇ କୁଣିଆଁ ଚର୍ଚ୍ଚା ଓ ବନ୍ଧୁତ୍ୱ ସମ୍ଭାଷଣ କରାଯାଏ । ରଜ ପର୍ବରେ ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ପାନ ଖାଇଥାନ୍ତି । ପାନ ଏକ ଅର୍ଥକାରି ଫସଲ ହୋଇଥିବାରୁ ବହୁ ଲୋକ ପାନ ଚାଷକୁ ଏକ ଜୀବିକା ଭାବେ ଗ୍ରହଣ କରିଥାନ୍ତି ।

ଆମ ରାଜ୍ୟର ଜଳେଶ୍ୱର, କୁଜଙ୍ଗ, କାକଟପୁର ଓ ଗଞ୍ଜାମ ପାନ ଚାଷ ପାଇଁ ପ୍ରସିଦ୍ଧ । ଓଡିଶା ଛଡ଼ା ଭାରତର ଅନ୍ୟାନ୍ୟ ରାଜ୍ୟ ବିଶେଷ କରି ପଶ୍ଚିମ ବଙ୍ଗରେ ପାନ ଚାଷର ବିଶେଷ ଆଦୃତି ରହିଛି । ପଶ୍ଚିମ ବଙ୍ଗର ମେଦିନୀପୁର, ନଦିଆ, ବୀରଭୂମ, ମାଳଦା ଓ ମୁର୍ଶିଦାବାଦ ଜିଲ୍ଲା ପାନଚାଷ ପାଇଁ ପ୍ରସିଦ୍ଧ । ଅନ୍ତର୍ଜାତୀୟ ବଜାରରେ ଆରବ୍ୟଦେଶ ମାନଙ୍କରେ ପାନର ବହୁଳ ଚାହିଦା ରହିଛି ।

ଭାରତର ବନାରସ, ଆଲ୍ଲାହାବାଦ, କାନପୁର, ଲଖନଉ ପାନର ବଜାର ଭାବେ ସୁପ୍ରସିଦ୍ଧ । ଏଠାରୁ ପ୍ରତିଦିନ କୋଟି କୋଟି ଟଙ୍କାର ପାନ ଆରବ୍ୟଦେଶ ମାନଙ୍କୁ ଚାଲାଣ ହେଉଛି । ଆମ ଦେଶରେ ବନାରସୀ ପାନର ବହୁ ପ୍ରସିଦ୍ଧି ରହିଛି । ଏହାକୁ ଆହୁରି ପ୍ରସିଦ୍ଧ କରି ଦେଇଛି ଅମିତାଭ ବଚ୍ଚନଙ୍କ ଗୀତ :-
“ଖାଇକେ ପାନ ବନାରସ ୱାଲା
ଖୁଲଯାଏ ବନ୍ଦ ଅକଲ କା ତାଲା”

ପାନର ଉଦ୍ଭବ ଓ ବ୍ୟବହାର ଅତି ପ୍ରାଚୀନ । ଗବେଷକ ମାନଙ୍କ କହିବା ଅନୁଯାୟୀ ପାନର ଜନ୍ମ ଖ୍ରୀଷ୍ଟପୂର୍ବ 300 ଶତାବ୍ଦୀରେ ଦକ୍ଷିଣ ପୂର୍ବ ଏସିଆରେ ହୋଇଥିଲା । କିନ୍ତୁ ଦେଖିବାକୁ ଗଲେ ପାନର ବ୍ୟବହାର ବୈଦିକ ଯୁଗରୁହିଁ ରହିଛି । ଓଡିଶାରେ ପାନ ଚାଷ ପ୍ରଥମେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳରେ ହୋଇଥିଲା ବୋଲି ଗବେଷକଙ୍କ ମତ l ପାନ ଏକ ଅତ୍ୟନ୍ତ ଲାଭ ଦାୟକ ଫସଲ ବୋଲି ଓଡ଼ିଆରେ ଗୋଟିଏ ଋଢୀ ରହିଛି :-

ଷୋହଳ ଚାଷେ ମୂଳା, ତାର ଅଧା ତୁଳା ।
ତାହାର ଅଧା ଧାନ, ବିନା ଚାଷେ ପାନ ।

ପାନର ବିଭିନ୍ନ ନାମ ରହିଛି ଯଥା ତାମ୍ବୁଳ, ପୂର୍ଣ୍ଣ ତାମ୍ବୁଳ, ଭୁଜ୍ୟଲତା, ସପ୍ତଲତା, ନାଗବଲ୍ଲୀ ଇତ୍ୟାଦି ।

ପାନ କିସମ ଭେଦରେ ଛାଟିପାନ, ନାଉଆ, ଦେଶୀ ପାନ, ମିଠା ପାନ, ମଖିପାନ, ଚନ୍ଦ୍ରକଣା ପାନ ଇତ୍ୟାଦି ନାମରେ ପରିଚିତ ହୁଏ ।

ଶ୍ରୀ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପାନ ବା ତାମ୍ବୁଳ ମଣୋହି ବହୁ ପ୍ରାଚୀନ କାଳରୁ ଚଳି ଆସୁଛି । ଜଗନ୍ନାଥ ସଂସ୍କୃତିର ଗବେଷକ ଡକ୍ଟର ଭାସ୍କର ମିଶ୍ରଙ୍କ ମତରେ ଶ୍ରୀମନ୍ଦିରରେ ବିଡ଼ିଆ ମଣୋହିର ପ୍ରଚଳନ ପଞ୍ଚରାତ୍ର ଆଗମ ପ୍ରଭାବରେ ହେଉଛି । ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ଉଲ୍ଲେଖ ଅଛି ବିଡ଼ିଆ ମଣୋହି ଓ ବିଡ଼ିଆ ପ୍ରସ୍ତୁତି ପାଇଁ ଯେଉଁ ସେବକ ମାନେ ଅଛନ୍ତି ତାଙ୍କୁ ହଡ଼ପ ନାଏକ ଓ ଯୋଗାଣିଆ ସେବକ ବୋଲି କୁହାଯାଏ ।

ଅଭିଧାନରେ ହଡ଼ପର ଅର୍ଥ ତାମ୍ବୁଳ ସାମଗ୍ରୀ । ତେଣୁ ଏହି ତାମ୍ବୁଳ ଯୋଗାଉଥିବା ସେବକଙ୍କୁ ଯୋଗାଣିଆ ଓ ଏ ସେବା କରୁଥିବା ସେବକକୁ ହଡ଼ପ ନାଏକ ବୋଲି କୁହାଯାଏ । ହଡ଼ପ ଶବ୍ଦ ଏକ ପ୍ରାଚୀନ ଶବ୍ଦ ଏବଂ ହଡ଼ପ ସେବା ଏକ ପ୍ରାଚୀନ ପରମ୍ପରା ।

ଆମ ଭାଷାର ଆଦିକାବ୍ୟ ଶାରଳା ମହାଭାରତର ସଭାପର୍ବରେ ଉଲ୍ଲେଖ ଅଛି :-

ୟେତେ ବିଚାରି ତହୁଁ ଚଳିଲା ହଡ଼ପ କାରି
ପ୍ରୟାଗ ତୀର୍ଥେ ଯାଇ ଭେଟିଲା ଦଣ୍ଡଧାରୀ ।
ତାମ୍ବୋଳ ଭୁଞ୍ଜାଇ ରାଜାଙ୍କୁ ନ ଚାହିଁଲା ନୟନେ
ନନ୍ଦଭୋପାଳ ବୋଇଲେ ଆଜ ବିବ୍ରତ କିମ୍ୱା ତୋର ମନେ ।।

ବଳରାମ ଦାସ କୃତ ଓଡ଼ିଆ ଜଗମୋହନ ରାମାୟଣର ସୁନ୍ଦରା କାଣ୍ଡରେ ହଡ଼ପ ଓ ପାନର ଉଲ୍ଲେଖ ଅଛି :-

“କେହୁ ହଡ଼ପ ଘେନିଣ ସଜେଇ କରଇ ପାନ ”

କବି ବିଶ୍ୱନାଥ ଖୁଣ୍ଟିଆଙ୍କ ବିଚିତ୍ର ରାମାୟଣରେ ମଧ୍ୟ ଏ ହଡ଼ପ ସେବାର ଉଲ୍ଲେଖ ରହିଛି :-

କେ ଘେନିଛନ୍ତି ଦିହୁଡ଼ି ଚନ୍ଦ୍ରଦୀପ
କେ ଟେକେ ଖଦି ଚାମର ।
କାହାର କରେ ହଡ଼ପ ଧୂପ କାଠି
ଦର୍ପଣ ଝରି କାହା କର ।।

ଏଥିରୁ ସିଦ୍ଧ ହେଉଛି ଯେ ଅତି ପ୍ରାଚୀନ କାଳରୁ ହଡ଼ପ ଶବ୍ଦର ବ୍ୟବହାର ରହିଛି । କିନ୍ତୁ ଶ୍ରୀମନ୍ଦିରରେ ହଡ଼ପ ନାଏକଙ୍କ ସେବା କାହା ଦ୍ୱାରା ଓ କେବେଠାରୁ ପ୍ରଚଳିତ ହେଉଛି ତାହା ସଠିକ ଭାବେ ଜଣା ଯାଇ ନାହିଁ । କିନ୍ତୁ ମାଦଳା ପାଞ୍ଜିରେ ବିଡ଼ିଆ ମଣୋହି ହେଉଥିବାର ବର୍ଣ୍ଣନା ରହିଛି । ଏହା ନିମ୍ନ ଉଦ୍ଧୃତିରୁ ଜଣାଯାଏ ।

ହଡ଼ପ ନାଏକ ସେବା ଭିଆଣ -“ଏ ବିଶୋଇ ତହୁଁ ତିନି ଆନି ଭିଆଣ ଗୁଆ ତୋଟାମାନରୁ ଗୁଆ ଘେନିବ **** ପରବ ଯାତ୍ରାମାନଙ୍କରେ କର୍ପୁର ବିଡ଼ିଆ ଗୁଆ ଗୁଆଇତି ଖଟିବ ଏ ଦେବ ।”

ବିଡ଼ିଆ ଯୋଗାଣିଆ ସେବକ ସେବା – “ଏ ପାନ ମଢ଼ୀ ଯୋଗାଣିଆପାଇଁ ନୀତିଆନି ଖଟଣିକି କେତେ ପାନ ଏହା ଗଣି ଘେନି ଯେତେ ଧୂପ ଯେତେ ଛପନ ଭୋଗ ଯେତେ ଅବକାଶ ସବୁବେଳେ ଭୋଗ ମୁଣୋହି ସମ୍ପୂର୍ଣ୍ଣେ ବିଡ଼ିଆ ଲାଗି କରାଇବ ।”

ପାନମଡ଼ି ଯୋଗାଣିଆ ସେବା – “ଏ ପାନ ଆଗରୁ ମାରୁଙ୍ଘ ସାଚିପାନ ନାଗରଖଣ୍ଡିପାନ, କଳିଜୋଡ଼ିଆ ପାନ **** ହଡ଼ପ ନାଏକ ମୂଳେ ଗଣ ମଣ କରିଦେବ ।”

ମାଦଳା ପାଞ୍ଜିରେ ବିଡ଼ିଆ ପ୍ରସ୍ତୁତିରୁ ଆରମ୍ଭ କରି ମଣୋହି ପର୍ଯ୍ୟନ୍ତ ପ୍ରାୟ ତିନିପ୍ରକାର ସେବକ ରହିଥିବା ପରିଲକ୍ଷିତ ହୁଏ । ପୁରୁଷୋତ୍ତମ କର୍ମାଙ୍ଗିରେ ମଧ୍ୟ ହଡ଼ପ ସେବାର ଉଲ୍ଲେଖ ରହିଛି । ମୂଳ ମାଦଳାପାଞ୍ଜି ନଷ୍ଟ ହୋଇଯିବାରୁ ଚତୁର୍ଦ୍ଧଶ ଶତାବ୍ଦୀରେ ଶ୍ରୀମନ୍ଦିର ସେବକ ଭିଆଣକୁ ନେଇ ପୁରୁଷୋତ୍ତମ କର୍ମାଙ୍ଗୀ ଲେଖା ଯାଇଥିଲା ।
ପୁଣି1952 ମସିହାରେ ସମ୍ପାଦିତ ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ମଧ୍ୟ ତାମ୍ବୁଳ ସେବା, ହଡ଼ପ ନାଏକ, ଯୋଗାଣିଆ ସେବକ ଆଦିଙ୍କ ବିସ୍ତୃତ ବର୍ଣ୍ଣନା ରହିଛି ।

ଅଧୁନା ମହାପ୍ରଭୁଙ୍କ ସମସ୍ତ ଧୂପ ପରେ ଚନ୍ଦନଲାଗି, ବଡ଼ ସିଂହାର ଓ ପହୁଡ଼ ସମୟରେ ଶତାଧିକ ବିଡ଼ିଆ ମଣୋହି କରାଯାଏ । ପ୍ରତ୍ୟେକ ଧୂପବେଳେ 7 ଖଣ୍ଡ, ଚନ୍ଦନଲାଗି ବେଳେ 21ଖଣ୍ଡ, ବଡ଼ ସିଂହାର ଓ ପହୁଡ଼ ଆଳତି ପୂର୍ବରୁ 6 ଖଣ୍ଡ ଏବଂ ପହଡ଼ ସମୟରେ 50 ଟି ତାମ୍ବୁଳ ଖଣ୍ଡପାନ ମହାପ୍ରଭୁଙ୍କୁ ଅର୍ପଣ କରାଯାଏ ।

ଏ ପାନ ଦୁଇ ପ୍ରକାର – ଚଉତାପାନ ଓ ଖିଲି ବିଡ଼ିଆପାନ । ତାମ୍ବୁଳ ସେବାରେ ମସଲା ଭାବେ ଜାଇଫଳ ଗୁଣ୍ଡ, ଚନ୍ଦନ, କର୍ପୁର, ଖଣ୍ଡ ଗୁଆ, ଲବଙ୍ଗ ଆଦି ବ୍ୟବହାର କରାଯାଏ ।

ପାନରେ ବ୍ୟବହୃତ ମସଲା ବିଷୟରେ ଦୀନକୃଷ୍ଣ ଦାସ ଲେଖିଛନ୍ତି :-

ପୂଗ ଖଇର ଅଳାଇଚ ଲବଙ୍ଗ
ଜାତି ଶ୍ରୀଫଳ କରିଣ ଏକ ଅଙ୍ଗ ।
ବିଚିତ୍ର କରିଣ ବିଡ଼ିଆ ସଜାଇ
ରତ୍ନବଟାରେ ସେ ଖଞ୍ଜିଲେ ନେଇ ।।

ମହାପ୍ରଭୁଙ୍କ ତାମ୍ବୁଳ ସେବାର ମାହାତ୍ମ୍ୟକୁ ନେଇ ଗୋଟିଏ ରୋଚକ କାହାଣୀ ଅଛି । ଥରେ ଜଗତ ସେଠ ନାମରେ ଜଣେ ଧନାଢ୍ୟ ରାଜସ୍ଥାନୀ ଭକ୍ତ ସପରିବାରେ ଶ୍ରୀକ୍ଷେତ୍ରକୁ ମହାପ୍ରଭୁଙ୍କ ଦର୍ଶନରେ ଆସିଥିଲେ । ସେ ସର୍ବ ପ୍ରଥମେ ଗଜପତି ମହାରାଜାଙ୍କୁ ଭେଟି ଅର୍ପଣ କରି ନିଜର ତୀର୍ଥ ପଣ୍ଡାଙ୍କ ସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ।

ଦର୍ଶନ ଅବସରରେ ସେ ଶ୍ରୀ ଜୀଉ ମାନଙ୍କର ଗୋଟିଏ ଦିନର ମହାପ୍ରସାଦ ସେବା ପାଇଁ ଏକ ଲକ୍ଷ ସ୍ବର୍ଣ୍ଣମୁଦ୍ରା ପ୍ରଦାନ କରିବେ ବୋଲି ଘୋଷଣା କଲେ । ସେ ସମୟରେ ଶ୍ରୀକ୍ଷେତ୍ରରେ ଏତେ ଯାତ୍ରୀ ସମାଗମ ପ୍ରାୟ ହେଉନଥିଲା ଏବଂ ସେ ସମୟରେ ଏ ରାଶି ଥିଲା ଏକ ବିପୁଳ ରାଶି । ଏତେ ବିପୁଳ ପରିମାଣ ଅର୍ଥରେ ଦିନକର ଭୋଗ ପ୍ରସ୍ତୁତି ହୋଇ ବିତରଣହେବା ବହୁ କଷ୍ଟକର କାମ ଥିଲା । ତେଣୁ ସେବକମାନେ ଅମଙ୍ଗ ହୋଇ ଏହା ହୋଇପାରିବ ନାହିଁ ବୋଲି କହି ଦେଲେ ।

ଜଗତ ସେଠ କହିଲେ ତୁମ ଠାକୁର ପରା ଷାଠିଏ ପଉଟି ଓ ଛପନ ଭୋଗ ଖାଆନ୍ତି । ଏହା ହୋଇପାରିବ ନାହିଁ ବୋଲି କହୁଛ କିପରି ?

ମହାପ୍ରଭୁ ଓ ତାଙ୍କ ଭୋଗ ଉପରେ ଏ ପରିହାସକୁ ସେବକମାନେ ସହି ପାରିଲେନାହିଁ ଏବଂ ଏ ରାଶିର ଭୋଗ ପ୍ରସ୍ତୁତ କରିଦେବେ ବୋଲି ପ୍ରତିଶ୍ରୁତି ଦେଲେ ।

ଏପରି ଅସମ୍ଭବ କାମ ପାଇଁ ସେମାନେ ମହାପ୍ରଭୁଙ୍କ ଶରଣାପନ୍ନ ହେଲେ । ମଧ୍ୟରାତ୍ର ବେଳକୁ ସ୍ୱପ୍ନାଦେଶ ଦେଇ ମହାପ୍ରଭୁ ବଡ଼ପଣ୍ଡାଙ୍କୁ ଜଣାଇ ଦେଲେ ସେ ଜଗତ ସେଠକୁ କୁହ, ଏତେ ବିପୁଳ ଭୋଗ କି ଦରକାର, ମୋତେ ଖଣ୍ଡେ ଗଜମୋତି ଚୂନ ଦିଆ ବିଡ଼ିଆ ପାନ ଦେଉ ।

ଧନମତ୍ତ ସେଠ ସାମାନ୍ୟ ପାନଖଣ୍ଡେ ଭାବି ଯୋଗାଡ଼ରେ ବିଭିନ୍ନ ଆଡ଼କୁ ଧାଇଁଲେ । କେଉଁଠୁ ହେଲେ ଏ ଗଜମୋତି ଚୂନଲଗା ପାନ ଯୋଗାଡ଼ ନକରିପାରି ବଡ଼ ହତାଶ ହୋଇ ଫେରୁଥାନ୍ତି । ବାଟରେ ସେ ଜଣେ ସାଧୁଙ୍କୁ ଦେଖିଲେ । ଶ୍ରୀ ଜଗନ୍ନାଥଙ୍କ ପାଇଁ ଗଜମୋତି ଚୂନ ! ସାଧୁ ମହାତ୍ମା ହୁଏତ ଜାଣିଥିବେ ଭାବି ସେ ତାଙ୍କୁ ପଚାରିବାରୁ ସାଧୁ କହିଲେ :-

ଶୈଳେ ଶୈଳେ ନ ମାଣିକ୍ୟମ୍
ମୋୖକ୍ତିକଂ ନ ଗଜେ ଗଜେ
ସାଧଵୋ ନ ହି ସର୍ବତ୍ର
ଚନ୍ଦନଂ ନ ବନେ ବନେ ।।

ଅର୍ଥାତ ସବୁ ପର୍ବତରେ ମାଣିକ୍ୟ ନଥାଏ । ସବୁ ହାତୀଙ୍କ ମସ୍ତକରେ ମୋତି ନଥାଏ । ସାଧୁ ମାନେ ସବୁ ସ୍ଥାନରେ ନଥାନ୍ତି ଏବଂ ଚନ୍ଦନ ବୃକ୍ଷ ସବୁ ବନରେ ନଥାଏ ।

ଏଣୁ ତୁ କେତେ ହାତୀଙ୍କୁ ମାରି ମୋତି ଖୋଜିବୁ ? ତୁ ପ୍ରଭୁଙ୍କ କଥା ବୁଝି ପାରି ନାହୁଁ । ଧନ ଗର୍ବରେ ମତ୍ତ ହୋଇ ମହାପ୍ରଭୁଙ୍କ ଅବମାନନା କରଛୁ l ଯାଆ ମହାପ୍ରଭୁଙ୍କୁ କ୍ଷମା ମାଗ । ଯା ମହାପ୍ରଭୁଙ୍କ ଶରଣ ପଶ ।


ଏହାପରେ ସେ ଜଗତ ସେଠ ମହାପ୍ରଭୁଙ୍କଠାରେ କ୍ଷମା ପ୍ରାର୍ଥୀ ହୋଇ ଆଣିଥିବା ସମସ୍ତ ଧନକୁ ମହାପ୍ରଭୁଙ୍କ ସେବାରେ ସମର୍ପଣ କରିଥିଲେ ଏବଂ ଜଣେ ବଡ଼ ଭକ୍ତ ଭାବରେ ଅବଶିଷ୍ଟ ଜୀବନ ଅତିବାହିତ କରିଥିଲେ ।

ମହାପ୍ରଭୁଙ୍କ ହଡ଼ପ ସେବା ସମ୍ବନ୍ଧରେ ଆହୁରି ମଧ୍ୟ ଏକ ଜନଶ୍ରୁତି ଶୁଣିବାକୁ ମିଳେ । ଶ୍ରୀକ୍ଷେତ୍ରରେ ବାସ କରୁଥିବା ପ୍ରଭୁଦାସ ନାମକ ଏକ ଭକ୍ତ ପ୍ରତ୍ୟହ ଖଣ୍ଡିଏ ବିଡ଼ିଆ ପାନ ପ୍ରସ୍ତୁତ କରି ଶ୍ରୀଜଗନ୍ନାଥଙ୍କୁ ମାନସିକ ଅର୍ପଣ କରୁଥିଲେ । ପ୍ରତ୍ୟହ ଏହି ପାନକୁ ମହାପ୍ରଭୁ ଗ୍ରହଣ କରୁଥିବା ସେବକ ମାନେ ଜାଣି ପାରିଲେ ।

ସେବକମାନେ ଠାକୁର ରାଜାଙ୍କୁ ଏକଥା ଅବଗତ କରାଇଲେ । ଠାକୁର ରାଜା ପ୍ରଭୁଦାସର ଏ ଭକ୍ତିଭାବ ଦେଖି ଓ ମହାପ୍ରଭୁଙ୍କ ପାନରେ ଶ୍ରଦ୍ଧା କଥା ଅବଗତ ହୋଇ ଶ୍ରୀମନ୍ଦିରରେ ତାମ୍ବୁଳ ସେବା ପ୍ରଚଳନ କରାଇଲେ । ରାଜା ପ୍ରଭୁଦାସଙ୍କୁ ଏହି ସେବାର ଅଧିକାର ପ୍ରଦାନ କଲେ । ସେହି ପ୍ରଭୁଦାସଙ୍କ ବଂଶଧରମାନେ ଆଜି ଶ୍ରୀମନ୍ଦିରରେ ଏହି ହଡ଼ପ ସେବା କରୁଛନ୍ତି । ତେଣୁ କଥା ରହିଛି :-

ପ୍ରଭୁଦାସ ଭକ୍ତିମତେ, ପ୍ରଭୁଙ୍କର ଧୂପ ଯେତେ
ଚନ୍ଦନ ବିଜେ ସହିତେ ବଡ଼ ସିଂହାର ।
ବିଡ଼ିଆ ମଣୋହି ହେଲା, ହଡ଼ପ ନାୟକ ଦେଲା
ସେ ଦିନୁ ହଡ଼ପ ସେବା ତା ଅଧିକାର ।।

ଗଜମୋତି ଚୁର୍ଣ୍ଣ ଏକ ଅତ୍ୟନ୍ତ ଦୁର୍ଲଭ ବସ୍ତୁ । ପୂର୍ବେ ରାଜା ମହାରାଜା ମାନେ ଏହାକୁ ଏକ ବିଳାସ ସାମଗ୍ରୀ ଭାବେ ବ୍ୟବହାର କରୁଥିଲେ ।

କୋଣାର୍କ ମନ୍ଦିର ନିର୍ମାଣ ସହିତ ଏ ବାବଦରେ ଏକ କିମ୍ବଦନ୍ତୀ ଅଛି । କୋଣାର୍କ ମନ୍ଦିରର ମୁଖ୍ୟ ଶିଳ୍ପୀ ବିଶୁ ମହାରଣା ଏକାଗ୍ରତାର ସହ ଗୋଟିଏ ମୂର୍ତ୍ତି ଗଢୁଥାନ୍ତି । ମହାରାଜା ଲାଙ୍ଗୁଳା ନରସିଂହ ଦେବ ସେଠାରେ ପହଞ୍ଚି ଅତି ହର୍ଷରେ ଗଜମୋତି ଚୁର୍ଣ୍ଣ ମିଶ୍ରିତ ପାନ ଖଣ୍ଡେ ଶିଳ୍ପୀଙ୍କ ହାତକୁ ବଢ଼ାଇ ଦେଲେ । କିନ୍ତୁ ମୂର୍ତ୍ତି ଗଢିବାରେ ଶିଳ୍ପୀ ଏତେ ତନ୍ମୟ ଥାଆନ୍ତି ଯେ କିଏ ପାନ ଦେଲା ସେକଥା ଜାଣି ପାରି ନଥାନ୍ତି । ପାନଟି ପାଟିରେ ପୁରାଇବା ମାତ୍ରେ ତାର ସୁବାସରେ ଶିଳ୍ପୀଙ୍କ ଏକାଗ୍ରତା ଭଗ୍ନ ହେଲା । ପ୍ରକୃତିସ୍ଥ ହୋଇ ସେ ଦେଖିନ୍ତି ତ ସମ୍ମୁଖରେ ମହାରାଜା । ରାଜା ତାଙ୍କୁ ଆନନ୍ଦରେ କୋଳାଗ୍ରତ କଲେ । ସାଥିରେ ଥିବା ମନ୍ତ୍ରୀ କହିଲେ, ” ଶ୍ରେଷ୍ଠ ଶିଳ୍ପୀଙ୍କୁ ଶ୍ରେଷ୍ଠ ଉପହାର ।”

ମହାପ୍ରଭୁଙ୍କୁ ପ୍ରତି ନୈବେଦ୍ୟ ସହିତ ବିଡ଼ିଆ ଅର୍ପଣ ତାଙ୍କର ରସିକ ଶେଖର, ରସିକ ରାଜ ଏବଂ ରସ ରାଜ ଇତ୍ୟାଦି ସମ୍ବୋଧନକୁ ସାର୍ଥକ କରେ । ମହାପ୍ରଭୁଙ୍କ ସନ୍ଧ୍ୟା ଧୂପରେ ଚନ୍ଦନଲାଗି ସମୟରେ ଖୁଣ୍ଟିଆ ସେବକ ମାନଙ୍କ ମଣିମାମଣିମା ଡାକ ସହ ହଡ଼ପ ନାଏକଙ୍କ ବିଡ଼ିଆ ଅର୍ପଣ ଏକ ଗଭୀର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥାଏ । ଏହି ସମୟରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଆକାଂକ୍ଷୀତ ଫଳ ମିଳେ ବୋଲି ବିଶ୍ୱାସ ରହିଛି ।

ଏଣୁ ମହାପ୍ରଭୁଙ୍କ ଗୋଟିଏ ଭଜନରେ ପିଣ୍ଡିକି ଶ୍ରୀ ଚନ୍ଦନ ଲେଖିଛନ୍ତି :-

ଚନ୍ଦନ ଲାଗି ସମୟେ ଚିନ୍ତ ଚିନ୍ତାମଣିକି (ଘୋଷା )
ଚନ୍ଦନ ସଂସ୍କାର ସାରି ପ୍ରଭୁ ଅଙ୍ଗେ ଲାଗି କରି
ହରି ଭଦ୍ରା ସୁଦର୍ଶନ କମଳା ଘରଣୀଙ୍କି ।।
ହଡ଼ପ ନାୟକ ରହି ବିଡ଼ିଆ ପତ୍ରକୁ ବହି
କରାଇ ମୁଣୋହୀ ତହିଁ କମ୍ବୁ ଚକ୍ର ପାଣିକି ।।
ଡାକଇ ଖୁଣ୍ଟିଆ ଦ୍ୱିଜ ମଣିମା ଭୋ ଦେବରାଜ
ଅଖିଳ ବ୍ରହ୍ମାଣ୍ତ ନାଥ ପ୍ରଭୁ ମନ ଜାଣିକି ।।
ଚନ୍ଦନ ଲାଗି ସମୟେ…..
ଧନ୍ୟ ପ୍ରଭୁ ତୋ’ର ଲୀଳା !!!
ପାନଖିଆ ଜଗବନ୍ଧୁ କେଡ଼େ ତୋ ଚାତର ।
ଗଜମୋତି ପାନେ ଶ୍ରଦ୍ଧା ବଳିଲା ତୋହର ।।
ଚୁର୍ଣ୍ଣେ ପାନ ମାଗିଲ ହେ ଜଗତ ଠାକୁର ।
ଚୁର୍ଣ୍ଣ କଲ ଅହଂକାର ଜଗତ ସେଠର ।।

ଜୟ ଜଗନ୍ନାଥ

🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ – 7693091971

*** **** ****

ଆମର ଲକ୍ଷ୍ୟ : ଭାଷା ସୁରକ୍ଷା
ସରଳ ଲେଖା, ସରସ କଥା
ସଂସାର ପଢୁ ଆମ “ସୁଲେଖା”

(ଏଇ ଲିଙ୍କ ବ୍ଯବହାର କରି ଆପଣ Google Play Store ରୁ e-Sulekha App ଡାଉନଲୋଡ କରିପାରିବେ ଏବଂ ପ୍ରତିଦିନ ଗୋଟିଏ ଲେଖାଏ ନୁଆ ପୋଷ୍ଟ ପଢିପାରିବେ।

https://play.google.com/store/apps/details?id=com.esulekha.magazine)

***** ***** ******


Share it

Join the Conversation

1 Comment

  1. ପାନ ଉପରେ ଅତ୍ଯନ୍ତ ସୁନ୍ଦର ଓ ଉପାଦେୟ କଥା ସବୁ ଜାଣିବାକୁ ମିଳିଲା 🙏🏻

Leave a comment

Your email address will not be published. Required fields are marked *

Verified by MonsterInsights