ପୌଷ ଶୁକ୍ଳ ଏକାଦଶୀ । ଏ ଏକାଦଶୀର ନାମ ପୁତ୍ରଦା ଏକାଦଶୀ । ଆମର ହିନ୍ଦୁ ପରମ୍ପରା ଅନୁସାରେ ଚାନ୍ଦ୍ର ମାସର ଏକାଦଶ ତମ ଦିବସକୁ ଏକାଦଶୀ ଭାବେ ପାଳନ କରାଯାଏ । ଏଣୁ ପ୍ରତି କୃଷ୍ଣ ଓ ଶୁକ୍ଳ ପକ୍ଷରେ ଗୋଟିଏ ଲେଖା ଏକାଦଶୀ ହୋଇ ବର୍ଷସାରା ଚବିଶଟି ଏକାଦଶୀ ପଡ଼ିଥାଏ । ଏକାଦଶୀ ତିଥି ଅତ୍ୟନ୍ତ ପବିତ୍ର ବୋଲି ମାନ୍ୟତା ରହିଛି । ଏକାଦଶୀମାନଙ୍କର ଭିନ୍ନଭିନ୍ନ ନାମ ଅଛି ।
ବର୍ଷରେ ଦୁଇଟି ଏକାଦଶୀକୁ ପୁତ୍ରଦା ଏକାଦଶୀ ଭାବେ ପାଳନ କରାଯାଏ । ଶ୍ରାବଣ ଏବଂ ପୌଷ ମାସରେ ପଡ଼ୁଥିବା ଶୁକ୍ଳପକ୍ଷ ଏକାଦଶୀକୁ ପୁତ୍ରଦା ଏକାଦଶୀ କୁହାଯାଏ ।
ଏହି ଏକାଦଶୀ ଅତ୍ୟନ୍ତ ପବିତ୍ର ଓ ଫଳ ପ୍ରଦାୟୀ ହୋଇ ଥିବାରୁ ଏହାକୁ ନିଷ୍ଠାର ସହକାରେ ପାଳନ କରାଯାଏ । ପୁତ୍ରଦା ଏକାଦଶୀକୁ ପବିତ୍ରୋପନା ଏକାଦଶୀ ଓ ପବିତ୍ରା ଏକାଦଶୀ ବୋଲି ମଧ୍ୟ କୁହାଯାଇଥାଏ ।
ପାଳନ ଵିଧି :-
ପୁତ୍ରଦା ଏକାଦଶୀ ତିଥିରେ ପ୍ରତ୍ୟୁଷରୁ ଶୁଦ୍ଧ ପୁତ ଭାବେ ସ୍ନାନ ସାରି ଭଗବାନ ବିଷ୍ଣୁଙ୍କୁ ଧୂପ ଦୀପ ନୈବେଦ୍ୟ ଦେଇ ପୂଜା କରନ୍ତୁ । କୌଣସି ଖାଦ୍ୟ ଗ୍ରହଣ ନ କରି ନିର୍ଜଳା ଉପବାସ କରନ୍ତୁ । ସାରା ଦିନ ଅଖଣ୍ଡ ଦୀପ ଜାଳି ବିଷ୍ଣୁଙ୍କ ପୂଜା ଆରାଧନା କରନ୍ତୁ । ପୁତ୍ରସନ୍ତାନ ଲାଭ ବାଞ୍ଛାକରୁଥିବା ଦମ୍ପତି ଏହି ଏକାଦଶୀ ପାଳନରେ ପୁତ୍ରଲାଭ କରିଥାନ୍ତି ।
ଦ୍ୱାପର ଯୁଗରେ ନନ୍ଦ ଯଶୋଦା ଏହି ଏକାଦଶୀ ପାଳନ କରି ଭଗବାନ ଶ୍ରୀକୃଷ୍ଣଙ୍କୁ ପୁତ୍ର ରୂପରେ ପାଇଥିଲେ ବୋଲି ପୌରାଣିକ କିମ୍ବଦନ୍ତି ରହିଛି।
ପୁତ୍ରମାନଙ୍କ ଦୀର୍ଘାୟୁ କାମନା କରି ମାଆ ମାନେ ମଧ୍ୟ ଏହି ଏକାଦଶୀ ପାଳନ କରିଥାନ୍ତି । ପୁତ୍ରଦା ଏକାଦଶୀ ବ୍ରତ ପାଳନ କଲେ ଭଗବାନ ଶ୍ରୀକୃଷ୍ଣ ତୁଷ୍ଟହୋଇ ଭକ୍ତର ମନୋବାଞ୍ଛା ପୂରଣକରିଥାନ୍ତି । ସନ୍ତାନ ପ୍ରାପ୍ତି ପାଇଁ ଏହି ଏକାଦଶୀରେ ଶ୍ରୀକୃଷ୍ଣ କିମ୍ବା ନାରାୟଣଙ୍କ ବ୍ରତ ରଖା ଯାଇଥାଏ । ଏହି ବ୍ରତରେ ହଳଦିଆଫଳ, ହଳଦିଆଫୁଲ ଓ ତୁଳସୀ ଭଗବାନଙ୍କୁ ଅର୍ପଣ କରାଯାଏ । ଏ ବ୍ରତରେ ସିଦ୍ଧି ଲାଭ କରିବା ପାଇଁ ସିଦ୍ଧ ଗୋପାଳମନ୍ତ୍ର ଜପ କରା ଯାଇଥାଏ । ସିଦ୍ଧ ଗୋପାଳ ମନ୍ତ୍ର ହେଲା :-
“ ଓଁ କ୍ଲିଂ ଦେବକୀ ସୁତ ଗୋବିନ୍ଦ
ବାସୁଦେବ ଜଗତ୍ପତେ,
ଦେହି ମେ ତନୟଂ କୃଷ୍ଣ
ତ୍ବାମହମ୍ ଶରଣମ୍ ଗତା,
ଓଁ କ୍ଲିଂ କୃଷ୍ଣାୟ ନମଃ’’
କିମ୍ବଦନ୍ତୀ :-
ପ୍ରାଚୀନ କାଳରେ ମାହିଷ୍ମତୀପୁର ରାଜ୍ୟର ରାଜା ଥିଲେ ମହୀଜିତ୍ । ସେ ଥିଲେ ଅତ୍ୟନ୍ତ ଧାର୍ମିକ ଓ ପ୍ରଜାବତ୍ସଳ । ରାଜ୍ୟରେ ସର୍ବତ୍ର ସୁଖ,ଶାନ୍ତି ବିରାଜୁଥିଲା । କିନ୍ତୁ ରାଜା ସନ୍ତାନ ହୀନ ଥିବାରୁ ଅତ୍ୟନ୍ତ ଦୁଃଖିତ ଥିଲେ । ଏକଦା ରାଜା ନିଜ ମନର ଦୁଃଖ ପ୍ରଜାଙ୍କ ସମ୍ମୁଖରେ ପ୍ରକାଶ କଲେ । ପ୍ରଜା ରାଜାଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ । ନିଜର ରାଜାଙ୍କ ଦୁଃଖ ଦୂର କରିବା ଅର୍ଥରେ, ସେମାନେ ବ୍ରାହ୍ମଣ ମାନଙ୍କ ସହିତ ଅରଣ୍ୟକୁ ଯାଇ, ତପସ୍ୟା କରିବାକୁ ସ୍ଥିର କଲେ । ପ୍ରଜାଗଣ ବନ ମଧ୍ୟରେ ଯାଉଯାଉ ଯାଇ ତ୍ରିକାଳଦର୍ଶୀ ଲୋମଶ ମୁନିଙ୍କ ଆଶ୍ରମ ନିକଟରେ ପହଞ୍ଚିଲେ ।
ମହାମୁନୀ ଲୋମଶ ବିଜ୍ଞ, ଜ୍ଞାନୀ ଓ ଦୀର୍ଘାୟୁ ମହାତ୍ମା ଥିଲେ । କୁହାଯାଏ ଯେ ଗୋଟିଏ କଳ୍ପ ଶେଷ ହେଲେ ଲୋମଶ ମୁନିଙ୍କ ଶରୀରରୁ ଗୋଟିଏ ଲୋମ ଝଡ଼ିଥାଏ । ଏମିତି ଯାଇ କେତେ କୋଟି ବର୍ଷ ଅତିବାହିତ ହେଲେ ତାଙ୍କ ଶରୀରରୁ ସମସ୍ତ ଲୋମ ଝଡ଼ି ପଡ଼ିବ ଏବଂ ତାଙ୍କର ଅନ୍ତଃ ହେବ, ଏ ସମୟ କଳ୍ପନା କରା ଯାଇ ନ ପାରେ। ସେଥିପାଇଁ ତାଙ୍କର ନାମ ଲୋମଶ ଓ ସେ କଳ୍ପ କଳ୍ପାନ୍ତଜୀବି।
ଏତେ ଲୋକଙ୍କୁ ବନଭୂମିରେ ଏକତ୍ର ଦେଖିବାକୁ ପାଇ ଲୋମଶ ମୁନି ଚକିତ ହେଲେ । ସେମାନଙ୍କୁ ପଚାରି ତାଙ୍କର ଉଦ୍ଦେଶ୍ୟ ବିଷୟ ଜାଣିଲେ । ସେ ସେମାନଙ୍କୁ ଆଶ୍ୱାସନା ଦେଇ କହିଲ, “ମହାରାଜ ମହୀଜିତ୍ ପୂର୍ବ ଜନ୍ମରେ ଜଣେ ବୈଶ୍ୟ ଥିଲେ । ସେ ଗ୍ରାମଗ୍ରାମ ବୁଲି ବେପାରବଣିଜ କରୁଥିଲେ । ଖରାଦିନ, ଦିନେ ବୁଲୁବୁଲୁ ତାଙ୍କୁ ଶୋଷ ଲାଗିଲା । ଏକ ଜଳାଶୟ ଦେଖି ସେଠାକୁ ପାଣି ପିଇବାକୁ ସେ ଗଲେ। ସେତିକି ବେଳେ ଗୋଟିଏ ଗାଈ ଓ ବାଛୁରୀ ଶୋଷରେ ଆତୁର ହୋଇ ପୋଖରୀରେ ପାଣି ପିଉ ଥିଲେ । ବୈଶ୍ୟ ନିଜେ ପାଣି ପିଇବା ପାଇଁ ଗାଈ ବାଛୁରୀ ଦୁହିଁଙ୍କୁ ସେଠାରୁ ଘଉଡ଼ାଇ ଦେଲେ । ସେ ରାଜା ଅତ୍ୟନ୍ତ ଧାର୍ମିକ ଥିଲେ ଏହା ସତ୍ୟ । କିନ୍ତୁ ସେହି ପାପାଚାର ହେତୁ ଏ ଜନ୍ମରେ ସେ ଅପୁତ୍ରିକ ହୋଇଛନ୍ତି ।
ରାଜା କିପରି ସନ୍ତାନ ଲାଭ କରିବେ, ପ୍ରଜା ମାନେ ସେକଥା ଲୋମଶ ମୁନିଙ୍କୁ ପଚାରିଲେ । ଲୋମଶ କହିଲେ,“ତୁମେମାନେ ଯଦି ରାଜାଙ୍କ ଦୁଃଖ ଦୂର କରିବାକୁ ଚାହଁ, ତେବେ ଶ୍ରାବଣ ମାସ ଶୁକ୍ଳପକ୍ଷ ତିଥିରେ ପଡ଼ୁଥିବା ପୁତ୍ରଦା ନାମକ ଏକାଦଶୀକୁ ନିଷ୍ଠାର ସହ ପାଳନ କର ।”
ଏହି କଥାନୁସାରେ ପ୍ରଜାମାନେ ପୁତ୍ରଦା ଏକାଦଶୀ ପାଳନ କଲେ । ପ୍ରଜା ମାନଙ୍କର ପୁଣ୍ୟ ବଳରେ ରାଜାଙ୍କର ପୁତ୍ର ଲାଭ ହେଲା ।
ଆଉ ଏକ କିମ୍ବଦନ୍ତୀ ଅନୁଯାୟୀ ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଧର୍ମରାଜ ଯୁଧିଷ୍ଠିରଙ୍କୁ ପୁତ୍ରଦା ଏକାଦଶୀ ବ୍ରତ କଥା କହି ଥିଲେ। ଧର୍ମରାଜଙ୍କୁ ଶ୍ରୀକୃଷ୍ଣ କହିଲେ,”ବହୁ ଦିନପୂର୍ବେ ଭଦ୍ରାବତୀପୁର ନାମକ ଦେଶର ରାଜା ଥିଲେ ସୁକେତୁମାନ୍ । ସେ ରାଜାଙ୍କର କୌଣସି ସନ୍ତାନସନ୍ତତି ନଥିଲେ । ସେ ପାଇଁ ରାଜା ଓ ରାଣୀ ଚମ୍ପା ବହୁ ଅସୁଖୀ ଥିଲେ ।
ରାଜା ଥରେ ପରିବାରର କୌଣସି ସଦସ୍ୟଙ୍କୁ ନ ଜଣାଇ ବନ୍ୟ ଭ୍ରମଣରେ ବାହାରି ଗଲେ । ରାଜା ବଣର ଶୋଭା ଦେଖି ଦେଖି ଚାଲିଥାନ୍ତି ଦିନର ଦ୍ୱି ପ୍ରହର ହୋଇଗଲା । ଉପାସ, ଶୋଷରେ ଆଉଟୁ ପାଉଟୁ ରାଜା,ଖାଦ୍ୟ ଖୋଜି ବୁଲିଲେ । ବୁଲୁବୁଲୁ ଯାଇ ଗୋଟିଏ ସରୋବର ପାଖରେ ପହଞ୍ଚିଲେ ।
ସେହି ସରୋବର କୂଳରେ ଋଷି ମାନଙ୍କ ଆଶ୍ରମ ଥାଏ । ଋଷିମାନେ ଏକତ୍ର ହୋଇ ସରୋବରରେ ସ୍ନାନ କରୁ ଥିଲେ । ସେମାନଙ୍କ ପାଖରେ ପହଞ୍ଚି ରାଜା ତାଙ୍କ ଚରଣ ବନ୍ଦନା କରିବାକୁ ଲାଗିଲେ । ଋଷିଗଣ ରାଜାଙ୍କ ଉପରେ ଖୁବ ପ୍ରସନ୍ନ ହେଲେ । ରାଜା ମୁନିମାନଙ୍କୁ ପଚାରିଲେ, ” ଆପଣ ମାନେ କିଏ ? ଆପଣମାନେ ଏଠି ଏକାଠି ହୋଇଛନ୍ତି, ଏବଂ କାହିଁକି ଏକତ୍ରିତ ହୋଇ ବାସ କରୁଛନ୍ତି ?”
ମୁନିମାନେ କହିଲେ, ଆମେ ସମସ୍ତେ ବିଶ୍ୱଦେବ । ସ୍ନାନ କରିବାକୁ ଆସିଛୁ । ନିକଟରେ ମାଘ ମାସ ଆସୁଛି । ଆଜି ଠାରୁ ପାଞ୍ଚଦିନ ଧରି ମାଘ ସ୍ନାନ ଆରମ୍ଭ ହେବାକୁ ଯାଉଅଛି ଏବଂ ଆଜି ହେଉଛି ପୁତ୍ରଦା ଏକାଦଶୀ । ଆମେ ସବୁ ଏହି ଏକାଦଶୀ ସ୍ନାନ କରୁଛୁ ।
ପୁଣି କହିଲେ, ଏହି ଏକାଦଶୀକୁ ପାଳନ କଲେ ପୁତ୍ରପ୍ରାପ୍ତି ହୋଇଥାଏ । ଏକଥା ଶୁଣି ରାଜା ଅତ୍ୟନ୍ତ ଖୁସୀ ହୋଇ ମୁନି ମାନଙ୍କୁ ପ୍ରାର୍ଥନା କଲେ, ହେ ବିଶ୍ୱଦେବ ଗଣ ! ଯଦି ମୋ ଉପରେ ଆପଣମାନେ ପ୍ରସନ୍ନ ହୋଇଛନ୍ତି ତେବେ ମୋତେ ପୁତ୍ରପ୍ରାପ୍ତିର ଆଶୀର୍ବାଦ ପ୍ରଦାନକରନ୍ତୁ ।
ମୁନିମାନେ ତହୁଁ କହିଲେ, ହେ ରାଜନ୍ ! ତୁମେ ଏହି ପୁତ୍ରଦା ଏକାଦଶୀ ବ୍ରତ ପାଳନ କର । ଏହି ଏକାଦଶୀର ମହିମା ଅପାର । ଏ ବ୍ରତ ପାଳନ କର ଓ ନିର୍ଜଳା ଉପବାସ ପୂର୍ବକ ଶ୍ରୀକେଶବଙ୍କୁ ଆରାଧନା କର । ଭଗବାନ କେଶବଙ୍କ ଆଶୀର୍ବାଦରୁ ତୁମେ ଅବଶ୍ୟ ପୁତ୍ର ପ୍ରାପ୍ତହେବ ।
ମୁନିମାନଙ୍କ କହିବାନୁଯାୟୀ ସେ ରାଜା ସେହିଠାରେ ପୁତ୍ରଦା ଏକାଦଶୀ ବ୍ରତ ପାଳନ କଲେ । ଦ୍ୱାଦଶ ଦିନରେ ବ୍ରତ ଉଦଯାପନ କରି ମୁନିଙ୍କ ଚରଣ ସ୍ପର୍ଶ କରି ଘରକୁ ଫେରିଲେ ।
ଯଥା ସମୟରେ ରାଜାଙ୍କର ଏକ ତେଜସ୍ୱୀ ପୁତ୍ର ଜାତ ହେଲା । ସମସ୍ତ ଗୁଣର ଅଧିକାରୀ ହେବା ସହିତ ପିତାଙ୍କ ଅନ୍ତେ ସେ ଜଣେ ପ୍ରଜା ଅନୁରଞ୍ଜକ ରାଜା ହେଲେ ।
ପୁତ୍ରଦା ଏକାଦଶୀ ବ୍ରତ ସମସ୍ତ ଏକାଦଶୀ ଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ। “ଏହି କଥା ଶୁଣାଇ ସାରି ଶ୍ରୀକୃଷ୍ଣ କହିଲେ,”ହେ ଯୁଧିଷ୍ଠିର ! ସେହିଦିନ ଠାରୁ ପୁତ୍ରଦା ଏକାଦଶୀ ଏ ମର୍ତ୍ତ୍ୟରେ ପାଳନ ହେଉଛି ।”
କୌଣସି ଏକାଦଶୀ ରବିବାର ଦିନ ପଡ଼ିଲେ ଏହା ରବି ନାରାୟଣ ବ୍ରତ ଭାବେ ପାଳିତ ହୋଇଥାଏ । ରବି ନାରାୟଣ ବ୍ରତ କଥାରେ ଅଛି :-
ରବିବାର ଏକାଦଶୀ ହେଲେରେ ନନ୍ଦନ
ରବି ନାରାୟଣ ବ୍ରତ ହୁଅଇ ସେ ଦିନ ।
କଲେ ତାହା ପଞ୍ଚ ମହାପାତକ ସହିତେ
ସବୁ ପାପ ଲୋପହୁଏ ବୁଝ ଧିର ଚିତ୍ତେ ।
ପୁତ୍ରଦା ଏକାଦଶୀର ସମାପନ ଏକାଦଶୀ ଦିବସ ଦିନ ହୁଏ ନାହିଁ । ଦ୍ୱାଦଶୀ ଦିନ ପ୍ରାତଃସ୍ନାନ ଅନ୍ତେ ପୂଜା ସାରିଲାପରେ ବାଳକ ଏବଂ ବ୍ରାହ୍ମଣଙ୍କୁ ଅନ୍ନ ଦାନ ସହ ଦକ୍ଷିଣା ପ୍ରଦାନ କରି ବ୍ରତର ସମାପନ କରାଯାଇ ଥାଏ । ବ୍ରତ ସମାପନକରି ବ୍ରତୀ ନିଷ୍ଠା ସହକାରେ ଭଗବାନଙ୍କ ଠାରେ ସମର୍ପିତ ହୋଇ ପ୍ରାର୍ଥନା କରିଥାଏ । ଭାଗବତ ଭାଷାରେ ପ୍ରାର୍ଥନା କରି ଭକ୍ତ କହିଥାଏ :-
ଧ୍ୟାନ ମୁଁ କଲି ଯାହାରୂପ ।
କହ ହେ ମୋତେ ତା ସ୍ୱରୂପ ।।
ସନ୍ତାନ ପାଇଁ ଭଗବାନ ।
ତପେ ମୁଁ କଲି ଆରାଧନ ।।
🙏🙏🙏
ଅର୍ଜୁନୀ ଚରଣ ବେହେରା
ମୋ -7693091971