=================
ଗୋପ ପୁରରେ ଭଗବାନ୍ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଖୁବ୍ ଆନନ୍ଦଉଲ୍ଲାସ ମଧ୍ୟରେ ଶେଷ ହୋଇଗଲା l ଭଗବାନଙ୍କ ଉପସ୍ଥିତି ଯୋଗୁଁ ଗୋପପୁର ଲକ୍ଷ୍ମୀଙ୍କ କ୍ରୀଡ଼ାସ୍ଥଳୀ ହୋଇଗଲା l ଏହାର କିଛିଦିନ ପରେ ଗୋପ ପୁରର ରକ୍ଷାଭାର ଅନ୍ୟ ଗୋପାଳ ମାନଙ୍କୁ ଦେଇ ନନ୍ଦ ରାଜା କଂସର ବାର୍ଷିକ ଖଜଣା ଦେବା ପାଇଁ ମଥୁରା ଚାଲିଲେ l
ନନ୍ଦଭାଇ ମଥୁରା ଆସିଛନ୍ତି ଏହା ଶୁଣି ବସୁଦେବ ଯେଉଁଠି ନନ୍ଦ ରହୁଥିଲେ, ସେଠାରେ ଆସି ପହଞ୍ଚି ଗଲେ l ତାଙ୍କୁ ଦେଖୁ ଦେଖୁ ନନ୍ଦ ଉଠିଆସି, ନିଜ ପିଣ୍ଡରେ ପ୍ରାଣ ପଶିଲା ପ୍ରାୟ କୁଣ୍ଢାଇ ପକାଇଲେ l ଦୁଇ ଭାଇଙ୍କ ମଧ୍ୟରେ କୁଶଳବାର୍ତ୍ତା ଓ ଆଲୋଚନା ଚାଲିଲା l
ବସୁଦେବ ପୁଣି କହିଲେ, ହେ ଭାଇ ନନ୍ଦ ! ଏବେ ତୁମେ ତ, କଂସର ବାର୍ଷିକ ଖଜଣା ଦେଇ ଦେଲ l ଭାଗ୍ୟକୁ ଆମ ଦୁହିଁଙ୍କର ଦେଖା ମଧ୍ୟ ହୋଇଗଲା l ଶୁଣୁଛି, ଗୋକୁଳରେ କାଳେ ଆଜି କାଲି ବଡ଼ ବଡ଼ ଉପଦ୍ରବମାନ ଘଟୁଛି l ଏଣୁ ତୁମେ ଏଠାରେ ଆଉ ବେଶି ଦିନ ରହିବା ଠିକ୍ ହେବ ନାହିଁ l
ବସୁଦେବଙ୍କ ଠାରୁ ଏପରି କଥା ଶୁଣି ତାଙ୍କ ଠାରୁ ମେଲାଣି ନେଇ ଗୋପାଳମାନଙ୍କ ସହ ଶଗଡ଼ରେ ନନ୍ଦ ଗୋପ ପୁରକୁ ଯାତ୍ରା କଲେ l ପଥରେ ମନେ ମନେ ସେ ଭାବୁ ଥାନ୍ତି, ବସୁଦେବ ଯାହା କହିଲେ ତାହା କେବେ ମିଛ ହୋଇ ନଥିବ l ହଉ ! ଆମର ତ ଭଗବାନ ଆଶ୍ରୟ l ସେ ଆମକୁ ରକ୍ଷାକରିବେ l ଏହିପରି ନାନା ଆଶଙ୍କା ଭିତରେ ନନ୍ଦ ଚାଲି ଥାନ୍ତି ଗୋକୁଳ ଅଭିମୁଖେ l
ସେହି ସମୟରେ କଂସ ପ୍ରେରିତ ପୂତନା ନାମରେ ଏକ ଭୟଂକର ବାଳଘାତିନୀ ରାକ୍ଷସୀ ଗୋପରେ ବୁଲୁଥାଏ l ସେ ନିଜ ଇଚ୍ଛାନୁସାରେ ଭିନ୍ନଭିନ୍ନ ରୂପ ଧରି ପାରୁଥାଏ l ସେ ନଗର ଗ୍ରାମ ଓ ଗଉଡ଼ ବସ୍ତି ମାନଙ୍କରେ ପଶି ଛୁଆଙ୍କୁ ମାରିବାପାଇଁ ବୁଲୁଥାଏ l ଦିନେ ନନ୍ଦଭବନ ପାଖରେ ପହଞ୍ଚି ମାୟା ବଳରେ ପୂତନା, ନିଜକୁ ଏକ ସୁନ୍ଦର ଯୁବତୀ କରିଦେଲା l ଗଭାରେ ମଲ୍ଲି ଫୁଲ ଖୋସି ଥାଏ ଓ ଦୁର୍ମୂଲ୍ୟ ବସ୍ତ୍ର ସବୁ ପିନ୍ଧିଥାଏ l ସୁନ୍ଦର କୁଞ୍ଚିତ କେଶ ଓ କାନରେ କୁଣ୍ଡଳ ଧାରଣ କରି, ସେ ଅପ୍ସରା ପରି ଦିଶୁଥାଏ l ଏପରି ବିଶ୍ଵମୋହିନୀ ବେଶଧରି ସେ ନନ୍ଦଙ୍କ ଘର ଭିତରକୁ ପଶିଯାଇ ଦେଖିଲା ଶିଶୁକୃଷ୍ଣ ଶେଯରେ ଶୋଇଛନ୍ତି l କୃଷ୍ଣ ଜାଣି ଗଲେ ସେ କିଏ ଓ ତାକୁ ଦେଖିବା କ୍ଷଣି ଆଖି ବୁଜିଦେଲେ l ପୂତନା ସଙ୍ଗେ ସଙ୍ଗେ ତାଙ୍କୁ କୋଳକୁ ଉଠାଇ ନେଲା l ସିଏ ଖୁବ୍ ସୁନ୍ଦର ଏବଂ ଶୀଳ ଦେଖା ଯାଉଥିବାରୁ, ଯଶୋଦା ଓ ରୋହିଣୀ କିଛି ଭାବିଲେ ନାହିଁ l
ସେ ଶିଶୁ କୃଷ୍ଣଙ୍କୁ କୋଳରେ ଧରି ତାଙ୍କ ପାଟିରେ ଉତ୍କଟ ବିଷ ଭରିଥିବା ନିଜ ସ୍ତନକୁ ଭରି ଦେଲା l ଭଗବାନ ଶ୍ରୀକୃଷ୍ଣ କ୍ରୋଧାନ୍ୱିତ ହୋଇ, ତାର ଦୁଇ ସ୍ତନକୁ ହାତରେ ଧରି, କ୍ଷୀର ପିଇବାକୁ ଲାଗିଲେ l ଭଗବାନ କ୍ଷୀର ପିଇବା ସହିତ ତାର ପଞ୍ଚ ପ୍ରାଣକୁ ଶୋଷିବା ଆରମ୍ଭ କଲେ l ଏହି ସମୟରେ ପୂତନା ଚିତ୍କାର କରି ଉଠିଲା, ଆରେ ଛାଡ଼ି ଦେ ! ମୋତେ ଛାଡ଼ି ଦେ ! ଏପରି ଚିତ୍କାର କରୁକରୁ ତାର ଡୋଳା ଓଲଟିପଡ଼ିଲା l ଖୁବ୍ ଯନ୍ତ୍ରଣାରେ ସେ ଆଉ ନିଜକୁ ଲୁଚାଇ ନପାରି ବିରାଟ ରାକ୍ଷସୀ ରୂପ ହୋଇ ଭୂମି ଉପରେ ଭୟଂକର ରଡ଼ି କରି ପଡ଼ି ଗଲା l କୃଷ୍ଣଙ୍କ ଏହି ଲୀଳାକୁ ଲକ୍ଷ୍ୟ କରି କବି ଭକ୍ତ ଚରଣ ଦାସ ମଥୁରା ମଙ୍ଗଳରେ ଲେଖିଲେ :-
ଖସି ପଡୁଛି କି ଆକାଶୁ କିଏ ଗଙ୍ଗା ଯମୁନା l
କ୍ଷୀର ସଙ୍ଗେ ପ୍ରାଣ ଶୋଷିଲେ
ନାଶ ଗଲା ପୂତନା ll
ପୂତନାର ବିଶାଳ ଶରୀରଟା ତଳେ ପଡ଼ି ଯିବାରୁ ସେଠାରୁ ଛ କୋଶ ପର୍ଯ୍ୟନ୍ତ ବୃକ୍ଷଲତା ସବୁ ଦଳି ଚକଟି ହୋଇଗଲା l ପୂତନା ପାଟିର ଦାନ୍ତ ଗୁଡ଼ିକ ଲଙ୍ଗଳର ଇଶ ପରି ହୋଇଥାଏ l ଡୋଳା ଦୁଇଟା ବିରାଟ ଗହ୍ଵର ପରି ଦେଖା ଯାଉ ଥାନ୍ତି, ଆଉ ସେ ଚାରିକାତ ମେଲାଇ ପଡ଼ିଥାଏ l
ପଡ଼ି ଯିବା ବେଳେ, ରାକ୍ଷସୀ ପୂତନାର ବିକଟାଳ ଚିତ୍କାର ଶୁଣି ଗୋପୀ ଗୋପାଳ ମାନେ ଧାଇଁ ଆସି ଦେଖନ୍ତି ତ ବିରାଟ ରାକ୍ଷସୀଟା ତା ବାଳକୁ ମେଲା କରି ପଡିଛି ଆଉ କାହ୍ନା ତା ଛାତି ଉପରେ ନିର୍ଭୟ ହୋଇ ଖେଳୁଛି l କୃଷ୍ଣ ପୂତନା ଛାତି ଉପରେ ବସି ଯେପରି କହୁଛନ୍ତି, ମୁଁ ତ ଦୁଧ ଖିଆ ଶିଶୁ l ତୁ ମୋ ପାଟିରେ ସ୍ତନ ଭରିଦେଲୁ l ତେଣୁ ମୁଁ ଦୁଗ୍ଧ ପିଇଲି l ଏଥିରେ ତୁ ମଲୁ ତ ମୋର କି ଦୋଷ !
ଯେତେବେଳେ ଗୋପିମାନେ କୃଷ୍ଣଙ୍କୁ ତା ଛାତିରେ ବସିଥିବା ଦେଖିଲେ ସେମାନେ ଦଉଡ଼ିଯାଇ ତାଙ୍କୁ ଉଠେଇ ଆଣିଲେ l ଯଶୋଦା ଓ ରୋହିଣୀ ତାଙ୍କୁ ଗାଈ ଲାଞ୍ଜରେ ଝାଡିଦେଲେ l ତାଙ୍କୁ ଗୋମୁତ୍ରରେ ସ୍ନାନ କରାଇ ଦେହରେ ଗୋରଜ ବୋଳି ଦେଲେ l ତାଙ୍କ ଅଙ୍ଗରେ ଗୋବର ବୋଳି ଦେଇ କେଶବଙ୍କୁ ଦ୍ଵାଦଶ ନାମରେ ସ୍ତୁତି କରି ତାଙ୍କ ଶରୀରକୁ ରକ୍ଷା କରିବାକୁ ପ୍ରାର୍ଥନା କଲେ l ଏପରି ପ୍ରେମ ପାଶରେ ବାନ୍ଧିହୋଇଥିବା ଗୋପୀମାନେ ଭଗବାନଙ୍କୁ ରକ୍ଷା କଲେ l ମାଆ ଯଶୋଦା, ତାଙ୍କୁ କୋଳରେ ଘେନି କ୍ଷୀର ପିଆଇ ଦୋଳିରେ ଶୁଆଇ ଦେଲେ l
ଏତିକି ବେଳେ ନନ୍ଦ ସାଥୀ ଗୋପାଳମାନଙ୍କ ସହ ମଥୁରାରୁ ଆସି ଗୋପପୁରରେ ପହଞ୍ଚିଗଲେ l ସେ ପୂତନା କାଣ୍ଡ ଶୁଣି ଚକିତହୋଇ କହିଲେ, ଆରେ ବସୁଦେବ ତ ଯାହା କହୁଥିଲେ, ପୁରା ସତ l ସିଏ କଅଣ ୠଷି ନାଁ ଦେବତା l
ଏହା ଭିତରେ ଗୋପାଳମାନେ ପୂତନା ଶରୀରକୁ କୁରାଢିରେ ଖଣ୍ଡ ଖଣ୍ଡ କରି ଗୋକୁଳଠାରୁ ଦୂରକୁ ନେଇ ଗଲେ ଓ ସେଠାରେ ନିଆଁ ଲଗେଇ ପୋଡ଼ି ଦେଲେ l ରାକ୍ଷସୀର ଦେହ ପୋଡ଼ି ହୋଇ ଯେଉଁ ଧୂଆଁ ବାହାରିଲା, ତାହା ଅଗୁରୁ ପରି ଚାରି ଆଡେ଼ ବାସି ଉଠିଲା l
ଭଗବାନ ଯାହାର କ୍ଷୀର ପିଇଲେ ତାଦେହରୁ ତ ଏପରିଗନ୍ଧ ବାହାରିବା ସ୍ଵାଭାବିକ l ପୂତନା ଭଗବାନଙ୍କୁ ମାରିବା ଅଭିପ୍ରାୟ ରଖି ସ୍ତନ ପିଆଇ ଥିଲା l ତଥାପି ଭଗବାନ ତାକୁ ମାତୃଜ୍ଞାନ କରି ମୁକ୍ତି ଦେଲେ l
ଏହା ଭଗବାନଙ୍କ ଦ୍ଵାପର ଲୀଳା ଥିଲା କିନ୍ତୁ ଏହା ସହ ସତ୍ୟ ଯୁଗର ଏକ ସୁନ୍ଦର କାହାଣୀ ସଂଶ୍ଲିଷ୍ଟ ହୋଇ ରହିଛି l ଅସୁର ରାଜା ବଳିର ଦର୍ପ ମର୍ଦ୍ଦନ ପାଇଁ ଭଗବାନ ବାମନ ରୂପ ଧରିଥିଲେ l ବଳିଙ୍କ ଝିଅ ନାମ ଥିଲା, ରତ୍ନମାଳା l ସେ ଯଜ୍ଞ ଶାଳାରେ ଭଗବାନ୍ ବାମନଙ୍କୁ ଦେଖି, ମନେ ମନେ ପାଞ୍ଚିଲା ଆହା ! ମୋର ଯଦି ଏହି ପରି ପୁଅଟିଏ ଥାଆନ୍ତା, ତେବେ ତାକୁ ମୁଁ ସ୍ତନ୍ୟପାନ କରାଇ କେତେ ଖୁସି ହୁଅନ୍ତି l ଭଗବାନ ରତ୍ନମାଳାର ସେହି କାମନାକୁ ଅନୁମୋଦନ କରି ଥିଲେ l ଦ୍ୱାପରରେ ରତ୍ନମାଳା ଆସି ପୂତନାରୂପେ ଜନ୍ମହୋଇ ଭଗବାନଙ୍କୁ ସ୍ତନ୍ୟ ପାନ କରାଇ ତାର କାମନା ପୂର୍ଣ୍ଣ କଲା l
ନନ୍ଦ ସାଥୀ ଗୋପାଳ ମାନଙ୍କ ସହ ଆସି ବ୍ରଜରେ ପହଁଚିଲେ l ତାଙ୍କ ନାକରେ ଯେତେବେଳେ ଚିତା ଧୁଆଁର ସୁଗନ୍ଧ ବାଜିଲା ସମସ୍ତେ କହିଲେ, ଆରେ, ଏ ସୁଗନ୍ଧ କେଉଁଠୁ ଆସୁଛି ! ଗୋପୀମାନେ ତାଙ୍କୁ ସମସ୍ତ ଘଟଣା ବୁଝାଇ କହିଲେ l ଏହା ଶୁଣି ପୁଅ ରାକ୍ଷସୀ ଠାରୁ ନିର୍ବିଘ୍ନରେ ବଞ୍ଚି ଯାଇଛି ଓ ପୂତନା ମରିଛି ଜାଣି ନନ୍ଦ ଖୁବ୍ ଖୁସି ହେଲେ l ସେ ପୁଅକୁ କୋଳକରି ବାରମ୍ବାର ଚୁମ୍ବନ କଲେ l ପୁଅର ରିଷ୍ଟ ଖଣ୍ଡନ ପାଇଁ ବ୍ରାହ୍ମଣମାନଙ୍କୁ ଡ଼କାଇ ସେ ଗ୍ରହଶାନ୍ତି କଲେ ଏବଂ ଜ୍ଞାତି କୁଟୁମ୍ବମାନଙ୍କୁ ଭୋଜନ କରାଇ ବ୍ରାହ୍ମଣମାନଙ୍କୁ ଧେନୁ, ବତ୍ସା ଓ ସୁବର୍ଣ୍ଣ ଦାନ ଦେଇ ତୃପ୍ତ କଲେ l ବ୍ରାହ୍ମଣ ମାନେ ପ୍ରସନ୍ନ ହୋଇ ପୁତ୍ରକୁ ଆଶୀର୍ବାଦ ଦେଲେ :-
ସକଳ ରିଷ୍ଟରୁ ଅଚ୍ୟୁତ l
ତୋତେ ସେ କରନ୍ତୁ ମୁକତ ll
ପୂତନା ଉଦ୍ଧାର ଥିଲା ଭଗବାନ ଶ୍ରୀକୃଷ୍ଣଙ୍କ ବାଲ୍ୟ ଲୀଳା l ଶ୍ରୀମଦ୍ଭାଗବତରେ ଏହି ଲୀଳା ଶ୍ରବଣର ମାହାତ୍ମ୍ୟ କୀର୍ତ୍ତନ କରି କୁହା ଯାଇଛି:-
ପୂତନା ମରଣର ବାଣୀ l
କର୍ଣ୍ଣେ ଶୁଣନ୍ତି ଯେତେ ପ୍ରାଣୀ ll
ଅସୁରୀ ତରିଲା ଯେମନ୍ତେ l
ସୁଜନେ ଯିବ ସେହି ପଥେ ll
ଭକତି କର ଦୃଢ଼ ଚିତ୍ତେ l
ହରି ଭକତଙ୍କର ମତେ ll
🙏🙏🙏
ଅର୍ଜୁନୀ ଚରଣ ବେହେରା
ମୋ -7693091971