କଥା ସରିତ
10th August 2024
ପଣତ କାନି
ଲାପଟପ ବ୍ୟାଗଟାକୁ ସୋଫା ଉପରକୁ ଏକଦମ୍ ଫୋପାଡି ଦେଇ ଲଥ କରି ବସି ପଡ଼ିଲି। ଓଃ…ଆଜି ଦିନସାରା କି କାମ…!! ଏସି ଅନ୍ କରି ସାମ୍ନାରେ ଟି ପୟ ଉପରେ ଥିବା ପାଣି ଗ୍ଲାସଟା ଉଠେଇ ଢକ୍ ଢକ୍ କରି ପିଇ ସାରିଲା ପରେ ଯାଇ ଜୀବନ ପଶିଲା।
ବାହାରେ କାମ କରୁ କରୁ ଘର ସହିତ ପ୍ରାୟ ସମ୍ପର୍କ ଦିନଟିଏ ପାଇଁ ଚ୍ଛିନ୍ନ ହୋଇଗଲା ପରି ଲାଗେ। ତେଣୁ ସମ୍ପର୍କର ସୁତାଖିଅ ଛିଣ୍ଡିଯିବା ଆଗରୁ ଯତ୍ନରେ ତାକୁ ଗଣ୍ଠି ପକେଇ ସମ୍ଭାଳି ନେବାର ଚେଷ୍ଟା କରିବାରେ ମୁଁ କେବେ ହେଳା କରେନି। ନିଲୁକୁ ରାତି ଖାଇବା ବନେଇବା ପାଇଁ କହିଦେଇ ଫ୍ରେସ ହେବାକୁ ଗଲି ଆଉ ସେଇଠୁ ସିଧା ଲିଟିଲ୍ ର ରୁମ୍ ଭିତରକୁ। ମୋତେ ଦେଖି କୁଣ୍ଢେଇ ଧରିଲା ସେ। ତା’ ମୁଣ୍ଡ ଆଉଁସି ଵୋହେ ଗେଲ କରିବା ପରେ ତା’ ପଢାକଥା ପଚାରିଲି।ଏଇଟା ମୋର ନିତିଦିନିଆ କାମ। ସେ ମଧ୍ୟ ତାର ସବୁ ହୋମୱର୍କ ଦେଖେଇଲା ଆଉ କହିଲା…”ମାମା…ଓଡ଼ିଆ ପ୍ରବନ୍ଧ ପାଇଁ ଟିକେ ପଏଣ୍ଟ ଡାକିଦିଅ…!!” ଲିଟିଲ୍ ଇଂରାଜୀ ଲେଖିବାରେ କେବେ ସାହାଯ୍ୟ ଖୋଜେନି କିନ୍ତୁ ଓଡ଼ିଆ ଲେଖା ଥିଲେ ମୋତେ ଅନେଇ ବସିଥିବ।ସହଜେ ଏମିତିକା ପ୍ରବନ୍ଧ ଲେଖା କାମ ବାକିଥିଲେ…!!
“କହ…କଣ ଟପିକ ଅଛି?” ପଚାରିବାରୁ ସେ ଝଟ କରି କହିଲା…”ପଣତ କାନି” ଆଉ ମୋତେ ଶୁଣିବାକୁ ଆଗ୍ରହରେ ମୋ ମୁହଁକୁ ଚାହିଁଲା।
ପଣତ କାନି…!! ୟା’ ବିଷୟରେ କଣ ବା ଲେଖା ଯାଇପାରେ…!!?? ସତରେ କଣ ପଣତ କାନିକୁ ବ୍ୟାଖ୍ୟା କରିବା ସମ୍ଭବ…!!?? ଏଇ କଥାଟି ଶୁଣିବା ସଙ୍ଗେ ସଙ୍ଗେ ମନ ଭିତରେ ଆପଣାର ସେଇ ଅଭୟ ପତଳା କପଡ଼ା ଖଣ୍ଡିକ ସାମ୍ନାକୁ ଆସିଯାଏ ଯାହା ମା’ର ଦେହରେ ଗୁଡେ଼ଇ ହୋଇ ତା’ର ପୁରା ସଂସାରକୁ ବାନ୍ଧି ରଖିଦେଇଥାଏ…!! ଏହା ଏପରି ଏକ ଶବ୍ଦ ଯାହାକୁ ଶବ୍ଦରେ ରୂପ ଦେବାପାଇଁ ହୁଏତ କେହି ମଧ୍ୟ ସକ୍ଷମ ହୋଇ ପାରିବେ ନାହିଁ।
ଆଖି ଖୋଲିଲା ପରେ ଯାହା ସାହାଯ୍ୟରେ ଶିଶୁର କୋମଳ ଶରୀରକୁ ଯତ୍ନରେ ପୋଛି ଦିଆଯାଏ ବୋଧେ ସେଇଟା ପଣତ କାନି…!!
ପ୍ରଥମଥର ହସିଲା ବେଳେ ଲାଳ ଖସି ଆସିଲେ ଯେଉଁ ସ୍ନେହ ପରଶଟା ତାକୁ ତଳେ ପଡ଼ିବା ଆଗରୁ ସ୍ନେହରେ ତୋଳିନିଏ ବୋଧେ ସେଇଟା ପଣତ କାନି…!!
ନୂଆ ଚାଲି ଶିଖି ପଡି ଯାଉଥିବା ବେଳେ ଯାହାକୁ ଧରି ଶିଶୁଟି ଦମ୍ଭ ଧରି ଠିଆ ହୋଇଯାଏ ବୋଧେ ସେଇଟା ପଣତ କାନି…!!
ଭାଇ ଭଉଣୀ ସହିତ ଖେଳୁ ଖେଳୁ ଯେଉଁ ଆସ୍ତରଣ ପଛରେ ନିଜକୁ ବିଶ୍ଵାସର ସହିତ ଲୁଚେଇ ରଖିହୁଏ ବୋଧେ ସେଇଟା ପଣତ କାନି…!!
ବାପାଙ୍କ ଗାଳିରୁ ବଞ୍ଚାଇବାକୁ ଯେଉଁ ଅଭୟ ଦୁର୍ଗଟେ ମିଳିଥାଏ ଯାହା ପଛରେ ଲୁଚିଗଲେ ଆଉ କିଛି ବି ଭୟ ଲାଗେନା… ସେଇଟା ବୋଧେ ପଣତ କାନି…!!
କେବଳ ବାପାଙ୍କ ଗାଳି ଭୟ କାହିଁକି ଅପିତୁ ରାତି ଅଧିଆ ଭୂତ ଭୟ କି ଅପରିଚିତ ଲୋକଙ୍କ ଭୟ କିମ୍ବା ଅନ୍ୟ ଯେ କୌଣସି ଭୟ ହେଉ ନା କାହିଁକି… ଯାହା ଆଖି ପିଛୁଳାକେ ଅଭୟ ଶରଣ ଦିଏ… ଦୃଢ଼ କରିଦିଏ… ସେଇଟା ବୋଧେ ପଣତ କାନି…!!
ଆଖିରୁ ଭୁଲରେ ଟୋପେ ଲୁହ ଭୁଲରେ ବାହାରି ଯିବାକୁ ଚେଷ୍ଟା କଲେ ଯାହା ସେହି ଲୁହ ସହ ସଂଗ୍ରାମ କରି ତାକୁ ବୋହି ଯିବାକୁ ଦିଏନା…ସେଇଟା ବୋଧେ ପଣତ କାନି…!!
ନିତିଦିନ ଠାକୁର ଆଗରେ ପାତି ହୋଇ ଯିଏ ସନ୍ତାନ ଆଉ ପରିବାରର ମଙ୍ଗଳ ଭିକ୍ଷା କରେ ବୋଧେ ସେଇଟା ପଣତ କାନି…!!
ଖରା ବର୍ଷାରେ ମୁଣ୍ଡ ଉପରେ ଛତାଟିଏ ପରି ଯାହା ଘୋଡେ଼ଇ ହୁଏ କିମ୍ବା ଶୀତ ରାତିରେ ଫୁଙ୍ଗୁଳା ଦେହ ଉପରେ ଚାଦରଟିଏ ପରି ଲଟେଇ ହୁଏ… ସେଇଟା ବୋଧେ ପଣତ କାନି…!!
ଯେତେବେଳେ ସନ୍ତାନର ସନ୍ତାନ ଦୁନିଆକୁ ଆସେ ଆଉ ତା’ ଆବଶ୍ୟକତା ଅନୁସାରେ ଦୋଳି ହୋଇ ତାକୁ ଝୁଲେଇ ଦିଏ କିମ୍ବା ସ୍ନେହର ନଭଶ୍ଚୁମ୍ବି ଅଟ୍ଟାଳିକା ପରି ତା’ ନାକ ପୋଛି ପକାଇ ତା’ ପାଟିର ଲାଳ ପୋଛିଲା ପରେ ଖୁସିରେ ନିଜର ଆଖିର ଲୁହକୁ ପୋଛି ପକାଏ…ବୋଧେ ସେଇଟା ପଣତ କାନି…!!
କେତେବେଳେ ଗାମୁଛା ପରି ତ କେତେବେଳେ ନାପକିନ ପରି ନାକ ପୋଛି ପକାଉଥିବା, ଝାଳ ପିଇ ଯାଉଥିବା ଦରଓଦା ସେଇ ପତଳା ଆପଣାର ବସ୍ତୁଟା ହିଁ ବୋଧେ ପଣତ କାନି…!!
ଏମିତି କେତେ କଣ ଭାବି ଚାଲିଲି ହେଲେ ପଣତ କାନିକୁ ଠିକ୍ ବ୍ୟାଖ୍ୟା କରିବାକୁ ଉପଯୁକ୍ତ ଶବ୍ଦ କିଛି ପାଇଲିନି। କିନ୍ତୁ ଲିଟିଲ୍ ସାମ୍ନାରେ ସେମିତି ନିଜର ଅସମର୍ଥ ପଣିଆ ଦେଖେଇବା ସମ୍ଭବ ନଥିଲା ତେଣୁ ଯେମିତି ପାରିଲି ସେମିତି ବୁଝେଇଲି। ଲିଟିଲ୍ ବହୁତ୍ ଆଗ୍ରହରେ ଶୁଣିଲା ଆଉ ଶେଷରେ କହିଲା…
“ବୁଝିଲି ଏଥର। ମାମାମାନେ ଶାଢ଼ୀ ପିନ୍ଧିଲେ ଯେଉଁ ଜିନିଷଟା ପୁଁଛ ପରି ଲଟକି ଥାଏ ସେଇଟା ହେଲା ପଣତ କାନି। ଆଉ ଯେଉଁ ମାମା ମାନଙ୍କର ପଣତ କାନି ନଥାଏ ସେମାନେ ବିନ୍ ପୂଁଛକେ ଜାନୱର …ରାଇଟ ମମ୍…!!??”
ମୋ ଉତ୍ତରକୁ ଅପେକ୍ଷା ନକରି ସେ ଲେଖି ଚାଲିଥିଲା ପଣତ କାନି ବିଷୟରେ ଆଉ ମୁଁ ଭାବୁଥିଲି କ’ଣ ସତରେ ସେଇ ପଣତ କାନି ବିନା ଆମେ ସବୁ ଆଧୁନିକ ମା’ ମାନେ ଲାଞ୍ଜବିହୀନ ପଶୁତୁଲ୍ୟ…!!??
କଥାଟା ଭାରି ବାଧିଲା ସତେ…!! ଆମେ ଯେଉଁ ଓଜନିଆ କାମକରା ଇସ୍ତ୍ରୀବାଲା ଶାଢ଼ୀ ପିନ୍ଧୁ ବୋଧେ ସେଥିରେ ସେଇ ପୂଁଛ ଭଳିଆ ଥିବା ବସ୍ତୁକୁ ପଣତ କାନି କୁହାଯାଇ ପାରିବନାହିଁ…!!?? ଆଉ କେବଳ ଏଇ ଗୋଟିକର ଅଭାବ କଣ ଜଣେ ମା’ କୁ ମାତୃତ୍ଵ ଠାରୁ ଭିନ୍ନ କରି ଦେଇପାରେ…!!?? ଅନେକ ପ୍ରଶ୍ନ ଆପଣା ଛାଏଁ ମନକୁ ଧସି ପଶେଇ ଆସୁଥିଲା ଆଉ ମୋ ମୁଣ୍ଡ ଭିତରେ ହାତୁଡ଼ି ପିଟିଲା ପରି ପିଟି ଚାଲିଥିଲା।
ଶୋଇଲା ବେଳେ ମନ ଦୃଢ଼ କରି ଶୋଇଥିଲି ଯେ ସକାଳୁ ମା ଙ୍କର ସୂତା ଶାଢ଼ୀ ଗୋଟିଏ ପିନ୍ଧିବି ଆଉ ଲିଟିଲ୍ ପଣତକାନି ଦେଖି ଖୁସି ହେଇଯିବ। ହେଲେ ସକାଳୁ ଲିଟିଲ୍ ସ୍କୁଲରେ ପିଟି ମିଟିଂ ଥିବାରୁ ସେକଥା ଆଉ ମନେ ନଥିଲା। ସବୁ ମାତାପିତାଙ୍କ ସହିତ ମୁଁ ମଧ୍ୟ ଅପେକ୍ଷା କରୁଥିଲି ଟିଚର୍ସଙ୍କ ସହ କଥା ହେବାକୁ।
ମ୍ୟଡମ୍ ଲିଟିଲ୍ ର ବହୁତ୍ ତାରିଫ୍ କରୁଥିଲେ। ମୋ ଝିଅ କ୍ଲାସରେ ପ୍ରଥମ ହେବା ସହିତ ଅନେକ ପ୍ରତିଯୋଗିତା ମଧ୍ୟ ଜିତିଥିଲା। ସ୍କୁଲର ପ୍ରିନ୍ସିପଲ୍ ଆମକୁ ତାଙ୍କ କୋଠରୀକୁ ଡାକି ବହୁତ୍ ପ୍ରଶଂସା କଲେ।ଖୁସିରେ ଲିଟିଲ୍ ଆଖିରୁ ଟୋପେ ଲୁହ ଖସି ଆସିବା ପୂର୍ବରୁ ମୁଁ ମୋ ସାଇଡ ପର୍ସ ଭିତରୁ ଟିସୂ ପେପରଟିଏ ବାହାର କରି ପୋଛି ଦେଲି ଆଉ ଲିଟିଲ୍ ସଜଫୁଟା ପଦ୍ମ ପରି ହସି ଉଠିଲା। ତା ସକ୍ସେସ ପାଇଁ ତାକୁ ବଧେଇ ଦେବା ସହିତ ପିଜାହଟ୍ ନେଇ ତା’ ପସନ୍ଦର ଖାଇବା ଅର୍ଡର କଲି। ଆନନ୍ଦରେ କିଛି କ୍ଷଣ ବିତେଇବା ବେଳେ ସସ୍ ଟିକେ ଲାଗି ଯାଇଥିଲା ଲିଟିଲ୍ ଓଠ କୋଣରେ। ତାକୁ ମଧ୍ୟ ଟିସୁ ବାହାର କରି ଯତ୍ନରେ ପୋଛିଦେଲି। ଘରକୁ ଆସିଲା ପରେ ଲିଟିଲ୍ କିଛି ସମୟ ମୋତେ ଚାହିଁଲା ଆଉ କହିଲା…”ମମ୍…କାଲିର ମୋର କମ୍ପାରିଜନଟା ଭୁଲ ଥିଲା ନା…? ସେଇ ଯେଉଁ ପଣତ କାନି ବିଷୟ ମୋତେ କହୁଥିଲ ତାର କାମ ସବୁ ତା’ ବିନା ବି ତମେ କରୁଛ। ଦାଟ ମିନ୍ସ…”
ତା’ କଥା ଅଧାରେ ରଖି ମୁଁ କହି ଉଠିଲି…”ୟେସ ମାଇ ଚାଇଲ୍ଡ…ପଣତ କାନି ଶାଢ଼ୀର ଧାରରେ ନଥାଏ। ତାହା ଥାଏ ମା’ର ମମତା ଭିତରେ। ମାର ମମତା ଆଉ ସ୍ନେହ ତା ମନର ପଣତ କାନିରେ ସାଇତି ହୋଇ ରହିଥାଏ। ତୋ କମ୍ପାରିଜନ ଭୁଲ ନଥିଲା। ହଁ ଏମିତି କହି ପାରିବୁ ଏଇଟା ଥିଓରୀ ଅଫ ଇଭୋଲୁସନ୍ ମାନେ ବିବର୍ତ୍ତନବାଦର ଉଦାହରଣ। ଯେମିତି ଆମେ ମନୁଷ୍ୟ ଧିରେ ଧିରେ ବିନା ପୁଞ୍ଛକେ ହୋଇଯାଇଛନ୍ତି ଠିକ୍ ସେମିତି ମାଆମାନେ ମଧ୍ୟ ପଣତ କାନି ବିନା ଟିକେ ମୋଡ଼ିଫାଇଡ ହୋଇ ଯାଇଛନ୍ତି…ବୁଝିଲୁ?”
ମୋ କଥା ଶୁଣି ଲିଟିଲ୍ ଖୁସି ହୋଇ ଆସି ମୋ ଛାତିରେ ଲୋଟି ପଡ଼ିଲା ଆଉ ମୋ ବାହୁରେ ତାକୁ ଛନ୍ଦି ପକେଇଲି ଠିକ୍ ସେମିତି ଯେମିତି ମୁଁ ଯାଇ ମୋ ମାଆଙ୍କର ପଣତ କାନି ଭିତରେ ପଶିଯାଇ ତାଙ୍କୁ କୁଣ୍ଢେଇ ପକାଉଥିଲି…!!
ମଧୁମିତା ମିଶ୍ର
ଭୁବନେଶ୍ୱର
9438470807