ପ୍ରଥମେ ବିଜୟ, ଦ୍ବିତୀୟେ ପ୍ଯାରୀ,
ତୃତୀୟେ ବୈଜୟନ୍ତ, ଚତୁର୍ଥେ ମୋଡି,
ଏବେ କେହି ପଞ୍ଚମରେ; ନବୀନ ଗୌରୀ !
କୁମ୍ଭୀର ପିଠିରେ ବସି ନଈ ପାର ହେଉଥିବା ମାଙ୍କଡ ଯଦି କୁମ୍ଭୀରକୁ ପାଣିରେ ବୁଡେଇ ମାରି ଦେବାକୁ ଚେଷ୍ଟା କରେ,ଫଳ ଯାହା ହୁଏ ଆଜିଯାଏ ତାହା ହିଁ ହୋଇଛି ଏବଂ ଏଥର ବି ସେହିପରି ହେବାର କଥା ।
ଗପଟିଏ ଶୁଣନ୍ତୁ
ଗୋଟିଏ ନଈକୁଳେ ଦଳେ ମାଙ୍କଡ ଥାଆନ୍ତି ।
ନଈ ଆର ପାରିରେ ଫସଲ ଗାଁ ।
ଖାଇ ପିଇ ବଞ୍ଚିବାକୁ ହେଲେ ମାଙ୍କଡଙ୍କୁ ନଈ ପାରି ହେବାକୁ ପଡେ ।
ନଈ ଡେଇଁବାକୁ ମାଙ୍କଡଙ୍କର ବଳ ନଥାଏ ।
ସେ ନଈର ରାଜା ବଉଳା କୁମ୍ଭୀର ।
ବଉଳାର ଖାଇବା ପିଇବା ରହିବା ଅସୁବିଧା ନଥିଲା କି ତା ପିଲା ଗୌରୀର ଖାଇବା ପିଇବା ରହିବା ଅସୁବିଧା ବି ନଥାଏ ।
କିନ୍ତୁ ବିଚରା ମାଙ୍କଡ ଦଳର ଭାରି ନିଅଣ୍ଟିଆ ସ୍ଥିତି, ବଡ ଦୟନୀୟ ପରିସ୍ଥିତି ।
ବଉଳା, ମାଙ୍କଡ ଦଳର ଏ ବିକଳ ବୁଝିପାରେ । ମାଙ୍କଡମାନଙ୍କର ବିକଳ ସହି ନପାରି ତାଙ୍କୁ ପ୍ରତିଦିନ ପିଠିରେ ବସେଇ ନଈ ପାରି କରିଦିଏ ।
ତାଙ୍କ ଭିତରେ କେଇଟା ଅଣ୍ଡିରା ମାଙ୍କଡ ଥାଆନ୍ତି, ସେମାନଙ୍କ ମନରେ ବେଳେ ବେଳେ ଗୋଟେ ଅଦ୍ଭୁତ ପୌରୁଷତ୍ୱ ଜାଗିଉଠେ, ସେମାନେ ଭାବନ୍ତି ଆମେ ତ ନଈ ଡେଇଁ ପାରିବୁ, କିନ୍ତୁ ଆମ ବୋପାମାନେ ବଉଳା ପିଠିରେ ବସି ନଈ ପାର ହେଉଥିଲେ, ଆମେ ଏବେ ଗୌରୀ ପିଠିରେ ବସି ନଈ ପାରି ହେଉଛୁ, ଏପରି କରିବା ଦ୍ୱାରା ଆମ ମାଙ୍କଡ ଦଳ ପ୍ରତି ଘୋର ଅପମାନ ହେଉଛି ।
ତେଣୁ କୁମ୍ଭିରକୁ ପାନେ ଦେବାକୁ ସେମାନେ ମଝିରେ ମଝିରେ ମୁଥେ ମୁଥେ ଚେଷ୍ଟା କରନ୍ତି, ତାଙ୍କ ପୂର୍ବ ପିଢି ବି କେତେ ଥର ସେପରି ଚେଷ୍ଟା କରିଛନ୍ତି, ଅବଶ୍ୟ ସଫଳ ହୋଇ ନାହାନ୍ତି, କୌଣସି ପ୍ରାକୃତିକ କାରଣରୁ ।
ଏପରି ଉଦ୍ଦେଶ୍ୟଟିଏ ସାଧନ କରିବାକୁ ସେମାନଙ୍କର ସର୍ବମୋଟ ସର୍ବକାଳୀନ ସର୍ବୋତ୍କୃଷ୍ଟ ଯୋଜନାଟି ହେଲା –
କୁମ୍ଭୀର ଯେତେବେଳେ ଆମ ମାଙ୍କଡ ଦଳଙ୍କୁ ପିଠିରେ ବସେଇ ନଈ ପାର ହେଉଥିବ, ଠିକ୍ ମଝି ନଈରେ ପହଞ୍ଚିବା କ୍ଷଣି ଆମେ ତାକୁ ପାଣିରେ ବୁଡେଇ ମାରିଦେବୁ, ସେମାନେ ସେଇ ଚେଷ୍ଟା ଟି ବି କରନ୍ତି।
ବଉଳା ସେ କଥା ଜାଣିପାରେ, ତା ସହ ଏକଥା ବି ଜାଣେ ଯେ କେଇଟା ଉତପାତିଆ କୃତଘ୍ନଙ୍କ ପାଇଁ ଦଳେ ନିର୍ଦୋଷ ମାଙ୍କଡ ପାଣିରେ ବୁଡି ମରିଯିବେ, ତାର ଦୟା ହୁଏ ।
ତେଣୁ ସିଏ କାଇଦା କରି ତା ଲାଞ୍ଜରେ ସେ ଉତପାତିଆଙ୍କୁ ପାହାରେ ଚଢେଇ ଦିଏ, କୁମ୍ଭୀର ଲାଞ୍ଜ ପାହାରକୁ ମାଙ୍କଡ ହାଡ, ଯାହା ହୁଏ । ଭାଙ୍ଗି ଚୁନା ।
ବଉଳା ସେଇଆ କରୁଥିଲା, ଗୌରୀ ତ ସେକଥା ଦେଖିଛି, ତେଣୁ ସିଏ ବି ବେଳେବେଳେ ଏମିତି ଲାଞ୍ଜ ହଲେଇ ଦେଇ ତା ନଈରେ ସିଏ ଖେଳୁଛି ।
( ପ୍ରଥମେ ବିଜୟ, ଦ୍ବିତୀୟେ ପ୍ଯାରୀ,
ତୃତୀୟେ ବୈଜୟନ୍ତ, ଚତୁର୍ଥେ ମୋଡି,
ଏବେ କେହି ପଞ୍ଚମରେ, ନବୀନ ଗୌରୀ ! )
– ଲକ୍ଷ୍ମୀଧର ନାୟକ