ବଂଶୀ ଆମ୍ଭର ସ୍ୱଭାବ ଚିହ୍ନ ସୁଦର୍ଶନ
ଖୁଆ କରି ଗୋପୀ କରେ ଦଧି ଯେ ମନ୍ଥନ ।
ସଂସାର ମହୋଦଧୀକୁ କାଳ ଚକ୍ରେ ମନ୍ଥି
କାଢଇ ଲବଣୀ ଘୃତ ଏ ଗୋପାଳ ରୀତି ।
କୃଷ୍ଣ ଆମ୍ଭ ଜ୍ଞାନ ଦାତା କୃଷ୍ଣ ଆମ୍ଭ ଇଷ୍ଟ
କୃଷ୍ଣ ଆମ୍ଭ ସଖା ମାତାପିତା ରାଧାକୃଷ୍ଣ ।
କୃଷ୍ଣ ଯେତେବେଳେ ଗୋପେ ଜନମ ହୋଇଲେ
ବ୍ରହ୍ମା ଅନୁଗ୍ରହ କରି ବଂଶୀ ତାଂକୁ ଦେଲେ ।
ସତ୍ଯ ଯୁଗେ ଶ୍ୱେତ ରାଜା ଯଜ୍ଞ କରୁଥିଲେ
ତହିଁରୁ ଯେ ବେଣୁ ବୃକ୍ଷ ଗୋଟି ଜାତ ହେଲେ ।
ସାତ ପବ କରି ତାକୁ କଲେ ଖଣ୍ଡ ଖଣ୍ଡ
ଖଣ୍ଡିଏ ବଂଶୀ ହୋଇଲା ଧନୁ ଛଡ ଖଣ୍ଡ ।
ପୀନାକି ସାରଂଗ ହୋଇ କୋଦଣ୍ଡ ଗାଣ୍ଡିବ
ବଇଷ୍ଣବୀ ଅଜଗବ ଛ ଖଣ୍ଡି ଜାଣିବ ।
ଶେଷ ପବ ଖଣ୍ଡ ବଂଶୀ କଲେ ବେଦବର
ସପ୍ତ ରଂଧ୍ର କଲେ ବସାଇଣ ସପ୍ତ ସ୍ୱର ।
ପ୍ରଥମ ରଂଧ୍ରେ ବାଜିଲେ ରାଧାନାମ ଉଠେ
ଦ୍ୱିତୀୟ ରଂଧ୍ରେ ବାଜିଲେ ନୀପ ଫୁଲ ଫୁଟେ ।
ତୃତୀୟ ରଂଧ୍ରେ ବାଜିଲେ ପାଷାଣ ମିଳାଇ
ଚତୁର୍ଥ ରଂଧ୍ରେ ବାଜିଲେ ଧେନୁ ତୃଣ ଖାଇ ।
ପଂଚମ ରଂଧ୍ରେ ବାଜିଲେ ଯମୁନା ସ୍ଥକିତ
ଷଷ୍ଠରେ ବାଜିଲେ ଶୁଷ୍କ ତରୁ ପଲ୍ଲବିତ ।
ସପ୍ତମେ ବାଜିଲେ ପତିବ୍ରତା ମତି ହରେ
ବଂଶୀନାଦ ଶୁଣି ବିମୋହିତ ତିନିପୁରେ ।
ଏ ବଂଶୀ ଘେନିଣ ଆମ୍ଭେ ଗୋଷ୍ଠେ ଯାଉ ନିତି
ଶିଂଘା ଦେଲେ ମହାଦେବ ଷଢକ୍ଷରେ ମଂତ୍ରି ।
(ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ବିରଚିତ ଗୋପାଳ ଓଗାଳରୁ ସଂଗୃହୀତ)