ନିର୍ବିକାର ଜୀବ
— ତ୍ରିଲୋଚନ
ପିତା ସେଇ ତରୁ ଭାବେ ନାହିଁ ଗରୁ
ପୁତ୍ର କଲେ ଆରୋହଣ
ଫଳ କରି ଶେଷ ବର୍ଷିଲେ ପୁରୀଷ
ପିତା ଭାବେ ଶ୍ରୀଚନ୍ଦନ॥
ପିତା ସେଇ ଗିରି ଯାଏ ନାହିଁ ଟଳି
ଖାଇ ନିନ୍ଦା ବଜ୍ରବାଣ
ଅଟଳ ପଣରେ ବରଂ ଟାଣ ଧରେ
ଧନ୍ୟ ପିତା ସହ୍ୟପଣ॥
ପୁତ୍ରର କ୍ରୋଧରେ ଅଗ୍ନି ବରଷିଲେ
ଜଳ ସାଜେ ପିତୃପଣ
ତାପ ଲାଗିଗଲେ ପୁତ୍ରର ଦେହରେ
ଚନ୍ଦ୍ର ସାଜେ ପିତାମନ॥
ବନ୍ୟା ଯଦି ସାଜେ ପୁତ୍ର ଦିନେ କେଵେ
ନଦୀ ସାଜେ ପିତା ଦେହ
କଣ୍ଟା ବାଜିଗଲ ପୁତ୍ରର ଦେହରେ
ଛୁଟେ ପିତା ଆଖି ଲୁହ॥
ତୂଣୀରେ ପୁତ୍ରର ମନ୍ତ୍ରପୂତ ଶର
ସାଜି ରହିଥାଏ ପିତା
ଆପଣା ମନକୁ ଶତ୍ରୁର ଦିଗକୁ
ଛୁଟେ ଛାଡି ପ୍ରାଣ ଚିନ୍ତା॥
ପିତା ସେଇ ଛାତି ଆସୁଥିଲେ କାତି
ସନ୍ତାନ ଆଡକୁ ଛୁଟି
ବିନା ବିଚାରରେ ଛିଡା ହୋଇପାରେ
ତିଳେ ବି ନକରି ତ୍ରୁଟି॥
ପିତା ସେଇ ଯାନ କଲେ ଆରୋହଣ
ତ୍ରିପୁର ବିଜୟୀ ପୁତ୍ର
ନେତ୍ର ଦେଖେନାହିଁ ପିତା ସମ କେହି
ଜଗତରେ ଅଛି ଛତ୍ର॥
ଦେଖି ନାହିଁ ବିଶ୍ବ ପିତା ପରି ଅଶ୍ବ
ବେଗବାନ ଧାଇଁବାରେ
ବୟସର ଭାର ନ ଥାଏ ବିଚାର
ପୁତ୍ର ପାଇଁ ପିତାଠାରେ॥
ପିତା ସେଇ ହସ୍ତୀ କରେ ନାହିଁ ନାସ୍ତି
ପୁତ୍ର ଭାର ବହିବାରେ
ସକ୍ଷମ ଅକ୍ଷମ ଆଜ୍ଞାନ ଅଧମ
ପିତା ଦେଖେ ସମ ତୁଲେ।
ନିର୍ବିକାର ଜୀବ ସଂସାରେ ନ ଥିବ
ପିତା ପରି ଆଉ କେହି
ଧିକ ତା ଜୀବନ ପିତା ସ୍ନେହ ଧନ
ପୁତ୍ର ହୋଇ ବୁଝେ ନାହିଁ॥
ତ୍ରିଲୋଚନ ପଣ୍ଡା
———–
ଧାମନଗର, ଭଦ୍ରକ