ନବୀନ ସରକାରଙ୍କ 5 ଟି ଭଲ କାମ : ମୋର ବ୍ୟକ୍ତିଗତ ମତ ..

Share it

ମୋର ବ୍ୟକ୍ତିଗତ ମତ …..

ନବୀନ ସରକାରଙ୍କ 5 ଟି ଭଲ କାମ :

1. କ୍ଷୁଧାମୁକ୍ତି :

ପ୍ରତ୍ୟେକ ସାଧାରଣ ଲୋକଙ୍କ ପରିବାରକୁ ଅନ୍ନ ପହଞ୍ଚାଇବାର ବ୍ୟବସ୍ଥାକୁ ସୁନିଶ୍ଚିତ କରିପାରିବା । ଲକ୍ଷେ ଭୁତ ବରଂ କାର୍ଡରେ ଟଙ୍କିକିଆ ଚାଉଳ ନିଅନ୍ତୁ କିନ୍ତୁ ଜଣେ ବି କେହି ହା ଅନ୍ନ ଚିନ୍ତାରେ ନରହୁ, ଅନାହାରରେ ନମରୁ, ଏପରି ଗୋଟେ କଥା ।

2. ସ୍ୱାସ୍ଥ୍ୟ ସମ୍ପତ୍ତି :

ସ୍ୱାସ୍ଥ୍ୟକୁ ରାଷ୍ଟ୍ର ସମ୍ପଦ ବିବେଚନା କରିବାର ମାନସିକତା ଓ ନିଷ୍ପତ୍ତି ।

ସବୁ ସରକାର ସ୍ବାସ୍ଥ୍ୟସେବାରେ ପଇସା ଖର୍ଚ୍ଚ କରନ୍ତି, କ୍ବଚିତ୍ ସରକାର ସାଧାରଣ ନାଗରୀକର ସ୍ବାସ୍ଥ୍ୟକୁ ରାଷ୍ଟ୍ର ସମ୍ପଦ ବିବେଚନା କରିବାର ଅନ୍ତର୍ଦୃଷ୍ଟି ଓ ଏହାର ଦାୟିତ୍ୱ ନେବାର ମାନସିକତା ଓ ଦକ୍ଷତା ରଖନ୍ତି ।

ମାତୃ ଗର୍ଭରେ ଭ୍ରୁଣ ସଞ୍ଚାର ଦିନରୁ ଆରମ୍ଭ କରି ରୋଗ ଚିକିତ୍ସା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଏଟିଏମ୍ କାର୍ଡ ବାଟ ଦେଇ ହରି ପ୍ରାପ୍ତି ହରିଶ୍ଚନ୍ଦ୍ର ଯୋଜନା ପର୍ଯ୍ୟନ୍ତ ଦାୟିତ୍ୱ ଓ ତଦନୁରୁପ ସ୍ବାସ୍ଥ୍ଯଭିତ୍ତିଭୁମି ବିକାଶ ଆଗ୍ରହ ଗୋଟେ ଛୋଟିଆ ପ୍ରୟାସ ଓ ନିଷ୍ଠାର କଥା ନୁହେଁ ।

ଏଥିରେ ଅବଶ୍ଯ ତିନୋଟି ଛୋଟିଆ ଟିକି ଟିକି ଅଭାବ ରହିଛି ।

ପ୍ରଥମ – ଏ ବିଜୁ ସ୍ୱାସ୍ଥ୍ୟ କାର୍ଡ କେବଳ ରେସନ କାର୍ଡଧାରୀଙ୍କ ପାଇଁ ନହୋଇ 5 ଲକ୍ଷରୁ କମ୍ ବାର୍ଷିକ ଆୟ ଥିବା ସମସ୍ତ ଲୋକଙ୍କ ପାଇଁ ହେବା ନିହାତି ଆବଶ୍ୟକ, କାରଣ ମଧ୍ୟବିତ୍ତକୁ ଏ ସ୍ୱାସ୍ଥ୍ୟ ଖର୍ଚ୍ଚ ସବୁଠୁ ବେଶି ଦୋହଲାଇ ଦିଏ ।

ଦ୍ୱିତୀୟ – ସ୍ୱାସ୍ଥ୍ୟ କର୍ମଚାରୀମୀନଙ୍କ ଉତ୍ସର୍ଗୀକୃତ ସେବା ମନୋଭାବର ଅଭାବ ଓ ସରକାରୀ ପଇସାକୁ ପୋଲା ଧନ ଭାବି ଅପବ୍ୟୟ କରିଦେବାର କୁସଂସ୍କାର ।

ତୃତୀୟ – ଏ ସମ୍ପର୍କୀତ ସମସ୍ତ କଥାର ଉପଯୁକ୍ତ ପ୍ରଚାର ପ୍ରସାରର ଅଭାବ ।

3. ଶିକ୍ଷା ପ୍ରୀତି :

ଡେରିରେ ହେଉ ପଛେ ସରକାର ଏବେ ଏହା ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି ଓ ସଠିକ୍ ନକ୍ସାରେ ଆଗକୁ ଅଗ୍ରସର ହେଉଛନ୍ତି ବୋଲି ମୋର ହୃଦବୋଧ ହେଉଛି ।

ପ୍ରତି ପଞ୍ଚାୟତରେ ଅନ୍ତତଃ ଗୋଟିଏ ଉଚ୍ଚମାନର ସମ୍ପୂର୍ଣ୍ଣ ଶୈକ୍ଷିକ ଭିତ୍ତିଭୁମିଯୁକ୍ତ ମଡେଲ୍ ବିଦ୍ୟାଳୟ ଓ ଏକ ଦୃଢ ଚୟନ ପରୀକ୍ଷା ମାଧ୍ୟମରେ ଆବଶ୍ୟକୀୟ ଗୁଣବତ୍ତା ବିଶିଷ୍ଟ ସୁଯୋଗ୍ଯ ଶିକ୍ଷକ ନିଯୁକ୍ତି ନିଷ୍ପତ୍ତି ନିକଟ ଭବିଷ୍ୟତରେ ଏକ ସୁନ୍ଦର ଓ ପ୍ରଭାବି ଶିକ୍ଷା ପରିବେଶ ସୃଷ୍ଟି କରିବାର ଦକ୍ଷତା ରଖିବ ନିଶ୍ଚୟ ।

ଏଥିରେ ଆବଶ୍ୟକ ହେଉଥିବା କେତୋଟି ଛୋଟମୋଟ ପ୍ରଶାସନିକ ଯୋଗ ବିୟୋଗ କାର୍ଯ୍ୟ କଥା ଲେଖିଲେ କଥାଟା ବହୁତ ଲମ୍ୱା ହୋଇଯିବ, ଲେଖା ନଯାଉ ।

4. ମିଶନ ଶକ୍ତି :

ମୁଳଦୁଆ ପଡି ସାରିଛି । ଏମାନଙ୍କୁ କେବଳ ଏକ ମହା ଉତ୍ପାଦିକା ଶକ୍ତିରେ ରୂପାନ୍ତରୀତ କରିପାରିବାର ଦୂରଦୃଷ୍ଚି ଓ ନେତୃତ୍ବ ଯୋଗ କରିବାର ଆବଶ୍ୟକତା ରହୁଛି ।

ସରକାର ସେକଥା ଗୁରୁତ୍ବର ସହ ଭାବୁଛନ୍ତି, ରାସ୍ତାଟି ଠାବ କରିବାରେ ଟିକେ ହଡବଡୋଉଛନ୍ତି ବୋଧେ । ତା ସତ୍ତ୍ୱେ ବି ସରକାରଙ୍କ ମିଶନ ଶକ୍ତି ଉଦ୍ ବେଳନ କହୁଛି ସେମାନେ ଆଜି ନହେଲେ କାଲି ଠିକଣା ରାସ୍ତା ବାଛି ନେବେ ।

5. ପ୍ରାକୃତିକ ବିପତ୍ତି :

ପ୍ରତ୍ୟେକ ଜୀବନ ମୁଲ୍ୟବାନ ମତିରେ ଏ କ୍ଷେତ୍ରରେ ସଫଳ ନିଷ୍ଠାର ସହ କାମ କରୁଥିବା ଆମ ସରକାର ତ ବହୁ ପ୍ରଶଂସିତ ଓ ବିନା ଦ୍ୱିଧାରେ ପ୍ରଶଂସାଯୋଗ୍ୟ ମଧ୍ୟ । ଏ ଜଣା କଥାଟାକୁ ବେଶି ବଖାଣିବା ଅନାବଶ୍ୟକ।

ସରକାରଙ୍କ 5 ଟି ବିଫଳତା :

ସରକାର ତ ବିରାଟ, ଏହାର ଦାୟିତ୍ୱ ମଧ୍ୟ ବିରାଟ, ଛୋଟ ମୋଟ ସବୁ ବିଫଳତା ଗଣି ବସିଲେ ବହୁତ ହେବା ସ୍ବାଭାବିକ୍, 5 ଟି କୁହାଯାଉ ।

1. ଦଣ୍ଡିବା ଶକ୍ତି ଯାର ନାହିଁ :

ରାଜ୍ୟରେ ନାରୀ କର୍ତ୍ତୃକ ପ୍ରାୟୋଜିତ ଦୁଷ୍କର୍ମ ଓ ସରକାରଙ୍କ ଅହେତୁକ ଉଦାସୀନତା ।

ଏ କଥା ପଡିଲେ ଏ ସରକାର ଉପରେ ଏତେ ରାଗ ଆସୁଛି ଯେ ବିସ୍ତାରୀ ଲେଖିବାର ଧୈର୍ଯ୍ୟ ହିଁ ରହୁନି ।

ନାରୀ ସମ୍ମାନ ଲୁଣ୍ଠନକାରୀଙ୍କୁ ଦଣ୍ଡିବା ଶକ୍ତି ଯାର ନାହିଁ, ସେଟା ଗୋଟେ ସରକାରରେ ଗଣା ? ଛିଃ…..

2. ଶିଳ୍ପର ଅର୍ଥ ଜଣା ନାହିଁ :

ସଖାଳୁ ଉଠିବା ଠୁ ଶୋଇବା ପର୍ଯ୍ୟନ୍ତ ମୋତେ ଟୁଥ୍ ପେଷ୍ଟ, ଗାମୁଛା, ସାବୁନ, ସର୍ଫ, କଢେଇ , ଡେକଚି, ଥାଳି ଗିଲାସ ତାଟିଆ ଗିନା, ତେଲ, ମସଲା, ବେଗ୍, ଶାଢୀ, ଧୋତି, ପେଣ୍ଟ, ସାର୍ଟ , ଡ୍ରେସ୍, ମୋଜା, ଜୋତା, ଛତା, ସାଇକଲ, ସ୍କୁଟି, ମଟର ସାଇକଲ୍, କାର୍ ଦରକାର, ଏ ଗଧା ଶିଳ୍ପ ବିଭାଗ ମୋ ବକ୍ସାଇଟ୍ ପାହାଡକୁ ଚୁରି ପାଉଡର କରି ବିକି ଦେବାକୁ ମତେ ଶିଳ୍ପ ବୋଲି ବୁଝୋଉଚି ।

ନୁଆ ଶିଳ୍ପ ଖୋଲିବା ଶୂନ, ଶହ ଶହ ମଧ୍ୟମ କ୍ଷୁଦ୍ର ଶିଳ୍ପ କାରଖାନାରେ ୟାଙ୍କ ଆଖି ସାମନାରେ ତାଲା ଝୁଲୁଚି ।

ମୋ ରାଇଜ ଛୁଆ ସୁରଟ କେରଳ ତାମିଲନାଜୁ ହାଇଦରାବାଦ୍ ଦାଦନ ଯାଉଛି ।

ଏ ଦିନ ଜଳକା କଣାଙ୍କୁ କଣ ବା ଉପମା ଦେବା ? ଧେତ୍ ….

3. କୃଷି ବିକାଶ ଅକଲ ନାହିଁ କି ନିଷ୍ଠା ନାହିଁ :

ରାଜ୍ୟ ସରକାର ବହୁତ କୃଷି କର୍ମଣ ମେଡାଲ ପାଉଛନ୍ତି ଯେ ହେଲେ କହିବେ କି ସରକାର – ମୁଁ କାହିଁକି ପଶ୍ଚିମ ବଙ୍ଗ ଦିଦିକୁ ଆଳୁ, ମହାରାଷ୍ଟ୍ର ନାସିକ୍ କୁ ପିଆଜ ରସୁଣ, ଆନ୍ଧ୍ରକୁ କଦଳୀ, ଗୁଜୁରାଟକୁ ଅମୁଲ ପାଉଡର ମାଗି ଖାଉଚି ?

ଲିଷ୍ଟ ଏତେ ଲମ୍ୱା ଯେ ଲେଖିବାକୁ ଲାଜ ଲାଗୁଚି ।

ହେ ମୋର ପ୍ରିୟ ସରକାର !
ତୁମ କୃଷି କର୍ମଣ ସାର୍ଟିଫିକେଟ ପରିପ୍ରେକ୍ଷୀରେ ଦୟାକରି କହିବ କି,
What purpose a No Pregnancy certificate serves for a 9 months advanced lady ?

ଏ କ୍ଷେତ୍ରର ଉନ୍ନତି ପାଇଁ ନା ଜ୍ଞାନ ନା ଧନ କିଛି ବି ଅଭାବ ନାହିଁ , ବିଭାଗ ପାଖରେ ଅକଲ ବି ଥିବ ହେଲେ ନିଷ୍ଠା ଟି ନାହିଁ ।

ଏ ବିଭାଗଟା ଗୁଡାଏ ଚାଷୀ ସବସିଡି ଖିଆ ପରଜୀବି ନିର୍ମୁଳି ଲଟାଙ୍କ ସମାହାର ପରି ମୋତେ ଲାଗେ । ଭାକ୍ …..

4. ମୋ ସରକାର – ସୁନ୍ଦର ଭାବନା ସୁନ୍ଦର ଲେଖା, ହେଲେ ପିସି ଖୋର୍ ବ୍ଲକ୍ କର୍ମଚାରୀ ଓ ଲାଭ ଖୋର୍ କଣ୍ଟ୍ରାକ୍ଟର ସେ କଥା ମାନନ୍ତି ନାହିଁ :

ଲେଖୁ ଲେଖୁ କଥାଟା ଏତେ ଲମ୍ୱା ହେଇଗଲାଣି , ଏ ବିଷୟରେ ବେଶି କିଛି ଲେଖା ନଯାଉ । କେବଳ ଏତିକି କୁହାଯାଉ ଯେ ଆମ ଅଫିସର, କଣ୍ଟ୍ରାକ୍ଟର, ସରପଞ୍ଚ, ନେତା ଏମାନଙ୍କର ଜ୍ଞାନ ଉଦୟ ବ୍ୟବସ୍ଥାଟିଏ କରାଯାଉ, ଯେପରି ଏମାନେ ସରକାରୀ ଧନ ବ୍ୟୟ କରିବାକୁ ତତ୍ପର ହେବେ, ଅପବ୍ୟୟ କରିବାକୁ ମନ ବଳାଇବେ ନାହିଁ ।
ସୁଦୁ ଫାଲତୁ ଅମଣିଷ ଦଳ….

5. ଥାନା – ଥାଇ କି ନାହିଁ :

ଏ ସମ୍ପର୍କରେ କଣ ବା ଲେଖିବି ? ଏ ନ୍ୟାୟ ଧାମର ଅନ୍ୟାୟ ବିଷୟରେ କାହାକୁ କୋଉ କଥା ବା ଅଜଣା ଯେ ଲେଖିବା ପର୍ଯ୍ୟନ୍ତ କଥା ଯିବ ?

କହିଲି ନା, ସାଧାରଣ ଲୋକଙ୍କ ପାଇଁ ଏଗୁଡା ଥାଇ କି ନାହିଁ ।

ଏବେ କେହି ବ୍ରିଟିଶ ଲୋକ ତ ପୁଲିସି ହେଉ ନାହାନ୍ତି, ମୋରି ଲୋକ ତ ଏ ନ୍ୟାୟ ଦଣ୍ଡଧାରୀ, କହିବି କାହାକୁ ?

ସେମାନଙ୍କ ଅସହାୟା ମା’ ମାନଙ୍କୁ ପ୍ରଣାମ କରୁଚି, ସେମାନଙ୍କର କିଛି ନ୍ୟାୟ ଦଣ୍ଡଧାରି ନୀତିହୁଡା ପିଲାମାନଙ୍କୁ ଭର୍ତ୍ସନା କରିବାକୁ ପଡୁଥିବାରୁ ।

ସରକାରଙ୍କ ଭଲ କହିଲି, ଭୁଲ୍ ବି କହିଲି । ବହୁ ଭଲ କାମରେ ମନ ନିବେଶ କରୁଥିବାରୁ ଏ ସରକାର ବହୁ ଲୋକଙ୍କର ବହୁମାତ୍ରାରେ ପ୍ରିୟ ମଧ୍ୟ – ଏକଥା ବି କହୁଛି ।

ଏ ବହୁ ଭଲପାଇବା ପାଇଁ 2024 ରେ ଏ ସରକାର ପୁନଃ ନୀର୍ବାଚିତ ହେବାରେ ଅସୁବିଧା ବି ନାହିଁ ।

ହଁ, ଏ ସବୁ ସତ୍ତ୍ୱେ ସୁପର୍ ସାଇକ୍ଲୋନ୍ ଜୁଆର ଭଳି ହଠାତ୍ ମାଡି ଆସିବାର ଗୋଟିଏ ବଡ ଭୟ ଅଛି ।

ସେ କଥା କହିଲେ ଅନେକ ଲୋକ ମନ ଦୁଃଖ କରିବେ, ଯେହେତୁ ଗୋଟେ ବାସ୍ତବ ବିପଦର କଥା, ସେ ସମ୍ଭାବ୍ୟ ବିପଦ ସମ୍ପର୍କରେ ଏ ସରକାରଙ୍କୁ ଚୁମ୍ୱକରେ ଟିକେ ସୂଚେଇ ଦିଆଯାଇଥାଉ, କାରଣ ଯାହା ହେଲେ ବି ଆମ ସରକାର ତ ଆମର ପ୍ରିୟ ନା !

5 ଟି ସଫଳତା,
5 ଟି ବିଫଳତା,
1 ଟି ଅକ୍ଷମତା :

ସେଇଟି ହେଲା ଓବିସି ରିଜର୍ଭେସନ୍ ।

ଏବେ ତ 54% ଓବିସିଙ୍କୁ ତାଙ୍କ ଭାଗ ନଦେଇ ଦାନ ଦେଲା ଭଳିଆ 11%, ଅନେକ କ୍ଷେତ୍ରରେ ତ ଜମା ନାହିଁ ।

ସେମାନେ ଆଗକୁ 27 % ରେ ବି ସନ୍ତୁଷ୍ଟ ନହୋଇ ତାଙ୍କ ପୁରା ଭାଗ 54% ପାଇଁ ଅଣ୍ଟା ଭିଡିବା ଆରମ୍ଭ କରିଦେଲେଣି, କେବଳ କେହି ଜଣେ ସେନାପତି ଶିରିପା ପିନ୍ଧାକୁ ଅପେକ୍ଷା ଯାହା –

ସେମାନଙ୍କ କ୍ଷୋଭ, ଏକଥା କୌଣସି ସମୟରେ କୌଣସି ଦଳର ନେତା ବୁଝିଲେ ନାହିଁ ।

ନା ଜାନକୀ ପଟ୍ଟନାୟକ, ନା ବିଜୁ ପଟ୍ଟନାୟକ ନା ନବୀନ ପଟ୍ଟନାୟକ ନା ନୀରଞ୍ଜନ ପଟ୍ଟନାୟକ ନା ଶରତ ପଟ୍ଟନାୟକ ନା ସମୀର ମହାନ୍ତି-ଯତୀଶ ମହାନ୍ତିଙ୍କ ପର୍ଯ୍ୟନ୍ତ ନେତାମାନେ ।

ଅବଶ୍ୟ ଏ ଅସନ୍ତୋଷ ବାତ୍ୟା ରୂପ ନେବାରେ ବଡ MBC ବାଧକଟିଏ ବି ଅଛି, ତଥାପି କହି ହେବ ନାହିଁ, ଯଦି ସେ ବାଧକ ହଟେଇ ଏମାନେ ପୁରା ବଳ ସଂଗ୍ରହ କରିନେଲେ ତାହେଲେ ସେ ମହାବାତ୍ୟାର ଅକସ୍ମାତ୍ ହାଇ ଟାଇଡ୍ ରୁ ସହଜେ ରକ୍ଷା ପାଇଯିବାର ବାଟ ହିଁ ନାହିଁ ।

ତେଣୁ ବାରମ୍ୱାର କହିଲିଣି ଆଜି ବି କହୁଛି – ବେଳ ଥାଉ ବନ୍ଧ ବାନ୍ଧ ରେ କୁମର ବେଳ ଥାଉ ବନ୍ଧ ବାନ୍ଧ, ବାନ୍ଧି ନ ପାରିଲେ କୁଳ ଚନ୍ଦ୍ରମା ରେ ….

ପଥର ବନ୍ଧ ନହେଇ ମାଟି ବନ୍ଧ ହେଉ ପଛେ ବାନ୍ଧିବା ପ୍ରାୟସ ଟେ ଅତି ଆବଶ୍ୟକ ମନେ ହୁଏ ।

କଥା ଟା ଟିକେ ମଥାରେ ପୁରା ହେ ମଣିମା ….

ଏ ଅପ୍ରତ୍ୟାଶିତ ଜୁଆରକୁ ଅଟକାଇବାକୁ ବେଳ ଥାଉ ଥାଉ ଛୋଟ ଛୋଟ ପ୍ରୟାସ ତ ଆରମ୍ଭ ହେଉ, କଣ ସରଗ ଛିଡି ପଡିବ କି ?

ଛୋଟ ଛୋଟ ପ୍ରାୟସ ସୁଅ ମୁହଁରେ ପତର ପରିକା ଭାସି ଯିବାର ଭୟ ଲାଗୁଛି କି ?

ସେ ଗୀତ ଟା ଜମାରୁ ଶୁଣିନ କି !

ସେ ତ ବାଲି ରେଣୁ ମହା ବନ୍ଧ ସୂଜନେ ହୋ
ସେ ତ ବାଲି ରେଣୁ ମହା ବନ୍ଧ …..

ଓ ହୋ, ମୋ ଲଙ୍କା ମଞ୍ଜି ପୁଡିଆ କରିବା ଛାଡି, ମୋର ବାସ୍ତବ ହିତୈଷୀ କୈଳାସ ବାବୁ ବାରଣ କରିବା ସତ୍ତ୍ୱେ ଏଗୁଡା ମଣିଷ କାହିଁକି ଏତେ କଥା ଲେଖିଲା କେଜାଣି !

ସତ କଥା କହିଲେ ଏବେ ଫେସ୍ ବୁକ୍ ଟା ଖୋଲୁ ଖୋଲୁ ସରକାରଙ୍କ ଠିକା ନିଯୁକ୍ତି ସମାପ୍ତ ଘୋଷଣା ପରବର୍ତ୍ତୀ ପିଲାଙ୍କ ଖୁସି ଲହରୀଟା ନଜରରେ ପଡିଗଲାରୁ ସେଇ କଥାର ଏପଟ ସେପଟ ଦିଗ ବିଷୟରେ ଦି ପଦ ଲେଖିବାକୁ ଇଚ୍ଛା ହେଲା,

ସେତିକିବେଳେ କେହି ଜଣେ ଟେଲିଫୋନ୍ କରିଦେଲେ, କଥା ହୋଇ ସାରି

ତା ପରେ ସରକାରଙ୍କ ପ୍ରଶଂସା ଅପ୍ରଶଂସା ଲେଖି ବସିଲା ବେଳକୁ ସେ ଠିକା କଥା ଭୁଲି , ପ୍ରଶଂସାରୁ ଆରମ୍ଭ ହୋଇ କଥା କୁଆଡେ ଲମ୍ୱିଗଲା ଭାବିଲା ବେଳକୁ ହସ ମାଡୁଚି,

କାଲି ଘର ଭଡା ଇଲେକ୍ଟ୍ରି ବିଲ୍ ଦୋକାନ ସଉଦା ପଇସା କେମିତି ଦିଆଯିବ ଭାବିଲା ବେଳକୁ କାନ୍ଦ ମାଡୁଚି – ନା ନା exactly କାନ୍ଦ ମାଡୁନି ଯେ, ପାଖରେ ଏବେ କିଛି ବି ପଇସା ନଥିବାରୁ ଗୋଟେ ସେଇମିତିକା ସେଇମିତିକା ଲାଗିବା କଥା ବୋଲି ଭାବିକି ଲେଖି ଦେଲି ….. ହା ହା ହା ହା

ମୋ ଏ କଥା ଶୁଣି ଭୟ କରନ୍ତୁନି ଆଜ୍ଞା, ମୋର ସବୁ ସମସ୍ଯା ଠିକ୍ ସମୟରେ ଠିକ୍ ହେଇଯାଏ ତ, ଦେଖାଯାଉ କଣ ହେଉଚି !

ମୋର ତ ବାଲି ରେଣୁ ମହା ବନ୍ଧ
ସୁଜନେ ହୋ
ବାଲି ରେଣୁ ମହା ବନ୍ଧ ……

Laxmidhar Nayak
My Facebook Post: 15th October 2022


Share it

Join the Conversation

1 Comment

  1. ପ୍ରିୟ ସଂପାଦକ ମହୋଦୟ,
    ମୁଁ ସୁଲେଖାରୁ ଯେତିକି ଜ୍ଞାନ ଅର୍ଜନ କରି ମୋ “ଆତ୍ମଜୀବନୀରେ କିଛି….” ଲେଖାରେ ଯୋଡ଼ିଚି । ଯାହା ସଂରକ୍ଷଣ ବିଷୟ ସମ୍ବଳିତ ।
    ଆପଣଙ୍କ ଲେଖା ବାସ୍ତବରେ ଆଖି ଖୋଲି ଦେଲାଭଳି । ତଥାପି ଏ ଅନ୍ଧ ସଜର ଶୋଇଚି ।
    ଯିଏ ପ୍ରଶାସକ ସିଏ ସାହିତ୍ୟିକ ହେଉଚି । ସେ ପ୍ରଶାସନ ବିଷୟରେ ଉଦାସୀନ ରହିବା ସ୍ଵାଭାବିକ । ଏବେ ଡିଜିଟାଲ ଯୁଗରେ ଯଦିUPSC/NEET ଭଳି ସମ୍ବେଦନଶୀଳ ପରୀକ୍ଷାରେ ପ୍ରଶ୍ନ ପତ୍ର ଚୋରି ହୋଇପାରୁଛି । ସେତେ ବେଳ କଥା ଅନୁମାନ କରନ୍ତୁ,ଦେଶ ସ୍ବାଧୀନ ପରେ ଚୋରି କରି ପାସ ନ କରି ନ ଥିବେ କାହିଁକି । କାରଣ ସବୁ ମୋଗଲ ତରବାରୀ ବୁହା ଓ ବ୍ରିଟିଶ ଙ୍କ ଗୋଲାମୀ କରୁଥିବା ବଂଶଜ ସବୁ ଉପର ପାହ୍ୟାରେ ରହି ନିମ୍ନ ଚାକିରିଆଙ୍କୁ ହଇରାଣ କରୁଛନ୍ତି । ଯେଉଁମାନେ ରିଅଲ ଭାରତୀୟ ଓ ଭାରତୀୟତା ତାଙ୍କ ରକ୍ତ ଗୁଣ ସୂତ୍ରରେ ଅଛି।
    ଆପଣଙ୍କ କଲମ ଆହୁରି ଶାଣିତ ହେଉ ଓ ଆପଣ ଲେଖା ଦିଗ୍ ଦର୍ଶନ ଦେଉ ଥାଉ ।
    ଆପଣଙ୍କ ଉତ୍ତରୋତ୍ତର ମଙ୍ଗଳ କାମନା ସହିତ ଇଶ୍ୱରଙ୍କୁ ପ୍ରାର୍ଥନା କରେ ସୁଲେଖ ସୁଦୂର ପ୍ରସାରି ହେଉ ଓ ଆପଣ ଦୀର୍ଘାୟୁ ହୁଅନ୍ତୁ ।

    #ଗଗନ ବିହାରୀ ନାୟକ

Leave a comment

Your email address will not be published. Required fields are marked *

Verified by MonsterInsights