ନନ୍ଦ ଯଶୋଦାଙ୍କ ହର ଗୋଉରୀ ପୂଜନ

Share it

ପୁରାଣ କଥା
5th August 2024
ନନ୍ଦ ଯଶୋଦାଙ୍କ ହର ଗୋଉରୀ ପୂଜନ

===================

କେତେ ଜନ୍ମର ତପସ୍ୟା ପରେ କୃଷ୍ଣଙ୍କୁ ପୁତ୍ରରୂପେ ପାଇ ବାତ୍ସଲ୍ୟ ମୟୀ ମା’ ଯଶୋଦା ଓ ନନ୍ଦବାବା ଗୋପପୁରରେ ଆନନ୍ଦରେ କାଳ କାଟୁଥାନ୍ତି। ନଟ ଖଟିଆ କହ୍ନେଇର ବାଲ୍ୟଚପଳତାରେ ସେମାନେ ଏତେ ମସଗୁଲ ହୋଇ ଯାଇଥାନ୍ତି ଯେ ସେମାନେ ଭୁଲି ଯାଇଥାନ୍ତି ପୁଅ ପାଇଁ କରିଥିବା ମାନସିକ l ହଠାତ୍ ଯଶୋଦାଙ୍କ ମନେ ପଡ଼ିଗଲା ସେ କଥ।

ପୁଅ ବଡ଼ ହୋଇ ଗଲେ ହର ଗୋଉରୀ ପୂଜିବେ ବୋଲି ନନ୍ଦ ଯଶୋଦା ମନାସି ଥିଲେ l ଯଶୋଦା ଏକଥା ମନେ ପକାଇ ଦେବାରୁ,ପିତା ନନ୍ଦ ରାଜା କହିଲେ,ଠିକ ତ,ଚାଲ ଆଉ ବିଳମ୍ବକଲେ ଚଳିବ ନାହିଁ l ଗୋଟିଏ ଶୁଭଦିନ ସ୍ଥିର କରି ଗୋପାଳଙ୍କୁ ସାଥିରେ ନେଇ ନନ୍ଦ ଯଶୋଦା ବାହାରି ପଡ଼ିଲେ ଅମ୍ବିକା ବନକୁ l ଶକଟରେ ଲଦାହୋଇଥାଏ ଅନ୍ନ ବସ୍ତ୍ର, ଖାଦ୍ୟ ଓ ପୂଜା ସାମଗ୍ରୀ ମାନ l ସେଠାରେ ସେମାନେ ପହଞ୍ଚି ସରସ୍ବତୀ ନଦୀରେ ସ୍ନାନ ସାରି ପଶୁପତି ଭଗବାନ ଶଙ୍କର ଓ ମାଆ ଗୋଉରୀଙ୍କ ପୂଜା କଲେ l ହର ଗୌରୀଙ୍କ ଆଶୀର୍ବାଦ କାମନା କରି ଅନ୍ନ, ବସ୍ତ୍ର, ସ୍ବର୍ଣ୍ଣ, ଗାଭୀ ଆଦି ବ୍ରାହ୍ମଣ ମାନଙ୍କୁ ଦାନ କଲେ l ନନ୍ଦ,ସୁନନ୍ଦ ନିଷ୍ଠାର ସହ ଉପବାସ କରି ଥାନ୍ତି l ପୂଜା ଉପରାନ୍ତେ ସାରା ଦିନ ଆନନ୍ଦ ଉତ୍ସବାଦି କରି ରାତ୍ରୀ ହେବାରୁ ସମସ୍ତେ ବିଶ୍ରାମ କଲେ, ବାଳ କୃଷ୍ଣ ଯଶୋଦାଙ୍କ କୋଳରେ ଶୋଇ ଥାନ୍ତି l

ଘୋର ଅର୍ଦ୍ଧନିଶି ବେଳକୁ କେଉଁଆଡ଼ୁ ଏକ କ୍ଷୁଧିତ ବିଶାଳ ଅଜଗର ଆସି ନନ୍ଦଙ୍କୁ ଗିଳିବାକୁ ଆରମ୍ଭ କଲା l କିଛି ସମୟ ପରେ ସାପ ନନ୍ଦଙ୍କୁ ମୁଣ୍ଡ ଯାଏ ଗିଳିଦେଲା l ଅଜଗର ଉଦର ଭିତରୁ ନନ୍ଦ ବିକଳ ଚିତ୍କାର କରି କୃଷ୍ଣ ବଳରାମଙ୍କୁ ରକ୍ଷା କର, ରକ୍ଷା କର ବୋଲି ଡାକୁଥାନ୍ତି l ନନ୍ଦଙ୍କ ପାଟି ଶୁଣି ଗୋପାଳମାନେ ଧାଇଁ ଆସି ଗୋଟିଏ ଜଳନ୍ତା କାଠ ଫାଳିଆରେ ସାପଟିକୁ ପିଟିବାକୁ ଲାଗିଲେ l କିନ୍ତୁ ଅଜଗରର କିଛି ହେଲା ନାହିଁ l

ଏତିକି ବେଳେ ଶ୍ରୀକୃଷ୍ଣ ପହଞ୍ଚି ଯାଇ ଅଜଗରକୁ ଟିକିଏ ତାଙ୍କ ପାଦରେ ଛୁଇଁ ଦେଲେ l ତତ୍କ୍ଷଣାତ୍ ସର୍ପ ନିଜ ଶରୀର ତ୍ୟାଗକରି ଏକ ଦିବ୍ୟ ପୁରୁଷ ରୂପେ ଆବିର୍ଭୁତ ହେଲା l ଶ୍ରୀକୃଷ୍ଣଙ୍କୁ ହାତଯୋଡ଼ି ସେ ପ୍ରଣାମ କରିବାରୁ ଭଗବାନ ସେ କିଏ ବୋଲି ପଚାରିଲେ l

ସର୍ପ କହିଲା, ମୁଁ ଜଣେ ବିଦ୍ୟାଧର, ମୋର ନାମ ଥିଲା ସୁଦର୍ଶନ, ମୋର ରୂପ ସୁନ୍ଦର ଥିଲା l ମୋର ଧନ ସମ୍ପଦ ମଧ୍ୟ ପ୍ରଚୁର ଥିଲା ଓ ମୁଁ ବିମାନରେ ଚଢ଼ି ଯେଣେ ତେଣେ ବୁଲେ l ବୁଲୁ ବୁଲୁ ମୁଁ ଦିନେ କେତେ ଜଣ ଅଙ୍ଗିରା ଗୋତ୍ରି ଋଷି ମାନଙ୍କୁ ଦେଖିଲି l ସେମାନେ ଖୁବ କୁତ୍ସିତ ଦେଖା ଯାଉଥାଆନ୍ତି l ସୌନ୍ଦର୍ଯ୍ୟ ଗର୍ବରେ ମୁଁ ସେମାନଙ୍କୁ ଉପହାସ କଲି l ସେମାନେ କ୍ରୁଦ୍ଧହୋଇ ଅଜଗର ଯୋନିରେ ପଡ଼ ବୋଲି ମୋତେ ଅଭିଶାପ ଦେଇ ଦେଲେ l ସେହି ମୁନିମାନେ ପ୍ରକୃତରେ ଅଭିଶାପ ଦେଇ ମୋତେ ଅନୁଗ୍ରହ କରିଥିଲେ l ସେହି ଶାପ ଫଳରେ ଚରାଚର ସ୍ୱାମୀ ଆପଣଙ୍କ ଚରଣ ସ୍ପର୍ଶ ମୁଁ ପ୍ରାପ୍ତ ହୋଇଛି l

ଆପଣଙ୍କ ଚରଣ ସ୍ପର୍ଶ ପାଇ ମୁଁ ବର୍ତ୍ତମାନ ଶାପ ମୁକ୍ତ ହୋଇଗଲି l ହେ ପରମ ମଙ୍ଗଳ ଭଗବାନ,ହେ ପ୍ରାଣୀର ପରମ ଗତି, ମୁଁ ଆପଣଙ୍କ ଚରଣରେ ଶରଣ ଗଲି,ମୋତେ ଏବେ ମୋ ନିଜ ଧାମକୁ ଫେରି ଯିବାକୁ ଦିଅନ୍ତୁ l ଏପରି ଭଗବାନଙ୍କ ଗୁଣ କୀର୍ତ୍ତନ କରି ସୁଦର୍ଶନ ପ୍ରଭୁଙ୍କୁ ପରିକ୍ରମା କଲେ ଓ ଦିବ୍ୟ ଶରୀରରେ ସ୍ଵଧାମକୁ ଚାଲି ଗଲେ l

ନନ୍ଦ ମଧ୍ୟ ଅଜଗର ଗ୍ରାସ କବଳରୁ ମୁକ୍ତ ହେଲେ l ବ୍ରଜବାସୀ ମାନେ ଶ୍ରୀକୃଷ୍ଣଙ୍କ ଏହି ଅଦ୍ଭୁତଲୀଳା ଦେଖି ଆଶ୍ଚର୍ଯ୍ୟ ହେଲେ ଏବଂ ବ୍ରତ ସମାପନ କରି ସେହିକଥା ଆଲୋଚନା କରିକରି ବ୍ରଜପୁରକୁ ଫେରି ଆସିଲେ l

ଆଉ ଦିନକର କଥା,ସେଦିନ ରାତିରେ ଶ୍ରୀକୃଷ୍ଣ ଓ ବଡ଼ ଭାଇ ବଳରାମ ଗୋପି ମାନଙ୍କ ସହ ବିହାର କରୁଥିଲେ l ପିତାମ୍ବର, ନୀଳାମ୍ବର ପିନ୍ଧି ଦୁଇଭାଇ ବହୁ ଦିବ୍ୟ ଭୂଷଣରେ ଭୂଷିତ ହୋଇଥିଲେ l ଅଳ୍ପ ସମୟ ଆଗରୁ ସନ୍ଧ୍ୟା ହୋଇଥାଏ l ଗୋପିମାନେ ଲଳିତ ସ୍ୱରରେ ସେମାନଙ୍କ ଗୁଣଗାନ କରୁଥାନ୍ତି l ତାଙ୍କ ସ୍ୱରରେ ସ୍ୱର ମିଳାଇ କୃଷ୍ଣ ବଳରାମ ମଧ୍ୟ ଗୀତ ଗାଇବାକୁ ଆରମ୍ଭ କରି ଦେଲେ l ଏହିପରି ଆନନ୍ଦ ଉଲ୍ଲାସ ଚାଲିଥାଏ, ସେଠାରେ ଶଙ୍ଖଚୁଡ଼ ନାମକ ଏକ ସର୍ପ ଆସି ପହଞ୍ଚିଲା l

ସେହି ସର୍ପଟି ଥିଲା କୁବେର କୁମର ଜଣେ ଯକ୍ଷ l ଶ୍ରୀକୃଷ୍ଣ ବଳରାମ ଚାହିଁଥାନ୍ତି, ସେହି ସର୍ପ ଗୋପୀ ମାନଙ୍କୁ ଉଠାଇନେଇ ଉତ୍ତର ଆଡ଼େ ପଳାଇଲା l ଗୋପୀ ମାନେ ହା କୃଷ୍ଣ ! ହା ରାମ ! କହି ଚିତ୍କାର କରୁଥାନ୍ତି l ଏହା ଦେଖି ଦୁଇଭାଇ ସର୍ପ ରୂପୀ ସେ ଯକ୍ଷ ପଛେ ପଛେ ଶାଳଗଛ ଦୁଇଟି ଉପାଡ଼ି ଧରି ଧାଇଁଲେ l ଯକ୍ଷ ଦେଖିଲା ଦୁଇ ଭାଇ ତା’ ଆଡ଼କୁ କାଳସଦୃଶ ମାଡ଼ି ଆସୁଛନ୍ତି l ଛାନିଆହୋଇ ସେ ଗୋପୀମାନଙ୍କୁ ଛାଡ଼ିଦେଇ ପଳାଇଗଲା l

ଗୋପୀ ମାନଙ୍କୁ ବଳରାମ ଜଗି ରହିଲେ ଓ ଶ୍ରୀକୃଷ୍ଣ ପୁଣି ଯକ୍ଷର ଅନୁଧାବନ କଲେ l କିଛି ଦୂରରେ ଶ୍ରୀକୃଷ୍ଣ ଯାଇ ତାକୁ ଧରି ତା’ ମୁଣ୍ଡରେ ଗୋଟିଏ ଶକ୍ତ ମୁଥ ମାରି ଗଣ୍ଡି ମୁଣ୍ଡ ଅଲଗା କରିଦେଲେ l ଯକ୍ଷ ମୁଣ୍ଡ ଭିତରେ ଗୋଟିଏ ମଣି ଥିଲା l ସେ ତାକୁ ବାହାର କରି ଆଣି ବଡ଼ ଭାଇଙ୍କୁ ଦେଲେ l

ଏହା ଶ୍ରୀମଦ ଭାଗବତ ଦଶମସ୍କନ୍ଧ ଗୋପଲୀଳା ବର୍ଣ୍ଣିତ ସୁଦର୍ଶନ ଓ ଶଙ୍ଖଚୁଡ଼ ମୋକ୍ଷଣ ଆଖ୍ୟାନ ଯାହା ଛତିଶ ଏବଂ ସଇଁତିରିଶି ଅଧ୍ୟାରେ ବର୍ଣ୍ଣିତ l

ଅଦ୍ଭୁତ କର୍ମା ଭଗବାନ ବାଳ କାଳରେ ଏହିଭଳି ବହୁ ଅଦ୍ଭୁତ କର୍ମ କରି, ବ୍ରଜ ବାସୀଙ୍କୁ ଅମୋଦିତ କରୁ ଥିଲେ l କୃଷ୍ଣ ତୁ ଭଗବାନ ସ୍ୱୟମ୍ l ଅଦ୍ଭୁତ କର୍ମା ଭଗବାନଙ୍କ ପାଦ ପଦ୍ମରେ ଶରଣ ଯାଇ ଅତିବଡ଼ି ଜଗନ୍ନାଥ ଦାସ ଅଧ୍ୟାୟ ଶେଷରେ କହିଲେ :-

ଗୋବିନ୍ଦ ମୁଷ୍ଟି ଶିରେ ଲାଗି l
ସର୍ପହୋଇଲା ମୋକ୍ଷଭାଗୀ ll
ଗୋବିନ୍ଦ ମଣି ଘେନି କରେ l
ମିଳିଲେ ରାମର ଛାମୁରେ ll
ସେ ରାମ କୃଷ୍ଣ ପାଦଗତେ l
ନମଇଁ ଦାସ ଜଗନ୍ନାଥେ ll

🙏🙏🙏


ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights