ନେତାଜୀଙ୍କ ପ୍ରିୟ ହିନ୍ଦୁ ହୋଟେଲ

Share it

ନେତାଜୀଙ୍କ ପ୍ରିୟ ହିନ୍ଦୁ ହୋଟେଲ
===

ହୋଟେଲଟିର ନାମ ଥିଲା ହିନ୍ଦୁ ହୋଟେଲ । କିନ୍ତୁ …

ନେତାଜୀଙ୍କ ଛାତ୍ର ଜୀବନ । ୧୯୧୩ ମସିହା କଥା । ସେତେ ବେଳେ ନେତାଜୀ କଲିକତାର ପ୍ରେସିଡେନ୍ସି କଲେଜର ଛାତ୍ର । ମଝିରେମଝିରେ ସେ ସାଥୀ ଛାତ୍ର ମାନଙ୍କ ସହିତ ଯାଇ ପହଞ୍ଚିଯାନ୍ତି କଲେଜ ଷ୍ଟ୍ରିଟରେ ଅବସ୍ଥିତ ହିନ୍ଦୁ ହୋଟେଲରେ । ଆଉ ବରାଦ ଦିଅନ୍ତି ସେଠି ହୋଟେଲ ମାଲିକଙ୍କୁ, ଖାଦ୍ୟ ସହ ତାଙ୍କ ଅତି ପ୍ରିୟ ପୋଇଶାଗ ରାଇତା ( ବଙ୍ଗଳା ପୁଇ ସାଗେର ଚଡଚଡ଼ି) ।

ଖାଦ୍ୟ ଆସିଗଲା ପରେ ତଳେ ଆସନ ପକାଇ ସୁଭାଷ ଓ ତାଙ୍କ ସାଥୀ ମାନେ ବସି ପଡ଼ନ୍ତି ପଂକ୍ତି ଭୋଜନରେ । ସେଇଠାରେ ଚର୍ଚ୍ଚା ଜମି ଯାଏ, ପରାଧୀନ ଭାରତର ବିଭିନ୍ନ ସମସ୍ୟା ନେଇ । ସ୍ଵାଧୀନ ଭାରତର ସ୍ବପ୍ନ ଦେଖୁଥିବା, ଯୁବକ ସୁଭାଷ ସାଥୀ ମାନଙ୍କୁ ଚମତ୍କୃତ୍ କରିଦିଅନ୍ତି ତାଙ୍କ ଓଜସ୍ଵୀନି ଭାଷଣରେ । ବନ୍ଧୁମାନଙ୍କ ଅନ୍ତରରେ ଜଳାଇ ଦିଅନ୍ତି ବ୍ରିଟିଶ ବିରୋଧୀ ନିଆଁ । ସେହି ହୋଟେଲହିଁ ଯୁବକ ସୁଭାଷଙ୍କର ନେତାଜୀ ହେବାରେ ପ୍ରଥମ ସୋପାନ ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ ।

କାଳକ୍ରମେ, ସେହି ଛୋଟ ଭୋଜନାଳୟଟି ହୋଇ ଉଠି ଥିଲା, ବିପ୍ଳବୀ ମାନଙ୍କ ଗୋପନ ଆଡ୍ଡାସ୍ଥଳୀ । ପଛରେ ଥିଲା, ହୋଟେଲ ମାଲିକଙ୍କ ଦେଶ ପ୍ରେମୀ ହୃଦୟ ଏବଂ ପ୍ରଚ୍ଛନ୍ନପ୍ରଶ୍ରୟ । ଅନେକ ବିପ୍ଳବୀ ଆସି ସେହି ହୋଟେଲରେ ଆଡ୍ଡା ଜମାଉଥିଲେ । ଖାଇବା ଭିତରେ ରୂପାୟିତ ହେଉଥିଲା ଆଗାମୀ ଦିନ ପାଇଁ ବିଭିନ୍ନ କାର୍ଯ୍ୟ ପନ୍ଥା ।

କ୍ରମେ ଇଂରେଜ ମାନଙ୍କ ସନ୍ଦେହ ଦୃଷ୍ଟିରେ ପଡ଼ିଲା ସେହି ହୋଟେଲ । ବିଦ୍ରୋହୀ ମାନଙ୍କୁ ଧରିବା ପାଇଁ ଆରମ୍ଭ ହେଲା ବ୍ରିଟିଶ ପୋଲିସର ଭୀଷଣ ଚଢ଼ାଉ । କିନ୍ତୁ ହୋଟେଲ ମାଲିକ ବାରମ୍ବାର ମାଡ଼ଖାଇ ରକ୍ଷା କରନ୍ତି ଏହି ବିପ୍ଳବୀମାନଙ୍କୁ । ତାଙ୍କ ପାଇଁ ପୋଲିସ ବିପ୍ଲବୀ ମାନଙ୍କ କୌଣସି ଟେର ପାଏନାହିଁ ।

ଛାତ୍ରାବସ୍ଥା ପରେ ମଧ୍ୟ ସୁଭାଷ ସେହି ହୋଟେଲକୁ ଯିବା ବନ୍ଦ କରି ନଥିଲେ । ସୁଭାଷ ଯେତେବେଳେ ସମ୍ପୂର୍ଣ୍ଣଭାବେ ରାଜନୀତିରେ ସମ୍ପୃକ୍ତ ସେତେବେଳେ ମଧ୍ୟ ସେ ତାଙ୍କ ଗୁରୁ ଚିତ୍ତରଞ୍ଜନଦାସଙ୍କୁ ନେଇ ଏହି ହୋଟେଲକୁ ଆସନ୍ତି ।

ତାପରେ ସେ ଯେତେବେଳେ ୧୯୩୦ ମସିହାରେ, କୋଲକାତା କର୍ପୋରେସନର ମେୟର ହେଲେ ସେତେବେଳେ ସେ ଧୀରେନ୍ଦ୍ର ଚନ୍ଦ୍ର ରାୟ, ଅମୂଲ୍ୟ ଚଂଦ୍ର ଚଟ୍ଟୋପାଧ୍ୟାୟ, କ୍ଷୀତୀଶ ଚନ୍ଦ୍ର ଯୋରଦାର ପ୍ରଭୃତି ଅନେକ ବିପ୍ଳବୀଙ୍କୁ ନେଇ ଦିନେ ଯାଇ ହାଜର ହେଲେ ସେହି ହୋଟେଲରେ ।

ହଠାତ୍ ସୁଭାଷ ଖାଉ ଖାଉ ସ୍ଲୋଗାନ ଦେବା ଆରମ୍ଭ କଲେ ‘ବନ୍ଦେ ମାତରମ୍’ । ସୁଭାଷ ଓ ସାଥିମାନଙ୍କ ସ୍ୱରରେ ସ୍ବର ମିଳାଇ, ସେ ହୋଟେଲ ମାଲିକ ମଧ୍ୟ ସ୍ଲୋଗାନ ଦେଲେ “ବନ୍ଦେ ମାତରମ୍” ।

ବଙ୍ଗପ୍ରଦେଶରେ ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା ୧୯୪୩ ମସିହାରେ, ସେତେବେଳେ ଏହି ହୋଟେଲ ମାଲିକ ଦୁଇ ଭାଇ କ୍ଷୁଧାର୍ତ୍ତ ଲୋକଙ୍କୁ ଖେଚୁଡ଼ି ଖୁଆଇ ଆତ୍ମ ଶାନ୍ତି ଲାଭ କରୁଥିଲେ । ହୋଟେଲଟିର ନାମ ଥିଲା ହିନ୍ଦୁ ହୋଟେଲ । କିନ୍ତୁ ଏହା ଗଢ଼ି ଉଠିଥିଲା, ଜଣେ ବଦାନ୍ୟ ମୁସଲମାନଙ୍କ ଜମିଉପରେ । ହୋଟେଲର ଅଧିକାଂଶ କର୍ମଚାରୀ ଥିଲେ ମୁସଲମାନ । କୌଣସି ଧର୍ମୀୟ ସଂକୀର୍ଣ୍ଣତାର ଚିହ୍ନମଧ୍ୟ ସେଠାରେ ନଥିଲା । ଏପରିକି ହିନ୍ଦୁ – ମୁସଲମାନ ଦଙ୍ଗା ସମୟରେ ଏହି ହୋଟେଲ, ବହୁ ମୁସଲମାନ ଓ ହିନ୍ଦୁଙ୍କୁ ଏକସଙ୍ଗେ ଆଶ୍ରୟ ଦେଇ ଦଙ୍ଗାରୁ ପ୍ରାଣ ବଞ୍ଚାଇଥିଲା ।

ଅଗଷ୍ଟ,୧୫, ୧୯୪୭ ରେ ଭାରତ ସ୍ବାଧୀନ ହେଲା ।
ସେ ଦିନ ଉତ୍ସବ ପାଳନକରି ହୋଟେଲ ସମ୍ମୁଖରେ ଦୁଇ ମାଲିକ ଭାଇ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ ।

ଶୋଭାଯାତ୍ରା ପରେ ସେଠାକୁ ଆହାର କରିବାପାଇଁ ଆସିଥିବା ସ୍ବେଚ୍ଛାସେବୀ ମାନଙ୍କ ପ୍ରସ୍ତାବ ଅନୁଯାୟୀ ଏଯାବତ୍ ଥିବା ହିନ୍ଦୁ ହୋଟେଲର ନାମ ପରିବର୍ତ୍ତନ କରି “ସ୍ବାଧୀନଭାରତ ହିନ୍ଦୁ ହୋଟେଲ” ରଖାଗଲା । ଆମ ସ୍ବାଧୀନତା ସଂଗ୍ରାମର ମୁକସାକ୍ଷୀ ରୂପେ ଶତ ବର୍ଷ ପ୍ରାଚୀନ ଏହି ହୋଟେଲ ଆଜି ମଧ୍ୟ କଲିକତା ମହାନଗରୀ ବକ୍ଷରେ ସଗର୍ବେ ଦଣ୍ଡାୟମାନ ହୋଇ ଛିଡ଼ାରହିଛି । ଏହା ଅନସ୍ବୀକାର୍ଯ୍ୟ ଯେ ନେତାଜୀଙ୍କ ଦେଶ ପ୍ରେମର ସାକ୍ଷୀ ମଧ୍ୟ ଏହି ହୋଟେଲ ।

ଏହି ହୋଟେଲର ସେହି ଦେଶପ୍ରେମୀ ମାଲିକ ଦୁଇ ଭାଇ ଆଉ କେହି ନଥିଲେ, ସେମାନେ ଥିଲେ ମାନ ଗୋବିନ୍ଦ ପଣ୍ଡା ଓ ପ୍ରହ୍ଲାଦ ଚନ୍ଦ୍ର ପଣ୍ଡା । ୧୯୧୦ ରେ ଦୁଇ ଭାଇ, ଓଡ଼ିଶାରୁ ଜୀବିକା ଅନ୍ୱେଷଣରେ ଯାଇ କଲିକତାରେ ବସବାସ ଆରମ୍ଭ କଲେ ଏବଂ ନିଜସ୍ୱ ଉଦ୍ୟମରେ ଖୋଲିଲେ ଏକ ହୋଟେଲ ଏବେକାର କଲେଜ୍ ସ୍କୋୟାର ନିକଟ, ପ୍ରେସିଡେନ୍ସି କଲେଜର ପଛପାଖ ଭବାନୀ ଦତ୍ତ ଲେନ୍ ଠାରେ । ତାଙ୍କୁ ଏକ ମୁସଲମାନ ପରିବାର ଜମି ଯୋଗାଇ ଦେଇଥିଲେ । କଲିକତାର ୮/୨, ଭବାନୀ ଦତ୍ତ ଲେନ୍‌ରେ ପଣ୍ଡାଭାଇ ଦ୍ୱୟ ଆରମ୍ଭ କରିଥିଲେ “ହିନ୍ଦୁ ହୋଟେଲ୍” ।

ପୁରୁଷ ପୁରୁଷ ପରେ ଆଜି ମଧ୍ୟ ଏ ହୋଟେଲ ତାହାର ଖ୍ୟାତି ବଜାୟରଖିଛି କଲିକତା ମହା ନଗରୀରେ । ବର୍ତ୍ତମାନ ହୋଟେଲ ଚଳାଉଛନ୍ତି ମାନ ଗୋବିନ୍ଦଙ୍କ ନାତି ଶ୍ରୀଅରୁଣ ପଣ୍ଡା ।

ଆଜିମଧ୍ୟ ସ୍ବାଧୀନତା ଦିବସ ପାଳନ ଅବସରରେ ସଜେଇ ହୋଇଥାଏ, ସ୍ବାଧୀନ ଭାରତ ହିନ୍ଦୁ ହୋଟେଲ । ଉତ୍ତୋଳନ ହୁଏ ଜାତୀୟ ପତାକା ।

ହୋଟେଲର କାନ୍ଥରେ ସଜାହୋଇ ରହିଛି ବହୁ ସଂଗ୍ରାମୀଙ୍କର ଫଟୋ । ଅଗଷ୍ଟ ୧୫, ସ୍ଵାଧୀନତା ଦିବସ ଦିନ ଏହି ହୋଟେଲର ଗ୍ରାହକମାନଙ୍କ ଠାରୁ ପଇସା ନିଆଯାଏ ନାହିଁ । ସେଦିନ ଶାକ ସବଜିରେ ଅବଶ୍ୟ ହିଁ ରହିଥାଏ ନେତାଜୀ ସୁଭାଷଙ୍କ ଅତିପ୍ରିୟ ପୋଇଶାଗ ।

ଏବେକା ମାଲିକ ଅରୁଣ ପଣ୍ଡା କୁହନ୍ତି ତିନି ପୁରୁଷ ଧରି ଚାଲି ଆସିଥିବା ଏହି ହୋଟେଲର ପରମ୍ପରା ଆଗାମୀଦିନରେ ଆମର ପର ପିଢ଼ିମାନେ ମଧ୍ୟ ବଜାୟ ରଖିବେ । ପଣ୍ଡାଭ୍ରାତା ଦ୍ବୟଙ୍କୁ ଆଜିମଧ୍ୟ ଶ୍ରଦ୍ଧା ଓ ସମ୍ମାନ ଜଣାଇ ଥାନ୍ତି କୋଲକାତା ବାସୀ ।

( ଏହି ତଥ୍ୟଟି ୨୪, ଜାନୁଆରୀ ୨୦୨୩ରେ ଦୈନିକ ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶ ପାଇଥିଲା । )

🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ – ୭୬୯୩୦୯୧୯୭୧

*** **** ****

(ଏଇ ଲିଙ୍କ ବ୍ଯବହାର କରି ଆପଣ Google Play Store ରୁ e-Sulekha App ଡାଉନଲୋଡ କରିପାରିବେ ଏବଂ ପ୍ରତିଦିନ ଗୋଟିଏ ଲେଖାଏ ନୁଆ ପୋଷ୍ଟ ପଢିପାରିବେ।

https://play.google.com/store/apps/details?id=com.esulekha.magazine)


Share it

Leave a comment

Your email address will not be published. Required fields are marked *

Verified by MonsterInsights