ନାଇଁ ଆମେ ଅଲଗା ରହିବାନି

Share it


କଥା ସରିତ
6th August 2024

ବେଦରଦୀ ବୈଶାଖୀ
– ଇତୁସ୍ମିତା ବେହେରା

ଗାଁ ର କଚ୍ଚା ରାସ୍ତା ଏବଂ ଗଳିକନ୍ଦି ଦେଇ ଧାଇଁ ଯାଉଛି ଜୀବନ । ନୁଖୁରା କେଶ ସାଙ୍ଗକୁ ଦେହ ରେ ଜାମା ନାହିଁ । ଦେହ ହାତ ମଧ୍ୟ କୋହରା ହୋଇ ଯାଇଛି । ଖଣ୍ଡେ ପ୍ୟାଣ୍ଟ କୁ କାଖ ରେ ଜାବୁଡି ଧରିଛି ଏବଂ ଅନ୍ୟ ହାତ ରେ ପିନ୍ଧିଥିବା ପ୍ୟାଣ୍ଟ କୁ  ଧରିଛି।| ପ୍ୟାଣ୍ଟ ଟି ନିଶ୍ଚୟ ତା ବଡ଼ ଭାଇ ର, ଅଣ୍ଟା ରେ ସେ ରହିବାକୁ ନାରାଜ । ତାର ସେଇ ସରୁଆ ଅଣ୍ଟା ରେ ପଡ଼ିଥିବା କେରେ ଅଣ୍ଟା ସୂତା ଭିତରେ ପ୍ୟାଣ୍ଟ କୁ ଛନ୍ଦି ଯଥା କଥା ଘରୁ ବାହରି ଆସିଥିଲା କିନ୍ତୁ କିଛି ବାଟ ଚାଲିବା ପରେ ପୁଣି ଯାହା କୁ ସେଇଆ । ଅମାନିଆ ପାଣି ସୁଅ ଭଳି ଆଗକୁ ଛୁଟୁଛି, ବାଟ ରେ ଘାଟ ରେ କିଏ ଡାକିଲେ, କଣ ପଚାରିଲେ ସେ କଥା କୁ ନିଘା ନାହିଁ । ଜୀବନ ସିଧା ଯାଇ ପହଞ୍ଚେ ଗାଁ ମୁଣ୍ଡ ର ପୋଖରୀ କୂଳ ରେ । ପୋଖରୀ ହୁଡ଼ା ରେ ଶୁଖିଲା ପ୍ୟାଣ୍ଟ କୁ ରଖିଦେଇ ପାଣି କୁ ଲମ୍ଫ ପ୍ରଦାନ କରେ । ପୋଖରୀ ର ଚାରି ପାଖରୁ ଥରେ ଥରେ ପହଁରି ଆସିବା ବେଳକୁ ହାତ ତାର ସିଠା ପଡ଼ିଗଲାଣି ।କୂଳ କୁ ଆସି ଏପଟ ସେପଟ କୁ ଟିକେ ଚାହିଁଛି  ଏବଂ ସାଙ୍ଗେ ସାଙ୍ଗେ ଦେହ ରୁ ଓଦା ପ୍ୟାଣ୍ଟ ଟା ବଦଳାଇ ଦେଇ ଶୁଖିଲା ପ୍ୟାଣ୍ଟ ଟି କୁ ପିନ୍ଧି ଦେଇଛି । ପୋଖରୀ ପାଣି ରେ ଓଦା ପ୍ୟାଣ୍ଟ କୁ ଦୁଇଥର ପଖାଳି ଦେଇ ପୋଖରୀ ହୁଡ଼ା ରୁ ଆସି ଧୀରେ ଧୀରେ ପୁଣି ସେଇ କଚ୍ଚା ରାସ୍ତା ଦେଇ ଘରକୁ ଫେରୁଥାଏ । ଆସୁ ଆସୁ ତା ସାଙ୍ଗ ଶୁଭମ ର ଦେଖା ହୋଇଯାଏ ତା ସହିତ ।

ଶୁଭମ,”ଏଇ  ଜୀବନ ତୁ ଏବେ ଗାଧଉଛୁ ତେଣେ ସ୍କୁଲ ରେ ଆଜି ନୂଆ ଜାମା ଦିଆ ଯାଉଛି, ଦେଖୁନୁ ମୁଁ ପରା ଏବେ ଦୁଇଟା ନେଇକି ଆସିଲି  ”

“ସତେ…. ନୂଆ ଜାମା! ହୋଉ ମୁଁ ଯାଉଛି । ”

ପୁଣି ଗୁଳି ଭଳି ଦୌଡିବା ଆରମ୍ଭ କଲା ଜୀବନ । ମନ ଟା ଖୁସି ରେ ଉତଫୁଲ୍ଲିତ ହୋଇ ଉଠିଲା । ସତେ ଯେମିତି ତା ପାଇଁ ଆଜି କେଡେ ଭଲ ଦିନ ଟିଏ । ଘରେ ପ୍ୟାଣ୍ଟ ଟି କୁ ତାର ରେ ପକାଇ କହିଲା — ମା… ମା… ମୁଁ ଇସ୍କୁଲ ଯାଉଛି ସେଠି ନୂଆ ଜାମା ଦେଉଛନ୍ତି।

ମା, “ଆରେ ଭାତ ଟା ଫୁଟି ଗଲାଣି ପରା ରହ ଖାଇଦେଇ ଯିବୁ ”

ଜୀବନ ଘର ଦୁଆର ମୁହଁ ର ଏପାଖ ସେପାଖ କୁ ଚାହିଁ କୋଉ କୋଣ ରେ ପଡ଼ିଥିବା ସ୍କୁଲ ବୁଟ କୁ ଆଣି କହିଛି “ମୋ ନାଁ ଆସିଯିବ ସେପଟେ, ମୁଁ ଆସିଲେ ଖାଇବି ।”

   
ଜୀବନ ର ମା ଚୁଲି ରୁ ଭାତ ହାଣ୍ଡି ଓଲେହି ଦେଇ ହାତ ପଙ୍ଖା ଟିଏ ଧରି ଘୁରାଉଥାନ୍ତି । ଜୀବନ ର ବାପା ଆସି ଡ଼ାକ ଛାଡିଲେ,” ହୋଇଏ  ଆଣ ଆଣ ଶୀଘ୍ର ଭାତ ମୁଠେ ଆଣ ଚୋଟ ଯିବାକୁ ପଡିବ। ସୁନି ଏଯାଏଁ ଉଠିନି । ନବୀନ କୁଆଡେ ଗଲା ଆଜି ସକାଳ ପାଖରୁ ଦେଖି ନାହିଁ ତାକୁ।

ଜୀବନ ର ମା ପାଣି ଢାଳ ଟେ ଦେଇ କହିଲେ “ସେ ଦୁଇଜଣ କଣ ଆଉ ଘରେ ବସୁଛନ୍ତି ଯେ ଯାହା ଇସ୍କୁଲ ଚାଲିଯାଇଛନ୍ତି ଆଜି ସେମାନଙ୍କୁ ନୂଆ ଜାମା ଖଣ୍ଡେ ଖଣ୍ଡେ ମିଳିବ ଆଉ ସୁନି ଟା ଏଠି ଥିଲା ବଡ଼ମା ତାକୁ ନେଇଯାଇଛନ୍ତି । ”

ଜୀବନ ର ବାପା ଙ୍କ ପାଖେ ବସି ପଙ୍ଖା କରୁଛନ୍ତି ତା ମା | ଦରିଦ୍ର କୁଡ଼ିଆ ଭିତରେ କଣ ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ର ଚିନ୍ତା ଥାଏ ସେଠି ତ ପେଟ କୁ କିଭଳି ଦୁଇମୁଠା ଦାନା ଯିବ ସେଇ ଚିନ୍ତା | ଲୋକଙ୍କ ଜମି ବାଡ଼ି ନେଇ ଅଳ୍ପ ଚାଷ କରି ଲୋକଙ୍କ ଘରେ ମୂଲ ଲାଗି ପାଞ୍ଚ ପ୍ରାଣୀ ଚଳୁଛନ୍ତି | ତେବେ ଜୀବନ ର ବାପା ଙ୍କୁ ଗାଁ ମାଷ୍ଟ୍ରେ କହିଲେଣି ଦୁଇଚାରିଥର ଯେ” ତମ ବଡ଼ ପୁଅ ନବୀନ ଭଲ ପାଠ ପଢୁଛି |” ତାଙ୍କ ପାଖରୁ ଏକଥା ଶୁଣି ଜୀବନ ବାପା ଙ୍କର ତାକୁ ପାଠ ପଢାଇବାକୁ ଭାରି ମନ ବୋଳେଇଛି | କିନ୍ତୁ ଅର୍ଥାଭାବ ହେଉଛି ମୁଖ୍ୟ ସମସ୍ୟା | ମନ ଦୁଃଖ କରି ଜୀବନ ର ବାପା କହିଲେ “ସେଇ ମାଇନର ପର୍ଯ୍ୟନ୍ତ ଯାହା ଯେତକ ପଢ଼େଇବି ତା ପରେ କଣ ଆଉ ପାରିବି?” ଘର ଅଗଣା ରେ ମୁହଁ ଧୋଇ ସେ ବାହାରକୁ ଚାଲିଗଲେ |

ରାସ୍ତା ରେ ଯାଉ ଯାଉ ଦଳେ ଲୋକ ଙ୍କୁ ଦେଖିଲେ -ପିଠି ରେ ଲମ୍ବା ଲମ୍ବା ଦୁଇଟି ବ୍ୟାଗ ସାଙ୍ଗକୁ ହାତ ରେ ବଡ଼ ବଡ଼ ଫୋନ ଏବଂ ସୁଟ ବୁଟ ପିନ୍ଧି ବସ ଷ୍ଟୋପେଜ ରେ ଛିଡା ହୋଇଛନ୍ତି |ସେମାନଙ୍କର ଟିକେ ନିକଟତର ହୋଇ ଜାଣିଲେ ସେସବୁ ତାଙ୍କରି ଗାଁ ପିଲା | ପାଖକୁ ଯାଇ ପଚାରିଲେ -“କି ରେ, ତମେ ସବୁ କୁଆଡେ ବାହାରିଛ? ”

ସେମାନଙ୍କ ମଧ୍ୟରୁ ଜଣେ ଉତ୍ତର ରଖିଲା -“ଦାଦା, ଆମେ ପରା ଚେନ୍ନାଇ ଯାଉଛୁ କିଛି କାମ ଧନ୍ଦା କରିବୁ |”

ଜୀବନ ର ବାପା ପୁଣି ସେଠି ଅଟକି ଯାଇ କହିଛନ୍ତି -” ଆରେ ବାବୁ, ସେଇଆଡ଼େ କଣ ଭଲ ପଇସା | ”

“ହଁ ଦାଦା ଦେଖୁନ ମୁଁ ପରା ବାଇକ କିଣି ଆଣିଲିଣି ଆଉ ଏପଟେ ମୋ ହାତ ରେ ଏଇ ଫୋନ ଟି ମଧ୍ୟ ଆଣିଛି ; ବୁଝିଲ ଦାଦା କାମ ଯେମିତି କୁ ଟଙ୍କା ସେମିତି |”

ଏତକ କହି ସେମାନେ ତ ଚାଲିଗଲେ କିନ୍ତୁ ଜୀବନ ର ବାପା ଙ୍କ ମନ ରେ ଟିକେ ଆଶା ସଂଚାର ହେଲା ନିଜ ପୁଅ କୁ ପାଠ ପଢେଇବାର |ନିଜର ଦାରିଦ୍ର୍ୟ ଜୀବନ ରୁ ଟିକେ ମୁକ୍ତି ପାଇବାର | ସେ ସେଠୁ ପୁଣି ଘରକୁ ଫେରିଗଲେ | ବଡ଼ ପାଟି ରେ ଡ଼ାକ ପକାଇ ଜୀବନ ର ମା କୁ ଖୋଜିଲେ | ସତେ ଯେମିତି ଆଜି ସେ କିଛି ନୂତନତା ର ସନ୍ଧାନ ରେ ବାହାରିଯିବେ | ଜୀବନ ର ମା ର ଆସିବା ବାଟ କୁ ଅପେକ୍ଷା ନ କରି ଘରେ ଥିବା ବ୍ୟାଗ କୁ ବାହର କରି ନିଜର କିଛି ଲୁଗା ପଟା ବାହର କଲେ | ଜୀବନ ର ମା ଆସି ଦେଖନ୍ତି ସ୍ୱାମୀ ତାଙ୍କର କୁଆଡେ ଯିବାକୁ ବାହାରିଛନ୍ତି  | ମନ ଭିତର ଟା ଏକଦମ ଛାନିଆ ହୋଇ ଉଠେ | ସେ ବ୍ୟସ୍ତତା ଭରା ସ୍ୱର ରେ କୁହନ୍ତି -“ଶୁଣୁଛ, କୁଆଡେ ବାହାରିଛ?”

“ଜୀବନ ମା ମୁଁ ଚେନ୍ନାଇ ଯିବି | ଆମ ନବୀନ କୁ ପାଠ ପଢ଼ାଇବା |ଆମ ଜୀବନ କୁ ମଧ୍ୟ ମଣିଷ କରିବା | ଆମ ସୁନି ର ବାହାଘର କୁ ବେଶ ଧୁମ ଧାମ ରେ ବାହାଘର କରିବା | କେତେଦିନ ଆଉ ଏଇ ଦରିଦ୍ର କୁଡ଼ିଆ ରେ ତେଲ ଲୁଣ ପାଇଁ ଟିକେ କେତେ ହଟହଟା ହେବା |”

ଜୀବନ ର ମା ତାଙ୍କ ହାତ କୁ ଧରି କହିଲେ -“ଶୁଣୁଛ, ତିନୋଟି ଛୁଆ ଘରେ ନାହାନ୍ତି କାହିଁ କେତେ ଦୂର ଯିବ ହାତ ରେ ଟିକେ ପଇସା ପତ୍ର ନ ରଖିଲେ  ; ଆଜି ଯିବା କଣ ଜରୁରୀ ”

ଅବଶ୍ୟ ସ୍ତ୍ରୀ କିଛି ଭୁଲ କହିନାହିଁ | ହାତ ରେ କାଣି କଉଡ଼ି ଧରି ନଗଲେ ସେଠି ମୁଁ କଣ କରିବି | ସେଦିନ ସ୍ତ୍ରୀ ର କଥା କୁ ବିଚାରି ରହିଗଲେ | ସ୍ୱାମୀ ସ୍ତ୍ରୀ ସନ୍ଧ୍ୟା ରେ ଏକାଠି ବସିଥାନ୍ତି | ଘର ବାରଣ୍ଡା ରେ ଗୋଟାଏ ଲଣ୍ଠନ କୁ ଘେରି  ଦୁଇ ଭାଇ ବସି ପାଠ ପଢୁଥାନ୍ତି | ସୁନି ମଧ୍ୟ କିଛି ଖେଳଣା ଧରି ଖେଳୁଥାଏ |  ସ୍ୱାମୀ ସ୍ତ୍ରୀ ଦୁହେଁ ଚୁଲି ମୁଣ୍ଡ ରୁ ଦଶ ବାର ହାତ ଦୂରରେ ବସିଛନ୍ତି | ଜୀବନ ର ମା କହିଲେ -“ସେଠିକୁ ଯିବା କଣ ନିହାତି ଦରକାର?? ଦେଖୁଛ ଆଜିକାଲି ର ଦୁନିଆ କୁ, ଆଜି ଭଲ ଅଛି ମନ୍ଦ ଅଛି ମୁଁ କେମିତି ତିନି ଟା ପିଲାଙ୍କୁ ନେଇ ଚଳିବି କୁହ ତ?”

ଜୀବନ ର ବାପା ତାଙ୍କ କାନ୍ଧ ରେ ସ୍ତ୍ରୀ ର ମୁଣ୍ଡ କୁ ଆଉଜି ଆଣି କୁହନ୍ତି – କିଛି ଅସୁବିଧା ହେବନାହିଁ, ଦେଖ ଆମ ପିଲା ତିନିଟା ଙ୍କର ଭବିଷ୍ୟତ କଣ ଏମିତି ହିଁ କଟିବ | କେତେ ଦିନ ଆଉ ଏଇ ଦରିଦ୍ର କୁଡିଆ ଭିତରେ ଘାଣ୍ଟି ଚକଟି ହବା କହିଲ? ସମୟ ଅଛି ମୁଁ ଖଟି ପାରୁଛି ତମର କିଛି ଅସୁବିଧା ହେବ ନାହିଁ | ମୁଁ ପ୍ରତିମାସ ରେ କିଛି କିଛି ଟଙ୍କା ପଠାଇବି ନିଶ୍ଚିତ |ତେବେ ମୁଁ କାଲି ଭୋର ଭୋର ବାହାରିବି |ତମର ସେଇ କାନ ଫୁଲ କୁ ନେଇ ଚାଲ ବନ୍ଧା ପକେଇ କିଛି ଟଙ୍କା ଆଣିବା |”ଉଭୟ ସ୍ୱାମୀ ସ୍ତ୍ରୀ ପୋଡ଼ଶୀ ଘର କୁ ଯାଇ କାନ ଫୁଲ ବନ୍ଧା ପକାଇ କିଛି ଟଙ୍କା ଆଣିଲେ |

ଘଟଣା କ୍ରମେ  ଗାଁ ର ଜଣେ ମୁଖିଆ ଲୋକ ଯିଏ ଲୋକଙ୍କୁ ନେଇ ବାହାରେ କାମ ଦିଅନ୍ତି ତାଙ୍କ ସହିତ କଥା ବାର୍ତ୍ତା ହୋଇ ଭୋର ଭୋର ରେଳ ରେ ଯିବାର ବ୍ୟବସ୍ଥା କରିଛନ୍ତି | ସେଦିନ ସ୍ୱାମୀ ଘର ଠାରୁ କାହିଁ କେତେ ଦୂର କୁ ଯିବେ ତେଣୁ ମୁହଁ ଅନ୍ଧାର ରୁ ସ୍ତ୍ରୀ ଘର ବାହର ଝାଡୁ କରିସାରିଲେଣି | ଆଜି ସେତେବେଳ ରୁ ଚୁଲି ଲାଗିଛି | ଭଜା ଟିକେ ରୁଟି ଦୁଇଖଣ୍ଡ କରିଦେଇ ଅଳ୍ପ କିଛି କୁ ଟିଫିନ ରେ ଭର୍ତ୍ତି କରିଦିଅନ୍ତି | ଏବଂ ସାଙ୍ଗେ ସାଙ୍ଗେ ବାସି ଘର କୁ ଓଳେଇ ଦିଅନ୍ତି |ବାପା ପଛକୁ ଚାହିଁ ସ୍ତ୍ରୀ ଏବଂ ଛୁଆ ମାନଙ୍କୁ ଚାହିଁ ଥାନ୍ତି | ଟଙ୍କା ରୋଜଗାର ପାଇଁ ଅନେକ ଆଗ୍ରହ ସହିତ ବାହାରି ଯାଉଥିଲେ ମଧ୍ୟ ମନ ଟା ଦୁଃଖ ହେଉଥାଏ | ଯେତେ ଯାହା ହେଲେ ବି ପରିବାର କୁ ଛାଡି ପ୍ରଥମ ଥର ପାଇଁ ଏତେ ଦୂର କୁ ଯାଉଛନ୍ତି | ଆଖି କୁ ପାଣି ଆସୁଥିଲେ ମଧ୍ୟ ସେ ନିଜ କୋହ କୁ ନିଜ ଭିତରେ ଚାପି ରଖିଛନ୍ତି |କାରଣ ପୁରୁଷ ଆଖି ରେ ଲୁହ ଶୋଭା ପାଏନି |ସେ ପରା ସାହସ ଆଉ ଧର୍ଯ୍ୟ ର ପ୍ରତୀକ | ସଂସାର ଚଳେଇବାର ଦାଇତ୍ୱ ତାର ତେଣୁ ଆଜି ସ୍ତ୍ରୀ ପିଲା ଙ୍କୁ ଛାଡି ଯାଇଛି ବୋଲି ଆଖି ରୁ ଲୁହ ଝରାଇଲେ ଲୋକେ କଣ କହିବେ?? ତା ପୁରୁଷତ୍ୱ ଉପରେ ଲୋକେ ମୁହଁ ରେ ହାତ ଦେଇ ହସିବେ ନାହିଁ କି??? ତେଣୁ ସେ ନିଜକୁ ପଥର ସଜେଇ ଆଗକୁ ବଢେ |

ଆଖିରେ ଆଖିଏ ସ୍ବପ୍ନ କୁ ମାଖି ରେଳ ରେ ବସି ଯାତ୍ରା ଆରମ୍ଭ କରିଛନ୍ତି ଜୀବନ ର ଵାପା |ଜୀବନ ର ମା ଟିକେ ଶୋକେଇ ହୋଉଥାନ୍ତ |

ସମୟକ୍ରମେ ଜୀବନ ର ବାପା ଥରେ ଗାଁ କୁ ଆସିଥିଲେ |ଘରେ ମାଂସ ଭାତ ସହ ଭଲମନ୍ଦ ର ସୁଅ ଛୁଟୁଥାଏ |ତିନି ପିଲାଙ୍କ ପାଇଁ ନୂଆ ପୋଷାକ ସାଙ୍ଗ କୁ ସ୍ତ୍ରୀ ପାଇଁ ଖଣ୍ଡେ ନାଲି ରଙ୍ଗ ର ପାଟ ଆଣିଥିଲେ | ଜୀବନ ର ମା ଶାଢ଼ୀ ପିନ୍ଧି ସେଦିନ ଗାଁ ଶିବ ମନ୍ଦିର ରେ ସ୍ୱାମୀ ଏବଂ ପିଲାମାନଙ୍କ ଆଶିଷ ପାଇଁ ପାଣି ଢାଳିଥିଲେ | ତାଙ୍କ ଦେହ ରେ ଏତେ ସୁନ୍ଦର ପାଟ ଶାଢ଼ୀ ଟିଏ ଦେଖି ସାହି ପଡିଶା ଲୋକ କଥା ହେଉଥାନ୍ତି — “ଆଲୋ, ଜୀବନ ମା ଶାଢ଼ୀ ଟା ତ ଭାରି ସୁନ୍ଦର ହେଇଛି  |ଏପଟେ ନବୀନ ଏବଂ ଜୀବନ ନୂଆ ପୋଷାକ ଦେଖି  ଆଜି ସଅଳ ଗାଧେଇ ଦେଇ ସେସବୁ ନୂଆ ଜାମା ପିନ୍ଧି ପଡିଆ ରେ ଖେଳିବାକୁ ବାହାରିଛନ୍ତି କିନ୍ତୁ ଆଜି ନୂଆ ଜାମା କୁ ଧୂଳି କରିବାକୁ ଇଛା ନାହିଁ ତେଣୁ ଆଡେଇ ଆଡେଇ ହୋଉଛନ୍ତି ନବୀନ ଆଉ ଜୀବନ | ତେବେ ଜୀବନ ର ବାପା ଆସିବାର ଗୋଟେ ମାସ ହେଇଗଲାଣି ଏବେ ସାଙ୍ଗରେ ଆଣିଥିବା ପଇସା ପତ୍ର ମଧ୍ୟ ସରିବାକୁ ବସିଲାଣି | ତେଣୁ ତାଙ୍କୁ ପୁଣି ଫେରିବାକୁ ହବ |ସେଠି ଏତେ ଦିନ ରହିବା ପରେ ଆଉ ଏଇ ଗାଁ ଗଣ୍ଡା ର କାମ ଧନ୍ଦା ଭଲ ଲାଗୁନି ବୋଲି କହୁଥାନ୍ତି ଜୀବନ ର ବାପା | ଜୀବନ ର ମା ଙ୍କ ଉଦ୍ୟମ ରେ ବିଲ ବାଡ଼ି ଚାଷ ଚାଲିଥାଏ | ତେବେ ସୁସମାଚାର ହୋଉଛି ଦୁଇବର୍ଷ ଡେଇଁଲେ ନବୀନ ଟା ବଡ଼ ସ୍କୁଲ ଯିବ ଏଥର ତା ବାପା ଆସିଥିଲେ ଯେ ଗୋଟେ ମାଷ୍ଟର ସହ କଥା ହୋଇଛନ୍ତି ସେ ଜୀବନ କୁ ପାଠ ପଢ଼େଇବେ | ଜୀବନ ଆଉ ସୁନି ର ପଢା ପଢି ବ୍ୟବସ୍ଥା ମଧ୍ୟ କରେଇଦେବେ ବୋଲି କହିଛନ୍ତି |

କିଛି ଦିନ ପରେ ପୁଣି ସେ ଫେରିଯାନ୍ତି ନିଜ କର୍ମ କୁ | ହଠାତ ସେଦିନ ଖବର ପ୍ରଘଟ ହୁଏ କୌଣସି ଏକ ଅଜଣା ରୋଗ ପାଇଁ ସରକାର ସବୁ କିଛି ବନ୍ଦ ଘୋଷଣା କରିଛନ୍ତି | ଲୋକଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି | ଦୋକାନ ବଜାର ସ୍କୁଲ ଅଫିସ କାମ ଧନ୍ଦା ସବୁ କିଛି ବନ୍ଦ ରହିବ | ଖବର ଟା ଟିଭି ନିୟୁଜ ରେ ବାଜିବା କ୍ଷଣି ଚାରି ଆଡେ ପ୍ରଘଟ ହୋଇ ଗଲା | ତେଣୁ କାମ ଧନ୍ଦା ସବୁ ଠପ ହେଇଯିବା ସହିତ ବସ, ରେଳ ର ଯୋଗାଯୋଗ ନଥିବାରୁ ଜୀବନ ର ବାପା ସେଠି ରହିଥାନ୍ତି | ସପ୍ତାହେ ହେଇଯିବ ତାଙ୍କ ଯିବା କୁ ଆଉ କାମ ଧନ୍ଦା ବନ୍ଦ ହେବାକୁ | ତେବେ ମୁକୁଳେଇ ଆଣିଥିବା କାନ ଫୁଲ କୁ ପୁଣି ବନ୍ଧା ଦେଇ ସେ ସ୍ୱାମୀ ଙ୍କ ପାଖକୁ ଟଙ୍କା ତ ପଠେଇଛନ୍ତି କିନ୍ତୁ କେବେ ପୁଣି ଆଗ ଭଳି ପରିସ୍ଥିତି ଆସିବ ସେକଥା ଠିକ ନାହିଁ |ତେବେ ଏତକ ଟଙ୍କା ରେ କେତେ ଦିନ ଆଉ ସେ ଚଳିବେ? ଏସବୁ ଭାବି ଜୀବନ ର ମା ର ମୁଣ୍ଡ ଝିମ ଝିମ ହୋଇଗଲା | ସେ କରିବେ କଣ? ଖାଇବେ କେମିତି? ଏମିତି ସବୁ ପ୍ରଶ୍ନ ଆପଣା ଛାଏଁ ତାଙ୍କ ମନ କୁ ଧସେଇ ପଶି ଆସି ଛାତି ଭିତର କୁ କୋରି ଦେଉଥାଏ |ଏଥର ଆସିଥିଲେ ଯେ ଘର ପାଇଁ ଫୋନ ଖଣ୍ଡେ କିଣି ଦେଇଛନ୍ତି | ଯେତେ କଥା ହେଲେ କଣ ଆଉ ମନ ବୁଝୁଛି |

ଅଳ୍ପ କିଛି ଦିନ ଯାଇଛି, ଜୀବନ ର ମା ଙ୍କୁ ଟିକେ ଜରୁଆ ଜରୁଆ ଲାଗୁଥାଏ |ଆଜି ପୋଖରୀ ତୁଠ ରେ କଥା ପଡିଥିଲା, ସେଇ ମହାମାରୀ ର ମଧ୍ୟ ଏସବୁ ଲକ୍ଷଣ ;କେହି ଜଣେ କହି ଉଠିଲେ” ଆଲୋ ଏ ଜୀବନ ମା ତତେ ଆଉ ସେଇ ମହାମାରୀ ହେଇଯାଇନି ତ? ”

“ଗେରସ୍ତ ତୋର ଯାଇ ବାହାରେ ରହିଲା ମୁଁ ଯେତିକି ଶୁଣିଛି ସେପଟେ ତ ମହାମାରୀ ରେ ଅଧିକ ଲୋକ ମରୁଛନ୍ତି | ”

ଜୀବନ ର ମା ନିରୁତ୍ତୋର ହୋଇ ତୁଠ ରୁ ତ ଚାଲିଆସିଲେ କିନ୍ତୁ ଦିନ ସାରା କଥା ଟି ମନ ରେ ଘାରି ହୋଉଛି |ଫୋନ ଟି କେତେବେଳ ରୁ ବାଜି ବାଜି ଦୁଇଥର ବନ୍ଦ ହୋଇସାରିଛି |କିଛି ଘଣ୍ଟା ଆଗରୁ କଥା ହୋଇ ଯାଇଥିଲେ ଯେ ଜୀବନ ର ବାପା କହୁଥିଲେ ଭଲ ଅଛନ୍ତି ଖାଲି ଏଇ ପାଣି ବଦଳିବା ରୁ ଥଣ୍ଡା ଧରିନେଇଛି |ଗାଁ ରେ ପାହାଡିଆ ପାଣି ନା ସେଠୁ ଆସି ଏଠି ଟିକେ ଗାଧେଇ ପଡ଼ିଥିଲେ ସେଇଥିପାଇଁ ନହେଲେ ଆଉ ସବୁ ଭଲ | ତୃତୀୟ ଥର ପୁଣି ଫୋନ ବାଜିଛି,ଏଥର ଜୀବନ ର ମା ଫୋନ ରିସିଭ କରିଛନ୍ତି |ହଠାତ ପାଦ ତଳୁ ତାଙ୍କର ମାଟି ଖସି ଯାଇଛି | ମୁଣ୍ଡ ରେ ହାତ ଦେଇ ସେଇଠି ସେମିତି ଓଦା ଲୁଗା ରେ ବସିରହିଥାନ୍ତି | ଏଇ କେଇଟା ପ୍ରହର ଆଗରୁ ସ୍ୱାମୀ ସହିତ କଥା ହେଉଥିଲେ | ଆଉ ଏବେ ଏମିତି ଏକ ଅଘଟଣ…..

ସ୍ୱାମୀ ତାଙ୍କର ଅଜଣା ରୋଗ ରେ ମୃତ୍ୟୁବରଣ କରିଛନ୍ତି ବୋଲି ଖବର ଆସିଛି | ଏବେ ଗାଁ ସାହି ଲୋକ ଟାହି ଟାପରା ହେଉଥାନ୍ତି  “କେଉଁ ଅଜଣା ରାଇଜୁ ଅଜଣା ରୋଗ ରେ ମରିଛି କିଏ ତା ଦୁଃଖ ରେ ଦୁଃଖୀ ହୋଇ ନିଜ ପାଇଁ ଦୁଃଖ ର ଲହଡି କୁ ଡାକି ଆଣିବ ଯେ ”

ଶବ ଆସି ଘର ବାହାରେ ପଡିଥାଏ | ଗାଁ ଗଣ୍ଡା ର କୌଣସି ଲୋକ ଟିକେ ସହାନୁଭୂତି ପାଇଁ ମଧ୍ୟ ଆସନ୍ତି ନାହିଁ | ତିନୋଟି ପିଲାଙ୍କୁ ନେଇ ଅଣ୍ଟା ସଳଖି ପାରୁନଥିବା ଜୀବନ ର ମା ନିଜ ଗାଁ ମଶାଣି ରେ ସ୍ୱାମୀ ଙ୍କ ଦାହ ସଂସ୍କାର କରିଛନ୍ତି | କ୍ରିୟା କର୍ମ ପାଇଁ ବ୍ରାହ୍ମଣ ସାଙ୍ଗକୁ ପ୍ରିୟପରିଜନ, କୁଟୁମ୍ବ ଲୋକେ ସମସ୍ତେ ବାରଣ କଲେ | ତେଣୁ କ୍ରିୟା କର୍ମ ମଧ୍ୟ ହୋଇପାରିଲା ନାହିଁ | ସେଦିନ ସନ୍ଧ୍ୟା ରେ ଜୀବନ ର ମା ବାହାରେ ବସି ଚାହିଁ ରହିଥାନ୍ତି ଜହ୍ନ କୁ | କିଛି ଦିନ ତଳେ ପୁର୍ଣିମା ଯାଇଛି |ଏବେ ଚନ୍ଦ୍ରମା କ୍ଷୀଣ ହୋଇ ହୋଇ ଆସୁଛନ୍ତି | ଦିନେ ସମ୍ପର୍ଣ୍ଣ ଅନ୍ଧକାର ଘୋଟି ଯିବ ଆକାଶ ରେ ଏବଂ ଅମାବାସ୍ୟା ଆସିଯିବ ଠିକ ଯେମିତି ମୋର ଦରିଦ୍ର କୁଡ଼ିଆ କୁ ମହଲ କରିବାକୁ ଯାଇ କି ସେଇ କୁଡ଼ିଆ ଟି କୁ ମଧ୍ୟ ଅନ୍ଧକାର ଗ୍ରାସ କରିନେଇଛି | କିନ୍ତୁ ସେ ବା କେମିତି ଜାଣିବେ ଚନ୍ଦ୍ରମା ର କ୍ଷୀଣ କିରଣ ଠିକ ତାଙ୍କ ଆୟୁଷ ଭଳି ଏବଂ ତାଙ୍କ ଜୀବନ ରେ ମଧ୍ୟ ଘୋଟି ଆସିବ ଏମିତି ଏକ ଅମାବାସ୍ୟା ଯାହା ପରେ ଆଉ କେବେ ପୂର୍ଣମୀ  ଫେରିବ ନାହିଁ କିମ୍ବା ତାଙ୍କ ସହିତ ତାଙ୍କ ଜୀବନ ଏବଂ ତାଙ୍କ ପିଲା ମାନଙ୍କ ଜୀବନ ଆଲୋକିତ ହେବ ନାହିଁ |

ବାସ୍ତବ କଥା ହୋଉଛି ଜୀବନ ର ମା ପୀଡିତ ଥାନ୍ତି ଡେଙ୍ଗୁ ଜ୍ୱର ରେ।  ଉପଯୁକ୍ତ ଚିକିତ୍ସା ନ ପାଇ ଏବଂ କିଛି ଅନ୍ଧବିଶ୍ୱାସ ଆଜି ବି ମନ ରେ ବସା ବାନ୍ଧି ଥିବାରୁ ସେ ରୋଗ ଲୁଚେଇ ରଖିଲେ |ଯାହା ଫଳ ରେ  ଉପଯୁକ୍ତ ଚିକିତ୍ସା ଅଭାବ ରୁ ସତ କୁ ସତ ସେ ମଧ୍ୟ ଆଖି ବୁଜନ୍ତି |

ଚନ୍ଦ୍ରମା ର ଶୀତଳ କିରଣ ସେଦିନ ଧରା ପୃଷ୍ଠ ରେ ପଡ଼ିନଥାଏ | ମା ର ଶବ ପାଖରେ ବସି ଅନ୍ଧକାର ଭିତରେ କାନ୍ଦୁଥାନ୍ତି ତିନି ସନ୍ତାନ | ଗାଁ ଲୋକ ଙ୍କ ହୃଦୟ ରେ ଟିକେ ହେଲେ ମମତା ଅଥବା ଦୟା ନଥାଏ କାରଣ ସ୍ୱାମୀ ଦାଦନ ଖଟିବାକୁ ଯାଇ ଅଜଣା ରୋଗ ଗାଁ କୁ ଆଣିଛି ଏବେ ସ୍ତ୍ରୀ ଗଲା କିଏ ଜାଣେ କାଲି ସେ ତିନୋଟି ଛୁଆ ଚାଲିନଯିବେ ଏବେ ପୁଣି ସେମାନଙ୍କୁ ସାହାଯ୍ୟ କରିବାକୁ ଯାଇ ସମ୍ପୂର୍ଣ୍ଣ ଗାଁ କୁ କଣ ମଶାଣି କରିବା | ଏଭଳି କୋଠରତା ମଧ୍ୟରେ ମାନବିକତା କୁ ବଞ୍ଚାଇ ରଖିଥିବା କିଛି ସମାଜସେଵୀ ଙ୍କ ସହାୟତା ରେ ଜୀବନ ର ମା ଙ୍କ ଶବ ସତ୍କାର ହେଲା | କିନ୍ତୁ ନବୀନ, ଜୀବନ ଏବଂ ସୁନି ଏବେ କଣ କରିବେ ସେମାନେ? ବାପା ମା ଙ୍କ  ଛତ୍ର ଛାୟା ଉଠିଯିବା  ପରେ ପରେ ଏବଂ ତା ସହିତ ଏମିତି ଏକ ଅଜଣା ରୋଗ ଆଜି ସମ୍ପୂର୍ଣ୍ଣ ଦୁନିଆ ରେ ତାଙ୍କୁ ଏକୁଟିଆ କରିଦେଇଛି | ଯଦିଓ ବୟସ ବେଶୀ ନୁହେଁ କିନ୍ତୁ ଏସବୁ ଏମାନେ ବୁଝନ୍ତି | ସୁନି ଟା ଛୋଟ ଝିଅ ଟେ | କିନ୍ତୁ ନବୀନ ଏବଂ ଜୀବନ କଣ କରିବେ??

ଦଇବ ଏତେ ନିଷ୍ଠୁର କେମିତି ହୋଇଯାଏ | ହଠାତ ଆକାଶ ରେ ନଇଁ ଆସିଲା କଳା ହାଣ୍ଡିଆ ମେଘ | କାଳ ବୈଶାଖୀ ବୋଲି ସମସ୍ତେ ସଚେତନ ହୋଇଗଲେ  ଏବଂ ଅସୁଳାଏ ବର୍ଷା ପୁରା ପରିବେଶ କୁ ଥଣ୍ଡା କରିଦେଇଥିଲା | ବୈଶାଖ ର ପ୍ରକୋପ ରୁ ରକ୍ଷା ପାଇ ଧରାବାସୀ ଟିକେ  ନିଶ୍ୱାସ ମାରୁଥିବା ବେଳେ ଜୀବନ, ନବୀନ ଏବଂ ସୁନି ଙ୍କ ପାଇଁ ଏଇ ବୈଶାଖ ଏତେ ବେଦରଦୀ କେମିତି ସାଜିପାରିଲା କେଜାଣି |

ପିଲା ତିନିଟା କଣ ଏମିତି ଆଉଟୁ ପାଉଟୁ ହୋଇ ମରିବେ | ତେଣୁ ସେମାନଙ୍କୁ  ତିନୋଟି ଅନାଥ ଆଶ୍ରମ ରେ ଛାଡିଦେବାର ନିଷ୍ପତ୍ତି ନିଆ ଗଲା |  ସେଦିନ ଅନାଥ ଆଶ୍ରମ ଯିବା ପାଇଁ ତିନିହେଁ ନିଜର ଲୁଗା ପଟା ବାନ୍ଧୁଥାନ୍ତି | ସେତେବେଳେ ଅନୁଭବ ହୋଉଥାଏ ଏଇ ତ ବାବା କାମ ରୁ ଆସୁଛନ୍ତି, ମା ଭାତ ଫୁଟାଉଛନ୍ତି ଆଉ ବଡ଼ ପାଟି ରେ ଡାକୁଛନ୍ତି ନବୀନ, ଜୀବନ, ସୁନି ଦୌଡ଼ି ଆସ ରେ…. ଭାତ ଫୁଟିଗଲାଣି | ଗରମ ଗରମ ଭାତ ଖାଇଦେବ |ଖାଲି କଣ ଏତିକି ଘର ଅଗଣା ରେ ତିନି ଭାଇ ଭଉଣୀ ଲୁଚ କାଳୀ, ବିଷ ଅମୃତ, ପାହାଡ଼ ପାଣି ଖେଳୁଛନ୍ତି | ସୁନି ର ମାଟି ତିଆରି ବୋହୂ କଣ୍ଢେଇ ବି ଆଜି ଶୋକେଇ କାନ୍ଦୁଛି | ଘର ବାଡ଼ି ପଛ ଆମ୍ବ ତୋଟା ନିଜକୁ ଧିକାର କରି ପଚାରୁଛି କିଏ ଦିନ ସାରା ମୋ ପାଖରେ ବସି ରହିବ, କିଏ ମୋ ମୂଳ ରେ ପାଠ ପଢିବ ଭୋକ କଲେ ଟେକା ଟିଏ ମାରି ମୋର ସ୍ୱାଦିଷ୍ଟ ଆମ୍ବ ଖାଇ ମୋର ଭରାପୁରା ପ୍ରଶଂସା କରିବ | ସେଇ ଦରିଦ୍ର କୁଡ଼ିଆ ଭିତରେ ପ୍ରତି ଟି କୋଣ ଅନୁକୋଣ ଝୁରି ହେଉଛନ୍ତି ସମ୍ପୂର୍ଣ୍ଣ ପରିବାର କୁ | ଏଇ ଘର କାନ୍ଥ ଧରି ତିନି ଭାଇ ଭଉଣୀ ଚାଲିବା ଶିଖିଛନ୍ତି, ଏଇ ଚଟାଣ ରେ ଗୁରୁଣ୍ଡିଛନ୍ତି ଆଉ ଆଜି ସେମାନଙ୍କ ପରେ ଏଇ ଘର ସମ୍ପୂର୍ଣ୍ଣ ଶ୍ରୀହୀନ | ସେ ବା କେମିତି ଦୁଃଖ ପ୍ରକାଶ ନ କରିବ |

ଆଜି ଦିନ ବେଳ ର ପାଗ ଦେଖି ଅନୁମାନ ହେଉଥିଲା ସୂର୍ଯ୍ୟ ଯେମିତି ଏମାନଙ୍କ ଦୁଃଖ ରେ ମ୍ରିୟମାଣ | ଏବଂ ବର୍ତମାନ ଅନୁଭବ ହେଉଛି ଚନ୍ଦ୍ରମା ଯେଭଳି ବିଶାଳ ମେଘ ଖଣ୍ଡ ଭିତରେ ନିଜକୁ ଲୁଚାଇ ଧଙ୍କି ଧଙ୍କି କାନ୍ଦୁଛି | ନବୀନ ଏବଂ ଜୀବନ ବାପା ଆଣିଥିବା ନୂଆ ଜାମା କୁ ଗଣ୍ଠୁଲି ରେ ବାନ୍ଧିବା ସହିତ ସୁନି ପାଇଁ ଗଣ୍ଠୁଲି ଟେ ପ୍ରସ୍ତୁତ କରି ଘର ର ତାଟି ପାଖେ ଛିଡା ହୋଇଛନ୍ତି | ତିନିହେଁ ହାତ ଧରା ଧରି ହୋଇ ଛିଡା ହୋଇଛନ୍ତି ସିନା କିନ୍ତୁ ଏବେ ସେମାନଙ୍କ ଗନ୍ତବ୍ୟ ସ୍ଥଳ ଅଲଗା, ଲକ୍ଷ୍ୟ ସ୍ଥଳ ଅଲଗା | କାହିଁ କେତେବେଳୁ ଟିକେ ଶୋକେଇ ହେଉଥିଲେ କିନ୍ତୁ ଏବେ ଧାର ଧାର ହୋଇ ଲୁହ ଝରୁଛି ନିଜ ଭାଇ ଭଉଣୀ ଙ୍କ ଠାରୁ ଦୁରେଇ ଯିବାର ଦୁଃଖ ରେ | ଶୁଖିଲା ରାଢୁଆ ଚେହେରା ସହିତ ଲାଲ ଆଖି ଗୁଡାକ ଯେମିତି ପରସ୍ପର ପରସ୍ପର କୁ ଆକର୍ଷିତ କରି କହୁଛନ୍ତି – ନାଇଁ ଆମେ ଅଲଗା ରହିବାନି |ଏକାଠି ରହିବା ଏଇ ଘରେ ବାପା ମା ଙ୍କ ସ୍ମୃତି ରେ ବଡ଼ ହେବା | କିନ୍ତୁ ମନ ରେ ବଡ଼ ପ୍ରଶ୍ନବାଚୀ ଟିଏ  ହୋଉଛି ସମାଜ? ଏଇ କୁଟିଳ ସମାଜ ମଧ୍ୟରେ ଆମେ ଅଫୁଟା କଢ଼ ଏବେ, ଆମେ କଣ ଜିଁ ପାରିବା?

ଦିନ ଦ୍ୱିପ୍ରହର ରୁ ଘରୁ ବାହାରିବା ଖବର ପାଇ ରାତି ନଅ ଟା ରେ ଘରୁ ବାହାରିଲେ । ଧାଡି ଧାଡି ହୋଇ ତିନି ଜଣ ତିନି ଦିଗ ରେ ଯିବା ପରେ ବିଶାଳ ମେଘ ଖଣ୍ଡ ରୁ ଚନ୍ଦ୍ରମା ଉହୁଁକି ଦେଖୁଛି ସେମାନଙ୍କୁ । ଏବଂ ପ୍ରାର୍ଥନା କରୁଛି “ହେ ଈଶ୍ୱର! କାଲି ର ସୂର୍ଯ୍ୟୋଦୟ ଏମାନଙ୍କ ପାଇଁ ଉନ୍ନତି ଏବଂ ସମୃଦ୍ଧି ଆଣି ଦେଉ ।

                     
ଇତୁସ୍ମିତା ବେହେରା
ମୟୂରଭଞ୍ଜ, ବାରିପଦା


Share it

Join the Conversation

2 Comments

Leave a comment

Your email address will not be published. Required fields are marked *

Verified by MonsterInsights