ନୂଆଁଖାଇ

Share it

ନୂଆଁଖାଇ

ମଧୁମିତା ମିଶ୍ର

ପବିତ୍ର ଭାଦ୍ରବ ମାସରେ ଅନୁଷ୍ଠିତ ହେଉଥିବା ପଶ୍ଚିମ ଓଡ଼ିଶାର ପ୍ରମୁଖ ଗଣପର୍ବ ନୂଆଁଖାଇ ଏକ କୃଷିଭିତ୍ତିକ ପର୍ବ ଅଟେ। ଏହାର ନାମ ଅନୁସାରେ ଏହିଦିନ ନୂତନ ଧାନରୁ ପ୍ରସ୍ତୁତ ଅନ୍ନ ପ୍ରସାଦ ଅର୍ପଣ କରାଯିବା ପରେ ପରିବାରବର୍ଗ ସାଙ୍ଗହୋଇ ତାହା ଗ୍ରହଣ କରନ୍ତି।ନୂଆ ଚାଉଳରେ ପ୍ରସ୍ତୁତ ଖାଦ୍ୟ ଖାଇବା ଯୋଗୁଁ ଏହା ନୂଆଁଖାଇ ନାମରେ ବିଖ୍ୟାତ ହୋଇଛି। ସମ୍ବଲପୁର ଅଞ୍ଚଳ ଏହି ପୂଜାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ନୂତନ ଅମଳ କରାଯାଇଥିବା ଧାନରୁ ଯେଉଁ ଚାଉଳ ପ୍ରସ୍ତୁତ କରାଯାଏ ସେଥିରୁ ବିଭିନ୍ନ ସୁସ୍ୱାଦୁ ପିଠା ଏବଂ ମିଷ୍ଟାନ୍ନ ପ୍ରସ୍ତୁତ ହୁଏ ଆଉ ତାହା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ଵରୀଙ୍କ ପାଖରେ ଭୋଗ ଲଗାଯାଏ। ଅନ୍ୟାନ୍ୟ ଗ୍ରାମରେ ଗ୍ରାମର ମୁଖିଆ ଏହି ଭୋଗକୁ ଗ୍ରାମ ଦେବତୀଙ୍କୁ ଅର୍ପଣ କରିଥାନ୍ତି।ତା’ପରେ ଘରର ପ୍ରତ୍ୟେକ ସଦସ୍ୟ ଏକତ୍ର ବସି ଏହି ନବାନ୍ନ ଭକ୍ଷଣ କରିଥାନ୍ତି ଏବଂ ପର୍ବ ପାଳନ କରିଥାନ୍ତି।

ପ୍ରକୃତରେ ନୂଆଁଖାଇ ଏକ ଗଣପର୍ବ ହେଇଥିବାରୁ ଏହି ପର୍ବ ଛୋଟବଡ, ଧନୀ ଗରୀବ ନିର୍ବିଶେଷରେ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଅତି ଆନନ୍ଦର ସହିତ ଏକଜୁଟ ହୋଇ ଏହି ଉତ୍ସବ ପାଳନ କରନ୍ତି।ଏକ ଶୁଭଲଗ୍ନ ନିର୍ଦ୍ଧାରିତ କରାଯାଏ ଏବଂ ସେହି ସମୟରେ ଇଷ୍ଟ ଦେବୀଙ୍କୁ ଭୋଗ ଲାଗିବା ପରେ ନୂତନ ବସ୍ତ୍ର ପରିଧାନ କରି ନବାନ୍ନ ଭକ୍ଷଣ କରାଯାଏ।ନୂଆଁଖାଇରେ ନବବର୍ଣ୍ଣର ସମାହାର ସଦୃଶ ନଅଟି ସୋପାନ ମଧ୍ୟ ଦେଖିବାକୁ ମିଳିଥାଏ।

୧. ବେହରଣ – ଏହି ସୋପାନରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ କରିବା ଉଦ୍ଦେଶ୍ୟରେ ଏକ ସଭା ଆୟୋଜିତ କରିବା ଘୋଷଣା କରାଯାଏ।

୨. ଲଗ୍ନଦେଖା – ଏହି ସୋପାନରେ ନବାନ୍ନ ଭକ୍ଷଣ ପାଇଁ ସମୟ ନିର୍ଘଣ୍ଟ ସ୍ଥିର କରାଯାଏ।

୩. ଡକାହକା – ତା’ପରେ ପ୍ରତ୍ୟେକ ପରିବାର ସଦସ୍ୟଙ୍କୁ, ବନ୍ଧୁବାନ୍ଧବ ଏବଂ ସାଙ୍ଗସାଥିଙ୍କୁ ନୂଆଁଖାଇ ଦିନ ଉପସ୍ଥିତ ରହି ନବାନ୍ନ ଭକ୍ଷଣ କରିବା ପାଇଁ ଆମନ୍ତ୍ରଣ କରାଯାଇଥାଏ।

୪. ସଫା ସୁତୁରା ଓ ଲିପାପୋଛା – ତା’ପରେ ଘରଦ୍ୱାର ସବୁ ଝଡ଼ାଝଡି କରି ସଫା ସୁତୁରା କରିଦିଆଯାଏ ଏବଂ ଲିପାପୋଛା କରି ସୁନ୍ଦର ରୂପେ ସଜେଇ ଦିଆଯାଏ।

୫. ଘିନାବିକା – ଏହି ସୋପାନରେ ନୂଆଁଖାଇ ପାଇଁ ଆବଶ୍ୟକୀୟ ବସ୍ତୁସବୁ କିଣାକିଣି କରି ଘରକୁ ଅଣା ଯାଇଥାଏ।

୬. ନୂଆ ଧାନ ଖୁଜା – ଏହାପରେ ଆରମ୍ଭ ହୁଏ ନୂଆ ଅମଳ ହେଇଥିବା ଧାନର ସନ୍ଧାନ ଯାହା ଦ୍ଵାରା ମିଷ୍ଟାନ୍ନ ପ୍ରସ୍ତୁତ କରାଯାଇ ପାରିବ।

୭. ବାଲିପକା – ଏହି ସୋପାନରେ ନୂଆ ଚାଉଳରେ ପ୍ରସ୍ତୁତ ହୋଇଥିବା ଖାଦ୍ୟକୁ ଦେବତାଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇ ଭୋଗ କରାଯାଏ।

୮. ନୂଆଁଖାଇ – ଏହି ସୋପାନଟି ପର୍ବର ସବୁଠାରୁ ପ୍ରମୁଖ ସୋପାନ ଅଟେ।ଏଥିରେ ଦେବତାଙ୍କୁ ଭୋଗ କରା ଯାଇଥିବା ପ୍ରସାଦ ସହିତ ଅନ୍ୟାନ୍ୟ ବ୍ୟଞ୍ଜନ ମିଶେଇ ଘରର ସବୁ ସଦସ୍ୟ ଏକାଠି ବସି ଖାଇବା ପରେ ନାଚଗୀତ କରି ଖୁସି ମନେଇଥାନ୍ତି।

୯. ଜୁହାର ଭେଟଘାଟ – ପର୍ବର ଏହି ଅନ୍ତିମ ପର୍ଯ୍ୟାୟରେ ଗୁରୁଜନ ମାନଙ୍କୁ ‘ନୂଆଁଖାଇ ଜୁଆର ‘ କରି ମୁଣ୍ଡିଆ ମାରିବା ସହିତ ସେମାନଙ୍କ ଠାରୁ ଆଶୀର୍ବାଦ ଏବଂ ଭେଟି ପାଇବା ପରେ ସମସ୍ତେ ଆନନ୍ଦିତ ହୋଇଥାନ୍ତି।

ଯେ କୌଣସି ପର୍ବ ହେଉନା କାହିଁକି ଯଦି ସେଥିରେ ନାଚଗୀତ ନଥାଏ ତେବେ ଆନନ୍ଦ କେମିତି ଆସି ପାରିବ? ସହଜେ ପଶ୍ଚିମ ଓଡ଼ିଶାର ବାଦ୍ୟ ଢ଼ୋଲ୍, ମହୁରୀ, ଢାସା, ନିଶାନ, ଝୁମ୍ମା ଏସବୁ ବାଜିଲେ ଆପଣାଛାଏଁ ହିଁ ନାଚି ହେଇଯାଏ। ତେଣୁ ଏଇ ନୂଆଁଖାଇ ପରି ଏକ ପର୍ବ ଯେଉଁଥିରେ ସାମିଲ ହେବାପାଇଁ ଘରର ପ୍ରତ୍ୟେକ ସଦସ୍ୟ ବର୍ଷସାରା ଅପେକ୍ଷା କରି ରହିଥାନ୍ତି ; ସେମାନେ ପର୍ବ ଶେଷରେ ନାଚଗୀତ କରି ବହୁତ୍ ମଜା ମଜଳିସ୍ କରନ୍ତି। ନୂଆଁଖାଇ ପରଦିନ ବାସି ତିଆର୍ ପାଳନ କରାଯାଏ ଯାହା ଏକପ୍ରକାର ଛାଡଖାଇ ପର୍ବ ଯେଉଁଥିରେ ଆମିଷ ଭକ୍ଷଣ କରିବା ବିଧି ରହିଛି।

ପ୍ରକୃତରେ ନୂଆଁଖାଇ ଏକ ପ୍ରତୀକାତ୍ମକ ପର୍ବ କହିଲେ କିଛି ଅତ୍ୟୁକ୍ତି ହେବନି। ଗତାନୁଗତିକ ଜୀବନଧାରାରେ ଅନେକ ଶିକ୍ଷା ଦେବାପାଇଁ ଏହି ପର୍ବ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଥାଏ। ପ୍ରଥମତଃ ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାରୁ ଚାଷୀଭାଇ ଶସ୍ୟ ଅମଳ ସମୟରେ ବହୁତ୍ ଖୁସି ହେଇଥାଏ। ତା’ ଖୁସିରେ ସମସ୍ତେ ସାମିଲ ହେଇ ପାରିଲେ ତା’ ମନୋବଳ ଆହୁରି ବଢ଼ି ଯାଇଥାଏ। ଦ୍ବିତୀୟତଃ ଏହି ପର୍ବ ଆମକୁ ଶିଖେଇଦିଏ ଯେ ଆମେ ଯାହା କିଛି ବି ପ୍ରକୃତିର ବରଦାନ ରୂପେ ଲାଭ କରିଛୁ ତାହା ଉପରେ ପ୍ରଥମ ଅଧିକାର ଇଶ୍ୱରଙ୍କର ଅଛି। ତୃତୀୟତଃ ଏହି ଗଣପର୍ବ ଆମକୁ ପରିବାର ମନସ୍କ କରି ଗଢ଼ିତୋଳେ।ଚତୁର୍ଥତଃ ନୂଆଁଖାଇ ପର୍ବ ପାଳନ ସମୟରେ ଗୁରୁଜନମାନଙ୍କୁ ଜୁହାର କରିବା ସହିତ ଛୋଟ ମାନଙ୍କୁ ଆଶୀର୍ବାଦ ଦେବାର ପରମ୍ପରା ଭାରତୀୟ ସଂସ୍କୃତିର ମହନୀୟ ବାର୍ତ୍ତା ବହନ କରେ ଯାହା ଏକ ସୁସ୍ଥ ସାମାଜିକ ଚଳଣୀର ପ୍ରକୃଷ୍ଟ ଉଦାହରଣ ଦେଇଥାଏ।ପଞ୍ଚମତଃ ନାଚଗୀତରେ ହଜିଯାଇ ନିଜ ପରିବାର ସହିତ କିଛି ସମୟ ବିତେଇବା ଦ୍ଵାରା କର୍ମଜନିତ କ୍ଳାନ୍ତି ଦୁରହୋଇ ମନ ପ୍ରଫୁଳିତ ହୁଏ ଏବଂ କାର୍ଯ୍ୟ କରିବା ପାଇଁ ନୂତନ ଶକ୍ତି ସଞ୍ଚାରିତ ହୁଏ।

ପ୍ରତ୍ୟେକ ଦୃଷ୍ଟିରୁ ଦେଖିବାକୁ ଗଲେ ନୂଆଁଖାଇ ପରବ ପାଳନର ଅନେକ ମହତ୍ତ୍ଵ ରହିଛି।ପରିଶେଷରେ ଭେଟଘାଟ ସାରି ଫେରିଯିବା ସମୟରେ ପରସ୍ପର କୁହାକୁହି ହୁଅନ୍ତି ଯେ ବଞ୍ଚିଥିଲେ ପୁଣି ଆର ବର୍ଷ ଭେଟ ହେବା। ଏହା ପୁନଃ ଭେଟ ହେବାପାଇଁ ଏକ ଆଶାର ସଂଚାର କରାଇଥାଏ ଏବଂ କାର୍ଯ୍ୟକ୍ଷେତ୍ରକୁ ଫେରିଯିବା ସମୟରେ ଏକ ମଧୁର ସ୍ମୃତି ହୋଇ ଉର୍ଜାବାନ୍ କରାଇଥାଏ।ଯିଏ ଯେତେ ଦୂରରେ ଥିଲେ ମଧ୍ୟ ଏହି ପର୍ବ ସମୟରେ ଘରକୁ ଛୁଟି ଆସନ୍ତି ପରିବାର ପାଖକୁ ପର୍ବ ପାଳିବାକୁ। ପ୍ରକୃତରେ ଭାରତର ଅନେକ ମହାର୍ଘ୍ୟ ପରମ୍ପରା ଭିତରୁ ଏହି ନବାନ୍ନ ଭକ୍ଷଣ ପରମ୍ପରା ଆମ ସମସ୍ତଙ୍କୁ ଅନେକ ଦିଗଦର୍ଶନ ଦେବା ସହିତ ଯୁବ ସମାଜକୁ ପରିବାର ତଥା ମାଟିମା’ ସହିତ ଯୋଡି ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଯାହା ସର୍ବାଦୌ ପ୍ରଶଂସନୀୟ।

© ମଧୁମିତା ମିଶ୍ର
ଭୁବନେଶ୍ୱର


Share it

Leave a comment

Your email address will not be published. Required fields are marked *

Verified by MonsterInsights