ଧର୍ମେନ୍ଦ୍ର ଆଉ ମାତ୍ର ଦୁଇଟି କାମ କରି କାଳକାଳକୁ ଯଶସ୍ବୀ ହୋଇଯାଆନ୍ତୁ

Share it

ଟ୍ରମ୍ପ ମୋଦୀ ପୁଟିନ ଆଉ ସେ ଚାଇନା କମୁନିଷ୍ଟ ଲୋକଟା କଣ ତାଙ୍କ ନାଁ ଟା ମନେପଡୁନି – ସେଇମାନଙ୍କ ପାଇଁ କୋଭିଡ ସୃଷ୍ଟି ଓ କୋଟି କୋଟି ଲୋକ ମଲେ – ଏମିତି କୁହା ଯାଉଛି , ପ୍ରମାଣ ବି ଲୋକେ ବାଢୁଛନ୍ତି। ଏହାକୁ ସତ ବୋଲି କଣ ଆମେ ବିଶ୍ବାସ କରିବା ? ନା କରୁଛନ୍ତି ?

ସେମିତି ବର୍ଷା ହେଲାନି, ଦୁର୍ଭିକ୍ଷ ପଡିଲା । କିନ୍ତୁ ରେଭେନ୍ସା ତାକୁ ମୁକାବିଲା କରିପାରିଲେନି, କିଛି ଖଣ୍ଟ ବ୍ରିଟିଶ ଦଲାଲ ପ୍ରଜା ଶୋଷକ ଜମିଦାର, ରଜା ମହାରଜାଙ୍କ କଥାକୁ ବିଶ୍ୱାସ କରି ତାଙ୍କରି ବୁଦ୍ଧିରେ ବାଟ ଚିଲିବାରୁ।

ସେମାନେ କହିଲେ – ଛାଡ ହୋ, ଦୁର୍ଭିକ୍ଷ ଗୋଟେ କଣ ? ଲୋକ ଖଜଣା ଠକିବାକୁ ପେଖନା କାଢୁଛନ୍ତି, ନହେଲେ ସେମାନଙ୍କ ପାଖରେ ଯଥେଷ୍ଟ ଖାଦ୍ଯ ଶସ୍ଯ ମହଜୁଦ ଅଛି ।

ରେଭେନସା ସେ ଖଜଣା ଆଦାୟ ଏଜେଣ୍ଟ ଓରଫ ତଣ୍ଟିକଟା ଦଲାଲ ରଜା ଜମିଦାରଙ୍କ କଥାକୁ ବିଶ୍ୱାସ କରି ସେହି ଅନୁସାରେ ରିପୋର୍ଟ ଦେଇଦେଲେ ତାଙ୍କ ହେଡ ମାଲିକାଣି ଇଂଲଣ୍ଡକୁ । ଏପଟେ ଅକାଳ ଉତ୍କଟ ମରୁଡି କାରଣୁ ଦୁର୍ଭିକ୍ଷ ଭୟଙ୍କର ରୂପ ଧାରଣ କଲା । ଗାଆଁର ସାଧାରଣ ଚାଷୀ ମୂଲିଆ ମଳିମୁଣ୍ଡିଆଙ୍କ ଅନୁଭବର କଥା ସତ ହୋଇଗଲା । ସେତେବେଳକୁ ନେଡିଗୁଡ କହୁଣୀକୁ ବହି ଗଲାଣି ।

ରେଭେନସା ଓ ବ୍ରିଟିଶ ସରକାର ଯାହା କିଛି ଚାଉଳ ଖାଦ୍ଯ ଶସ୍ଯ ମଗାଇଲେ ସେଥିରୁ ଜମିଦାର ଓ ତାଙ୍କ ପୋଷା ଗୁଣ୍ଡାମାନେ ବାଟମାରଣା କରି ଲୁଟିଲେ ବରଂ, ଲୋକଙ୍କ ପାଖରେ ପହଞ୍ଚାଇବାର ବନ୍ଦୋବସ୍ତ କଲେନି କି ନିଜ କୋଠ ଧାନ ଚାଉଳ ବୁଭୁକ୍ଷୁ ଲୋକଙ୍କୁ ଦେବାର ବଦାନ୍ଯତା ଦେଖାଇଲେ ନାହିଁ। ଫଳରେ ଲକ୍ଷ ଲକ୍ଷ ଲୋକଙ୍କର ଅନାହାର ମୃତ୍ଯୁ ହେଲା । ବିଚରା ରେଭେନ୍ସା ବାବୁଟି ବଦନାମ ହେଲେ ଓ ବହୁ ବ୍ଯଥିତ ହେଲେ ।

ତାପରେ ସେ ଏଠାରେ ଯେଉଁ ପନ୍ଦର ଷୋଳ ବର୍ଷ ଶାସନ ଦାୟିତ୍ବରେ ରହିଲେ ତା ଭିତରେ ଧିରେ ଧିରେ ଏସବୁକୁ ନିଯନ୍ତ୍ରଣକୁ ଆଣିଲେ ଏବଂ ଏ ତତ୍କାଳୀନ ଖଳ ଜମିଦାର ଓ ତଥାକଥିତ ସମ୍ଭ୍ରାନ୍ତ ଲୋକଙ୍କ ହୀନ ବୁଦ୍ଧିର ଶିକାର ହୋଇ କରିଥିବା ଭୁଲ ପାଇଁ ପଶ୍ଚାତାପ କଲେ ।

ଓଡିଶାର ସାଧାରଣ ପରିବାରର ଲୋକଙ୍କୁ ଶିକ୍ଷା ମାଧ୍ଯମରେ କ୍ଷମତାପନ୍ନ ନକଲେ ଏ ଶୋଷକ ଦୁଶ୍ଚରିତ୍ର ଓଡିଆ ଜମିଦାରମାନେ ବଂଗର କିଛି ପାଠୁଆ ଅମଣିଷମାନଙ୍କ ସହ ମିଶି ଓଡିଶାର ସାଧାରଣ ଗରୀବ ଲୋକଙ୍କୁ ଏମିତି କାଳକାଳକୁ ଶୋଷଣ କରି ଚାଲିଥିବେ ବୋଲି ତାଙ୍କର ହୃଦବୋଧ ହେଲା । ତେଣୁ ସେ ଓଡିଶାରେ ଓଡିଆ ଭାଷା ମାଧ୍ଯମରେ ଶିକ୍ଷା ଅନୁଷ୍ଠାନ ଯଥା ସ୍କୁଲ, କଲେଜ ଇତ୍ଯାଦି ସ୍ଥାପନ କଲେ କିଛି ବଛା ବଛା ସୁଚରିତ୍ରବାନ ମହାରାଜା ଓ ଆଗୁଆ ଲୋକଙ୍କ ସହାୟତାରେ।

ସେଥିପାଇଁ ସମସ୍ତେ ତାଙ୍କ ଏ ଉଦ୍ଯମକୁ ପ୍ରଶଂସା କରିବା ସହ କଟକର ପ୍ରଥମ କଲେଜଟିକୁ ରେଭେନ୍ସାଙ୍କ ନାମରେ ନାମିତ କଲେ ତତ୍କାଳୀନ ଓଡିଶାର ମାନ୍ଯଗଣ୍ଯ ବ୍ଯକ୍ତିମାନେ । ଓଡିଆ ଲୋକେ ଥରେ ଶିକ୍ଷାର ଆଲୋକ ଓ ତାର ଉପକାରୀତାର ପରିଚୟ ପାଇଲା ପରେ ପରବର୍ତ୍ତୀ ସମୟରେ କଟକରୁ ଆରମ୍ଭ ହୋଇ ତାଳଚେର ପର୍ଯ୍ୟନ୍ତ ସ୍କୁଲ କଲେଜ ଲମ୍ବି ଚାଲିଥିବ । ଯଦି ରେଭେନ୍ସାଙ୍କ ପରି ଜଣେ ବ୍ରିଟିଶ ପ୍ରଶାସକ ସେ ସମଯରେ ଓଡିଆ ଭାଷାରେ ଶିକ୍ଷା ପାଇଁ ଅଣ୍ଟା ଭିଡ଼ି ତାଙ୍କ କଲମମୂନରେ ଦୃଢ ସହଯୋଗ କରି ନଥାନ୍ତେ ତାହେଲେ ଆଜି ଏ ଯେଉଁ କେଇଧାଡ଼ି କଥା ଏଠାରେ ଲେଖା ହେଲା ତାହା ବି ବଙ୍ଗାଳୀ, ହିନ୍ଦି ନହେଲେ ଇଂଲିଶରେ ଲେଖିବାକୁ ହୋଇଥାଆନ୍ତା ବୋଧେ । ବାବୁ, ଏମିତିକା କଥା ମଧ୍ଯ ପ୍ରମାଣ ସହ ଉପସ୍ଥାପନ କରା ଯାଉଛି । ଆମେ କୋଭିଡ୍ କଥା ପରିକା ଏ କଥାକୁ ବିଶ୍ୱାସ କରିବା ? କି ନାହିିଁ ?

ମୋର କହିବା କଥା ଭିନ୍ନ । ଧର୍ମେନ୍ଦ୍ର ବାବୁ ଯଦି ସୁନାମ ଅର୍ଜନ କରି ଚର୍ଚ୍ଚାରେ ରହିବାକୁ ଚାହୁଁଛନ୍ତି ତ ସେ ନିମ୍ନ ଲିଖିତ ଯୋଡିଏ କାମ ମାତ୍ର କରି ଦିଅନ୍ତୁ । ରେଭେନ୍ସା ତ କଟକର ଆରଡିସି ଥିଲେ, ସିଏ ଓଡିଆଙ୍କୁ ଓଡିଆ ଭାଷାକୁ ଅମୃତ ସଞ୍ଜିବନୀ ପିଆଇ ଅମର କରିଦେଇଗଲେ । ଧର୍ମେନ୍ଦ୍ର ତ ଆମର ସାରା ଭାରତ ବର୍ଷର ମନ୍ତ୍ରୀ, ତାଙ୍କ ତୁଳନାରେ ଗୋଟେ Revenue Divisional Commissioner ବା RDC ଙ୍କର କ୍ଷମତା ବା କେତେ ?

ଧର୍ମେନ୍ଦ୍ର ଗୋଟେ କାମ କରନ୍ତୁ
ଗୋଟେ କଳିଙ୍ଗ ରେଜିମେଣ୍ଟ ଓ
ଗୋଟେ କଳିଙ୍ଗ ବ୍ଯାଙ୍କ ସ୍ଥାପନ କରିକି ଦେଖାନ୍ତୁ । ଏକଥା ବୋଧେ ମୁଁ ଆମ ନେତାମାନଙ୍କୁ 30 ବର୍ଷ ହେଲା କହୁଛି, 20 ବର୍ଷ ହେଲାଣି ଖବରକାଗଜମାନଙ୍କରେ ଲେଖିବାର ।

ହଁ ଆଉ ଗୋଟେ ନକହିବା କଥା ବି କହିଦିଏ, ଅହଙ୍କାରରେ କହୁନି, ଧର୍ମେନ୍ଦ୍ରଙ୍କ ବୃଥା ଅହଙ୍କାର ଭାଙ୍ଗିବାକୁ କହୁଚି, ଆଜିଯାଏ କେବେ ଏକଥା କହିବାକୁ ଭଲପାଉନଥିଲି । କେବଳ ଏ ଅପଦାର୍ଥ ଅଯୋଗ୍ଯ ମାର୍ଗରେ ପାଦ ଥାପୁଥିବା ଧର୍ମେନ୍ଦ୍ରଙ୍କୁ ପଦାର୍ଥ ଓ ଯୋଗ୍ଯ ରାସ୍ତା ଚୟନ କରେଇବାକୁ ଏ ନକହିବା କଥାଟି କହୁଛି, –

ଆମ ଧର୍ମେନ୍ଦ୍ର ବାବୁ ଏବେ ଯେଉଁ ନୁଆ ନୁଆ ପାଇକ ନେତା ହେଇଛନ୍ତି ଓ ଓଡିଶାର ପାଇକମାନଙ୍କ ପାଇଁ ଖୋର୍ଦ୍ଧାର ସେ ବୀର ପାଇକ ପୀଠ ପାଇଁ ଯତ୍ କିଞ୍ଚିତ ତ ନୁହେଁ ବରଂ ଢେର୍ କିଛି କରିବାର ସୁଯୋଗ ପାଇଛନ୍ତି ଓ କାମ କରିଛନ୍ତି ତଥା କରୁଛନ୍ତି ମଧ୍ଯ – ଓଡିଶା ମାଟିର ସେ ମହାନ ପାଇକ ଅସ୍ମିତା ସୁରକ୍ଷାର ମୂଳ ବୀଜ ପୋତିଥିଲା ଏ ଲକ୍ଷ୍ମୀଧର ନାୟକ, କୌଣସି ଏକ ସମୟରେ, ଗୋଟେ ଏତେବଡ ପାଇକ ଅସ୍ମିତାକୁ ଓଡିଆ ଜାତି ଭୁଲିଯାଉଥିବା ଅକଥାରେ ବ୍ଯଥିତ ହୋଇ, ସେହି ପାଇକ ଅସ୍ମିତାର ମୂଳ ବୀଜଟି ପାଇକବୀର ବଂଶଜ ଯଶସ୍ବୀ ଶ୍ରୀମାନ ଶିଶିର ନାୟକଙ୍କ ପ୍ରାରମ୍ଭିକ ପ୍ରଯତ୍ନ ଓ ପ୍ରଚେଷ୍ଟାରେ ଆଜି ଗୋଟେ ମହାଦ୍ରୁମ ହୋଇ ପୁନଃପ୍ରତିଷ୍ଠିତ ହୋଇଛି, ଯାହାର ଅନ୍ଯତମ କର୍ଣ୍ଣଧାର ଭୁମିକାରେ ଏବେ ଅନେକ ପ୍ରଥିତଯଶା ବ୍ଯକ୍ତିବିଶେଷ। କେନ୍ଦ୍ର ମନ୍ତ୍ରୀ ହିସାବରେ ଧର୍ମେନ୍ଦ୍ର ବି ଏ ଅସ୍ମିତା ଧାରାର ମୁଖିଆ ପଣିଆ କରି ଯଶସ୍ବୀ ହୋଇଛନ୍ତି ଏବଂ ଧର୍ମେନ୍ଦ୍ରଙ୍କର ଏ ଅବଦାନ ଅକୁଣ୍ଠ ସ୍ବୀକାର୍ଯ୍ଯ ମଧ୍ଯ ।

ସେଥିପାଇଁ କହୁଛି ଧର୍ମେନ୍ଦ୍ର ସେ ରେଭେନ୍ସାଙ୍କ ନାଁ ଲିଭେଇବା କାମରେ ନ ମାତି ଓଡିଶାରେ ଗୋଟେ କଳିଙ୍ଗ ରେଜିମେଣ୍ଟ ଓ ଗୋଟେ କଳିଙ୍ଗ ବ୍ଯାଙ୍କ ସ୍ଥାପନ କରିବାରେ ପ୍ରମୁଖ ଭୁମିକା ନେଇ କାଳକାଳକୁ ରେଭେନ୍ସାଙ୍କ ପରିକା ନିଜେ ଯଶସ୍ବୀ ହୋଇଯାଆନ୍ତୁ ।

ଏପରି କାମ ଦୁଇଟି କରିବାର ସମସ୍ତ ସୁଯୋଗ ଏବେ ଉପଲବ୍ଧ, ଯଥା – କେନ୍ଦ୍ର ବିଜେପି ସରକାର ଓଡିଶା ଲୋକଙ୍କ 2024 ନୀର୍ବାଚନୀ ଅବଦାନ ପାଖରେ ଏବେ ଋଣୀ, ଜଣେ ଓଡିଆ ଏବେ ରିଜର୍ଭ ବ୍ଯାଙ୍କ ଗଭର୍ଣ୍ଣର ଅଛନ୍ତି ଏବଂ ସର୍ବୋପରି ତିନି ସେନାବାହିନୀର ସର୍ବୋଚ୍ଚ କର୍ତ୍ତ୍ରୀ ଭାବେ ଓଡିଆ ଝିଅ ମାନନୀୟା ଦ୍ରୌପଦୀ ମୁର୍ମୁ ଏବେ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ ଅଛନ୍ତି । ଏପରି ଏକ ମହାର୍ଘ ମୁହୁର୍ତ୍ତରେ ଏ ଦୁଇଟି କାଳଜୟୀ କାମ କରି କାଳକାଳକୁ ଯଶସ୍ବୀ ହେବା ପରିବର୍ତ୍ତେ ଧର୍ମେନ୍ଦ୍ର ସେ ରେଭେନ୍ସାଙ୍କ ନାଁ ପଛରେ କାହିଁକି ପଡିଛନ୍ତି ସେକଥା ମୋ ବୁଝିବା ବାହାରର କଥା। ଅନେକ ଲୋକ ବି ସେକଥା ବୁଝିବାକୁ ଅମଙ୍ଗ ହେଉଛନ୍ତି, ବ୍ଯଥିତ ହେଉଛନ୍ତି ମଧ୍ଯ ।

ଲକ୍ଷ୍ମୀଧର ନାୟକ


Share it

Join the Conversation

1 Comment

  1. ଆପଣଙ୍କ ଏ ଆଲେଖ୍ୟ ପାଇଁ କୋଟି କୋଟି ପ୍ରଣାମ ଜଣାଉଛି 🙏🙏ଅନ୍ତତଃ ଆପଣ ପ୍ରକୃତ ସତ୍ୟ କୁ ଅବତାରଣା କରିଛନ୍ତି l ନ ହେଲେ କିଛି ମୁଷ୍ଟିମେୟ ଭକ୍ତ ନଅଙ୍କ ଦୁର୍ଭୀକ କୁ ଆଳ କରି ଯେପରି ଚିଲାଉଛନ୍ତି କାନ ବଧିରା ପଡି ଗଲାଣି l ପ୍ରଣାମ 🙏🙏

Leave a comment

Your email address will not be published. Required fields are marked *

Verified by MonsterInsights