ଶ୍ରୀମଦ୍ଭାଗବତ ମହାପୁରାଣର କଥା l ସୃଷ୍ଟି ବିସ୍ତାର ନିମନ୍ତେ ବ୍ରହ୍ମାଙ୍କ ଅଙ୍ଗରୁ ସୃଷ୍ଟିର ଆଦି ପୁରୁଷ ରୂପେ ମନୁ ଓ ଆଦି ନାରୀ ଶତରୂପା ଜନ୍ମ ହେଲେ । ତାଙ୍କ ଠାରୁ ବିଷ୍ଣୁ କଳାରେ ପ୍ରିୟବ୍ରତ ଓ ଉତ୍ତାନପାଦ ଦୁଇ ଗୋଟି ପୁତ୍ର ଜନ୍ମ ହେଲେ ଓ ସସାଗରା ପୃଥିବୀରେ ରାଜପଣ କଲେ । ରାଜା, ଉତ୍ତାନପାଦଙ୍କର ସୁନିତୀ ଓ ସୁରୁଚି ନାମରେ ଦୁଇ ରାଣୀ ଥିଲେ । ସାନରାଣୀ ସୁରୁଚିଙ୍କୁ ରାଜା ଅଧିକ ସ୍ନେହ କରୁଥିଲେ । ଏନେଇ ସୁରୁଚିଙ୍କ ମନରେ ଭାରି ଗର୍ବ ଥିଲା । ସୁରୁଚିଙ୍କ ପୁତ୍ର ଥିଲେ ଉତ୍ତମ ଓ ସୁନିତୀଙ୍କ ପୁତ୍ର ଥିଲେ ଧ୍ରୁବ ।
ଦିନକର କଥା, ରାଜା ଉତ୍ତାନପାଦ କୋଳରେ ପୁତ୍ର ଉତ୍ତମକୁ ବସାଇ ଗେଲ କରୁଥାନ୍ତି ଧ୍ରୁବ ଯାଇ ତାଙ୍କ କୋଳରେ ବସିବା ପାଇଁ ଚାହିଁଲା । ନିଜ ସଉତୁଣୀ ପୁଅ ଧ୍ରୁବ,ରାଜାଙ୍କ କୋଳରେ ବସିବାକୁ ଯାଉଥିବା ଦେଖି ସୁରୁଚି କହିଲେ, ରାଜାଙ୍କ କୋଳରେ ବସିବା ପାଇଁ ତୁ ଯୋଗ୍ୟ ନୋହୁଁ । ତୁ, ମୋର ପୁତ୍ର ନୋହୁଁ । ଯଦି ରାଜାଙ୍କ କୋଳରେ ବସିବାକୁ ଚାହୁଁଛୁ ତେବେ ତପସ୍ୟା କରି ଭାଗବନ୍ ଶ୍ରିହରିଙ୍କୁ ସନ୍ତୁଷ୍ଟ କରି ମୋ ଗର୍ଭରୁ ଜନ୍ମ ହୁଅ ।
ବିମାତାର ଏପରି କଥା ଶୁଣି ଧ୍ରୁବ କାନ୍ଦି କାନ୍ଦି ଆସି ମାଆଙ୍କୁ ସବୁ କଥା କହିଲେ । ସୁନିତୀ ପୁଅର କଥା ଶୁଣି ଭାଗ୍ୟଆଦରି କାନ୍ଦିବାକୁ ଲାଗିଲେ । ସେ ପୁତ୍ର ଧ୍ରୁବକୁ କୋଳକୁ ନେଇ କହିଲେ, ହଁ ବାବା । ସୂରୁଚି ଯାହା କହିଛି ତାହା ଠିକକଥା । ଆଜି ଉତ୍ତମ ଯେଉଁ ସ୍ଥାନରେ ବସିଛି, ତୋତେ ସେଠାରେ ବସିବା ପାଇଁ ହେଲେ ତୁ ଶ୍ରୀବିଷ୍ଣୁଙ୍କ ପାଦପଦ୍ମକୁ ଆରାଧନା କର । ସେହି ମୁନିଜନ ମୋହନ ପରମ ପୁରୁଷ ହିଁ କେବଳ ତୋର ଦୁଃଖ ମୋଚନ କରି ପାରିବେ । ତୁ ତାଙ୍କୁ ହିଁ ଆଶ୍ରୟ କର । ମାତାଙ୍କ ଉପଦେଶ ଶୁଣି ଧ୍ରୁବ କ’ଣ କରିବେ ସ୍ଥିର କରିନେଇ ଘରୁ ବାହାରି ଗଲେ ।
ଧ୍ରୁବ ଆଗେ଼ଇ ଚାଲି ଥାନ୍ତି, ବାଟରେ ଭେଟ ହେଲେ ମହର୍ଷି ନାରଦ । ନାରଦ ଧ୍ରୁବକୁ କହିଲେ, ଆରେ ତୁ ତ ଏଡ଼େ ଛୋଟ ପିଲାଟିଏ, ତୋର ଏବେ ଖେଳିବା ବୟସ । କିଏ କଅଣ କହି ଦେଲା ବୋଲି ସେ କଥା ତୁ ମନରେ ଧରିଛୁ । ହଉ ହେଲା, ଏବେ ତୁ ମାଆଙ୍କ ଉପଦେଶ ମାନି ଯାହାଙ୍କ କୃପା ଲାଭ କରିବା ପାଇଁ ବାହାରିଛୁ ତାଙ୍କୁ ପାଇବା ଏତେସହଜ ନୁହେଁ । ଯୁଗ ଯୁଗ ଧରି ତପସ୍ୟାକରି ମଧ୍ୟ ମୁନିୠଷି ମାନେ ତାଙ୍କୁ ଲାଭ କରି ପାରି ନାହାଁନ୍ତି । ତୁ ଏବେ ଏକ ବାଳକ । ସମୟ ଆସିଲେ, ଈଶ୍ୱରଙ୍କ କୃପାରୁ, ତୁ ତାଙ୍କୁ ଲାଭ କରିବାକୁ ଚେଷ୍ଟା କରିବୁ ।
ଧ୍ରୁବ କହିଲେ, ଭଗବନ୍ ! ଭୟଙ୍କର କ୍ଷତ୍ରିୟ ସ୍ଵଭାବ ଗ୍ରାସରୁ ଆପଣଙ୍କର ଉପଦେଶ ମୋର ବୋଧଗମ୍ୟ ହେଉ ନାହିଁ । ଆପଣ ତ ସଂସାରର କଲ୍ୟାଣ ପାଇଁ ବୀଣା ବାଦନ କରି ହରିଗୁଣ ଗାଇ ତିନି ଭୁବନରେ ବିଚରଣ କରୁଛନ୍ତି । ଆପଣ କୃପାକରି ଏକ ଉପାୟ ମୋତେ ବତାଇ ଦିଅନ୍ତୁ ଯାହା ବଳରେ ମୁଁ ଯାହାଙ୍କୁ ପାଇବା ପାଇଁ ବାହାରିଛି ତାଙ୍କୁ ପାଇ ପାରିବି ।
ଧ୍ରୁବଙ୍କର ଶ୍ରିହରିଙ୍କୁ ପାଇବାର ପ୍ରବଳଉତ୍କଣ୍ଠା ଦେଖି ନାରଦ କହିଲେ,ତୁମେ ଯମୁନା କୂଳରେ ଶ୍ରୀହରିଙ୍କ ନିତ୍ୟ ନିବାସସ୍ଥଳୀ ମଧୁବନକୁ ଯାଅ । ସେଇଠାରେ ପୂଣ୍ୟତୋୟା କାଳିନ୍ଦୀ ଜଳରେ ପ୍ରତ୍ୟହ ତିନି ବାର ସ୍ନାନ କରି ଆସନରେ ନିଶ୍ଚଳ ଭାବେ ବସି ରେଚକ, ପୂରକ ଏବଂ କୁମ୍ଭକ ତିନି ପ୍ରକାର ପ୍ରାଣାୟମ ଦ୍ଵାରା ମନ ପ୍ରାଣକୁ ସଂଯମ କରି ପ୍ରସନ୍ନବଦନ ଶ୍ରୀହରିଙ୍କ ପାଦ ପଙ୍କଜରେ ଧ୍ୟାନ ଲଗା । ନାରଦ, ଧ୍ରୁବଙ୍କ ମନ ମଧ୍ୟରେ କମଳ ନୟନ ଶ୍ରିହରିଙ୍କ ଏକ ସୁନ୍ଦର ରୂପ ଆଙ୍କି ଦେଇ କହିଲେ, ବର୍ତ୍ତମାନ, ମୁଁ ତୋତେ ଜପ କରିବାପାଇଁ ଏକ ପରମ ଗୋପନୀୟ ମନ୍ତ୍ର ପ୍ରଦାନ କରୁଛି । ଏହି ମନ୍ତ୍ରକୁ ସାତରାତି ଜପ କଲେ ତୁମେ ବ୍ୟୋମଚାରୀ ସିଦ୍ଧ ମାନଙ୍କୁ ଦେଖି ପାରିବ ।
ସେହି ମନ୍ତ୍ର ହେଲା ‘ଓଁ ନମୋ ଭଗବତେ ବାସୁଦେବାୟ’ । ଏହିପରି ନାରଦଙ୍କ ଦ୍ବାରା ଆଦିଷ୍ଟହୋଇ ଧ୍ରୁବ ତାଙ୍କୁ ପରିକ୍ରମା କରି ମଧୁବନ ଯାତ୍ରା କଲେ ।
ଧ୍ରୁବଙ୍କୁ ମଧୁବନକୁ ପଠାଇ ନାରଦଯାଇ ପହଞ୍ଚିଲେ ରାଜା, ଉତ୍ତାନପାଦଙ୍କ ନିକଟରେ । ରାଜା ମହର୍ଷିଙ୍କ ଯଥା ସତ୍କାରକରି ଆସନରେ ବସାଇଲେ । ରାଜାଙ୍କ ମୁଖମଣ୍ଡଳ ସୁଖି ଯାଇଥିବା ଦେଖି ନାରଦ କହିଲେ, ହେ ରାଜନ୍ ! ତୁମର ତ କେଉଁଥିରେ ଅଭାବ ନାହିଁ । ତୁମେ ଏପରି ଦୁଃଖି ଜଣା ଯାଉଛ କାହିଁକି ? ରାଜା କହିଲେ ହେ ବ୍ରହ୍ମନ୍ ! ମୁଁ ବଡ଼ ନିର୍ଦ୍ଦୟଭାବେ ମୋର ଅତି ବୁଦ୍ଧିମାନ ପାଞ୍ଚବର୍ଷର ବାଳୁତପୁତ୍ରକୁ ତା ମାତା ସହିତେ ଘରୁ ବାହାର କରି ଦେଇଛି । ସେ କୁଆଡେ଼ ବୁଲୁଥିବ । ତାକୁ ବାଘ ଭାଲୁ କିମ୍ବା ଅନ୍ୟ ହିଂସ୍ର ଜନ୍ତୁ ଖାଇ ଯାଇଥିବେ । ମୁଁ ସ୍ତ୍ରୀବଶ ହୋଇ କି ବୁଦ୍ଧିକଲି । ସେ ମୋ’ କୋଳରେ ଟିକିଏ ବସିବାକୁ ଚାହୁଁ ଥିଲା । ମୁଁ ଦୁର୍ବୁଦ୍ଧି ତାକୁ ସେତକ ସ୍ନେହ କରି ପାରିଲି ନାହିଁ l ଏବେ ମୋତେ କିଛି ବୁଦ୍ଧି ଦିଶୁନାହିଁ ।
ରାଜାଙ୍କ ଦୁଃଖ ଦେଖି ନାରଦ କହିଲେ,ହେ ରାଜା ! ତୁମେ ଆଉ ଶୋକ କର ନାହିଁ । ଏବେ ତୁମ ପୁତ୍ରର ଯଶ ସାରା ସଂସାର ଜାଣି ଗଲାଣି । ସେ ଶ୍ରୀହରିଙ୍କ ଦ୍ଵାରା ସୁରକ୍ଷିତ । ତୁମର ଯଶ ବୃଦ୍ଧି କରି ସେ ଶୀଘ୍ର ତୁମ ପାଖକୁ ଫେରି ଆସିବ । ନାରଦଙ୍କ ଠାରୁ ଏହା ଶୁଣି ଉତ୍ତାନପାଦଙ୍କୁ କୌଣସି ରାଜକାର୍ଯ୍ୟରେ ଆଉ ମନ ଲାଗିଲା ନାହିଁ । ଦିବା ରାତି କେବଳ ସେ ପୁତ୍ର ଚିନ୍ତାରେ ମଗ୍ନ ହୋଇ ରହିଲେ ।
ଏପଟେ ଧ୍ରୁବ କିଛିଦିନ ଫଳ, କିଛିଦିନ ଘାସ, କିଛି ଦିନ ଜଳ ଓ କିଛିଦିନ କେବଳ ବାୟୁ ଆହାର କରି କଠୋର ତପସ୍ୟା କରୁଥାନ୍ତି । ଏହିପରି ଚାରି ମାସ ବିତି ଗଲା ପରେ ପଞ୍ଚମ ମାସରେ ସେ ସମ୍ପୂର୍ଣ୍ଣ ପ୍ରାଣ ବାୟୁକୁ ରୁନ୍ଧି ଦେଇ ନିଶ୍ଚଳ ଭାବେ ଗୋଟିଏ ପାଦର ବୃଦ୍ଧାଙ୍ଗୁଷ୍ଠି ଉପରେ ଠିଆହୋଇ ଭଗବାନ୍ ଶ୍ରିହରିଙ୍କୁ ଧ୍ୟାନ କରିବାରେ ଲାଗିଲେ । ଧ୍ରୁବଙ୍କ ପାଦ ଭାରରେ ଅଧେ ପୃଥିବୀ ଦବି ଯାଇ ହଲିବାକୁ ଲାଗିଲା । ପ୍ରାଣ ବାୟୁକୁ ରୁନ୍ଧି ଦେଇ ଥିବାରୁ ସମସ୍ତ ଜୀବ ଜଗତର ଶ୍ୱାସ ରୁଦ୍ଧ ହେବାକୁ ଲାଗିଲା ।
ଦେବତା ଓ ଲୋକପାଳ ମାନେ ଶ୍ରୀହରିଙ୍କ ଶରଣ ପଶି ପ୍ରାର୍ଥନା କଲେ, ହେ ଶରଣ ପଞ୍ଜର ! ଆମେ ଜାଣିପାରୁ ନାହୁଁ, କାହିଁକି ସମସ୍ତ ସ୍ଥାବର ଜଙ୍ଗମଙ୍କ ଶ୍ୱାସ ଏକସମୟରେ ରୁଦ୍ଧ ହୋଇ ଯାଇଛି । ଆପଣ ସମସ୍ତ ସୃଷ୍ଟିକୁ ଏହି ଘୋର ବିପଦରୁ ରକ୍ଷା କରନ୍ତୁ ।
ଭଗବାନ୍ କହିଲେ, ତୁମେ ମାନେ ଭୟ କର ନାହିଁ । ଉତ୍ତାନପାଦଙ୍କ ପୁତ୍ର ବାଳକ ଧ୍ରୁବ, ଦୁସ୍ତର ତପସ୍ୟା କରି ମୋଠାରେ ଚିତ୍ତକୁ ଲୀନ କରି ଦେଇଛନ୍ତି । ମୁଁ ବିଶ୍ୱାତ୍ମା ହୋଇ ଥିବାରୁ ସମସ୍ତଙ୍କ ଶ୍ୱାସରୁଦ୍ଧ ଘଟିଛି । ମୁଁ ଯାଉଛି ଧ୍ରୁବକୁ ତପସ୍ୟାରୁ ନିବୃତ୍ତ କରିବି ।
ଦେଵତାମାନେ ଚାଲିଗଲେ । ଭଗବାନ୍ ମଧୁବନକୁ ଯାଇ ଧ୍ରୁବଙ୍କ ନିକଟରେ ପହଁଚିଲେ । ଆଖି ଖୋଲି ଧ୍ରୁବ ଦେଖନ୍ତିତ ସେ ଯେଉଁ ରୂପକୁ ଧ୍ୟାନକରୁଥିଲେ ସେହି ମୂର୍ତ୍ତି ହିଁ ତାଙ୍କ ସମ୍ମୁଖରେ ଉଭା ହୋଇଛନ୍ତି। ଭଗଵାନ ଶ୍ରୀହରି ତାଙ୍କ ଶଙ୍ଖରେ ଧ୍ରୁବଙ୍କ ମସ୍ତକକୁ ସ୍ପର୍ଶ କଲେ । ଧ୍ରୁବ ଦିବ୍ୟବାଣୀ ସମ୍ପନ୍ନ ହୋଇଯାଇ କୃତାଞ୍ଜଳି ପୁଟରେ ଭକ୍ତି ଭାବରେ ଭଗବାନଙ୍କୁ ସ୍ତୁତି କରିବାକୁ ଲାଗିଲେ ।
ଧ୍ରୁବ କହିଲେ,ହେ ପରମାତ୍ମା ! ମୁଁ ଆପଣଙ୍କର ସର୍ଵ ବ୍ୟାପି ରୂପକୁ ଦେଖି ପାରୁଛି । ମୋତେ ଆପଣଙ୍କର ବିଶୁଦ୍ଧ ହୃଦୟ ଭକ୍ତଙ୍କ ମଧ୍ୟରେ ସ୍ଥାନ ଦିଅନ୍ତୁ ଯଦ୍ୱାରା ମୁଁ ଆପଣଙ୍କ ଲୀଳାମୃତ ପାନ କରି ଏହି ଭବ ସାଗରକୁ ପାର ହୋଇଯିବି ।
ଧ୍ରୁବ ଏପରି ସ୍ତୁତି କଲାରୁ ଭଗବାନ୍ କହିଲେ, ବତ୍ସ ! ମୁଁ ତୁମର ମନର ସଂକଳ୍ପ କଥା ଜାଣିଛି । ମୁଁ ତୁମକୁ ବର୍ତ୍ତମାନ ଏକ ତେଜୋମୟ ଲୋକ ପ୍ରଦାନ କରୁଛି ଯେଉଁଠାକୁ, ଆଗରୁ କେହି କେବେ ଯାଇ ନାହାଁନ୍ତି । ସେହି ଲୋକ ଚାରିପଟେ ମେରି ଖୁଣ୍ଟରେ ବେଙ୍ଗଳା ପାଇଁ ବନ୍ଧା ହୋଇଥିବା ଗୋରୁମାନଙ୍କ ପରି ସମସ୍ତ ଜ୍ୟୋତିଷ୍କ ମାନେ ଘୁରି ବୁଲୁ ଥାନ୍ତି । ତାହା ହେଉଛି ଧ୍ରୁବଲୋକ । କଳ୍ପାନ୍ତରେ, ସମସ୍ତଙ୍କ ବିନାଶ ହେଲେ ମଧ୍ୟ ଏହି ଧ୍ରୁବ ଲୋକ ସେହି ପରି ରହିଥାଏ । ତାରା ଓ ନକ୍ଷତ୍ର ମାନଙ୍କ ସହିତ ଏହି ଲୋକକୁ ଧର୍ମ, ଅଗ୍ନି, କଶ୍ୟପ, ଶୁକ୍ର ଏବଂ ସପ୍ତର୍ଷିମାନେ ମଧ୍ୟ ପରିକ୍ରମଣ କରୁଥାନ୍ତି ।
ତୁମର ପିତା ତୁମକୁ ରାଜ୍ୟ ଭାର ଦେଇ ବନକୁ ଚାଲିଯିବା ପରେ ତୁମେ ଛତିଶହଜାର ବର୍ଷ ପର୍ଯ୍ୟନ୍ତ ଧର୍ମରେ ରାଜ୍ୟ ଶାସନକରିବ । ତୁମ ଭାଇ ମୃଗୟାରେ ବନକୁ ଯାଉ ଯାଉଥିଲା ବେଳେ ମୃତ୍ୟୁ ବରଣ କରିବ । ତାକୁ ଖୋଜିବାକୁ ଯାଇ ତା’ ମାତା ସୁରୁଚି ଦାବାଗ୍ନିରେ ପ୍ରବେଶ କରିବ। ତୁମେ ପ୍ରଚୁର ଦାନଦକ୍ଷିଣା ସହ ବହୁ ଯଜ୍ଞକରି ମୋର ଆରାଧନା କରିବ । ଅନ୍ତ କାଳରେ ତୁମେ ସପ୍ତର୍ଷିମଣ୍ଡଳ ପରେ ଥିବା ମୋର ପରମଧାମକୁ ପ୍ରାପ୍ତ ହେବ ଯେଉଁଠିକୁ ଗଲେ ଆଉ କେହି ସଂସାରକୁ ଫେରନ୍ତି ନାହିଁ ।
ଏହିପରି ଧ୍ରୁବଙ୍କୁ ଭଗବାନ ପରମପଦ ପ୍ରଦାନ କରି ଗରୁଡ଼ ବାହନରେ ନିଜ ଧାମକୁ ପ୍ରସ୍ଥାନକଲେ । ଧ୍ରୁବ ଫେରିଆସିଲେ ରାଜନବରକୁ । ପୁତ୍ର ଫେରିଆସିଛି ଦେଖି,ରାଜା ଉତ୍ତାନପାଦ ଖୁବ୍ ଆନନ୍ଦିତ ହେଲେ ।କଠୋର ତପସ୍ଯା ବଳରେ ପୁତ୍ର ଶ୍ରୀହରିଙ୍କ ଦର୍ଶନ ପାଇଛି ଜାଣି ତାଙ୍କ ଆନନ୍ଦର ସୀମା ରହିଲାନାହିଁ । ଧ୍ରୁବ କ୍ରମେ ଯୌବନାରେ ଉପନୀତ ହୁଅନ୍ତେ ରାଜା ତାଙ୍କୁ ସିଂହାସନ ଅର୍ପଣ କରି ବନଗମନ କଲେ ।
ଧ୍ରୁବ ଶ୍ରୀହରିଙ୍କୁ ସ୍ମରଣ ମନନ ପୂର୍ବକ ସୁଚାରୁ ରୂପେ ରାଜ୍ଯ ଶାସନ କଲେ ।
ଦିନେ ତାଙ୍କର ଭାଇ ଉତ୍ତମ ମୃଗୟା କରିବାକୁ ଯାଇ, ଏକ ଯକ୍ଷର ଆକ୍ରମଣରେ ପ୍ରାଣ ହରାଇଲେ । ବିମାତା ସୁରୁଚି ପୁତ୍ର ଶୋକରେ ଅଧିରାହୋଇ ପ୍ରାଣତ୍ଯାଗ କଲେ । ବହୁକାଳ ରାଜ୍ଯ ଶାସନ ପରେ ଧ୍ରୁବ ପୁତ୍ରକୁ ରାଜ୍ଯଭାର ଅର୍ପଣ କରି ତପସ୍ଯା ନିମନ୍ତେ ବଦ୍ରିକାଶ୍ରମ ଚାଲିଗଲେ । ବଦ୍ରିକା ଆଶ୍ରମରେ ଶ୍ରୀହରିଙ୍କ ଧ୍ଯାନରେ ମଗ୍ନରହି ସେ ଦେହ ତ୍ଯାଗ କରନ୍ତେ ବିଷ୍ଣୁଦୂତମାନେ ତାଙ୍କୁ ଧ୍ରୁବଲୋକକୁ ଘେନିଗଲେ । ଆଜିମଧ୍ଯ ଧ୍ରୁବତାରା ରାତ୍ରିରେ ଉତ୍ତର ଆକାଶରେ ଦେଖା ଯାଇଥାଏ ।
ଶ୍ରୀମଦ୍ ଭାଗବତରେ ମହା ମୁନି ମୈତ୍ରେୟ ଧ୍ରୁବଙ୍କ ପବିତ୍ର ଚରିତ ଶୁଣାଇ, ମହାତ୍ମା ବିଦୁରଙ୍କୁ କହିଲେ, ପାପ ନାଶ କାରୀ ଧ୍ରୁବଙ୍କ ଏହି ପରମ ମଙ୍ଗଳମୟ ଚରିତ ଶ୍ରବଣ କୀର୍ତ୍ତନ ଦ୍ୱାରା ସ୍ୱର୍ଗଲୋକ ଏପରିକି ଧ୍ରୁବଲୋକ ପ୍ରାପ୍ତ ହୋଇପାରେ ।
ଧ୍ରୁବ ଚରିତ ବର୍ଣ୍ଣନ ପ୍ରାରମ୍ଭରେ, ଅତିବଡ଼ି ଜଗନ୍ନାଥ ଦାସ ଓଡ଼ିଆ ଶ୍ରୀମଦ୍ଭାଗବତର ଚତୁର୍ଥ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଏହାର ସଂକ୍ଷିପ୍ତ ବର୍ଣ୍ଣନା କରିଛନ୍ତି :-
ପଞ୍ଚମ ବରଷ ବାଳ ଘୋର ତପ କଲା
ମାତାର ସପତ୍ନୀ ବାକ୍ୟେ ହରିଙ୍କି ଭଜିଲା ।
ପିତା ଜାନୁ ଆରୋହଣ ଭଙ୍ଗ ରୋଷମନେ
ସପ୍ତ ୠଷି ଉର୍ଦ୍ଧ୍ଵେ ଯାଇ ବସିଲା ଗଗନେ ।
ଯାର ଘୋରତପ ଦେଖି ଭୃଗୁ ମନତୋଷେ
ଧନ୍ୟ ଧନ୍ୟ ଧ୍ରୁବ ବୋଲି ୠଷିମଧ୍ୟେ ଭାଷେ ।
ଜନନୀ ସହିତେ ଦିଶେ ଉତ୍ତର ଆକାଶେ
ଦରଶନ ମାତ୍ରେ ଯା’ର ସର୍ଵ ପାପ ନାଶେ ।
ଓଁ ନମଃ ଭଗବତେ ବାସୁଦେବାୟ
🙏🙏🙏
ଅର୍ଜ୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧