ଏକ ବ୍ୟଙ୍ଗ ଗଳ୍ପ
କୁକୁଡ଼ା ଟି ପ୍ରତିଦିନ ଅଣ୍ଡା ଦେଇ ଚାଲୁଥାଏ, ମାଲିକ ସେ ଅଣ୍ଡାକୁ ବିକୁ ଥାଏ।
ଦିନେ ମାଲିକ କୁକୁଡ଼ା କୁ କହିଲା- ଆଜି ଦେଶକୁ ତୋ ଅଣ୍ଡାର ଆବଶ୍ୟକତା ଅଛି । ଯଦି ତୁ ଚାହୁଁଛୁ କି ତୋର ଘରଟି ସୁନାରେ ତିଆରି ହଉ, ତାହେଲେ ତୁ ପୁରା ଜମେଇକି ଅଣ୍ଡା ଦେଇ ଚାଲ୍ ।
ଏପର୍ଯ୍ୟନ୍ତ ତୋ ଠାରୁ ଲୋକେ ସବୁ ଅଣ୍ଡା ନେଇସାରିଛନ୍ତି, କେହି ତୋର ସୁନାର ଘର ତିଆରି କରି ନାହାଁନ୍ତି। କିନ୍ତୁ ମୁଁ କଥା ଦେଉଛି ତୋ’ର ଘରଟିକୁ ମୁଁ ସୁନାରେ ତିଆରି କରିଦେବି। ତୋ’ର ବିକାଶ କରିକି ଛାଡ଼ିବି।
ସରଳ, ନିଷ୍କପଟ କୁକୁଡ଼ା ଟି ଖୁସିରେ ନାଚିବାକୁ ଲାଗିଲା । ମନେ ମନେ ଭାବିଲା ”ଦେଶର ଉନ୍ନତି ପାଇଁ ଯଦି ମୋର ଅଣ୍ଡାର ଆବଶ୍ୟକତା ପଡୁଛି… ତା’ହେଲେ ମୁଁ କାଲିଠାରୁ ଦୁଇଟି ଲେଖାଏଁ ଅଣ୍ଡା ଦେବି । ଦେଶ ଅଛି ତ ମୁଁ ଅଛି ।”
ଏଣୁ ସେ ପ୍ରତ୍ୟେକ ଦିନ ଦୁଇଟି ଅଣ୍ଡା ଦେବାକୁ ଆରମ୍ଭ କରିଦେଲା।
ମାଲିକ ଖୁସି ହୋଇଗଲା । ସେ ଅଣ୍ଡାକୁ ବିକି ଭଲ ପଇସା ରୋଜଗାର
କଲା।ମାଲିକ ଟି ନିହାତି ଏକ ଲୋଭୀ ଓ ସ୍ୱାର୍ଥବାଦୀ । ସେ କୁକୁଡ଼ା କୁ ଯେତିକି ଖାଇବାକୁ ଦେଉଥିଲା, ତାର ଅଧା କରିଦେଲା ।
କୁକୁଡ଼ା ଟି ବଡ଼ପାଟିରେ କହିଲା:- ମୋତେ କଣ ଆଉ ପେଟପୁରା ଖାଇବାକୁ ଦେଉନାହଁ..???? କଣ କିଛି ସମସ୍ୟା ଅଛିକି..??
ମାଲିକ କହିଲା :–ଦେଖ୍ ଦେଶ ଆଜି ବହୁତ ସଂକଟରେ ପଡ଼ିଛି।କୌଣସି କୁକୁଡ଼ା ର ପୁରା ଖାଦ୍ୟ ଖାଇବାର ଅଧିକାର ନାହିଁ। ମୁଁ ବି
ତୁମମାନଙ୍କ ପାଇଁ ପେଟପୁରା ଖାଉନି। ଆମକୁ ଦେଶ ପାଇଁ ଏ ସବୁକୁ
ସହିବାକୁ ପଡିବ।
କୁକୁଡ଼ା ଟି ଅଧାପେଟ ଖାଇ ଅଣ୍ଡା ଦେଉଥାଏ।ମାଲିକ ସେ ଅଣ୍ଡା କୁ
ବିକି ବହୁତ ପଇସା ରଖିଗଲା। ହେଲେ କୁକୁଡ଼ା ପାଇଁ ଘର ତିଆରି କଲା ନାହିଁ।
କୁକୁଡ଼ା କହିଲା- ତମେ ମୋର ସବୁ ଅଣ୍ଡାକୁ ନେଇଯାଉଛ।ମୋତେ ପେଟପୁରା ଖାଇବାକୁ ବି ଦେଉନ। କହିଥିଲ ମୋ ପାଇଁ ସୁନା ର ଘର କରିଦେବ ବୋଲି, ତାହାବି କଲନାହି। ମୋ ଭଙ୍ଗା ଘରଟିକୁ ତ କମସେ କମ୍ ମରାମତି କରିଦିଅ।
ମାଲିକ ତା କଥାଶୁଣି କୁମ୍ଭୀର କାନ୍ଦଣା ଟିଏ ମାରି କହିଲା – ତୁ କେବେ ଚିନ୍ତା କରିଛୁ…. ଏ ଦେଶରେ ଅନେକ କୁକୁଡ଼ା ବି ଅଛନ୍ତି,
ଯାହାଙ୍କର ମୁଣ୍ଡ ଉପରେ ଛାତ ଟିଏ ବି ନାହିଁ।ରାତି ସାରା ସେମାନେ କାନ୍ଦନ୍ତି। ତୋ’ର ଖାଲି ତୋରି କଥା ଚିନ୍ତା ପଡିଛି!!!! ତୁ ଦେଶ ପାଇଁ କିଛି ଚିନ୍ତା ତ କର୍। ନିଜପାଇଁ ଚିନ୍ତା କରିବା ତ ସ୍ୱାର୍ଥପରତା।
ବିଚରା କୁକୁଡ଼ା ଟି ଚୁପ୍ ହୋଇଗଲା। ଭାବିଲା ଦେଶର ହିତ ପାଇଁ ମୌନ ରହିବା ସବୁଠାରୁ ଭଲ ହେବ।
ଏବେ ସେ ଅଣ୍ଡା ଆଉ ଦେଇପାରୁନି । ନା ଖାଇବାରେ ନା ରହିବାରେ କିଛି ଠିକଣା ଅଛି।
ସେ କହିବାକୁ ଚାହୁଁଥିଲା “ମୋ ଅଣ୍ଡାକୁ ସବୁ ବିକି ଏତେ ପଇସା ଜମା କଲ,…କାହିଁକି ଏବଂ କଉଥି ପାଇଁ ….???? ଦେଶର ହିତ ପାଇଁ କେତେ ପଇସା ଲଗେଇଲ ..?? କିନ୍ତୁ ସେ ଡରେ ଏସବୁ କଥା ମାଲିକ କୁ କହିପାରୁ ନଥାଏ।
ଥରେ ମାଲିକ ହଠାତ୍ ଆସି କହିଲା;-ମୋର ଅତି ଆଦର ର କୁକୁଡ଼ା ! ଦେଶର ହିତ ପାଇଁ ତୋତେ ମରିବାକୁ ପଡିବ। ତୋର ମୃତ୍ୟୁରେ ହଜାର ହଜାର କୁକୁଡ଼ାଙ୍କର ଜୀବନ ରକ୍ଷା ହେଇଯିବ । ଦେଶ ତୋର ବଳିଦାନ ଚାହୁଁଛି।
କୁକୁଡ଼ା କହିଲା – ହେ ମୋର ପ୍ରଭୁ ମୁଁ ତ ଦେଶର ହିତ ପାଇଁ ବହୁତ କିଛି କରିଛି।
ମାଲିକ କହିଲା – ତୋତେ ଦେଶପାଇଁ ଶହୀଦ୍ ହେବାକୁ ପଡିବ।
କୁକୁଡ଼ା ଟି ସବୁ କିଛି ବୁଝି ପାରିଥିଲା ।
କୁକୁଡ଼ା ଟି କେଉଁ ବଡ଼ବଡୁଆ ବାବୁଙ୍କର ଭୋଜନ ହେଇ ସାରିଥିଲା ।
କୁକୁଡ଼ା ଟି ଦେଶର ହିତ ପାଇଁ ଶହୀଦ୍ ହୋଇଗଲା !!
ସଞ୍ଜୟ ନାୟକ, ୟେମେନ୍