ଦେଶଭକ୍ତ ପୁରୁ ଓ ଆଲେକ୍ଜାଣ୍ଡାର

Share it

ଦି ପଦ ଅତୀତ
21st August 2024

ଦେଶଭକ୍ତ ପୁରୁ ଓ ଆଲେକ୍ଜାଣ୍ଡାର
================

ସୁଦୂର ଖ୍ରୀଷ୍ଟପୂର୍ବ ୩୨୬ ମସିହାର କଥା l ସେଦିନ ତକ୍ଷଶିଳାର ରାଜା ଅମ୍ବିଙ୍କୁ ପରାଜିତ କରି ଝେଲମ୍ ନଦୀ କୂଳରେ ଏକ ବିରାଟ ସେନା ବାହିନୀ ଘେନି ଆସି ଡେରା ପକାଇଥାନ୍ତି ବିଶ୍ଵବିଜୟୀ ଗ୍ରୀକ୍ ବୀର ଆଲେକଜାଣ୍ଡାର l ଉଦ୍ଦେଶ୍ୟ ଧନ ଧାନ୍ୟ ପରିପୂର୍ଣ୍ଣ ଭାରତବର୍ଷକୁ ପଦାନତ କରି, ଗ୍ରୀକ୍ ସାମ୍ରାଜ୍ୟରେ ମିଶାଇ ଦେବେ l ଝେଲମ୍ କୂଳରେ ଏକ ଛୋଟିଆ ରାଜ୍ୟ ଥାଏ ପୌରବ l ସେଇଠି ରାଜତ୍ୱ କରୁଥାନ୍ତି ମହାରାଜ ପୁରୁ l

ସେଦିନ ପୌରବ ଦରବାରରେ ସେନାପତି ପହଞ୍ଚି ଖବର ଦେଲେ, ମହାରାଜ ! ଆଲେକଜାଣ୍ଡାର ଦ୍ରୁତ ଗତିରେ ଭାରତଆଡ଼େ ଅଗ୍ରସର ହେଉଛି l ଆମର ବହୁରାଜ୍ୟ ତା ବଶ୍ୟତା ସ୍ବୀକାର କରି ସାରିଲେଣି l ଅବିଳମ୍ବେ ସେ ଆମର ଏହି କ୍ଷୁଦ୍ର ରାଜ୍ୟ ଉପରେ ଆକ୍ରମଣ କରିଦେବ l ଦୀର୍ଘନିଶ୍ଵାସ ପକାଇ ରାଜା ପୁରୁ କହିଲେ, “ହଁ ସେନାପତି ! ଆମର ଦୁର୍ଭାଗ୍ୟ l ଆମେ ନିଜ ନିଜ ଭିତରେ କଳହରେ ଲିପ୍ତ l ତାରି ସୁଯୋଗ ନେଇ ଆସିଛି ଆଲେକଜାଣ୍ଡାର ସ୍ୱର୍ଣ୍ଣପ୍ରସୁ ଭାରତ ଭୂମିକୁ କରାୟତ କରିବାକୁ l ତେବେ ଚିନ୍ତା କରନାହିଁ ସେନାପତି l ଯାଅ, ଆମ ସେନାକୁ ସଜ କର l ପୁରୁ ଜୀବିତଥିବା ପର୍ଯ୍ୟନ୍ତ ଆଲେକଜାଣ୍ଡାର ଟିପେମାତ୍ର ଜାଗା ନେଇ ପାରିବନାହିଁ l ଶୀଘ୍ର ଯାଇ ତୁମେ ଆମ ପଚାଶହଜାର ପଦାତିକ, ତିନି ହଜାର ଅଶ୍ୱାରୋହୀ ଓ ଦୁଇହଜାର ଗଜାରୋହୀ ସେନାଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ କର l ଆଉ ଡେରିକଲେ ଚଳିବ ନାହିଁ l ଦୃଢ଼ ମୁକାବିଲା କରିବାକୁ ପଡ଼ିବ l

ଝେଲୁମ୍ ତୀରରେ ଆଲେକଜାଣ୍ଡରଙ୍କ ଶିବିର l ପଦ ଚାରଣ କରୁକରୁ ଆଲେକଜାଣ୍ଡର ଗ୍ରୀକ୍ ସେନାପତି ସେଲ୍ୟୁକସଙ୍କୁ କହିଲେ, ଶୁଣିଲଣି, କୁଆଡ଼େ ରାଜା ପୁରୁ ଆମ ମାନଙ୍କୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ହେଉଛି l ତାର ତ ସାହସ କମ୍ ନୁହେଁ l ଶୀଘ୍ର ଦୂତ ପଠାଇ, ତୁମେ ତାକୁ ଚେତାବନୀ ଦିଅ l ଅବିଳମ୍ବେ ସେ ଆମ ବଶ୍ୟତା ସ୍ବୀକାର କରୁ l ନଚେତ୍ ଏହାର ପରିଣତି ଖୁବ୍ ଭୟାବହ ହେବ l ସେଲ୍ୟୁକସ ଚାଲି ଗଲେ l ଆଲେକ୍ଜାଣ୍ଡାର ମନ ଖୋଲା ହସଟିଏ ହସି କହିଲେ, ଆଉ ଡେରି ନାହିଁ, ଡେରି ନାହିଁ, ସ୍ୱର୍ଣ୍ଣପ୍ରସୁ ଏ ଭାରତବର୍ଷ, ଗ୍ରୀକ୍ ସାମ୍ରାଜ୍ୟରେ ମିଶିବାକୁ ଆଉ ଡେରି ନାହିଁ l ଏ ଭାରତକୁ କରଗତ କରି ମୁଁ ହେବି ବିଶ୍ଵ ବିଜୟୀ ସମ୍ରାଟ୍ l

ଗ୍ରୀକ୍ ଦୂତ ଯାଇ ପହଞ୍ଚିଲା, ପୁରୁଙ୍କ ଦରବାରରେ l ମନ୍ତ୍ରୀ ଆଲେକ୍ଜାଣ୍ଡାରଙ୍କ ବାର୍ତ୍ତା ପଢ଼ି ଶୁଣାଇଦେଲେ ମହାରାଜ ପୁରୁଙ୍କୁ l ପୁରୁ ଅଟ୍ଟହାସ୍ୟ କରି କହିଲେ, ଆତ୍ମ ସମର୍ପଣ ! ରାଜା ପୁରୁ କାହା ନିକଟରେ ମୁଣ୍ଡ ନୋଇଁବା ଶିଖିନାହିଁ l ହେ ଦୂତ ! ଫେରି ଯାଇ ତୁମ ସମ୍ରାଟଙ୍କୁ ଜଣାଇଦିଅ, ଭାରତ ବିଜୟ ଆଶା ଛାଡ଼ି ତୁରନ୍ତ ସ୍ବଦେଶ ଫେରିବା ବାଟ ଦେଖନ୍ତୁ l

ଝେଲମ୍ ନଦୀ କୁଳରେ ପୁରୁ ଓ ଆଲେକ୍ଜାଣ୍ଡାରଙ୍କ ମଧ୍ୟରେ ତୁମୁଳ ଯୁଦ୍ଧ ଲାଗି ଗଲା l ଉଭୟ ପକ୍ଷର ମୃତାହତ ଯୋଦ୍ଧାଙ୍କ ରକ୍ତରେ ଲାଲହୋଇ ଉଠିଲା ସ୍ୱଚ୍ଛ ନୀରା ଝେଲମର ଜଳ ଧାରା l ପୁରୁଙ୍କ ଅପୂର୍ବ ବୀରତ୍ୱକୁ ଦୂରରୁ ଥାଇ ଆଲେକ୍ଜାଣ୍ଡାର ଲକ୍ଷ୍ୟ କରୁ ଥାନ୍ତି l ସେନାପତି ସେଲ୍ୟୁକସଙ୍କୁ ଆଲେକଜାଣ୍ଡାର କହିଲେ, ଦେଖୁଛ ତ ! ରାଜା ପୁରୁ କିପରି ଅଦମ୍ୟ ସାହସର ସହ ଲଢେ଼ଇ କରୁଛନ୍ତି l ମନେ ହେଉଛି ଆମେ ଆଗକୁ ଅଗ୍ରସର ହେବା ଆଉ ସମ୍ଭବ ନୁହଁ l ସିଲ୍ୟୁକସ୍ କହିଲେ, ହଁ, ମୁଁ ମଧ୍ୟ ସେଇଆ ଭାବୁଛି l ବୋଧ ହେଉଛି ପୁରୁଙ୍କ ପାଖରେ ଆମକୁ ପରାଜୟ ବରଣ କରିବାକୁ ପଡ଼ିବ l

ଆଲେକଜାଣ୍ଡାରଙ୍କ ପରାମର୍ଶରେ ସେଲ୍ୟୁକସ୍ ଏକ ଅଭିନବ ରଣ କୌଶଳ ଅବଲମ୍ବନ କଲେ l ଗ୍ରୀକ ସୈନ୍ୟ ମାନେ ତାଙ୍କ ନିର୍ଦ୍ଦେଶରେ ପୁରୁଙ୍କ ସେନାର ହାତୀମାନଙ୍କ ଉପରେ ପ୍ରବଳ ତୀର ଓ ବର୍ଚ୍ଚା ମାଡ଼ ଆରମ୍ଭ କରି ଦେଲେ l ଫଳରେ, ଭୟଭୀତ ହାତୀ ମାନେ ଏଣେ ତେଣେ ଧାଇଁ ପୁରୁଙ୍କ ସୈନ୍ୟଙ୍କୁ ଦଳି ମକଚି ମାରିପକାଇଲେ l ପୁରୁଙ୍କ ବଳ ଭାଙ୍ଗିଗଲା l ସେ ଗ୍ରୀକ ହାତରେ ବନ୍ଦୀ ହେଲେ l

ପୁରୁ ବନ୍ଦୀହେଲେ ସତ, କିନ୍ତୁ ତାଙ୍କର ମନୋବଳ, ଧୈର୍ଯ୍ୟ ଓ ଅଦମ୍ୟ ସାହସ, ପୂର୍ବବତ ଅତୁଟ ରହି ଥିଲା l ପୁରୁ ସଦର୍ପେ ଆଲେକ୍ଜାଣ୍ଡାରଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇ ଥାନ୍ତି l ଦୀପ୍ତ ମୁଖ ମଣ୍ଡଳରେ ତାଙ୍କର ଟିକିଏ ହେଲେ ପରାଜୟର ଗ୍ଲାନି ନଥାଏ l ବିଜୟୀ ଆଲେକଜାଣ୍ଡାର ବିଜିତମହାରାଜ ପୁରୁଙ୍କୁ ଗମ୍ଭୀର ହୋଇ ପଚାରିଲେ, “ଆପଣ ପରାଜିତ ଓ ବନ୍ଦୀ l କୁହନ୍ତୁ ଏବେ ଆପଣ ମୋଠାରୁ କେଉଁଭଳି ବ୍ୟବହାର ଆଶା କରୁଛନ୍ତି”l ବୀରୋଚିତ ଢଙ୍ଗରେ ପୁରୁ ଉତ୍ତର ଦେଲେ, ” ଆପଣ ଜଣେ ରାଜା l ମୁଁ ମଧ୍ୟ ଜଣେ ରାଜା,ଆଉ କଣ ! ଆପଣଙ୍କ ଠାରୁ ମୁଁ ରାଜାଙ୍କ ସହିତ ଆଉ ଜଣେ ରାଜାର ରାଜୋଚିତ ବ୍ୟବହାର ଆଶା କରେ “l

ପୁରୁଙ୍କ ବୀରତ୍ୱ ଭରା ଉକ୍ତି ଶୁଣି, ଆଲେକଜାଣ୍ଡାର କହିଲେ, ଧନ୍ୟ ! ଧନ୍ୟ, ତୁମେ ରାଜା ପୁରୁ l ଧନ୍ୟ ତୁମ ଦେଶଭକ୍ତି l ସୁଜଳା ସୁଫଳା ଏହି ବୀର ଭୂମି ଭାରତର ତୁମେ ହିଁ ଯୋଗ୍ୟ ସନ୍ତାନ l ଧନ୍ୟ ତୁମେ ମହାବୀର, ଧନ୍ୟ ତୁମର ଧୈର୍ଯ୍ୟ l ତୁମେ ପରାଜିତ ହେଲେ ମଧ୍ୟ ଆଜିଠାରୁ ହେଲ ମୋର ପରମମିତ୍ର l ସେ ସେନାପତି ସେଲ୍ୟୁକସଙ୍କୁ କହିଲେ, ବର୍ତ୍ତମାନ ପରମ ବନ୍ଧୁ ପୂରୁଙ୍କୁ ମୁକ୍ତ କର l ତାଙ୍କ ରାଜ୍ୟ ତାଙ୍କୁ ଫେରାଇ ଦିଅ l ମୁଁ ଖୁବ୍ ଲଜ୍ଜିତ, ମୁଁ ମୋର ଦମ୍ଭ ଓ ଅହଂକାରର ଉତ୍ତର ପାଇ ସାରିଛି l

ସେନାପତି ସେଲିଉକସ୍ ଆଲେକଜାଣ୍ଡାରଙ୍କ କଥା ଶୁଣି କହିଲେ, ସମ୍ରାଟ୍ ! ଆମେ ଭାରତ ବିଜୟରେ ବାହାରିଛନ୍ତି ଯେ ! ଆଲେକଜାଣ୍ଡାର କହିଲେ, ସେ ଆଶା ଏବେ ପରିହାର କର ସେନାପତି l ଏ ବୀର ଭୂମି ଭାରତକୁ କରାୟତକରିବା କେବଳ ଦୁଃସ୍ଵପ୍ନ ସେନାପତି l ଏବେ ସ୍ବଦେଶ ଫେରିବା ଆୟୋଜନ କର, ଆୟୋଜନ କର l

ଏହି ଥିଲେ ଆମ ପ୍ରାଚୀନ ଭାରତର ମହାନ୍ ଦେଶ ପ୍ରେମୀ ଓ ନିର୍ଭୀକ ରାଜା ପୁରୁ l ସେଦିନ ପରାଜିତ ପୁରୁଙ୍କ ଦର୍ପିତ, ନିର୍ଭୀକ କଥନ, ପରାକ୍ରମୀ ସମ୍ରାଟ ଦିଗ୍ ବିଜୟୀ ଆଲେକ୍ଜାଣ୍ଡାରଙ୍କ କଠୋର ହୃଦୟକୁ ତରଳାଇ ଦେଇଥିଲା l ପୁରୁ ଓ ଆଲେକଜାଣ୍ଡାରଙ୍କ ମଧ୍ୟରେ ସଂଘଟିତ ସେହି ମହାସମର ଇତିହାସରେ ହାଇଡସ୍ପସ ଯୁଦ୍ଧ ନାମରେ ପ୍ରସିଦ୍ଧ l

ଏଥିରେ ଗ୍ରୀକ ସେନାର ୪୧ହଜାର ସୈନ୍ୟଙ୍କ ମଧ୍ୟରୁ ଏକହଜାର ସୈନ୍ୟ ନିହତ ହୋଇଥିଲେ l ପଚାଶହଜାର ଆମ ଭାରତୀୟ ସେନାଙ୍କ ମଧ୍ୟରୁ ବାରହଜାର ନିହତ ଓ ନଅହଜାର ସୈନ୍ୟ ବନ୍ଦୀ ହୋଇଥିଲେ l ଏହି ଯୁଦ୍ଧ ଗ୍ରୀକ୍ ଇତିହାସରେ ମଧ୍ୟ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ l

🙏🙏🙏


ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights