ଦ୍ରୌପଦୀ ପାଞ୍ଚ ଜଣଙ୍କୁ ବିବାହ କରିବାକୁ ରାଜିହେଲେ କାହିଁକି

Share it

ପାଣ୍ଡବଙ୍କ ପୂର୍ବ ଜନ୍ମ ବୃତ୍ତାନ୍ତ
==============

    ଗୁମ୍ଫାରେ ଇନ୍ଦ୍ର ପ୍ରବେଶକରି ଦେଖନ୍ତି ତ ସେଠାରେ ତାଙ୍କପରି ଆଉ ଚାରିଜଣ ଇନ୍ଦ୍ର ବନ୍ଦୀ ହୋଇ ରହିଛନ୍ତି । ସେ ତାଙ୍କୁ ଦେଖି ଆତଙ୍କିତ ହୋଇପଡ଼ିଲେ ଓ ଶଙ୍କରଙ୍କୁ ହାତଯୋଡ଼ି କ୍ଷମା ପ୍ରାର୍ଥନା କଲେ ।

ମହାଭାରତ ଆଦି ପର୍ବରୁ ଏହି ଉପାଖ୍ୟାନ । ଲକ୍ଷ୍ୟ ଭେଦ କରି ଅର୍ଜ୍ଜୁନ ଦ୍ରୌପଦୀଙ୍କୁ ଲାଭକଲେ । ଅନ୍ୟ ଭାଇମାନଙ୍କ ସହିତ ସେ ଦ୍ରୌପଦୀଙ୍କୁ ସଙ୍ଗରେ ଧରି ସେମାନେ ରହୁଥିବା କୁମ୍ଭାର ଘରକୁ ଫେରିଆସିଲେ ।

ଦ୍ୱାରରେ ଥାଇ ଅତି ଆନନ୍ଦସହ ସେମାନେ ମାଆ କୁନ୍ତୀଙ୍କ ଉଦ୍ଦେଶ୍ୟରେ କହିଲେ, ମାଆ ମାଆ ! ଦେଖିବ ଆସ, ଆଜି ଆମେ ଗୋଟିଏ ଅପୁର୍ବ ଜିନିଷ ଆଣିଛୁ । କୁନ୍ତୀ କିଛି ନଦେଖି ଭିତରୁ ଥାଇ କହିଦେଲେ, ଯାହା ଆଣିଛ ବାଣ୍ଟି କରି ଖାଅ । ଏଥିରୁ ନିଶ୍ଚିନ୍ତ ହୋଇଗଲା, ଦ୍ରୌପଦୀ ପାଞ୍ଚ ପତିଙ୍କର ପତ୍ନୀ ହେବେ ।

ତାଙ୍କ ସହିତ ଆସି ଥିଲେ, ଦ୍ରୌପଦୀଙ୍କ ଭାଇ ଧୃଷ୍ଟଦ୍ୟୁମ୍ନ । ସେ ପିତା ଦ୍ରୁପଦଙ୍କୁ ଏକଥା ଜଣାଇବାରୁ, ଏହା କେମିତି ସମ୍ଭବ ହୋଇ ପାରିବ ଭାବି ସେ ଅତ୍ୟନ୍ତ ନିରାଶ ହୋଇପଡ଼ିଲେ । ସେହି ସମୟରେ ମହର୍ଷି ବ୍ୟାସ, ସେଠାରେ ପହଞ୍ଚି ଦ୍ରୁପଦଙ୍କୁ ସାନ୍ତ୍ଵନାଦେଲେ ଓ ବିବାହ ସମ୍ପନ୍ନ କରିବା ପାଇଁ ପରାମର୍ଶ ଦେଲେ । ପାଣ୍ଡବ ମାନେ କିଏ କହି ସେ ଦ୍ରୁପଦଙ୍କୁ ନିମ୍ନ କାହାଣୀ ଶୁଣାଇଲେ ।

ଦିନେ ନୈମିଷାରଣ୍ୟରେ ଦେବତାମାନେ ବିଶ୍ଵମଙ୍ଗଳ ପାଇଁ ଗୋଟିଏ ଯଜ୍ଞ ଅନୁଷ୍ଠାନ କଲେ । ପରିଚାଳନା ଦାୟିତ୍ଵ ଯମଙ୍କ ଉପରେ ନ୍ୟସ୍ତ କରାଗଲା । ଯମ ତ ମୃତ୍ୟୁର ଦେବତା, ସେ ଯଜ୍ଞରେ ବ୍ୟସ୍ତରହିବା ହେତୁ ତାଙ୍କ କର୍ମରେ ବ୍ୟାଘାତ ଘଟିଲା । ତେଣୁ ଆଉ ଧରା ପୃଷ୍ଠରେ କାହାର ମୃତ୍ୟୁ ହେଲାନାହିଁ । ଏହା ଦେବତା ମାନଙ୍କ ପାଇଁ ଏକ ସମସ୍ୟା ହୋଇଗଲା । ପ୍ରତିକାର ପାଇଁ ସମସ୍ତେ ଯାଇ ବ୍ରହ୍ମାଙ୍କ ନିକଟରେ ପହଞ୍ଚିଲେ । ବ୍ରହ୍ମା କହିଲେ, ତୁମେମାନେ ଯଜ୍ଞ ସମାପ୍ତକର। ଯମ ଏଥିରୁ ଅବ୍ୟାହତି ପାଇଲେ ସବୁ ଠିକ୍ ଚାଲିବ ।

ଦେବତା ମାନେ ଆଶ୍ବସ୍ତ ହୋଇ ଯଜ୍ଞସ୍ଥଳୀକୁ ଫେରି ଆସିଲେ । ଯଜ୍ଞକାର୍ଯ୍ୟ ଚାଲିଥାଏ ଦିନେ ସେମାନେ ଦେଖିଲେ ନିକଟ ଗଙ୍ଗା ନଦୀରେ ଏକ ସୁନ୍ଦର ସ୍ୱର୍ଣ୍ଣ କମଳ ଭାସିଯାଉଛି । ଏଭଳି ଏକ ବିଚିତ୍ର ପଦ୍ମପୁଷ୍ପ କୁଆଡୁ ଭାସିଆସିଲା ଜାଣିବାପାଇଁ ଦେବରାଜ ଇନ୍ଦ୍ର ଗଙ୍ଗା ତୀରରେ ଗତିକରି ଯାଇ ଗଙ୍ଗାଙ୍କ ଉଦ୍ଗମସ୍ଥଳ ଗଙ୍ଗୋତ୍ରୀରେ ପହଞ୍ଚି ଗଲେ । ସେଠାରେ ଦେଖିଲେ ଜଣେ ସୁନ୍ଦରୀ ନାରୀ ଠିଆହୋଇ କାନ୍ଦୁଛନ୍ତି । ତାଙ୍କ ଚକ୍ଷୁରୁ ଝରି ପଡୁୁଥିବା ଲୋତକବିନ୍ଦୁ ଗଙ୍ଗା ଜଳରେ ପଡ଼ି ସ୍ୱର୍ଣ୍ଣ କମଳ ହୋଇ ଭାସି ଯାଉଛି ।

କୌତୁହଳୀ ହୋଇ ଇନ୍ଦ୍ର ମହିଳାଙ୍କ ନିକଟକୁ ଯାଇ ତାଙ୍କ ପରିଚୟ ମାଗିଲେ । ମହିଳାଜଣକ କୌଣସି ଉତ୍ତର ନଦେଇ କହିଲେ, ମୁଁ ଆଗେ ଆଗେ ଯାଉଛି, ତୁମେ ମୋ ପଛେ ପଛେ ଆସ । ଏପରି ଚାଲି ଚାଲି ସେମାନେ ଯାଇ ହିମାଦ୍ରୀ ଶିଖରରେ ପହଞ୍ଚି ଗଲେ ।

ସେଠାରେ ଇନ୍ଦ୍ର ଦେଖିଲେ ଏକ ତେଜମୟ ପୁରୁଷ ସିଦ୍ଧାସନରେ ବସିଛନ୍ତି ଏବଂ ତାଙ୍କ ପାଖରେ ଅଛନ୍ତି ଜଣେ ରୂପସୀ ମହିଳା । ନିଜ ଭିତରେ ଖୁବ୍ ଖୁସିରେ ସେମାନେ ବାର୍ତ୍ତାଳାପ କରୁଥାନ୍ତି । ସେମାନେ ଇନ୍ଦ୍ରଙ୍କୁ କୌଣସି ସମ୍ମାନ କଲେ ନାହିଁ ।

ଦେବରାଜ ଭୀଷଣ ରାଗି ଯାଇ ତାଙ୍କୁ କହିଲେ, ତୁମେ ମାନେ ଜାଣିପାରୁ ନାହଁ ମୁଁ ଦେବତାଙ୍କ ରାଜା ଇନ୍ଦ୍ର ତୁମ ପାଖରେ ଠିଆ ହୋଇଛି । ତୁମକୁ ମୁଁ ଉଚିତ ଦଣ୍ଡ ଦେବି ।

ସେ ଦୁହେଁ ଥିଲେ ଶଙ୍କର ପାର୍ବତୀ । ଶଙ୍କର ଇନ୍ଦ୍ରଙ୍କ ଅହଙ୍କାର ଭଙ୍ଗପାଇଁ ତାଙ୍କୁ ସ୍ତମ୍ଭିତ କରିଦେଇ ତାଙ୍କ ସଙ୍ଗେ ଯାଇଥିବା ଯୁବତୀଙ୍କୁ ନିର୍ଦ୍ଦେଶ ଦେଲେ ତାଙ୍କ ପାଖକୁ ଶକ୍ତିହୀନ ଇନ୍ଦ୍ରଙ୍କୁ ଧରି ଆଣିବା ପାଇଁ । ଶିବ ଇନ୍ଦ୍ରଙ୍କୁ ଏପରି ଗର୍ବ ନକରିବା ପାଇଁ କହି ତାଙ୍କୁ ଏକ ଗୁମ୍ଫା ନିକଟକୁ ନେ଼ଇ ଗଲେ ଓ ତାଙ୍କୁ ସେ ଗୁମ୍ଫାର ଦ୍ଵାର ଖୋଲି ପ୍ରବେଶକରିବାକୁ କହିଲେ ।

ଗୁମ୍ଫାରେ ଇନ୍ଦ୍ର ପ୍ରବେଶକରି ଦେଖନ୍ତି ତ ସେଠାରେ ତାଙ୍କପରି ଆଉ ଚାରିଜଣ ଇନ୍ଦ୍ର ବନ୍ଦୀ ହୋଇ ରହିଛନ୍ତି । ସେ ତାଙ୍କୁ ଦେଖି ଆତଙ୍କିତ ହୋଇପଡ଼ିଲେ ଓ ଶଙ୍କରଙ୍କୁ ହାତଯୋଡ଼ି କ୍ଷମା ପ୍ରାର୍ଥନା କଲେ ।

ଶିବ କହିଲେ ଏହି ଚାରି ଇନ୍ଦ୍ର, ତୁମପରି ଅହଂକାରୀ ହୋଇ ଅପରାଧ କରିଥିବାରୁ ଏଠାରେ ବନ୍ଦିହୋଇ ରହିଛନ୍ତି । ତୁମେ ମଧ୍ୟ ତାଙ୍କ ସହ ବନ୍ଦିହୋଇ ଦଣ୍ଡ ଭୋଗ କରିବ । ତୁମେ ମାନେ ମନୁଷ୍ୟ ଯୋନିରେ ଜନ୍ମ ହୋଇ ଓ ସତ୍କର୍ମ କଲେ ଯାଇ ମୁକ୍ତି ପାଇବ ।

ଶଙ୍କରଙ୍କ କଥାରେ ପଞ୍ଚ ଇନ୍ଦ୍ର ସମ୍ମତ ହେଲେ ଏବଂ ଶଙ୍କର ସେମାନଙ୍କୁ ମୁକ୍ତକରିବାରୁ ସେମାନେ ମାତା କୁନ୍ତୀଙ୍କ ଗର୍ଭରୁ ପଞ୍ଚୁ ପାଣ୍ଡବ ରୁପେ ଜନ୍ମ ହେଲେ । ଇନ୍ଦ୍ରଙ୍କ ସହିତ ଆସିଥିବା, ଯୁବତୀ ଥିଲେ ଇନ୍ଦ୍ରପତ୍ନୀ ଶଚୀଦେବୀ । ସେ ଦ୍ରୌପଦୀ ଭାବେ ଜନ୍ମହେଲେ ଓ ପାଣ୍ତବଙ୍କ ପତ୍ନୀ ହେବାକୁ ଯାଉଛନ୍ତି ।

ବନ୍ଦୀ ସେହି ପାଞ୍ଚ ଇନ୍ଦ୍ର ଥିଲେ ବିଶ୍ୱଭୂକ, ଭୂତଧାମା ଇନ୍ଦ୍ରଶିବି, ଶାନ୍ତି ଓ ତେଜସୀ । ସେମାନେ ସମସ୍ତେ ଦେବକାର୍ଯ୍ୟ କରି, ମୁକ୍ତି ଲାଭ କରିବେ ।

ମହର୍ଷିଙ୍କ ମୁଖରୁ ଏହା ଶୁଣି, ଦ୍ରୁପଦଙ୍କ ସମସ୍ତ ଶଙ୍କା ଆଶଙ୍କା ଦୂରହେଲା । ବ୍ୟାସଦେବଙ୍କ ପଦବନ୍ଦନା କରି ମହା ଆଡମ୍ବରରେ ସେ ପୁତ୍ରୀର ବିବାହ ସମ୍ପନ୍ନ କଲେ ।

🙏🙏🙏

ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧


Share it

Leave a comment

Your email address will not be published. Required fields are marked *

Verified by MonsterInsights