ଦୁର୍ଗା ପୂଜାର ଉନ୍ମେଷ

Share it

ଦୁର୍ଗା ପୂଜାର ଉନ୍ମେଷ

=== ଅର୍ଜୁନୀ

ଅନେକଦିନ ତଳର କଥା ସେତେବେଳେ ପୃଥିବୀକୁ ଶାସନ କରୁଥାନ୍ତି ଚୈତ୍ରବଂଶ ନୃପତି ପରମ ଧାର୍ମିକ ରାଜା ସୁରଥ । ସେ ପ୍ରଜାମାନଙ୍କୁ ପୁତ୍ର ପ୍ରାୟ ପାଳନ କରୁଥାନ୍ତି । ତାଙ୍କ ସୁଶାସନରେ ସମସ୍ତ ପ୍ରଜା ସୁଖର ସହ ବାସ କରୁଥାନ୍ତି । ସମସ୍ତ ରାଜ୍ୟ ଧନ ଧାନ୍ୟରେ ପୂର୍ଣ୍ଣ ହୋଇ ଉଠିଥାଏ । କିନ୍ତୁ ତାଙ୍କର ଏ ସୁଖ ଆଉ ବେଶିଦିନ ରହିଲାନାହିଁ । ତାଙ୍କ ସମୃଦ୍ଧି ଦେଖି କ୍ରମେ ପଡ଼ୋଶୀ ରାଜା ମାନେ ଈର୍ଷାଳୁ ହୋଇ ଉଠିଲେ ଓ ସୁରଥଙ୍କ ରାଜ୍ୟଉପରେ ଲୋଲୁପଦୃଷ୍ଟି ପକାଇଲେ । ଚତୁର୍ଦ୍ଦିଗରୁ କ୍ଷତ୍ରିୟମାନେ ରାଜା ସୁରଥଙ୍କୁ ଆକ୍ରମଣ କଲେ । ସୁରଥ ସେମାନଙ୍କ ସହ ଲଢ଼ି ଲଢ଼ି ଶେଷକୁ କୋଳ କ୍ଷତ୍ରିୟ ମାନଙ୍କ ଦ୍ଵାରା ପରାଜିତ ହୋଇ ନିଜ ରାଜ୍ୟ ହରାଇଲେ। ତାଙ୍କ କୁଚକ୍ରୀ ମନ୍ତ୍ରୀମାନେ ମଧ୍ଯ ଶତ୍ରୁଙ୍କ ସହ ହାତମିଳାଇଲେ । ରାଜା ଦୁଃଖୀ ହୋଇ ଦିନେ ନିଶାର୍ଦ୍ଧରେ ନିଜ ସ୍ତ୍ରୀ ପୁତ୍ରଙ୍କୁ ଛାଡ଼ି ଅରଣ୍ୟକୁ ପଳାୟନ କଲେ।

ଅରଣ୍ୟରେ ପାଗଳପ୍ରାୟ ବୁଲିବୁଲି ସେ ଯାଇ ମେଧା ଋଷିଙ୍କ ଆଶ୍ରମରେ ପହଁଚିଲେ l ରାଜାଙ୍କୁ ଦେଖି ମୁନି ତାଙ୍କୁ ପାଛୋଟି ନେଇ ଆଶ୍ରମରେ ଆଶ୍ରୟ ଦେଲେ l ରାଜା ସେଠାରେ ରହୁଥାନ୍ତି, ସେଠାରେ ଦିନେ ଆସି ପହଁଚିଲେ ସମାଧି ବୈଶ୍ୟ l ରାଜା କଥାବାର୍ତ୍ତା କରି ଜାଣିଲେ, ସମାଧିଙ୍କର ମଧ୍ଯ ରାଜା ସୁରଥଙ୍କ ପ୍ରାୟ ସମ ଦଶା l ସେ ଥିଲେ ଜଣେ ଧନୀବଣିକ ଓ ବ୍ୟବସାୟ ବାଣିଜ୍ୟ କରି ବହୁ ସମ୍ପତ୍ତିର ମାଲିକ ହୋଇ ଥିଲେ l ଦୁର୍ଭାଗ୍ୟକୁ ତାଙ୍କ ସ୍ତ୍ରୀ ପିଲାମାନେ ତାଙ୍କର ସବୁ ଧନ ହରିନେଇ ତାଙ୍କୁ ଘରୁ ତଡ଼ି ଦେଇଛନ୍ତି l ସମାଧି ମଧ୍ୟ ମେଧାୠଷିଙ୍କ ଅନୁଗ୍ରହରୁ ସେଠାରେ ରହିଲେ l

ସମଦୁଃଖୀ ରାଜା ସୁରଥ ଓ ସମାଧିବୈଶ୍ୟ ପରସ୍ପର ଭିତରେ ନିଜ ଦୁଃଖ କାହାଣୀ ସୁମରି ମେଧା ଋଷିଙ୍କ ଆଶ୍ରମରେ କାଳହରୁଥାନ୍ତି l ଦିନେ ସେମାନେ ମେଧା ଋଷିଙ୍କୁ ପଚାରିଲେ, ହେ ମହାତ୍ମା ! ଆମେ ତ ସର୍ବଦା ଧର୍ମ ପଥରେ ରହି ଜୀବନ ନିର୍ବାହ କରୁଥିଲୁ l ତାହା ସତ୍ତ୍ୱେ ଆମର ଏପରି ଦୁର୍ଭାଗ୍ୟ କାହିଁକି ହେଲା?

ମହର୍ଷି ମେଧା କହିଲେ, ଏସବୁ ମାଆ ମହାମାୟାଙ୍କ ମାୟା l ମାୟାଗ୍ରସ୍ତ ଜୀବକୁ ଏହା ଭୋଗିବାକୁ ପଡ଼ି ଥାଏ l ସଂସାରରେ ସୁଖ ଦୁଃଖ ଚକ୍ରବତ ଘୁରୁଅଛି l ତୁମେ ମାନେ ଦେବୀ ଭଗବତୀଙ୍କ ମାହାତ୍ମ୍ୟ ଶ୍ରବଣ କର, ତୁମର ଏ ଦୁଃଖ କଟିଯିବ l

ଏହାକହି ମହର୍ଷି ତାଙ୍କୁ ମାର୍କଣ୍ଡେୟ ପୁରାଣ ଅନ୍ତର୍ଗତ ଦେବୀ ମହାତ୍ମ୍ୟ ଶୁଣାଇଲେ l ମହର୍ଷି ତାଙ୍କୁ ମାଆ ମହାମାୟା କିପରି ମଧୁ କୈଟଭ, ମହିଷାସୁର, ଚଣ୍ଡମୁଣ୍ଡ, ଧୁମ୍ର ଲୋଚନ ଆଦି ଭୟଂକର ଦୈତ୍ୟ ମାନଙ୍କୁ ନିଜ ମାୟା ବିସ୍ତାର କରି ବଧ କରିଥିଲେ ଆଦି କାହାଣୀ ମାନ କହିଲେ l ମାଆ ଭଗବତୀଙ୍କ ଲୀଳା ଶ୍ରବଣ କରି, ସେମାନଙ୍କ ମନରେ କ୍ରମେ ମାଆଙ୍କପ୍ରତି ଅଟଳ ଭକ୍ତି ଓ ବିଶ୍ବାସ ଜାଗ୍ରତ ହେଲା l

ମାଆଙ୍କ ଭକ୍ତିଭାବ ନେଇ ଦିନେ ସେମାନେ ମୁନିଙ୍କ ଆଶ୍ରମ ପରିତ୍ୟାଗ କରି ଅରଣ୍ୟକୁ ଚାଲି ଗଲେ ଓ ସେଠାରେ ରହି ମୁନିଙ୍କ ଠାରୁ ଲାଭ କରିଥିବା ମନ୍ତ୍ର ଓ ପୂଜାବିଧିରେ ମାଆ ମହାମାୟାଙ୍କ ଆରାଧନାରେ ଲାଗି ରହିଲେ l ତିନିବର୍ଷ କାଳ ସେମାନେ ମାଆଙ୍କୁ ନିଷ୍ଠାର ସହ ଆରାଧନା କରି ଲୋକ ମାନଙ୍କୁ ମାଆ ଯୋଗ ମାୟାଙ୍କ ମାହାତ୍ମ୍ୟ ଶୁଣାଇଲେ l ସେମାନଙ୍କ ଭକ୍ତିରେ ତୁଷ୍ଟହୋଇ ଦିନେ ମା’ ପରମାତ୍ମିକା ପ୍ରକଟ ହେଲେ l ମାଆ ରାଜା ସୁରଥଙ୍କୁ ବର ଦେଲେ, ଯାଅ ରାଜ୍ୟକୁ ଫେରିଯାଅ ଓ ସୁଖରେ ପ୍ରଜାପାଳନ କର l ତୁମେ ପୃଥିବୀରେ ଦଶହଜାର ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କରିବ ଓ ପରେ ତୁମେ ସୂର୍ଯ୍ୟଙ୍କର ପୁତ୍ର ଭାବେ ଜନ୍ମ ହୋଇ ସବର୍ଣ୍ଣୀମନୁ ନାମରେ ଖ୍ୟାତ ହେବ l ସମାଧି ବୈଶ୍ୟଙ୍କୁ ମାଆ ତାଙ୍କ ଇଚ୍ଛାନୁସାରେ ମୋକ୍ଷ ଲାଭର ବର ପ୍ରଦାନ କଲେ l

ମାଆଙ୍କ କୃପାରୁ, ରାଜା ସୁରଥ ତାଙ୍କ ରାଜ୍ୟ ଫେରି ପାଇଲେ ଓ ଦୀର୍ଘକାଳ ଶାସନକରି ଅନ୍ତଃ କାଳରେ ପରମ ଗତି ପ୍ରାପ୍ତହେଲେ l ସମାଧିଵୈଶ୍ୟ ଅବଶିଷ୍ଟ ଜୀବନ ବିଭିନ୍ନ ତୀର୍ଥାଟନ କରି ଓ ମାଆଙ୍କ ମହିମା ଗାନକରି କଟାଇ ଶେଷରେ ପରମଗତି ପାଇଲେ l

ରାଜା ସୁରଥ ଓ ସମାଧି ଵୈଶ୍ୟଙ୍କ ଦ୍ଵାରା ଧରାରେ ଏପରି ମା’ ଭଗବତୀଙ୍କ ପୂଜା ପ୍ରଥମ କରି ଆରମ୍ଭ ହୋଇ ଥିଲା l ମାଆ ଦୁର୍ଗତିକାଳରେ ସହାୟ ଏବଂ ଦୁର୍ଗମ ନାମକ ରାକ୍ଷସ ସଂହାର କରି ଥିବାରୁ ତାଙ୍କ ନାମ “ଦୂର୍ଗା” l ମେଧାଋଷିଙ୍କ ଠାରୁ ସମାଧି ଵୈଶ୍ୟ ଓ ରାଜା ସୁରଥ ଯେଉଁ ଦେବୀମାହାତ୍ମ୍ୟ ଶୁଣିଥିଲେ, ତାହା ‘ଦୁର୍ଗା ସପ୍ତଶତୀ’ ବୋଲି ବିଖ୍ୟାତ ହୋଇଛି l ପରମ ମୋକ୍ଷଦାୟୀ ପବିତ୍ର ଦୁର୍ଗା ସପ୍ତଶତୀ ପଠନ ମନନରେ ସର୍ଵ କ୍ଳେଶ ଦୂର ହୋଇ ମନୁଷ୍ୟ ଅକ୍ଷୟ ଯଶର ଅଧିକାରୀ ହୋଇଥାଏ l

!!! ଜୟ ମାଆ ଦୁର୍ଗା !!!
🙏🙏🙏

—————–
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧


Share it

Leave a comment

Your email address will not be published. Required fields are marked *

Verified by MonsterInsights