ଦାରୁକ ହସ୍ତେ ହସ୍ତ ଦେଇ, ରଥେ ବିଜୟ ଭାବଗ୍ରାହୀ

Share it

ଭଗବାନ୍ ଶ୍ରକୃଷ୍ଣ ଓ ସାରଥୀ ଦାରୁକ====

ଦାରୁକ କହିଲେ, ପ୍ରଭୁ ଆପଣ ସେ କୁରୁକୁଳ କଳଙ୍କ, ଦୁର୍ଯ୍ୟୋଧନ ପାଖକୁ ଯାଉଛନ୍ତି । ସେପାଇଁ ଏତେ ସଜେଇ ହେବା ଦରକାର କଅଣ?

ପ୍ରଭୁ ହସିହସି କହିଲେ, ଦାରୁକ, ଦୁର୍ଯ୍ୟୋଧନ ମୋ ଭିତରଟାକୁ ଦେଖେ ନାହିଁ । ସେ ଖାଲି ମୋ ବାହ୍ୟ ଚାକ ଚକ୍ୟ ଦେଖି ପ୍ରଭାବିତ ହୁଏ ।

ଦାରୁକ ଥିଲେ ଭଗବାନ ଶ୍ରୀକୃଷ୍ଣଙ୍କର ପରମ ଭକ୍ତ । ତାଙ୍କୁ ଦକ୍ଷମନେକରି ଶ୍ରୀକୃଷ୍ଣ ନିଜ ରଥର ସାରଥୀ ରୂପେ ନିଯୁକ୍ତ କରିଥିଲେ। ସାରଥୀ ଦାରୁକଙ୍କ କଥା ବହୁ ପୁରାଣରେ ଉଲ୍ଲେଖ ଥିଲା ବେଳେ, ତାଙ୍କ ଜନ୍ମ ପିତାମାତା ଆଦିଙ୍କ ବିଷୟରେ ବିଶେଷ କିଛି ତଥ୍ୟ ଉପଲବ୍ଧ ହୁଏ ନାହିଁ ।

ଦିନକର କଥା । ପାଣ୍ଡବମାନଙ୍କ ବାର ବର୍ଷର ବନ ବାସ ଓ ଏକ ବର୍ଷର ଅଜ୍ଞାତ ବାସ, ଶେଷହେଲା । ମହାଭାରତ ଯୁଦ୍ଧ ପ୍ରାୟ ନିଶ୍ଚିନ୍ତ ହୋଇ ଆସୁଥାଏ । ଭଗବାନ୍ ଶ୍ରୀକୃଷ୍ଣ, ଧର୍ମରାଜ ଯୁଧିଷ୍ଠିରଙ୍କୁ କହିଲେ, ଏ ମହାସମର ନହେବା ହିଁ ସମସ୍ତଙ୍କ ପାଇଁ ମଙ୍ଗଳ କାରକ । ମୁଁ ଶାନ୍ତି ପ୍ରସ୍ତାବ ନେଇ ହସ୍ତୀନା ଯାଉଛି ଦୁର୍ଯ୍ୟୋଧନକୁ ବୁଝାଇବି ସେ ଯଦି ତୁମର ପୈତୃକ ରାଜ୍ୟରୁ ଅର୍ଦ୍ଧେକ ଦେବାକୁ ପ୍ରସ୍ତୁତନୁହେଁ, ଅନ୍ତତଃ ପାଞ୍ଚ ଖଣ୍ଡି ପଡ଼ା ଦେଉ ସେଇଥିରେ ଆମେ ସନ୍ତୁଷ୍ଟ ରହିବା ।

ଶାନ୍ତି ପ୍ରିୟ ଯୁଧିଷ୍ଠିରଙ୍କ ମନକୁ ଏ ପ୍ରସ୍ତାବ ପାଇଲାରୁ ଶ୍ରୀକୃଷ୍ଣ ବାହାରିଲେ ହସ୍ତିନା ।

ଶ୍ରୀକୃଷ୍ଣ ସାରଥୀ ଦାରୁକଙ୍କୁ ରଥ ସଜ କର ବୋଲି କହି, ନିଜ କକ୍ଷ ଭିତରକୁ ଚାଲି ଗଲେ । ରଥ ସଜ କରି ଆଣି, ଦାରୁକ ପ୍ରଭୁଙ୍କ ଅପେକ୍ଷାରେ ରହିଲେ । ଦାରୁକ ଦେଖିଲେ ବହୁ ସମୟ ବିତି ଗଲାଣି, ମାତ୍ର ପ୍ରଭୁ କାହିଁକି ଆସୁ ନାହାଁନ୍ତି । ଅଧୈର୍ଯ୍ୟ ହୋଇ ସେ ଭିତରକୁ ପଶିଗଲେ । ସେ ଦେଖିଲେ, ପ୍ରଭୁ ଦର୍ପଣ ଆଗରେ ଠିଆହୋଇ ନିଜକୁ ସଜାଇବାରେ ବ୍ୟସ୍ତ । ଦେହରେ ବାର ବାର ଦୁର୍ମୂଲ୍ୟ ବସ୍ତ୍ର ପିନ୍ଧୁଛନ୍ତି, ପୁଣି କାଢ଼ି ପକାଉଛନ୍ତି । ଶିରରେ ମୟୂର ଚନ୍ଦ୍ରିକା ଖଚିତ ମଣିମୟ ମୁକୁଟ ଲଗାଉଛନ୍ତି । ହୀରା ନୀଳା ମୋତି ଖଚିତ ଦୁର୍ମୂଲ୍ୟ ଅଳଙ୍କାର ପିନ୍ଧୁଛନ୍ତି । ତାଙ୍କ ଶୋଭା କୋଟିସୂର୍ଯ୍ୟ ସମ ଝଟକୁଛି ।

ପ୍ରଭୁ ଦାରୁକଙ୍କୁ ଦେଖି ହସିଦେଇ କହିଲେ, କଅଣ ଦାରୁକ ଡେରି ହେଉଛି କି !! ହୋଇଗଲା, ହୋଇଗଲା । ଆଉ ଟିକିଏ ରହି ଯାଅ। ଦାରୁକ ଆଶ୍ଚର୍ଯ୍ୟହୋଇ ଭାବୁଥାନ୍ତି କୁଆଡ଼େ ଯିବେକି ପ୍ରଭୁ ଆଜି ଏତେ ସଜେଇ ହେଉଛନ୍ତି ।

ଦାରୁକ ଆଉ ସମ୍ଭାଳନପାରି ପଚାରିଦେଲେ, ପ୍ରଭୁ ! ଆଜି କୁଆଡ଼େ ଯିବା ହେବ କି ?

ଶ୍ରୀକୃଷ୍ଣ ହସି ହସି କହିଲେ, ଆରେ ତୁମେ ଜାଣି ନାହଁ କି ? ଆଜି ପରା ମୁଁ ହସ୍ତିନା ଯାଉଛି ମହାମାନି ଦୁର୍ଯ୍ୟୋଧନକୁ ଭେଟ କରିବା ପାଇଁ।

ଦାରୁକ କହିଲେ, ପ୍ରଭୁ ଆପଣ ସେ କୁରୁକୁଳ କଳଙ୍କ, ଦୁର୍ଯ୍ୟୋଧନ ପାଖକୁ ଯାଉଛନ୍ତି । ସେପାଇଁ ଏତେ ସଜେଇ ହେବା ଦରକାର କଅଣ?

ପ୍ରଭୁ ହସିହସି କହିଲେ, ଦାରୁକ, ଦୁର୍ଯ୍ୟୋଧନ ମୋ ଭିତରଟାକୁ ଦେଖେ ନାହିଁ । ସେ ଖାଲି ମୋ ବାହ୍ୟ ଚାକ ଚକ୍ୟ ଦେଖି ପ୍ରଭାବିତ ହୁଏ ।

ପ୍ରଭୁ ବାହାରି ପଡ଼ିଲେ । ଦାରୁକ ପବନ ବେଗରେ ରଥ ଛୁଟାଇ ଦେଲେ ହସ୍ତିନା ଅଭିମୁଖେ । ପଥରେ ସେମାନେ ଚାଲି ଥାନ୍ତି, ବହୁ ଅନ୍ତରଙ୍ଗ ଆଲୋଚନା କରିକରି । କଥା ଚାଲିଛି,ସାରଥି ଦାରୁକ କହିଲେ, ପ୍ରଭୁ ! ଆପଣ ଜଗଦୀଶ୍ୱର, ଏ ତ୍ରିଲୋକର ସ୍ଵାମୀ । ଆପଣ, ଦୁର୍ଯ୍ୟୋଧନକୁ ଭେଟିବାକୁ ଯାଉଛନ୍ତି । ମୁଁ ଏହା କାହିଁକି ଗ୍ରହଣ କରିପାରୁନାହିଁ । ମୋ ମତରେ ସିଏ ଆପଣଙ୍କ ନିକଟକୁ ଆସିବା କଥା।

ପ୍ରଭୁ ସ୍ମିତ ହାସ୍ୟ କରି କହିଲେ, ଦାରୁକ ! ତୁମେ ଜାଣି ରଖ , ସବୁବେଳେ ଅନ୍ଧାର ନିକଟକୁ ଆଲୁଅ ଯାଇ ଥାଏ । ଏହା ହିଁ ଆଲୋକର ଧର୍ମ ।

ଶ୍ରୀକୃଷ୍ଣଙ୍କ ରଥ ଘର୍ଘରଘୋଷରେ ଯାଇ ହସ୍ତିନାରେ ପହଞ୍ଚି ଗଲା । ତାଙ୍କ ଦର୍ଶନ ପାଇଁ ହସ୍ତିନା ଦାଣ୍ଡରେ ଗହଳି ଲାଗିଗଲା । କୁରୁକୁଳର ସମସ୍ତ ବୟୋବୃଦ୍ଧ ଆସି ତାଙ୍କୁ ପାଛୋଟି ନେଲେ । ସେ ଦୁର୍ଯ୍ୟୋଧନକୁ ବହୁତ ବୁଝାଇଲେ । ମାତ୍ର ଫଳ କିଛି ହେଲାନାହିଁ । ‘ବିନା ଯୁଦ୍ଧେ ଦେବି ନାହିଁ, ସୁଚ୍ୟଗ୍ର ମେଦିନୀ’ କହି ଦୁର୍ଯ୍ୟୋଧନ କୃଷ୍ଣଙ୍କୁ ପ୍ରତ୍ୟାଖ୍ୟାନ କଲା। ଶେଷକୁ ଭଗବାନ ମହାତ୍ମା ବିଦୁରଙ୍କ ଗୃହରେ ଶାଗ ପଖାଳ ଭୋଜନ କରି ଫେରି ଆସିଲେ ।

ଏହିପରି, ଭଗବାନ୍ ଶ୍ରୀକୃଷ୍ଣଙ୍କର ଅନ୍ତରଙ୍ଗ ସମ୍ପର୍କ ଥିଲା ସାରଥୀ ଦାରୁକଙ୍କ ସହ । ସାରଥୀ ଦାରୁକଙ୍କ କଥା ଶ୍ରୀମଦ ଭାଗବତ,ମହାଭାରତ, ବିଷ୍ଣୁ ପୁରାଣ, ହରିବଂଶାଦି ଶାସ୍ତ୍ର ମାନଙ୍କରେ ଛତ୍ରେ ଛତ୍ରେ ଚିତ୍ରିତ ହୋଇଛି । ଯେତେ ବେଳେ ଅର୍ଜୁନ କୃଷ୍ଣଙ୍କ ଭଉଣୀ ସୁଭଦ୍ରାଙ୍କୁ ହରଣ କରିନେଲେ ସେତେବେଳେ ସେ ଶ୍ରୀକୃଷ୍ଣଙ୍କୁ କହିଲେ, ମୁଁ ଯାଦବଙ୍କ ବିରୁଦ୍ଧରେ ରଥ ଚାଳନା କରି ପାରିବିନାହିଁ। ବରଂ ଆପଣ ମୋତେ ବନ୍ଦି କରନ୍ତୁ ।

ମହାଭାରତଯୁଦ୍ଧରେ ସେ ଶ୍ରୀକୃଷ୍ଣଙ୍କ ଉପଦେଶରେ, ସାତ୍ୟକୀଙ୍କ ସାରଥି ହୋଇଥିଲେ । ଯେତେବେଳେ ଜରାଶବର ବାଣରେ ଶିଆଳି ଲତା କୁଞ୍ଜରେ ଭଗବାନ ତୀରବିଦ୍ଧ ହୋଇ ପଡ଼ି ଥାଆନ୍ତି ସେତେବେଳେ ପାଖରେ କେବଳ ଦାରୁକ ଉପସ୍ଥିତ ଥିଲେ । ଶୋକରେ ସେ କ୍ରନ୍ଦନ କରିବାରୁ ଭଗବାନ ତାଙ୍କୁ ବହୁ ପ୍ରବୋଧନା ଦେଇ ଇନ୍ଦ୍ରପ୍ରସ୍ଥ ପଠାଇଲେ ଅର୍ଜୁନଙ୍କୁ ଡାକି ଆଣିବା ପାଇଁ ।

ସାରଥି ଦାରୁକଙ୍କ ସହ ତାଙ୍କର ଯୁଗ ଯୁଗର ଲୀଳା ଖେଳାକୁ ପ୍ରଭୁ ଆଜି ମଧ୍ୟ ଭୁଲିନାହାଁନ୍ତି । ନୀଳାଚଳ ଧାମରେ ଏଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦଘୋଷ ରଥରେ ସାରଥୀ ହେଉଛନ୍ତି ଦାରୁକ ।
ଏହି ପ୍ରସଙ୍ଗରେ, ସୁନ୍ଦର ପଂକ୍ତିଟିଏ ଶ୍ରୀମଦ୍ଭାଗବତ ଦଶମ ସ୍କନ୍ଧ, ପଚସ୍ତରୀ ଅଧ୍ୟାୟରୁ । ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ପ୍ରଥମ ଥର ହସ୍ତିନା ଯିବା ପାଇଁ ବାହାରିଲେ ସେତେବେଳେ ଦାରୁକ ରଥ ସଜକରି ନେଇ ଆସିଲେ ।

ଭାଗବତ ବର୍ଣ୍ଣନା କଲେ :-
ଯାତ୍ରା ଉତ୍ସବେ ପଦ୍ମମୁଖ ।
ତକ୍ଷଣେ ମିଳିଲେ ଦାରୁକ ।।
ଅଦ୍ଭୁତ ରଥ ସଜ କରି ।
ରଥେ ଯୋଚିଲା ଅଶ୍ୱ ଚାରି ।।
ସୁଗ୍ରୀବ ଆଦି ଚାରିଯାନ ।
ସୁନ୍ଦର ଗୋବିନ୍ଦ ବିମାନ ।।
କାଞ୍ଚନରଜ୍ଜୁ ଅଶ୍ୱ ଯୋଗେ ।
ସାଜି ମିଳିଲା କୃଷ୍ଣ ଆଗେ ।।
ଦାରୁକ ହସ୍ତେ ହସ୍ତ ଦେଇ ।
ରଥେ ବିଜୟ ଭାବଗ୍ରାହୀ ।।

!!! ଜୟ ଜଗନ୍ନାଥ !!!
🙏🙏🙏


ଅର୍ଜୁନୀ ଚରଣ ବେହେରା
ମୋ -7693091971


Share it

Leave a comment

Your email address will not be published. Required fields are marked *

Verified by MonsterInsights