ଦେବୀ ଭକ୍ତ ରାବଣ ଓ ଶ୍ରୀରାମ
=======ଅର୍ଜୁନୀ
ପରମେଶ୍ବରୀ ମାଆ ଦୁର୍ଗା ହେଉଛନ୍ତି ଆଦ୍ୟାଶକ୍ତି l ସେ ଶକ୍ତି ସ୍ୱରୂପିଣୀ, ଶକ୍ତିମୟୀ l ତାଙ୍କ ଶକ୍ତି ବିନା ଶିବ ମଧ୍ୟ ଶବ l ସେ ଦୁଷ୍ଟ ଦଳନୀ, ମହିଷାମର୍ଦ୍ଦିନୀ ଓ ଚଣ୍ଡମୁଣ୍ଡ ସଂହାରିଣୀ l ସେ ସର୍ବଦା ନିଜର ଭକ୍ତ ମାନଙ୍କୁ ରକ୍ଷାକରିଥାନ୍ତି l ଧରାପୃଷ୍ଠରେ ଧର୍ମର ଗ୍ଲାନି ହେଲେ, ମାଆ ନାନା ରୂପରେ ପ୍ରକଟ ହୋଇ ଦୁଷ୍ଟ ସଂହାର କରିଥାନ୍ତି l ତେଣୁ ଶ୍ରୀଦୁର୍ଗା ସପ୍ତଶତୀରେ କୁହା ଯାଇଛି:-
ଇତ୍ଥଂ ଯଦାଯଦା ବାଧା ଦାନବୋତ୍ଥା ଭବିଷ୍ୟତି l
ତଦା ତଦାବତୀର୍ଥାହଂ କରିଷ୍ୟାମରୀସଂଖ୍ୟମ ll
ମାଆ ଆଦ୍ୟାଶକ୍ତିଙ୍କୁ ଭକ୍ତି ବଳରେ ଦେବ, ଦାନବ ଯକ୍ଷ, ରକ୍ଷ, କେହି ବି ପ୍ରସନ୍ନ କରାଇପାରେ l ନିଷ୍ଠା ଓ ଭକ୍ତିରେ ମାଆଙ୍କ ଆରାଧନା କଲେ ସେ ନିଶ୍ଚୟ ଭକ୍ତର ସହାୟତା କରିଥାନ୍ତି l ଏପରିକି ସେ ଦିନେ ଆସୁରିଶକ୍ତିକୁ ସହାୟତା କରିବାକୁ ଯାଇ ଲଙ୍କେଶ ରାବଣକୁ ମଧ୍ୟ ସହାୟତା ପ୍ରଦାନକରିଥିଲେ l ଏହି ପ୍ରସଙ୍ଗରେ ବଙ୍ଗଳା କୃତ୍ତିବାସ ରାମାୟଣରୁ ସୁନ୍ଦର ଉପାଖ୍ୟାନ ଗୋଟିଏ l
ରାବଣ ଥିଲା ପରମ ଶିବଭକ୍ତ, କିନ୍ତୁ ପରେ ରାବଣ ଅତି ଦର୍ପି ଏବଂ ଅହଙ୍କାରୀ ହୋଇ ଉଠିବାରୁ ଦେବ ଦେବ ମହାଦେବ ତାକୁ ତ୍ୟାଗ କରି ଚାଲି ଗଲେ l ସେଦିନ ଲଙ୍କାରେ ରାମ ରାବଣଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ଲାଗିଯାଇଥାଏ l ରାବଣ ଶ୍ରୀରାମଙ୍କ ହସ୍ତରେ ବାରମ୍ବାର ପରାଜିତ ହୋଇ, ଚିନ୍ତା କଲା, କୌଣସି ଦୈବୀ ଶକ୍ତିର ସହାୟତା ବିନା ଏ ରାମକୁ ଜିଣିବା ସମ୍ଭବ ହେବ ନାହିଁ l କିଏ ମତେ ସାହଯ୍ୟ କରିବ l ହଉ ! ଭଗବାନ ଶଙ୍କର ସିନା ମୋତେ ପରିତ୍ୟାଗ କରି ଚାଲି ଗଲେ l କିନ୍ତୁ ଶଙ୍କରୀ ତ ମୋତେ ଛାଡ଼ି ଯାଇ ନାହାଁନ୍ତି, ମୁଁ ଯାଉଛି ତାଙ୍କରି ଶରଣ ପଶିବି l ଏପରି ଚିନ୍ତା କରି ସେ ମାଆଙ୍କୁ ସ୍ତୁତି କଲା :-
କୋଥା ମା ତାରିଣୀ ତାରା ହଓଗୋ ସଦୟ l
ଦେଖା ଦିଆ ରକ୍ଷା କର ମୋରେ ଅସମୟ ll
ପତିତ ପାବିନୀ, ପାପ ହାରେଣୀ କାଳିକେ l
ଦୀନ ଜନ ଜନନୀ, ମା’ ଜଗତ ପାଳିକେ ll
ଏପରି ସ୍ତୁତି କରି, ରାବଣ ମାଆ ଦୁର୍ଗାଙ୍କୁ ଆବାହନ କରି କହିଲା, ରାମଙ୍କ ସହ ଯୁଦ୍ଧକରି ମୁଁ ସଙ୍କଟରେ ପଡ଼ିଯାଇଛି l ଭଗଵାନ ଶଙ୍କର ତ ମୋତେ ତ୍ୟାଗ କରି ଚାଲିଗଲେ l ମାଆ ତୁମେହିଁ ମୋର ଏକମାତ୍ର ଭରସା l ମୋତେ ଏ ଘୋର ସଙ୍କଟରୁ ଉଦ୍ଧାର କର ମାଆ, ଉଦ୍ଧାର କର l
ଭକ୍ତାନୁଗ୍ରହ କାରିଣୀ ମାଆ ଦୁର୍ଗା ରାବଣ ସ୍ତୁତିରେ ପ୍ରସନ୍ନ ହୋଇଗଲେ ଓ ତାକୁ କୋଳକରି ରଥରେ ବସି ଅଭୟ ଦେଇ କହିଲେ, ବତ୍ସ ! ମୁଁ ଥାଉଁ ଥାଉଁ ତୋର ଭୟର କୌଣସି କାରଣ ନାହିଁ l ନିର୍ଭୟରେ ଯାଇ ତୁ ରାମ ସହ ଯୁଦ୍ଧକର l ମୁଁ ତୋତେ ସହାୟ ହେଲି ସ୍ଵୟଂ ଶଙ୍କର ହେଲେ ମଧ୍ୟ ତତେ ପରାଜିତ କରି ପାରିବେ ନାହିଁ l ବଙ୍ଗଳା ରାମାୟଣରେ କବି ଏହାକୁ ସୁନ୍ଦର ଭାବେ ବର୍ଣ୍ଣନା କଲେ:-
ସ୍ତବେ ତୁଷ୍ଟ ହୟେ ମାତା, ଦିଲ ଦରଶନ l
ବସିଲେନ୍ ରଥେ କୋଲକରିୟା ରାବନ୍ ll
ଆଶ୍ଵାସ କରିୟା ବଲେ ନକର ରୋଦନ l
ଭୟ ନାଇ, ଭୟ ନାଇ ବାତ୍ସା ଦଶାନନ୍ ll
ଆସି ଆଛି ଆମି ଆର କାରେ କର ଡର l
ଆପନି ଯୁଝିବ ! ୟଦି ଆସେନ୍ ଶଙ୍କର ll
ମାଆଙ୍କ ଅଭୟ ଲାଭ କରି ରାବଣ ଉତ୍ସାହର ସହ ଯାଇ ରଣଭୂମିରେ ପହଞ୍ଚିଲା l ଆରମ୍ଭ ହୋଇଗଲା ଘୋର ଯୁଦ୍ଧ l କିନ୍ତୁ ଏ କଅଣ l ଶ୍ରୀରାମ ଦେଖିଲେ ମାଆ ଦୁର୍ଗାଙ୍କ କୋଳରେ ରାବଣ ବସିଛି l ଶ୍ରୀରାମ ନିରାଶ ହୋଇ ଅସ୍ତ୍ର ଛାଡ଼ି ଦେଇ ବିଭୀଷଣଙ୍କୁ ଚାହିଁ କହିଲେ:-
କାର ସାଧ୍ୟ ବିନାଶିତେ ପାରେ ଦଶାନନେ l
ରଖିଛେ ରାବଣେ ଆଜି ହର ବରାଙ୍ଗନେ ll
ଶ୍ରୀରାମଙ୍କୁ ନିରାଶ ଦେଖି ଲକ୍ଷ୍ମଣ ସୁଗ୍ରୀବ ହନୁମାନ ସମସ୍ତେ କାନ୍ଦିବାରେ ଲାଗିଲେ l ଶ୍ରୀରାମ ସମସ୍ତଙ୍କୁ ଚାହିଁ କହିଲେ, ସ୍ୱୟଂ ଦୁର୍ଗା ଯାହାକୁ ସହାୟ ଆମେ ସେହି ରାବଣକୁ ଜିଣି ଆଉ ଜାନକୀ ଉଦ୍ଧାରକରିବା ସମ୍ଭବ ନୁହେଁ l ସେତୁ ବନ୍ଧନ, ବିଶାଳ ସମୁଦ୍ର ପାର କରି, ଆମେ ଆଜି ଲଙ୍କାରେ ଯୁଦ୍ଧର ଯେଉଁ ବିଶାଳ ଅୟୋଜନ କରିଛନ୍ତି ଏସବୁ ବ୍ୟର୍ଥ ହେଲା l
ଶ୍ରୀରାମଙ୍କୁ ନିରାଶ ହେବା ଦେଖି ଦେବତା ମାନଙ୍କ ମଧ୍ୟରେ ଭାଳେଣି ପଡ଼ି ଗଲା l ଇନ୍ଦ୍ର ଯାଇ, ବ୍ରହ୍ମାଙ୍କ ଆଗରେ ସମସ୍ତ ଘଟଣା କହି ଦେବାରୁ ସ୍ୱୟଂ ବ୍ରହ୍ମା ଆସି ଲଙ୍କାରେ ପହଞ୍ଚିଲେ ଓ ରାମଙ୍କୁ କହିଲେ :-
ବିଧାତା କହେନ ପ୍ରଭୁ, ଏକ କର୍ମ କର ବିଭୁ,
ତବେ ହବେ ରାବଣ ସଂହାର l
ଅକାଲେ ବୋଧନକରି ପୂଜ ଦେବୀ ମାହେଶ୍ୱରୀ
ତାରିବେ ଏ ଦୁଃଖେର ପାଥାର ll
ଶ୍ରୀରାମ ବ୍ରହ୍ମାଙ୍କୁ ମାଆଙ୍କ ଉପାସନା ବିଧି, ମୁହୁର୍ତ୍ତ ଆଦି ପଚାରିବାରୁ ବ୍ରହ୍ମା କହିଲେ, ନବରାତ୍ର ଷଷ୍ଠୀ ସାୟଂକାଳରୁ ତୁମେ ପୂଜା ଆରମ୍ଭ କର l
ଆଶ୍ୱିନଶୁକ୍ଳ ଷଷ୍ଠୀ ସନ୍ଧ୍ୟାରୁ ଶ୍ରୀରାମଙ୍କ ଦ୍ୱାରା ମାଆ ଦୁର୍ଗାଙ୍କ ପୂଜା ଆରମ୍ଭ ହେଲା l ଧିରେ ଧିରେ ସପ୍ତମୀ ଯାଇ ଅଷ୍ଟମୀ ହେଲା ତଥାପି ମାଆ ପ୍ରସନ୍ନ ହେବାର କୌଣସି ସୂଚନା ମିଳୁନଥାଏ l ପ୍ରଭୁ ନିରାଶ ହୋଇ ଭାବୁଥାନ୍ତି ବୋଧ ହୁଏ ଦୟାମୟୀ ମାଆ ଦୁର୍ଗା ମୋ ପୂଜାରେ ସନ୍ତୁଷ୍ଟ ନୁହଁନ୍ତି l
ଏହି ସମୟରେ ବିଭୀଷଣ ଆସି କହିଲେ, ମାଆଙ୍କ ନୀଳ କମଳ ଅତ୍ୟନ୍ତ ପ୍ରିୟ l ତୁମେ ମାଆଙ୍କୁ ଶହେ ଆଠ ନୀଳ କମଳ ଅର୍ପଣ କର ସେ ନିଶ୍ଚୟ ସନ୍ତୁଷ୍ଟ ହେବେ l ଶ୍ରୀରାମ ଚିନ୍ତାରେ ପଡ଼ିଗଲେ ଏତେ କମ୍ ସମୟ ମଧ୍ୟରେ ଦୁର୍ଲ୍ଲଭ ନୀଳ କମଳ, ପୁଣି ଆସିବ କେଉଁ ଆଡ଼ୁ l ହନୁମାନ ପ୍ରସ୍ତୁତ ହୋଇଗଲେ ଯାଇ ଦେବୀଦହରୁ ୧୦୮ ନୀଳପଦ୍ମ ତୋଳି ଆଣିବାକୁ l
ରାମ ମାଆଙ୍କୁ ସ୍ତୁତି କରିବାକୁ ଲାଗିଲେ:-
ଦୁର୍ଗେ ଦୁଃଖହରା ତାରା ଦୁର୍ଗତି ନାଶିନୀ l
ଦୁର୍ଗମେ ସରୀଣୀ ବିନ୍ଧ୍ୟଗିରି ନିବାସିନୀ ll
ପୂଜା ଚାଲିଛି, ଏହି ସମୟରେ ହନୁମାନ ଏକ ଶତ ଆଠ ନୀଳ ପଦ୍ମ ଧରି ବାୟୁ ବେଗରେ ଆସି ପହଁଚି ଗଲେ l ଶ୍ରୀରାମ ଫୁଲଗୁଡ଼ିକୁ ମନ୍ତ୍ରୋଚ୍ଚାରଣ ପୂର୍ବକ ଗୋଟି ଗୋଟିକରି ମାଆଙ୍କ ଚରଣରେ ଅର୍ପଣ କରି ଚାଲିଲେ l କିନ୍ତୁ ଏ କଅଣ ! ଏକ ଶତ ସାତ ଫୁଲ ଅର୍ପଣ ହୋଇଗଲା ଏକ ଶହ ଆଠ ତମ ଫୁଲ ଯେ ନାହିଁ l ପ୍ରଭୁ କାନ୍ଦି କାନ୍ଦି ମାଆଙ୍କ ଚରଣରେ ଲୋଟି କହିଲେ, ମାଆ ! ତୁମେ ମୋର ଆଉ ପରୀକ୍ଷା ନିଅ ନାହିଁ l ମୋତେ ସମସ୍ତେ ରାଜୀବ ଲୋଚନ ବୋଲି କହନ୍ତି l ମୁଁ ଏହିକ୍ଷଣି ନୀଳକମଳ ସ୍ଵରୂପ ମୋର ଏ ଚକ୍ଷୁକୁ ଆପଣଙ୍କ ଚରଣରେ ଅର୍ପଣ କରୁଛି l
ନୟନ ଯୁଗଲ ମୋର୍ ଫୁଲ୍ଳ ନିଲୋତ୍ପଲ୍ l
ସଂକଳ୍ପ କରିବୋ ପୂର୍ଣ୍ଣ ବୁଝିବେ ସକଲ୍ ll
ଏପରି କହି ରାମ ନିଜ ତୁଣୀରରୁ ଏକ ତୀକ୍ଷ୍ଣ ତୀର ଆଣି ନିଜ ଚକ୍ଷୁ ଉତ୍ପାଟନ କରିବାକୁ ଯାଉଛନ୍ତି ଏହି ସମୟରେ ପୂର୍ବରୁ ଗୋଟିଏ ନୀଳ କମଳକୁ ହରଣ କରି ନେଇଥିବା ମାଆ ଦୁର୍ଗା ପ୍ରକଟ ହୋଇ ରାମଙ୍କ ହାତ ଧରି ପକାଇ କହିଲେ:-
କି କର କି କର ! ପ୍ରଭୁ ଜଗତ ଗୋସାଇଁ l
ସଂକଳ୍ପ ତୋମାର ପୂର୍ଣ୍ଣ ଚକ୍ଷୁ ନାହିଁ ଚାଇ ll
ମାଆ ପ୍ରସନ୍ନହୋଇ ରାମଙ୍କୁ ତାଙ୍କର ସ୍ୱରୂପ ସୂଚାଇ ଦେଇ କହିଲେ,ଆପଣ ତ ସନାତନ ବ୍ରହ୍ମ l ଆପଣ ତ ଏ ଅଖିଳ ବ୍ରହ୍ମାଣ୍ଡର ନାୟକ,ଅଖିଳ ଚରାଚରର ଗତି l ଆପଣ ଅଚ୍ୟୁତ ଅବ୍ୟକ୍ତ l ଦୁଷ୍ଟଦଳନ ପାଇଁ ଆପଣ କେବଳ ମନୁଷ୍ୟଶରୀର ଧାରଣ କରିଛନ୍ତି l ଏପରି ଶ୍ରୀରାମଙ୍କ ନାନା ସ୍ତୁତି କରି ମାଆ କହିଲେ, ମୁଁ ଏବେ ରାବଣକୁ ତ୍ୟାଗକଲି l ଅବିଳମ୍ବେ ତୁମେ ତାକୁ ସଂହାରକର l ଏହା କହି ଜଗଜ୍ଜନନୀ ମାଆ ଅନ୍ତର୍ଦ୍ଧାନ ହୋଇଗଲେ l ମାଆଙ୍କ ସହାୟତା ପାଇ ଶ୍ରୀରାମ, ରାବଣକୁ ନବମୀ ତିଥିରେ ବଧ କଲେ l କୃତ୍ତିବାସ ରାମାୟଣରେ ଏକଥା ଉପସଂହାର କରି କବି ପରିପ୍ରକାଶ କଲେ :-
ରାବଣେ ଛାଡ଼ିନେ ଆମି, ବିନାଶ କରହୁଁ ତୁମି l
ଏନ୍ ବଲି କୈଲା ଅନ୍ତର୍ଦ୍ଧାନ ll
ନାଚେଗାୟ କପିଗଣ, ପ୍ରେମାନନ୍ଦେ ନାରାୟଣ l
ନବମୀ କରିଲା ସମାଧାନ ll
!! ଜୟ ମାଆ ଦୁର୍ଗା ଦୁର୍ଗତି ନାଶିନୀ !!
🙏🙏🙏
—————
ଅର୍ଜୁନୀ ଚରଣ ବେହେରା
ମୋ -୭୬୯୩୦୯୧୯୭୧