ପାଣ୍ତବ ମାନେ କପଟ ପଶା ଖେକରେ ରାଜ୍ଯହରା ହୋଇ ସର୍ତ୍ତ ସ୍ୱରୂପ ଯାଇ ଦ୍ବୈତ ବନରେ ବନବାସ କରୁଥାନ୍ତି । ଏହି ସମୟରେ ଦିନେ ମନ୍ଦମତି ଶକୁନି ଓ କର୍ଣ୍ଣ, ଦୁର୍ଯ୍ୟୋଧନଙ୍କୁ କହିଲେ, ତୁମେ ଦ୍ବୈତବନ ଯାତ୍ରାକରି ଆନନ୍ଦ ଲାଭପାଇଁ ଥରେ ପାଣ୍ଡବମାନଙ୍କ ଦୁର୍ଦ୍ଦଶା ଦେଖିଆସ । ସମସ୍ତ କୁରୁଜ୍ୟେଷ୍ଠଙ୍କ ବାରଣ ସତ୍ତ୍ଵେ, ଦୁର୍ଯ୍ୟୋଧନ ଏହାକୁ ଗ୍ରହଣକଲେ ଓ ଦ୍ବୈତ ବନକୁ ମୃଗୟା ନିମନ୍ତେ ବାହାରି ପଡ଼ିଲେ ।
ବିରାଟ କୌରବ ସେନା ସହିତ ଦୁର୍ଯ୍ୟୋଧନ ଯାଇ ଦ୍ବୈତବନ ପାଖରେ ଶିବିର ପକାଇଲେ । ଜାଣିଶୁଣି ସେ ଭୀଷ୍ମ, ଦ୍ରୋଣ ଓ ଆଚାର୍ଯ୍ୟ କୃପଙ୍କୁ ଏଥିରୁ ବାଦ୍ ଦେଇଥିଲେ । ଗଜ ବାଜି ରଥ ଏବଂ କୁରୁ ସେନାଙ୍କ କୋଳାହଳରେ ବନ ଭୂମି ମୁଖରିତ ହେଲା । ଦ୍ବୈତ ବନରେ ବହୁ ଗୋପାଳ ଗୋଧନ ସହ ରହୁଥିଲେ । ସେମାନେ ରାଜା ଦୁର୍ଯ୍ୟୋଧନ ଓ ତାଙ୍କ ବାହିନୀର ଉପଯୁକ୍ତ ସତ୍କାରକଲେ । ସେମାନେ ନୃତ୍ୟ ଗୀତ, ଖାଦ୍ଯ ପେୟର ସମସ୍ତ ବ୍ୟବସ୍ଥା କରିଦେଲେ । କୌଣସି ଅଭାବ ରହିଲା ନାହିଁ ।
ଦିନେ ଦୁର୍ଯ୍ୟୋଧନ ପାରିଷଦମାନଙ୍କୁ ଧରି ବନରେ ବୁଲୁଥିଲା ବେଳେ ଗୋଟିଏ ମନୋରମ ସରୋବର ଦେଖିଲେ । ପାଣ୍ତବମାନଙ୍କ ଆଶ୍ରମ ନିକଟରେ ଏହି ସରୋବରଟି ଥିଲା । ସେଇଠି ରହି, ସେ ପାଣ୍ତବଙ୍କୁ ନିଜର ସମସ୍ତ ଐଶ୍ୱର୍ଯ୍ୟ ଦେଖାଇବେ ବୋଲି ମନସ୍ଥ କରି ଅନୁଚରମାନଙ୍କୁ ସେଇଠି ଶିବିର ପକାଇବାକୁ ନିର୍ଦ୍ଦେଶ ଦେଲେ ।
ସେଠାରେ ଶିବିରପଡ଼ିବା ଅୟୋଜନ ହେଉଛି ଏହି ସମୟରେ ସେଠାରେ ବହୁପୂର୍ବରୁ ତାଙ୍କର ଅନୁଚର ଏବଂ ପରିବାରଙ୍କୁ ଧରି ବାସ କରୁଥିବା ଗନ୍ଧର୍ବରାଜ ଚିତ୍ରସେନ ଆସି ବାଧାଦେଲେ । ଦୁର୍ଯ୍ୟୋଧନଙ୍କୁ ବହୁ କୁକଥାରେ ସେ କଟୁ ଭର୍ତ୍ସନା କଲେ ।
ସଙ୍ଗେ ସଙ୍ଗେ ଉତ୍ତେଜିତ ଦୁର୍ଯ୍ୟୋଧନଙ୍କ ଆଦେଶରେ କୁରୁ ସେନା ଓ ଗନ୍ଧର୍ବ ସେନା ଭିତରେ ଘମାଘୋଟ ଯୁଦ୍ଧ ଆରମ୍ଭ ହୋଇଗଲା । କିନ୍ତୁ କୌରବସେନା ଗନ୍ଧର୍ବସେନାଙ୍କ ଆଗରେ ତିଷ୍ଠିବା ସମ୍ଭବ ହେଲା ନାହିଁ । ଏହା ଦେଖି କର୍ଣ୍ଣ ଆସି ପ୍ରବଳ ଯୁଦ୍ଧକଲେ, କିନ୍ତୁ ଗନ୍ଧର୍ବ ମାନଙ୍କ ଐନ୍ଦ୍ରଜାଲିକ ଯୁଦ୍ଧକୁ, ସେ ମଧ୍ୟ ସମ୍ମୁଖୀନ ହେବାକୁ ଅସମର୍ଥ ହେବାରୁ ସେ ରଥରୁ ଡେଇଁ ପଡ଼ି କୁଆଡ଼େ ପଳାଇଗଲେ ।
କର୍ଣ୍ଣଙ୍କ ଏହି ଅବସ୍ଥା ଦେଖି, ସମସ୍ତ କୌରବ ବାହିନୀ ଛତ୍ରଭଙ୍ଗ ଦେଲେ । ଶକୁନି ଯାଇ କୁଆଡ଼େ ଲୁଚିଲେ । ଶେଷକୁ ଦୁର୍ଯ୍ୟୋଧନ ଲଢ଼ିବାକୁ ଆସି, ତାଙ୍କର ସମସ୍ତ ଯୋଦ୍ଧାଙ୍କ ସହ ଚିତ୍ରସେନଙ୍କ ହସ୍ତରେ ବନ୍ଦୀହେଲେ । ଗନ୍ଧର୍ବରାଜ ସମସ୍ତ ବନ୍ଦୀଙ୍କୁ ଧରି ଅଳକାପୁରୀ ଅଭିମୁଖେ ଚାଲିଲେ ।
ଏହି ସମ୍ବାଦ ପାଣ୍ଡବ ମାନଙ୍କ ନିକଟରେ ପହଁଚିଲା ।
ଛତ୍ରଭଙ୍ଗ ଦେଇ ପଳାଇ ଥିବା କୁରୁ ସୈନ୍ୟ ମାନେ ଧର୍ମରାଜ ଯୁଧିଷ୍ଠିରଙ୍କୁ ସମସ୍ତ କଥା ଜଣାଇ ଉଦ୍ଧାର ପାଇଁ କାତର ପ୍ରାର୍ଥନା କଲେ । ସମ୍ବାଦ ଶୁଣି, ଭୀମ ଖୁବ୍ ଆନନ୍ଦିତହୋଇ କହିଲେ, ଖୁବ୍ ଭଲ ହୋଇଛି, ଦୁର୍ଯ୍ୟୋଧନ ମନ୍ଦଅଭିଳାଷ ରଖି ଏଠାକୁ ଆସିଥିଲା ସେ ତାହାର ପ୍ରତିଫଳ ପାଇଛି । ଅନ୍ୟ ଭାଇମାନେ ମଧ୍ୟ ସେପରି ଆନନ୍ଦ ବ୍ୟକ୍ତ କଲେ ।
କିନ୍ତୁ ଯୁଧିଷ୍ଠିର କହିଲେ, ଦୁର୍ଯ୍ୟୋଧନ ଆମପ୍ରତି ଶତୃତା କରିଥିଲେ ମଧ୍ୟ ସେ ଆମର ନିଜ ଭାଇ । ତାକୁ ବିପଦ ବେଳେ ସାହାଯ୍ୟ କରିବା, ଆମ ସମସ୍ତଙ୍କ କର୍ତ୍ତବ୍ୟ । ତେଣୁ ତୁମେମାନେ ଶୀଘ୍ର ଯାଇ ଦୁର୍ଯ୍ୟୋଧନକୁ ମୁକ୍ତକର ।
ଜ୍ୟେଷ୍ଠ ପାଣ୍ଡବଙ୍କ ବାକ୍ୟକୁ ତ ଭାଇମାନେ କେବେ ଅନ୍ୟଥା କରିନ୍ତି ନାହିଁ, ତେଣୁ ସେମାନେ ପଳାତକ କୌରବସେନାଙ୍କୁ ସଂଗଠିତ କରି ଗନ୍ଧର୍ବସେନାଙ୍କ ପିଛା କଲେ । ନେତୃତ୍ୱ ନେଉଥାନ୍ତି ଅର୍ଜ୍ଜୁନ ।
ପୂର୍ବେ ଦିବ୍ୟାସ୍ତ୍ର ଲାଭ ପାଇଁ ଯେତେ ବେଳେ ଅର୍ଜୁନ ଇନ୍ଦ୍ରଲୋକ ଯାଇଥିଲେ ସେତେ ବେଳେ ଇନ୍ଦ୍ର ତାଙ୍କୁ ନୃତ୍ୟ ଗୀତ ଶିଖାଇବା ପାଇଁ, ଗନ୍ଧର୍ବ ଚିତ୍ରସେନଙ୍କୁ ନିଯୁକ୍ତ କରି ଥିଲେ । ଏଣୁ ପୂର୍ବରୁ ଚିତ୍ରସେନଙ୍କ ସହ ଅର୍ଜୁନଙ୍କର ସଖ୍ୟଭାବ ଥିଲା ।
ସେ ଅର୍ଜୁନଙ୍କୁ ଦେଖି କହିଲେ, ତୁମେ କାହିଁକି ଏହି ମୂର୍ଖ ନରାଧମକୁ ମୁକ୍ତ କରିବାକୁ ଚାହୁଁଛ । ତୁମେ କଅଣ ଭୁଲି ଯାଇଛ ଇଏ କିପରି ତୁମମାନଙ୍କୁ ଲାଞ୍ଛିତକରିଥିଲା ।
ଅର୍ଜୁନ ତାଙ୍କୁ ଏହା ଯୁଧିଷ୍ଠିରଙ୍କ ନିର୍ଦ୍ଦେଶ ବୋଲି କହି, ଯୁଧିଷ୍ଠିରଙ୍କ ପାଖକୁ ନେଇଗଲେ । ଗନ୍ଧର୍ବରାଜ ଯୁଧିଷ୍ଠିରଙ୍କ ସହ ପରିଚିତହେଲେ ଓ କିଛି ସମୟ ସ୍ନେହାଳାପ ପରେ ଦୁର୍ଯ୍ୟୋଧନ କର୍ତ୍ତୃକ ସମସ୍ତ ବନ୍ଦୀମାନଙ୍କୁ ମୁକ୍ତ କରି ଦେଲେ ।
ଯୁଧିଷ୍ଠିର ଦୁର୍ଯ୍ୟୋଧନଙ୍କୁ କହିଲେ, ତୁମେ ଏଣିକି ଏପରି ଦୁଃସାହସିକ କାର୍ଯ୍ୟ କେବେ କରିବ ନାହିଁ । ଅତ୍ୟନ୍ତ ଲଜ୍ଜିତ ଓ ଅପମାନିତ ଦୁର୍ଯ୍ୟୋଧନ ଦ୍ବୈତବନ ପରିତ୍ୟାଗ କଲେ ।
ବାଟରେ, ପଳାଇ ଯାଇଥିବା କର୍ଣ୍ଣ, ଶକୁନି ଓ ଅନ୍ୟ ମାନେ ଦୁର୍ଯ୍ୟୋଧନଙ୍କୁ ଆସି ସାକ୍ଷାତ କରି କହିଲେ, “କୁରୁପତିଙ୍କର ଜୟ ହେଉ “।
ଲଜ୍ଜାରେ କୁରୁରାଜ ଉତ୍ତର ଦେଲେ, ତୁମେମାନେ ଜାଣିନାହଁ ଯାହାସବୁ ଦ୍ବୈତ ବନରେ ଘଟିଗଲା । ସେଠି ଅର୍ଜୁନ ନ ଥିଲେ ଆମେ ମାନେ କେବେ ହେଲେ ମୁକ୍ତହୋଇ ନଥାନ୍ତୁ । ସେ ଲଜ୍ଜା ମରଣକୁ ବଳି ଯାଇଛି। ଆଉ ଏ ଲଜ୍ଜିତ ଜୀବନ ଧରି ମୁଁ ବଞ୍ଚିବାକୁ ଚାହେଁ ନାହିଁ ।
କୁରୁରାଜ ଯେ ବହୁ ଅପମାନିତ ଏକଥା ଜାଣିପାରି ଦୁଃଶାସନ,କର୍ଣ୍ଣ ଓ ଶକୁନି ତାଙ୍କୁ ବହୁତ ବୁଝାଇଲା ପରେ, ଦୁର୍ଯ୍ୟୋଧନ ପ୍ରକୃସ୍ଥିତ ହେଲେ ଓ ସମସ୍ତଙ୍କୁ ଧରି ହସ୍ତୀନା ଅଭିମୁଖେ ଯାତ୍ରା କଲେ । ହସ୍ତିନାରେ ଆସି ସେମାନେ ପହଞ୍ଚିଲା ବେଳକୁ ଦ୍ବୈତ ବନରେ ଘଟିଥିବା ସେମାନଙ୍କ ଅପମାନର କଥା ଚାରିଆଡେ଼ ରାଷ୍ଟ୍ର ହୋଇ ଯାଇ ଥିଲା ।
ଲଜ୍ଜାବନତ ମହାମାନୀ ଦୁର୍ଯ୍ୟୋଧନକୁ ଦେଖି ପିତାମହ ଭୀଷ୍ମ କହିଲେ, ମୁଁ ତୁମକୁ ଦ୍ବୈତବନ ଯିବାକୁ ବାରଣ କରିଥିଲି । କିନ୍ତୁ ତୁମେ କର୍ଣ୍ଣ ଏବଂ ଶକୁନିଙ୍କ ବୁଦ୍ଧିରେ ଚାଳିତହୋଇ ମୋ କଥା ଶୁଣିଲ ନାହିଁ । ପାଣ୍ଡବ ମାନେ ସହାୟତା କରି ନଥିଲେ ତୁମର ଆଜି ହସ୍ତିନା ଫେରିବା ହୁଏତ ସମ୍ଭବ ହୋଇ ନଥାନ୍ତା । ଯେଉଁ କର୍ଣ୍ଣ ଶକୁନି ତୁମକୁ ବୁଦ୍ଧି ଦେଇଥିଲେ, ସେମାନେ ସାହଯ୍ୟ ନକରି ପ୍ରାଣ ଘେନି କୁଆଡ଼େ ଯାଇ ଆତ୍ମଗୋପନ କଲେ । ଏଥିରୁ କଅଣ ତୁମର କିଛି ଶିକ୍ଷା ହେଉନାହିଁ ?
ଅର୍ଜୁନୀ ଚରଣ ବେହେରା
ମୋ – ୭୬୯୩୦୯୧୯୭୧